Old/New Testament
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।
85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
2 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ।
3 ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
4 ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
5 ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
କ୍ରୋଧିତ ହୋଇ ରହିବ?
6 ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
7 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।
8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
9 ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।
ଦାଉଦଙ୍କର ପ୍ରାର୍ଥନା।
86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
2 ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
3 ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
4 ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
5 ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
7 ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
8 ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
9 ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।
11 ସଦାପ୍ରଭୁ, ତୁମ୍ଭର ପଥ, ମୋତେ ଶିକ୍ଷା ଦିଅ
ଓ ମୁଁ ତୁମ୍ଭପରି ହେବାକୁ ଶିଖିବି।
ମୋତେ ତୁମ୍ଭର ନାମକୁ ସମ୍ମାନ ଦେବାରେ ସାହାଯ୍ୟ କର,
ଯାହା ମୋ’ ଜୀବନର ମୁଖ୍ୟ ଜିନିଷ ଅଟେ।
12 ହେ ପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭକୁ ହୃଦୟ ସହିତ ପ୍ରଶଂସା କରିବି।
ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
13 ମୋ’ ପ୍ରତି ତୁମ୍ଭର ଦୟା ମହତ୍ ଅଟେ।
ତୁମ୍ଭେ ମୋ’ ଜୀବନକୁ ଶେଷାବସ୍ଥା ମୃତ୍ୟୁ ମୁଖରୁ ଉଦ୍ଧାର କରିଛ।
14 ହେ ପରମେଶ୍ୱର, ଗର୍ବୀ ଲୋକମାନେ ମୋତେ ଆକ୍ରମଣ କରିଛନ୍ତି।
ଦଳେ ଦୁଷ୍ଟ ଲୋକ ମୋତେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି।
ଏବଂ ସେମାନେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।
15 ହେ ମୋର ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କରୁଣାମୟ ପରମେଶ୍ୱର।
ତୁମ୍ଭେ ଧୈର୍ଯ୍ୟଶୀଳ, ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
16 ତୁମ୍ଭେ ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର।
ମୁଁ ତୁମ୍ଭର ଦାସ, ମୋତେ ଶକ୍ତି ଦିଅ।
ମୁଁ ତୁମ୍ଭର ଦାସ, ମୋତେ ରକ୍ଷା କର।
17 ହେ ସଦାପ୍ରଭୁ, ମୋତେ ଟିକେ ସୂଚନା ଦିଅ ଯେ, ମୋର ସବୁକିଛି ପାଇଁ ଉତ୍ତମ ହୋଇ ପାରିବ।
ମୋର ଶତ୍ରୁଗଣ ତାହା ଦେଖି ନିରାଶ ହେବେ।
ଏଥିରୁ ସେମାନେ ଜାଣିବେ ଯେ ତୁମ୍ଭେ ମୋର ପ୍ରାର୍ଥନା ଗ୍ରହଣ କଲ ଓ ମୋତେ ସାନ୍ତ୍ୱନା କଲ।
ନିଜ ଜୀବନ ପ୍ରଭୁଙ୍କୁ ଅର୍ପଣ କର
12 ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ୱରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭେମାନେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ୱରୂପ ପରମେଶ୍ୱରଙ୍କୁ ଅର୍ପଣ କର। ଏହା କେବଳ ତାହାଙ୍କୁ ସମର୍ପିତ ହେବ। ଏହା ପରମେଶ୍ୱରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଆତ୍ମିକ ଉପାସନା ଅଟେ। 2 ଏହା ପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତେବେ ପରମେଶ୍ୱର ତୁମ୍ଭମାନଙ୍କ ପାଇଁ କ’ଣ ଇଚ୍ଛା କରନ୍ତି, ତୁମ୍ଭେମାନେ ଜାଣି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡ଼ିକ ଭଲ, ପରମେଶ୍ୱରଙ୍କୁ ପ୍ରିୟ ଓ ସିଦ୍ଧ।
