Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 23-24

ଯିହୋୟାଦା ଯାଜକ ଓ ରାଜା ଯୋୟାଶ

23 ଛଅ ବର୍ଷ ପରେ, ଯିହୋୟାଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରତ୍ୟେକଙ୍କର 100 ଜଣ ସୈନ୍ୟ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସେହି କପ୍ତାନମାନେ ଥିଲେ: ଯିରୋହା‌ମ୍‌ଙ୍କ ପୁତ୍ର ଅସରିୟ, ଯିହୋୟାଦାରନାଙ୍କ ପୁତ୍ର ଇ‌ଶ୍‌ମାୟେଲ, ଅସରିୟଙ୍କ ପୁତ୍ର ଓବେଦ୍, ଅଦାୟାଙ୍କ ପୁତ୍ର ମାସେୟ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍। ସେମାନେ ଯିହୁଦାର ଗ୍ଭରିଆଡ଼େ ଯାଇ ସବୁ ସହରରୁ ଲେବୀୟମାନଙ୍କୁ ସଂଗ୍ରହ କଲେ। ସେମାନେ ଇସ୍ରାଏଲ ବଂଶର ନେତାମାନଙ୍କୁ ମଧ୍ୟ ଏକତ୍ରିତ କଲେ। ଏହା ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ଏକତ୍ରିତ ହୋଇଥିବା ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରରେ ରାଜାଙ୍କ ସହିତ ଏକ ନିୟମ କଲେ।

ଯିହୋୟାଦା ସେହି ଲୋକମାନଙ୍କୁ କହିଲେ, “ରାଜାଙ୍କ ପୁତ୍ର ରାଜ୍ୟ କରିବେ। ଦାଉଦଙ୍କ ବଂଶଧରମାନଙ୍କ ବିଷୟରେ ସଦାପ୍ରଭୁ ଏହି ପ୍ରତିଜ୍ଞା କରିଥିଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ: ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯାଜକ ଓ ଲେବୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନରେ କାର୍ଯ୍ୟ କରିବାକୁ ଯିବେ, ସେମାନେ ଦ୍ୱାର ନିକଟରେ ଜଗି ରହିବେ। ତୁମ୍ଭମାନଙ୍କର ଏକ ତୃତୀୟାଂଶ ରାଜାଙ୍କ ଗୃହରେ ରହିବ। ତୁମ୍ଭମାନଙ୍କର ଅନ୍ୟ ଏକ-ତୃତୀୟାଂଶ ଝର ଫାଟକ ନିକଟରେ ଜଗି ରହିବ। କିନ୍ତୁ ଅନ୍ୟ ଲୋକ ସମସ୍ତେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ ରହିବେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ କୌଣସି ବ୍ୟକ୍ତିକୁ ଆସିବାକୁ ଦେବ ନାହିଁ। କେବଳ ସେବାକାର୍ଯ୍ୟ କରୁଥିବା ଯାଜକ ଓ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ ଆସିବାକୁ ଅନୁମତି ଦେବ, କାରଣ ସେମାନେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦେଇଛନ୍ତି, ତାହା ସେମାନଙ୍କୁ କରିବାକୁ ପଡ଼ିବ। ଲେବୀୟମାନଙ୍କୁ ରାଜାଙ୍କ ନିକଟରେ ରହିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ‌‌ଖ‌ଡ଼୍‌ଗକୁ ସଙ୍ଗରେ ରଖିବେ। ଯଦି କୌଣସି ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ତେବେ ତାହାକୁ ବଧ କରିବ। ରାଜା ଯେଉଁଆଡ଼େ ଯିବେ, ତୁମ୍ଭମାନଙ୍କୁ ତାଙ୍କ ସହିତ ରହିବାକୁ ପଡ଼ିବ।”

ଯିହୋୟାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲେବୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ଯିହୋୟାଦା, ଯାଜକ ଦଳର କୌଣସି ବ୍ୟକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରତ୍ୟେକ କପ୍ତାନ ଓ ତାଙ୍କର ସବୁ ଲୋକ ସେମାନଙ୍କୁ ଯାହା କୁହାଗଲା ତାହା କଲେ, ସେମାନେ ସେହି ସପ୍ତାହରେ କାର୍ଯ୍ୟରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ। ଯିହୋୟାଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢାଲଗୁଡ଼ିକ ଦେଲେ। ପରମେଶ୍ୱରଙ୍କ ମନ୍ଦିରରେ ସେହି ଅସ୍ତ୍ରଗୁଡ଼ିକ ରଖାଯାଇଥିଲା। 10 ଏହା ପରେ ଯିହୋୟାଦା ଲୋକମାନଙ୍କୁ କେଉଁଠାରେ ଛିଡ଼ା ହେବାକୁ ପଡ଼ିବ, ତାହା କହିଲେ। ପ୍ରତ୍ୟେକ ବ୍ୟକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତରେ ଧରିଲା। ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ମନ୍ଦିରର ବାମପାର୍ଶ୍ୱ ଯାଏ ଲୋକମାନେ ଠିଆ ହୋଇ ରହିଲେ। ସେମାନେ ଯଜ୍ଞବେଦି ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହୋଇ ରହିଲେ। 11 ସେମାନେ ରାଜାଙ୍କ ପୁତ୍ରଙ୍କୁ ବାହାରକୁ ଆଣିଲେ ଓ ତାହାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଲେ। ସେମାନେ ତାଙ୍କୁ ନିୟମର ଏକ ନକଲ ଦେଲେ। ସେମାନେ ଯୋୟାଶଙ୍କୁ ରାଜା କଲେ। ଯିହୋୟାଦା ଓ ତାଙ୍କ ପୁତ୍ରମାନେ ଯୋୟାଶଙ୍କୁ ରାଜାଭିଷିକ୍ତ କଲେ। ସେମାନେ କହିଲେ, “ରାଜା ଦୀର୍ଘଜୀବୀ ହୁଅନ୍ତୁ!”

12 ଲୋକମାନେ ମନ୍ଦିରକୁ ଦୌଡ଼ିକରି ଯିବା ଓ ରାଜାଙ୍କର ପ୍ରଶଂସା କରିବାର ଶବ୍ଦ ଅଥଲିୟା ଶୁଣିବାକୁ ପାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରରେ ଲୋକମାନଙ୍କ ନିକଟକୁ ଆସିଲେ। 13 ସେ ଅନାଇଲେ ଓ ରାଜାଙ୍କୁ ଦେଖିଲେ। ରାଜା ମୁଖ୍ୟଦ୍ୱାର ନିକଟରେ ଥିବା ରାଜସ୍ତମ୍ଭ ନିକଟରେ ଛିଡ଼ା ହୋଇଥିଲେ। ଉଚ୍ଚାଧିକାରୀ ଓ ତୂରୀ ବଜାଉଥିବା ଲୋକମାନେ ରାଜାଙ୍କ ନିକଟରେ ଛିଡ଼ା ହୋଇଥିଲେ। ଦେଶର ଲୋକେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ତୂରୀ ବଜାଉଥିଲେ। ଗାୟକମାନେ ବାଦ୍ୟଯନ୍ତ୍ର ବଜାଉଥିଲେ। ଗାୟକଦଳ ଲୋକମାନଙ୍କୁ ପ୍ରଶଂସାଗୀତ ଗାନ କରାଇବାରେ ନେତୃତ୍ୱ ନେଉଥିଲେ। ଏହା ଦେଖି ଅଥଲିୟା ନିଜର ବସ୍ତ୍ର ଚିରି ପକାଇଲେ ଓ କହିଲେ, “ରାଜଦ୍ରୋହ! ରାଜଦ୍ରୋହ!”

