M’Cheyne Bible Reading Plan
ଚର୍ମରୋଗ ସମ୍ବନ୍ଧୀୟ ନିୟମ
13 ପୁଣି ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2 “ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ କିମ୍ବା ତା’ର ଶରୀରରେ ଚର୍ମ ରୋଗଜନିତ ଘା’ ହୁଏ, ତେବେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ୟରୁ କୌଣସି ଯାଜକ ନିକଟକୁ ଅଣାଯିବା ଉଚିତ୍। 3 ତହୁଁ ଯାଜକ ତା’ର ଶରୀରର ଚର୍ମ ଉପରିସ୍ଥ ଘା’ ଦେଖିବ, ଆଉ ଯେବେ ଘା’ର ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ପୁଣି ଘା’ ଯେବେ ତା’ ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତେବେ ତାହା କୁଷ୍ଠରୋଗର ଘା’ ଅଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅଶୁଚି ବୋଲି ପ୍ରକାଶ କରିବ।
4 “ସମୟେ ସମୟେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦେଖାଯାଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନ ଥାଏ, ତେବେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ। 5 ସପ୍ତମ ଦିନରେ ଯାଜକ ସେହି ଚିହ୍ନକୁ ଦେଖିବ। ଯଦି ସେହି ଘା’ ବଦଳି ନ ଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଆହୁରି ସାତ ଦିନ ଅନ୍ୟମାନଙ୍କଠାରୁ ପୃଥକ କରି ରଖିବ। 6 ପୁଣି ସାତ ଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା’ ମଳିନ ହୋଇଯାଇଥାଏ ଘା’ ଚର୍ମରେ ଆଉ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହେବା ଉଚିତ୍।
7 “ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦେଖାଇଲା ପରେ ଯେବେ ତା’ର ଘା’ ଚର୍ମ ଉପରେ ବ୍ୟାପେ, ତେବେ ସେ ପୁନର୍ବାର ଯାଜକକୁ ଦେଖାଇବ। 8 ଯାଜକ ଯଦି ଦେଖିବ ସେହି କ୍ଷତି ଚର୍ମରେ ବ୍ୟାପିଲା, ତେବେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠରୋଗ।
9 “କୌଣସି ଲୋକଠାରେ କୁଷ୍ଠରୋଗର କ୍ଷତ ହେଲେ ତାକୁ ଯାଜକ ନିକଟକୁ ଅଣାଯିବ। 10 ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମରେ ଶ୍ୱେତବର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚାମାଂସ ବୃଦ୍ଧି ପାଉଥାଏ। 11 ତେବେ ତାହା ଶରୀରର ଚର୍ମରେ କୁଷ୍ଠରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ କରିବ ନାହିଁ, କାରଣ ସେ ଅଶୁଚି।
12 “ସମୟେ ସମୟେ କୁଷ୍ଠରୋଗ ଲୋକର ସମଗ୍ର ଶରୀରକୁ ବ୍ୟାପି ଥାଏ। ସେହି କୁଷ୍ଠରୋଗ ଆପାଦମସ୍ତକ ଶରୀରକୁ ଆଚ୍ଛନ୍ନ କରିଥାଏ। ସେତେବେଳେ ଯାଜକ ସେହି ଲୋକର ସମସ୍ତ ଶରୀର ଦେଖିବ। 13 ଯଦି ଯାଜକ ଦେଖିବ ଲୋକଟିର ସର୍ବାଙ୍ଗ କୁଷ୍ଠରୋଗରେ ଆଚ୍ଛନ୍ନ ହୋଇଛି, ତେବେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ। 14 ଯଦି ତା’ର ଶରୀରରେ କଞ୍ଚାମାଂସ ପ୍ରକାଶ ପାଏ, ତେବେ ସେ ଅଶୁଚି ହେବ। 15 ଯେତେବେଳେ ଯାଜକ କଞ୍ଚାମାଂସ ଦେଖିବ, ସେ ଅଶୁଚି ବୋଲି ପ୍ରକାଶ କରିବ। କଞ୍ଚାମାଂସ ଅଶୁଚି ଓ ଏହା କୁଷ୍ଠରୋଗ।
16 “ଯଦି ସେହି କଞ୍ଚାମାଂସ ବଦଳି ଶ୍ୱେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଆସିବ। 17 ଯାଜକ ପୁନର୍ବାର ଲୋକଟିକୁ ଦେଖିବ ଓ ଯଦି ସେହି ଘା’ ଶ୍ୱେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ସେ ଶୁଚି।
