Old/New Testament
ପୃଥିବୀର ଆରମ୍ଭ
1 ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ। 2 ପୃଥିବୀ ସେତେବେଳେ ସମ୍ପୂର୍ଣ୍ଣଭାବେ ଶୂନ୍ୟ ଓ କିଛି ନ ଥିଲା। ଜଳଭାଗ ଉପରେ ଅନ୍ଧକାର ଘୋଡ଼େଇ ରଖିଥିଲା ଏବଂ ପରମେଶ୍ୱରଙ୍କର ଆତ୍ମା ଜଳଭାଗ ଉପରେ ବ୍ୟାପ୍ତ ଥିଲେ।
ପ୍ରଥମ ଦିନ-ଆଲୋକ
3 ଏହା ପରେ ପରମେଶ୍ୱର କହିଲେ, “ଆଲୋକିତ ହେଉ!” ତହିଁରେ ଆଲୋକିତ ହେଲା। 4 ପରମେଶ୍ୱର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହା ପରେ ପରମେଶ୍ୱର ଆଲୋକକୁ ଅନ୍ଧକାରରୁ ଅଲଗା କଲେ। 5 ପରମେଶ୍ୱର ସେହି ଆଲୋକର ନାମ ଦେଲେ “ଦିନ” ଏବଂ ଅନ୍ଧକାରର ନାମ ଦେଲେ “ରାତି।”
ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହେଲା। ଏହା ପ୍ରଥମ ଦିନ ଥିଲା।
ଦ୍ୱିତୀୟ ଦିନ-ଆକାଶ
6 ଏହା ପରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ବୃହତ ଗମ୍ବୁଜ ଜାତ ହୋଇ ଜଳକୁ ଦୁଇଭାଗ କରୁ!” 7 ଏହିପରି ପରମେଶ୍ୱର ତୋରଣ ନିର୍ମାଣ କଲେ ଏବଂ ତୋରଣ ଉପର ଜଳଠାରୁ ତୋରଣ ତଳ ଜଳକୁ ଅଲଗା କଲେ। ତହିଁରେ ସେହିପରି ହେଲା। 8 ପରମେଶ୍ୱର ସେହି ତୋରଣର ନାମ ଦେଲେ “ଆକାଶ” ତା’ପରେ ସେଠାରେ ପ୍ରଭାତ ଏବଂ ସୂର୍ଯ୍ୟାସ୍ତ ହେଲା। ଏବଂ ଏହା ଦ୍ୱିତୀୟ ଦିନ ଥିଲା।
ତୃତୀୟ ଦିନ-ସ୍ଥଳ ଭାଗ ଓ ବୃକ୍ଷଲତା
9 ଏହା ପରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ, ଯଦ୍ଦ୍ୱାରା ଭୂମି ଶୁଖିଲା ଦେଖାଯିବ” ଏବଂ ଏହିପରି ହେଲା। 10 ପରମେଶ୍ୱର ଶୁଖିଲା ଭୂମିର ନାମ “ପୃଥିବୀ” ଦେଲେ ଏବଂ ଜଳସମୂହ ଭାଗର ନାମ ଦେଲେ, “ସମୁଦ୍ର” ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
11 ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ, ବୀଜ ସମ୍ବଳିତ ନିଜ ନିଜ ଜାତି ଅନୁଯାୟୀ ଫଳ ଉତ୍ପନ୍ନ କରୁ,”ଏହିପରି ହେଲା। 12 ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ବୀଜୋଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସବୀଜ ଫଳଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
13 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା।
ଚତୁର୍ଥ ଦିନ-ସୂର୍ଯ୍ୟ, ଚନ୍ଦ୍ର ଓ ତାରା ସମୂହ
14 ଏହା ପରେ ପରମେଶ୍ୱର କହିଲେ, “ଆକାଶର ତୋରଣରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ସେହି ଜ୍ୟୋତିର୍ଗଣ ରାତ୍ରିରୁ ଦିନକୁ ପୃଥକ କରିବେ। ସେହି ଜ୍ୟୋତିର୍ଗଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦେଖାଇବା ପାଇଁ ଚିହ୍ନ ରୂପେ ବ୍ୟବହୃତ ହେବ। 15 ସେହି ଜ୍ୟୋତିର୍ଗଣ ପୃଥିବୀରେ ଆଲୋକ ଦେବା ପାଇଁ ତୋରଣ ମଧ୍ୟରେ ଥା’ନ୍ତୁ।” ଏବଂ ଏହିପରି ହେଲା।
16 ତେଣୁ ପରମେଶ୍ୱର ଦୁଇଟି ମହାଜ୍ୟୋତି ସୃଷ୍ଟି କଲେ। ପରମେଶ୍ୱର ଦିନରେ କର୍ତ୍ତୃତ୍ୱ କରିବା ପାଇଁ ବଡ଼ ଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ସାନ ଜ୍ୟୋତି ନିର୍ମାଣ କଲେ। ପରମେଶ୍ୱର ତାରାଗଣକୁ ମଧ୍ୟ ସୃଷ୍ଟି କଲେ। 17 ପରମେଶ୍ୱର ପୃଥିବୀକୁ ଆଲୋକିତ କରିବା ପାଇଁ ଆକାଶର ତୋରଣରେ ତାରାଗଣକୁ ମଧ୍ୟ ସୃଷ୍ଟି କଲେ। 18 ପରମେଶ୍ୱର ଦୀପ୍ତିଗଣକୁ ଆକାଶ ମଣ୍ଡଳରେ ଦିନ ଓ ରାତ୍ରିକୁ କର୍ତ୍ତୃତ୍ୱ କରିବା ପାଇଁ ସ୍ଥାପନ କଲେ। ଏହି ଜ୍ୟୋତିର୍ଗଣ ଅନ୍ଧକାରରୁ ଆଲୋକକୁ ପୃଥକ କଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
