M’Cheyne Bible Reading Plan
“ଦାଉଦ ଆମ ସହିତ ଯାଇ ପାରିବ ନାହିଁ!”
29 ପଲେଷ୍ଟୀୟମାନେ ସେମାନଙ୍କର ସୈନ୍ୟସାମନ୍ତଙ୍କ ସହିତ ଅଫେକରେ ଏକତ୍ରିତ ହେଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। 2 ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶହ ଶହ, ହଜାର ହଜାର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ। ଦାଉଦ ଏବଂ ତାଙ୍କର ସୈନ୍ୟମାନେ ଆଖୀଶ୍ ସହିତ ପଛେ ପଛେ ଆଗେଇଲେ।
3 ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏବ୍ରୀୟମାନେ ଏଠାରେ କ’ଣ କରୁଛନ୍ତି?”
ଅଖୀଶ୍ ପଲେଷ୍ଟୀୟ ଶାସକମାନଙ୍କୁ କହିଲେ, “ଏ ହେଉଛନ୍ତି ଦାଉଦ। ଦାଉଦ ହେଉଛନ୍ତି ଜଣେ ଇସ୍ରାଏଲର ରାଜା ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ। ଦାଉଦ ମୋ’ ସହିତ ବହୁତ ଦିନ ହେଲା ରହିଲେଣି। ସେ ଶାଉଲଙ୍କୁ ଛାଡ଼ି ମୋ’ ପାଖରେ ରହିବା ଦିନଠାରୁ ମୁଁ ତାଙ୍କଠାରେ କୌଣସି ଦୋଷ ପାଇ ନାହିଁ।”
4 କିନ୍ତୁ ପଲେଷ୍ଟୀୟ ଶାସକଗଣ ଆଖୀଶ୍ ଉପରେ ରାଗିଲେ। ସେମାନେ କହିଲେ, “ଦାଉଦକୁ ଫେରାଇ ଦିଅ। ତୁମ୍ଭେ ତା’ ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ନିଜର ସେହି ସ୍ଥାନକୁ ଫେରି ଯାଉ। ସେ ଆମ୍ଭ ସହିତ ଯୁଦ୍ଧକୁ ଯାଇ ପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତେବେ ସେ ଆମ୍ଭ ନିଜ ଛାଉଣି ମଧ୍ୟରେ ଜଣେ ଶତ୍ରୁ ହୋଇ ରହିବ। ସେ ତା’ର ରାଜା ଶାଉଲଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କୁ ମାରିବ। 5 ଦାଉଦ ହେଉଛନ୍ତି ସେହି ଲୋକ ଯାହା ପାଇଁ ଇସ୍ରାଏଲୀୟ ଲୋକମାନେ ତାଙ୍କ ସମ୍ବନ୍ଧରେ ଗୀତଟିଏ ବୋଲନ୍ତି, ତାହା ହେଲା,
‘ଶାଉଲ ହତ୍ୟା କଲେ ସହସ୍ର ସହସ୍ର,
ଦାଉଦ ହତ୍ୟା କଲେ ଅୟୁତ ଅୟୁତ’”
6 ତେଣୁ ଆଖୀଶ୍ ଦାଉଦଙ୍କୁ ଡାକି କହିଲେ, “ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ, ତୁମ୍ଭେ ମୋର ଅନୁଗତ ରହିବ। ତୁମ୍ଭେ ମୋର ସୈନ୍ୟବାହିନୀରେ ଯୋଗ ଦେଲେ ମୁଁ ବହୁତ ଖୁସୀ ହେବି। ମୋ’ ସହିତ ରହିବା ଦିନଠାରୁ ମୁଁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ। 7 ଶାନ୍ତିରେ ଫେରିଯାଅ। ପଲେଷ୍ଟୀୟ ଶାସକମାନଙ୍କ ବିରୁଦ୍ଧରେ କିଛି କର ନାହିଁ।”
8 ତେଣୁ ଦାଉଦ ଆଖୀଶ୍କୁ କହିଲେ, “ମୁଁ କ’ଣ ତୃଟି କରିଅଛି କି? ମୁଁ ତୁମ୍ଭର ଦାସ ତୁମ୍ଭ ପାଖକୁ ଆସିଲା ଦିନରୁ ମୋର କିଛି ଭୁଲ୍ କାମ ତୁମ୍ଭେ ଦେଖିଛ କି? ନାଁ, କାହିଁକି ମୁଁ ମୋର ସଦାପ୍ରଭୁଙ୍କ ବିରୁଦ୍ଧରେ ଥିବା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରି ପାରିବି ନାହିଁ?”
