Revised Common Lectionary (Complementary)
ମେମ୍
97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।
16 ମାତ୍ର ସେମାନେ, ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବ ଆଚରଣ କଲେ।
ସେମାନେ ଜିଦ୍ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସେମାନେ ପାଳନ କଲେ ନାହିଁ।
17 ସେମାନେ ନିୟମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ
ଏବଂ ସେମାନେ, ସେମାନଙ୍କ ପାଇଁ କରିଥିବା ଆଶ୍ଚର୍ଯ୍ୟ କର୍ମମାନ ମନେ ରଖିଲେ ନାହିଁ।
ସେମାନେ ଜିଦ୍ଖୋର ଥିଲେ।
ଦାସତ୍ୱ ଅବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତି କଲେ।
“ତଥାପି ତୁମ୍ଭେ ସେମାନଙ୍କୁ କ୍ଷମା କରିବାକୁ ଉଦ୍ୟତ,
କୃପାମୟ, ସ୍ନେହଶୀଳ, କ୍ରୋଧରେ ଧିର
ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ।
ଏଣୁ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।
18 ସେମାନେ ଯେତେବେଳେ ଛାଞ୍ଚ ଢଳା ଗୋବତ୍ସ ନିର୍ମାଣ କଲେ, ‘ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ, ସେ ଇଏ ଅଟେ।’
ଏହା କହି ସେମାନେ ପରମେଶ୍ୱରଙ୍କର ବହୁତ ନିନ୍ଦା କଲେ।
19 ସେତେବେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ
ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ।
ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ
ଓ ରାତ୍ରିରେ ଅଗ୍ନି ମଶାଲକୁ ସେମାନଙ୍କଠାରୁ ଛଡ଼ାଇ ନେଇ ନାହିଁ।
20 ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ।
ତୁମ୍ଭେ ସେମାନଙ୍କଠାରୁ ତୁମ୍ଭର ମାନ୍ନା ଛଡ଼ାଇ ନେଲ ନାହିଁ।
ସେମାନଙ୍କର ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ।
21 ତୁମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ।
ସେମାନଙ୍କର କିଛି ଅଭାବ ହେଲା ନାହିଁ।
ସେମାନଙ୍କର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ
ଓ ସେମାନଙ୍କର ପାଦ ଫୁଲିଲା ନାହିଁ।
22 ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ
ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ।
ତେଣୁ ସେମାନେ ସୀହୋନ ଦେଶ ହିଷ୍ବୋନ୍ ରାଜାର ଦେଶ,
ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
23 ତୁମ୍ଭେ ସେମାନଙ୍କ ବଂଶଧରଗଣଙ୍କୁ
ଆକାଶର ନକ୍ଷେତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ।
ଯେଉଁଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି
ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣଙ୍କଠାରେ ଶପଥ କରିଥିଲ,
ସେହି ଦେଶକୁ ସେମାନଙ୍କୁ ଆଣିଲ।
24 ଏହିପରି ସେହି ସନ୍ତାନଗଣ ଦେଶରେ ପଶି ଅଧିକାର କଲେ।
ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ।
ସେମାନେ ଯେପରି ନିଜ ଇଚ୍ଛାମତେ ବ୍ୟବହାର କରିବେ।
ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣଙ୍କୁ
ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।
25 ତହିଁରେ ସେମାନେ ପ୍ରାଚୀର ବେଷ୍ଟୀତ ନଗର ସକଳ
ଓ ଉର୍ବର ଭୂମି ନେଲେ।
ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ,
ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଓ
ଅପାର ଫଳବୃକ୍ଷ ଅଧିକାର କଲେ।
ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଖାଇଲେ।
ସେମାନେ ତୁମ୍ଭର ମହା ମଙ୍ଗଳ ଦାନରେ ଆନନ୍ଦ କଲେ।
26 ତଥାପି ସେମାନେ ଅନାଜ୍ଞାବହ ହେଲେ।