19 ଏହା ପରେ ସନ୍ଧ୍ୟା ଏବଂ ସକାଳ ହେଲା। ଏହା ଚତୁର୍ଥ ଦିବସ ଥିଲା।
ପଞ୍ଚମ ଦିନ-ମାଛ ଏବଂ ପକ୍ଷୀଗଣ
20 ଏହା ପରେ ପରମେଶ୍ୱର କହିଲେ, “ଜଳ ଜୀବିତ ପ୍ରାଣୀରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତୋରଣ ତଳେ ଉଡ଼ନ୍ତୁ।” 21 ତେଣୁ ପରମେଶ୍ୱର ନିଜ ନିଜ ଜାତି ପ୍ରକାରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ, ଯେଉଁମାନେ ସମୁଦ୍ରରେ ରହନ୍ତି। ପରମେଶ୍ୱର ଆକାଶରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
22 ପରମେଶ୍ୱର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, ବହୁବଂଶ ହୋଇ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହୁଅନ୍ତୁ।
23 ସନ୍ଧ୍ୟା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।
ଷଷ୍ଠ ଦିନ-ସ୍ଥଳଚର ପ୍ରାଣୀ ଓ ମନୁଷ୍ୟ
24 ଏହା ପରେ ପରମେଶ୍ୱର କହିଲେ, “ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ରେଣୀ ଅନୁସାରେ ବନ୍ୟଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ।” ଏହା ପରେ ସେହିପରି ହେଲା।
25 ଏହିପରି ପରମେଶ୍ୱର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟି କଲେ। ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରତ୍ୟେକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
26 ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ ଏବଂ ପ୍ରତ୍ୟେକ ଭୂଚର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।”
27 ତେଣୁ ପରମେଶ୍ୱର, ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ। 28 ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, “ବହୁତ ସନ୍ତାନ-ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀରେ ଶାସନ କରି, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳରେ ଥିବା ମତ୍ସ୍ୟଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚର ପ୍ରାଣୀଗଣ ଉପରେ ଶାସନ କର।”
29 ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜୋଉତ୍ପାଦକ ଗଛ ଦେଉଛି ଏବଂ ପ୍ରତ୍ୟେକ ଗଛ ଯାହାର ଫଳ ମଧ୍ୟରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହେବ। 30 ସମସ୍ତ ଗ୍ଭରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦେଲି, ଆକାଶରେ ଉଡ଼ୁଥିବା ପ୍ରତ୍ୟେକ ପକ୍ଷୀ, ପ୍ରତ୍ୟେକ ଭୂଚର ପ୍ରାଣୀ ଏବଂ ପ୍ରତ୍ୟେକ ଜୀବନ୍ତ ଏବଂ ନିଶ୍ୱାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦେଲି।” ଏବଂ ଏହିପରି ହେଲା।