9 ଆଖୀଶ୍ ଉତ୍ତର ଦେଲେ, “ମୁଁ ବିଶ୍ୱାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ୱରଙ୍କର ଦୂତ ସ୍ୱରୂପ। ତଥାପି ପଲେଷ୍ଟୀୟ ଶାସକମାନେ କହୁଛନ୍ତି, ‘ଦାଉଦ କେବେ ଆମ୍ଭମାନଙ୍କ ସହିତ ଯୁଦ୍ଧକୁ ଯାଇ ପାରିବେ ନାହିଁ।’ 10 ଆସନ୍ତା କାଲି ସକାଳେ ତୁମ୍ଭେ ଓ ତୁମ୍ଭର ଲୋକମାନେ ମୁଁ ଦେଇଥିବା ଜାଗାକୁ ଫେରିଯିବା ଉଚିତ୍। ଦୟାକରି ଅଧିପତିମାନେ କହିଥିବା କଥା ପ୍ରତି ଦୃଷ୍ଟି ଦେବ ନାହିଁ। ତୁମ୍ଭେ ଜଣେ ଭଲ ଲୋକ, ତେଣୁ ତୁମ୍ଭେ ସୂର୍ଯ୍ୟୋଦୟ ମାତ୍ରେ ଫେରିଯିବା ଭଲ।”
11 ଦାଉଦ ଏବଂ ତାଙ୍କର ଲୋକମାନେ ପ୍ରତ୍ୟୁଷରୁ ଉଠି ପଲେଷ୍ଟୀୟ ଦେଶକୁ ଫେରିଗଲେ ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ।
ଅମାଲେକୀୟମାନେ ସିକ୍ଳଗ୍ ଆକ୍ରମଣ କଲେ
30 ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଳଗ୍ରେ ପହଞ୍ଚିଲେ। ସେମାନେ ଦେଖିଲେ ଅମାଲେକୀୟମାନେ ସିକ୍ଳଗ ଆକ୍ରମଣ କରିଥିଲେ। ଅମାଲେକୀୟ ଲୋକମାନେ ନେଗେଭ ଆକ୍ରମଣ କରି ଓ ସିକ୍ଳଗ୍କୁ ଆକ୍ରମଣ କରି ସହରରେ ନିଆଁ ଲଗାଇ ଦେଇଥିଲେ। 2 ସେମାନେ ସିକ୍ଳଗ୍ର ସମସ୍ତ ସ୍ତ୍ରୀଲୋକମାନଙ୍କୁ ବନ୍ଦୀକରି ଆଣିଥିଲେ ଏବଂ ସେମାନେ ସମସ୍ତ ବୃଦ୍ଧ ଓ ସମସ୍ତ ଯୁବକମାନଙ୍କୁ ବନ୍ଦୀ କରି ଆଣିଥିଲେ। ସେମାନେ କାହାରିକୁ ମାରି ଦେଇ ନ ଥିଲେ। ସେମାନଙ୍କୁ ହତ୍ୟା କରିବା ପରିବର୍ତ୍ତେ ସେମାନଙ୍କୁ ନିଜ ନିଜ ପଥରେ ନେଇ ଯାଇଥିଲେ।
3 ଯେତେବେଳେ ଦାଉଦ ଓ ତା’ର ଲୋକମାନେ ସିକ୍ଳଗ୍କୁ ଆସିଲେ। ସେମାନେ ଦେଖିବାକୁ ପାଇଲେ, ସହର ଜଳୁଅଛି। ସେମାନଙ୍କର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଛନ୍ତି। ଅମାଲେକୀୟମାନେ ସେମାନଙ୍କୁ ନେଇ ଯାଇଛନ୍ତି। 4 ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସେମାନେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକୁ ଦୁର୍ବଳ ହୋଇ ପଡ଼ିଲେ। 5 ଅମାଲେକୀୟମାନେ ମଧ୍ୟ ଦାଉଦଙ୍କର ଦୁଇ ସ୍ତ୍ରୀକୁ ନେଇ ଯାଇଅଛନ୍ତି। ଅହୀନମ୍ ଯିଷ୍ରିୟେଲୀୟା ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ।
6 ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ। 7 ଦାଉଦ ଅହୀମେଲକର ପୁତ୍ର ଅବିୟାଥର ଯାଜକକୁ କହିଲେ, ମୋ’ ପାଖକୁ “ଏଫୋଦ ଆଣ।”
8 ତା’ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ସୈନ୍ୟଦଳ ପଛେ ପଛେ ଗୋଡ଼ାଇଲେ, ମୁଁ ସେମାନଙ୍କୁ ଧରି ପାରିବି କି?”
