Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଗୀତସଂହିତା 148-150

148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
    ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
    ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
    ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
    ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
    କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
    ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
    ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
    ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
    ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
    ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
    ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
    ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
    ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
    ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।

149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
    ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
    ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
    ଦାରା ଓ ବୀଣା ବାଦନ କରି।
ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
    ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
    ସେ ସେମାନଙ୍କୁ ରକ୍ଷା କଲେ।
ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
    ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।

ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
    ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖ‌ଡ଼୍‌ଗମାନ ଧରନ୍ତୁ।
ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
    ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
    ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
    ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
    ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
    ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
    ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
    ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
    ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।

ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:29-58

29 ଯଦି ଲୋକମାନେ ମୃତ୍ୟୁରୁ ଆଦୌ ଉ‌ତ୍‌‌ଥିତ ହେବେ ନାହିଁ, ତା’ହେଲେ ଯେଉଁମାନେ ମୃତମାନଙ୍କ ପାଇଁ ବାପ୍ତିଜିତ ହୋଇଛନ୍ତି, ସେମାନେ କ’ଣ କରିବେ? ଯଦି ମୃତମାନେ ଆଦୌ ଉ‌ତ୍‌‌ଥିତ ହେବେ ନାହିଁ, ତା’ହେଲେ କାହିଁକି ସେମାନଙ୍କ ପାଇଁ ଲୋକମାନଙ୍କୁ ବାପ୍ତିଜିତ କରାଯାଇଥାଏ?

30 ଆମ୍ଭେ ପ୍ରତି ମୁହୂର୍ତ୍ତରେ କ’ଣ ପାଇଁ ବିପଦର ସମ୍ମୁଖୀନ ହେଉ? 31 ଭାଇମାନେ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ ଗର୍ବ କରିଥାଏ, ସେଥିର ଶପଥ କରି କହୁଛି, ମୁଁ ପ୍ରତିଦିନ ମରେ। 32 ଯଦି ମୁଁ ଏଫିସଠାରେ ମୋର ଗର୍ବ ରକ୍ଷାର୍ଥେ ବନ୍ୟପଶୁମାନଙ୍କ ସହ ଯୁଦ୍ଧ କରିଛି, ତା’ହେଲେ ମୁଁ କ’ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ୟୁରୁ ଉ‌ତ୍‌‌ଥିତ ହେବ ନାହିଁ, ତା’ହେଲେ “ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହେବ।” [a]

33 ମୂର୍ଖଙ୍କ ଭଳି ଆଚରଣ କର ନାହିଁ। “ମନ୍ଦ ସଙ୍ଗୀମାନେ ଭଲ ଅଭ୍ୟାସଗୁଡ଼ିକୁ ନଷ୍ଟ କରିଦେବେ।” 34 ଅତଏବ, ତୁମ୍ଭେ ଜାଗ୍ରତ ହୁଅ, ଓ ପାପ କରିବା ବନ୍ଦ କର। ତୁମ୍ଭମାନଙ୍କ ମଧ୍ୟରୁ କେତେକ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ଲଜ୍ଜା ଦେବା ପାଇଁ ଏ କଥା ମୁଁ କହୁଛି।

ଆମ୍ଭେ କେଉଁ ପ୍ରକାର ଶରୀର ପାଇବା?

35 କିନ୍ତୁ ଜଣେ ପଗ୍ଭରି ପାରେ: “ମୃତଗୁଡ଼ିକ କିପରି ଉ‌ତ୍‌‌ଥିତ ହୁଅନ୍ତି? 36 ସେମାନେ କେଉଁ ଭଳି ଦେହ ଧାରଣ କରିବେ?” ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ଯ୍ୟନ୍ତ ସଜୀବ ହୁଏ ନାହିଁ। 37 ବୁଣିଲା ବେଳେ ତୁମ୍ଭେମାନେ ଯାହା ବୁଣ, ବିକଶିତ ହେଲା ପରେ ତାହା ସେହି “ଶରୀର” ଧାରଣ କରେ ନାହିଁ। ତୁମ୍ଭେମାନେ ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ, କେବଳ ବୀଜଟି ବୁଣ। 38 ତା’ପରେ ପରମେଶ୍ୱର ଯେପରି ଇଚ୍ଛା କରନ୍ତି, ସେହିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ୱର ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି। 39 ଶରୀରରୁ ଜାତ ସମସ୍ତ ବିଷୟରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼େଇମାନଙ୍କର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର। 40 ସ୍ୱର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି। କିନ୍ତୁ ସ୍ୱର୍ଗୀୟ ଶରୀରରୁ ଏକ ପ୍ରକାରର ହେବ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହେବ। 41 ସୂର୍ଯ୍ୟର ଜ୍ୟୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ୟୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ୟୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ୟୋତିଃ, ଅନ୍ୟ ତାରାମାନଙ୍କଠାରୁ ଅଲଗା।