18 “ଜଣେ ବ୍ୟକ୍ତିର ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ପରେ, 19 ଯଦି ସେହି ବଥ ସ୍ଥାନରେ ଶ୍ୱେତବର୍ଣ୍ଣ ଫୁଲା କିମ୍ବା ରକ୍ତ ଶ୍ୱେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ସେ ତାହା ଯାଜକକୁ ଦେଖାଇବ। 20 ଯାଜକ ଦେଖିବ ଯଦି ତାହାର ସେହି ଘା’ ଚର୍ମର ନୀଚ୍ଚସ୍ଥ ହୋଇଥାଏ, ତହିଁରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ବଥରୁ ଉତ୍ପନ୍ନ କୁଷ୍ଠରୋଗର ଘା’। 21 ମାତ୍ର ଯଦି ଯାଜକ ଦେଖିବ, ସେଥିରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ ତେବେ ଯାଜକ ତାହାକୁ ସାତ ଦିନ ପୃଥକ କରି ରଖିବ। 22 ଆଉ ଯଦି ତାହା ଚର୍ମରେ ବ୍ୟାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗ ଘା’। 23 ମାତ୍ର ଯଦି ସେହି ଚିକ୍କଣ ଚିହ୍ନ ସ୍ୱସ୍ଥାନରେ ଥାଇ ଆଉ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
24-25 “ଯଦି ଚର୍ମ ଉପରେ ପୋଡ଼ାର ଗୋଟିଏ ଘା’ ଥାଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତ ଶ୍ୱେତବର୍ଣ୍ଣ କିମ୍ବା ଶ୍ୱେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ଯାଜକ ତାହା ଦେଖିବ। ଯଦି ଉଜ୍ଜ୍ୱଳ ଚିହ୍ନରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହୋଇଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠରୋଗ ଅଟେ। 26 ମାତ୍ର ଯଦି ଯାଜକ ଦେଖିବ, ସେହି ଚିକ୍କଣ ଚିହ୍ନରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାକୁ ସାତ ଦିନ ପୃଥକ କରି ରଖିବ। 27 ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମରେ ବ୍ୟାପି ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗର ଘା’। 28 ଯଦି ଉଜ୍ଜ୍ୱଳ ଚିହ୍ନ ସେହି ଗୋଟିଏ ସ୍ଥାନରେ ରହି ବୃଦ୍ଧି ନ ପାଏ ଓ ମଳିନ ହୋଇଥାଏ, ତେବେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେହେତୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ।
29 “ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା’ ହେଲେ ଯାଜକ ସେହି ଘା’ ଦେଖିବ। 30 ଯାଜକ ସେହି ଘା’ ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦେଖାଯାଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ। 31 ପୁଣି ଯାଜକ ଯଦି ଦେଖିବ ସେହି ଘା’ ଚର୍ମର ନୀଚସ୍ଥ ହୋଇ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଲୋକକୁ ସାତ ଦିନ ପୃଥକ ରଖିବ। 32 ସପ୍ତମ ଦିନରେ ଯାଜକ ସେହି ଲୋକର ଘା’ ଦେଖିବ। ଯଦି ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହୋଇ ନ ଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, 33 ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା ହେବ ନାହିଁ ଓ ଯାଜକ ସେହି ଛଉଥିବା ଲୋକକୁ ଆଉ ସାତ ଦିନ ପୃଥକ କରି ରଖିବ। 34 ପୁଣି ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ। ଯଦି ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ। 35 ମାତ୍ର ଶୁଚି ହେଲା ପରେ ଯେବେ ଚର୍ମରେ ସେହି ଛଉ ବ୍ୟାପିଯାଏ। 36 ତେବେ ଯାଜକ ସେହି ଲୋକକୁ ପୁନର୍ବାର ଦେଖିବ। ଯଦି ସେହି ଛଉ ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ୱେଷଣ କରିବ ନାହିଁ। ସେହି ଲୋକ ଅଶୁଚି। 37 ଯଦି ଯାଜକ ଦୃଷ୍ଟିରେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉ ଆରୋଗ୍ୟ ହୋଇଅଛି, ସେ ଶୁଚି ହୋଇଅଛି, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
