Revised Common Lectionary (Complementary)
ଧନ୍ୟବାଦାର୍ଥକ ଗୀତ।
100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5 ସଦାପ୍ରଭୁ ଉତ୍ତମ ଅଟନ୍ତି।
ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
ଇସ୍ରାଏଲୀୟମାନେ ଦାଉଦଙ୍କୁ ରାଜା କଲେ
5 ତା'ପରେ ଇସ୍ରାଏଲର ସମସ୍ତ ପରିବାରବର୍ଗ ହିବ୍ରୋଣଠାରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ପରିବାର। 2 ଏପରିକି ଯେତେବେଳେ ଶାଉଲ ରାଜା ଥିଲେ ସେତେବେଳେ ଆପଣ ଆମ୍ଭମାନଙ୍କୁ ଯୁଦ୍ଧରେ ଆଗେଇ ନେଇଥିଲେ। ଆଉ ଆପଣ ହେଉଛନ୍ତି ସେହି ଲୋକ ଯେ କି ଯୁଦ୍ଧରୁ ଇସ୍ରାଏଲକୁ ନିରାପଦରେ ଫେରାଇ ଆଣିଥିଲେ ଏବଂ ସଦାପ୍ରଭୁ ଆପଣଙ୍କୁ କହିଛନ୍ତି, ‘ତୁମ୍ଭେ ମୋର ଲୋକମାନଙ୍କର ମେଷପାଳକ ହେବ। ଇସ୍ରାଏଲ ଓ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କ ଉପରେ ଶାସନ କରିବ।’”
3 ତେଣୁ ଇସ୍ରାଏଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକୁ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣରେ ସଦାପ୍ରଭୁ ସମ୍ମୁଖରେ ସେମାନଙ୍କ ସହିତ ଚୁକ୍ତି କଲେ ଓ ସେମାନେ ଇସ୍ରାଏଲର ରାଜା ରୂପେ ଦାଉଦଙ୍କୁ ଅଭିଷିକ୍ତ କଲେ।
4 ଯେତେବେଳେ ଦାଉଦଙ୍କୁ ତିରିଶ୍ ବର୍ଷ ବୟସ ହୋଇଥିଲା, ସେ ରାଜତ୍ୱ କରିବା ଆରମ୍ଭ କଲେ। ସେ ଗ୍ଭଳିଶ୍ ବର୍ଷ ଧରି ରାଜତ୍ୱ କଲେ। 5 ହିବ୍ରୋଣରେ ସେ ଯିହୁଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୁଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।
ଦାଉଦ ଯିରୁଶାଲମ ନଗରକୁ ଜୟ କଲେ
6 ଏହା ପରେ ରାଜା ଓ ତାଙ୍କର ଲୋକମାନେ ଯିରୁଶାଲମରେ ବାସ କରୁଥିବା ଯିବୂଷୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଏହି ଯିବୂଷୀୟମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ।” ସେମାନେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସେମାନଙ୍କର ନଗରରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହେବେ। 7 ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ଅଧିକାର କଲେ। ତାହା ହେଲା ଦାଉଦ ନଗର।
8 ସେହି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ଯେଉଁମାନେ ଯିବୂଷୀୟମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସେମାନେ ପାଣିନଳ[a] ମଧ୍ୟଦେଇ ଯିବା ଉଚିତ୍ ଓ ସେହିସବୁ ଛୋଟା ଓ ଅନ୍ଧ ଲୋକମାନଙ୍କ ପାଖକୁ ପହଞ୍ଚିବା ଉଚିତ୍।” ସେଥିପାଇଁ ଲୋକମାନେ କହନ୍ତି, “ଅନ୍ଧ ଓ ଛୋଟାମାନେ ଗୃହ ଭିତରକୁ ଆସି ପାରିବେ ନାହିଁ।”
9 ଦାଉଦ ସେହି ଦୁର୍ଗରେ ବାସ କଲେ, ଏବଂ ସେହି ସହରକୁ, “ଦାଉଦ ସହର ନାମରେ ନାମିତ କଲେ।” ଦାଉଦ ମିଲ୍ଲୋ ସ୍ଥାନକୁ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ୟ ନଗର ଭିତରେ ବହୁତ ପକ୍କାଘର ନିର୍ମାଣ କଲେ। 10 ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହେବାରୁ ଦାଉଦ ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ।
11 ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ। ହୀରମ୍ ମଧ୍ୟ ଏରସ କାଠ, ବଢ଼ାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସେମାନେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ। 12 ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜା କଲେ ଓ ତାଙ୍କର ଇସ୍ରାଏଲର ଲୋକମାନଙ୍କ ପାଇଁ ରାଜ୍ୟକୁ ଅତ୍ୟଧିକ କ୍ଷମତା ଦେଲେ। ଏହା ଦାଉଦ ବୁଝି ପାରିଲେ।
ସ୍ୱର୍ଗରେ ଆନନ୍ଦ
(ମାଥିଉ 18:12-14)
15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। 2 ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”
3 ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: 4 “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଶହେଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜି ଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। 5 ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। 6 ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଆସ, ମୋ’ ସହିତ ତୁମ୍ଭେମାନେ ଆନନ୍ଦ କର। 7 ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।
2010 by World Bible Translation Center