3 ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର। 4 ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀରରେ ଅନେକ ପ୍ରକାରର ଅଙ୍ଗ ଅଛି। ଏହି ଅଙ୍ଗ ଗୁଡ଼ିକ ଏକା ଭଳି କାମ କରନ୍ତି ନାହିଁ। 5 ସେହିଭଳି ଆମ୍ଭେ ସଂଖ୍ୟାରେ ଅନେକ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭେ ଏକ ଶରୀରର ବିଭିନ୍ନ ଅଙ୍ଗ ଭଳି ଆମ୍ଭେ ପ୍ରତ୍ୟେକ ଅନ୍ୟର ପରିପୂରକ।
6 ଏହିଭଳି ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା’ଠାରେ ଥିବା ବିଶ୍ୱାସ ଅନୁସାରେ ତାହାକୁ ବ୍ୟବହାର କରୁ। ଯଦି କାହାକୁ ଭବିଷ୍ୟଦ୍ବାଣୀର ଦାନ ମିଳିଛି, ତା’ହେଲେ ସେ ନିଜର ବିଶ୍ୱାସ ଅନୁସାରେ ଭବିଷ୍ୟଦ୍ବାଣୀ କରୁ। 7 ଯଦି କାହାକୁ ସେବା କରିବା ପାଇଁ ଅନୁଗ୍ରହ ଦାନ ମିଳିଛି ତେବେ ସେ ନିଜକୁ ସେବା ପାଇଁ ଅର୍ପଣ କରୁ। ଯଦି କାହାକୁ ଶିକ୍ଷା ବା ଉପଦେଶ ଦେବା ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ନିଜକୁ ପ୍ରଗ୍ଭର କାର୍ଯ୍ୟରେ ଲଗାଇ ଦେଉ। 8 ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ୱନା ଦେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ଲୋକମାନଙ୍କୁ ସାନ୍ତ୍ୱନା ଦେଉ। ଯଦି କାହାକୁ ଦାନ ଦେବା ଅନୁଗ୍ରହ ଦାନ ମିଳିଛ ତା’ହେଲେ ସେ ଖୋଲା ମନରେ ଦାନ କରୁ। ଯଦି କାହାକୁ ନେତୃତ୍ୱ ନେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ମନ ପ୍ରାଣ ଢାଳି ନେତୃତ୍ୱ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦେଖାଇବା ଅନୁଗ୍ରହ ଦାନ ମିଳିଛି ତା’ହେଲେ ସେ ଆନନ୍ଦ ମନରେ ଦୟା ଦେଖାଉ।
9 ତୁମ୍ଭର ପ୍ରେମ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର। 10 ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା’ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ। 11 ପରମେଶ୍ୱରଙ୍କ କାମ କରିବାରେ ଉତ୍ସାହ ପ୍ରକାଶ କର। ତାଙ୍କ ସେବା କାର୍ଯ୍ୟରେ ଆଳସ୍ୟ କର ନାହିଁ। ପରମେଶ୍ୱରଙ୍କୁ ସେବା କଲାବେଳେ ଆତ୍ମିକ ଭାବରେ ଉଦ୍ଯୋଗ ହୁଅ। 12 ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ମୁଖୀନ ହେବା ବେଳେ ତୁମ୍ଭେ ଧୈର୍ଯ୍ୟ ଧର। ନିରନ୍ତର ପ୍ରାର୍ଥନା କର। 13 ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର।
14 ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ। 15 ଯେତେବେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭେମାନେ ସେମାନଙ୍କ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲାବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ। 16 ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।
17 ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ। 18 ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର। 19 ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି,
“ଦଣ୍ତ ଦେବା ମୋର କାମ।
ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।” (A)
20 କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍:
“ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି,
ତାହାକୁ ଖାଇବାକୁ ଦିଅ,
ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି,
ତାହାକୁ ପିଇବାକୁ ଦିଅ।
ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରି ପାରିବ।” (B)
21 ମନ୍ଦ ଦ୍ୱାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।
2010 by World Bible Translation Center