38 “ଯଦି କୌଣସି ବ୍ୟକ୍ତିର ଚର୍ମରେ ଧଳା ଛଉ ହୋଇଥାଏ। 39 ତେବେ ଯାଜକ ସେହି ଛଉ ଦେଖିବ, ଯଦି ସେମାନଙ୍କ ଶରୀରର ଚର୍ମରେ ସେହି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ୱେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ଯାଦୁ ରୋଗ ବୋଲି ବିବେଚିତ ହେବ ଓ ସେହି ଲୋକ ଶୁଚି।
40 “ଯଦି କୌଣସି ଲୋକର ମୁଣ୍ଡରୁ ବାଳ ଉପୁଡ଼ି ଯାଏ ତେବେ ସେ ଚନ୍ଦା, ମାତ୍ର ସେ ଶୁଚି ଅଟେ। 41 ଆଉ ଯେବେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା କପାଳ, ସେ ମଧ୍ୟ ଶୁଚି। 42 ଯଦି ଚନ୍ଦା ମୁଣ୍ଡରେ କିମ୍ବା ଚନ୍ଦା କପାଳରେ ରକ୍ତ ଶ୍ୱେତବର୍ଣ୍ଣ ଘା’ ହୁଏ, ତେବେ ତାହା ଚନ୍ଦା କପାଳରେ ବା ମୁଣ୍ଡରେ ଉତ୍ପନ୍ନ ଚର୍ମ ରୋଗ। 43 ଯାଜକ ତାହା ତେଖିବ, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠପରି ତାହା ଚନ୍ଦାମୁଣ୍ଡ କି ଚନ୍ଦା କପାଳର ରକ୍ତ ଶ୍ୱେତବର୍ଣ୍ଣ ଘା’ର ଫୁଲା ଦେଖାଯାଏ, 44 ତେବେ ସେ କୁଷ୍ଠରୋଗରେ ଆକ୍ରାନ୍ତ, ସେ ଅଶୁଚି। ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହାର ମସ୍ତକରେ ଘା’ ହୋଇଛି।
45 “ପୁଣି ଯେଉଁ ଲୋକ କୁଷ୍ଠରୋଗୀ, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ। ପୁଣି “ଅଶୁଚି, ଅଶୁଚି” ବୋଲି ଚିତ୍କାର କରିବ। 46 ତାହାଠାରେ ଯେତେ ଦିନଯାଏ ଘା’ ରହିବ, ସେତେ ଦିନଯାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣିର ବାହାରେ ତାହାର ବାସସ୍ଥାନ ରହିବ।
47-48 “ଆଉ ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ, ତାହା ତନ୍ତରେ ବୁଣା ହେଉ କିମ୍ବା ହାତରେ ବୁଣା ହେଉ କିମ୍ବା ତାହା ଚର୍ମରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ହେଉ। 49 ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ ବୁଣା କିମ୍ବା ଶିଲାଇ କପାଡ଼ା କିମ୍ବା କୌଣସି ଚର୍ମ ଜିନିଷରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତେବେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦେଖାଇ ଦିଆଯିବ। 50 ଯାଜକ ସେହି ଦାଗ ଦେଖିବ ଓ ସେହି ଦାଗଥିବା ଦ୍ରବ୍ୟକୁ ସାତ ଦିନ ପୃଥକ ରଖିବ। 51-52 ସେ ସପ୍ତମ ଦିନରେ ସେହି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ରରେ କି ବୁଣା କିମ୍ବା ଉଲ୍ରେ ଶିଲାଇ କପଡ଼ା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସି ଚର୍ମ ଜିନିଷରେ ସେହି ଦାଗ ଯଦି ବଢ଼ିଥାଏ ତେବେ ତାହା କ୍ଷୟ କୁଷ୍ଠ ଓ ସେହି ବସ୍ତ୍ର ଅଶୁଚି ଅଟେ। ତେଣୁ ସେହି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡ଼ାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦଗ୍ଧ କରାଯିବ। କାରଣ ତାହା କ୍ଷୟ କୁଷ୍ଠ, ସେହି ବସ୍ତ୍ର କିମ୍ବା ଚର୍ମ ଅଗ୍ନିରେ ଦଗ୍ଧ ହେବା ଉଚିତ୍।