14 ଯିହୋୟାଦା ସେନାଧ୍ୟକ୍ଷମାନଙ୍କୁ ନେଇଆସିଲେ। ସେ ସେମାନଙ୍କୁ କହିଲେ, “ଅଥଲିୟାଙ୍କୁ ସୈନ୍ୟଦଳ ମଧ୍ୟରେ ରଖି ବାହାରକୁ ନେଇଯାଅ। ଯଦି କୌଣସି ବ୍ୟକ୍ତି ତାଙ୍କର ଅନୁସରଣ କରେ, ତାହାକୁ ତୁମ୍ଭର ‌‌ଖ‌ଡ଼୍‌ଗରେ ବଧ କର।” ଏହା ପରେ ଯାଜକ ସୈନ୍ୟମାନଙ୍କୁ ସାବଧାନ୍ କରିଦେଲେ, “ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଅଥଲିୟାକୁ ବଧ କରିବ ନାହିଁ।” 15 ଏହା ପରେ ଅଥଲିୟା ରାଜାଙ୍କ ଗୃହର ଅଶ୍ୱଦ୍ୱାର ନିକଟକୁ ଆସିବାରୁ ସେହି ଲୋକମାନେ ତାଙ୍କୁ ଧରିଲେ। ଆଉ ସେମାନେ ସେହି ସ୍ଥାନରେ ହିଁ ତାଙ୍କୁ ବଧ କଲେ।

16 ଏହା ପରେ ଯିହୋୟାଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିୟମ କଲେ। ସେମାନେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହେବେ, ଏଥିରେ ସମ୍ମତ ହେଲେ। 17 ସବୁ ଲୋକମାନେ ବାଲ୍ ପ୍ରତିମାର ମନ୍ଦିରକୁ ଗଲେ ଓ ତାହାକୁ ଭାଙ୍ଗି ପକାଇଲେ। ବା‌ଲ୍‌ର ମନ୍ଦିରରେ ଥିବା ବେଦି ଓ ମୂର୍ତ୍ତିଗୁଡ଼ିକୁ ମଧ୍ୟ ସେମାନେ ଭାଙ୍ଗି ପକାଇଲେ। ସେମାନେ ବା‌ଲ୍‌ର ଯାଜକ ମତ୍ତାନଙ୍କୁ ବା‌ଲ୍‌ର ଯଜ୍ଞବେଦି ସମ୍ମୁଖରେ ହତ୍ୟା କଲେ।

18 ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନେବା ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସେହି ଯାଜକମାନେ ଲେବୀୟ ଥିଲେ ଓ ଦାଉଦ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟର ଦାୟିତ୍ୱ ଦେଇଥିଲେ। ସେହି ଲୋକମାନେ ମୋଶାଙ୍କ ନିୟମର ଆଦେଶ ଅନୁଯାୟୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନି ଦ‌ଗ୍‌ଧ ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସେମାନେ ସେହି ପ୍ରକାରେ ଆନନ୍ଦ ଓ ପ୍ରଶଂସା ଗାନ ସହକାରେ ସେହି ଉପହାର ବଳିଦାନ କଲେ। 19 ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିଯୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।

20 ଯିହୋୟାଦା ନିଜ ସହିତ ସେନାଧ୍ୟକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ୱାର ଦେଇ ସେମାନେ ରାଜାଙ୍କ ଗୃହ ମଧ୍ୟରେ ପ୍ରବେଶ କଲେ। ସେହି ସ୍ଥାନରେ ସେମାନେ ରାଜାଙ୍କୁ ସିଂହାସନରେ ବସାଇଲେ। 21 ଯିହୁଦାର ସବୁ ଲୋକ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ଯିରୁଶାଲମ ନଗରରେ ଶାନ୍ତି ବିରାଜିଲା, କାରଣ ଅଥଲିୟା ‌‌ଖ‌ଡ଼୍‌ଗ ଦ୍ୱାରା ନିହତ ହୋଇଥିଲେ।

