Old/New Testament
ଯିରିମିୟଙ୍କ ବନ୍ଦୀରୁ ମୁକ୍ତ
40 ଯିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ରାମା ନଗରରେ ଯାଇ ମୁକ୍ତ କଲେ। ଏହା ପରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 2 ସେତେବେଳେ ପ୍ରହରୀବର୍ଗର ସେନାପତି, “ଯିରିମିୟଙ୍କୁ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳକର କଥା କହିଥିଲେ। 3 ସଦାପ୍ରଭୁ ତାଙ୍କ କହିବାନୁସାରେ ସବୁ ଘଟାଇ ଅଛନ୍ତି। ଏହା ଘଟିଲା, କାରଣ ତୁମ୍ଭର ଲୋକମାନେ ତାଙ୍କର କଥା ମାନିଲେ ନାହିଁ ଓ ପାପ କଲେ। 4 ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ମୁକ୍ତ କଲି। ଯଦି ତୁମ୍ଭେ ମୋ’ ସହିତ ବାବିଲ ଯିବାକୁ ଇଚ୍ଛା କରୁଛ, ତେବେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନେବି। ଯଦି ତୁମ୍ଭେ ମୋ’ ସହିତ ଯିବାକୁ ଇଚ୍ଛା ନ କରୁଛ, ତେବେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେକୌଣସି ସ୍ଥାନକୁ ଯିବାକୁ ଭଲ ମନେ କରୁଛ, ସେଠାକୁ ଯାଅ। 5 ଅଥବା ତୁମ୍ଭେ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ନିକଟକୁ ଫେରିଯାଅ। ବାବିଲର ରାଜା ତାକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛି। ତୁମ୍ଭେ ତାଙ୍କ ସହିତ ବାସ କର କିଅବା ଯେକୌଣସି ସ୍ଥାନକୁ ଯିବାକୁ ଇଚ୍ଛା କରୁଛ ସେ ସ୍ଥାନକୁ ଯାଅ।”
ତା’ପରେ ନବୂଷରଦନ୍ ଯିରିମିୟଙ୍କୁ କିଛି ଖାଦ୍ୟ ଓ ପାରିତୋଷିକ ଦେଇ ବିଦାୟ କଲେ। 6 ତେଣୁ ଯିରିମିୟ ମିସ୍ପାରେ ଅହୀକାମର ପୁତ୍ର ଗଦଲିୟ ନିକଟକୁ ଯାଇ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ଯିହୁଦାରେ ତାଙ୍କ ସଙ୍ଗେ ବାସ କଲେ।
ଗଦଲିୟଙ୍କ ସ୍ୱଳ୍ପ ଶାସନ
7 ଯେତେବେଳେ ଯିରୁଶାଲମ ଧ୍ୱଂସ ହେଲା, ସେତେବେଳେ ଯିହୁଦାର କେତେକ ସେନାପତି, ଅଧିପତି ଓ ଲୋକ ବାହାରେ ଥିଲେ। ସେମାନେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିୟକୁ ଦେଶର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛନ୍ତି। ସେ ତାଙ୍କ ଉପରେ ବାବିଲକୁ ନିଆଯାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ୟସ୍ତ କରିଅଛନ୍ତି। 8 ଯେଉଁମାନେ ମିସ୍ପୀକୁ ଗଦଲିୟ ନିକଟକୁ ଗଲେ ସେମାନଙ୍କ ମଧ୍ୟରେ ନଥନିୟର ପୁତ୍ର ଇଶ୍ମାୟେଲ, କାରେହର ପୁତ୍ର ଯୋହାନନ୍ ଓ ଯୋନାଥନ୍, ତନ୍ହୂମତର ପୁତ୍ର ସରାୟ, ନଟୋଫାତୀୟ ଏଫୟର ପୁତ୍ରମାନେ ଓ ମାଖାତୀୟର ପୁତ୍ର ଯାସନୀୟ ଥିଲେ।
9 ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ସେହି ସୈନ୍ୟମାନଙ୍କ ଓ ସେମାନଙ୍କର ଲୋକମାନଙ୍କ ନିକଟରେ ଶପଥ କରି କହିଲା, “ତୁମ୍ଭେମାନେ କଲ୍ଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ। ବାବିଲ ରାଜାର ସେବାକାରି ଏହି ଦେଶରେ ବାସ କର। ଏଥିରେ ତୁମ୍ଭମାନଙ୍କର ମଙ୍ଗଳ ହେବ। 10 ଆଉ ଦେଖ, ଯେଉଁ କଲ୍ଦୀୟମାନେ ଆମ୍ଭ ନିକଟକୁ ମିସ୍ପୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଉତ୍ତର କରିବା। ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ। ଆଉ ତୁମ୍ଭେମାନେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।”