53 “ଯାଜକ ଦେଖିବ ଯଦି ସେହି ଦାଗ ବଢ଼ି ନାହିଁ, ତେବେ ତାହା ସୂତାର ବସ୍ତ୍ର ହେଉ କି କୌଣସି ଚମଡ଼ାର ଜିନିଷ ହେଉ ତାହା ପାଣିରେ ଧୌତ କରାଯିବା ଉଚିତ୍। ପୁଣି ତାହା ତନ୍ତବୁଣା ହେଉ କିମ୍ବା ହାତ ବୁଣା ହେଉ ତାହା ଧୁଆଯିବା ଉଚିତ୍। 54 ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟକୁ ଧୋଇବାକୁ ଆଜ୍ଞା ଦେବ। ପୁଣି ସାତ ଦିନ ତାକୁ ପୃଥକ କରି ରଖିବ। 55 ଆଉ ତାହା ଧୂଆ ହେଲା ପରେ ଯାଜକ ଦେଖିବ, ଯଦି ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି। ତାହା ବସ୍ତ୍ର ହେଉ କିମ୍ବା ଚର୍ମ ହେଉ ତାକୁ ନିଶ୍ଚୟ ଅଗ୍ନିରେ ଦଗ୍ଧ କରିବ।
56 “ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ। 57 ତଥାପି ଯଦି ସେହି ବସ୍ତ୍ରରେ କି ଚର୍ମରେ, ସେହି ଦାଗ ଥାଏ ଓ ତାହା ବଢ଼େ, ତାକୁ ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ। 58 ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ୟକୁ ଧୋଇଲା ପରେ ସେହି ଦାଗ ଗ୍ଭଲିଯାଏ, ତେବେ ତାହା ଦ୍ୱିତୀୟ ଥର ଧୂଆଯିବ ଓ ତହିଁରେ ତାହା ଶୁଚି ହେବ।”
59 ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ୟ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷୟରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହା ଅଟେ।
ଦାଉଦଙ୍କର ଗୀତ
15 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ?
କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?
2 କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ,
ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ।
3 ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ।
ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ।
ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ।
4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ,
କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ।
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ
ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।
5 ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ
ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ
ଆଘାତ କରି ମୁଦ୍ରା ନିଏ ନାହିଁ।
ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।
ଦାଉଦଙ୍କର ମିକ୍ତାମ୍ ଗୀତ
16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
2 ମୁଁ ସଦାପ୍ରଭୁଙ୍କୁ କହିଅଛି,
“ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
3 ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।
4 କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
5 ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
6 ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
7 ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।
8 ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
9 ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ମୋ’ ପାଇଁ ଚିରଦିନ ନିତ୍ୟ ସୁଖ ଭୋଗ ଆଣିଦେବ।
