M’Cheyne Bible Reading Plan
ଲେବୀୟମାନଙ୍କ ନଗର
35 ଅନନ୍ତର ସଦାପ୍ରଭୁ ମୋୟାବ ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ଆରପାରିରେ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ଆପଣା ଆପଣା ଅଧିକୃତ ଭାଗରୁ କେତେକ ବସତି ନଗର ଲେବୀୟମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଗ୍ଭରଣଭୂମି ଦେବ। 3 ଲେବୀୟମାନେ ଏହି ନଗରଗୁଡ଼ିକ ଅଧିକାର କରିବେ ଓ ସେଠାରେ ବାସ କରିବେ ଏବଂ ସେମାନଙ୍କର ପଶୁଗୁଡ଼ିକୁ ଗ୍ଭରଣଭୂମିରେ ଚରାଇବେ। 4 ଲେବୀୟମାନେ ଯେଉଁ ଗ୍ଭରଣଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1500 ଫୁଟ ଦୂରରେ ରହିବ। 5 ଚତୁର୍ପାର୍ଶ୍ୱର ଖୋଲା ମାପ 3000 ଫୁଟ ହେବ। ନଗରଟି ସେହି ଭୂମିର ମଝିରେ ରହିବ। ତାହା ନଗର ପାଇଁ ଗ୍ଭରଣଭୂମି ହେବ। 6 ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁସବୁ ନଗର ଦେବ ତହିଁରୁ ଛଅଟି ଆଶ୍ରୟ ନଗର ହେବ। ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ତାହା ଛଡ଼ା ଆହୁରି ବୟାଳିଶ୍ଟି ନଗର ହେବ। 7 ସର୍ବମୋଟ ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଗ୍ଭଳିଶ୍ଟି ନଗର ଦେବ। ତୁମ୍ଭେମାନେ ସେମାନଙ୍କୁ ନଗର ସହିତ ଗ୍ଭରଣଭୂମି ଦେବ। 8 ଇସ୍ରାଏଲ ବୃହତ ପରିବାରବର୍ଗ ଅଧିକ ନଗର ନେବେ। ଏବଂ ତୁମ୍ଭେମାନେ ଛୋଟ ପରିବାରବର୍ଗଠାରୁ ଅଳ୍ପ ନେବ। ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କର ଅଂଶ ଅନୁସାରେ ଲେବୀୟମାନଙ୍କୁ କିଛି ନଗର ଦେବେ।”
9 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 10 “ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ, 11 ନିଜ ନିଜ ଆଶ୍ରୟ ନଗର ହେବା ନିମନ୍ତେ କେତେ ଗୁଡ଼ିଏ ନଗର ନିରୂପଣ କରିବ; କେହି ଅନିଛାରେ କାହାକୁ ହତ୍ୟା କରେ, ସେହିସବୁ ନଗରକୁ ଯାଇପାରିବ। 12 ଏହି ନଗରଗୁଡ଼ିକ ହତ୍ୟାକାରୀ ପାଇଁ ନିରାପଦ ଅଟେ, ସେହି ବ୍ୟକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାୟିତ୍ୱ ହତ୍ୟାକାରୀକୁ ଦଣ୍ତିତ କରିବା, ହତ୍ୟାକାରୀକୁ ମଣ୍ତଳୀ ନିକଟରେ ବିଗ୍ଭର ପାଇଁ ଉପସ୍ଥିତ ନକଲା ପର୍ଯ୍ୟନ୍ତ। 13 ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ୟରୁ ଛଅ ଗୋଟି ଆଶ୍ରୟ ନଗର ହେବ। 14 ତୁମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିରେ ତିନି ନଗର ଦେବ ଓ କିଣାନ ଦେଶ ମଧ୍ୟରେ ତିନି ନଗର ଦେବ; ତାହା ସବୁ ଆଶ୍ରୟ ନଗର ହେବ। 15 ଇସ୍ରାଏଲର ଲୋକମାନଙ୍କ ନିମନ୍ତେ, ବିଦେଶରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାୟୀବାସିନ୍ଦାମାନଙ୍କ ନିମନ୍ତେ ସେହି ଛଅ ନଗର ଆଶ୍ରୟସ୍ଥାନ ହେବ; ତହିଁରେ ଯେ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଲାଇ ଯାଇପାରିବ।