31 ପରମେଶ୍ୱର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
ଏହା ପରେ ସନ୍ଧ୍ୟା ଓ ତା’ପରେ ସକାଳ ହେଲା। ଏହା ଷଷ୍ଠ ଦିବସ ଥିଲା।
ସପ୍ତମ ଦିନ-ବିଶ୍ରାମ
2 ଏହିପରି ଭାବରେ, ପରମେଶ୍ୱର ଆକାଶମଣ୍ଡଳରେ ଓ ପୃଥିବୀ ମଧ୍ୟରେ ଥିବା ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ। 2 ସପ୍ତମ ଦିନରେ, ପରମେଶ୍ୱର ସୃଷ୍ଟିର ପ୍ରତ୍ୟେକ କାର୍ଯ୍ୟ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନରେ ପରମେଶ୍ୱର ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ ନେଲେ। 3 ତା’ପରେ ପରମେଶ୍ୱର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ୱର ସମସ୍ତ ସୃଷ୍ଟି କରି ସାରିଲା ପରେ ବିଶ୍ରାମ ନେଲେ।
ମନୁଷ୍ୟର ସୃଷ୍ଟି
4 ଏହା ହେଲା ପୃଥିବୀ ଓ ଆକାଶମଣ୍ଡଳର ଇତିହାସ। ଯେଉଁ ସମୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସେହି ସମୟର ଇତିହାସ। 5 ସେହି ସମୟରେ କୌଣସି ବୁଦା ବା ଘାସ ବଢ଼ି ନ ଥିଲା, ସଦାପ୍ରଭୁ ପୃଥିବୀରେ ବର୍ଷା କରାଇ ନ ଥିଲେ। କାରଣ ପୃଥିବୀର ଯତ୍ନ ନେବା ପାଇଁ କେହି ନ ଥିଲେ।
6 ଭୂମିରେ କାକର ପଡ଼ି ସମସ୍ତ ପୃଥିବୀକୁ ସନ୍ତସନ୍ତିଆ କଲା। 7 ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା’ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। 8 ଏହା ପରେ ସଦାପ୍ରଭୁ ପରମେଶ୍ୱର, ଏଦନର ପୂର୍ବ ଦିଗରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସେଠାରେ ସେ ସୃଷ୍ଟି କରିଥିବା ମନୁଷ୍ୟକୁ ରଖିଲେ। 9 ସଦାପ୍ରଭୁ ପରମେଶ୍ୱର ପ୍ରତ୍ୟେକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀରେ ସୃଷ୍ଟି କଲେ। ସେହିପରି ଭାବରେ ଉଦ୍ୟାନର ମଧ୍ୟଭାଗରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷୟରେ ଜ୍ଞାନ ଦେବା ବୃକ୍ଷ ମଧ୍ୟ ଉତ୍ପନ୍ନ କଲେ।
10 ଗୋଟିଏ ନଦୀ ଏଦନରୁ ପ୍ରବାହିତ ହୋଇ ଉଦ୍ୟାନକୁ ଜଳ ଦିଏ। ଏହା ପରେ ସେହି ନଦୀ ଗ୍ଭରି ଭାଗରେ ବିଭକ୍ତ ହେଲା। 11 ପ୍ରଥମ ନଦୀର ନାମ ପିଶୋନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚତୁର୍ପାର୍ଶ୍ୱ ଦେଇ ବହିଗଲା, ଯେଉଁ ସ୍ଥାନରେ ସୁବର୍ଣ୍ଣ ଅଛି। 12 ସେହି ଦେଶରେ ଚିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମେଦକମଣି ଅଛି। 13 ଦ୍ୱିତୀୟ ନଦୀର ନାମ ଗୀହୋନ୍ ଥିଲା। ଏହା ସମସ୍ତ କୁଶ ଦେଶକୁ ବ୍ୟାପିଥିଲା। 14 ତୃତୀୟ ନଦୀର ନାମ ହିଦ୍ଦେକଲ୍ ଥିଲା, ଏହା ଅଶୂରିୟ ଦେଶର ସମ୍ମୁଖ ଦେଇ ଗମନ କରେ ଏବଂ ଚତୁର୍ଥ ନଦୀର ନାମ ଫରାତ୍ ଥିଲା।
15 ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନରେ କୃଷିକର୍ମ ଓ ତାହାର ଯତ୍ନ ନେବା ପାଇଁ ନିଯୁକ୍ତ କଲେ। 16 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଏହି ନିର୍ଦ୍ଦେଶ ଦେଲେ ଏବଂ କହିଲେ, “ତୁମ୍ଭେ ଉଦ୍ୟାନର ଯେକୌଣସି ଗଛର ଫଳ ଖାଇ ପାରିବ। 17 କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସେହି ବୃକ୍ଷର ଫଳ ଖାଇବ ତୁମ୍ଭେ ସେହି ଦିନ ମରିବ!”