ଯୋୟାଶ୍ ଆଉଥରେ ମନ୍ଦିର ନିର୍ମାଣ କଲେ

24 ଯୋୟାଶ୍ ରାଜା ହେବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲ ସିବିୟା। ସିବିୟା ବେରସେବା ସହରରୁ ଆସିଥିଲେ। ଯାଜକ ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯୋୟାଶ୍ ଯଥାର୍ଥ କର୍ମ କଲେ। ଯିହୋୟାଦା ଯୋୟାଶଙ୍କ ନିମନ୍ତେ ଦୁଇଜଣ ସ୍ତ୍ରୀ ବାଛିଲେ। ଯୋୟାଶ୍ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ ଦେଲେ।

ପରେ, ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିରକୁ ପୁନଃନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନେଲେ। ଯୋୟାଶ୍ ଯାଜକ ଓ ଲେବୀୟମାନଙ୍କୁ ଏକତ୍ରିତ କଲେ। ସେ ସେମାନଙ୍କୁ କହିଲେ, “ଯିହୁଦାର ସହରଗୁଡ଼ିକୁ ଯାଅ ଓ ଇସ୍ରାଏଲର ଲୋକମାନେ ପ୍ରତି ବର୍ଷ ଯେଉଁ ଅର୍ଥ ଦିଅନ୍ତି, ତାହାକୁ ଠୁଳ କର। ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମନ୍ଦିରକୁ ପୁନଃନିର୍ମିତ କରିବା ନିମନ୍ତେ ସେହି ଅର୍ଥକୁ ବ୍ୟବହାର କର। ଶୀଘ୍ର ଯାଅ ଓ ଏହି କାର୍ଯ୍ୟ କର।” କିନ୍ତୁ ଲେବୀୟମାନେ ଚଞ୍ଚଳ ହେଲେ ନାହିଁ।

ତେଣୁ ରାଜ ଯୋୟାଶ୍ ମୁଖ୍ୟଯାଜକ ଯିହୋୟାଦାଙ୍କୁ ଡକାଇଲେ। ରାଜା କହିଲେ, “ଯିହୋୟାଦା, ଯିହୁଦା ଓ ଯିରୁଶାଲମରୁ ସଂଗୃହୀତ ଖଜଣା ଆଣିବାକୁ ତୁମ୍ଭେ କାହିଁକି ଲେବୀୟମାନଙ୍କୁ ପଠାଉ ନାହଁ? ସଦାପ୍ରଭୁଙ୍କ ଦାସ ମୋଶା ଓ ଇସ୍ରାଏଲର ଲୋକମାନେ ସେହି ଖଜଣାକୁ ପବିତ୍ର ତମ୍ବୁ ନିମନ୍ତେ ବ୍ୟବହାର କରୁଥିଲେ।”

ଅତୀତରେ, ଅଥଲିୟାଙ୍କ ପୁତ୍ରମାନେ ପରମେଶ୍ୱରଙ୍କ ମନ୍ଦିର ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସାମଗ୍ରୀଗୁଡ଼ିକୁ ସେମାନେ ବାଲ୍-ଦେବଗଣର ପୂଜା କରିବା ନିମନ୍ତେ ବ୍ୟବହାର କରିଥିଲେ। ଅଥଲିୟା ଜଣେ ଅତି ଦୁଷ୍ଟା ସ୍ତ୍ରୀ ଥିଲେ।