ସଦାପ୍ରଭୁ ଉତ୍ତର ଦେଲେ, “ତାଙ୍କ ପଛେ ଗୋଡ଼ାଅ। ତୁମ୍ଭେ ତାଙ୍କୁ ଧରି ପାରିବ। ତୁମ୍ଭେ ତୁମ୍ଭର ପରିବାରକୁ ତାଙ୍କ ନିକଟରୁ ଉଦ୍ଧାର କରି ପାରିବ।”
ଦାଉଦ ଓ ତାଙ୍କ ଲୋକମାନେ ଜଣେ ମିଶରୀୟ ଦାସକୁ ପାଇଲେ
9-10 ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନେଇ ବିଷୋର ନଦୀ ନିକଟରେ ପହଞ୍ଚିଲେ। ସେଠାରେ 200 ଲୋକ ରହିଲେ, କାରଣ ସେମାନେ ସେଠାରେ ଅତ୍ୟନ୍ତ କ୍ଳାନ୍ତ ଓ ଦୁର୍ବଳ ହୋଇ ପଡ଼ିଥିଲେ। ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନେଇ ଅମାଲେକୀୟମାନଙ୍କ ପଛରେ ଗୋଡ଼ାଇଲେ।
11 ଦାଉଦଙ୍କର ଲୋକମାନେ କ୍ଷେତରେ ଜଣେ ମିଶରୀୟକୁ ପାଇଲେ। ତାଙ୍କୁ ସେମାନେ ଦାଉଦଙ୍କ ନିକଟକୁ ଆଣିଲେ। ସେମାନେ ତାହାକୁ ଖାଦ୍ୟ ଓ ପାନୀୟ ଦେଲେ। 12 ସେମାନେ ମିଶରୀୟଙ୍କୁ ଡିମ୍ବିରି ଚକ୍ତିରୁ ଖଣ୍ଡେ ଓ ଦୁଇ ପେଣ୍ଡା କିସ୍ମିସ୍ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନୁଭବ କଲା। ସେ ତିନି ଦିନ ଏବଂ ତିନି ରାତି କିଛି ଖାଇ ନ ଥିଲା, ପାଣି ପିଇଲା ନାହିଁ।
13 ଦାଉଦ ମିଶରୀୟଙ୍କୁ ପଗ୍ଭରିଲେ, “ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରୁ ଆସିଛ?”
ସେ କହିଲା, “ମୁଁ ଜଣେ ମିଶରୀୟ। ମୁଁ ଏକ ଅମାଲେକୀୟର ଜଣେ ଦାସ ଅଟେ। ତିନି ଦିନ ପୂର୍ବରୁ ମୁଁ ଅସୁସ୍ଥ ହୋଇଗଲି, ତେଣୁ ମୋର ପ୍ରଭୁ ମୋତେ ଛାଡ଼ି ଗ୍ଭଲିଗଲେ। 14 ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍କୁ ଅଗ୍ନିରେ ଦଗ୍ଧ କଲୁ ଓ ଯିହୁଦାର କାଲେବ୍ମାନଙ୍କର ବସତି ଉପରେ ଆକ୍ରମଣ କଲୁ।”
15 ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ ସେହି ସୈନ୍ୟଦଳ ନିକଟକୁ ନେଇ ପାରିବ କି ଯେଉଁମାନେ ଆମ୍ଭର ପରିବାରକୁ ସାଙ୍ଗରେ ନେଇ ଯାଇଛନ୍ତି।”
ମିଶରୀୟ ଜଣକ କହିଲା, “ତୁମ୍ଭେ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କୁହ ଯେ ତୁମ୍ଭେ ମୋତେ ମାରିଦେବ ନାହିଁ କି ମୋର ମୁନିବ ନିକଟରେ ମୋତେ ସମର୍ପଣ କରିବ ନାହିଁ। ତେବେ ମୁଁ ଅଭିଯାନରେ ନେତୃତ୍ୱ କରିବି।”
ଦାଉଦ ଅମାଲେକୀୟମାନଙ୍କୁ ପରାଜିତ କଲେ
16 ସେହି ମିଶରୀୟ ଜଣକ ଦାଉଦଙ୍କୁ ସେମାନଙ୍କ ନିକଟକୁ ନେଇଗଲା। ଯେଉଁଠାରେ ସେମାନେ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ବସି ଖିଆପିଆ କରୁଥିଲେ। ସେମାନେ ପଲେଷ୍ଟୀୟମାନଙ୍କର ଓ ଯିହୁଦାରୁ ଲୁଣ୍ଠନ କରିଥିବା ବହୁତ ସାମଗ୍ରୀମାନ ଉପଭୋଗ କଲେ ଓ ସେଠାରେ ଉତ୍ସବ କରୁଥିଲେ। 17 ଦାଉଦ ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ବଧ କଲେ। ସେମାନେ ସୂର୍ଯ୍ୟୋଦୟରୁ ପରଦିନ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯୁଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢ଼ିଲେ ଏବଂ ପଳାଇଲେ ସେହି ଅମାଲେକୀୟ ବ୍ୟତୀତ କେହି ରକ୍ଷା ପାଇଲେ ନାହିଁ।