16 “ଯଦି କେହି ଲୌହ ନିର୍ମିତ ଅସ୍ତ୍ରଦ୍ୱାରା କାହାରିକୁ ବଧ କରେ, ତେବେ ସେ ନରହତ୍ୟାକାରୀ ଓ ସେ ପ୍ରାଣଦଣ୍ତ ପାଇବ। 17 ଆଉ ଯେଉଁ ପଥରଦ୍ୱାରା ଜଣକର ମୃତ୍ୟୁ ହୋଇପାରିବ, ସେପରି ଏକ ପଥର ଦ୍ୱାରା ଯଦି କେହି କାହାରିକୁ ଆଘାତ କରି ମାରିଦିଏ, ତେବେ ସେ ନରହତ୍ୟାକାରୀ ଓ ତା’ର ଅବଶ୍ୟ ପ୍ରାଣଦଣ୍ତ ହେବ। 18 ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ରରେ ଜଣେ ମରିପାରିବ, ସେପରି ଏକ ଅସ୍ତ୍ର ବ୍ୟବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥିରେ ସେ ମରେ, ତେବେ ସେ ନରହତ୍ୟାକାରୀ ଓ ସେ ଅବଶ୍ୟ ମୃତ୍ୟୁଦଣ୍ତ ପାଇବ। 19 ଜଣେ ମୃତ ପରିବାରର ଲୋକ, ହତ୍ୟାକାରୀକୁ ହତ୍ୟା କରି ପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ୟା କରି ପାରିବ।
20-21 “ଆଉ ଯେବେ କେହି ହିଂସା କରି କାହାକୁ ଆପଣା ହସ୍ତରେ ଆଘାତ କରେ, ଅବା କିଛି ଗୋଟିଏ ତା’ ଉପରକୁ ଫିଙ୍ଗିଦିଏ ଓ ସେଥିରେ ସେହି ଅନ୍ୟ ବ୍ୟକ୍ତି ମରେ, ତେବେ ଆଘାତକାରୀ ହତ୍ୟାକାରୀ ବୋଲି ବିବେଚିତ ହେବ ଓ ସେ ପ୍ରାଣଦଣ୍ଡରେ ଦଣ୍ତିତ ହେବ। ଯେଉଁ ବ୍ୟକ୍ତି ହତ୍ୟା କରିଥିଲା ତାକୁ ମୃତବ୍ୟକ୍ତିର ପରିବାରର କୌଣସି ସଦସ୍ୟ ତାକୁ ଦେଖିଲା ମାତ୍ରେ ହତ୍ୟା କରିବେ।
22 “ମାତ୍ର ଯେବେ କେହି ବିନା ଶତ୍ରୁତାରେ ହଠାତ୍ କାହାକୁ ଆଘାତ କରେ, ଅବା କାହା ଉପରକୁ ଅନିଛାରେ କିଛି ଫୋପାଡ଼ି ଦିଏ ଏବଂ ସେଥିରେ ସେହି ବ୍ୟକ୍ତିକୁ ହତ୍ୟା କରେ, 23 ଅବା କେହି ଅଜାଣତରେ ଏକ ବଡ଼ ପଥର ଫିଙ୍ଗି କାହାକୁ ହତ୍ୟା କରେ, ଏହା ଜଣେ ବ୍ୟକ୍ତିକୁ ହତ୍ୟା କରିପାରେ କିନ୍ତୁ ପଥର ଫୋପାଡ଼ିବା ସମୟରେ କାହାରିକୁ ଦେଖି ନ ଥିଲା ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ, 24 ତେବେ ମଣ୍ତଳୀ ସେହି ହତ୍ୟାକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନାନୁସାରେ ବିଗ୍ଭର କରିବେ। 25 ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା ସେହି ଆଶ୍ରୟ ନଗରରେ ମଣ୍ତଳୀ ପୁନର୍ବାର ତାହାକୁ ପହଞ୍ଚାଇ ଦେବେ; ଆଉ ଯେଉଁ ପର୍ଯ୍ୟନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାଯାଜକର ମୃତ୍ୟୁ ନ ହୁଏ, ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ।
26-27 “ସେହି ହତ୍ୟାକାରୀ ଆଶ୍ରୟ ନଗରରୁ ଯଦି କୌଣସି ସମୟରେ ତହିଁର ସୀମା ବାହାରକୁ ଯାଏ ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର ସୀମାର ବାହାରେ ତାହାକୁ ପାଏ ଓ ପ୍ରତିହନ୍ତା ତାହାକୁ ବଧ କରେ ତେବେ ସେ ରକ୍ତପାତରେ ଅପରାଧୀ ହେବ ନାହିଁ। 28 ଜଣେ ଯଦି ହଠାତ୍ କାହାକୁ ବଧ କରେ ସେ ଆଶ୍ରୟ ନଗରରେ ମହାଯାଜକର ମୃତ୍ୟୁ ପର୍ଯ୍ୟନ୍ତ ରହିବ। ମାତ୍ର ମହାଯାଜକର ମୃତ୍ୟୁ ହେଲା ପରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଭୂମିକି ଫେରି ଯାଇପାରିବ। 29 ଆଉ ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ଏହିସବୁ ବିଗ୍ଭର ବିଧି ଚିରସ୍ଥାୟୀ ହେବ।
30 “ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କଲେ ମୃତ୍ୟୁଦଣ୍ତ ଦିଆଯିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକ ପ୍ରତିକୂଳରେ ପ୍ରାଣଦଣ୍ତ ଦେବା ନିମନ୍ତେ ଗ୍ରାହ୍ୟ ହେବ ନାହିଁ।
31 “ଆହୁରି ମୃତ୍ୟୁଦଣ୍ଡରେ ଦଣ୍ତିତ ନରହତ୍ୟାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ୟ ଗ୍ରହଣ କରାଯାଇ ନ ପାରେ। ତାକୁ ନିଶ୍ଚିତ ଭାବରେ ହତ୍ୟା କରାଯିବ।