ପ୍ରଥମ ନାରୀ
18 ଏହା ପରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମୁଁ ଦେଖି ପାରୁଛି ଯେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପଯୁକ୍ତ ସହକାରିଣୀ ନିର୍ମାଣ କରିବି।”
19 ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ସମସ୍ତଙ୍କୁ ମନୁଷ୍ୟ ନିକଟକୁ ଦେଖାଇବାକୁ ଆଣିଲେ। ସେହି ମନୁଷ୍ୟ ସେମାନଙ୍କୁ କ’ଣ କହି ଡାକିବ, ଏହା ଜାଣିବା ପାଇଁ। ସେହି ସୃଷ୍ଟ ପ୍ରାଣୀଙ୍କୁ ସେ ଯାହା କହି ଡାକିଲା, ତାହା ସେମାନଙ୍କର ନାମ ହେଲା। 20 ମନୁଷ୍ୟ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶରେ ଉଡ଼ୁଥିବା ପକ୍ଷୀ ଏବଂ ପ୍ରତ୍ୟେକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା’ ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନ ଥିଲା। 21 ତା’ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଘୋର ନିଦ୍ରାରେ ଶୁଆଇ ଦେଲେ। ସେ ତା’ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସେହି କ୍ଷତ ବନ୍ଦ କରିଦେଲେ। 22 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ ଏବଂ ମନୁଷ୍ୟ ନିକଟକୁ ତାହାକୁ ଆଣିଲେ। 23 ସେହି ମନୁଷ୍ୟ କହିଲା,
“ସେ ମୋ’ ପରି, ତା’ର ହାଡ଼ ମୋର ହାଡ଼ରୁ ଆସିଛି।
ତା’ର ଶରୀର ମୋର ଶରୀରରୁ ଆସିଛି।
ଯେହେତୁ ସେ ନରଠାରୁ ଆସିଛି,
ତାହାର ନାମ ‘ନାରୀ।’”
24 ମନୁଷ୍ୟ ପିତାମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରିତ ହେବ। ଯେପରି ସେମାନେ ଏକ ବ୍ୟକ୍ତି, ଏହା ଏପରି ଭାବରେ ହେବ।
25 ମନୁଷ୍ୟ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସେମାନେ ଲଜ୍ଜାବୋଧ କରୁ ନ ଥିଲେ।
ପାପର ଆରମ୍ଭ
3 ସଦାପ୍ରଭୁ ପରମେଶ୍ୱରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧ୍ୟରେ ସର୍ପ ସମସ୍ତଙ୍କଠାରୁ ଚତୁର ଥିଲା। ସର୍ପଟି ସ୍ତ୍ରୀଲୋକଟିକୁ କହିଲା, “ଏହା କ’ଣ ସତ୍ୟ ଯେ ପରମେଶ୍ୱର ଉଦ୍ୟାନର କୌଣସି ବୃକ୍ଷର ଫଳ ନ ଖାଇବା ପାଇଁ ତୁମ୍ଭଙ୍କୁ କହିଲେ?”
