Old/New Testament
ଯିହୁଦାର ରାଜ ସିଦିକିୟଙ୍କୁ ସତର୍କବାଣୀ
34 ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ, ତାହାର ଶାସନାଧୀନ ସମସ୍ତ ରାଜ୍ୟ ଓ ସମସ୍ତ ଗୋଷ୍ଠୀ ଯିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।
2 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ହେ ଯିରିମିୟ, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକିୟଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତରେ ଯିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନିରେ ଦଗ୍ଧ କରିବ। 3 ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ୱଚକ୍ଷୁରେ ଦେଖିବ। ସେ ମୁହାଁମୁହିଁ ହୋଇ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ଯିବ। 4 ମାତ୍ର ହେ ଯିହୁଦାର ସିଦିକିୟ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି। ତୁମ୍ଭେ ଖଡ଼୍ଗରେ ନିହତ ହେବ ନାହିଁ। 5 ତୁମ୍ଭେ ତୁମ୍ଭ ପୂର୍ବପୁରୁଷଙ୍କ ପରି ଓ ପୂର୍ବବର୍ତ୍ତୀ ରାଜାମାନଙ୍କ ପରି ଶାନ୍ତିରେ ମୃତ୍ୟୁବରଣ କରିବ। ଯେପରି ସୁଗନ୍ଧ ସେମାନେ ତାଙ୍କ ପାଇଁ ଜାଳି ଥିଲେ, ସେହିପରି ସେମାନେ ତୁମ୍ଭ ପାଇଁ ସୁଗନ୍ଧ ଜାଳିବେ। ପୁଣି “ହାୟ ପ୍ରଭୋ!” ହାୟ ପ୍ରଭୋ! କହି ସେମାନେ ତୁମ୍ଭ ପାଇଁ ବିଳାପ କରିବେ।’” କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ।
6 ତେଣୁ ଭବିଷ୍ୟଦ୍ବକ୍ତା ଯିରିମିୟ ଯିରୁଶାଲମରେ ଯିହୁଦାର ରାଜା ସିଦିକିୟଙ୍କୁ ଏହିସବୁ କଥା କହିଲେ। 7 ସେତେବେଳେ ବାବିଲ ରାଜାର ସୈନ୍ୟ ଯିରୁଶାଲମ ବିରୁଦ୍ଧରେ, ଯିହୁଦାର ଅବଶିଷ୍ଟ ସକଳ ନଗର ବିରୁଦ୍ଧରେ ଓ ଲାଖୀଶ ଏବଂ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।
ଲୋକମାନେ ସେମାନଙ୍କର ଗୋଟିଏ ନିୟମ ଭଙ୍ଗ କରନ୍ତି
8 ସିଦିକିୟ ରାଜା ଯିରୁଶାଲମ ଲୋକମାନଙ୍କ ସହିତ ଏହି ନିୟମ କରିଥିଲେ ଯେ ପ୍ରତ୍ୟେକ ନିଜ ନିଜ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେବେ। କେହି ସେମାନଙ୍କୁ ଅର୍ଥାତ୍ ନିଜ ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବେ ନାହିଁ। ସିଦିକିୟ ଏହି ନିୟମ କଲାପରେ ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 9 ପ୍ରତ୍ୟେକ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରିବେ ଓ କେହି ଯିହୁଦୀୟମାନଙ୍କୁ ଦାସ୍ୟକର୍ମ କରାଇବେ ନାହିଁ। 10 ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିୟମ ଗ୍ରହଣ କଲେ ଓ ପ୍ରତ୍ୟେକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେଲେ। ଏହି ନିୟମରେ ସମସ୍ତେ ସମ୍ମତ ହେଲେ ଓ ସେମାନଙ୍କୁ ଦାସ୍ୟକର୍ମ ଆଉ କରାଇଲେ ନାହିଁ। 11 ମାତ୍ର ତାହାପରେ ସେମାନେ ନିଜ ନିଜ ହୃଦୟ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସେମାନଙ୍କୁ ପୁନର୍ବାର ଆଣି ଦାସ୍ୟକର୍ମରେ ନିଯୁକ୍ତ କଲେ।
12 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 13 ହେ ଯିରିମିୟ! ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ୱରୁ ମୁକ୍ତ କରିଥିଲୁ ଓ ସେମାନଙ୍କ ସହିତ ଏହି ନିୟମ କରିଥିଲୁ। 14 ଆମ୍ଭେ ସେମାନଙ୍କୁ କହିଥିଲୁ, ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାଙ୍କୁ ମୁକ୍ତ କରିବ।’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। 15 ପୁଣି ତୁମ୍ଭେମାନେ ଏହା ପରେ ଆପଣା ପ୍ରତିବାସୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମରେ ଖ୍ୟାତ ମନ୍ଦିରରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ। 16 ମାତ୍ର ତେମ୍ଭେମାନେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାୟ ଦେଇଥିଲୁ, ପୁନର୍ବାର ସେମାନଙ୍କୁ ଆଣି ଆପଣା ଆପଣା ଦାସ୍ୟକର୍ମରେ ବାଧ୍ୟ କରି ନିଯୁକ୍ତ କଲ।