27 କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ’ଣ ଘଟିବାକୁ ଯାଉଛି।
2 ନିଜକୁ ପ୍ରଶଂସା କର ନାହିଁ, ଅନ୍ୟମାନେ ତୁମ୍ଭକୁ ପ୍ରଶଂସା କରନ୍ତୁ।
3 ପଥର ଭାରୀ ଅଟେ ମାତ୍ର ବାଲି ପ୍ରବଳ ଅଟେ। ଅଜ୍ଞାନୀ ଦ୍ୱାରା ଯେଉଁ ସମସ୍ୟା ଆସେ ତାହା ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ଅଟେ।
4 କଠୋର ହୃଦୟ ଓ କ୍ରୋଧ ପ୍ରଳୟଙ୍କାରୀ, କେହି ଅନ୍ତର୍ଜ୍ୱାଳା ଆଗରେ ଠିଆ ହୋଇ ପାରିବ ନାହିଁ।
5 ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।
6 ଗୋଟିଏ ସାଙ୍ଗଠାରୁ କର୍କଷ ଶବ୍ଦସବୁ ତା’ର ବିଶ୍ୱସନୀୟତାଠାରୁ ଅଙ୍କୁରୀତ ହୁଏ। କିନ୍ତୁ ଶତ୍ରୁମାନଙ୍କର ଚୁମ୍ବନକୁ ଭରସା କରାଯାଇ ପାରିବ ନାହିଁ।
7 ତୃପ୍ତ ପ୍ରାଣୀ ମହୁକୁ ଘୃଣା କରେ। ମାତ୍ର କ୍ଷୁଧାର୍ତ୍ତ ମନୁଷ୍ୟକୁ କୌଣସି ତିକ୍ତ ଦ୍ରବ୍ୟସବୁ ମିଷ୍ଟ ଲାଗେ।
8 ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ୟ ଅଟେ।
9 ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୂପ କରେ।
10 ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ। ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।
11 ହେ ମୋର ପୁତ୍ର, ଜ୍ଞାନବାନ୍ ହୁଅ, ମୋର ମନକୁ ଆହ୍ଲାଦିତ କର, ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେଇ ପାରିବି।
12 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଗ୍ଭଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
13 ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ। ପୁଣି ପରସ୍ତ୍ରୀ ପାଇଁ ଯେ ଜାମିନ ହୁଏ, ତାହାକୁ ବନ୍ଧକ ରଖ।
14 ଜଣେ ଯିଏ “ଅତି ପ୍ରଭାତରୁ” ଆପଣାର ପଡ଼ୋଶୀକୁ ଆଶୀର୍ବାଦ କରେ, ତାର ପଡ଼ୋଶୀ ଏହାକୁ ଆଶୀର୍ବାଦ ବଦଳରେ ଅଭିଶାପ ଭାବେ ଗ୍ରହଣ କରେ।
15 ଭାରୀ ବୃଷ୍ଟି ଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ ଏହି ଦୁଇଜଣ ଏକ ପ୍ରକାର ଅଟନ୍ତି।
16 ତାକୁ କଳି କରିବାରୁ କ୍ଷାନ୍ତ କରିବା ଅର୍ଥ ବାୟୁକୁ ବନ୍ଦ କରିବା ପାଇଁ ଚେଷ୍ଟା କରିବା ପରି ଅଟେ କିମ୍ବା କାହାରି ହାତରେ ତୈଳ ଧାରଣ କରିବା ପାଇଁ ଚେଷ୍ଟା କରିବା ପରି ଅଟେ।
17 ଯେପରି ଲୁହା ଲୁହାକୁ ଧାର କରେ, ସେପରି ବନ୍ଧୁ ତା’ର ବନ୍ଧୁତ୍ୱର ମନକୁ ତୀକ୍ଷ୍ଣ କରେ।
18 ଯିଏ କି ଡିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ। ପୁଣି ଯେ ଆପଣା ପ୍ରଭୁ ପ୍ରତି ଅନୁଯୋଗୀ ଥାଏ, ସେ ସମ୍ମାନ ପାଏ।
19 ପାଣି ଭିତରକୁ ଦେଖ ଏବଂ ତୁମ୍ଭେ ତୁମ୍ଭର ନିଜର ମୁହଁ ଦେଖିବ। ତୁମ୍ଭର ହୃଦୟକୁ ଦେଖ ଏବଂ ତୁମ୍ଭେ ପ୍ରକୃତ ନିଜକୁ ଦେଖିବ।
20 ଯେପରି କବର ଓ ବିନାଶସ୍ଥାନ କେବେ ହେଁ ତୃପ୍ତ ନୁହେଁ, ସେହିପରି ମଧ୍ୟ ମନୁଷ୍ୟର ଚକ୍ଷୁ କେତେବେଳେ ତୃପ୍ତ ନୁହେଁ।
21 କୋୟିରେ ରୂପା, ଉହ୍ମେଇରେ ସୁନା, ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ।
22 ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢିଙ୍କିରେ କୁଟିଲେ ହେଁ ତା’ର ଅଜ୍ଞାନତା ଛାଡ଼ିବ ନାହିଁ।