42 ମୃତମାନଙ୍କର ଉ‌ତ୍‌‌ଥାନ ବିଷୟରେ ମଧ୍ୟ ଏହି କଥାଟି ପ୍ରଜୁଯ୍ୟ। ଯେଉଁ ଶରୀରଟି ପୋତି ଦିଆ ହେଲା, ତାହା ନଷ୍ଟ ହୋଇଯିବ। କିନ୍ତୁ ସେହି ଶରୀରଟି ଯେଉଁ ନୂତନ ଦେହ ଧାରଣ କରିବ, ତାହା ନଷ୍ଟ ହେବ ନାହିଁ। 43 ଶରୀରଟି ଅନାଦରରେ “ବୁଣାଯାଏ”, କିନ୍ତୁ ମହିମାରେ ତାହା ଉ‌ତ୍‌‌ଥିତ ହୁଏ। ଯେତେବେଳେ ଦୁର୍ବଳତାରେ ଶରୀରଟି “ବୁଣାଯାଏ” ଏହା ଶକ୍ତିର ସହିତ ଉ‌ତ୍‌‌ଥିତ ହୁଏ। 44 ପ୍ରାକୃତିକ ଶରୀରଟି “ବୁଣାଯାଏ”, ଆତ୍ମିକ ଶରୀର ଉ‌ତ୍‌‌ଥିତ ହୁଏ।

ଯଦି ପ୍ରାକୃତିକ ଶରୀର ଅଛି, ତା’ହେଲେ ଆଧ୍ୟାତ୍ମିକ ଶରୀର ମଧ୍ୟ ଅଛି। 45 ଶାସ୍ତ୍ରରେ ଲେଖା ଅଛି: “ପ୍ରଥମ ମନୁଷ୍ୟ (ଆଦମ) ସଜୀବ ପ୍ରାଣୀ,” [b] କିନ୍ତୁ ଶେଷ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା। 46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ। ମାତ୍ର ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ ଆସେ। 47 ପ୍ରଥମ ମନୁଷ୍ୟଟି ପୃଥିବୀର ମାଟିରୁ ନିର୍ମିତ ହୋଇଥିଲା; କିନ୍ତୁ ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆସିଥିଲେ। 48 ଜଗତର ପ୍ରଥମ ମନୁଷ୍ୟ ଭଳି ପ୍ରତ୍ୟେକ ମନୁଷ୍ୟ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ୱର୍ଗର, ସେମାନେ ସ୍ୱର୍ଗରୁ ଆଗତ ସେହି ମନୁଷ୍ୟ ତୁଲ୍ୟ। 49 ଆମ୍ଭେମାନେ ଜଗତରୁ ସେହି ମନୁଷ୍ୟ ତୁଲ୍ୟ ନିର୍ମିତ ହୋଇଅଛୁ। ଅତଏବ, ଆମ୍ଭେ ମଧ୍ୟ ସ୍ୱର୍ଗର ସେହି ବ୍ୟକ୍ତି ତୁଲ୍ୟ ଶରୀର ଧାରଣ କରିବା।

50 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏ କଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ। 51 କିନ୍ତୁ ଶୁଣ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି: ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହେବା। 52 ଏହା କେବଳ ମୁହୂର୍ତ୍ତକ ମଧ୍ୟରେ ଆଖି ପିଛୁଳାକେ, ଘଟି ଯିବ। ଯେତେବେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ୱାସୀ ମରିଯାଇଛନ୍ତି ସେମାନେ ମୃତ୍ୟୁରୁ ଅନନ୍ତକାଳ ପାଇଁ ଉ‌ତ୍‌‌ଥିତ ହେବେ ଓ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ପରିବର୍ତ୍ତିତ ହେବେ। 53 ଏହି ବିନାଶ ଦେହ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହେବ ଓ ଏହି ମର୍ତ୍ତ୍ୟ ଦେହ ଅମରରୂପ ବସ୍ତ୍ର ଧାରଣ କରିବାକୁ ହେବ। 54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ୟ ଦେହ ଅମରତ୍ୱ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହେବ।

“ଜୟ ମୃତ୍ୟୁକୁ ଗ୍ରାସ କରି ଦେଲା” (A)

55 ମୃତ୍ୟୁ ତୁମ୍ଭର ବିଜୟ କେଉଁଠାରେ ଅଛି?
    କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠାରେ ଅଛି” (B)

56 ମୃତ୍ୟୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ୟବସ୍ଥା। 57 କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି।

58 ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।

Oriya Bible: Easy-to-Read Version (ERV-OR)

2010 by World Bible Translation Center