Old/New Testament
51 ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ବାବିଲ ବିରୁଦ୍ଧରେ ଓ ‘ଲେବ-କାମାଇ’ ନିବାସୀମାନଙ୍କ ବିରୁଦ୍ଧରେ
ଏକ ଶକ୍ତିଶାଳୀ ବିନାଶକ ବାୟୁ ପ୍ରବାହିତ କରାଇବା।
2 ପୁଣି ବିଦେଶୀମାନଙ୍କୁ ବାବିଲ ବିରୁଦ୍ଧରେ ପ୍ରେରଣ କରିବା,
ସେମାନେ କୁଲାରେ ଅଗାଡ଼ି ଅଲଗା କଲାପରି ତାହାକୁ ଝାଡ଼ି ଦେଶ ଶୂନ୍ୟ କରିବେ।
କାରଣ ବିନାଶ କାଳରେ ତା’ର
ଚତୁର୍ଦ୍ଦିଗରେ ସୈନ୍ୟ ଘେରି ରହିବେ।
3 ବାବିଲର ଧନୁର୍ଦ୍ଧରମାନେ ଆପଣା ଧନୁରେ ଗୁଣ ଦେବେ ନାହିଁ
କି ସେମାନେ ଆପଣା ସାଞ୍ଜୁ ପିନ୍ଧିବେ ନାହିଁ।
ତୁମ୍ଭେମାନେ ତାହାର ଯୁବକଗଣଙ୍କୁ ଦୟା କର ନାହିଁ
ଓ ତା’ର ସମସ୍ତ ସୈନ୍ୟଙ୍କୁ ବିନାଶ କର।
4 ବାବିଲର ସୈନ୍ୟମାନେ କଲ୍ଦୀୟ ଦେଶରେ ମୃତ୍ୟୁବରଣ କରିବେ
ଓ ରାଜପଥରେ ଆହତ ହୋଇପଡ଼ିବେ।”
5 ଇସ୍ରାଏଲ ଓ ଯିହୁଦାର ଲୋକମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ନାହାନ୍ତି।
ସେମାନେ ଯଦିଓ ତାଙ୍କର ବିରୁଦ୍ଧାଚରଣ କରି ତାଙ୍କୁ ପରିତ୍ୟାଗ କରିଛନ୍ତି,
ତଥାପି ସେ ଧର୍ମସ୍ୱରୂପ ସେମାନଙ୍କୁ
ପରିତ୍ୟାଗ କରି ନାହାନ୍ତି।
6 ବାବିଲରୁ ପଳାୟନ କର
ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର।
ଆଉ ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ।
କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ
ଓ ସେ ସେମାନଙ୍କୁ ତା’ର ପ୍ରତିଫଳ ଦେବେ।
7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି।
ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି।
ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି।
ତେଣୁ ସେମାନେ ଉନ୍ମତ୍ତ ହୋଇଅଛନ୍ତି।
8 ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହୋଇଛି।
ତାହା ପାଇଁ କ୍ରନ୍ଦନ କର,
ତାହାର ବେଦନା ପାଇଁ ଔଷଧ ଦିଅ।
ସେ ହୁଏତ ସୁସ୍ଥ ହୋଇ ପାରିବ
9 ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଚେଷ୍ଟା କଲୁ,
ମାତ୍ର ସେ ସୁସ୍ଥ ହୋଇପାରିଲା ନାହିଁ।
ଆସ, ଆମ୍ଭେମାନେ ତାକୁ ପରିତ୍ୟାଗ କରି
ଆପଣା ଆପଣା ଦେଶକୁ ଗ୍ଭଲିଯିବା।
ସ୍ୱର୍ଗର ପରମେଶ୍ୱର ତା’ର ଦଣ୍ଡ ବିଧାନ କରିବେ।
ତାହାପାଇଁ ଯାହା ଘଟିବ ସେ ସ୍ଥିର କରିବେ।
10 ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି।
ଆସ, ଆମ୍ଭେମାନେ ସିୟୋନରେ କହିବା,
ସଦାପ୍ରଭୁ ଯାହା କରିଛନ୍ତି।
11 ତୁମ୍ଭେମାନ ବାଣ ତୀକ୍ଷ୍ଣ କର,
ଦୃଢ଼କରି ଢାଲ ଧର।
ସଦାପ୍ରଭୁ ମାଦିୟ ରାଜଗଣର ମନ ଉତ୍ତେଜିତ କରିଅଛନ୍ତି।
କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି।
ଯେହେତୁ ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ୱଂସ କରିଛନ୍ତି।
ସେଥିପାଇଁ ସେ ପ୍ରତିଶୋଧ ସ୍ୱରୂପ ତାକୁ ଦଣ୍ଡ ଦେବେ।
12 ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ୱଜା ସ୍ଥାପନ କର।
ଅଧିକ ପ୍ରହରୀଗଣ,
ରକ୍ଷକ ଦଳ ଯଥା ସ୍ଥାନରେ ନିଯୁକ୍ତ କର।
ଗୋପନ ସ୍ଥାନରେ ସୈନ୍ୟ ରଖ,
କାରଣ ସଦାପ୍ରଭୁ ବାବିଲ ବିରୁଦ୍ଧରେ ଯାହା କରିବାକୁ ଯୋଜନା କରିଛନ୍ତି,
ତାହା ସେ ନିଶ୍ଚୟ ସଫଳ କରିବେ।
13 ହେ ଜଳରାଶି ନିକଟରେ ବାସ କରୁଥିବା
ଓ ଧନ ସମ୍ପଦରେ ଐଶ୍ୱର୍ଯ୍ୟଶାଳୀ ବାବିଲ,
ତୁମ୍ଭର ଅନ୍ତିମ କାଳ ଉପସ୍ଥିତ ଓ ତୁମ୍ଭର ଧ୍ୱଂସ ହେବାର ସମୟ ଆସିଯାଇଛି।
14 ସୈନ୍ୟାଧିପତି ସଦାପ୍ରଭୁ ଆପଣା ନାମରେ ଏହି ଶପଥ କରିଅଛନ୍ତି,
“ହେ ବାବିଲ, ଆମ୍ଭେ ତୁମ୍ଭକୁ ପଙ୍ଗପାଳ ସଦୃଶ ଶତ୍ରୁ ସୈନ୍ୟରେ ପୂର୍ଣ୍ଣ କରିବା।
ଆଉ ସେମାନେ ତୁମ୍ଭ ବିରୁଦ୍ଧରେ
ବିଜୟର ଜୟକାର କରିବେ।”
15 ସଦାପ୍ରଭୁ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି।
ସେ ଆପଣା ଜ୍ଞାନରେ ଜଗତ ସ୍ଥାପନ କରିଅଛନ୍ତି
ଓ ଆପଣା ବୁଦ୍ଧିରେ ସେ ଗଗନ ମଣ୍ଡଳ ବିସ୍ତାର କରିଅଛନ୍ତି।
16 ଯେତେବେଳେ ସେ ଭୟଙ୍କର ଶବ୍ଦ କରନ୍ତି,
