New Testament in a Year
31 “ତେବେ ମୁଁ ପୁଣି ଏହି ଯୁଗର ଲୋକମାନଙ୍କ ବିଷୟରେ କ’ଣ କହିବି? ମୁଁ କାହା ସହିତ ସେମାନଙ୍କୁ ତୁଳନା କରିବି? ସେମାନେ କାହା ଭଳି ହେବେ? 32 ସେମାନେ ବଜାରରେ, ବସିଥିବା ସେହି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:
‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ,
କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଗୋଟିଏ ଶୋକଗୀତ ଗାଇଲୁ,
କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’
33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’ 34 ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା’ର ସାଙ୍ଗ ଅଟନ୍ତି।’ 35 କିନ୍ତୁ ଆପଣା କାର୍ଯ୍ୟ ଦ୍ୱାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହୋଇଥାଏ।”
ଫାରୂଶୀ ଶିମୋନ
36 ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସେହି ଫାରୂଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।
37 ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣି ପାରିଲା ଯେ, ଯୀଶୁ ଫାରୂଶୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା। 38 ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତା’ପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇ ଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳି ଦେଲା।
39 ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।”
40 ଯୀଶୁ ଫାରୂଶୀଙ୍କୁ କହିଲେ, “ଶିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି।”
ଶିମୋନ କହିଲେ, “ଗୁରୁ, କୁହନ୍ତୁ!”
41 ଯୀଶୁ କହିଲେ, “କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନେଇଥିଲେ। ଜଣେ ପାଞ୍ଚଶହ ରୂପାଟଙ୍କା କରଜ ନେଇଥିଲା ଓ ଆଉ ଜଣେ ପଗ୍ଭଶ୍ଟି ରୂପାଟଙ୍କା ନେଇଥିଲା। 42 ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?
43 ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।”
ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।” 44 ତା’ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା। 45 ତୁମ୍ଭେ ମୋତେ ଚୁମ୍ବନ ଦେଲ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ଯ୍ୟନ୍ତ ସେ ମୋର ପାଦରେ ଚୁମ୍ବନ ଦେବା ବନ୍ଦ କରି ନାହିଁ। 46 ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା। 47 ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା’ର ଅନେକ ପାପକ୍ଷମା କରି ଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ରେମ ଦେଖାଇଛି। ଯେଉଁ ଲୋକ କ୍ଷମା ପାଇବା ପାଇଁ କମ୍ ଆବଶ୍ୟକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ରେମ ଅନୁଭବ କରିଥାଏ।”
48 ତା’ପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପକ୍ଷମା କରି ଦିଆଗଲା।”
49 ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସେମାନେ ମନେ ମନେ ଭାବିବାକୁ ଲାଗିଲେ, “ଏ ଲୋକ ନିଜକୁ କ’ଣ ଭାବୁଛି? ସେ କିପରି ପାପଗୁଡ଼ିକୁ କ୍ଷମା କରି ପାରିବ?”
50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।”
2010 by World Bible Translation Center