Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 2:25-52

ଶିମିୟୋନ ଯୀଶୁଙ୍କୁ ଦେଖାକଲେ

25 ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ। 26 ପବିତ୍ରଆତ୍ମା ତାହାଙ୍କୁ କହି ଦେଇଥିଲେ ଯେ, ସେ ପ୍ରଭୁ ପରମେଶ୍ୱରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନ କରିବା ପୂର୍ବରୁ ତାହାଙ୍କର ମୃତ୍ୟୁ ହେବ ନାହିଁ। 27 ଆତ୍ମା ଶିମିୟୋନଙ୍କୁ ମନ୍ଦିରକୁ କଢ଼େଇ ଆଣିଲେ। ଯିହୂଦୀମାନଙ୍କ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ପାଇଁ ଯୋଷେଫ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗରେ ନେଇ ମନ୍ଦିରକୁ ଗଲେ। 28 ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନେଇ ପରମେଶ୍ୱରଙ୍କ ସ୍ତୁତିଗାନ କରି କହିଲେ:

29 “ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ।
30 ମୁଁ ମୋ’ ଆଖିରେ ତୁମ୍ଭର ପରିତ୍ରାଣକୁ ଦେଖିଛି।
31     ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗରେ ପ୍ରସ୍ତୁତ କରିଛ।
32 ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦେଖାଇବା ପାଇଁ ଆଲୋକ ଅଟନ୍ତି
    ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।”

33 ଯୀଶୁଙ୍କ ବାପାମା ଯୀଶୁଙ୍କ ବିଷୟରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। 34 ତା’ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ। 35 ଲୋକମାନଙ୍କ ମନ ଭିତରେ ଥିବା ଗୋପନକଥା ପ୍ରକାଶିତ ହେବ। ସେହି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।”

ହାନ୍ନା ଯୀଶୁଙ୍କୁ ଦେଖାକଲେ

36 ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟ‌ଦ୍‌ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ। 37 ତା’ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।

38 ସେ ସେହି ସମୟରେ ଶିଶୁ ଓ ତା’ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।

ଯୋଷେଫ ଓ ମରିୟମ ଘରକୁ ଫେରିଗଲେ

39 ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତା’ପରେ ସେମାନେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫେରିଗଲେ। 40 ସାନ ଶିଶୁଟି ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେ ହୃଷ୍ଟପୁଷ୍ଟ ଓ ବୁଦ୍ଧିମାନ ହେବାକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା।

ବାଳକ ଯୀଶୁ

41 ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ। 42 ଯୀଶୁଙ୍କୁ ବାରବର୍ଷ ବୟସ ହୋଇଥିବା ସମୟରେ ସବୁଥର ଭଳି ସେମାନେ ପର୍ବକୁ ଗଲେ। 43 ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ। 44 ଦଳ ଭିତରେ ପୁଅ ଅଛି ଭାବି ଯୋଷେଫ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା’ପରେ ସେମାନେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତରେ ଯୀଶୁଙ୍କୁ ଖୋଜିଲେ। 45 କିନ୍ତୁ ସେମାନେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ଯୀଶୁଙ୍କୁ ଖୋଜି ଖୋଜି ଯିରୁଶାଲମ ଫେରି ଆସିଲେ।

46 ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ। 47 ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 48 ଯୀଶୁଙ୍କ ବାପାମା ତାହାଙ୍କୁ ଦେଖି ବିସ୍ମିତ ହୋଇଗଲେ। ତାହାଙ୍କ ମା ତାହାଙ୍କୁ ପଗ୍ଭରିଲେ, “ପୁଅରେ! ତୁ ଆମ ସାଙ୍ଗରେ ଏପରି କାହିଁକି କଲୁ? ତୋ’ ବାପା ଓ ମୁଁ ତୋତେ ଖୋଜି ଖୋଜି ବହୁତ ଚିନ୍ତିତ ହୋଇ ପଡ଼ିଲୁଣି।”

49 ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?” 50 କିନ୍ତୁ ସେମାନେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।

51 ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ। 52 ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center