11 ଯିହୁଦାର ଯେଉଁସବୁ ଲୋକ ମୋୟାବ, ଅମ୍ମୋନ, ଇଦୋମ ଓ ଅନ୍ୟାନ୍ୟ ସବୁ ଦେଶରେ ଥିଲେ, ସେମାନେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟକୁ ସେମାନଙ୍କୁ ଶାସନ କରିବାକୁ ନିଯୁକ୍ତ କରିଅଛି। 12 ଯେତେବେଳେ ଯିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସେମାନେ ବିତାଡ଼ିତ ହୋଇଥିବା ଦେଶମାନଙ୍କରୁ ଯିହୁଦାକୁ ଫେରି ଆସିଲେ। ସେମାନେ ମିସ୍ପାରେ ଗଦଲିୟ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।
13 ଆହୁରି କାରେହର ପୁତ୍ର ଯୋହାନନ୍ ଓ ପଦାରେ ଅବସ୍ଥିତ ସେନାପତି ସକଳ ମିସ୍ପାରେ ଗଦଲିୟ ନିକଟକୁ ଆସିଲେ। 14 ଯୋହାନନ୍ ଓ ସେହି ଅଧିପତିଗଣ ଗଦଲିୟକୁ କହିଲେ, “ଅମ୍ମୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନିୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି?” ମାତ୍ର ଅହୀକାମର ପୁତ୍ର ଗଦଲିୟ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।
15 ତାହାପରେ କାରେହର ପୁତ୍ର ଯୋହାନନ୍ ମିସ୍ପାରେ ଗଦଲିୟକୁ ଗୋପନରେ କହିଲେ, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନିୟର ପୁତ୍ର ଇଶ୍ମାୟେଲକୁ ବଧ କରିବି। ଆଉ କେହି ତାହା ଜାଣିବେ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ?”
16 କିନ୍ତୁ ଅହୀକାମର ପୁତ୍ର ଗଦଲିୟ କାରେହର ପୁତ୍ର ଯୋହାନନ୍କୁ କହିଲେ, “ତୁମ୍ଭେ ଇଶ୍ମାୟେଲକୁ ବଧ କର ନାହିଁ। କାରଣ ତୁମ୍ଭେ ତାଙ୍କ ବିଷୟରେ ଯାହା କହୁଅଛ ତାହା ସତ୍ୟ ନୁହେଁ।”
41 ଅନନ୍ତର ସପ୍ତମ ମାସରେ ରାଜବଂଶୀ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇଶ୍ମାୟେଲ ଦଶ ଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିୟ ନିକଟକୁ ମିସ୍ପାକୁ ଆସିଲେ। ସେମାନେ ସେଠାରେ ଗଦଲିୟ ସହିତ ଏକତ୍ର ଭୋଜନ କଲେ। 2 ସେମାନେ ଏକତ୍ର ଭୋଜନ କରୁଥିବା ବେଳେ ଇଶ୍ମାୟେଲ ଓ ତାର ଦଶ ଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିୟକୁ ହତ୍ୟା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାଯ୍ୟରେ ନିଯୁକ୍ତ କରିଥିଲେ। 3 ଆଉ ମଧ୍ୟ ଇଶ୍ମାୟେଲ ମିସ୍ପାରେ ଗଦଲିୟ ସହିତ ଥିବା ସମସ୍ତ ଯିହୁଦୀୟମାନଙ୍କୁ ଓ ବାବିଲର ସୈନ୍ୟମାନଙ୍କୁ ବଧ କଲେ।
4-5 ଗଦଲିୟକୁ ବଧ କରିବାର ଦିନକ ପରେ ଶିଖିମ, ଶୀଲୋ ଓ ଶମରିୟାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହୋଇ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରି ହସ୍ତରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ନେଇ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ। ସେମାନେ ଗଦଲିୟଙ୍କ ହତ୍ୟା ଖବର ଜାଣି ନ ଥିଲେ। 6 ଇଶ୍ମାୟେଲ ମିସ୍ପାକୁ ସେହି ଅଶୀଜଣ ପୁରୁଷଙ୍କୁ ଭେଟିବା ପାଇଁ ଗଲା ଓ ଗଲାବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସେମାନଙ୍କୁ ସାକ୍ଷାତ କରି କହିଲା, “ଅହୀକାମର ପୁତ୍ର ଗଦଲିୟକୁ ଦେଖିବାକୁ ଆସ।” 