Revised Common Lectionary (Complementary)
ତୌ
169 ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171 ମୁଁ ତୁମ୍ଭର ପ୍ରଶଂସା ଗାନ କରିବି।
କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172 ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି।
କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173 ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି।
ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174 ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର।
ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175 ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ।
ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176 ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି,
ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ।
କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।
ପରମେଶ୍ୱର ବୈଥେଲ୍ ବିପକ୍ଷରେ କହନ୍ତି
13 ସଦାପ୍ରଭୁ ଯିହୁଦାରେ ଥିବା ଏକ ପରମେଶ୍ୱରଙ୍କ ଲୋକକୁ ବୈଥେଲ୍ ଯିବାକୁ ଆଦେଶ ଦେଲେ। ଯେତେବେଳେ ଯାରବିୟାମ ଯଜ୍ଞବେଦି ନିକଟରେ ଧୂପ ଜଳାଇବା ପାଇଁ ଛିଡ଼ା ହୋଇଥିଲେ ସେତେବେଳେ ପରମେଶ୍ୱରଙ୍କ ଲୋକ ସେଠାରେ ଉପସ୍ଥିତ ହେଲେ। 2 ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ପରମେଶ୍ୱରଙ୍କ ସେହି ଲୋକ ଜଣକ ଯଜ୍ଞବେଦି ବିପକ୍ଷରେ ଉଚ୍ଚସ୍ୱରରେ କହିଲେ,
“ହେ ଯଜ୍ଞବେଦି, ସଦାପ୍ରଭୁ ତୁମ୍ଭକୁ କୁହନ୍ତି, ‘ଏଇ ଦେଖ, ଦାଉଦ ବଂଶରେ ଯୋଶିୟ ନାମରେ ଏକ ସନ୍ତାନ ଜନ୍ମ ହେବ। ଉଚ୍ଚସ୍ଥଳୀର ଯାଜକମାନେ ତୁମ୍ଭ ଉପରେ ଧୂପ ଜଳାଉଛନ୍ତି। ଯୋଶିୟ ସେମାନଙ୍କୁ ତୁମ୍ଭ ଉପରେ ବଳିଦାନ କରିବ। ବର୍ତ୍ତମାନ ଏହି ଯାଜକଗଣ ତୁମ୍ଭ ଉପରେ ଧୂପ ଜାଳନ୍ତି କିନ୍ତୁ ଯୋଶିୟ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ। ତେବେ ତୁମ୍ଭକୁ ପୁଣି କେହି ବ୍ୟବହାର କରିବେ ନାହିଁ।’”
3 ଆଉ ସେହି ପରମେଶ୍ୱରଙ୍କ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲେ, “ଭବିଷ୍ୟତରେ ଏହା ହେବ। ‘ଏଇ ଦେଖ, ଏହି ବେଦି ଖଣ୍ତ ଖଣ୍ତ ହୋଇ ଭାଙ୍ଗି ପଡ଼ିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।’”
4 ବୈଥେଲ୍ରେ ଯଜ୍ଞବେଦି ବିଷୟରେ ପରମେଶ୍ୱରଙ୍କ ଲୋକଙ୍କ ମୁହଁରୁ ରାଜା ଯାରବିୟାମ ଏହି ବାର୍ତ୍ତା ଶୁଣିଲେ। ସେ ସେହି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, “ତାକୁ ବନ୍ଦୀ କର!” ମାତ୍ର ରାଜା ତାହା ବିରୁଦ୍ଧରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷାଘାତ ହୋଇଗଲା। 5 ଆଉ ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ସଙ୍କେତ ଦେଇଥିଲେ, ବଳିଦାନର ଯଜ୍ଞବେଦି ଭାଙ୍ଗି ଖଣ୍ତ ଖଣ୍ତ ହୋଇଗଲା ଓ ଭସ୍ମ ଅଜାଡ଼ି ହୋଇ ପଡ଼ିଲା। 6 ତା'ପରେ ରାଜା ଯାରବିୟାମ ପରମେଶ୍ୱରଙ୍କ ଲୋକକୁ ନିବେଦନ କରି କହିଲେ, “ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ମୋରବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।”