23 ତୁମ୍ଭେ ଆପଣା ମେଷପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ୍ ହୁଅ। ପୁଣି ଆପଣା ପଶୁପଲ ବିଷୟରେ ଉତ୍ତମରୂପେ ମନୋଯୋଗ କର। 24 ସମ୍ପତ୍ତି ସର୍ବଦା ସ୍ଥାୟୀ ନୁହେଁ। ମୁକୁଟ ମଧ୍ୟ ପୁରୁଷାନୁକ୍ରମେ ରହେ ନାହିଁ। 25 ଘାସ କଟା ହେଲେ କଅଁଳ ଘାସ ଜନ୍ମେ। ଆଉ ପର୍ବତମାନରୁ ତୃଣ ସଂଗୃହୀତ ହୁଏ। 26 ମେଷ ଛୁଆମାନେ ତୁମ୍ଭର ବସ୍ତ୍ର ଦେବେ। ମାତ୍ର ଛେଳି ତୁମ୍ଭ କ୍ଷେତ୍ରର ମୂଲ୍ୟ ସ୍ୱରୂପ ଅଟେ। 27 ଛେଳି ଦୁଧ ତୁମ୍ଭ ପାଇଁ ଓ ତୁମ୍ଭ ପରିବାର ପାଇଁ ଯଥେଷ୍ଟ ହେବ ଏବଂ ତୁମ୍ଭ ଦାସୀମାନଙ୍କ ଭକ୍ଷ୍ୟ ଉପଜୀବିକା ହେବ।
1 ପାଉଲ, ଶୀଲା ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର।
ତୁମ୍ଭେମାନେ ସମସ୍ତେ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଛ।
2 ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କଠାରେ ରହିଥାଉ।
3 ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି। 4 ତୁମ୍ଭମାନଙ୍କଠାରେ ପରସ୍ପର ପ୍ରତି ଥିବା ପ୍ରେମ ଭାବ ମଧ୍ୟ ବୃଦ୍ଧି ପାଉଛି। ଅତଏବ, ପରମେଶ୍ୱରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠାରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକାରେ ତୁମ୍ଭେମାନେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ୱାସ ରହିଛି, ଆମ୍ଭେ ଏହା ବିଷୟରେ ପରମେଶ୍ୱରଙ୍କ ଅନ୍ୟ ମଣ୍ଡଳୀ ଗୁଡ଼ିକରେ କହୁ। ତୁମ୍ଭେମାନେ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛ; କିନ୍ତୁ ତୁମ୍ଭେମାନେ ନିଜର ଦୃଢ଼ତା ଓ ବିଶ୍ୱାସ ଆଦୌ ନ ହରାଇ ଆଗେଇ ଗ୍ଭଲିଛ।
ପରମେଶ୍ୱରଙ୍କ ନ୍ୟାୟ ସମ୍ପର୍କରେ ପାଉଲ କହନ୍ତି
5 ପରମେଶ୍ୱର ତାହାଙ୍କର ବିଗ୍ଭରରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ୟରେ ପ୍ରବେଶ ପାଇଁ ଯୋଗ୍ୟ ହୁଅ, ଯେଉଁଥିପାଇଁ ତୁମ୍ଭେମାନେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ। 6 ଯାହା ଠିକ୍ ପରମେଶ୍ୱର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ୱର ସେମାନଙ୍କୁ କଷ୍ଟ ଦେବେ। 7 ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ୟ ଶାନ୍ତି ଦେବେ। ଯେତେବେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କ ସହିତ ସ୍ୱର୍ଗରୁ ଆସିବେ, ସେତେବେଳେ ପରମେଶ୍ୱର ଆମ୍ଭର ଦୁଃଖ ଉପଶମ କରିଦେବେ। 8 ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଗ୍ଭରକୁ ମାନନ୍ତି ନାହିଁ, ସେମାନଙ୍କୁ ଦଣ୍ଡ ଦେବା ଲାଗି ସେ ଜ୍ୱଳନ୍ତ ଅଗ୍ନିଶିଖା ସହିତ ଆସିବେ। 9 ସେହି ଲୋକମାନେ ଅନନ୍ତ ବିନାଶ ଦ୍ୱାରା ଦଣ୍ଡିତ ହେବେ। ସେମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆ ଯିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସେମାନଙ୍କୁ ଦୂରରେ ରଖାଯିବ। 10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ।
11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ। 12 ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ୟମରେ ମହିମାନ୍ୱିତ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭେମାନେ ମଧ୍ୟ ତାହାଙ୍କଠାରେ ମହିମାନ୍ୱିତ ହୋଇପାରିବ। ଆମ୍ଭ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାରୁ ସେହି ମହିମା ପ୍ରାପ୍ତ ହୁଏ।
2010 by World Bible Translation Center