ସେତେବେଳେ ଆକାଶର ଜଳରାଶି ଗର୍ଜନ କରନ୍ତି।
ସେ ସମଗ୍ର ପୃଥିବୀ ଉପରେ ମେଘ ସୃଷ୍ଟି କରିଛନ୍ତି।
ସେ ମେଘ ସହିତ ବିଜୁଳି ପଠାନ୍ତି ଓ ତାଙ୍କ ଭଣ୍ଡାର ଘରୁ ବାୟୁ ପ୍ରବାହ କରନ୍ତି।
17 ମାତ୍ର ପ୍ରତ୍ୟେକ ଲୋକ ନିର୍ବୋଧ ଓ ଅଜ୍ଞାନ ଅଟନ୍ତି।
ପରମେଶ୍ୱରଙ୍କ କ୍ରିୟା ସେମାନେ ଜାଣନ୍ତି ନାହିଁ।
ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା
ଲଜ୍ଜିତ ହୋଇଅଛନ୍ତି।
କାରଣ ସେ ଛାଞ୍ଚ ଢଳା ପ୍ରତିମା
ମିଥ୍ୟା ଓ ଜୀବନ୍ତ ନୁହନ୍ତି।
18 ସେହି ପ୍ରତିମାଗୁଡ଼ିକ ଅସାର
ଓ ପ୍ରହେଳିକା ମାତ୍ର।
ସେମାନେ ପ୍ରତିଫଳ ପାଇବା ସମୟରେ
ବିନଷ୍ଟ ହେବେ।
19 କିନ୍ତୁ ଯାକୁବଙ୍କ ଭାଗ ସେ ସବୁପରି ନୁହନ୍ତି।
କାରଣ ପରମେଶ୍ୱର ସକଳ ବସ୍ତୁର ସୃଷ୍ଟିକର୍ତ୍ତା,
ତାଙ୍କୁ କେହି ଗଢ଼ି ନାହାନ୍ତି।
ଇସ୍ରାଏଲ ତାଙ୍କର ନିଜସ୍ୱ ଅଧିକାର।
ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
20 ସଦାପ୍ରଭୁ ପୁଣି କହନ୍ତି, “ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ଯୁଦ୍ଧର ଅସ୍ତ୍ର ସ୍ୱରୂପ।
ଆମ୍ଭେ ତୁମ୍ଭ ଦ୍ୱାରା ନାନା ଗୋଷ୍ଠୀକୁ ଧ୍ୱଂସ କଲୁ
ଓ ନାନା ରାଜ୍ୟକୁ ସମ୍ପୂର୍ଣ୍ଣ ସଂହାର କଲୁ।
21 ତୁମ୍ଭ ମାଧ୍ୟମରେ ଅଶ୍ୱ ଓ ତା’ର ଆରୋହୀକୁ ଚୂର୍ଣ୍ଣ କଲୁ
ଏବଂ ରଥ ଓ ତା’ର ଆରୋହୀକୁ ବିନାଶ କଲୁ।
22 ଆଉ ଆମ୍ଭେ ତୁମ୍ଭ ମାଧ୍ୟମରେ ପୁରୁଷ ଓ ସ୍ତ୍ରୀ,
ବୃଦ୍ଧ ଓ ବାଳକ
ଏବଂ ଯୁବକ ଓ ଯୁବତୀକୁ ଚୂର୍ଣ୍ଣ କରିବା।
23 ପୁଣି ତୁମ୍ଭ ମାଧ୍ୟମରେ ଆମ୍ଭେ ପାଳକ
ଓ ତାହାର ପଲକୁ କୃଷକକୁ ଓ ତାହାର ହଳ ବଳଦକୁ
ଏବଂ ଦେଶାଧ୍ୟକ୍ଷ ଓ ରାଜ୍ୟର ଅଧିପତିଗଣକୁ ଚୂର୍ଣ୍ଣ କଲୁ।
24 ଆଉ ଆମ୍ଭେ ବାବିଲକୁ ଓ କଲ୍ଦୀୟ ନିବାସୀ ସମସ୍ତଙ୍କୁ ସିୟୋନରେ ତୁମ୍ଭମାନଙ୍କ ଦୃଷ୍ଟି ଗୋଚରରେ
ସେମାନଙ୍କ କୃତ ସମସ୍ତ ଦୁଷ୍କର୍ମର ପ୍ରତିଫଳ ଦେବା।”
ଏହା ସଦାପ୍ରଭୁ କହନ୍ତି।
25 ଆଉ ସଦାପ୍ରଭୁ କହନ୍ତି,
“ହେ ବାବିଲ, ତୁମ୍ଭେ ଏକ ବିନାଶକ ପର୍ବତ,
ତୁମ୍ଭେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ,
ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା।
ତୁମ୍ଭକୁ ଶୈଳର ଶୃଙ୍ଗରୁ ଗଡ଼ାଇ ଏକ ଅଗ୍ନିଦଗ୍ଧ ପର୍ବତ କରିବା।
26 ଲୋକମାନେ କୋଣ ପଥର କିଅବା ମୂଳଦୁଆ ସ୍ଥାପନ ପାଇଁ
ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ।
କାରଣ ସଦାପ୍ରଭୁ କହନ୍ତି
ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇରହିବ।”
27 “ତୁମ୍ଭେମାନେ ଦେଶରେ ଧ୍ୱଜା ସ୍ଥାପନ କର,
ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ।
ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧରେ ପ୍ରସ୍ତୁତ କର।
ଅରାରଟ୍, ମିନ୍ନି ଓ ଅସ୍କିନସ୍ ରାଜ୍ୟକୁ
ତାହାର ବିରୁଦ୍ଧରେ ଏକତ୍ର ଡାକ।
ତାହାର ବିରୁଦ୍ଧରେ ସେନାପତିମାନଙ୍କୁ ନିଯୁକ୍ତ କର
ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ୟାରେ ଅଶ୍ୱଗଣ ପଠାଅ।
28 ତାହାର ବିରୁଦ୍ଧରେ ସମସ୍ତ ଗୋଷ୍ଠୀକୁ,
ମାଦୀୟ ରାଜଗଣକୁ ସେମାନଙ୍କର ଦେଶାଧ୍ୟକ୍ଷ,
ଅଧିପତି ଓ ତାହାର କର୍ତ୍ତୃତ୍ୱାଧୀନ
ସମୁଦାୟ ଦେଶକୁ ପ୍ରସ୍ତୁତ କର।
29 ସମଗ୍ର ବାବିଲ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି।
କାରଣ ତାକୁ ଧ୍ୱସ୍ତ ବିଧ୍ୱସ୍ତ ଓ
ଜନଶୂନ୍ୟ କରିବାକୁ ତାହା ବିରୁଦ୍ଧରେ
ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।
30 ବାବିଲର ସାହସୀ ଯୋଦ୍ଧାଗଣ ଯୁଦ୍ଧରୁ ଅବସର ନେଇଅଛନ୍ତି।
ସେମାନେ ନିଜ ନିଜ ଗଡ଼ ମଧ୍ୟରେ ଅଛନ୍ତି।
ସେମାନଙ୍କର ଶକ୍ତି ଦୁର୍ବଳ ହୋଇଅଛି।
ସେମାନେ ଭୟଭୀତା ସ୍ତ୍ରୀଲୋକମାନଙ୍କ ପରି ହୋଇଛନ୍ତି।
ସେମାନଙ୍କର ବାସସ୍ଥାନ ସବୁ ଦଗ୍ଧ ହୋଇଛି
ଓ ସେମାନଙ୍କର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହୋଇଅଛି।
31 ସମଗ୍ର ବାବିଲ ନଗର ଅଧିକୃତ ହୋଇଅଛି।
ଏହି ସମ୍ବାଦ ଜଣେ ବାର୍ତ୍ତାବହ ଅନ୍ୟ ଜଣେ ବାର୍ତ୍ତାବହକୁ
