Old/New Testament
137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
ସେଠାରେ ବସି ରୋଦନ କଲୁ।
2 ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
3 ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
4 କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
ବିଦେଶରେ ଗାନ କରି ପାରିବା!
5 ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
6 ହେ ଯିରୁଶାଲମ,
ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।
ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
7 ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
8 ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
9 ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ।
15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।
19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
24 ଏହା ନିଶ୍ଚିତ କର ଯେ, ମୁଁ କୌଣସି ଦୁଷ୍ଟତାର ବାଟରେ ଯାଇ ନାହିଁ।
ମୋତେ ସେହି ବାଟରେ ଆଗେଇ ନିଅ, ଯାହା ସବୁଦିନ ପାଇଁ ସତ୍ୟ ହୋଇଅଛି।
13 ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷାରେ ବା ସ୍ୱର୍ଗଦୂତଙ୍କ ଭାଷାରେ କହିପାରେ, ମାତ୍ର ମୋ’ଠାରେ ପ୍ରେମ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ। 2 ମୋ’ ପାଖରେ ଭାବବାଣୀ କହିବାର ଶକ୍ତି ଥାଇପାରେ, ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୂଢ଼ତତ୍ତ୍ୱ ଜାଣି ଥାଇପାରେ, ମୋର ସମସ୍ତ ଜ୍ଞାନ ଥାଇପାରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଇପାରେ, କିନ୍ତୁ ଯଦି ମୋ’ଠାରେ ପ୍ରେମ ନାହିଁ, ତା’ହେଲେ ମୁଁ କିଛି ନୁହେଁ। 3 ଯଦି ମୁଁ ମୋର ସମସ୍ତ ସମ୍ପତ୍ତି ଦରିଦ୍ରକୁ ଖୁଆଇବା ପାଇଁ ଦାନ କରି ଦେଇପାରେ, ବା ନିଜ ଶରୀରକୁ ଦଗ୍ଧ ହେବା ପାଇଁ ସମର୍ପଣ କରି ଦେଇପାରେ, ମାତ୍ର ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ପାଇବି ନାହିଁ।
4 ପ୍ରେମ ଦୀର୍ଘ ସହିଷ୍ଣୁ। ପ୍ରେମ ଦୟାବାନ। ପ୍ରେମରେ ଈର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ। 5 ପ୍ରେମ ଅନୁଚିତ୍ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ। ସହଜରେ ବିରକ୍ତ ହୁଏ ନାହିଁ। ପ୍ରେମ କେବେ ହେଲେ ତା’ ପ୍ରତି ହୋଇଥିବା ଅପକାରକୁ ମନରଖେ ନାହିଁ। 6 ସେ ଅଧର୍ମରେ କଦାପି ଆନନ୍ଦ କରେ ନାହିଁ, ମାତ୍ର ସେ ସତ୍ୟରେ ଆନନ୍ଦ କରେ। 7 ପ୍ରେମ ସମସ୍ତ ବିଷୟ ସହ୍ୟ କରେ। ପ୍ରେମ ସମସ୍ତ ବିଶ୍ୱାସ କରେ; ସମସ୍ତ ଭରସା କରେ, ସବୁ ବିଷୟରେ ଧୈର୍ଯ୍ୟ ଧରି ରହେ।
8 ପ୍ରେମ କଦାପି ଶେଷ ହୁଏ ନାହିଁ। ଯଦି ଭାବବାଣୀ ଥାଏ, ତାହା ଲୋପ ହେବ, ଅନେକ ଭାଷା କହିବା ଶକ୍ତି ବନ୍ଦ ହୋଇଯିବ; ଯଦି ଜ୍ଞାନ ଥାଏ ତାହା ଲୋପ ହେବ। 9 କାରଣ ଆମ୍ଭକୁ ଜ୍ଞାନ ଓ ଭବିଷ୍ୟଦ୍ବାଣୀ ଆଂଶିକ ହେବାରୁ ଏହା ଲୋପ ହେବ। 10 କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ସମସ୍ତ ଆଂଶିକ ବିଷୟ ଲୋପ ହେବ।
11 ମୁଁ ଯେତେବେଳେ ଶିଶୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଗ୍ଭର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତେବେଳେ ମୁଁ ବୟସ୍କ ହେଲି, ମୁଁ ସେହି ଶିଶୁ ବେଳର କଥାଗୁଡ଼ିକୁ ଛାଡ଼ି ଦେଲି। 12 ସେହି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାଯ୍ୟରେ ଦେଖୁଛୁ, କିନ୍ତୁ ସେତେବେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କେବଳ ଆଂଶିକଭାବରେ ଜାଣିଛି, କିନ୍ତୁ ସେତେବେଳେ ପରମେଶ୍ୱର ମୋତେ ଯେପରି ଜାଣିଛନ୍ତି, ସେହିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି। 13 ଅତଏବ ବିଶ୍ୱାସ, ଭରସା ଓ ପ୍ରେମ ସ୍ଥାୟୀ ଅଟେ। ଉକ୍ତ ତିନୋଟି ମଧ୍ୟରୁ ପ୍ରେମ ହେଉଛି ସର୍ବୋତ୍କୃଷ୍ଟ।
2010 by World Bible Translation Center