7 ଯେତେବେଳେ ସେମାନେ ନଗରର ମଧ୍ୟସ୍ଥାନକୁ ଆସିଲେ, ଇଶ୍ମାୟେଲ ଓ ତା’ର ସଙ୍ଗୀମାନେ ସେମାନଙ୍କୁ ବଧ କଲେ ଏବଂ ସେମାନଙ୍କୁ ଏକ ଗାତ ମଧ୍ୟରେ ଫୋପାଡ଼ି ଦେଲେ। 8 ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ଯବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷେତରେ ଲୁଗ୍ଭଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦେବୁ।” ତେଣୁ ଇଶ୍ମାୟେଲ ସେମାନଙ୍କୁ ମାରିବାରୁ ବିରତ ହେଲେ। 9 ଇଶ୍ମାୟେଲ ସେହି କୂପକୁ ନିହତମାନଙ୍କ ଶବରେ ଗଦଲିୟର ଶବ ସହିତ ପରିପୂର୍ଣ୍ଣ କଲା। ସେହି କୂପକୁ ଆସାର ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲା, ଯୁଦ୍ଧ ସମୟରେ ପାଣି ଯୋଗାଇବାକୁ ସେହି କୂପ ଖୋଳା ଯାଇଥିଲା।
10 ଏହା ପରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣଙ୍କୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀକରି ନେଇଗଲା। ସେ ସେମାନଙ୍କୁ ବନ୍ଦୀକରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।
11 କାରେହର ପୁତ୍ର ଯୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସେନାପତିଗଣ ଇଶ୍ମାୟେଲର ଦୁଷ୍କର୍ମସବୁ ଜାଣିଲେ। 12 ତେଣୁ ଯୋହାନନ୍ ତାହାର ସମସ୍ତ ସେନାପତିମାନଙ୍କୁ ନେଇ ନଥନିୟର ପୁତ୍ର ଇଶ୍ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବିୟୋନସ୍ଥିତ ଏକ ବିରାଟ ଜଳାଶୟ ନିକଟରେ ତାହାକୁ ଭେଟିଲେ। 13 ସେତେବେଳେ ଇଶ୍ମାୟେଲ ସଙ୍ଗରେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ। 14 ତା’ପରେ ଇଶ୍ମାୟେଲ ଯେଉଁ ଲୋକମାନଙ୍କୁ ମିସ୍ପାକୁ ବନ୍ଦୀ କରି ନେଇଯାଇଥିଲା, ସେମାନେ ସମସ୍ତେ କାରେହର ପୁତ୍ର ଯୋହାନନ୍ ନିକଟକୁ ଫେରି ଆସିଲେ। 15 ମାତ୍ର ନଥନିୟର ପୁତ୍ର ଇଶ୍ମାୟେଲ ଆଠଜଣ ଲୋକ ସହିତ ଯୋହାନନ୍ ନିକଟରୁ ପଳାଇ ଅମ୍ମୋନ ସନ୍ତାନଗଣର ନିକଟକୁ ଗଲା।
16 ଯୋହାନନ୍ ଏବଂ ତାଙ୍କର ସୈନ୍ୟବାହିନୀର ସେନାପତିଗଣ ଗିବିୟୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନିୟର ପୁତ୍ର ଇଶ୍ମାୟେଲ, ଗଲିୟଦକୁ ହତ୍ୟା କଲା ପରେ, ମିସ୍ପାକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରେ ଯୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।
ମିଶରକୁ ପଳାୟନ
17-18 ଯୋହାନନ୍ ଓ ଅନ୍ୟ ସେନାପତିଗଣ କଲ୍ଦୀୟମାନଙ୍କୁ ଭୟ କଲେ। କାରଣ ଇଶ୍ମାୟେଲ ବାବିଲ ରାଜାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ଗଦଲିୟକୁ ହତ୍ୟା କରିଥିଲେ। ତେଣୁ ଯୋହାନନ୍ କଲ୍ଦୀୟମାନେ ରାଗିଥିବେ ବୋଲି ଭୟ କଲେ। ତେଣୁ ସେ ମିଶରକୁ ପଳାଇ ଯିବା ପୂର୍ବରୁ ବୈଥ୍ଲେହମ୍ ସହର ନିକଟସ୍ଥ ଗେରୁତ୍ତ୍ୱକିମହମରେ କିଛି ସମୟ ଅଟକି ଥିଲେ।
42 ଯେତେବେଳେ ସେମାନେ ଗେରୁତ୍ତ୍ୱକିମହମରେ ଥିଲେ ସେତେବେଳେ ଯୋହାନନ୍ ଓ ହୋଶୟିୟର ପୁତ୍ର ଯାସନିୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଗଲେ। 2 ସେ ସମସ୍ତ ଲୋକ ତାଙ୍କୁ କହିଲେ, “ହେ ଯିରିମିୟ, ଆମ୍ଭେମାନେ ତୁମ୍ଭକୁ ନିବେଦନ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭେମାନେ ଅନେକ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ। 3 ଆଉ ଆମ୍ଭମାନଙ୍କର କେଉଁ ପଥରେ ଯିବା ଉଚିତ୍ ଓ କେଉଁ କାର୍ଯ୍ୟ କରିବା ଉଚିତ୍, ତାହା ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରାର୍ଥନା କରି ଆମ୍ଭମାନଙ୍କୁ ଜଣାଇବ।”