ଓ ଜଣେ ଦୂତ ଅନ୍ୟ ଜଣେ ଦୂତକୁ
ତାହା ଜଣାଇବାକୁ ଦୌଡ଼ିବ।
32 ପୁଣି ତା’ର ନଦୀପାର ଘାଟସବୁ ଅଧିକୃତ ହୋଇଅଛି
ଓ ନଳବଣ ସବୁ ଅଗ୍ନିରେ ଦଗ୍ଧିଭୂତ ହୋଇଅଛି।
ଆଉ ତା’ର ଯୋଦ୍ଧାଗଣ ଭୟଭୀତ ହୋଇଅଛନ୍ତି।”
33 କାରଣ ସୈନ୍ୟାଧିପତି ସଦାପ୍ରଭୁ
ଇସ୍ରାଏଲର ପରମେଶ୍ୱର କହନ୍ତି,
“ବାବିଲ ଏକ ଶସ୍ୟ ମର୍ଦ୍ଦନ ଖଳା ସ୍ୱରୂପ
ଆଉ ଅଳ୍ପ ସମୟରେ ଅମଳ ସମୟ ଆସିବ।”
34 ସିୟୋନର ଲୋକମାନେ କହିବେ,
“ବାବିଲର ରାଜା ନବୂଖଦ୍ନିତ୍ସର
ଆମ୍ଭମାନଙ୍କୁ ଗ୍ରାସ କରିଅଛି,
ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି।
ସେ ଆମ୍ଭମାନଙ୍କୁ ଶୂନ୍ୟପାତ୍ର ସଦୃଶ କରିଅଛି।
ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି।
ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି
ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦେଇଅଛି।
35 ସିୟୋନ ନିବାସୀଗଣ କହିବେ,
ମୋ’ ପ୍ରତି ଓ ମୋର ଆତ୍ମା ପ୍ରତି ବାବିଲ ଯେଉଁ ଦୌରାତ୍ମ୍ୟ କରିଛି ତା’ର ଫଳ ସେ ପାଉ।”
ଆଉ ଯିରୁଶାଲମ କହିବ,
“ମୋର ରକ୍ତପାତର ଫଳ କଲ୍ଦୀୟମାନଙ୍କ ଉପରେ ପଡ଼ୁ।”
36 ତେଣୁ ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦେବା
ଓ ତୁମ୍ଭ ପାଇଁ ପ୍ରତିଶୋଧ ନେବା।
ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦେବା
ଓ ତାହାର ନିର୍ଝରକୁ ଶୁଖାଇ ଦେବା।
37 ତା’ପରେ ବାବିଲ ଏକ ଧ୍ୱଂସ ସ୍ତୁପରେ ପରିଣତ ହେବ
ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହେବ।
ଲୋକମାନେ ଏହା ଦେଖି ଆତଙ୍କିତ ହେବେ ଏବଂ ଯେତେବେଳେ ସେମାନେ ଏହା ଦେଖିବେ ‘ଶୀସ୍’ ଶବ୍ଦ କରିବେ।
କାରଣ ସେ ନିର୍ଜନ ସ୍ଥାନ ହେବ।
38 “ସେମାନେ ଯୁବା ସିଂହ ପରି ଗର୍ଜନ କରିବେ
ଓ ସିଂହ ଛୁଆ ପରି ଘୋର ନାଦ କରିବେ।”
39 ସଦାପ୍ରଭୁ କହନ୍ତି,
“ସେମାନେ ଉତ୍ତ୍ୟକ୍ତ ହେଲା ପରେ
ଆମ୍ଭେ ସେମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କରିବା,
ଆଉ ସେମାନଙ୍କୁ ଆହ୍ଲାଦିତ କରିବା ପାଇଁ ସେମାନଙ୍କୁ ମତ୍ତ କରିବା।
ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ,
ଆଉ ଉଠିବେ ନାହିଁ।”
40 “ବାବିଲକୁ ଆମ୍ଭେ ବଧ ଯୋଗ୍ୟ ମେଷ
ଓ ଛାଗ ସଦୃଶ ବଧ୍ୟ ସ୍ଥାନକୁ ଆଗେଇ ନେବା।
41 “ଶେଶକ” କିପରି ଅନ୍ୟମାନଙ୍କ ଦ୍ୱାରା ନିଆଗଲା
ଓ ସମଗ୍ର ପୃଥିବୀର ପ୍ରଶଂସାର ପାତ୍ର କିପରି ହଠାତ୍ ଧରା ପଡ଼ିଅଛି,
ବାବିଲ କେମିତି ଅନ୍ୟ ଦେଶମାନଙ୍କ ପାଇଁ
ଏକ ଭୟର ପାତ୍ର ହୋଇଅଛି।
42 ବାବିଲ ଉପରେ ସମୁଦ୍ର ମାଡ଼ି ଆସିବ
ଓ ତାହାର ଢେଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ।
43 ବାବିଲର ନଗରସବୁ ଧ୍ୱଂସ ସ୍ଥାନ,
ଶୁଷ୍କଭୂମି ଓ ପ୍ରାନ୍ତର ହେବ।
ତା’ ମଧ୍ୟରେ କୌଣସି ଲୋକ ବାସ କରିବେ ନାହିଁ।
କିଅବା ତା’ ମଧ୍ୟଦେଇ କୌଣସି ମନୁଷ୍ୟ ସନ୍ତାନ ଗମନା ଗମନ କରିବେ ନାହିଁ।
44 ତା’ପରେ ଆମ୍ଭେ ବାବିଲର ବାଲ୍ଦେବଠାରୁ ପ୍ରତିଶୋଧ ନେବା
ଓ ଯାହା ସେ ଗିଳିଅଛି, ଆମ୍ଭେ ତା’ର ମୁଖରୁ ତାହା ବାହାର କରିବା।
ଗୋଷ୍ଠୀ ଏହା ପାଇଁ ଆଉ ନିର୍ଝର ହେବ ନାହିଁ।
ଏବଂ ବାବିଲର ପ୍ରାଚୀର ପଡ଼ିଯିବ।
45 ହେ ଆମ୍ଭର ଲୋକମାନେ,
ତୁମ୍ଭେମାନେ ବାବିଲରୁ ପଳାଇ ଯାଅ।
ପ୍ରତ୍ୟେକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ନିଜକୁ ରକ୍ଷା କର।
46 “ତୁମ୍ଭେମାନେ ନିଜ ନିଜ ହୃଦୟକୁ ଦୁର୍ବଳ କର ନାହିଁ।
କି ଦେଶ ମଧ୍ୟରେ ହେଉଥିବା ଜନରବକୁ ଶୁଣି ଭୀତ ହୁଅ ନାହିଁ।
କାରଣ ଏ ବର୍ଷ ଏକ ଜନରବ ଉଠିବ
ଓ ଅନ୍ୟ ବର୍ଷ ଅନ୍ୟ ଜନରବ ହେବ।
ପୁଣି ସେ ଜନରବ ଭୟଙ୍କର ଯୁଦ୍ଧ ବିଷୟରେ ହେବ
ଓ ଜଣେ ଶାସକ ଅନ୍ୟ ଏକ ଶାସକର ବିପକ୍ଷ ହେବ।
47 ଆଉ ସେ ସମୟ ନିଶ୍ଚୟ ଆସିବ,
ଯେତେବେଳେ ଆମ୍ଭେ ବାବିଲର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା
ଓ ସମଗ୍ର ବାବିଲ ଲଜ୍ଜିତ ହେବ।
ଆଉ ତାହାର ନିହତ ଲୋକମାନେ ନଗରର ରାସ୍ତାରେ ପତିତ ହେବେ।
