Old/New Testament
135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
2 ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
3 ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।
4 ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
5 ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
6 ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
7 ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
ସେ ବର୍ଷା ସହିତ ବିଜୁଳି କରାନ୍ତି।
ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
8 ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
9 ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅଦ୍ଭୂତ କାର୍ଯ୍ୟମାନ କଲେ।
ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
ଓ ବାଶନର ରାଜା ଓଗ୍କୁ
ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।
13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
ସେମାନେ ସେମାନଙ୍କ ତୁଲ୍ୟ ହେବେ।
19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
136 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଦେବତାମାନଙ୍କର ଦେବତାର ପ୍ରଶଂସା କର।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
3 ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
4 ଯେ ଆଶ୍ଚର୍ଯ୍ୟକାର୍ଯ୍ୟମାନ କରନ୍ତି, ତାହଙ୍କର ପ୍ରଶଂସା କର।
ତାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
5 ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
6 ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ,
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
7 ପରମେଶ୍ୱର ମହାନ ଜ୍ୟୋତିର୍ଗଣ ନିର୍ମାଣ କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
8 ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ସୃଷ୍ଟି କଲେ,
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
9 ପରମେଶ୍ୱର ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
10 ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
11 ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
12 ପରମେଶ୍ୱର ତାହଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
13 ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ।
ତାହଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ।
14 ପରମେଶ୍ୱର ଇସ୍ରାଏଲକୁ ଏଥି ମଧ୍ୟରେ ଗମନ କରାଇଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
15 ପରମେଶ୍ୱର ଫାରୋ ଓ ତାହାର ସୈନ୍ୟଗଣଙ୍କୁ ସୂଫସାଗରରେ ବୁଡ଼ାଇ ଦେଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
16 ପରମେଶ୍ୱର ମରୁଭୂମି ଦେଇ ଆପଣା ଲୋକମାନଙ୍କୁ ଆଗେଇ ନେଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
17 ପରମେଶ୍ୱର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
18 ପରମେଶ୍ୱର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
19 ପରମେଶ୍ୱର ଇମୋରୀୟମାନଙ୍କର ରାଜା ସୀହୋନକୁ ପରାସ୍ତ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
