M’Cheyne Bible Reading Plan
ଯିହୁଦାର ରାଜା ଯିହୋୟାହସ୍
36 ଯିହୁଦାର ଲୋକମାନେ ଯିହୋୟାହସଙ୍କୁ ଯିରୁଶାଲମରେ ନୂତନ ରାଜା ରୂପେ ମନୋନୀତ କଲେ। ଯିହୋୟାହସ୍ ଯୋଶିୟଙ୍କ ପୁତ୍ର ଥିଲେ। 2 ଯିହୋୟାହସ୍ ଯିହୁଦାର ରାଜା ହେବା ସମୟରେ ତେଇଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ତିନି ମାସ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇଥିଲେ। 3 ଏହା ପରେ ମିଶରର ରାଜା ଯିହୋୟାହସଙ୍କୁ ଯିରୁଶାଲମରୁ ଗାଦିଚୁତ୍ୟ କଲେ। ସେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଜୋରିମାନା ରୂପେ ସଂଗ୍ରହ କଲେ। 4 ମିଶରର ରାଜା ଯିହୋୟାହସଙ୍କ ଭ୍ରାତା ଇଲୀୟାକୀମଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା କଲେ। ଏହା ପରେ ମିଶରର ରାଜା ଇଲୀୟାକୀମ୍ଙ୍କର ନାମକୁ ପରିବର୍ତ୍ତନ କରି ଯିହୋୟାକୀମ୍ ଦେଲେ। କିନ୍ତୁ ନଖୋ ଯିହୋୟାକୀମ୍ର ଭାଇ ଯିହୋୟାହସଙ୍କୁ ମିଶରକୁ ନେଇଗଲେ।
ଯିହୁଦାର ରାଜା ଯିହୋୟାକୀମ୍
5 ଯିହୋୟାକୀମ୍ ଯିହୁଦାର ନୂତନ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଏଗାର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମର ରାଜା ଥିଲେ। ଯିହୋୟାକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ।
6 ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହୋୟାକୀମଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହା ପରେ ନବୂଖଦ୍ନିତ୍ସର ରାଜା ଯିହୋୟାକୀମଙ୍କୁ ବାବିଲକୁ ନେଇଗଲେ। 7 ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରରୁ କେତେକ ଦ୍ରବ୍ୟ ନେଇଗଲେ। ସେ ସେହି ବସ୍ତୁଗୁଡ଼ିକୁ ବାବିଲକୁ ନେଇଗଲେ ଓ ସେଗୁଡ଼ିକୁ ନେଇ ନିଜ ଗୃହରେ ରଖିଲେ। 8 ଯିହୋୟାକୀମ୍ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେ ଯେଉଁ ଭୟଙ୍କର ପାପସବୁ କରିଥିଲେ ଓ ସେ ଯେଉଁସବୁ ଦୋଷ କରିଥିଲେ, ସେହିସବୁ “ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ” ଲେଖାଯାଇଅଛି। ଯିହୋୟାଖୀନ୍, ଯିହୋୟାକୀମଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯିହୋୟାଖୀନ୍, ଯିହୋୟାକୀମଙ୍କ ପୁତ୍ର ଥିଲେ।
ଯିହୁଦାର ରାଜା ଯିହୋୟାଖୀନ୍
9 ଯିହୋୟାଖୀନ୍ ଯିହୁଦାର ରାଜା ହେବା ସମୟରେ ଅଠର ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ତିନି ମାସ ଓ ଦଶ ଦିନ ପର୍ଯ୍ୟନ୍ତ ରାଜା ହୋଇଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। 10 ବସନ୍ତ ଋତୁରେ, ରାଜା ନବୂଖଦ୍ନିତ୍ସର ଯିହୋୟାଖୀନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖଦ୍ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀନଙ୍କର ଜଣେ ଆତ୍ମୀୟ ଥିଲେ।
ଯିହୁଦାର ରାଜା ସିଦିକିୟ
11 ସିଦିକିୟ ଯିହୁଦାର ରାଜା ହେବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏଗାର ବର୍ଷ ପର୍ଯ୍ୟନ୍ତ ରାଜା ହେଲେ। 12 ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ ନାହିଁ। ଭବିଷ୍ୟଦ୍ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିୟ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।
ଯିରୁଶାଲମ ଧ୍ୱଂସ ହେଲା
13 ସିଦିକିୟ ରାଜା ନବୂଖଦ୍ନିତ୍ସରର ବିରୁଦ୍ଧରେ ବିଦ୍ରୋହ କଲେ। ଅତୀତରେ ନବୂଖଦ୍ନିତ୍ସର ସିଦିକିୟଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖଦ୍ନିତ୍ସର ନିକଟରେ ବିଶ୍ୱସ୍ତ ରହିବେ। ସିଦିକିୟ ପରମେଶ୍ୱରଙ୍କ ନାମ ନେଇ ଶପଥ କରିଥିଲେ ଯେ, ସେ ନବୂଖଦ୍ନିତ୍ସରଙ୍କ ନିକଟରେ ବିଶ୍ୱସ୍ତ ରହିବେ। କିନ୍ତୁ ସିଦିକିୟ ବଡ଼ ଦାମ୍ଭିକ ଥିଲେ ଓ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ୟ କଲେ। 14 ଆହୁରି ମଧ୍ୟ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ୱସ୍ତ ହେଲେ। ସେମାନେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସେହି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ଯିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ। 15 ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ତାଙ୍କର ଲୋକମାନଙ୍କୁ ଚେତାବନୀ ଦେବା ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ। 