48 ସେ ସମୟରେ ସ୍ୱର୍ଗ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ
ବାବିଲ ବିଷୟରେ ଆନନ୍ଦରେ ଚିତ୍କାର କରିବେ।
କାରଣ ସଦାପ୍ରଭୁ କହନ୍ତି ଯେ,
ଉତ୍ତର ଦିଗରୁ ବିନାଶକଗଣ ଆସିବେ।”
49 “ବାବିଲର ପତନ ନିଶ୍ଚିତ ହେବ,
କାରଣ ସେ ଇସ୍ରାଏଲର ଲୋକମାନଙ୍କୁ ନିପାତିତ କରିଅଛି
ଓ ପୃଥିବୀର ସମୁଦାୟ ଦେଶର ଲୋକଙ୍କୁ ବଧ କରିଅଛି।
50 ହେ ଖଡ଼୍ଗରୁ ବଞ୍ଚିତ ଲୋକମାନେ,
ତୁମ୍ଭେମାନେ ଗ୍ଭଲିଯାଅ,
ସ୍ଥିର ହୋଇ ଠିଆ ହୁଅ ନାହିଁ।
ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର
ଓ ଯିରୁଶାଲମକୁ ମନେ ପକାଅ।
51 “ଆମ୍ଭେ ଯିହୁଦାବାସୀ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ,
ଆମ୍ଭେମାନେ ଅପମାନିତ ହୋଇଅଛୁ।
କାରଣ ବିଦେଶୀମାନେ ସଦାପ୍ରଭୁଙ୍କର ମନ୍ଦିର ସକଳ
ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।”
52 ଏଣୁ ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି,
ଯେତେବେଳେ ଆମ୍ଭେ ତାହାର ଖୋଦିତ ମୂର୍ତ୍ତିଗୁଡ଼ିକୁ ପ୍ରତିଫଳ ଦେବା,
ସେତେବେଳେ ଏହି ଦେଶର କ୍ଷତବିକ୍ଷତ ଲୋକମାନେ
ଯନ୍ତ୍ରଣାରେ ଗଁ ଗଁ କରିବେ।
53 ପୁଣି ସଦାପ୍ରଭୁ କହନ୍ତି,
ଯଦିଓ ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ
ଓ ନିଜର ଦୁର୍ଗଗୁଡ଼ିକୁ ସୁଦୃଢ଼ କରିବ।
ତଥାପି ଆମ୍ଭ ପ୍ରେରିତ ବିନାଶକମାନେ
ତାହା ମଧ୍ୟରେ ପ୍ରବେଶ କରିବେ ଓ ତାକୁ ଧ୍ୱଂସ କରିବେ।”
54 “ଆମ୍ଭେ ବାବିଲରୁ କ୍ରନ୍ଦନର ରବ ଶୁଣିପାରୁଛୁ
ଓ କଲ୍ଦୀୟମାନଙ୍କ ଦେଶରୁ ମନ ବିନାଶର ଶବ୍ଦ ଶୁଣିପାରୁଛୁ।
55 ସଦାପ୍ରଭୁ ବାବିଲକୁ ବିନଷ୍ଟ କରିବେ
ଓ ନଗର ମଧ୍ୟରୁ ମହାରବ କ୍ଷାନ୍ତ କରିବେ।
ଶତ୍ରୁସୈନ୍ୟ ତରଙ୍ଗାୟିତ ମହାସାଗର ସଦୃଶ ଗର୍ଜନ କରି ଆସିବେ
ଓ କଲ୍ଦୀୟମାନେ ସେହି ମହାରବ ଶୁଣିବେ।
56 ବାବିଲ ବିରୁଦ୍ଧରେ ସେମାନେ ଆସିବେ ଓ ତାହାକୁ ଧ୍ୱଂସ କରିବେ।
ସେମାନଙ୍କର ବୀରଗଣ ଧରାଯିବେ
ଓ ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗାଯିବ।
କାରଣ ସଦାପ୍ରଭୁ ସେମାନଙ୍କର ଦୁଷ୍କର୍ମ ଯୋଗୁଁ ନିଶ୍ଚୟ ପ୍ରତିଫଳ ଦେବେ।
57 ପୁଣି ଆମ୍ଭେ ତାହାର ଅଧିପତିଗଣକୁ,
ତାହାର ଜ୍ଞାନୀ ଲୋକମାନଙ୍କୁ,
ତାହାର ଦେଶାଧ୍ୟକ୍ଷ, ତାହାର ଅଧିପତିଗଣକୁ
ଓ ତାହାର ବୀର ପୁରୁଷମାନଙ୍କୁ ମତ୍ତ କରାଇବା।
ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ
ଓ କେବେ ଜାଗ୍ରତ ହେବେ ନାହିଁ।”
ଏହା ରାଜା କହନ୍ତି,
ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
58 ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହେବ
ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହେବ।
ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ
ଓ ନଗରକୁ ରକ୍ଷା କରିବାକୁ କ୍ଳାନ୍ତ ହେବେ।
ମାତ୍ର ତାହା କିଛି ସାହାଯ୍ୟ କରିବ ନାହିଁ।
ସେମାନେ ସେହି ଅଗ୍ନିଶିଖାରେ ଜାଳେଣି ସ୍ୱରୂପ ଦଗ୍ଧ ହେବେ।”
ବାବିଲ ପ୍ରତି ଯିରିମିୟଙ୍କ ଏକ ବାର୍ତ୍ତା
59 ଯିହୁଦାର ଶାସକ ସିଦିକିୟଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ମହସେୟର ପୌତ୍ର, ନେରିୟର ପୁତ୍ର ସରାୟ ଯେଉଁ ସମୟରେ ରାଜା ସଙ୍ଗେ ବାବିଲକୁ ଗଲା, ସେ ସମୟରେ ଯିରିମିୟ ସରାୟକୁ ଏହି ବାର୍ତ୍ତା ଦେଇଥିଲା। ସରାୟ ଜଣେ ପଦାଧିକାରୀ ଥିଲେ। 60 ଆଉ ଯିରିମିୟ ବାବିଲର ଭବିଷ୍ୟତରେ ଘଟିବାକୁ ଥିବା ସମସ୍ତ ଅମଙ୍ଗଳ କଥା ଏକ ପୁସ୍ତକରେ ଲେଖିଲେ।
61 ଆଉ ଯିରିମିୟ ସରାୟକୁ କହିଲେ, “ହେ ସରାୟ, ତୁମ୍ଭେ ବାବିଲକୁ ଯାଇ ଏହି ବାର୍ତ୍ତା ସମସ୍ତଙ୍କ ଗୋଚରାର୍ଥେ ପାଠ କର। 62 ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ ତୁମ୍ଭେ ଏହାକୁ ବିନଷ୍ଟ କରିବ। ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବେ ନାହିଁ। ମାତ୍ର ତାହା ଚିରକାଳ ଧ୍ୱଂସ ସ୍ଥାନ ହୋଇ ରହିବ। 63 ପୁଣି ଏହା ପାଠ କରି ସାରିଲା ପରେ, ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍ ନଦୀର ମଧ୍ୟସ୍ଥାନରେ ତାହା ପକାଇ ଦେବ। 64 ଆଉ ତୁମ୍ଭେ କହିବ, ‘ଆମ୍ଭେ ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହେବ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ଦୁଷ୍କର୍ମ କରିଅଛି।”’