4 ତା’ପରେ ଯିରିମିୟ ଭବିଷ୍ୟଦ୍ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି। ଆଉ ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯାହାବି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି। ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ ରଖିବି ନାହିଁ।”
5 ତା’ପରେ ସେମାନେ ଯିରିମିୟଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସାରେ ଯେବେ ଆମ୍ଭେମାନେ କର୍ମ ନ କରୁ, ତେବେ ସଦାପ୍ରଭୁ ଆମ୍ଭମାନଙ୍କ ବିପକ୍ଷରେ ସତ୍ୟ ଓ ବିଶ୍ୱସ୍ତ ସାକ୍ଷୀ ହୁଅନ୍ତୁ। 6 ସେହି ବାକ୍ୟ ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ। କାରଣ ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ କଥା ମାନିଲେ ଆମ୍ଭମାନଙ୍କର ମଙ୍ଗଳ ହେବ।”
7 ଅନନ୍ତର ଦଶ ଦିନ ଅନ୍ତେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। 8 ତା’ପରେ ଯିରିମିୟ କାରେହର ପୁତ୍ର ଯୋହାନନ୍କୁ, ତାହାର ସଙ୍ଗୀ ସମସ୍ତ ସେନାପତିଙ୍କୁ ଓ ଛୋଟ ବଡ଼ ଅନ୍ୟ ସମସ୍ତ ଲୋକଙ୍କୁ ଡାକି କହିଲେ। 9 “ତୁମ୍ଭେମାନେ ମୋତେ ଯେଉଁ ସଦାପ୍ରଭୁଙ୍କ ନିକଟକୁ ନିବେଦନ କରିବାକୁ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, 10 ‘ଯଦି ତୁମ୍ଭେମାନେ ଯିହୁଦାରେ ବାସ କର, ତେବେ ଆମ୍ଭେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ଓ ବିନଷ୍ଟ କରିବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବୀଜ ବୁଣିବା ଓ ତୁମ୍ଭକୁ ଧ୍ୱଂସ କରିବା ନାହିଁ। କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଦୁର୍ଭାଗ୍ୟ ଆଣିଥିବାରୁ ଦୁଃଖିତ। 11 ତୁମ୍ଭେମାନେ ଯେଉଁ ବାବିଲ ରାଜାଙ୍କୁ ଭୟ କରୁଥିଲ, ତାଙ୍କୁ ଆଉ ଭୟ କର ନାହିଁ।’ ସଦାପ୍ରଭୁ କହନ୍ତି, ‘ତାଙ୍କୁ ତୁମ୍ଭେମାନେ ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ। 12 ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା। ସେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇ ତୁମ୍ଭମାନଙ୍କୁ ଏହି ଦେଶକୁ ଫେରାଇ ଆଣିବେ।’ 13 ଆଉ ତୁମ୍ଭେମାନେ ଯଦି କହିବ, ‘ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ,’ ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରୁଛ। 14 ଆଉ ମଧ୍ୟ ତୁମ୍ଭେମାନେ ଯଦି କହିବ, ‘ଆମ୍ଭେମାନେ ମିଶର ଦେଶକୁ ଯିବା ଓ ସେଠାରେ ବାସ କରିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ କି ତୂରୀଶବ୍ଦ ଶୁଣିବା ନାହିଁ କିଅବା ସେଠାରେ ଆମ୍ଭେମାନେ ଖାଦ୍ୟର ଅଭାବ ଭୋଗିବା ନାହିଁ।’ 