Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 52

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।

52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
    ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
    ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀ‌କ୍ଷ୍‌ଣ।
    ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
    ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ। ସେଲା

ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
    ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
    ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ। ସେଲା

ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
    “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
    ସେ ଭାବିଲା, ତା'ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”

କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
    ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
    ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 31:1-12

ଅଶୂର ଏକ ଏରସ ବୃକ୍ଷ ତୁଲ୍ୟ

31 ଅନନ୍ତର ଏକାଦଶ ବର୍ଷର ତୃତୀୟ ମାସ ଜୁନ୍‌ର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ମିଶରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ ଏହି କଥା କୁହ,

“‘ତୁମ୍ଭେ ମହାନ,
    ତୁମ୍ଭେ ଆପଣା ମହତ୍ତ୍ୱରେ ତାହାର ତୁଲ୍ୟ?
ଅଶୂରକୁ ଦେଖ! ସେ ଲିବାନୋ‌ନ୍‌ର ଏରସ ବୃକ୍ଷସ୍ୱରୂପ ଅଟେ।
    ତାହାର ସୁନ୍ଦର ଘନଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା।
    ଆଉ ତାହାର ଶିଖର ମେଘ ମଧ୍ୟରେ ଥିଲା।
ଅମାପ ଜଳ ତାହାକୁ ପୁଷ୍ଟ କଲା।
    ଗଭୀର ତରଙ୍ଗିଣୀ ତାହାକୁ ବର୍ଦ୍ଧିତ ହେଲା
ଓ ତାହାର ସ୍ରୋତ ସମୂହ ବୃକ୍ଷରୋପଣ ସ୍ଥାନର
    ଚତୁର୍ଦ୍ଦିଗରେ ପ୍ରବାହିତ ହେଲା।
ଏଣୁ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଅପେକ୍ଷା ସେ ଅତି ଉଚ୍ଚ ହେଲା।
    ତାହାର ଡାଳଗୁଡ଼ିକ ବହୁସଂଖ୍ୟାରେ ବଢ଼ିବାକୁ ଲାଗିଲା।
ଆଉ ଅମାପ ଜଳ ହେତୁ
    ତାହାର ଶାଖାସବୁ ପ୍ରସାରିତ ହୋଇ ବଢ଼ିଗଲା।
ଆକାଶର ପକ୍ଷୀସକଳ
    ତାହାର ଡାଳରେ ବସା ବାନ୍ଧିଲେ।
କ୍ଷେତ୍ରସ୍ଥ ପଶୁମାନେ
    ତାହାର ଶାଖାତଳେ ପ୍ରସବ କଲେ।
ଏବଂ ତାହାର ଛାୟା ତଳେ
    ବହୁତ ଜାତିଗଣ ବାସ କଲେ।
ଏହିରୂପେ ସେ ନିଜର ମହତ୍ତ୍ୱରେ
    ତାହାର ଶାଖାଗୁଡ଼ିକର ଦୀର୍ଘତା ଯୋଗୁଁ
    ମନୋହର ହେଲା,
    କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
ଏପରିକି ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ
    ଏହି ବୃକ୍ଷ ପରି ବଡ଼ ନ ଥିଲେ।
ଆଉ ଦେବଦାରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା।
    ଏବଂ ସାଧାରଣ ବୃକ୍ଷଗୁଡ଼ିକ ସେହିଭଳି ଶାଖା ଯୁକ୍ତ ନ ଥିଲା।
ଆଉ ପରମେଶ୍ୱରଙ୍କ ଉଦ୍ୟାନରେ
    କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହାପରି ନ ଥିଲେ।
ମୁଁ ତାହାକୁ ବହୁ ଶାଖାବିଶିଷ୍ଟ କରି
    ତାକୁ ରମଣୀୟ କଲି।
ଏଣୁ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ
    ସକଳବୃକ୍ଷ ତାହାକୁ ଈର୍ଷା କଲେ।’”

10 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେହି ବୃକ୍ଷ ଅତି ଉଚ୍ଚ ହେଲା। ଗହଳିଆ ଡାଳସବୁର ଶିଖର ଦେଶ ଉଚ୍ଚତାରେ ମେଘକୁ ସ୍ପର୍ଶ କଲା। ଆଉ ତାହା ଏତେ ଅଧିକ ଉଚ୍ଚ ହେଲା ଯେ ଏହା ଅହଂକାରୀ ହେଲା। 11 ଏଥିପାଇଁ ମୁଁ ତାହାକୁ ବଳବାନ୍ ଶାସକର ହସ୍ତରେ ଦେଇଅଛି। ଯାହା ଫଳରେ ସେ ଏହାକୁ ତା'ର ଦୁଷ୍ଟାମି ଅନୁଯାୟୀ ବ୍ୟବହାର କରିବ। ମୁଁ ଏହାକୁ ଖାରଜ କରିଛି। 12 ପୁଣି ଜାତିମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଛନ୍ତି। ପର୍ବତମାନଙ୍କ ଉପରେ ଓ ସମସ୍ତ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି। ଆଉ ଦେଶର ସବୁ ଜଳ ପ୍ରବାହ ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଛି। ତେଣୁ ପୃଥିବୀସ୍ଥ ଯାବତୀୟ ଜାତି ତାହାର ଛାୟା ତଳୁ ଗ୍ଭଲିଯାଇଛନ୍ତି ଓ ତାକୁ ପରିତ୍ୟାଗ କରିଛନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 6:11-18

ପାଉଲଙ୍କ ପତ୍ରର ସମାପ୍ତି

11 ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି। 12 କେତେକ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଯିହୂଦୀମାନେ ଯେପରି ସେମାନଙ୍କୁ ଗ୍ରହଣ କରି ପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସେମାନଙ୍କୁ ନିର୍ଯ୍ୟାତନା ସହିବାକୁ ହେବ, ସେଥିପାଇଁ ସେମାନେ ଭୟ କରୁଛନ୍ତି। 13 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସେମାନେ ନିଜେ ବ୍ୟବସ୍ଥା ପାଳନ କରୁ ନାହାନ୍ତି। କିନ୍ତୁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ୟ କରି, ସେମାନେ ଗର୍ବ କରି ପାରିବେ।

14 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ହିଁ ମୋର ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠାରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ମୋ’ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ୟ ଜଗତ ପାଇଁ ମୃତ। 15 ଜଣେ ମନୁଷ୍ୟ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥିରେ କିଛି ଗୁରୁତ୍ୱ ନାହିଁ। କେବଳ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ନୂତନ ମନୁଷ୍ୟ ହେବା ଗୁରୁତ୍ୱପୂର୍ଣ୍ଣ। 16 ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସେମାନଙ୍କୁ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

17 ଅତଏବ ମୋତେ ଅଧିକ କଷ୍ଟ ଦିଅ ନାହିଁ। ମୋ’ ଶରୀରରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି।

18 ମୋ’ ଭାଇ ଓ ଭଉଣୀମାନେ! ମୁଁ ପ୍ରାର୍ଥନା କରେ ଯେ, ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମା ସହିତ ସଦାସର୍ବଦା ରହିଥାଉ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center