ଯିରିମିୟଙ୍କ ବାର୍ତ୍ତା ଏହିଠାରେ ସମାପ୍ତ।
ଯିରୁଶାଲମର ପତନ
52 ସିଦିକିୟ ଏକୋଇଶ ବର୍ଷ ବୟସରେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାହାର ମାତାର ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ଯିରିମିୟଙ୍କ କନ୍ୟା ଥିଲା। 2 ସିଦିକିୟ ଯିହୋୟାକୀମ୍ଙ୍କ ଦୁଷ୍କର୍ମ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ନାନା କୁକର୍ମ କଲା। 3 ଯିରୁଶାଲମ ଓ ଯିହୁଦାରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ଥିଲେ। ଶେଷରେ ସଦାପ୍ରଭୁ ସେମାନଙ୍କୁ ଆପଣା ସମ୍ମୁଖରୁ ଦୂର କରିଦେଲେ।
ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲା। 4 ତା’ପରେ ରାଜତ୍ୱର ନବମ ବର୍ଷର, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ପ୍ରବେଶ କରି ଅବରୋଧର କାର୍ଯ୍ୟ କଲେ। 5 ସିଦିକିୟ ରାଜାର ଏଗାର ବର୍ଷ ପର୍ଯ୍ୟନ୍ତ ବାବିଲ ସୈନ୍ୟଙ୍କ ଦ୍ୱାରା ଯିରୁଶାଲମ ନଗର ଅବରୁଦ୍ଧ ହୋଇ ରହିଲା। 6 ସେହି ବର୍ଷ ଚତୁର୍ଥ ମାସର ନବମ ଦିନରେ ନଗରରେ ମହା ଦୁର୍ଭିକ୍ଷ ଦେଖା ଦେଲା। ତହିଁରେ ଦେଶୀୟ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ। 7 ନଗରର ଏକ ସ୍ଥାନ ଭଗ୍ନ ହେବାରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କଲ୍ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଘେରି ରହିଥିଲେ। ସେମାନେ ପ୍ରାନ୍ତର ଆଡ଼କୁ ପଳାୟନ କଲେ।
8 ମାତ୍ର କଲ୍ଦୀୟମାନେ ରାଜା ସିଦିକିୟଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିୟଙ୍କ ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାଇଲେ। 9 ତା’ପରେ ସେମାନେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରିବ୍ଲାକୁ ନେଇଗଲେ। ତା’ପରେ ସେଠାରେ ରାଜା ତା’ ଉପରେ ଦଣ୍ଡ ବିଧାନ କଲେ। 10 ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସମ୍ମୁଖରେ ବଧ କଲା। ଆଉ ମଧ୍ୟ ଯିହୁଦାର ସମସ୍ତ ଅଧିପତିଙ୍କୁ ରିବ୍ଲାରେ ବଧ କଲା। 11 ତା’ପରେ ବାବିଲର ରାଜା ସିଦିକିୟର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନେଇଗଲା ଓ କାରାଗାରରେ ନିକ୍ଷେପ କଲା। ସେ ମୃତ୍ୟୁ ପର୍ଯ୍ୟନ୍ତ କାରାଗାରରେ ରହିଲା।
12 ପଞ୍ଚମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ରାଜାର ରାଜତ୍ୱର ଉନବିଂଶ ବର୍ଷରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୁଶାଲମକୁ ଆସିଲା। 13 ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ଯିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନିରେ ଦଗ୍ଧ କଲା। 14 ଆଉ ପ୍ରହରୀବର୍ଗର ସେନାପତିଙ୍କ ସଙ୍ଗେ ଥିବା ସମସ୍ତ କଲ୍ଦୀୟ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ। 15 ସେହି ସମୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ କେତେକ ଗରିବ ଲୋକମାନଙ୍କୁ, ନଗରର ଅବଶିଷ୍ଟ ଲୋକମାନଙ୍କୁ, ବାବିଲ ରାଜାର ପକ୍ଷକୁ ପଳାୟନକାରୀଙ୍କୁ ଓ ଅବଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ବନ୍ଦୀକରି ନେଇଗଲା। 16 ମାତ୍ର ନବୂଷରଦନ୍ ଦେଶର ଦରିଦ୍ରତମ ଲୋକମାନଙ୍କୁ ଦ୍ରାକ୍ଷାକ୍ଷେତ୍ରରେ କାମ କରିବାକୁ ଓ କୃଷକ ହେବାକୁ ସେଠାରେ ଛାଡ଼ିଗଲା।