20 ପରମେଶ୍ୱର ବାଶନର ରାଜା ଓଗ୍କୁ ପରାସ୍ତ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
21 ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ତାଙ୍କ ଭୂମି ଦେଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
22 ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
23 ପରମେଶ୍ୱର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେତେବେଳେ ଆମ୍ଭେ ପରାସ୍ତ ଥିଲୁ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
24 ପରମେଶ୍ୱର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
25 ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ଯୋଗାନ୍ତି।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
26 ସ୍ୱର୍ଗର ପରମେଶ୍ୱରଙ୍କ ପ୍ରଶଂସା କର!
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପବିତ୍ରଆତ୍ମାଙ୍କଠାରୁ ଦାନ
12 ଭାଇ ଓ ଭଉଣୀମାନେ! ଆତ୍ମିକ ଦାନଗୁଡ଼ିକ ବିଷୟରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି। 2 ତୁମ୍ଭେମାନେ ମନେପକାଅ ଯେ ବିଶ୍ୱାସୀ ହେବା ପୂର୍ବରୁ ତୁମ୍ଭେମାନେ କିପରି ବିପଥଗାମୀ ହୋଇ ମୂର୍ତ୍ତିପୂଜା କରିବାକୁ ଯାଉଥିଲା। 3 ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ୱରଙ୍କ ଆତ୍ମାପ୍ରାପ୍ତ ଲୋକ “ଯୀଶୁ ଅଭିଶପ୍ତ” ବୋଲି କଦାପି କହିବ ନାହିଁ। ପବିତ୍ରଆତ୍ମାଙ୍କ ସାହାଯ୍ୟ ବିନା କୌଣସି ଲୋକ “ଯୀଶୁ ପ୍ରଭୁ ଅଟନ୍ତି” ବୋଲି କହିବ ନାହିଁ।
4 ଆତ୍ମାଙ୍କ ଦାନ ଅନେକ ପ୍ରକାରର, କିନ୍ତୁ ସେଗୁଡ଼ିକ ସେହି ଏକ ପବିତ୍ରଆତ୍ମାଙ୍କଠାରୁ ଆସିଥାଏ। 5 ସେବା ମଧ୍ୟ ଅନେକ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସେବା କରୁ, ସେହି ପ୍ରଭୁ ଏକ ଅଟନ୍ତି। 6 ପରମେଶ୍ୱର ଆମ୍ଭମାନଙ୍କ ଜୀବନର ଅନେକ ପ୍ରକାର କାର୍ଯ୍ୟ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସେହି ପରମେଶ୍ୱର ଏକ ଅଟନ୍ତି।
7 ପ୍ରତ୍ୟେକ ଲୋକଠାରେ ଆତ୍ମାର ବିଶେଷ ଗୁଣ ଗୁଡ଼ିକ ଦେଖିବାକୁ ମିଳେ। 8 ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିରେ କଥା କହିବାକୁ ଦକ୍ଷତା ଦିଆ ହୋଇଛି, ଓ ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ଜ୍ଞାନର କଥା କହିବାକୁ ଯୋଗ୍ୟତା ଦିଆ ହୋଇଛି। 9 ସେହି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ୱାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି। 10 ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି। 11 ସେହି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେହି ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ’ଣ ଦିଆଯିବ, ତାହା ସ୍ଥିର କରନ୍ତି।
ଖ୍ରୀଷ୍ଟଙ୍କର ଶରୀର
12 ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ୟଙ୍ଗ ଅନେକ। ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଶରୀର ହେଉଛି ଏକ। ସେହିପରି ମଧ୍ୟ ଖ୍ରୀଷ୍ଟ ଏକ। 13 ଆମ୍ଭ ଭିତରୁ କେତେକ ହେଉଛୁ ଯିହୂଦୀ, କେତେକ ଅଣଯିହୂଦୀ, ଆମ୍ଭ ଭିତରୁ କେତେକ କ୍ରୀତଦାସ ଓ କେତେକ ସ୍ୱାଧୀନ। କିନ୍ତୁ ଆମ୍ଭେମାନେ ସମସ୍ତେ ଗୋଟିଏ ଆତ୍ମା ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ପ୍ରାପ୍ତ ହୋଇ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ୟ ପ୍ରଦାନ କରାଯାଇଛି।