15 ଏଣୁ ହେ ଯିହୁଦାର ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେମାନେ ମିଶରକୁ ଯିବା ପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ। 16 ତୁମ୍ଭେମାନେ ଯେଉଁ ଖଡ଼୍ଗକୁ ଭୟ କରୁଛ ତାହା ତୁମ୍ଭମାନଙ୍କ ପଛେ ପଛେ ଯାଇ ମିଶରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୟଭୀତ, ତାହା ମିଶର ଦେଶରେ ତୁମ୍ଭମାନଙ୍କ ପଛେ ପଛେ ଲାଗି ରହିବ ଓ ସେହିଠାରେ ତୁମ୍ଭେମାନେ ମରିବ। 17 ଯେଉଁମାନେ ମିଶରରେ ପ୍ରବାସ କରିବା ପାଇଁ ସ୍ଥିର କରିଛନ୍ତି। ସେମାନଙ୍କ ପାଇଁ ଏହି ପ୍ରକାର ଘଟିବ। ସେମାନେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବା ସେଥିରୁ ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର ପାଇବେ ନାହିଁ।’
18 “ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିରୁଶାଲମର ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସେହିପରି ଯେଉଁମାନେ ମିଶରରେ ପ୍ରବାସ କରିବେ, ଆମ୍ଭେ ସେମାନଙ୍କ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢାଳିବା। ଆଉ ତୁମ୍ଭେମାନେ ଅଭିଶପ୍ତ, ବିସ୍ମୟ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଦେଖିବ ନାହିଁ।’
19 “ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହିକଥା କହି ଅଛନ୍ତି, ‘ତୁମ୍ଭେମାନେ ମିଶରକୁ ଯାଅ ନାହିଁ।’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ। 20 ପୁଣି ତୁମ୍ଭେମାନେ ନିଜ ନିଜ ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା ପାଳନ କରିବୁ।’ 21 ତେଣୁ ଆଜି ସଦାପ୍ରଭୁଙ୍କ ସେହି ବାକ୍ୟ ତୁମ୍ଭମାନଙ୍କୁ ଜଣାଇଲି। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ବାକ୍ୟ ପ୍ରତି ଧ୍ୟାନ ଦେଲ ନାହିଁ। ଆଉ ତୁମ୍ଭମାନଙ୍କ ପରମେଶ୍ୱର ଯାହା କରିବାକୁ ମୋତେ କହି ପଠାଇଲେ, ତାହା ତୁମ୍ଭେମାନେ କଲ ନାହିଁ। 22 ଏଣୁ ଏବେ ନିଶ୍ଚୟ ଜାଣ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଇଚ୍ଛା କରୁଛ, ସେହି ମିଶରକୁ ଯାଅ। କିନ୍ତୁ ଏହା ନିଶ୍ଚୟ ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭେମାନେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”
4 ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍। 2 କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସେହିପରି ସୁସମାଗ୍ଭର କୁହାଯାଇଅଛି, କିନ୍ତୁ ସେମାନେ ଶୁଣି ମଧ୍ୟ ତାହାକୁ ବିଶ୍ୱାସପୂର୍ବକ ନିଜସ୍ୱ ନ କରିବାରୁ ସେମାନଙ୍କ ପକ୍ଷରେ ସୁସମାଗ୍ଭର ଲାଭଜନକ ହେଲା ନାହିଁ। 3 ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି:
“ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି;
ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” (A)
ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା। 4 ଶାସ୍ତ୍ରର କୌଣସି ସ୍ଥାନରେ ପରମେଶ୍ୱର ସପ୍ତାହର ସପ୍ତମ ଦିନ ବିଷୟରେ କହିଛନ୍ତି: “ସପ୍ତମ ଦିନରେ ପରମେଶ୍ୱର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।” [a] 5 ପରମେଶ୍ୱର ଆଉ ଏକ ଶାସ୍ତ୍ରରେ କହିଛନ୍ତି: “ସେହି ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” [b]
