Revised Common Lectionary (Complementary)
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ।[a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
ଇଲୀଶାୟ ଓ ବିଷାକ୍ତ ପାକ
38 ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଫେରିଗଲେ। ସେହି ସମୟରେ ସେଠାରେ ସେହି ଭୂମିରେ ଦୁର୍ଭିକ୍ଷ ପଡ଼ିଥିଲା। ଯେତେବେଳେ ଭବିଷ୍ୟଦ୍ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, “ହଣ୍ତା ଚୁଲିରେ ବସାଅ ଓ ଭବିଷ୍ୟଦ୍ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ୟଞ୍ଜନ ପାକ କର।”
39 ତହୁଁ ଜଣେ ଲୋକ ଶାକ ସଂଗ୍ରହ କରିବାକୁ କ୍ଷେତକୁ ଗଲା। ମାତ୍ର ସେ ଏକ ବନ୍ୟଲତା ପାଇ ତାହାର ଫଳରେ ଅଣ୍ଟି ପୂର୍ଣ୍ଣ କଲା। ସେହି ଫଳକୁ ଆଣି କାଟି ପାତ୍ରରେ ଭରିଲା। କିନ୍ତୁ ସେମାନେ କି ଫଳ ବୋଲି ଜାଣି ପାରିଲେ ନାହିଁ।
40 ତହୁଁ ସେମାନେ ପାକ ପରେ ଲୋକମାନଙ୍କ ଭୋଜନ ନିମନ୍ତେ ତାହା ଢାଳିଲେ। ଯେତେବେଳେ ସେମାନେ ଭୋଜନ କରିବାକୁ ଆରମ୍ଭ କଲେ, ସେମାନେ ଇଲୀଶାୟଙ୍କୁ ଚିତ୍କାର କରି ଡାକିଲେ, “ହେ ପରମେଶ୍ୱରଙ୍କ ଲୋକ, ହଣ୍ଡାରେ ବିଷ ଅଛି।” ତେଣୁ ସେମାନେ ସେ ଖାଦ୍ୟ ଖାଇ ପାରିଲେ ନାହିଁ।
41 ମାତ୍ର ଇଲୀଶାୟ କହିଲେ, “କିଛି ମଇଦା ଆଣ।” ସେମାନେ କିଛି ମଇଦା ଆଣିଲେ ଓ ଇଲୀଶାୟ ସେହି ପାତ୍ରରେ ପକାଇଲେ। ତା'ପରେ ସେ କହିଲେ, “ଲୋକମାନଙ୍କୁ ପରସ, ବର୍ତ୍ତମାନ ସେମାନେ ଖାଇ ପାରନ୍ତି।”
ବାସ୍ତବରେ ହଣ୍ଡାରେ ଏହି ସମୟରେ କିଛି ମନ୍ଦ ରହିଲା ନାହିଁ।
31 ସ୍ତ୍ରୀଲୋକଟି ନଗରରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କଲେ, “ଗୁରୁ କିଛି ଭୋଜନ କରନ୍ତୁ।”
32 କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ ପାଖରେ ଏପରି ଖାଦ୍ୟ ଅଛି, ଯାହା ବିଷୟରେ ତୁମ୍ଭେମାନେ ଜାଣ ନାହିଁ।”
33 ତେଣୁ ଶିଷ୍ୟମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ, “ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?”
34 ଯୀଶୁ କହିଲେ, “ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର। 35 ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର ସେତେବେଳେ ତୁମ୍ଭେ ସର୍ବଦା କୁହ, ‘ଶସ୍ୟ କଟା ହେବା ପାଇଁ ଆହୁରି ଗ୍ଭରି ମାସ ବାକି ଅଛି।’ କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି। 36 ବର୍ତ୍ତମାନ ମଧ୍ୟ ଯେଉଁ ଲୋକ ଶସ୍ୟ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ କଟାଳୀ ଉଭୟ ମିଳି ଆନନ୍ଦିତ କରିବେ। 37 କଥାରେ ଅଛି, ‘ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ’, ଏହି ଉକ୍ତିଟି ସତ୍ୟ। 38 ତୁମ୍ଭେ ଯାହା ବୁଣି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭେମାନେ ସେମାନଙ୍କ କାମରୁ ଲାଭ ପାଇଲ।”
2010 by World Bible Translation Center