17 “ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ପ୍ରତିବାସୀଙ୍କୁ “ମୁକ୍ତ ଦେବା ପାଇଁ “‘ଆମ୍ଭ ନିୟମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା। 18 ପୁଣି ଯେଉଁମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଗୋବତ୍ସକୁ ଦୁଇଖଣ୍ଡ କରି ତନ୍ମଧ୍ୟରେ ଗମନ କରିଛନ୍ତି, ମୁଁ ସେମାନଙ୍କୁ ସେହି ବାଛୁରି ପରି କରିବି। 19 ପୁଣି ଯିହୁଦାର ଅଧିପତିଗଣଙ୍କୁ, ଯିରୁଶାଲମର ଅଧିପତିମାନଙ୍କୁ ନପୁଂସକମାନଙ୍କୁ, ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ ଯେଉଁମାନେ ଗୋବତ୍ସର ଦୁଇଖଣ୍ଡ ମଧ୍ୟଦେଇ ଗମନ କଲେ ସେମାନଙ୍କୁ ମଧ୍ୟ ସମର୍ପଣ କରିବା। 20 ଆମ୍ଭେ ସେମାନଙ୍କୁ ସେମାନଙ୍କର ଶତ୍ରୁଗଣ ହସ୍ତରେ ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନଙ୍କର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ୟ ପଶୁମାନଙ୍କର ଖାଦ୍ୟ ହେବ। 21 ପୁଣି ଯିହୁଦାର ରାଜା ସିଦିକିୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ଆଉ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠିଯାଇ ଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବି। 22 ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସେମାନଙ୍କୁ ଆମ୍ଭର ଆଜ୍ଞାରେ ଏହି ନଗରକୁ ଅଣାଇବା। ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ୟ କରି ଧ୍ୱଂସ ସ୍ତୁପରେ ପରିଣତ କରିବା।”
ରେଖବୀୟ ବଂଶର ଉତ୍ତମ ଦୃଷ୍ଟାନ୍ତ
35 ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱ କାଳରେ ସଦାପ୍ରଭୁଙ୍କ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 2 “ହେ ଯିରିମିୟ, ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”
3 ତହୁଁ ମୁଁ ହବତ୍ସିନିୟର ପୌତ୍ର, ଯିରିମିୟର ପୁତ୍ର ଯାଶନିୟକୁ, ତାହାର ଭ୍ରାତୃଗଣଙ୍କୁ ଓ ତାହାର ସମସ୍ତ ପୁତ୍ରଙ୍କୁ ଆଉ ସମସ୍ତ ରେଖବୀୟ ବଂଶକୁ ଏକତ୍ରିତ କରି ସଙ୍ଗରେ ନେଲି। 4 ସେମାନଙ୍କୁ ସଦାପ୍ରଭୁଙ୍କ ଗୃହକୁ ନେଇଗଲି। ମୁଁ ପରମେଶ୍ୱରଙ୍କ ଲୋକ ଯିଗ୍ଦଲିୟର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସେହି କୋଠରୀ ଶଲ୍ଲୂମର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରୀ ଉପରେ, ଅଧିପତିଗଣର କୋଠରୀ ନିକଟରେ ଥିଲା। 5 ପୁଣି ମୁଁ ରେଖବ ବଂଶୀୟ ଲୋକମାନଙ୍କ ସମ୍ମୁଖରେ ଦ୍ରାକ୍ଷାରସ ପୂର୍ଣ୍ଣ କେତେକ ଭାଣ୍ଡ ଓ ପାନପାତ୍ର ରଖି ସେମାନଙ୍କୁ କହିଲି, “ତୁମ୍ଭେମାନେ ଦ୍ରାକ୍ଷାରସ ପାନ କର।”