ରାଜା ଯୋୟାଶ୍ ଏକ ବା‌କ୍‌ସ ନିର୍ମାଣ କରିବାକୁ ଓ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରର ବାହାର ପାର୍ଶ୍ୱରେ ରଖିବାକୁ ଆଦେଶ ଦେଲେ। ଏହା ପରେ ଲେବୀୟମାନେ ଯିହୁଦା ଓ ଯିରୁଶାଲମରେ ଏକ ଘୋଷଣା କଲେ। ସେମାନେ ସଦାପ୍ରଭୁଙ୍କ ନିମନ୍ତେ ଖଜଣା ଦେବାକୁ ଲୋକମାନଙ୍କୁ କହିଲେ। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ପରମେଶ୍ୱରଙ୍କ ଦାସ ମୋଶା ସେମାନଙ୍କୁ ଖଜଣା ଦେବାକୁ କହିଥିଲେ। 10 ସବୁ ନେତା ଓ ଲୋକମାନେ ଆନନ୍ଦିତ ହେଲେ। ସେମାନେ ସେମାନଙ୍କର ଟଙ୍କା ଆଣି ସେହି ବା‌କ୍‌ସରେ ପକାଇଲେ। ବା‌କ୍‌ସଟି ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଦାନ ଦେବାକୁ ଲାଗିଲେ। 11 ଏହା ପରେ ଲେବୀୟମାନେ ସେହି ବା‌କ୍‌ସକୁ ରାଜାଙ୍କର ପଦାଧିକାରୀମାନଙ୍କ ନିକଟକୁ ନେଇଗଲେ। ସେମାନେ ଦେଖିଲେ ଯେ, ସେହି ବା‌କ୍‌ସ ଟଙ୍କାରେ ପୂର୍ଣ୍ଣ ହୋଇଥିଲା। ରାଜାଙ୍କ ସଚିବ ଓ ମୁଖ୍ୟ ଯାଜକଙ୍କ ପଦାଧିକାରୀମାନେ ଆସିଲେ ଓ ବା‌କ୍‌ସରୁ ଟଙ୍କାତକ କାଢ଼ି ନେଲେ। ଏହା ପରେ ସେମାନେ ସେହି ବା‌କ୍‌ସରୁ ପୁନର୍ବାର ତାହାର ସ୍ଥାନରେ ରଖି ଦେଲେ। ପ୍ରତିଦିନ ସେମାନେ ଏହିପରି କଲେ ଓ ପ୍ରଚୁର ଟଙ୍କା ଜମା କଲେ। 12 ଏହା ପରେ ରାଜା ଯୋୟାଶ୍ ଓ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସେହି ଟଙ୍କା ଦେଲେ। ଆଉ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଲୋକମାନେ ଦକ୍ଷ କାଷ୍ଠ ଖୋଦନକାରୀ ଓ ବଢ଼େଇମାନଙ୍କୁ ପାରିଶ୍ରମିକ ଦେଇ ନିଯୁକ୍ତ କଲେ। ଆଉ ଯେଉଁମାନେ ଲୁହା ଓ ପିତ୍ତଳର କାର୍ଯ୍ୟ ଜାଣିଥିଲେ, ସେମାନେ ସେମାନଙ୍କୁ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ପାରିଶ୍ରମିକ ଦେଇ ନିଯୁକ୍ତ କଲେ।

13 ଯେଉଁ ବ୍ୟକ୍ତିମାନେ ତତ୍ତ୍ୱାବଧାନ କାର୍ଯ୍ୟ କରୁଥିଲେ, ସେମାନେ ଅତି ବିଶ୍ୱସ୍ତ ଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ସଫଳ ହେଲା। ପରମେଶ୍ୱରଙ୍କ ମନ୍ଦିର ପୂର୍ବରୁ ଯେଉଁପରି ଥିଲା, ସେମାନେ ତାହାକୁ ସେପ୍ରକାର ନିର୍ମାଣ କଲେ ଓ ସେମାନେ ତାହାକୁ ଆହୁରି ଦୃଢ଼ କଲେ। 14 ଯେତେବେଳେ ଶ୍ରମିକମାନଙ୍କର କାର୍ଯ୍ୟ ସମାପ୍ତ ହେଲା, ସେମାନେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହୋୟାଦାଙ୍କ ନିକଟକୁ ଆଣିଲେ। ସେମାନେ ସେହି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବାରେ ବ୍ୟବହାର କଲେ। ସେହି ସାମଗ୍ରୀଗୁଡ଼ିକ ମନ୍ଦିରର ସେବାକାର୍ଯ୍ୟ ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ୟବହୃତ ହେଲା। ସେମାନେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ମାଣ କଲେ। ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରତିଦିନ ହୋମବଳି ଉପହାରମାନ ଉତ୍ସର୍ଗ କଲେ।

