Revised Common Lectionary (Complementary)
ବିଶ୍ରାମବାର ନିମିତ୍ତକ ଗୀତ।
92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
2 ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
3 ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
ସୂ-ଗୀତ ଗାନ କରିବା ଭଲ।
4 ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।
12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
ଲିବାନୋନ୍ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।
26 ଏହିପରି ରାଜା ଶଲୋମନଙ୍କର ବହୁତଗୁଡ଼ିଏ ରଥ ଓ ଅଶ୍ୱାରୋହୀ ହୋଇଗଲେ। ତାଙ୍କର 1,400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେ ତାଙ୍କର ରଥଗୁଡ଼ିକ ପାଇଁ ସ୍ୱତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ଯିରୁଶାଲମ ନଗରରେ ରଖିଲେ। 27 ରାଜା ଇସ୍ରାଏଲକୁ ଅତ୍ୟନ୍ତ ଧନଶାଳୀ କରି ଗଢ଼ିଲେ। ଯିରୁଶାଲମ ନଗରରେ ରୂପା ସାଧାରଣତ ପଥର, ଇଟା ସଦୃଶ୍ୟ ହେଲା। ପ୍ରାଚୁର୍ଯ୍ୟ ହେତୁ ଏରସ କାଠକୁ ନିମ୍ନ ଭୂମିସ୍ଥ ଡିମ୍ବିରି ବୃକ୍ଷ ତୁଲ୍ୟ କଲେ। 28 ଶଲୋମନଙ୍କର ଅଶ୍ୱଗୁଡ଼ିକ ବଣିକମାନଙ୍କ ଦ୍ୱାରା ମିଶରରୁ ଓ କ୍ୟୁଏରୁ ଅଣାଗଲା, ଯେଉଁମାନେ କି ସେଗୁଡ଼ିକ ସେଠାରୁ କିଣିଥିଲେ। 29 ମିଶରର ଏକ ଏକ ରଥର ମୂଲ୍ୟ 600 ରୌପ୍ୟମୁଦ୍ରା ଥିଲା ଓ ଗୋଟିଏ ଗୋଟିଏ ଅଶ୍ୱର ମୂଲ୍ୟ 150 ରୌପ୍ୟ ମୁଦ୍ରା ଥିଲା। ରାଜା ଶଲୋମନ ସେହି ରଥ ଓ ଅଶ୍ୱକୁ ହିତ୍ତୀୟ ଅରାମୀୟ ରାଜାଙ୍କୁ ବିକ୍ରି କଲେ।
ଶଲୋମନ ଓ ତାଙ୍କର ଅନେକ ପତ୍ନୀ
11 ଶଲୋମନ ବହୁ ରମଣୀଙ୍କୁ ପ୍ରେମ କଲେ, ସେମାନେ ଇସ୍ରାଏଲ ଦେଶର ନ ଥିଲେ। ସେ ରାଜା ଫାରୋର କନ୍ୟା ବ୍ୟତୀତ ହିତ୍ତୀୟ, ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ ଓ ସୀଦୋନୀୟ ସ୍ତ୍ରୀମାନଙ୍କୁ ଭଲ ପାଇଲେ। 2 ଏହା ପୂର୍ବରୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ସତର୍କ କରିଥିଲେ, “ତୁମ୍ଭେମାନେ ଅନ୍ୟ ଦେଶର କନ୍ୟାଙ୍କୁ ବିବାହ କରିବ ନାହିଁ। କାରଣ ସେମାନେ ନିଜର ସାଥୀମାନଙ୍କୁ ଅନ୍ୟ ଦେବା ଦେବୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି।” ମାତ୍ର ଶଲୋମନ ସେମାନଙ୍କ ସହିତ ପ୍ରେମ କଲେ। 3 ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ୟକ୍ଷମାନଙ୍କର କନ୍ୟା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ। 4 ଶଲୋମନ ଯେତେବେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦେବତାଗଣଙ୍କୁ ଅନୁସରଣ କରିବାର ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ। 5 ଶଲୋମନ ସୀଦୋନୀୟମାନଙ୍କ ଦେବତା ଅଷ୍ଟାରୋତକୁ ଓ ଅମ୍ମୋନୀୟମାନଙ୍କ ଭୟଙ୍କର ମୂର୍ତ୍ତି ମିଲ୍କମର ଉପାସନା କଲେ। 6 ତେଣୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଶଲୋମନ ତାହା ହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାଦ୍ଗାମୀ ହେଲେ ନାହିଁ।
7 ଶଲୋମନ ଯିରୁଶାଲମର ପରବର୍ତ୍ତୀ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ୍ ମୂର୍ତ୍ତି ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମୋଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। 8 ତା'ପରେ ଶଲୋମନ ତାଙ୍କର ବିଦେଶୀୟା ପତ୍ନୀମାନଙ୍କ ପାଇଁ ସେମାନଙ୍କର ନିଜ ନିଜର ମୂର୍ତ୍ତି ଦେବତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସେହି ଦେବତାଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ସେମାନଙ୍କୁ ବଳିଦାନଗୁଡ଼ିକ ଉତ୍ସର୍ଗ କଲେ।
4 କୟିନ ଓ ହେବଲ ଦୁହେଁ ପରମେଶ୍ୱରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ୱାସ ଥିବା ହେତୁ ହେବଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ୱର କହିଲେ, ଯେ, ସେ ହେବଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ୱରଙ୍କଠାରେ ହେବଲର ବିଶ୍ୱାସ ହେତୁ ତାହାକୁ ଭଲ ଲୋକ ବୋଲି କହିଲେ। ହେବଲ ମରି ଯାଇଛି କିନ୍ତୁ ନିଜ ବିଶ୍ୱାସ ହେତୁ ଏବେ ସୁଦ୍ଧା ସେ କଥା କହୁଛି।
5 ବିଶ୍ୱାସ ହେତୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କେବେବି ମୃତ୍ୟୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁହେ ଯେ, ହନୋକଙ୍କୁ ଉଠାଇ ନେଇ ଯିବା ପୂର୍ବରୁ ସେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖୋଜି ପାରିଲେ ନାହିଁ, କାରଣ ପରମେଶ୍ୱର ହନୋକଙ୍କୁ ନିଜ ସହିତ ରହିବା ଲାଗି ନେଇଗଲେ। 6 ବିଶ୍ୱାସ ବିନା ଜଣେ ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ୱରଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରିବା ଉଚିତ୍। ଯିଏ ପରମେଶ୍ୱରଙ୍କ ପାଖକୁ ଆସିବ ସେ ବିଶ୍ୱାସ କରିବା ଦରକାର ଯେ ଯିଏ ପ୍ରକୃତରେ ତାହାଙ୍କୁ ଖୋଜେ, ପରମେଶ୍ୱର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।
7 କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।
2010 by World Bible Translation Center