17 ପୁଣି କଲ୍ଦୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠିକିସବୁ ଓ ପିତ୍ତଳମୟ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନେଇଗଲେ। 18 ଆଉ ମଧ୍ୟ ସେମାନେ ରନ୍ଧାପାତ୍ର, ବେଲ୍ଗ୍ଭ, କଇଁଚି, ବେସିନ୍, କରେଇ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିରରେ ଉପାସନା ପାଇଁ ବ୍ୟବହାର ହୁଏ, ତାହା ନେଇଗଲେ। 19 ପୁଣି ପ୍ରହରୀମାନଙ୍କର ସେନାପତି ଛୋଟ ତାଟିଆ, କରେଇ, ବେଦି ଉପରେ ସିଞ୍ଚନ ପାଇଁ ବ୍ୟବହୃତ ହେଉଥିବା ପାତ୍ର, କେଟଲି, ଦୀପରୁଖା ଏବଂ ପେୟନୈବେଦ୍ୟ ଉତ୍ସର୍ଗ ପାଇଁ ବ୍ୟବହୃତ ହେଉଥିବା ପାତ୍ରସବୁ ନେଇଗଲେ। ଖାଣ୍ଟିସୁନା ଓ ରୂପାରେ ନିର୍ମିତ ହୋଇଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ। 20 ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବାରଟି ବୃଷଭ, ଏହାକୁ ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷରେ ବ୍ୟବହୃତ ହୋଇଥିବା କଂସାର ଓଜନ ବହୁତ ଅଧିକ ଥିଲା।
21 ପୁଣି ସେହି ଦୁଇସ୍ତମ୍ଭ ପ୍ରତ୍ୟେକର ଉଚ୍ଚତା ସତେଇଶ୍ ଫୁଟ, ପରିଧି ଅଠର ପୁଟ, ସ୍ଥୁଳତା ତିନି ଇଞ୍ଚ ମୋଟା ଓ ତାହା ଫମ୍ପା ଥିଲା। 22 ଆଉ ତାହାର ଅଗ୍ରଭାଗରେ ପିତ୍ତଳର ମୁଣ୍ଡାଳି ଥିଲା। ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମୟ ଥିଲା। ଦ୍ୱିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥିରେ ମଧ୍ୟ ଡାଳିମ୍ବ ଥିଲା। 23 ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା। ଜାଲିକର୍ମର ଉପରେ ଗ୍ଭରିଆଡ଼େ ଏକ ଶହ ଡାଳିମ୍ବାକୃତି ଥିଲା।
24 ପୁଣି ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସିଫନିୟକୁ ଏବଂ ଆଉ ତିନି ଜଣ ଦ୍ୱାରପାଳକୁ ବନ୍ଦୀ କରି ନେଲା। 25 ଆଉ ସେ ନଗରରୁ ଯୋଦ୍ଧାମାନଙ୍କ ଦାୟିତ୍ୱରେ ଥିବା ଅଧିପତିଗଣଙ୍କୁ, ନଗରର ସାତ ଜଣ ରାଜାଙ୍କର ଉପଦେଷ୍ଟାଙ୍କୁ ଦେଶର ଲୋକ ଗଣନାକାରୀ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଜଣଙ୍କୁ ବନ୍ଦୀକରି ନେଲା। 26-27 ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ବନ୍ଦୀକରି ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲା। ତହୁଁ ବାବିଲ ରାଜା ହମାତ୍ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ବଧ କଲା।
ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ଆନୀତ ହେଲା। 28 ନବୂଖଦ୍ନିତ୍ସର ଯେଉଁ ଯିହୁଦୀ ଲୋକମାନଙ୍କୁ ବନ୍ଦୀକରି ନେଇଗଲେ,
ସେମାନଙ୍କର ସଂଖ୍ୟା ନବୂଖଦ୍ନିତ୍ସରଙ୍କ ରାଜତ୍ୱର ସପ୍ତମ ବର୍ଷରେ ତିନି ସହସ୍ର ତେଇଶ୍ ଜଣ ଥିଲେ।
29 ପୁଣି ତାଙ୍କ ଅଧିକାରର ଅଷ୍ଟାଦଶ ବର୍ଷରେ ସେ ଯିରୁଶାଲମରୁ ଆଠ ଶହ ବତିଶ୍ ଲୋକଙ୍କୁ ବନ୍ଦୀ କରି ନେଇଗଲେ।
30 ପୁଣି ନବୂଖଦ୍ନିତ୍ସରର ରାଜତ୍ୱର ତ୍ରୟୋବିଂଶ ବର୍ଷରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସାତ ଶହ ପଇଁଗ୍ଭଳିଶ୍ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା।
ସବୁ ମିଶି ଗ୍ଭରି ସହସ୍ର ଛଅ ଶହ ଲୋକ ଥିଲେ।
ଯିହୋୟାଖୀନ୍ଙ୍କ ମୁକ୍ତି
31 ଯିହୁଦାର ରାଜା ଯିହୋୟାଖୀନ୍ ବାବିଲର କାରାଗାରରେ ସଇଁତିରିଶ୍ ବର୍ଷ ବନ୍ଦୀ ହୋଇ ରହିଲେ। ତାଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷରେ ବାବିଲର ରାଜା ଇବିଲ୍-ମରୋଦକ୍ ଯିହୋୟାଖୀନ୍ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ୱର ପ୍ରଥମ ବର୍ଷର ଦ୍ୱାଦଶ ମାସର ପଞ୍ଚବିଂଶ ଦିନରେ ଯିହୋୟାଖୀନ୍ଙ୍କୁ କାରାଗାରରୁ ମୁକ୍ତ କଲେ। 32 ଆଉ ସେ ତାଙ୍କୁ ମଧୁର ବାକ୍ୟ କହିଲେ ଓ ତାଙ୍କୁ ବାବିଲର ଅନ୍ୟ ରାଜାମାନଙ୍କଠାରୁ ଅଧିକ ସମ୍ମାନଜନକ ସ୍ଥାନ ଦେଲେ। 33 ଆଉ ଯିହୋୟାଖୀନ୍ ଆପଣା କାରାଗାର ପୋଷାକ ବଦଳାଇ ଅବଶିଷ୍ଟ ଜୀବନ ରାଜାଙ୍କ ସମ୍ମୁଖରେ ଭୋଜନ କଲା। 34 ଏହା ପରେ ଯିହୋୟାଖୀନ୍ ବାବିଲର ରାଜାମାନଙ୍କଠାରୁ ପ୍ରତିଦିନ ସୁବିଧା ପାଇଲେ। ଏହା ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଦିଆଗଲା।