18 ଦାଉଦ ପ୍ରତ୍ୟେକ ଜିନିଷ ଫେରି ପାଇଲେ, ଯେଉଁଗୁଡ଼ିକୁ ଅମାଲେକୀୟମାନେ ନେଇଯାଇ ଥିଲେ। ଏପରିକି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମଧ୍ୟ। 19 ତାଙ୍କର କୌଣସି ଜିନିଷ କିମ୍ବା ବ୍ୟକ୍ତି ହରାଇ ନ ଥିଲେ। ସେମାନଙ୍କର ସମସ୍ତ ଦ୍ରବ୍ୟ, ବୟସ୍କ ଲୋକ, ପିଲା, ସମସ୍ତଙ୍କ ପୁତ୍ରକନ୍ୟା ସମସ୍ତଙ୍କୁ ଦାଉଦ ରକ୍ଷା କଲେ। ଏବଂ ସେମାନଙ୍କର ମୂଲ୍ୟବାନ ବସ୍ତୁକୁ ମଧ୍ୟ ଦାଉଦ ନେଇ ଆସିଲେ। 20 ଦାଉଦ ସମସ୍ତ ମେଷ ଓ ଗାଈମାନ ପୁନର୍ବାର ପାଇଲେ। ଦାଉଦଙ୍କର ଲୋକମାନେ ଏହି ପଶୁଗୁଡ଼ିକୁ ସେମାନଙ୍କ ଆଗେ ଆଗେ ନେଲେ ଓ ସେମାନେ କହିଲେ, “ଏହା ହେଉଛି ଦାଉଦଙ୍କର ଲାଭ।”
ସମସ୍ତ ଲୋକଙ୍କର ସମାନ ଭାଗ ହେବ
21 ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକୁ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହେତୁ ତାଙ୍କ ପଛେ ଆସି ପାରି ନ ଥିଲେ, ସେମାନେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକୁ ବାହାରି ଆସିଲେ। ଦାଉଦ ସେମାନଙ୍କ ନିକଟକୁ ଯାଇ ତାଙ୍କର କୁଶଳବାର୍ତ୍ତା ପଗ୍ଭରିଲେ। 22 କିଛି ଦୁଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗରେ ଯାଇଥିଲେ। ସେହି ଖଳ ପ୍ରକୃତିର ଲୋକମାନେ କହିଲେ, “ଏହି ଯେଉଁ 200 ଜଣ ଲୋକ ଆମ୍ଭ ସଙ୍ଗେ ଯାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ୟ ସେମାନଙ୍କୁ ଦେବା ନାହିଁ। ସେମାନଙ୍କୁ କେବଳ ସେମାନଙ୍କର ପିଲା ଓ ସ୍ତ୍ରୀ ଫେରାଇ ଦିଅ।”
23 ଦାଉଦ ଉତ୍ତର ଦେଲେ, “ହେ ମୋର ଭାଇମାନେ, ସେପରି କର ନାହିଁ। ସଦାପ୍ରଭୁ ଯାହା ଦେଲେ, ସେ ବିଷୟରେ ଭାବ। ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି, ଆମ୍ଭକୁ ଆକ୍ରମଣ କରୁଥିବା ସୈନ୍ୟମାନଙ୍କୁ ପରାସ୍ତ କରାଇଲେ। 24 ତୁମ୍ଭମାନଙ୍କର କଥା କିଏ ଶୁଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରୀରେ ଯିଏ ଯୁଦ୍ଧକୁ ଯାଇଥିଲା ସେ ମଧ୍ୟ ଓ ଯିଏ ଭଣ୍ତାରର ଦାୟିତ୍ୱରେ ଥିଲା ସେ ମଧ୍ୟ ସମାନ ଭାଗ ପାଇବ।” 25 ଦାଉଦ ସେହି ଦିନଠାରୁ ଏହି ନିୟମ ପ୍ରଚଳନ କଲେ। ଯାହା ଆଜି ପର୍ଯ୍ୟନ୍ତ ଇସ୍ରାଏଲରେ ଚଳୁଅଛି।