2 ସ୍ତ୍ରୀଲୋକଟି କହିଲା, “ଆମ୍ଭେ ବୃକ୍ଷଗୁଡ଼ିକର ଫଳ ଖାଇ ପାରିବୁ। 3 କିନ୍ତୁ ଉଦ୍ୟାନ ମଧ୍ୟସ୍ଥ ଗୋଟିଏ ବୃକ୍ଷରୁ ଫଳ ଖାଇବାକୁ ମନା! ପରମେଶ୍ୱର ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଉଦ୍ୟାନ ମଝିରେ ଥିବା ବୃକ୍ଷରୁ ଫଳ ଖାଇବ ନାହିଁ। ଏପରିକି ତୁମ୍ଭେ ସେ ବୃକ୍ଷକୁ ଛୁଇଁବ ନାହିଁ। ଯଦି ଏପରି କର ତେବେ ମରିବ।’”
4 କିନ୍ତୁ ସର୍ପ ସ୍ତ୍ରୀଲୋକଟିକୁ କହିଲା, “ତୁମ୍ଭେ ମରିବ ନାହିଁ। 5 ପରମେଶ୍ୱର ଜାଣନ୍ତି ଯେ, ଯେତେବେଳେ ତୁମ୍ଭେ ସେହି ବୃକ୍ଷରୁ ଫଳ ଖାଇବ ତେବେ ତୁମ୍ଭମାନଙ୍କର ଚକ୍ଷୁ ଖୋଲିଯିବ ଏବଂ ତୁମ୍ଭେ ପରମେଶ୍ୱରଙ୍କ ପରି ହେବ, କାରଣ ତୁମ୍ଭେ ଜାଣିବ କ’ଣ ଭଲ ଏବଂ କ’ଣ ମନ୍ଦ ଅଟେ।”
6 ସେହି ସ୍ତ୍ରୀଲୋକଟି ଦେଖିଲା ଯେ, ସେହି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସେହି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ୱାମୀକୁ ଖାଇବାକୁ ଦେଲା ଏବଂ ସେ ମଧ୍ୟ ତାହାକୁ ଖାଇଲା।
7 ସେମାନଙ୍କର ଚକ୍ଷୁ ପ୍ରସନ୍ନ ହେଲା ଏବଂ ସେମାନେ ଜାଣି ପାରିଲେ ଯେ, ସେମାନେ ଉଲଗ୍ନ। ତେଣୁ ସେମାନେ କିଛି ଡିମ୍ବିରି ବୃକ୍ଷର ପତ୍ର ସଂଗ୍ରହ କରି ତାକୁ ସିଇଁ ବସ୍ତ୍ର ଭାବରେ ଗ୍ରହଣ କଲେ।
8 ସନ୍ଧ୍ୟା ସମୟରେ ସଦାପ୍ରଭୁ ପରମେଶ୍ୱର ଉଦ୍ୟାନ ମଧ୍ୟରେ ଭ୍ରମଣ କରୁଥିଲେ। ନର ଓ ନାରୀ ଏ କଥା ଶୁଣିବାକୁ ପାଇଲେ ଏବଂ ସେମାନେ ପରମେଶ୍ୱରଙ୍କଠାରୁ ନିଜ ନିଜକୁ ବୃକ୍ଷ ଆଢ଼ୁଆଳରେ ଲୁଗ୍ଭଇ ରଖିଲେ। 9 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଡାକିଲେ, “ତୁମ୍ଭେ କେଉଁଠାରେ?”
10 ମନୁଷ୍ୟ ଉତ୍ତର ଦେଲା, “ମୁଁ ତୁମ୍ଭେ ଉଦ୍ୟାନରେ ଗ୍ଭଲିବାର ଶୁଣିଲି। ମୁଁ ଭୟ କଲି, ମୁଁ ଉଲଗ୍ନ ଥିଲି ତେଣୁ ମୁଁ ଲୁଚିଲି।”
11 ସଦାପ୍ରଭୁ ପରମେଶ୍ୱର ଆଦମକୁ କହିଲେ, “ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କ’ଣ ଉଦ୍ୟାନର ସେହି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି?”
12 ମନୁଷ୍ୟ ଉତ୍ତର ଦେଲା, “ତୁମ୍ଭେ ମୋ’ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ, ସେ ମୋତେ ସେହି ଫଳ ଖାଇବାକୁ ଦେଲା। ତେଣୁ ମୁଁ ତାହା ଖାଇଲି।”
13 ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକକୁ କହିଲେ, “ଏପରି ତୁମ୍ଭେ କାହିଁକି କଲ?”