ପୁରାତନ ନିୟମର ଉପାସନା
9 ପ୍ରଥମ ନିୟମରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ୟ ଥିଲା। 2 ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗରେ ଦୀପ, ମେଜ ଓ ତହିଁ ଉପରେ ପରମେଶ୍ୱରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ ‘ପବିତ୍ର ସ୍ଥାନ’ [a] ବୋଲି କୁହା ଯାଇଥିଲା। 3 ଦ୍ୱିତୀୟ ପରଦା ପଛ ପଟରେ ଯେଉଁ ବଖରାଟି ଥିଲା ତାହାକୁ ‘ମହାପବିତ୍ର ସ୍ଥାନ’ କୁହାଯାଉଥିଲା। 4 ଏଠାରେ ସୁଗନ୍ଧିତ ଦ୍ରବ୍ୟ ପୋଡ଼ିବା ପାଇଁ ଗୋଟିଏ ସୁନାର ବେଦୀ ଥିଲା। ‘ପୁରାତନ ନିୟମ [b] ଗୋଟିଏ ପବିତ୍ର ବାକ୍ସ ଭିତରେ ଥିଲା। ବାକ୍ସ ସୁନାରେ ତିଆରି ହୋଇଥିଲା। ସେହି ବାକ୍ସ ଭିତରେ ସୁନାରେ ତିଆରି ମାନ୍ନା [c] ରଖା ହୋଇଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହୋଇ ପତ୍ର କଅଁଳି ଥିଲା । ସେହି ବାକ୍ସରେ ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ୟ ଥିଲା। 5 ବାକ୍ସ ଉପରେ କିରୁବ ସ୍ୱର୍ଗଦୂତଗଣ ପରମେଶ୍ୱରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ ‘ଦୟାର ଆସନ’ [d]ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟରେ କହି ପାରିବୁ ନାହିଁ।
6 ମୋର କହିବା ଅନୁଯାୟୀ ସେହି ତମ୍ବୁରେ ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାନେ ଉପାସନା କାର୍ଯ୍ୟ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି। 7 କିନ୍ତୁ ଦ୍ୱିତୀୟ ବଖରା ଭିତରକୁ କେବଳ ବର୍ଷରେ ଥରେ ମହାଯାଜକ ଯାଇ ପାରୁଥିଲେ। ମହାଯାଜକ ଉତ୍ସର୍ଗ କରିବାର ରକ୍ତ ନ ନେଇ କଦାପି ସେଠାରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସେହି ରକ୍ତ ପରମେଶ୍ୱରଙ୍କୁ ଅର୍ପଣ କରୁଥିଲେ।
8 ଏତଦ୍ଦ୍ୱାରା ପବିତ୍ରଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି ଯେ, ପ୍ରଥମ ବଖରାଟି ଥିବା ପର୍ଯ୍ୟନ୍ତ ଅତିପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ଖୋଲା ହୋଇ ନାହିଁ। 9 ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ୱରୂପ। ଏହା ସୂଗ୍ଭଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ୱାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହୋଇପାରେ ନାହିଁ। ଉକ୍ତ ବଳି ହେତୁ ସେ ସିଦ୍ଧିଲାଭ କରିପାରେ ନାହିଁ। 10 ସେଗୁଡ଼ିକ ଖାଦ୍ୟ, ପେୟ ଓ ବିଭିନ୍ନ ପ୍ରକାରର ଶୌଚକ୍ରିୟା କେବଳ ଶାରୀରିକ ବିଧିବିଧାନ ଅଟେ, ଏତଦ୍ଦ୍ୱାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ୱରଙ୍କ ନୂତନ ଚୁକ୍ତିର ସମୟ ପର୍ଯ୍ୟନ୍ତ ପରମେଶ୍ୱର ସେହିସବୁ ନିୟମ ଲୋକମାନଙ୍କୁ ଦେଲେ।
ନୂତନ ନିୟମର ଉପାସନା
11 କିନ୍ତୁ ଏବେ ଖ୍ରୀଷ୍ଟ ମହାଯାଜକ ରୂପେ ଆସିଅଛନ୍ତି। ଖ୍ରୀଷ୍ଟ ହେଉଛନ୍ତି ଆମ୍ଭ ପାଖରେ ଥିବା ସମସ୍ତ ଉତ୍ତମ ବିଷୟର ମହାଯାଜକ। କିନ୍ତୁ ଯୀଶୁ ଅନ୍ୟ ଯାଜକମାନଙ୍କ ଭଳି ତମ୍ବୁରେ ଆପଣା ସେବାକାର୍ଯ୍ୟ କରନ୍ତି ନାହିଁ। ଖ୍ରୀଷ୍ଟ ତାହା ଅପେକ୍ଷା ମହତ୍ତର ଓ ଶ୍ରେଷ୍ଠ ସ୍ଥଳରେ ସେବାକାର୍ଯ୍ୟ କରନ୍ତି ଏବଂ ଏହି ସ୍ଥାନଟି ମଣିଷମାନେ ତିଆରି କରି ନାହାନ୍ତି। 12 ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନରେ ଛେଳି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘେନି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।
13 ଯେଉଁ ଲୋକମାନେ ଉପାସନାସ୍ଥଳରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହନ୍ତି ସେମାନଙ୍କ ଉପରେ ଛେଳି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଉଥିଲା। ସେହି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା। 14 ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପାରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଳିସ୍ୱରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ଯ୍ୟରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ୟ ପବିତ୍ର କରିବ। ଆମ୍ଭେ ପବିତ୍ର ହୋଇ ଜୀବନ୍ତ ପରମେଶ୍ୱରଙ୍କର ସେବା କରି ପାରିବା।