26 ଦାଉଦ ସିକ୍ଳଗରେ ଉପସ୍ଥିତ ହେଲେ। ତା’ପରେ ସେ ଆଣିଥିବା ଦ୍ରବ୍ୟ ତାଙ୍କର ବନ୍ଧୁମାନଙ୍କ ନିକଟକୁ ପଠାଇଲେ ଯିହୁଦାର ନେତାଙ୍କ ନିକଟକୁ। ଦାଉଦ କହିଲେ, “ଏହିଠାରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତ୍ରୁମାନଙ୍କ ନିକଟରୁ ଅଣା ଯାଇଅଛି।”
27 ଅମାଲେକୀୟମାନଙ୍କ ନିକଟରୁ ଆଣିଥିବା ଦ୍ରବ୍ୟ ଦାଉଦ କିଛି ବୈଥେଲ୍ର ପ୍ରାଚୀନମାନଙ୍କୁ, ନେଗେଭର ରାମା ଓ ଯତ୍ତୀର ନେତାମାନଙ୍କ ନିକଟକୁ ପଠାଇଲେ। 28 ଅରୋୟର, ଶିଫମୋତ୍ ଓ ଇଷ୍ଟିମୋୟମାନଙ୍କ ନିକଟକୁ କିଛି ପଠାଇଲେ। 29 ସେ କେତେକଙ୍କୁ ରାଖଲ୍ ଓ ଯିରହମେଲୀୟମାନଙ୍କ ସହର କେନିତ୍ ସହର ପଠାଇଲେ। 30 ହର୍ମା, କୋରାଶନ୍, ଅଥାକ୍, 31 ଓ ହିବ୍ରୋଣକୁ ଦାଉଦ ଆଣିଥିବା ଦ୍ରବ୍ୟ ଏହି ନେତାମାନଙ୍କ ନିକଟକୁ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକୁ ପଠାଇଲେ। ଯେଉଁଠାରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।
ଯିହୂଦୀମାନଙ୍କ ଭଳି ହୁଅ ନାହିଁ
10 ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି (ଯେଉଁମାନେ ମୋଶାଙ୍କୁ ଅନୁସରଣ କରିଥିଲେ) କ’ଣ ହେଲା ତାହା ତୁମ୍ଭେମାନେ ଜାଣି ରଖ। ପରମେଶ୍ୱର ସେମାନଙ୍କୁ ମେଘ ସ୍ତମ୍ଭ ଦ୍ୱାରା ସୁଫ ସାଗରକୁ ପାର କରାଇଥିଲେ। 2 ସେମାନେ ମେଘ ଓ ସମୁଦ୍ରରେ ମୋଶାଙ୍କ ଅନୁଗାମୀ ଭାବେ ଡୁବିତ ହୋଇଥିଲେ। 3 ସେମାନେ ଏକମାତ୍ର ଆଧ୍ୟାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ। 4 ଓ ସମସ୍ତେ ସମାନ ଆତ୍ମିକ ପାନୀୟରୁ ପାନ କରିଥିଲେ। ସେମାନେ ସେହି ଆତ୍ମିକ ପଥରରୁ ବାହାରିବା ପାଣି ପିଇଥିଲେ। ସେହି ପଥର ଖ୍ରୀଷ୍ଟ ଥିଲେ। 5 କିନ୍ତୁ ସେମାନଙ୍କ ଭିତରୁ ଅଧିକଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ନ ଥିଲେ। ସେଥିପାଇଁ ସେମାନେ ମରୁ ପ୍ରାନ୍ତରରେ ମରିଗଲେ।
6 ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ଅଛି, ଅତଏବ ଆମ୍ଭେ ସେମାନଙ୍କ ଭଳି ମନ୍ଦ କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା ନାହିଁ। 7 ସେମାନଙ୍କ ଭିତରେ କେତେକଙ୍କ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁହେ: “ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।” [a] 8 ସେମାନଙ୍କ ଭିତରୁ ଯେପରି କେତେକ ଯୌନଗତ ପାପ କଲେ, ଆମ୍ଭେ ସେଭଳି କେବେ କରିବା ନାହିଁ। ସେମାନେ ପାପ କରିଥିବା ହେତୁରୁ ସେମାନଙ୍କ ଭିତରୁ 23,000 ଲୋକ ଗୋଟିଏ ଦିନରେ ମରିଗଲେ। 9 ସେମାନଙ୍କ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସେମାନେ ସାପ କାମୁଡ଼ାରେ ମଲେ। 10 ସେମାନଙ୍କ ଭିତରୁ କେତେକଙ୍କ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ୱର୍ଗଦୂତ)ଙ୍କ ହାତରେ ମଲେ।
