New Testament in a Year
ଦାନ ବିଷୟରେ ଯୀଶୁଙ୍କ ଉପଦେଶ
6 “ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ।
2 “ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା’ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି। 3 ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। 4 ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
ପ୍ରାର୍ଥନା ବିଷୟରେ ଯୀଶୁଙ୍କ ଶିକ୍ଷା(A)
5 “ତୁମ୍ଭେ ପ୍ରାର୍ଥନା କଲାବେଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସେମାନେ ଯିହୂଦୀ ସମାଜଗୃହ ଓ ଗଳି-ମୁଣ୍ଡରେ ଠିଆହୋଇ ବଡ଼ ପାଟିରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ତା’ର ପୁରା ପ୍ରତିଫଳ ଦିଆଯାଇ ସାରିଲାଣି। 6 କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
7 “ତୁମ୍ଭେ ପ୍ରାର୍ଥନା କଲାବେଳେ ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନଙ୍କ ଭଳି ନିରର୍ଥକ କଥା ବାରମ୍ବାର କୁହ ନାହିଁ। ସେମାନେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ୱର ଶୁଣିବେ। 8 ଏଣୁ ତୁମ୍ଭେ ସେମାନଙ୍କ ଭଳି ହୁଅ ନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି। 9 ଏଣୁ ଏହିଭଳି ପ୍ରାର୍ଥନା କର:
‘ହେ ସ୍ୱର୍ଗରେ ଥିବା ଆମ୍ଭର ପରମପିତା,
ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
10 ତୁମ୍ଭର ରାଜ୍ୟ ଆସୁ।
ସ୍ୱର୍ଗରେ ତୁମ୍ଭ ଇଚ୍ଛା ସଫଳ ହେବାଭଳି ଏ ପୃଥିବୀରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।
11 ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
12 ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ,
ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
13 ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ।
ମାତ୍ର ମନ୍ଦଠାରୁ ରକ୍ଷା କର।’ [a]
14 ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦେବ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ୟ କ୍ଷମା କରିଦେବେ। 15 କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦେବ ନାହିଁ, ତେବେ ତୁମ୍ଭର ପରମପିତା ମଧ୍ୟ ତୁମ୍ଭ ଅପରାଧ ଗୁଡ଼ିକ ପାଇଁ ତୁମ୍ଭକୁ କ୍ଷମା ଦେବେ ନାହିଁ।
ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ
16 “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି। 17 ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ। 18 ତା’ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
2010 by World Bible Translation Center