15 ଅତଏବ, ପରମେଶ୍ୱରଙ୍କ ପାଖରୁ ଯୀଶୁ ଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ୟ ଯେପରି ପରମେଶ୍ୱରଙ୍କ ଦ୍ୱାରା ଆହୂତ ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହେବେ। ସେମାନେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିଦାନରେ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ।
16 ଯେତେବେଳେ ଜଣେ ଲୋକ ମୃତ୍ୟୁବରଣ କରେ ସେ ଗୋଟିଏ ଉଇଲ୍ ଛାଡ଼ି ଯାଏ। କିନ୍ତୁ ଲୋକେ ସେହି ଲୋକଜଣକର ମୃତ୍ୟୁ ପ୍ରମାଣିତ କରିବା ଉଚିତ୍। 17 ଚୁକ୍ତି ଲେଖିଥିବା ଲୋକ ଯଦି ଜୀବିତ, ତା’ହେଲେ ସେହି ଉଇଲ୍ଟି କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ମଣିଷଟି ମରିଗଲା ପରେ ଯାଇ ଉଇଲ୍ଟି ଲାଗୁ ହୋଇ ପାରିବ। 18 ପରମେଶ୍ୱର ଓ ଲୋକଙ୍କ ମଧ୍ୟରେ ହୋଇଥିବା ପ୍ରଥମ ନିୟମ ଠିକ୍ ସେହିଭଳି। ପ୍ରଥମ ନିୟମ ମଧ୍ୟ ରକ୍ତଦ୍ୱାରା କାର୍ଯ୍ୟକାରୀ ହୋଇଥିଲା। 19 ପ୍ରଥମରେ, ବ୍ୟବସ୍ଥାର ପ୍ରତ୍ୟେକ ଈଶ୍ୱରୀୟ ଆଜ୍ଞା ମୋଶା ଲୋକମାନଙ୍କୁ କହିଥିଲେ। ତା’ପରେ ମୋଶା ବାଛୁରିଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା’ପରେ ସେ ଲାଲ ରଙ୍ଗ ଓ ଏସୋବର ଡାଳଟିଏ ନେଇ ଜଳ ମିଶ୍ରିତ ରକ୍ତ ବ୍ୟବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ। 20 ତା’ପରେ ମୋଶା କହିଲେ, “ଯେଉଁ ନିୟମଗୁଡ଼ିକୁ ପରମେଶ୍ୱର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା ଦେଇଛନ୍ତି, ସେହି ନିୟମର ରକ୍ତ ଏହି।” 21 ମୋଶା ପବିତ୍ର ତମ୍ବୁ ଉପରେ ସେହି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ବସ୍ତୁ ଉପରେ ମଧ୍ୟ ସେ ସେହି ରକ୍ତ ଛିଞ୍ଚିଲେ। 22 ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ।
ଖ୍ରୀଷ୍ଟଙ୍କ ବଳିଦାନ ପାପଗୁଡ଼ିକୁ ଧୋଇ ଦିଏ
23 ସ୍ୱର୍ଗସ୍ଥ ବିଷୟ ଗୁଡ଼ିକର ପ୍ରତିକୃତିଗୁଡ଼ିକ ପଶୁବଳି ଦ୍ୱାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ୱର୍ଗସ୍ଥ ବିଷୟରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର। 24 ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।
25 ବର୍ତ୍ତମାନ ସେ ମଧ୍ୟ ଆମ୍ଭକୁ ସାହାଯ୍ୟ କରିବା ପାଇଁ ସେଠାରେ ପରମେଶ୍ୱରଙ୍କ ଆଗରେ ଅଛନ୍ତି। ମହାଯାଜକ ମହାପବିତ୍ର ସ୍ଥାନରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନେଇ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାଯାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସେଭଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ୱର୍ଗରେ ପ୍ରବେଶ କରି ନ ଥିଲେ। 26 ଯଦି ଖ୍ରୀଷ୍ଟ ନିଜକୁ ଅନେକ ଥର ସମର୍ପଣ କରି ଥାଆନ୍ତେ, ତା’ହେଲେ ଜଗତ ସୃଷ୍ଟି ହେବା ଦିନଠାରୁ ତାହାଙ୍କୁ ଅନେକ ଥର ଯାତନା ସହିବାକୁ ପଡ଼ିଥା’ନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ଯୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।
27 ପ୍ରତ୍ୟେକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଗ୍ଭର ହୁଏ। 28 ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନେକ ଲୋକଙ୍କର ପାପ ଦୂର କରି ପାରିବେ। ଖ୍ରୀଷ୍ଟ ଦ୍ୱିତୀୟ ଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସେମାନଙ୍କର ମୁକ୍ତି ପାଇଁ ଆସିବେ।
2010 by World Bible Translation Center