14 ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନେକ ଗୁଡ଼ିଏ ଅଙ୍ଗ ଦ୍ୱାରା ନିର୍ମିତ। 15 ଯଦି ଗୋଡ଼ କୁହେ: “ମୁଁ ହାତ ନୁହେଁ, ଅତଏବ, ମୁଁ ଶରୀରର ଅଙ୍ଗ ନୁହେଁ।” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? 16 କାନ କହିପାରେ: “ମୁଁ ଆଖି ନୁହେଁ, ଅତଏବ ମୋର ଶରୀରର ଅଙ୍ଗ ନୁହେଁ,” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? 17 ସମ୍ପୂର୍ଣ୍ଣ ଶରୀର ଗୋଟିଏ ଆଖି ଦେଇଥା’ନ୍ତା, ତେବେ ସେ ଶରୀର ଶୁଣିପାରନ୍ତା କିପରି? ଯଦି ସମ୍ପୂର୍ଣ୍ଣ ଶରୀରଟି ଗୋଟିଏ କାନ ହୋଇଥା’ନ୍ତା ତା’ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି? 18-19 ଯଦି ସମ୍ପୂର୍ଣ୍ଣ ଶରୀରର ଅଙ୍ଗ କେବଳ ସେହି ଗୋଟିଏ ଅଙ୍ଗ ମାତ୍ର ହୋଇଥା’ନ୍ତା ତା’ହେଲେ ଶରୀର ନ ଥା’ନ୍ତା। କିନ୍ତୁ ପରମେଶ୍ୱର ଯେପରି ଠିକ୍ ମନେ କଲେ ପ୍ରତ୍ୟେକ ଅଙ୍ଗକୁ ଶରୀରରେ ସେହିଭଳି ସ୍ଥାନ ଦେଲେ। 20 ତେଣୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, କିନ୍ତୁ ଶରୀର ଗୋଟିଏ।
21 ଆଖି ହାତକୁ କେବେ ହେଲେ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” ସେହିଭଳି ମୁଣ୍ଡ ପାଦକୁ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” 22 ବରଂ ଅନ୍ୟ ପକ୍ଷରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧହୁଏ, ସେହିସବୁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଅଟେ। 23 ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ କମ୍ ଆଦରର ବୋଲି ଭାବୁ, ସେଗୁଡ଼ିକ ପ୍ରତି ଆମେ ଅଧିକ ଧ୍ୟାନ ଦେଉ। ଯେଉଁ ଅଙ୍ଗଗୁଡ଼ିକୁ ଅନ୍ୟମାନେ ନ ଦେଖନ୍ତୁ ବୋଲି ଆମେ ଗ୍ଭହୁଁ, ସେ ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶେଷ ଧ୍ୟାନ ଦେଉ। 24 ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇ ନ ଥାଏ। କିନ୍ତୁ ପରମେଶ୍ୱର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦେଇ ଶରୀରକୁ ଗଠନ କରିଛନ୍ତି। 25 ଆମ୍ଭର ଶରୀରରେ ଯେପରି କୌଣସି ବିଭେଦ ନ ହେଉ, ସେହି ଦୃଷ୍ଟିରୁ ପରମେଶ୍ୱର ଏପରି କରିଛନ୍ତି। ଦେହର ଅଙ୍ଗଗୁଡ଼ିକ ପରସ୍ପର ସୁଖ ଦୁଃଖର ସହଭାଗୀ ହୁଅନ୍ତି ବୋଲି ପରମେଶ୍ୱର ଇଚ୍ଛା କଲେ। 26 ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା’ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ କଷ୍ଟ ପା’ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହୋଇ ଆନନ୍ଦ କରନ୍ତି।
27 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭେମାନେ ପ୍ରତ୍ୟେକ ସେହି ଶରୀରର ଅଙ୍ଗ। 28 ପରମେଶ୍ୱରଙ୍କ ମଣ୍ଡଳୀରେ ପ୍ରଥମେ ପ୍ରେରିତମାନଙ୍କୁ, ଦ୍ୱିତୀୟରେ ଭବିଷ୍ୟଦ୍ବକ୍ତାମାନଙ୍କୁ, ତୃତୀୟରେ ଶିକ୍ଷକମାନଙ୍କୁ, ସ୍ଥାନ ଦେଇଛନ୍ତି। ତା’ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ, ତା’ପରେ ପରୋପକାରୀଙ୍କୁ ତା’ପରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ, ତା’ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦେଇଛନ୍ତି। 29 ସମସ୍ତ ଲୋକ କ’ଣ ପ୍ରେରିତ? ସମସ୍ତ ଲୋକ କ’ଣ ଭବିଷ୍ୟଦ୍ବକ୍ତା? ସମସ୍ତେ କ’ଣ ଶିକ୍ଷକ? ସମସ୍ତେ କ’ଣ ଆଶ୍ଚର୍ଯ୍ୟକାର୍ଯ୍ୟ କରୁଥିବା ଲୋକ? 30 ସମସ୍ତେ କ’ଣ ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କ’ଣ ବିଭିନ୍ନ ଭାଷା କହନ୍ତି? ସମସ୍ତେ କ’ଣ ଏହି ଭାଷାଗୁଡ଼ିକର ଅର୍ଥ କରି ପାରନ୍ତି କି? 31 କିନ୍ତୁ ତୁମ୍ଭେମାନେ ପ୍ରକୃତରେ ଆତ୍ମାଙ୍କ ଶ୍ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍ । ଏବେ ମୁଁ ସମସ୍ତ ମାର୍ଗ ଅପେକ୍ଷା ଅତି ଉତ୍ତମ ମାର୍ଗ ଦେଖାଇବି।
2010 by World Bible Translation Center