6 ମାତ୍ର ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଦ୍ରାକ୍ଷାରସ ପାନ କରିବୁ ନାହିଁ। କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ କେହି କେବେ ଦ୍ରାକ୍ଷାରସ ପାନ କରିବ ନାହିଁ। 7 ଆଉ ମଧ୍ୟ ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ, କିଅବା ବୀଜ ବୁଣିବ ନାହିଁ କିଅବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ ଅବା ତହିଁର ଅଧିକାରୀ ହେବ ନାହିଁ। ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।’ 8 ତେଣୁ ଆମ୍ଭେମାନେ ରେଖବୀୟ ବଂଶ ଆମ୍ଭ ପୂର୍ବପୁରୁଷ ଯିହୋନାଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦେଇଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭେମାନେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ରକନ୍ୟାମାନେ କେବେ ଦ୍ରାକ୍ଷାରସ ପାନ କରୁ ନାହୁଁ। 9 ଆଉ ଆମ୍ଭେମାନେ ବାସ କରିବା ନିମନ୍ତେ ଗୃହ ନିର୍ମାଣ କରୁ ନାହୁଁ। ଦ୍ରାକ୍ଷାକ୍ଷେତ୍ର କରୁ ନାହୁଁ କି ଶସ୍ୟ ରୋପଣ କରୁ ନାହୁଁ। 10 ଆମ୍ଭମାନଙ୍କର ପୂର୍ବପୁରୁଷ ଯିହୋନାଦବ୍ଙ୍କର ସମସ୍ତ ଆଜ୍ଞା ଅନୁସାରେ କାର୍ଯ୍ୟ କରି ତମ୍ବୁରେ ବାସ କରୁଅଛୁ। 11 ମାତ୍ର ବାବିଲର ରାଜା ନବୂଖଦ୍ନିତ୍ସର ଯେତେବେଳେ ଯିହୁଦା ଆକ୍ରମଣ କଲେ, ସେତେବେଳେ ଆମ୍ଭେମାନେ କହିଲୁ, ‘ଆସ, କଲ୍ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ଯୋଗୁଁ ଆମ୍ଭେମାନେ ଯିରୁଶାଲମ ଯିବା,’ ଏଣୁ ଆମ୍ଭେମାନେ ଯିରୁଶାଲମରେ ବାସ କରୁଅଛୁ।”
12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 13 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଆମ୍ଭର ବାକ୍ୟ ପ୍ରତି ଅବଧାନ କରି ଆମ୍ଭର ଶିକ୍ଷା ଗ୍ରହଣ କର।” 14 “ରେଖବର ପୁତ୍ର ଯିହୋନାଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହୋଇ ଆସୁଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରୁ ନାହାନ୍ତି। କାରଣ ସେମାନେ ଆପଣା ପିତୃପୁରୁଷଙ୍କ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଅବଧାନ କରୁ ନାହଁ। 15 ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ। 16 ରେଖବର ପୁତ୍ର ଯିହୋନାଦବ୍ର ବଂଶଧରଗଣ ସେମାନଙ୍କ ପ୍ରତି ଆବିଷ୍ଟ ହୋଇଥିବା ଆଜ୍ଞା ପ୍ରତିପାଳନ କରି ଆସୁଅଛନ୍ତି। ମାତ୍ର ଯିହୁଦାର ଲୋକମାନେ ଆମ୍ଭ କଥାରେ ଅବଧାନ କରି ନାହାନ୍ତି।’
17 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହା ସେମାନଙ୍କ ପ୍ରତି ଘଟାଇବା। କାରଣ ଆମ୍ଭେ ସେମାନଙ୍କୁ ଯେଉଁ କଥା କହିଅଛୁ, ସେମାନେ ଶୁଣୁ ନାହାନ୍ତି। ଆଉ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।”
18 ତେଣୁ ଯିରିମିୟ ରେଖବୀୟ ବଂଶକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ନିଜ ପୂର୍ବପୁରୁଷ ଯିହୋନାଦବ୍ର ଆଜ୍ଞା ମାନିଅଛ, ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ଯ୍ୟ କରିଅଛ।’ 19 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ହକନ୍ତି, ‘ଆମ୍ଭର ସେବା ନିମନ୍ତେ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକ ଆମ୍ଭ ସମ୍ମୁଖରେ ସର୍ବଦା ଠିଆ ହେବ।’”
ରାଜା ଯିହୋୟାକୀମ୍ ଯିରିମିୟଙ୍କ ନଳାକାର ପୁସ୍ତକ ଦହନ କରନ୍ତି
36 ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା। ଯଥା: 2 “ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ। 3 ମୁଁ ତାଙ୍କ ଉପରକୁ ବିପର୍ଯ୍ୟୟ ଆଣିବାର ଯୋଜନା ଶୁଣିଲା ପରେ ଏହା ଏପରି ହୋଇପାରେ, ସେମାନେ ଭୁଲ ରାସ୍ତାରୁ ଫେରି ପାରନ୍ତି ଏବଂ ତା’ପରେ ମୁଁ ସେମାନଙ୍କୁ କ୍ଷମା କରି ଦେବି।”