ତେଣୁ ପରମେଶ୍ୱରଙ୍କ ଲୋକ ପ୍ରାର୍ଥନା କଲେ, ରାଜାଙ୍କର ପକ୍ଷାଘାତ ବାହୁ ଭଲ ହୋଇଗଲା। 7 ତା'ପରେ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ଗୃହକୁ ଆସ। ମୋ’ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦେବା ପାଇଁ ଯାଉଅଛି।”
8 ମାତ୍ର ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲେ, “ତୁମ୍ଭେ ଆପଣା ରାଜ୍ୟର ଅର୍ଦ୍ଧେକ ଅଂଶ ଦେଲେ ମଧ୍ୟ ମୁଁ ତୁମ୍ଭ ସହିତ ଯିବି ନାହିଁ। ଆଉ ମଧ୍ୟ ମୁଁ ଏ ସ୍ଥାନରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ। 9 କାରଣ ଅନ୍ନ ଜଳ ସ୍ପର୍ଶ ନ କରିବାକୁ ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ଆଉ ମଧ୍ୟ ସଦାପ୍ରଭୁଙ୍କର ଆଦେଶ ଅଛି, ତୁମ୍ଭେ ଯେଉଁ ପଥରେ ଆସିଛ, ସେହି ପଥରେ ଫେରିବ ନାହିଁ।” 10 ତେଣୁ ସେ ବୈଥେଲ୍କୁ ଯେଉଁ ପଥରେ ଆସିଥିଲା, ସେ ପଥରେ ନ ଫେରି ଅନ୍ୟ ପଥରେ ଫେରିଲା।
ସମସ୍ତେ ଦୋଷୀ
9 ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କ’ଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସେମାନେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ। 10 ଶାସ୍ତ୍ରରେ ଏହିପରି ଲେଖା ଅଛି,
“କେହିହେଲେ ଧାର୍ମିକ ନାହିଁ,
ଜଣେ ମଧ୍ୟ ନୁହେଁ!
11 ବୁଝିବା ଲୋକ ଜଣେ ମଧ୍ୟ ନାହିଁ,
ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ନାହିଁ।
12 ସମସ୍ତେ ସତ୍ୟ ମାର୍ଗ ଭୁଲି ଯାଇଛନ୍ତି
ଓ ସମସ୍ତେ ମୂଲ୍ୟହୀନ ହୋଇ ଯାଇଛନ୍ତି।
ସେଠାରେ କେହି ନାହିଁ ଯିଏ ଭଲ କରେ।
ଏପରିକି ଜଣେ ମଧ୍ୟ ନୁହେଁ।”(A)
13 “ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଅଟେ,
ସେମାନେ ମିଛ ପାଇଁ ତାଙ୍କ ଜିହ୍ୱାକୁ ବ୍ୟବହାର କରନ୍ତି।”(B)
“ସେମାନଙ୍କର କଥା ସର୍ପର ବିଷ ଭଳି ଅଟେ।”(C)
14 “ଅଭିଶାପ ଓ କଟୁତାରେ ସେମାନଙ୍କର କଥା ପୂର୍ଣ୍ଣ ହୋଇଥାଏ।”(D)
15 “ଲୋକେ ଅନ୍ୟକୁ ଆଘାତ ଓ ହତ୍ୟା କରିବା ପାଇଁ ସର୍ବଦା ପ୍ରସ୍ତୁତ
16 ସେମାନେ ବିନାଶ କରିବା ଓ କ୍ଳେଶ ଦେବା ପାଇଁ ସର୍ବତ୍ର ଯାଆନ୍ତି।
17 ଲୋକେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ।”(E)
18 “ସେମାନଙ୍କର ଆଖିରେ ପରମେଶ୍ୱରଙ୍କ ପ୍ରତି ଭୟ ବା ସମ୍ମାନ ଭାବ ନାହିଁ।”(F)
19 ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ୱରଙ୍କ ନ୍ୟାୟବିଗ୍ଭରକୁ ଆଣେ। 20 ଏହାର କାରଣ ହେଲା, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସାବଧାନ କରାଏ।
2010 by World Bible Translation Center