15 ଯିହୋୟାଦା ବୃଦ୍ଧ ହେଲେ। ସେ ଦୀର୍ଘଜୀବୀ ଥିଲେ, ତା’ପରେ ସେ ମୃତ୍ୟୁବରଣ କଲେ। ଯିହୋୟାଦା 130 ବର୍ଷ ବୟସରେ ମୃତ୍ୟୁବରଣ କଲେ। 16 ଲୋକମାନେ ଯିହୋୟାଦାଙ୍କୁ ଦାଉଦଙ୍କ ନଗରରେ, ଯେଉଁଠାରେ ରାଜାମାନେ କବରପ୍ରାପ୍ତ ହୋଇଛନ୍ତି, ସେହିଠାରେ କବର ଦେଲେ। ଲୋକମାନେ ସେହି ସ୍ଥାନରେ ଯିହୋୟାଦାଙ୍କୁ କବର ଦେଲେ, କାରଣ ସେ ଆପଣାର ଜୀବନକାଳରେ ଇସ୍ରାଏଲ ମଧ୍ୟରେ ପରମେଶ୍ୱରଙ୍କ ନିମନ୍ତେ ଓ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ବହୁତ ଉତ୍ତମ କର୍ମ କରିଥିଲେ।

17 ଯିହୋୟାଦାଙ୍କ ମୃତ୍ୟୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ଯୋୟାଶଙ୍କ ସମ୍ମୁଖରେ ପ୍ରଣିପାତ କଲେ। ରାଜା ସେହି ନେତାମାନଙ୍କର କଥା ଶୁଣିଲେ। 18 ରାଜା ଓ ସେହି ନେତାମାନେ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିରକୁ ଅଗ୍ରାହ୍ୟ କଲେ। ସେମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗମନ କରିଥିଲେ। ସେମାନେ ଆଶେରା ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ୱର ଯିହୁଦାର ଓ ଯିରୁଶାଲମର ଲୋକମାନଙ୍କ ଉପରେ କ୍ରୋଧ କଲେ, କାରଣ ରାଜା ଓ ସେହି ନେତାମାନେ ଦୋଷୀ ଥିଲେ। 19 ଲୋକମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ପରମେଶ୍ୱର ସେମାନଙ୍କ ନିକଟକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପ୍ରେରଣ କଲେ। ଭବିଷ୍ୟ‌ଦ୍‌ବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇ ଦେଲେ। କିନ୍ତୁ ଲୋକମାନେ ଶୁଣିବାକୁ ମନା କଲେ।

20 ପରମେଶ୍ୱରଙ୍କର ଆତ୍ମା ଯିଖରିୟଙ୍କ ଉପରେ ଅବତରଣ କଲେ। ଯିହୋୟାଦା ଯାଜକ ଯିଖରିୟଙ୍କ ପିତା ଥିଲେ। ଯିଖରିୟ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ କହିଲେ, “ପରମେଶ୍ୱର ଏହା କହନ୍ତି: ‘ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ୟ ହେବା ନିମନ୍ତେ ଅଗ୍ରାହ୍ୟ କରୁଛ? ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି!’”

21 କିନ୍ତୁ ଲୋକମାନେ ଯିଖରିୟଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ । ଯିଖରିୟଙ୍କୁ ବଧ କରିବା ନିମନ୍ତେ ରାଜା ଆଦେଶ ଦେଲେ, ତେଣୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କ ଆଡ଼କୁ ପଥର ଫୋପାଡ଼ିଲେ। ସଦାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଲୋକମାନେ ଏହା କଲେ। 22 ରାଜା ଯୋୟାଶଙ୍କ ପ୍ରତି ଯିହୋୟାଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହୋୟାଦା ଯିଖରିୟଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହୋୟାଦାଙ୍କ ପୁତ୍ର ଯିଖରିୟଙ୍କୁ ହତ୍ୟା କଲେ। ଯିଖରିୟ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ!”

