Revised Common Lectionary (Complementary)
23 କିନ୍ତୁ ଏହା ପରେ ପରମେଶ୍ୱର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ
ଓ ଆକାଶର ଦ୍ୱାର ଖୋଲିଲେ।
24 ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷା କରାଇଲେ
ଏବଂ ସେ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
25 ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ।
ପରମେଶ୍ୱର ସେମାନେ ଖାଇ ତୃପ୍ତି ହେବା ପର୍ଯ୍ୟନ୍ତ ସେହିସବୁ ପ୍ରକାର ଖାଦ୍ୟ ଯୋଗାଇଲେ।
26 ପରମେଶ୍ୱର ଆକାଶରେ ପୂର୍ବୀୟବାୟୁ ବୁହାଇଲେ
ଓ ସେ ତାଙ୍କର ଶକ୍ତି ଦ୍ୱାରା ଦକ୍ଷିଣବାୟୁ ଆଣିଲେ।
27 ପରମେଶ୍ୱର ତାଙ୍କର ଲୋକମାନଙ୍କ ଉପରେ ସେମାନଙ୍କର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ।
ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ୟ ବହୁତ ଥିଲେ।
28 ଏହି ପକ୍ଷୀମାନେ ସେମାନଙ୍କ ତମ୍ବୁର ଚତୁର୍ଦ୍ଦିଗରେ
ଛାଉଣି ଭିତରେ ପଡ଼ିଲେ।
29 ସେମାନେ ତୃପ୍ତି ହେବା ପର୍ଯ୍ୟନ୍ତ ଖାଇଲେ।
ସେମାନେ ଯାହା ଗ୍ଭହିଁଲେ, ପରମେଶ୍ୱର ସେମାନଙ୍କୁ ଦେଲେ।
33 ମିଶରର ଲୋକମାନେ ସେମାନଙ୍କୁ ଶୀଘ୍ର ଶୀଘ୍ର ବିଦାୟ କଲେ। କାରଣ, ସେମାନେ କହିଲେ, “ଯଦି ତୁମ୍ଭେମାନେ ନ ଯାଅ, ଆମ୍ଭେ ସମସ୍ତେ ମରିଯିବୁ।”
34 ଇସ୍ରାଏଲର ଲୋକମାନେ ତାଙ୍କ ଅଟାରେ ତାଡ଼ି ମିଶାଇବାକୁ ସମୟ ପାଇ ନ ଥିଲେ। ସେମାନେ ଅଟା ନେଇ ପଳାଇଲେ। ସେମାନେ ସେମାନଙ୍କର ପାତ୍ରଗୁଡ଼ିକ ଲୁଗାରେ ଗୁଡ଼ାଇଲେ ଏବଂ ସେମାନଙ୍କର କାନ୍ଧରେ ବହିଲେ। 35 ଏହା ପରେ ଇସ୍ରାଏଲୀୟ ଲୋକମାନେ ମୋଶାଙ୍କର ଆଜ୍ଞାନୁସାରେ ଗଲେ। ସେମାନେ ତାଙ୍କର ମିଶରୀୟ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ରୂପା ଅଳଙ୍କାର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ। 36 ସଦାପ୍ରଭୁ ମିଶରବାସୀମାନଙ୍କ ହୃଦୟରେ ଇସ୍ରାଏଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇସ୍ରାଏଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକାରେ ଇସ୍ରାଏଲୀୟମାନେ ମିଶରୀୟମାନଙ୍କୁ ଲୁଣ୍ଠନ କଲେ।
37 ଇସ୍ରାଏଲୀୟ ଲୋକମାନେ ରାମିଷେଷ୍ଠାରୁ ସୁକ୍କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ। 38 ସେମାନେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମେଷ, ଛେଳି ଓ ଗୋରୁଗାଈ ସହିତ ଅନେକ ପଶୁ ସେମାନଙ୍କ ସହିତ ଥିଲେ। 39 ଲୋକମାନେ ସେମାନଙ୍କର ଚକଟା ମଇଦାରେ ତାଡ଼ି ମିଶାଇ ପାରି ନ ଥିଲେ। ଏବଂ ସେମାନଙ୍କର ଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନ ଥିଲେ। ତେଣୁ ସେମାନେ ତାଡ଼ିଶୂନ୍ୟ ରୋଟୀମାନ ପ୍ରସ୍ତୁତ କଲେ।
40 ଇସ୍ରାଏଲୀୟ ଲୋକମାନେ ମିଶରରେ 430 ବର୍ଷ ଧରି ବାସ କରୁଥିଲେ। 41 430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ। 42 ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ।
ପ୍ରଭୁଭୋଜ
17 ବର୍ତ୍ତମାନ ମୁଁ ଯେଉଁ ବିଷୟରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବେତ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତ୍ତେ କ୍ଷତିକାରକ ହେଉଛି। 18 ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭେମାନେ ମଣ୍ଡଳୀ ସଭାରେ ସମବେତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟେ। 19 କେତେକାଂଶରେ ମୁଁ ଏହାକୁ ବିଶ୍ୱାସ କରେ। ତୁମ୍ଭମାନଙ୍କ ମଧ୍ୟରେ ମତଭେଦ ହେବା ଆବଶ୍ୟକ କାରଣ ଏହା ଦ୍ୱାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାଯିବ।
20 ଅତଏବ, ତୁମ୍ଭେମାନେ ଯେତେବେଳେ ମଣ୍ଡଳୀରେ ସମବେତ ହୁଅ, ତୁମ୍ଭେମାନେ ପ୍ରକୃତରେ ପ୍ରଭୁଭୋଜ[a] ପାଳନ କରି ନ ଥାଅ। 21 କାରଣ ତୁମ୍ଭେମାନେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କେହି କେହି ଯଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷରେ ଅନ୍ୟମାନେ ଅତ୍ୟଧିକ ଖାଇପିଇ ମାତାଲ ହୋଇଯା’ନ୍ତି। 22 ତୁମ୍ଭେମାନେ ନିଜ ନିଜର ଘରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ମଣ୍ଡଳୀର ଯେପରି ଗୁରୁତ୍ୱ ନାହିଁ, ଏହି କାର୍ଯ୍ୟରୁ ଜଣାପଡ଼େ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ’ଣ ବା କହିବି? ଏହି କାମ ପାଇଁ କ’ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି? ନା। ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ।
2010 by World Bible Translation Center