11 ସେମାନଙ୍କ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ୱରୂପ। ସମସ୍ତ ପ୍ରାଚୀନ ଇତିହାସରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚେତନା ଦେବା ଉଦ୍ଦେଶ୍ୟରେ ଲେଖା ଯାଇଛି। 12 ଅତଏବ, ଯେଉଁ ଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହୋଇଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ। 13 କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ।
14 ତା’ହେଲେ ତୁମ୍ଭେମାନେ ସମସ୍ତ କିଛି ସହି ପାରିବ। ମୋର ପ୍ରିୟ ବନ୍ଧୁଗଣ! ଶେଷରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂରରେ ରୁହ। 15 ତୁମ୍ଭେମାନେ ବୁଦ୍ଧିମାନ, ତେଣୁ ମୁଁ ଏହା କହୁଛି। ମୁଁ ଯାହା କହୁଛି, ତୁମ୍ଭେମାନେ ନିଜେ ପରୀକ୍ଷା କରି ଦେଖ। 16 ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ୟବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ନୁହେଁ କି? 17 କେବଳ ଗୋଟିଏ ରୋଟୀ ମାତ୍ର ଆମ୍ଭେମାନେ ଅନେକ ଲୋକ। କିନ୍ତୁ ଆମ୍ଭେ ସମସ୍ତେ ସେହି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତରେ ଗୋଟିଏ ଶରୀର।
18 ଇସ୍ରାଏଲ ଲୋକମାନଙ୍କ କଥା ଭାବ। ସେମାନେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ’ଣ ବେଦୀର ଅଂଶୀଦାର ନୁହନ୍ତି? 19 ମୁଁ କହୁ ନାହିଁ ଯେ ମୂର୍ତ୍ତି ବା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଖାଦ୍ୟର ଗୁରୁତ୍ୱ ଅଛି। ଏବଂ ମୁଁ ଏହା ମଧ୍ୟ କହୁ ନାହିଁ ମୂର୍ତ୍ତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। 20 କିନ୍ତୁ ମୋ’ କହିବା କଥା ଯେ, ତୁମ୍ଭେମାନେ ଭୂତମାନଙ୍କ ସହିତ କୌଣସି କାର୍ଯ୍ୟରେ ଅଂଶ ଗ୍ରହଣ ନ କର। କିନ୍ତୁ ମୁଁ କୁହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାଯାଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ୱରଙ୍କରୁ ନୁହେଁ। ଏବଂ ମୁଁ ଗ୍ଭହେଁ ତୁମ୍ଭେମାନେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ। 21 ତୁମ୍ଭେମାନେ ପ୍ରଭୁଙ୍କ ପିଆଲାରୁ [b] ଓ ଶୟତାନର ପିଆଲାରୁ ମଧ୍ୟ ପିଇ ପାରିବ ନାହିଁ। ସେହିପରି ପ୍ରଭୁଙ୍କ ମେଜ ଓ ଶୟତାନର ମେଜ ଉଭୟର ଅଂଶୀଦାର ହୋଇ ବସି ପାରିବ ନାହିଁ। 22 ଆମ୍ଭେ କ’ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ? ଆମ୍ଭେ କ’ଣ ତାହାଙ୍କଠାରୁ ଅଧିକ ବଳବାନ? ନା!