23 ବର୍ଷର ଶେଷ ଆଡ଼କୁ ଅରାମୀୟ ସୈନ୍ୟଦଳ ଯୋୟାଶଙ୍କ ବିରୁଦ୍ଧରେ ଆସିଲେ। ସେମାନେ ଯିହୁଦା ଓ ଯିରୁଶାଲମକୁ ଆକ୍ରମଣ କଲେ ଏବଂ ଲୋକମାନଙ୍କର ସବୁ ନେତାମାନଙ୍କୁ ହତ୍ୟା କଲେ। ସେମାନେ ସବୁ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ଦମ୍ମେଶକର ରାଜାଙ୍କ ନିକଟକୁ ପଠାଇ ଦେଲେ। 24 ଅରାମୀୟ ସୈନ୍ୟଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନେଇ ଆସିଥିଲେ କିନ୍ତୁ ସଦାପ୍ରଭୁ ସେମାନଙ୍କୁ ଯିହୁଦାର ବୃହତ୍ ସୈନ୍ୟଦଳ ଉପରେ ବିଜୟଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସେମାନଙ୍କ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ସେମାନେ ତାଙ୍କୁ ପରିତ୍ୟାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ। 25 ଅରାମୀୟମାନେ ଯୋୟାଶଙ୍କ ନିକଟରୁ ଯେତେବେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହୋଇଥିଲେ। ଯୋୟାଶଙ୍କର ନିଜ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ଯୋୟାଶ୍ ଯିହୋୟାଦା ଯାଜକଙ୍କର ପୁତ୍ର ଯିଖରିୟଙ୍କୁ ହତ୍ୟା କରିଥିବାରୁ ସେମାନେ ଏହିପରି କଲେ। ସେହି ଭୃତ୍ୟମାନେ ଯୋୟାଶଙ୍କୁ ତାଙ୍କର ଶଯ୍ୟା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ୟୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ, କିନ୍ତୁ ସେମାନେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନରେ କବର ପାଆନ୍ତି, ସେ ସ୍ଥାନରେ କବର ଦେଲେ ନାହିଁ।

26 ଯୋୟାଶଙ୍କ ବିରୁଦ୍ଧରେ ଏହି ଭୃତ୍ୟମାନେ ଷଡ଼ଯନ୍ତ୍ର କରିଥିଲେ; ସାବଦ୍ ଓ ଯିହୋଷାବଦ୍। ସାବ‌ଦ୍‌ଙ୍କ ମାତାଙ୍କର ନାମ ଥିଲା ଶିମିୟତ୍। ଶିମିୟତ୍ ଅମ୍ମୋନରୁ ଆସିଥିଲେ। ଆଉ ଯିହୋଶାବ‌ଦଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମୋୟାବରୁ ଆସିଥିଲେ। 27 ଯୋୟାଶଙ୍କ ପୁତ୍ରମାନଙ୍କ କାହାଣୀ, ତାଙ୍କ ବିରୁଦ୍ଧରେ ମହାନ ଭବିଷ୍ୟ‌ଦ୍‌ବାଣୀଗୁଡ଼ିକ ଓ ସେ କିପରି ପୁନର୍ବାର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ, ସେହିସବୁ ରାଜାମାନଙ୍କର ବିବରଣୀ ପୁସ୍ତକରେ ଲେଖାଯାଇ ଅଛି। ଅମତ୍‌ସିୟ ତାଙ୍କ ଉତ୍ତାରେ ନୂତନ ରାଜା ହେଲେ। ଅମତ୍‌ସିୟ ଯୋୟାଶଙ୍କର ପୁତ୍ର ଥିଲେ।

