Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଗୀତସଂହିତା 123-125

ଏକ ଆରୋହଣ ଗୀତ।

123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
    ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
    ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
    ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
    ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
    ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
    ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
    ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
    ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
    ଜଳରାଶି ପରି ମଗ୍ନ କରିଥା’ନ୍ତେ।
    ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
ଗର୍ଜୁଥିବା ଜଳରାଶି ଆମ୍ଭକୁ
    ବୁଡ଼ାଇ ଦେଇଥା’ନ୍ତା।

ସଦାପ୍ରଭୁଙ୍କର ପ୍ରଶଂସା କର।
    ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।

ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
    ତା’ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
    ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

ଆରୋହଣ ଗୀତ।

125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
    ସେମାନେ କେବେ ମଧ୍ୟ ଥରିବେ ନାହିଁ।
    ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
    ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
    ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
    ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।

ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
    ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
    ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:1-18

ଯିହୂଦୀମାନଙ୍କ ଭଳି ହୁଅ ନାହିଁ

10 ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି (ଯେଉଁମାନେ ମୋଶାଙ୍କୁ ଅନୁସରଣ କରିଥିଲେ) କ’ଣ ହେଲା ତାହା ତୁମ୍ଭେମାନେ ଜାଣି ରଖ। ପରମେଶ୍ୱର ସେମାନଙ୍କୁ ମେଘ ସ୍ତମ୍ଭ ଦ୍ୱାରା ସୁଫ ସାଗରକୁ ପାର କରାଇଥିଲେ। ସେମାନେ ମେଘ ଓ ସମୁଦ୍ରରେ ମୋଶାଙ୍କ ଅନୁଗାମୀ ଭାବେ ଡୁବିତ ହୋଇଥିଲେ। ସେମାନେ ଏକମାତ୍ର ଆଧ୍ୟାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ। ଓ ସମସ୍ତେ ସମାନ ଆତ୍ମିକ ପାନୀୟରୁ ପାନ କରିଥିଲେ। ସେମାନେ ସେହି ଆତ୍ମିକ ପଥରରୁ ବାହାରିବା ପାଣି ପିଇଥିଲେ। ସେହି ପଥର ଖ୍ରୀଷ୍ଟ ଥିଲେ। କିନ୍ତୁ ସେମାନଙ୍କ ଭିତରୁ ଅଧିକଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ନ ଥିଲେ। ସେଥିପାଇଁ ସେମାନେ ମରୁ ପ୍ରାନ୍ତରରେ ମରିଗଲେ।

ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ଅଛି, ଅତଏବ ଆମ୍ଭେ ସେମାନଙ୍କ ଭଳି ମନ୍ଦ କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା ନାହିଁ। ସେମାନଙ୍କ ଭିତରେ କେତେକଙ୍କ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁହେ: “ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।” [a] ସେମାନଙ୍କ ଭିତରୁ ଯେପରି କେତେକ ଯୌନଗତ ପାପ କଲେ, ଆମ୍ଭେ ସେଭଳି କେବେ କରିବା ନାହିଁ। ସେମାନେ ପାପ କରିଥିବା ହେତୁରୁ ସେମାନଙ୍କ ଭିତରୁ 23,000 ଲୋକ ଗୋଟିଏ ଦିନରେ ମରିଗଲେ। ସେମାନଙ୍କ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସେମାନେ ସାପ କାମୁଡ଼ାରେ ମଲେ। 10 ସେମାନଙ୍କ ଭିତରୁ କେତେକଙ୍କ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ୱର୍ଗଦୂତ)ଙ୍କ ହାତରେ ମଲେ।

11 ସେମାନଙ୍କ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ୱରୂପ। ସମସ୍ତ ପ୍ରାଚୀନ ଇତିହାସରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚେତନା ଦେବା ଉଦ୍ଦେଶ୍ୟରେ ଲେଖା ଯାଇଛି। 12 ଅତଏବ, ଯେଉଁ ଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହୋଇଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ। 13 କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ।

14 ତା’ହେଲେ ତୁମ୍ଭେମାନେ ସମସ୍ତ କିଛି ସହି ପାରିବ। ମୋର ପ୍ରିୟ ବନ୍ଧୁଗଣ! ଶେଷରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂରରେ ରୁହ। 15 ତୁମ୍ଭେମାନେ ବୁଦ୍ଧିମାନ, ତେଣୁ ମୁଁ ଏହା କହୁଛି। ମୁଁ ଯାହା କହୁଛି, ତୁମ୍ଭେମାନେ ନିଜେ ପରୀକ୍ଷା କରି ଦେଖ। 16 ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ୟବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ନୁହେଁ କି? 17 କେବଳ ଗୋଟିଏ ରୋଟୀ ମାତ୍ର ଆମ୍ଭେମାନେ ଅନେକ ଲୋକ। କିନ୍ତୁ ଆମ୍ଭେ ସମସ୍ତେ ସେହି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତରେ ଗୋଟିଏ ଶରୀର।

18 ଇସ୍ରାଏଲ ଲୋକମାନଙ୍କ କଥା ଭାବ। ସେମାନେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ’ଣ ବେଦୀର ଅଂଶୀଦାର ନୁହନ୍ତି?

Oriya Bible: Easy-to-Read Version (ERV-OR)

2010 by World Bible Translation Center