32 “ପୁଣି କୌଣସି ହତ୍ୟାକାରୀ ଆଶ୍ରୟ ନଗରରୁ ପଳାଇଯାଇ ପୁନର୍ବାର ଆପଣା ଦେଶକୁ ଫେରି ଆସିବାକୁ ଅନୁମତି ଦେବା ନିମନ୍ତେ କୌଣସି ପ୍ରାପ୍ୟ ଗ୍ରହଣୀୟ ନୁହେଁ, ମହାଯାଜକ ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ।
33 “ତୁମ୍ଭେମାନେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ୟାକାରୀର ମୃତ୍ୟୁ ବ୍ୟତୀତ କୌଣସି ପ୍ରକାର ପ୍ରାପ୍ୟ ଦେଶର ପାପକୁ ଧୋଇ ପାରିବ ନାହିଁ। 34 ତୁମ୍ଭେମାନେ ଯେଉଁ ଦେଶରେ ଅଛ, ମୁଁ ସେଠାରେ ବାସ କରୁଅଛି। ତାହାକୁ ଅଶୁଚି କର ନାହିଁ। କାରଣ ମୁଁ ସ୍ୱୟଂ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରୁଅଛି।”
ଆସଫର ଗୀତ।
79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
2 ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
3 ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
4 ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5 ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
6 ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
7 ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
ଓ ସେମାନେ ତା’ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
8 ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
9 ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
ଏବଂ ପାପସବୁ କ୍ଷମା କର।
10 ଅନ୍ୟ ଦେଶୀୟ ଲୋକମାନଙ୍କୁ କହିବାକୁ ଦିଅ ନାହିଁ।
“ସେମାନଙ୍କର ପରମେଶ୍ୱର କାହାନ୍ତି?”
ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ ଯାହା ଫଳରେ କି ଆମ୍ଭେମାନେ ମଧ୍ୟ ତାହା ଦେଖି ପାରିବୁ।
ତୁମ୍ଭର ସେବକମାନଙ୍କୁ ହତ୍ୟା କରିଥିବାରୁ ସେମାନଙ୍କୁ ଦଣ୍ଡ ଦିଅ।
11 ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ।
ହେ ପରମେଶ୍ୱର, ତୁମ୍ଭର ମହାଶକ୍ତି ପ୍ରୟୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।
12 ହେ ପରମେଶ୍ୱର,
ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି,
ସେମାନଙ୍କୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
13 ତା’ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମେଷପଲ
ସର୍ବଦା ତୁମ୍ଭକୁ ଧନ୍ୟବାଦ ଦେବୁ।
ପିଢ଼ି ପରେ ପିଢ଼ି, ତୁମ୍ଭେ ଯାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।
27 ସେଦିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍
ଓ ଦୃଢ଼ ଖଡ଼୍ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିୟାଥନକୁ
ଓ ବକ୍ରଗାମୀ ସର୍ପ ଲିବିୟାଥନକୁ ଶାସ୍ତି ଦେବେ
ଓ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ସଂହାର କରିବେ।
2 ସେଦିନ ଲୋକେ
ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ୟରେ ଗାନ କରିବେ।
3 “ମୁଁ, ସଦାପ୍ରଭୁ ସେହି ଉଦ୍ୟାନକୁ ରକ୍ଷା କରିବି।
ଯଥା ସମୟରେ ସେଥିରେ ଜଳ ସେଚନ କରିବି।
ଦିବାରାତ୍ରି ତାକୁ ଜଗି ରହିବି