ଯୋହନ ଲିଖିତ ସୁସମାଗ୍ଭର 15

ଯୀଶୁ ଦ୍ରାକ୍ଷାଲତା ସଦୃଶ

15 ଯୀଶୁ କହିଲେ, “ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପରମପିତା କୃଷକ ଅଟନ୍ତି। ମୋ’ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି। ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି, ତାହା ଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇ ସାରିଅଛ। ମୋ’ଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ। ଏହା ଲତାରେ ଲାଗି ରହିବା ଉଚିତ୍। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ’ ସହିତ ମିଶି ରହିବା ଉଚିତ୍।

“ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋ’ଠାରେ ରହେ ଓ ମୁଁ ତାଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମୋ’ ବିନା ସେ କିଛି କରି ପାରିବ ନାହିଁ। ଯଦି କେହି ବ୍ୟକ୍ତି ମୋ’ଠାରେ ରୁହେ ନାହିଁ, ତେବେ ତାକୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି। ସେଗୁଡ଼ିକ ଜଳିଯାଏ। “ମୋ’ଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତେବେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆଯିବ। ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନା କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମପିତା ଗୌରବ ପାଇବେ।

“ମୋ’ ପରମପିତା ମୋତେ ଯେପରି ପ୍ରେମ କରୁଥିଲେ, ମୁଁ ତୁମ୍ଭକୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋ’ ପ୍ରେମରେ ସ୍ଥିର ରୁହ। 10 ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ। 11 ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା’ହେଲେ ମୁଁ ଯେପରି ଆନନ୍ଦରେ ଅଛି, ତୁମ୍ଭେ ମଧ୍ୟ ମୋ’ ପରି ଆନନ୍ଦ ପାଇବ। ମୁଁ ଗ୍ଭହେଁ, ତୁମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ। 12 ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। 13 ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ। 14 ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। 15 ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା’ର ମୁନିବ କ’ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।

16 “ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ। 17 ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।

ଯୀଶୁ ଶିଷ୍ୟମାନଙ୍କୁ ସତର୍କ କରନ୍ତି

18 “ଯଦି ତୁମ୍ଭକୁ ଜଗତ ଘୃଣା କରେ, ତେବେ ମନେରଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମୋତେ ଘୃଣା କରିଛି। 19 ତୁମ୍ଭେମାନେ ଯଦି ଏ ଜଗତର ହୋଇଥାଆନ୍ତ, ତେବେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥା’ନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।

20 “ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା’ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ। 21 ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ। 22 ମୁଁ ଯଦି ଆସି ନ ଥା’ନ୍ତି ଓ ଏଜଗତର ଲୋକମାନଙ୍କୁ କହି ନ ଥା’ନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ।

23 “ମୋତେ ଘୃଣା କରୁଥିବା ବ୍ୟକ୍ତି ମୋର ପରମପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ସେ ଲୋକମାନଙ୍କ ମଧ୍ୟରେ କରିଛି, ତାହା କୌଣସି ଲୋକ କେବେ କରି ନାହିଁ। 24 ଯଦି ମୁଁ ସେହି କାର୍ଯ୍ୟ କରି ନ ଥା’ନ୍ତି, ତେବେ ସେମାନେ ପାପଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନ ଥାଆନ୍ତେ। କିନ୍ତୁ ସେମାନେ ମୋର ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଦେଖିଛନ୍ତି। ତଥାପି ସେମାନେ ମୋତେ ଓ ପରମପିତାଙ୍କୁ ଘୃଣା କରନ୍ତି। 25 ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖାଥିଲା ତାହା ସତ୍ୟ ହେଲା: ‘ସେମାନେ ମୋତେ ବିନା କାରଣରେ ଘୃଣା କଲେ।’ [a]

26 “ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ। 27 ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ।

Oriya Bible: Easy-to-Read Version (ERV-OR)

2010 by World Bible Translation Center