4 ତେଣୁ ଯିରିମିୟ ନେରିୟର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ୟ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ। 5 ତା’ପରେ ଯିରିମିୟ ବାରୂକକୁ କହିଲେ, “ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇପାରିବି ନାହିଁ, କାରଣ ମୋତେ ମନ୍ଦିରରେ ପ୍ରବେଶ କରିବାକୁ ମନା। 6 ତେଣୁ ତୁମ୍ଭେ ଯାଅ ଓ ମୋ’ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିରରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କର। ଆଉ ମଧ୍ୟ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର। 7 ସେମାନେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତରେ ନିଜ ନିଜର ବିନତି ଜଣାଇବେ ଓ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ଭୟଙ୍କର କ୍ରୋଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।” 8 ତେଣୁ ନେରିୟର ପୁତ୍ର ବାରୂକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କର କହିବାନୁସାରେ ସମସ୍ତ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ପାଠ କଲେ।
9 ଏହା ପରେ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ପଞ୍ଚମ ବର୍ଷର ନବମ ମାସରେ ଯିରୁଶାଲମର ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୁଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ। 10 ସେତେବେଳେ ବାରୂକ ସେହି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ୟ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଗମରିୟର କୋଠରୀରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ତାହା ପାଠ କଲେ।
11 ବାରୂକ ତାହା ପାଠ କଲାବେଳେ ଶାଫନର ପୌତ୍ର ଗମରିୟର ପୁତ୍ର ମୀଖାୟ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲେ। 12 ସେତେବେଳେ ସେ ସଦାପ୍ରଭୁଙ୍କ ବାକ୍ୟ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକୁ ଗଲା, ସେତେବେଳେ ସେ ସ୍ଥାନରେ ସମସ୍ତ ଅଧିପତି, ଯଥା: ଇଲୀଶାମା ଲେଖକ, ଶମୟିୟର ପୁତ୍ର ଦଲୟିୟ, ଅକବୋରର ପୁତ୍ର ଇଲ୍ନାଥନ୍, ଶାଫନର ପୁତ୍ର ଗମରିୟ ଓ ହନାନିୟର ପୁତ୍ର ସିଦିକିୟ ଉପବିଷ୍ଟ ଥିଲେ। 13 ମୀଖାୟ ଲୋକମାନଙ୍କର କର୍ଣ୍ଣଗୋଚରରେ ବାରୂକ ପାଠ କରିଥିବା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ସେମାନଙ୍କୁ ଜଣାଇଲା।
14 ତାହାପରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶେଲିମିୟର ପୌତ୍ର, ନଥନିୟର ପୁତ୍ର ଯିହୁଦୀକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, “ତାହା ନେଇ ଏଠାକୁ ଆସ।”
ତା’ପରେ ନେରିୟର ପୁତ୍ର ବାରୂକ ଚିଟାଉ ନେଇ ସେମାନଙ୍କ ନିକଟକୁ ଗଲା।
15 ତା’ପରେ ସେହି ଅଧିପତିଗଣ ବାରୂକକୁ କହିଲେ, “ଏଠାରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।”
ତେଣୁ ବାରୂକ ସେମାନଙ୍କ ସମ୍ବନ୍ଧରେ ତାହା ପାଠ କଲେ।
16 ସେତେବେଳେ ସେହି ଅଧିପତିଗଣ ସବୁକଥା ଶୁଣି ଭୟଭୀତ ହେଲେ ଓ ପରସ୍ପର ମୁହଁକୁ ଅନାଇଲେ। ସେମାନେ ବାରୂକକୁ କହିଲେ, “ଆମ୍ଭେମାନେ ନିଶ୍ଚିତଭାବରେ ନଳାକାର ପୁସ୍ତକ ଲିଖିତ ଏହିସବୁ ବାକ୍ୟ ରାଜା ଯିହୋୟାକୀମ୍ଙ୍କୁ ଜଣାଇବୁ।” 17 ପୁଣି ସେମାନେ ବାରୂକକୁ ପଗ୍ଭରିଲେ, “ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ? ତୁମ୍ଭେ କ’ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ?”
