Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 2

କାନ୍ନାରେ ବିବାହ

ତିନି ଦିନ ପରେ ଗାଲିଲୀର କାନ୍ନା ସହରରେ ଗୋଟିଏ ବିବାହ ହେଲା ଆଉ ଯୀଶୁଙ୍କ ମା ସେଠାରେ ଥିଲେ। ସେହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। ସେହି ବିବାହ ଉତ୍ସବରେ ସମସ୍ତଙ୍କ ପାଇଁ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନ ଥିଲା। ତେଣୁ ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ, “ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”

ଯୀଶୁ ଉତ୍ତର ଦେଲେ, “ହେ ମା[a], କ'ଣ କରିବାକୁ ହେବ, ଏହା ତୁମ୍ଭେ ମୋତେ କହିବା ଉଚିତ୍ ନୁହେଁ। ମୋର ସମୟ ଏପର୍ଯ୍ୟନ୍ତ ଆସି ନାହିଁ।”

ଯୀଶୁଙ୍କର ମା ସେବକମାନଙ୍କୁ କହିଲେ, “ଯୀଶୁ ତୁମ୍ଭମାନଙ୍କୁ ଯେପରି କହନ୍ତି, ତୁମ୍ଭେମାନେ ସେହିପରି କର।”

ସେହି ସ୍ଥାନରେ ଛଅଟି ପଥରର ବଡ଼ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ୟବହାର କରୁଥିଲେ। ପ୍ରତ୍ୟେକ ଜଳକୁଣ୍ଡରେ ପ୍ରାୟ ଅଶୀରୁ ଶହେ କୋଡିଏ ଲିଟର ପାଣି ଧରୁଥିଲା।

ଯୀଶୁ ସେବକମାନଙ୍କୁ କହିଲେ, “ସେହି ଜଳକୁଣ୍ଡରେ ପାଣି ଭର୍ତ୍ତି କର।” ତେଣୁ ସେବକମାନେ ଜଳକୁଣ୍ଡରେ ପାଣି ଭର୍ତ୍ତି କରିଦେଲେ।

ତା'ପରେ ଯୀଶୁ ସେବକମାନଙ୍କୁ କହିଲେ, “ବର୍ତ୍ତମାନ ସେଥିରୁ କିଛି ପାଣି କାଢ଼ି ନେଇ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।”

ସେଥିରେ ସେମାନେ ସେହି ପାଣି ନେଇ ତାହାଙ୍କ ପାଖରେ ପହଞ୍ଚିଲେ। ଭୋଜିକର୍ତ୍ତା ଦ୍ରାକ୍ଷାରସ ହୋଇଥିବା ସେହି ପାଣିକି ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିଲେ, କିନ୍ତୁ ସେହି ପାଣି କାଢ଼ିଥିବା ସେବକମାନେ ଜାଣିଥିଲେ। ତେଣୁ ସେହି ଭୋଜିକର୍ତ୍ତା ବରକୁ ଡାକିଲେ। 10 ସେ ବରକୁ କହିଲେ, “ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ମାତାଲ ହେବାପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଅଛ।”

11 ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟକାମ ଗାଲିଲୀର କାନ୍ନା ସହରରେ କରିଥିଲେ। ଏହିପରି ଭାବେ ସେ ଆପଣା ମହିମା ଦେଖାଇଲେ। ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ।

12 ତା'ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମା, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ୟମାନେ ଗଲେ। ସେମାନେ ସମସ୍ତେ କଫର୍ନାହୂମରେ କିଛି ଦିନ ରହିଲେ।

ଯୀଶୁଙ୍କ ମନ୍ଦିର ପରିସର ପରିଷ୍କାର

(ମାଥିଉ 21:12-13; ମାର୍କ 11:15-17; ଲୂକ 19:45-46)

13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଆସୁଥିଲା। ତେଣୁ ଯୀଶୁ ଯିରୁଶାଲମକୁ ଗଲେ। 14 ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ କରୁଥିଲେ। 15 ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଚାବୁକ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ମେଜଗୁଡ଼ିକ ଓଲଟେଇ ଦେଲେ। 16 ତା'ପରେ ଯୀଶୁ କପୋତ ବେପାରୀମାନଙ୍କୁ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋହର ପିତାଙ୍କ ଗୃହକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”

17 ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ:

“ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିବ।”(A)

18 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ପରମେଶ୍ବରଙ୍କଠାରୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।”

19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ନଷ୍ଟ କରି ଦିଅ, ଏବଂ ମୁଁ ଏହାକୁ ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିଦେବି।”

20 ସେଥିରେ ଯିହୂଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛୟାଳିଶ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରି ଦେବ?”

21 କିନ୍ତୁ ଯେତବେଳେ ଯୀଶୁ “ଏହି ମନ୍ଦିର” କହିଲେ, ସେତେବେଳେ ସେ ଆପଣା ଶରୀରରୂପ ମନ୍ଦିର ସମ୍ଵନ୍ଧରେ କହୁଥିଲେ। 22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।

23 ଯୀଶୁ ନିସ୍ତାରପର୍ବ ପାଇଁ ଯିରୁଶାଲମରେ ଥିଲେ। ଅନେକ ଲୋକ ତାହାଙ୍କ ଉପରେ ବିଶ୍ୱାସ କରିଲେ। କାରଣ ସେମାନେ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଦେଖିଲେ। 24 କିନ୍ତୁ ଯୀଶୁ ସେମାନଙ୍କୁ ଭରସା କଲେ ନାହିଁ, କାରଣ ସେ ସେହି ଲୋକମାନଙ୍କର ମନର ଭାବନା ଜାଣିଥିଲେ। 25 ମନୁଷ୍ୟର ହୃଦୟ ଭିତରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟରେ କହିବା ପାଇଁ କାହାରି ଦରକାର ନ ଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center