Revised Common Lectionary (Complementary)
ଜ୍ଞାନୀ ଏବଂ ଦୁଷ୍ଟ
9 ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି। 2 ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମେଜରେ ଖାଦ୍ୟ ସଜାଇ ଅଛି। 3 ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, 4 “ଯେଉଁ ଲୋକର ଅଭିଜ୍ଞତା ନାହିଁ ମୋ’ ପାଖକୁ ଆସୁ।” ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କହେ। 5 “ଆସ ମୋର ଖାଦ୍ୟକୁ ଭକ୍ଷ୍ୟଣ କର ଏବଂ ମୋରଦ୍ରାକ୍ଷାରସ ପାନ କର। 6 ଅବୋଧ ଲୋକମାନଙ୍କର ସାଙ୍ଗ ପରିତ୍ୟାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବେଚନାର ପଥରେ ଗ୍ଭଲ।”
9 ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
ଶାନ୍ତି ପାଇଁ କାର୍ଯ୍ୟ କର।
ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।
51 ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତେବେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମୋର ଶରୀର। ମୁଁ ମୋର ଶରୀର ଦେଇଦେବି, ତଦ୍ଦ୍ୱାରା ଜଗତର ଲୋକମାନେ ଜୀବନ ପାଇ ପାରିବେ।”
52 ତା'ପରେ ଯିହୂଦୀମାନେ ପରସ୍ପର ଭିତରେ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ କହିଲେ, “ଏ ଲୋକ କିପରି ଆମ୍ଭମାନଙ୍କୁ ତା'ର ଶରୀର ଖାଇବା ପାଇଁ ଦେଇ ପାରିବ?”
53 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଶ୍ଚୟ ମନୁଷ୍ୟପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନ କରିବ, ତେବେ ତୁମ୍ଭ ଭିତରେ ପ୍ରକୃତ ଜୀବନ ନାହିଁ। 54 ଯେଉଁ ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋ’ ରକ୍ତ ପିଏ, ସେ ଅନନ୍ତ ଜୀବନ ପାଏ। ମୁଁ ସେହି ଲୋକକୁ ଶେଷ ଦିନରେ ମୃତ୍ୟୁରୁ ଉଠେଇବି। 55 ମୋର ମାଂସ ପ୍ରକୃତ ଆହାର। ମୋର ରକ୍ତ ପ୍ରକୃତ ପାନୀୟ। 56 ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ।
57 “ପରମପିତା ମୋତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହେତୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମୋତେ ଭୋଜନ କରେ, ସେ ମୋ’ ହେତୁ ଜୀବିତ ରହିବ। 58 ମୁଁ ସେହି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସେମାନେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସେମାନେ ମୃତ୍ୟୁବରଣ କଲେ। ମୁଁ ସ୍ୱର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।”
2010 by World Bible Translation Center