New Testament in a Year
21 “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ। 22 ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ। 23 ଗୋଟିଏ ନଗରରେ ସେମାନେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ଇସ୍ରାଏଲର ସମସ୍ତ ନଗରୀରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ୟପୁତ୍ର ପୁନର୍ବାର ଆସିବେ।
24 “ଶିଷ୍ୟ ନିଜ ଗୁରୁଠାରୁ ବଡ଼ ନୁହେଁ, କି କୌଣସି ସେବକ ତା’ ମାଲିକଠାରୁ ବଡ଼ ନୁହେଁ 25 ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆଲ୍ଜିବୂଲ୍’ [a] କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।
ପରମେଶ୍ୱରଙ୍କୁ ଭୟ କର, ମାତ୍ର ମନୁଷ୍ୟକୁ ନୁହେଁ(A)
26 “ତେଣୁ ସେହି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡ଼ିବ। 27 ମୁଁ ଗୋପନରେ ତୁମ୍ଭକୁ ଯାହାସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ୟ ଦିବାଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।
28 “ଲୋକଙ୍କୁ ଭୟ କର ନାହିଁ। ସେମାନେ କେବଳ ତୁମ୍ଭର ଶରୀରକୁ ମାରି ପାରିବେ, ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କେବଳ ପରମେଶ୍ୱରଙ୍କୁ ଭୟ କର, ସେ କେବଳ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦେଇ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠେଇ ପାରିବେ। 29 ଗୋଟିଏ ପଇସା ମୂଲ୍ୟରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତିରେ ସେଥିରୁ ଗୋଟିଏ ହେଲେ ମଧ୍ୟ ତଳେ ପଡ଼ିବ ନାହିଁ। 30 ତୁମ୍ଭ ମୁଣ୍ଡରେ କେତୋଟି ବାଳ ଅଛି, ସେ କଥା ମଧ୍ୟ ପରମେଶ୍ୱର ଜାଣନ୍ତି। 31 ତେଣୁ ଭୟଭୀତ ହୁଅ ନାହିଁ। ତୁମ୍ଭେ ଅନେକ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ୍।
ଯୀଶୁଙ୍କଠାରେ ବିଶ୍ୱାସ(B)
32 “ଯଦି କେହି ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋତେ ବିଶ୍ୱାସ କରେ ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ମୋର ନିଜ ଲୋକ। 33 କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ ସେ ମୋତେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।
ଯୀଶୁଙ୍କ ଅନୁସରଣ ତୁମ୍ଭ ପାଇଁ ବିପଦ ଆଣିପାରେ(C)
34 “ତୁମ୍ଭେ ଭାବ ନାହିଁ ଯେ ମୁଁ ପୃଥିବୀରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖଡ଼୍ଗ ଆଣିବା ପାଇଁ ଆସିଛି। 35 ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି:
‘ପୁଅ ତା’ ବାପା ବିରୁଦ୍ଧରେ,
ଝିଅ ତା’ ମା ବିରୁଦ୍ଧରେ
ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।
36 ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’ (D)
37 “ଯେଉଁ ଲୋକ ମୋ’ ଅପେକ୍ଷା ତା’ ବାପାମାଙ୍କୁ ଅଧିକ ଭଲ ପାଏ, ତେବେ ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ଯେଉଁ ଲୋକ ମୋ’ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। 38 ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କ୍ରୁଶ ବୋହି ମୋର ଅନୁସରଣ କରେ ନାହିଁ, ସେ ମୋତେ ପାଇବାକୁ ଯୋଗ୍ୟ ନୁହେଁ। 39 ଯେଉଁ ଲୋକ ମୋ’ ଅପେକ୍ଷା ତା’ ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇବସିବ। କିନ୍ତୁ ଯେଉଁ ଲୋକ ମୋ’ ସକାଶେ ଜୀବନ ହରାଏ, ସେ ବାସ୍ତବଜୀବନ ପାଇ ପାରିବ।
ତୁମ୍ଭକୁ ଗ୍ରହଣ କରିଥିବା ଲୋକମାନଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ(E)
40 “ଯେଉଁ ଲୋକ ତୁମ୍ଭକୁ ସ୍ୱୀକାର କରେ, ସେ ମୋତେ ମଧ୍ୟ ସ୍ୱୀକାର କରେ, ଯେଉଁ ଲୋକ ମୋତେ ସ୍ୱୀକାର କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କକୁ ମଧ୍ୟ ସ୍ୱୀକାର କରେ। 41 ଯେଉଁ ଲୋକ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତାଙ୍କୁ ଭେଟି ତାହାଙ୍କୁ ସ୍ୱାଗତ କରେ, ତେବେ ସେ ଭବିଷ୍ୟଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ୱୀକାର କରେ ତେବେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ। 42 “ଯଦି କେହି ଲୋକ ମୋର ଏହି ଛୋଟ ଓ ସରଳ ଶିଷ୍ୟମାନଙ୍କ ମଧ୍ୟରୁ କାହାରିକୁ ମୋର ଶିଷ୍ୟ ବୋଲି କହି ସାହାଯ୍ୟ କରେ, ତେବେ ସେ ନିଶ୍ଚୟ ତା’ର ପୁରସ୍କାର ପାଇବ। ସେ ଯଦି ମୋ’ ଶିଷ୍ୟମାନଙ୍କୁ କାହାକୁ କେବଳ ଗିନାଏ ଥଣ୍ଡା ପାଣି ଦେଇଥାଏ, ତଥାପି ସେ ତା’ର ପୁରସ୍କାର ପାଇବ।”
2010 by World Bible Translation Center