Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 34:9-14

ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
    ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
    କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
    କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
    ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
    ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
    ଶାନ୍ତି ପାଇଁ କାର୍ଯ୍ୟ କର।
    ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।

ଆୟୁବ ପୁସ୍ତକ 11

ସୋଫର ଆୟୁବକୁ ଉତ୍ତର ଦେଲା

11 ଏହା ପରେ ନାମାଥୀୟ ସୋଫର ଆୟୁବକୁ ଉତ୍ତର ଦେଇ କହିଲା।

“ଏତେ ଶବ୍ଦର ବନ୍ୟାର କିଛି ଉତ୍ତର ଦିଆଯିବ ନାହିଁ କି?
    ଏହା କ’ଣ ଆୟୁବର ନିର୍ଦ୍ଦୋଷତା ପ୍ରମାଣ କରୁଛି? ନାଁ।
ତୁମ୍ଭେ କ’ଣ ଭାବୁଛ ଆୟୁବ ଆମ୍ଭ ପାଖରେ
    ତୁମ୍ଭକୁ ଉତ୍ତର ଦେବାକୁ କିଛି ନାହିଁ?
ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କଲ,
    ଲୋକେ କ’ଣ ତୁମ୍ଭକୁ ଚେତାବନୀ ନ ଶୁଣାଇ ନୀରବରେ ତାହା ସହ୍ୟ କରିବେ?
ଆୟୁବ, ତୁମ୍ଭେ ପରମେଶ୍ୱରଙ୍କୁ କହୁଛ,
    ‘ମୋର ଯୁକ୍ତିତର୍କ ସବୁ ଠିକ୍
    ଏବଂ ମୁଁ ତୁମ୍ଭ ଦୃଷ୍ଟିରେ ପବିତ୍ର।’
ଆୟୁବ, ଆହା ସତରେ ଯଦି ପରମେଶ୍ୱର ତୁମ୍ଭକୁ କଥା କହନ୍ତେ
    ଏବଂ କହନ୍ତେ ତୁମ୍ଭେ ଭୁଲ।
ପରମେଶ୍ୱର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ୟ ବିଷୟରେ କହନ୍ତେ
    ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି।
ଆୟୁବ, ତୁମ୍ଭେ ଶୁଣ,
    ପରମେଶ୍ୱର ତୁମ୍ଭକୁ ଦଣ୍ଡ ଦେଉ ନାହାନ୍ତି, ଯେତିକି ସେ ତୁମ୍ଭକୁ ଦେବା କଥା।

ଆୟୁବ, “ତୁମ୍ଭେ କ’ଣ ସତରେ ପରମେଶ୍ୱରଙ୍କୁ ବୁଝିଅଛ?
    ତୁମ୍ଭେ କ’ଣ ସତରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ?
ସେଗୁଡ଼ିକ ସ୍ୱର୍ଗ ଅପେକ୍ଷା ଉଚ୍ଚରେ।
    ସେଗୁଡ଼ିକ ବିଷୟରେ ତୁମ୍ଭେ କ’ଣ କରି ପାରିବ?
ସେଗୁଡ଼ିକ କବର ଅପେକ୍ଷା ଗଭୀର।
    ତୁମ୍ଭେ ସେହି ବିଷୟରେ କ’ଣ ଜାଣ?
ପରମେଶ୍ୱର ପୃଥିବୀଠାରୁ ଉଚ୍ଚ ଗରୀୟାନ
    ସମୁଦ୍ରଠାରୁ ଆହୁରି ଗଭୀର।