6 ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଗ୍ଭର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ଯୋଗୁଁ ସେମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ୟ କେବେ ଲୋକ ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ୱର ଆଉ ଗୋଟିଏ ବିଶେଷ ଦିନ ଅର୍ଥାତ୍ ‘ଆଜିଦିନ’ [c] ନିରୂପଣ କଲେ। 7 ଏହି ଦିନଟି ବିଷୟରେ ପରମେଶ୍ୱର ବହୁତ ଦିନ ପରେ ଦାଉଦଙ୍କ ମାଧ୍ୟମରେ କହିଛନ୍ତି। ସେହି ଶାସ୍ତ୍ରରେ ଆମ୍ଭେ ପୂର୍ବରୁ କହିଛୁ:
“ଯଦି ତୁମ୍ଭେମାନେ ‘ଆଜି’ ପରମେଶ୍ୱରଙ୍କ ବାଣୀ ଶୁଣିଛ,
ତାହାହେଲେ ପୂର୍ବପରି ଆପଣା ହୃଦୟ କଠିନ ନ କର।” (B)
8 ଆମ୍ଭେ ଜାଣୁ ଯେ ଯିହୋଶୂୟ ଲୋକଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନେଇଯାଇ ନ ଥିଲେ। ଯଦି ସେ ନେଇଥା’ନ୍ତେ, ତେବେ ପରମେଶ୍ୱର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ ‘ଆଜି’ ବୋଲି ଘୋଷଣା କରି ନ ଥା’ନ୍ତେ। 9 ଏହା ପ୍ରମାଣିତ କରେ ଯେ, ପରମେଶ୍ୱରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି। 10 ପରମେଶ୍ୱର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ୱରଙ୍କ ପରି ମନୁଷ୍ୟ ଆପଣା କାର୍ଯ୍ୟ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ। 11 ଅତଏବ, ଆମ୍ଭେ ପରମେଶ୍ୱରଙ୍କ ସେହି ବିଶ୍ରାମସ୍ଥଳରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ୟକ। ପରମେଶ୍ୱରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରନ୍ତି ନାହିଁ, ସେହି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭେମାନେ ଯଥାସାଧ୍ୟ ପରିଶ୍ରମ କରିବା ଆବଶ୍ୟକ।
12 ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ଅଟେ। ତାହାଙ୍କର ବାକ୍ୟ ଯେକୌଣସି ଦ୍ୱିଧାର ଖଡ଼୍ଗଠାରୁ ମଧ୍ୟ ଅଧିକ ଧାରୁଆ। ପରମେଶ୍ୱରଙ୍କ ବାକ୍ୟ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପାରେ। ଏହା ହୃଦୟର ଚିନ୍ତା ଓ ଭାବର ବିଗ୍ଭର କରେ। 13 ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କଥା ଲୁଚି ରହି ପାରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁକିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁରେ ତହିଁର ହିସାବ ଦେବାକୁ ହେବ।
ଯୀଶୁ ଆମ୍ଭକୁ ପରମେଶ୍ୱରଙ୍କ ସମ୍ମୁଖୀନ ହେବାରେ ସାହାଯ୍ୟ କରନ୍ତି
14 ପୁତ୍ର ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ସହିତ ରହିବା ପାଇଁ ସ୍ୱର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାଯାଜକ। 15 ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ। 16 ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
2010 by World Bible Translation Center