ପ୍ରଭୁଙ୍କର ଗୌରବ ପାଇଁ ନିଜ ସ୍ୱାଧୀନତାର ବ୍ୟବହାର କର
23 “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ ସବୁ ବିଷୟ ଭଲ ନୁହେଁ। “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ କେତେକ ବିଷୟ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବାରେ ସାହାଯ୍ୟ କରେ ନାହିଁ। 24 କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍।
25 ବଜାରରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବେକ ସକାଶେ ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ସେ ବିଷୟରେ କୌଣସି ପ୍ରଶ୍ନ ପଗ୍ଭର ନାହିଁ। 26 ତୁମ୍ଭେ ଖାଇପାର କାରଣ “ପୃଥିବୀ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବିଷୟ ପ୍ରଭୁଙ୍କର ଅଟେ।” [c]
27 ଜଣେ ଅବିଶ୍ୱାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡାକିପାରେ। ଯଦି ତୁମ୍ଭେମାନେ ଯିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗରେ ଥୁଆ ହୋଇଛି, ତାହା ଖାଅ। 28 ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁହେ: “ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି।” ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ଯିଏ ଏହା କହିଛି ତା’ର ବିଶ୍ୱାସକୁ ତୁମ୍ଭେମାନେ ଆଘାତ ନ ଦେବା ପାଇଁ ଖାଅ ନାହିଁ ଓ ଦ୍ୱିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ୍ ବୋଲି କେତେକ ମତ ଦିଅନ୍ତି। 29 ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ। 30 କାରଣ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସାରି ଭୋଜନ କରିଥିବା ଯୋଗୁଁ ମୁଁ ସମାଲୋଚିତ ହେବା ଅନୁଚିତ୍।
31 ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍। 32 ଏଭଳି କୌଣସି କାମ କର ନାହିଁ, ଯାହାଦ୍ୱାରା ଯିହୂଦୀ ବା ଅଣଯିହୂଦୀ ଲୋକେ ବା ପରମେଶ୍ୱରଙ୍କ ମଣ୍ଡଳୀ ବାଧା ପାଇବେ। 33 ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରତ୍ୟେକଙ୍କୁ ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ କରିବାକୁ ଗ୍ଭହେଁ। ମୁଁ ଅନେକଙ୍କର ମଙ୍ଗଳ ଚିନ୍ତାକରେ ଯଦ୍ଦ୍ୱାରା ସେମାନେ ପରିତ୍ରାଣ ପାଇ ପାରିବେ।
Sinful Things Done at the Temple
8 ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନରେ ଆମ୍ଭେ ଆପଣା ଗୃହରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖରେ ବସିଥିଲେ। ଏହି ସମୟରେ ମୋର ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠିତ ହେଲା। 2 ଏବଂ ସେତେବେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ୟ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟିଦେଶରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଥିଲା ଓ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଥିଲା। 3 ତା’ପରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମୋର କେଶ ଧରିଲେ। ତା’ପରେ ପବନ ମୋତେ ଉଠାଇ ନେଲା, ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନରେ ରଖି ଦେଲା। ଏବଂ ପରମେଶ୍ୱରଙ୍କର ଦର୍ଶନକ୍ରମେ ଯିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ। ସେଠାରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କର କ୍ରୋଧର କାରଣ ହେଲା। 4 ଉପତ୍ୟକାରେ ମୁଁ ଦେଖିଥିବା ଦୃଶ୍ୟ ତୁଲ୍ୟ ସେ ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ବିଦ୍ୟମାନ ଥିଲା।
5 ତହୁଁ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉତ୍ତର ଦିଗକୁ ଦେଖ।” ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ଯଜ୍ଞବେଦି ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସେହି ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କୁ କ୍ରୋଧିତ ଓ ଈର୍ଷାପରାୟଣ କରିଥିଲା।
