Revised Common Lectionary (Complementary)
ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ
36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
2 ସେହି ଲୋକ ଆପଣାକୁ ମିଥ୍ୟା କହେ।
ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
3 ତା'ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
4 ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।
5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
7 ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
8 ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।
12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”
ଯୋଷେଫ ତାଙ୍କୁ ତାଙ୍କର ପରିଚୟ ଦେଲେ
45 ଯୋଷେଫ ନିଜକୁ ବେଶି ଦିନ ନିୟନ୍ତ୍ରଣରେ ରଖି ପାରି ନ ଥିଲେ। ଯୋଷେଫ ସମସ୍ତ ଲୋକଙ୍କୁ ସମ୍ମୁଖକୁ ଡାକି କହିଲେ, “ସମସ୍ତେ ଏଠାରୁ ଗ୍ଭଲିଯାଅ।” ତେଣୁ କେହି ନ ଥିଲାବେଳେ ଯୋଷେଫ ନିଜକୁ ଭାଇମାନଙ୍କ ସମ୍ମୁଖରେ ପରିଚିତ କରାଇଲେ। 2 ଯୋଷେଫ କ୍ରନ୍ଦନ କରିବା ସମସ୍ତ ମିଶରୀୟମାନେ ଶୁଣିଲେ, ଯେଉଁମାନେ ଫାରୋଙ୍କ ଗୃହରେ ଥିଲେ। 3 ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ ଅଟେ। ମୋର ପିତା କୁଶଳରେ ତ?” କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସେମାନେ ଭୟ କରୁଥିଲେ।
4 ତେଣୁ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୋ’ ନିକଟକୁ ଆସ, ମୁଁ ନିବେଦନ କରୁଛି ମୋ’ ନିକଟକୁ ଆସ।” ତେଣୁ ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ। ତେଣୁ ଯୋଷେଫ ସେମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ, ମୁଁ ହେଉଛି ସେହି ଭାଇ ଯାହାକୁ ତୁମ୍ଭେମାନେ ବିକ୍ରି କଲ କ୍ରୀତଦାସ ପରି କ୍ରେତାମାନଙ୍କୁ, ଯେଉଁମାନେ ସେମାନଙ୍କର ମିଶରୀୟ ରାସ୍ତାରେ ଥିଲେ। 5 ବର୍ତ୍ତମାନ ତୁମ୍ଭେ ବ୍ୟସ୍ତ ହୁଅ ନାହିଁ। ମୋତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ୱର ମୋତେ ଏଠାକୁ ପଠାଇଲେ। 6 ଦୁର୍ଭିକ୍ଷ ବର୍ତ୍ତମାନ ଦୁଇ ବର୍ଷ ଧରି ଗ୍ଭଲିଛି। ଆହୁରି ଏହିପରି ପାଞ୍ଚ ବର୍ଷ ହେବ। ଶସ୍ୟ କଅଁଳିବ ନାହିଁ। 7 ତେଣୁ ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗେଇ ନେବା ପାଇଁ। ତେଣୁ ମୁଁ ଏଠାରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରି ପାରିବି। 8 ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ୱରଙ୍କ ଯୋଜନା। ପରମେଶ୍ୱର ମୋତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।”
ଇସ୍ରାଏଲ ମିଶରକୁ ନିମନ୍ତ୍ରିତ ହେଲେ
9 ଯୋଷେଫ କହିଲେ, “ଶୀଘ୍ର ମୋର ପିତାଙ୍କ ନିକଟକୁ ଯାଅ। ତାଙ୍କୁ କୁହ ତୁମ୍ଭର ପୁତ୍ର ଯୋଷେଫ ଏହି ବାର୍ତ୍ତା ଦେଇଛନ୍ତି। ‘ପରମେଶ୍ୱର ମୋତେ ମିଶରର ରାଜ୍ୟପାଳ କରିଛନ୍ତି। ତେଣୁ ମୋ’ ପାଖକୁ ଆସ ଅପେକ୍ଷା କର ନାହିଁ। ଶୀଘ୍ର ଆସ। 10 ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବଶ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋର ନିକଟବର୍ତ୍ତୀ ହେବ। 11 ମୁଁ ତୁମ୍ଭମାନଙ୍କର ଆଗାମୀ ପାଞ୍ଚ ବର୍ଷ ପାଇଁ ଯତ୍ନ ନେବି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।’
12 ଯୋଷେଫ ତାଙ୍କର ଭାଇମାନଙ୍କୁ ଏ କଥା କହିଲେ, “ମୁଁ ଯୋଷେଫ ବୋଲି, ତୁମ୍ଭେ ନିଶ୍ଚିତରେ ଜାଣିଥିବ। ଏପରିକି ମୋର ଭାଇ ବିନ୍ୟାମୀନ ଜାଣୁ ଯେ ମୁଁ ଯୋଷେଫ, ତୁମ୍ଭର ଭାଇ କହୁଅଛି। 13 ତେଣୁ ତୁମ୍ଭେମାନେ ମୋର ଏଠାରେ ଐଶ୍ୱର୍ଯ୍ୟାଦି ଯାହା ଦେଖୁଛ, ତାହା ମୋ’ ପିତାଙ୍କୁ ଜଣାଅ। ମୋର ଏଠାରେ ଯାହା ଦେଖୁଛ ତାହା ସବୁ ମୋର ପିତାଙ୍କୁ ଯାଇ କୁହ। ବର୍ତ୍ତମାନ ତୁମ୍ଭେ ଶୀଘ୍ର ଯାଇ ମୋର ପିତାଙ୍କୁ ଏଠାକୁ ଆଣ।” 14 ଏହା ପରେ ଯୋଷେଫ ବିନ୍ୟାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ। 15 ପୁଣି ଯୋଷେଫ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।
9 “ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ। 10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ। 11 ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।
12 “ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। 13 ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ। 14 ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ। 15 ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ। 16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।
2010 by World Bible Translation Center