ସ୍ତ୍ରୀଲୋକଟି ଉତ୍ତର ଦେଲା, “ସର୍ପ ମୋତେ ଭୁଲାଇ ଦେଲା, ତହିଁରେ ମୁଁ ତାକୁ ଖାଇଲି।”
14 ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ,
“ଯେହେତୁ ତୁମ୍ଭେ ଏହା କରିଅଛ,
ତୁମ୍ଭେ ଅନ୍ୟ ପ୍ରାଣୀମାନଙ୍କଠାରୁ ଅଧିକ କଷ୍ଟ ଭୋଗିବ,
ତୁମ୍ଭେ ତୁମ୍ଭର ପେଟରେ ଜୀବନସାରା
ଘୁଷୁଡ଼ିବ ଓ ତୁମ୍ଭେ ଧୂଳି ଖାଇବ।
15 ମୁଁ ତୁମ୍ଭକୁ ନାରୀର ଶତ୍ରୁ କରିବି।
ମୁଁ ତୁମ୍ଭର ପିଲାମାନଙ୍କୁ ଓ ତାହାର ପିଲାମାନଙ୍କ ମଧ୍ୟରେ ଶତ୍ରୁତା କରାଇବି।
ତୁମ୍ଭେ ତା’ର ପିଲାର ଗୋଇଠିକୁ କାମୁଡ଼ିବ,
କିନ୍ତୁ ସେ ତୁମ୍ଭର ମସ୍ତକକୁ ଆଘାତ କରି ଚୂର୍ଣ୍ଣ କରିବ।”
16 ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକଟିକୁ କହିଲେ,
“ମୁଁ ତୁମ୍ଭର କାର୍ଯ୍ୟଭାର
ଏବଂ ତୁମ୍ଭର ଗର୍ଭବେଦନା ମଧ୍ୟ ବଢ଼ାଇବି।
ତୁମ୍ଭେ ବ୍ୟଥାରେ
ସନ୍ତାନ ପ୍ରସବ କରିବ।
ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ [a]
ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।”
17 ଏହା ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ କହିଲେ,
“ମୁଁ ତୁମ୍ଭକୁ ସେହି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲି
କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସେହି ଫଳ ଖାଇଲ।
ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା,
ତୁମ୍ଭେ ତୁମ୍ଭର ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ କରିବ।
18 ଭୂମିରେ କଣ୍ଟା ବୁଦା ଜନ୍ମିବ।
ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।
19 ତୁମ୍ଭେ ମରିବା ପର୍ଯ୍ୟନ୍ତ
ମୂଖର ଝାଳରେ ଆହାର କରିବ,
ତୁମ୍ଭେ ଖାଦ୍ୟ ପାଇବା ପାଇଁ
କଠିନ ପରିଶ୍ରମ କରିବ।
ତୁମ୍ଭେ ଧୂଳିରୁ ନିଆଯାଇଛ,
ଏଣୁ ଧୂଳିକୁ ଫେରିଯିବ।”
20 ମନୁଷ୍ୟ ତା’ର ସ୍ତ୍ରୀର ନାମ ହବା, ଦେଲା। ଆଦମ ତା’ର ଏପରି ନାମକରଣ କରିଥିଲା, କାରଣ ସେ ଥିଲା ଜୀବିତ ପ୍ରାଣୀମାନଙ୍କ ସକଳର ମାତା।
21 ସଦାପ୍ରଭୁ ପରମେଶ୍ୱର ତାଙ୍କ ପାଇଁ ଚମଡ଼ାର ବସ୍ତ୍ର ତିଆରି କରି ତାଙ୍କୁ ପିନ୍ଧାଇଲେ।
22 ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ଖାଇବା ଉଚିତ୍ ନୁହଁ। ଯଦି ସେ ଏହା ଖାଇଥା’ନ୍ତା, ସେ ଅମର ହୋଇଥା’ନ୍ତା।”
23 ତେଣୁ ସଦାପ୍ରଭୁ ପରମେଶ୍ୱର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ନିଯୁକ୍ତ କଲେ। 24 ସଦାପ୍ରଭୁ ପରମେଶ୍ୱର ଏହିପରି ମନୁଷ୍ୟକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦେବା ପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣାୟମାନ ଖଡ଼୍ଗ ଏଦନ ଉଦ୍ୟାନର ପ୍ରବେଶ ସ୍ଥାନରେ ରଖିଲେ।
ଯୀଶୁଙ୍କ ବଂଶାବଳୀ(A)
1 ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।
2 ଅବ୍ରହାମ ଇସ୍ହାକଙ୍କ ବାପା।
ଇସ୍ହାକ ଯାକୁବଙ୍କ ବାପା।
ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।
3 ଯିହୂଦା, ଫେରସ ଓ ସେରହଙ୍କ ବାପା।
(ତାମର, ସେମାନଙ୍କ ମା)
ଫେରସ ହିଷ୍ରୋଣଙ୍କ ବାପା।
