Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 111

111 ସଦାପ୍ରଭୁଙ୍କର ପ୍ରଶଂସା କର।

ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
    ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
    ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
    ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
    ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
    ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
    ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
    ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
    ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
    ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
    ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
    ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
    ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।

ଯାତ୍ରାପୁସ୍ତକ 24:1-11

ପରମେଶ୍ୱର ଓ ଇସ୍ରାଏଲ ମଧ୍ୟରେ ଚୁକ୍ତି

24 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭେମାନେ ଦୂରରୁ ମୋତେ ଉପାସନା କରିବ। କେବଳ ମୋଶା ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ୟ ମୋଶାଙ୍କ ସହିତ ପର୍ବତ ଉପରକୁ ଯିବେ ନାହିଁ।”

ମୋଶା ସଦାପ୍ରଭୁଙ୍କ ନିୟମ ଏବଂ ଆଜ୍ଞା ସେମାନଙ୍କୁ ଜଣାଇଲେ। ଏହା ପରେ ସମସ୍ତ ଲୋକ ଏକ ସ୍ୱରରେ କହିଲେ, “ସଦାପ୍ରଭୁଙ୍କର ସମସ୍ତ ନିୟମଗୁଡ଼ିକ ଆମ୍ଭେମାନେ ପାଳନ କରିବୁ।”

ତେଣୁ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପ୍ରଭାତରେ ଉଠି ପର୍ବତ ତଳେ ଏକ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶ ନିମନ୍ତେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ। ଏହା ପରେ ମୋଶା ଇସ୍ରାଏଲର ଯୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁ ପଠାଇଲେ। ସେହି ଯୁବକଗଣ ପରମେଶ୍ୱରଙ୍କ ନିକଟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ସ୍ୱରୂପେ ବୃଷମାନଙ୍କୁ ବଳିଦାନ ଦେଲେ।

ମୋଶା ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ରରେ ରଖିଲେ ଏବଂ ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ଢାଳିଲେ।

ମୋଶା ବିଶେଷ ନିୟମ ଲେଖାଯାଇଥିବା ନଳାକାର ପୁସ୍ତକ ନେଇ ଲୋକମାନଙ୍କ ଆଗରେ ପାଠ କଲେ। ସେମାନେ କହିଲେ, “ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭେମାନେ ତାହା କରିବୁ ଏବଂ ଆମ୍ଭେମାନେ ମାନିବୁ।”

ଏହା ପରେ ମୋଶା ସେହି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, “ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହୋଇଥିବା ନିୟମର ରକ୍ତ।”

ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ। 10 ଏବଂ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜ୍ୱଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ନୀଳ ଆକାଶ ପରି ଥିଲା। 11 ପରମେଶ୍ୱର ଇସ୍ରାଏଲର ନେତାଗଣଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ। ସେମାନେ ସମସ୍ତେ ପରମେଶ୍ୱରଙ୍କୁ ଦର୍ଶନ କଲେ। ଏବଂ ସେମାନେ ଭୋଜନ ଓ ପାନ କଲେ।

ରୋମୀୟଙ୍କ ପ୍ରତି ପତ୍ର 15:22-33

ପାଉଲଙ୍କର ରୋମ ଯିବା ଯୋଜନା

22 ସେଥିପାଇଁ ଅନେକ ଥର ମୋତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆଯାଇଛି।

23 ଏବେ ଏହି ଅଞ୍ଚଳରେ ମୁଁ ମୋର କାର୍ଯ୍ୟ ସମାପ୍ତ କରି ସାରିଛି। ବିଗତ ଅନେକ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି। 24 ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି। ଆଶାକରେ ଯେ ସ୍ପେନକୁ ଯିବାବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି। ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରି ପାରିବ।

25 ପରମେଶ୍ୱରଙ୍କ ଲୋକଙ୍କ ସେବାରେ ଏବେ ମୁଁ ଯିରୁଶାଲମ ଯାଉଛି। 26 ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ। 27 ସେମାନେ ଖୁସୀରେ ଏହା କରିଛନ୍ତି। ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍। 28 ଅତଏବ, ମୁଁ ଏହି ସେବାମୂଳକ କର୍ମ ଏକାଠି ଶେଷ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ଯିରୁଶାଲମର ଗରିବମାନଙ୍କୁ ଦେଲା ପରେ ତୁମ୍ଭମାନଙ୍କ ନଗର ବାଟ ଦେଇ ସ୍ପେନ ଯିବି।

ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ଓ ସେଠାରେ ରହିବି। 29 ମୁଁ ଜାଣେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତେବେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ନେଇ ଆସିବି।

30 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ’ ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର। ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର। 31 ପ୍ରାର୍ଥନା କର ଯେ, ମୁଁ ଯିହୂଦାଠାରେ ଅବିଶ୍ୱାସୀଲୋକମାନଙ୍କ କବଳରୁ ରକ୍ଷା ପାଇବି। ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବେ। 32 ତା'ପରେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ତା'ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନେବି। 33 ଶାନ୍ତିଦାତା ପରମେଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center