18 ବାରୂକ ଉତ୍ତର କଲେ, “ହଁ,” “ଯିରିମିୟ ଯାହାସବୁ ମୋତେ କହିଲେ, ମୁଁ କାଳି ନେଇ ଏହି ପୁସ୍ତକରେ ସେସବୁ ଲେଖିଲି।”
19 ତାହାପରେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମିୟ ଯାଇ କୁହ। ଆଉ କେଉଁଠାରେ ଅଛ ତାହା ଅନ୍ୟକୁ ଜଣାଅ ନାହିଁ।”
20 ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଇଲୀଶାମା ଲେଖକର କୋଠରୀରେ ଛାଡ଼ିଗଲେ। ସେମାନେ ରାଜା ଯିହୋୟାକୀମ୍ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତାଙ୍କୁ ଜଣାଇଲେ।
21 ଏଣୁ ରାଜା ଯିହୋୟାକୀମ୍ ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା’ପରେ ଯିହୁଦୀ ରାଜା ଓ ରାଜାଙ୍କ ଗ୍ଭରି ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲେ। 22 ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜଳୁଥିଲା। 23 ଅନନ୍ତର ଯିହୁଦୀ ପୁସ୍ତକରୁ ତିନିଗ୍ଭରି ପତ୍ର ପାଠ କଲାପରେ ରାଜା ଏକ କ୍ଷୁଦ୍ର ଛୁରୀରେ ତାହାକୁ କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇ ଦେଲେ। ଶେଷରେ ସେହି ପାତ୍ର ଅଗ୍ନିରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା। 24 ଆଉ ମଧ୍ୟ ରାଜା ଓ ତାଙ୍କର ଦାସଗଣ ଯେତେବେଳେ ସେହି ପୁସ୍ତକର ବାକ୍ୟ ଶୁଣିଲେ, ସେମାନେ କେହି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।
25 ଆଉ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲ୍ନାଥନ୍, ଦଲାୟ ଓ ଗମରିୟ ତାହାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ। 26 ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ୟଦ୍ବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ଯିରହମେଲ୍କୁ, ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍ଦିୟେଲର ପୁତ୍ର ଶେଲିମିୟକୁ ଆଜ୍ଞା କଲେ। ମାତ୍ର ସେମାନେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସେମାନଙ୍କୁ ଲୁଗ୍ଭଇ ରଖିଥିଲେ।
27 ଯିରିମିୟଙ୍କ ମୁଖନିଃସୃତ ବାକ୍ୟ ରୂପକ ଯେଉଁ ପୁସ୍ତକରେ ଲେଖିଥିଲେ, ରାଜା ତାକୁ ଦଗ୍ଧ କଲାପରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା:
28 “ହେ ଯିରିମିୟ, ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ପୁସ୍ତକ ପୋଡ଼ି ପକାଇଅଛି, ସେହି ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ। 29 ପୁଣି ଯିହୁଦାର ରାଜା ଯିହୋୟାକୀମ୍ଙ୍କୁ ତୁମ୍ଭେ ଏହା କହିବ, ‘ସଦାପ୍ରଭୁ ଏହା କହନ୍ତି, “ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ। ଏପରି କଥା ସେଥିରେ ଅଛି? ଏଥି ସକାଶେ ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ।” 30 ଏଣୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରାରେ ଓ ରାତ୍ରି ବେଳା କାକରରେ ପକାଯିବ। 31 ପୁଣି ଆମ୍ଭେ ରାଜା ଯିହୋୟାକୀମ୍କୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା। ଆଉ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୁଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ଘଟାଇବା। କାରଣ ସେମାନେ ଆମ୍ଭ କଥା ଶୁଣିଲେ ନାହିଁ।”’
32 ତା’ପରେ ଯିରିମିୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନେଇ ନେରିୟର ପୁତ୍ର ବାରୂକକୁ ଦେଲେ। ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନିରେ ଦଗ୍ଧ କରିଥିଲେ, ସେହି ନଳାକାର ପୁସ୍ତକ ଲିଖିତ ସମସ୍ତ ବାକ୍ୟ ଯିରିମିୟଙ୍କ ମୁଖରୁ ଶୁଣି ପୁଣି ସେହି ନଳାକାର ପୁସ୍ତକରେ ଲେଖିଲା। ଆଉ ମଧ୍ୟ ଅନେକ ସେହି ପ୍ରକାର କଥା ଏହି ଦ୍ୱିତୀୟ ନଳାକାର ପୁସ୍ତକରେ ଯୋଗ କରାଇଲେ।