10 “ଯଦି ପରମେଶ୍ୱର ତୁମ୍ଭକୁ ବନ୍ଦୀକରି ବିଗ୍ଭର ସଭାରେ ଉପସ୍ଥାପିତ କରାନ୍ତି,
    କିଏ ତାକୁ ବାରଣ କରିବ?
11 ସତରେ ପରମେଶ୍ୱର ଜାଣନ୍ତି କିଏ ଅଯୋଗ୍ୟ।
    ପରମେଶ୍ୱର ଯେତେବେଳେ ମନ୍ଦ ବିଷୟ ଦେଖନ୍ତି, ସେ ତାହା ମନେ ପକାନ୍ତି।
12 ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦେଇପାରେ ନାହିଁ।
    ଜଣେ ବୋକା କେବେ ଜ୍ଞାନୀ ହୋଇ ପାରିବ ନାହିଁ।
13 କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ୱରଙ୍କ ସେବା ପାଇଁ ପ୍ରସ୍ତୁତ ହେବା ଉଚିତ୍।
    ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇ ହାତ ପ୍ରସାରିତ କର।
14 ଯଦି ତୁମ୍ଭ ହାତରେ ପାପ ବା ଅଧର୍ମ ଥାଏ, ତା'ହେଲେ ତାକୁ ଦୂର କର
    ଓ ଅନ୍ୟାୟକୁ ତୁମ୍ଭ ଗୃହରେ ବାସ କରିବାକୁ ଦିଅ ନାହିଁ।
15 ତା'ପରେ ତୁମ୍ଭେ ଲଜ୍ଜାରହିତ ହୋଇ ପରମେଶ୍ୱରଙ୍କୁ ଦେଖି ପାରିବ
    ଏବଂ ତୁମ୍ଭେ ବିନା ଭୟରେ ପରମେଶ୍ୱରଙ୍କ ଆଗରେ ଶକ୍ତିଶାଳୀ ହୋଇ ଛିଡ଼ା ହୋଇ ପାରିବ।
16 ତା'ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିଯିବ।
    ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହୋଇଯିବ।
17 ତା'ପରେ ତୁମ୍ଭର ଜୀବନ ମଧ୍ୟାହ୍ନର ସୂର୍ଯ୍ୟ କିରଣଠାରୁ ଆହୁରି ନିର୍ମଳ ହେବ।
    ଜୀବନର ଅନ୍ଧକାରମୟ ସମୟଗୁଡ଼ିକ ପ୍ରଭାତର ସୂର୍ଯ୍ୟ ତୁଲ୍ୟ ଚ‌କ୍‌ଚକ୍ ହେବ।
18 ପରମେଶ୍ୱର ତୁମ୍ଭର ଯତ୍ନ ନେବେ ଏବଂ ତୁମ୍ଭକୁ ଶାନ୍ତି ଦେବେ।
    ତା'ପରେ ତୁମ୍ଭେ ତୁମ୍ଭର ଚତୁର୍ପାର୍ଶ୍ୱକୁ ଅନାଇବ ଏବଂ ନିରାପଦରେ ବିଶ୍ରାମ ନେବ।
19 ତୁମ୍ଭେ ଶାନ୍ତିରେ ଶୋଇ ପାରିବ! କେହି ତୁମ୍ଭକୁ ବିବ୍ରତ କରି ପାରିବେ ନାହିଁ।
    ତୁମ୍ଭର ସାହାଯ୍ୟ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ।
20 ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସେମାନଙ୍କୁ ବିଫଳତା ଦେବ।
    ଦୁଷ୍ଟ ଲୋକ ସାହାଯ୍ୟ ପାଇଁ ହାତ ବଢ଼ାଇ ପାରନ୍ତି,
    କିନ୍ତୁ ସେମାନେ ତାଙ୍କ ଅସୁବିଧାରୁ ରକ୍ଷା ପାଇ ପାରିବେ ନାହିଁ।
    ସେମାନଙ୍କର ଆଶା କେବଳ ମୃତ୍ୟୁ ଆଡ଼କୁ ନେଇଯାଏ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 6:8-15

ସ୍ତିଫାନଙ୍କ ବିରୁଦ୍ଧରେ ଯିହୂଦୀମାନେ

ସ୍ତିଫାନ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ଥିଲେ। ସେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକର୍ମ କରୁଥିଲେ ଓ ଈଶ୍ୱରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ। କେତେକ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କଲେ। ସେମାନେ କୂରୀଣୀୟ, ଲିବର୍ତ୍ତାନ, କିଲିକିଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସେମାନେ ଯିହୂଦୀମାନଙ୍କର ଆଲେ‌କ୍‌ଜାଣ୍ଡ୍ରୀୟ ସମାଜଗୃହର ସଭ୍ୟ ଥିଲେ। 10 କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ।

11 ତା'ପରେ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ଏହା କୁହାଇଲେ, “ଆମ୍ଭେ ତାହାଙ୍କୁ ପରମେଶ୍ୱର ଓ ମୋଶାଙ୍କର ବିରୁଦ୍ଧରେ ଖରାପ କଥା କହୁଥିବାର ଶୁଣିଲୁ।” 12 ଏହା କରିବା ଦ୍ୱାରା ସେମାନେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରିନେଇ ମହାସଭାକୁ ନେଇ ଆସିଲେ।

13 ସେମାନେ କେତେ ଜଣ ମିଥ୍ୟା ସାକ୍ଷୀଙ୍କୁ ଆଣିଲେ। ସେମାନେ କହିଲେ, “ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ କୁହେ। 14 ଆମ୍ଭେମାନେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରିଦେବେ ଓ ମୋଶା ଆମ୍ଭକୁ ଦେଇଥିବା ବ୍ୟବସ୍ଥା ପରିବର୍ତ୍ତନ କରିଦେବେ।” 15 ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ। ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦେଖାଗଲା ଓ ସେମାନେ ତାହା ଦେଖିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center