Revised Common Lectionary (Complementary)
ଦାଉଦଙ୍କର ଗୀତ
15 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ?
କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?
2 କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ,
ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ।
3 ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ।
ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ।
ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ।
4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ,
କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ।
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ
ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।
5 ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ
ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ
ଆଘାତ କରି ମୁଦ୍ରା ନିଏ ନାହିଁ।
ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।
ସୁବର୍ଣ୍ଣ ବାଛୁରି
32 ଲୋକମାନେ ଅନୁଭବ କଲେ ଯେ, ମୋଶା ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡେରି କଲେ। ତେଣୁ ସେମାନେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସେମାନେ ତାଙ୍କୁ କହିଲେ, “ଦେଖ, ମୋଶା ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣି ପାରିଲୁ ନାହିଁ ତାଙ୍କର କ’ଣ ହୋଇଛି। ଆମ୍ଭମାନଙ୍କୁ ଆଗେଇ ନେବା ପାଇଁ କେତେକ ଦେବତାଗଣ ନିର୍ମାଣ କର।”
2 ହାରୋଣ ସେହି ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ୟାମାନଙ୍କର କର୍ଣ୍ଣ କୁଣ୍ଡଳ ମୋ’ ପାଖକୁ ଆଣ।”
3 ତେଣୁ ଲୋକମାନେ ସେହି କର୍ଣ୍ଣକୁଣ୍ଡଳ ଗୁଡ଼ିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ। 4 ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ସେଥିରେ ଢଳା ବାଛୁରି ନିର୍ମାଣ କଲେ।
ଏହା ପରେ ସେ କହିଲେ, “ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଥିଲେ, ସେଗୁଡ଼ିକ ଏହି।”
5 ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖରେ ଏକ ବେଦି ତିଆରି କଲେ। ଏହା ପରେ ହାରୋଣ ସେଠାରେ ଏକ ଘୋଷଣା କଲେ। ସେ କହିଲେ “ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହେବ।”
6 ତା’ ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସେମାନେ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ଏହା ପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହା ପରେ ଲୀଳା କରିବାକୁ ଉଠିଲେ।”
7 ସେହି ସମୟରେ, ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ଯାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସେମାନେ ଘୋର ପାପ କରିଛନ୍ତି। 8 ସେମାନେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦେଇଥିବା ପଥରୁ ବିମୁଖ ହେଲେ। ସେମାନେ ସୁବର୍ଣ୍ଣର ଏକ ବାଛୁରି ନିର୍ମାଣ କଲେ। ସେମାନେ ସେହି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା'ର ସମ୍ମୁଖରେ ବଳିଦାନ କରୁଛନ୍ତି। ସେମାନେ କହନ୍ତି, ‘ଇସ୍ରାଏଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦେବତା ବାହାର କରି ଆଣିଲେ, ସେଗୁଡ଼ିକ ଏହି।’”
9 ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜିଦ୍ଖୋର 10 ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”
11 କିନ୍ତୁ ମୋଶା ସଦାପ୍ରଭୁ ପରମେଶ୍ୱରଙ୍କୁ ଭିକ୍ଷା ମାଗିଲେ, “ହେ ସଦାପ୍ରଭୁ, ତୁମ୍ଭର କ୍ରୋଧରେ ତୁମ୍ଭର ଲୋକମାନଙ୍କୁ ଧ୍ୱଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲ। 12 କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ। 13 ମନେରଖ, ଅବ୍ରହାମ, ଇସ୍ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’
14 ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ୱଂସ କରିବାରୁ ମନ ପରିବର୍ତ୍ତନ କଲେ।
1 ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ,
ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।
ବିଶ୍ୱାସ ଓ ଜ୍ଞାନ
2 ମୋ’ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ ଏପରି ହେଲାବେଳେ ତୁମ୍ଭେମାନେ ଅଧିକ ଖୁସୀ ହେବା ଉଚିତ୍। 3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରୀକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ। 4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।
5 କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା'ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ। 6 କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି। 7-8 ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ।
2010 by World Bible Translation Center