6 ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଖ, ସେମାନେ କ’ଣ କରୁଅଛନ୍ତି? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂରେଇ ଯିବା ପାଇଁ ଇସ୍ରାଏଲର ଉତ୍ତରାଧିକାରୀଗଣ ଏଠାରେ ମହା ଘୃଣ୍ୟକର୍ମ କରୁଅଛନ୍ତି। ମାତ୍ର ଏହା ପରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ୟକର୍ମ ଦେଖିବ।”
7 ପୁଣି ସେ ମୋତେ ପ୍ରାଙ୍ଗଣର ଦ୍ୱାର ନିକଟକୁ ଆଣିଲେ, ତହିଁରେ ମୁଁ ଦୃଷ୍ଟି କରନ୍ତେ କାନ୍ଥରେ ଗୋଟିଏ ଛିଦ୍ର ଥିବାର ଦେଖିଲି। 8 ତା’ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଏହି କାନ୍ଥକୁ ଖୋଳ।” ତହୁଁ ମୁଁ ସେହି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ୱାର ଆବିଷ୍କାର କଲି।
9 ତା’ପରେ ପରମେଶ୍ୱର ମୋତେ କହିଲେ, “ଭିତରକୁ ଯାଅ ଓ ଏଠାରେ ସେମାନେ ଯେଉଁ ଜଘନ୍ୟ ଘୃଣ୍ୟ କର୍ମମାନ କରୁଅଛନ୍ତି ତାହା ଦେଖ।” 10 ତେଣୁ ମୁଁ ଭିତରକୁ ଗଲି, ଚତୁର୍ଦ୍ଦିଗସ୍ଥ କାନ୍ଥରେ ଚିତ୍ରିତ ହୋଇଥିବା ସରୀସୃପମାନଙ୍କ ଏବଂ କୀଟପତଙ୍ଗମାନଙ୍କର, ଘୃଣ୍ୟ ପଶୁମାନଙ୍କର ଓ ଇସ୍ରାଏଲୀୟମାନଙ୍କର ଭୟଙ୍କର ମୂର୍ତ୍ତି ଦେଖିଲି।
11 ପୁଣି ସେ ସବୁର ସମ୍ମୁଖରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କ ମଧ୍ୟସ୍ଥାନରେ ଶାଫନର ପୁତ୍ର ଯାସନିୟ ଠିଆ ହୋଇଅଛି। ପ୍ରତ୍ୟେକ ଲୋକ ନିଜ ନିଜ ଧୂପଦାନୀ ହସ୍ତରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଊର୍ଦ୍ଧ୍ୱକୁ ଉଠୁଅଛି। 12 ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକ ନିଜ ନିଜ ପ୍ରତିମା ଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି ତାହା କ’ଣ ତୁମ୍ଭେ ଦେଖି ପାରିବ? କାରଣ ସେମାନେ ଭାବନ୍ତି, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ୟାଗ କରିଛନ୍ତି।’” 13 ସେ ଆହୁରି କହିଲେ, “ତୁମ୍ଭେ ଯଦି ଆମ୍ଭ ସହିତ ଆସିବ ତେବେ ସେମାନଙ୍କର ଆହୁରି ଅନେକ ଜଘନ୍ୟ ଘୃଣ୍ୟ କର୍ମମାନ ଦେଖିବ।”
14 ତା’ପରେ ପରମେଶ୍ୱର ମୋତେ ସଦାପ୍ରଭୁଙ୍କ ମନ୍ଦିରର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ ସ୍ଥାନ ନିକଟକୁ ନେଲେ। ସେଠାରେ ମୁଁ ଦେଖିଲି ସ୍ତ୍ରୀଲୋକମାନେ ବସି ଭଣ୍ଡ ଦେବତା ତମ୍ମୁଷ [a] ପାଇଁ କ୍ରନ୍ଦନ କରୁଅଛନ୍ତି।
15 ପୁନର୍ବାର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଏହିସବୁ ଘୃଣ୍ୟ କର୍ମମାନ ଦେଖିଲ। ଏହା ପରେ ଆହୁରି ଏହା ଅପେକ୍ଷା ଅଧିକ ଘୃଣ୍ୟ କର୍ମମାନ ଦେଖିବ।” 16 ତା’ପରେ ସେ ମୋତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ। ସେଠାରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ପଚିଶ୍ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସେମାନେ ସୂର୍ଯ୍ୟକୁ ପୂଜା କରୁଥିଲେ।
17 ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହିସବୁ ଦେଖିଲ? ଏହିପରି ଘୃଣ୍ୟ କର୍ମମାନ କରିବା କ’ଣ ଯିହୁଦାର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ? ବାସ୍ତବରେ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କ୍ରୋଧିତ କରି ରଖିଅଛନ୍ତି। ଆଉ ଦେଖ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦେବା ପାଇଁ ସେମାନେ ନାସିକାରେ ନାକଫୁଲ [b] ପିନ୍ଧିଛନ୍ତି। 18 ଏଣୁ ଆମ୍ଭେ ସେମାନଙ୍କ ବିଷୟରେ ଆମ୍ଭର କ୍ରୋଧଭାବ ଦେଖାଇବା। ଆମ୍ଭେ ସେମାନଙ୍କୁ ଅନୁକମ୍ପା କରିବା ନାହିଁ କି ଦୟା ଦେଖାଇବା ନାହିଁ। ଏବଂ ଏପରିକି ଯଦି ସେମାନେ ଆମ୍ଭ କର୍ଣ୍ଣ ପାଖରେ ଉଚ୍ଚ ସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।”
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।
47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
3 ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4 ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ।
5 ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
6 ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
ତାଙ୍କର ମହିମା ଗାନ କର।
7 ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
ତେଣୁ ତାଙ୍କର ମହିମା ଗାନ କର।
8 ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
9 ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।
2010 by World Bible Translation Center