ଯେପରି କେହି ତା’ର କିଛି କ୍ଷତି କରିବେ ନାହିଁ।
4 ମୋ’ଠାରେ କ୍ରୋଧ ନାହିଁ।
ଯଦି ଯୁଦ୍ଧ ହୁଏ ଓ କେହି ଜଣେ କଣ୍ଟାକର ବାଡ଼ ଦିଏ,
ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ।
5 ମାତ୍ର ଯଦି କେହି ନିରାପତ୍ତା ପାଇଁ
ମୋ’ ସହିତ ଶାନ୍ତି ସ୍ଥାପନ କରେ,
ତେବେ ସେ ଶାନ୍ତି ସ୍ଥାପନ କରୁ।
6 ଲୋକମାନେ ମୋ’ ନିକଟକୁ ଆସିବେ।
ସେମାନେ ଯାକୁବକୁ ଶକ୍ତିଶାଳୀ କରିବେ ଯେପରି ତା’ର ଚେର ବାନ୍ଧିବ।
ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ।
ଏ ପୃଥିବୀ ଫଳ ଫୁଲରେ ପରିପୂର୍ଣ୍ଣ ହେବ।”
ପରମେଶ୍ୱର ଇସ୍ରାଏଲକୁ ଦୂରକୁ ପଠାଇବେ
7 ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦେବେ। ଯେପରି ଲୋକମାନଙ୍କୁ ଅତୀତରେ ଶତ୍ରୁଗଣ ପ୍ରହାର କରିଛନ୍ତି ସଦାପ୍ରଭୁ ସେହିପରି ପ୍ରହାର କରିବେ। ସେମାନେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସେହିପରି ସଦାପ୍ରଭୁ ନିହତ କରିବେ।
8 ସଦାପ୍ରଭୁ ଇସ୍ରାଏଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀୟ ବାୟୁ ଦିନରେ ନିଜର ପ୍ରବଳ ବାୟୁଦ୍ୱାରା ସ୍ଥାନାନ୍ତରିତ କରିବେ।
9 ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହେବ ଓ ତାହାର ପାପ ଦୂରୀଭୂତ ହେବ। ସେହି ଯଜ୍ଞବେଦିର ପ୍ରସ୍ତର ସବୁ ଧୂଳିସାତ ହେବ ଓ ସେହି ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମା ସବୁ ବିନଷ୍ଟ ହେବେ।
10 ସେଦିନ ସେହି ସୁଦୃଢ଼ ପ୍ରାନ୍ତର ତୁଲ୍ୟ ଜନଶୂନ୍ୟ ହେବ। ଏହା ଏକ ମରୁଭୂମିରେ ପରିଣତ ହେବ। ନିର୍ଜନ ଓ ପରିତ୍ୟକ୍ତ ବସତି ସ୍ଥାନ ହେବ। ସେ ସ୍ଥାନରେ ଗୋରୁପଲ ଚରିବେ ଓ ଶୟନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ। 11 ଦ୍ରାକ୍ଷାଗଛରେ ଡାଳ ଶୁଷ୍କ ହେଲେ ଭଙ୍ଗାଯିବ। ସ୍ତ୍ରୀଲୋକମାନେ ତାକୁ ଜାଳେଣି ରୂପେ ବ୍ୟବହାର କରିବେ।
କାରଣ ଲୋକମାନେ ବୁଦ୍ଧିହୀନ। ପରମେଶ୍ୱର ଯେ କି ତାଙ୍କର ସୃଷ୍ଟିକର୍ତ୍ତା ସେମାନଙ୍କ ପ୍ରତି ଦୟା କରିବେ ନାହିଁ। ତାଙ୍କୁ ଗଢ଼ିଲେ ମଧ୍ୟ ତାଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।
12 ସେଦିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ଯ୍ୟନ୍ତ ସେ ଲୋକମାନଙ୍କୁ ଏକତ୍ରିତ କରିବେ।
ପୁଣି ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଗୋଟି ଗୋଟି ହୋଇ ସଂଗୃହୀତ ହେବ। 13 ସେଦିନ ଗୋଟିଏ ବଡ଼ ମେଷର ଶିଙ୍ଗା ବାଜିବ। ଅଶୂର ଦେଶରେ ହଜି ଯାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହୋଇଥିବା ଲୋକମାନେ ସେଦିନ ଆସିବେ। ଯିରୁଶାଲମର ପବିତ୍ର ପର୍ବତରେ ସେମାନେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରିତ ହେବେ।
ପରମେଶ୍ୱରଙ୍କ ସନ୍ତାନ ଜଗତ ବିରୁଦ୍ଧରେ ଜୟଲାଭ କରନ୍ତି
5 ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ। 2 ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଅଟୁ। 3 କାରଣ ପରମେଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ। 4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି। 5 ଆମ୍ଭର ବିଶ୍ୱାସ ଦ୍ୱାରା ଆମ୍ଭେ ଜଗତକୁ ଜିତିଛୁ। ଆମ୍ଭର ବିଶ୍ୱାସ ଜଗତକୁ ଜୟ କରେ। ଯେଉଁ ଲୋକ ବିଶ୍ୱାସ କରେ ଯେ ଯୀଶୁ ପରମେଶ୍ୱରଙ୍କ ପୁତ୍ର, ସେ ଜଗତରେ ବିଜୟୀ ହୁଏ।
ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ପୁତ୍ର ବିଷୟରେ କହିଲେ
6 ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ [a] ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ। 7 ଯୀଶୁଙ୍କ ବିଷୟରେ ଆମ୍ଭକୁ ତିନି ଜଣ ସାକ୍ଷ୍ୟ ଦିଅନ୍ତି; 8 ପବିତ୍ରଆତ୍ମା, ଜଳ ଓ ରକ୍ତ। ଏହି ତିନି ଜଣଙ୍କ ସାକ୍ଷ୍ୟ ଏକ ଅଟେ।
9 ଯେତେବେଳେ ଲୋକମାନେ ସତ୍ୟକଥା କହନ୍ତି, ଆମ୍ଭେ ତାହା ବିଶ୍ୱାସ କରିଥାଉ। କିନ୍ତୁ ପରମେଶ୍ୱର ଯାହା କହନ୍ତି, ତାହା ତ ଅଧିକ ବିଶ୍ୱାସ ଯୋଗ୍ୟ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ସାକ୍ଷ୍ୟ ଦିଅନ୍ତି। 10 ପରମେଶ୍ୱରଙ୍କର ପୁତ୍ରଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି ନିଜ ହୃଦୟରେ ସେହି ବାକ୍ୟ ସାକ୍ଷ୍ୟ ପାଇଅଛି। ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରିଦିଏ, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ସମ୍ବନ୍ଧରେ ଯାହା କହିଛନ୍ତି, ସେ ତାହା ବିଶ୍ୱାସ କରେ ନାହିଁ। 11 ପରମେଶ୍ୱର ଏହା କହନ୍ତି: ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। 12 ଯିଏ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି। କିନ୍ତୁ ଯେ ପରମେଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ପାଇ ନାହିଁ।
ବର୍ତ୍ତମାନ ଆମ୍ଭ ପାଖରେ ଅନନ୍ତ ଜୀବନ ଅଛି
13 ହେ ପରମେଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। 14 ଆମ୍ଭେ ନିସନ୍ଦେହରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠାରେ ଆମ୍ଭର ଏହି ଭରସା ଅଛି ଯେ ଯେତେବେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାୟୀ ତାହାଙ୍କୁ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି। 15 ପ୍ରତ୍ୟେକ ସମୟରେ ସେ ଆମ୍ଭର ମାଗୁଣି ଶୁଣନ୍ତି। ତେଣୁ ଆମ୍ଭେ ତାହାଙ୍କୁ ଯାହା ମାଗୁ, ତାହା ସେ ଦେବେ ବୋଲି ଜାଣୁ।
16 ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ। 17 ସମସ୍ତ ମନ୍ଦ କାମ ପାପ ଅଟେ। କିନ୍ତୁ ଏପରି ପାପ କାମ ମଧ୍ୟ ଅଛି ଯାହା ଅନନ୍ତ ମୃତ୍ୟୁ ଆଡ଼କୁ ନେଇଯାଏ ନାହିଁ।
18 ଆମ୍ଭେ ଜାଣୁ ଯେ, ପରମେଶ୍ୱରଙ୍କର ସନ୍ତାନ ହୋଇଥିବା ବ୍ୟକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ୱରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା’ର କିଛି କ୍ଷତି କରିପାରେ ନାହିଁ। 19 ଆମ୍ଭେ ଜାଣୁ, ଯେ ଆମ୍ଭେ ପରମେଶ୍ୱରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣରେ ଅଛି। 20 ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି। 21 ତେଣୁ ପ୍ରିୟ ପିଲାମାନେ, ତୁମ୍ଭେମାନେ ସବୁ ନିଜ ନିଜକୁ ଭଣ୍ଡ ଦେବତାମାନଙ୍କଠାରୁ ଦୂରରେ ରଖ।
2010 by World Bible Translation Center