ହିଷ୍ରୋଣ ଅରାମଙ୍କ ବାପା।
4 ଅରାମ ଅମ୍ମୀନାଦାବ ବାପା।
ଅମ୍ମୀନାଦାବ ନହଶୋନଙ୍କ ବାପା।
ନହଶୋନ ସଲମୋନଙ୍କ ବାପା।
5 ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ)
ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା)
ଓବେଦ ଯିଶୟଙ୍କ ବାପା।
6 ଯିଶୟ ରାଜା ଦାଉଦଙ୍କ ବାପା।
ଦାଉଦ ଶଲୋମନଙ୍କ ବାପା। (ଶଲୋମନଙ୍କ ମା ଆଗରୁ ଉରୀୟଙ୍କ ସ୍ତ୍ରୀ ଥିଲେ)
7 ଶଲୋମନ ରିହବିୟାମଙ୍କ ବାପା।
ରିହବିୟାମ ଅବିୟଙ୍କ ବାପା।
ଅବିୟ ଆସାଙ୍କ ବାପା।
8 ଆସା ଯିହୋଶାଫଟଙ୍କ ବାପା।
ଯିହୋଶାଫଟ ଯୋରାମଙ୍କ ବାପା।
ଯୋରାମ ଉଜିୟଙ୍କ ବାପା।
9 ଉଜିୟ ଯୋଥମଙ୍କ ବାପା।
ଯୋଥମ୍ ଆହାସଙ୍କ ବାପା।
ଆହାସ ହିଜକିୟଙ୍କ ବାପା।
10 ହିଜକିୟ ମନଃଶିଙ୍କ ବାପା।
ମନଃଶି ଅମୋନଙ୍କ ବାପା।
ଅମୋନ ଯୋଶିୟଙ୍କ ବାପା।
11 ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲ ଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।)
12 ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ:
ଯିକନିୟ ଶଲ୍ଟୀୟେଲଙ୍କ ବାପା।
ଶଲ୍ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା।
13 ଜିରୁବାବିଲ ଅବୀହୂଦଙ୍କ ବାପା।
ଅବୀହୂଦ ଏଲିୟାକୀମଙ୍କ ବାପା।
ଏଲିୟାକୀମ ଅଜ୍ଜୂରଙ୍କ ବାପା।
14 ଅଜ୍ଜୂର ସାଦୋକଙ୍କ ବାପା।
ସାଦୋକ ଯାଖୀନଙ୍କ ବାପା।
ଯାଖୀନ ଏଲୀହୂଦଙ୍କ ବାପା।
15 ଏଲୀହୂଦ ଇଲିୟାଜରଙ୍କ ବାପା।
ଇଲିୟାଜର ମଥାନଙ୍କ ବାପା।
ମଥାନ ଯାକୁବଙ୍କ ବାପା।
16 ଯାକୁବ ଯୋଷେଫଙ୍କ ବାପା।
ଯୋଷେଫ ମରିୟମଙ୍କ ସ୍ୱାମୀ।
ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ।
ଯୀଶୁଙ୍କୁ ଖ୍ରୀଷ୍ଟ [a] କୁହାଯାଏ।
17 ଏହିଭଳି ଭାବରେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ ଚଉଦ ପୁରୁଷ।
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ(B)
18 ଯୀଶୁ ଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡ଼ିଲା ଯେ, ମରିୟମ ପବିତ୍ରଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି। 19 କିନ୍ତୁ ତାହଙ୍କର ଭାବୀପତି ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁ ନ ଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ।
20 କିନ୍ତୁ ଯୋଷେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ରଆତ୍ମାଙ୍କର।
21 ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।”
22 ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା। 23 “ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ।” [b] (ଇମ୍ମାନୁୟେଲର ଅର୍ଥ, “ପରମେଶ୍ୱର ଆମ୍ଭ ସହିତ ଅଛନ୍ତି।”)
24 ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ, ସେହିପରି କଲେ। ସେ ମରିୟମଙ୍କୁ ବିବାହ କଲେ। 25 କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରି ନ ଥିଲେ। ଆଉ ଯୋଷେଫ ପୁଅଟିର ନାମ ଯୀଶୁ ରଖିଲେ।
2010 by World Bible Translation Center