ସେମାନେ ତୁମ୍ଭ ବିରୁଦ୍ଧରେ ଦ୍ରୋହାଚରଣ କଲେ।
ସେମାନେ ତୁମ୍ଭର ବ୍ୟବସ୍ଥା ନିଜ ପଛକୁ ପକାଇଲେ।
ତୁମ୍ଭର ଯେଉଁ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣିବା ପାଇଁ ଯୁକ୍ତି କଲେ,
ସେମାନଙ୍କୁ ହତ୍ୟା କଲେ
ସେମାନେ ସେହି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀୟ କାର୍ଯ୍ୟ କଲେ।
27 ଏଣୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରିବାରୁ
ସେମାନେ ସେମାନଙ୍କୁ କ୍ଳେଶ ଦେଲେ।
ମାତ୍ର କ୍ଳେଶ ସମୟରେ, ସେମାନେ ତୁମ୍ଭଠାରେ ସାହାଯ୍ୟ ପାଇଁ ଚିତ୍କାର କଲେ
ଏବଂ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ।
ଆପଣାର ବହୁବିଧ ଦୟାନୁସାରେ
ସେମାନଙ୍କୁ ଉଦ୍ଧାର କର୍ତ୍ତୃଗଣ ଦେଲ।
ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
28 ମାତ୍ର ସେମାନେ ବିଶ୍ରାମ କଲାପରେ,
ପୁନର୍ବାର ତୁମ୍ଭ ବିରୁଦ୍ଧରେ କୁକର୍ମମାନ କଲେ।
ଏଣୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣଙ୍କ ହସ୍ତରେ ସମର୍ପଣ କଲ।
ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ,
ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ।
ଆଉ ଅନେକ ଥର ତୁମ୍ଭେ ଆପଣା ଦୟା ଅନୁସାରେ
ସେମାନଙ୍କୁ ଉଦ୍ଧାର କଲ।
29 ପୁନର୍ବାର ତୁମ୍ଭେ ସେମାନଙ୍କୁ ସତର୍କ କଲ।
ତୁମ୍ଭେ ସେମାନଙ୍କୁ, ତୁମ୍ଭ ବ୍ୟବସ୍ଥା ନିକଟକୁ ଫେରିବା ପାଇଁ କହିଲ।
କିନ୍ତୁ ସେମାନେ ବହୁତ ଗର୍ବୀ ଥିଲେ।
ସେମାନେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ।
ଯଦି ଲୋକମାନେ ତୁମ୍ଭର ବ୍ୟବସ୍ଥା ମାନନ୍ତି, ତେବେ ସେମାନେ ବାସ୍ତବରେ ବଞ୍ଚି ପାରିବେ।
କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ୟବସ୍ଥା ଭଙ୍ଗ କଲେ।
ସେମାନେ ବହୁତ ଜିଦ୍ଖୋର ଥିଲେ
ଏବଂ ତୁମ୍ଭକୁ ପ୍ରତ୍ୟାଖାନ କଲେ।
ସେମାନେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।
30 “ତଥାପି ବହୁବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ
ଓ ଆପଣା ଆତ୍ମାଦ୍ୱାରା ଆପଣା ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ
ତୁମ୍ଭେ ସତର୍କ କଲ।
ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ।
ଏଣୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀ ହସ୍ତରେ
ସମର୍ପଣ କଲ।
31 “କାରଣ ତୁମ୍ଭେ ଦୟାବାନ,
ତୁମ୍ଭେ ସେମାନଙ୍କୁ ପୁରାପୁରି ଧ୍ୱଂସ କଲ ନାହିଁ।
ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ
କାରଣ ତୁମ୍ଭେ କୃପାମୟ ଦୟାଳୁ ପରମେଶ୍ୱର ଅଟ।
ଶେଷ ଶୁଭେଚ୍ଛା
21 ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମରେ ଜଣେ ବିଶ୍ୱସ୍ତ ସେବକ। ମୋ’ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା'ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ’ଣ କରୁଛି। 22 ସେଥିପାଇଁ ମୁଁ ତାଙ୍କୁ ତୁମ୍ଭ ପାଖକୁ ପଠାଉଛି। ଆମ୍ଭେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣିବା କଥା। ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ପଠାଉଛି।
23 ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପିତା ପରମେଶ୍ୱରଙ୍କ ଦ୍ୱାରା ଭାଇ ଓ ଭଉଣୀମାନଙ୍କୁ ଶାନ୍ତି, ପ୍ରେମ ଓ ବିଶ୍ୱାସ ପ୍ରାପ୍ତ ହେଉ। 24 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଶେଷ ପ୍ରେମ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ହେଉ।
2010 by World Bible Translation Center