ବ୍ୟବସ୍ଥା ଅପେକ୍ଷା ଆମ୍ଭର ପରିତ୍ରାଣ ସର୍ବଶ୍ରେଷ୍ଠ
2 ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ। 2 ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିବା ଶିକ୍ଷା ସତ୍ୟ ବୋଲି ଦେଖାଇ ଦିଆଗଲା। ପ୍ରତ୍ୟେକ ଥର ଯିହୂଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତେବେଳେ ସେହି ଶିକ୍ଷାକୁ ସେମାନେ ଅବମାନନା କଲେ, ସେମାନେ ଦଣ୍ଡିତ ହେଲେ। 3 ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବହେଳା କଲେ, ଆମ୍ଭେ ମଧ୍ୟ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟରେ କହିଲେ। ଯେଉଁମାନେ ଶୁଣିଲେ, ସେମାନେ ଆମ୍ଭକୁ ଏହାର ସତ୍ୟତା ପ୍ରମାଣ କରି ଦେଖାଇ ଦେଲେ। ଆଶ୍ଚର୍ଯ୍ୟକର୍ମ, ନାନାଦି ଚିହ୍ନ ଓ ଅନେକ ପ୍ରକାରର ଅଦ୍ଭୂତ 4 କର୍ମ ଦ୍ୱାରା ପରମେଶ୍ୱର ମଧ୍ୟ ଏହାର ପ୍ରମାଣ ଦେଲେ। ପରମେଶ୍ୱର ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ଏହା ପ୍ରମାଣିତ କରିଅଛନ୍ତି।
ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ମାନବ ଦେହ ଧାରଣ କଲେ
5 ଯେଉଁ ଭାବୀଜଗତ ବିଷୟରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ୱର ଦୂତମାନଙ୍କୁ ବାଛି ନାହାନ୍ତି। 6 ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି:
“ପରମେଶ୍ୱର!
ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର?
ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ?
ସେ କ’ଣ ସତରେ ମହାନ ଅଟନ୍ତି ଯେ
7 ତୁମ୍ଭେ ସ୍ୱର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ୟୁନ କରିଅଛ?
ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,
8 ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।” (A)
ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା’ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ। 9 ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।
10 ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ।
11 ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ। 12 ଯୀଶୁ କୁହନ୍ତି:
“ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି।
ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।” (B)
13 ସେ ଆହୁରି କହନ୍ତି:
“ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।” (C)
ଓ ସେ କୁହନ୍ତି:
“ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।” (D)
14 ସେହି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସେମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସେହିପରି କରିବା ଦ୍ୱାରା, ଯୀଶୁ ମୃତ୍ୟୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ। 15 ମୃତ୍ୟୁ ଭୟରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ୟୁ ବରଣ କଲେ। 16 କାରଣ ପ୍ରକୃତରେ ଯୀଶୁ ସ୍ୱର୍ଗଦୂତମାନଙ୍କ ପ୍ରତି ମନଯୋଗୀ ନ ହୋଇ ଅବ୍ରହାମଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରନ୍ତି। 17 ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। 18 ଯୀଶୁ ପରୀକ୍ଷିତ ହୋଇ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି।
2010 by World Bible Translation Center