New Testament in a Year
ବିଶ୍ୱାସ
11 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। 2 ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।
3 ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।
4 କୟିନ ଓ ହେବଲ ଦୁହେଁ ପରମେଶ୍ୱରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ୱାସ ଥିବା ହେତୁ ହେବଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ୱର କହିଲେ, ଯେ, ସେ ହେବଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ୱରଙ୍କଠାରେ ହେବଲର ବିଶ୍ୱାସ ହେତୁ ତାହାକୁ ଭଲ ଲୋକ ବୋଲି କହିଲେ। ହେବଲ ମରି ଯାଇଛି କିନ୍ତୁ ନିଜ ବିଶ୍ୱାସ ହେତୁ ଏବେ ସୁଦ୍ଧା ସେ କଥା କହୁଛି।
5 ବିଶ୍ୱାସ ହେତୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କେବେବି ମୃତ୍ୟୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁହେ ଯେ, ହନୋକଙ୍କୁ ଉଠାଇ ନେଇ ଯିବା ପୂର୍ବରୁ ସେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖୋଜି ପାରିଲେ ନାହିଁ, କାରଣ ପରମେଶ୍ୱର ହନୋକଙ୍କୁ ନିଜ ସହିତ ରହିବା ଲାଗି ନେଇଗଲେ। 6 ବିଶ୍ୱାସ ବିନା ଜଣେ ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ୱରଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରିବା ଉଚିତ୍। ଯିଏ ପରମେଶ୍ୱରଙ୍କ ପାଖକୁ ଆସିବ ସେ ବିଶ୍ୱାସ କରିବା ଦରକାର ଯେ ଯିଏ ପ୍ରକୃତରେ ତାହାଙ୍କୁ ଖୋଜେ, ପରମେଶ୍ୱର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।
7 କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।
8 ପରମେଶ୍ୱର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ଡାକିଲେ। ପରମେଶ୍ୱର ତାହାଙ୍କୁ ସେହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ୱାସ ଦ୍ୱାରା ମାନିଲେ, ଓ ସେହି ସ୍ଥାନ ପାଇଁ ପ୍ରସ୍ଥାନ କଲେ। 9 ପରମେଶ୍ୱର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସେହି ସ୍ଥାନରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ୱାସ ଥିବା ହେତୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ୟ 10 ପରମେଶ୍ୱରଙ୍କଠାରୁ ସେହି ପ୍ରତିଜ୍ଞା ପାଇଥିଲେ।। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ [a]ର ଅପେକ୍ଷାରେ ଥିଲେ। ପରମେଶ୍ୱର ସ୍ୱୟଂ ସେହି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।
11 ପିଲାପିଲି ହେବା ପାଇଁ ଅବ୍ରହାମଙ୍କର ବୟସ ଅଧିକ ହୋଇଯାଇଥିଲା। ଆହୁରି ମଧ୍ୟ ସାରାର ପିଲାପିଲି ହୋଇ ପାରି ନ ଥିଲା। କିନ୍ତୁ ପରମେଶ୍ୱରଙ୍କଠାରେ ଅବ୍ରହାମଙ୍କର ବିଶ୍ୱାସ ଥିଲା, ଅତଏବ ପରମେଶ୍ୱର ସେମାନଙ୍କୁ ସନ୍ତାନ ହେବା ପାଇଁ ସକ୍ଷମ କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ୱାସ ରଖିଥିଲେ। 12 ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସେହି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ୟ ସନ୍ତାନ ଜନ୍ମଗ୍ରହଣ କଲେ।
13 ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି। 14 ଯେଉଁ ଲୋକମାନେ ସେହିଭଳି କଥା ମାନି ନିଅନ୍ତି, ସେମାନେ ସେମାନଙ୍କର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି। 15 ଯଦି ସେମାନେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟରେ ଭାବୁ ଥିଲେ, ସେମାନେ ସେହି ସ୍ଥାନକୁ ଫେରିବାକୁ ଗୋଟିଏ ସୁଯୋଗ ଖୋଜି ପାଇ ପାରି ଥା’ନ୍ତେ। 16 କିନ୍ତୁ ବାସ୍ତବିକ ସେମାନେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁଥିଲେ, ଯାହାକି ଗୋଟିଏ ସ୍ୱର୍ଗୀୟ ଦେଶ। ତେଣୁ ପରମେଶ୍ୱର ସଙ୍କୋଚ କଲେ ନାହିଁ, ସେମାନଙ୍କର ପରମେଶ୍ୱର ଭାବରେ ପରିଚିତ ହେବା ପାଇଁ। ସେହି ଲୋକମାନଙ୍କ ଲାଗି ପରମେଶ୍ୱର ଗୋଟିଏ ନଗର ତିଆରି କରି ରଖି ଅଛନ୍ତି।
17-18 ପରମେଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ ଯେ, ଇସ୍ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ୱାସ ଥିବାରୁ ସେ ତାହା ମାନିଲେ। ପରମେଶ୍ୱରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ। ପରମେଶ୍ୱର ଅବ୍ରହାମଙ୍କୁ କହି ସାରିଥିଲେ ଯେ, “ଇସ୍ହାକଙ୍କ ଦ୍ୱାରା ତୁମ୍ଭର ବଂଶଧରମାନେ ଆସିବେ।” କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ୱାସ ଥିବାରୁ ଅବ୍ରହାମ ଏପରି କଲେ। 19 ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।
2010 by World Bible Translation Center