16 କିନ୍ତୁ ଲୋକମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ପରିହାସ କଲେ। ସେମାନେ ପରମେଶ୍ୱରଙ୍କ ବାର୍ତ୍ତାକୁ ଘୃଣା କଲେ। ସେମାନେ ପରମେଶ୍ୱରଙ୍କର ଭବିଷ୍ୟଦ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ଯ୍ୟନ୍ତ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ପ୍ରତି କ୍ରୋଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷୟ ନ ଥିଲା। 17 ତେଣୁ ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ଯୁବା ଲୋକମାନେ ମନ୍ଦିର ମଧ୍ୟରେ ଥିଲେ ସୁଦ୍ଧା, ବାବିଲର ରାଜା ସେମାନଙ୍କୁ ହତ୍ୟା କଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ଯୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ୟା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ୟା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ୟା କଲେ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜୟୀ କଲେ। 18 ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ। 19 ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ୟଦଳ ମନ୍ଦିରକୁ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମରେ ଥିବା ପ୍ରତ୍ୟେକ ବହୁମୂଲ୍ୟ ଦ୍ରବ୍ୟକୁ ନେଇଗଲେ ନଚେତ୍ ଧ୍ୱଂସ କରିଦେଲେ। 20 ନବୂଖଦ୍ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନେଇଗଲେ ଓ ସେମାନଙ୍କୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ୟ, ବାବିଲର ରାଜ୍ୟକୁ ପରାସ୍ତ କରିବା ପର୍ଯ୍ୟନ୍ତ ସେହି ଲୋକମାନେ ବାବିଲରେ କ୍ରୀତଦାସରୂପେ ରହିଲେ। 21 ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁସବୁ ବିଷୟ କହିଥିଲେ, ତାହା ପ୍ରକୃତରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ୟମରେ କହିଥିଲେ: “ଏହି ସ୍ଥାନ ସତୁରି ବର୍ଷ ପର୍ଯ୍ୟନ୍ତ ଧ୍ୱଂସର ସ୍ଥାନ ହୋଇ ରହିବ। କାରଣ ଲୋକମାନେ ବିଶେଷ ବିଶ୍ରାମବାରରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲାଗିରହିବ।”
22 କୋରସ୍ ପାରସ୍ୟର ରାଜା ହୋଇଥିବାର ପ୍ରଥମ ବର୍ଷରେ, ସଦାପ୍ରଭୁ କୋରସଙ୍କ ଦ୍ୱାରା ଏକ ବିଶେଷ ଘୋଷଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ୟର ପ୍ରତ୍ୟେକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ ଏହି ବାର୍ତ୍ତା ବହନ କରୁଥିଲେ।
23 ପାରସ୍ୟର ରାଜା କୋରସ୍ କହନ୍ତି,
ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ମୋତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମୋତେ ଯିହୁଦାସ୍ଥିତ ଯିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ଦେଇଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ୱରଙ୍କ ଲୋକ ଅଟ, ଯିରୁଶାଲମକୁ ଫେରି ଯିବା ନିମନ୍ତେ ସ୍ୱାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପ୍ରତ୍ୟେକଙ୍କ ସହିତରେ ରୁହନ୍ତୁ।
22 ତା’ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି। 2 ଏହା ନଗରୀର ରାଜପଥ ଦେଇ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବକ୍ଷରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ।
3 ସେଠାରେ ପରମେଶ୍ୱରଙ୍କ ଦ୍ୱାରା ବିଗ୍ଭରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନ ସେଠାରେ ରହିବ। ତାହାଙ୍କର ସେବକମାନେ ତାହାଙ୍କୁ ଉପାସନା କରିବେ। 4 ସେମାନେ ତାହାଙ୍କ ମୁଖ ଦେଖିବେ। ସେମାନଙ୍କ କପାଳରେ ପରମେଶ୍ୱରଙ୍କର ନାମ ଲେଖାହେବ। 5 ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।
6 ସେ ସ୍ୱର୍ଗଦୂତ ମୋତେ କହିଲେ, “ଏହି କଥାଗୁଡ଼ିକ ସତ୍ୟ ଓ ବିଶ୍ୱାସ ଯୋଗ୍ୟ। ପ୍ରଭୁ ଭବିଷ୍ୟଦ୍ବକ୍ତାମାନଙ୍କ ଆତ୍ମାର ପରମେଶ୍ୱର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ସ୍ୱର୍ଗଦୂତଙ୍କୁ ପଠାଇଛନ୍ତି। 7 ‘ଶୁଣ, ଆମ୍ଭେ ଶୀଘ୍ର ଆସୁଅଛୁ! ଏହି ପୁସ୍ତକରେ ଲେଖାଥିବା ଭବିଷ୍ୟଦ୍ବାଣୀର ବାକ୍ୟଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ୟ ହେବ।’”
8 ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି। 9 କିନ୍ତୁ ସେହି ଦୂତ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପରି ଜଣେ ସେବକ। ମୁଁ ସେହିମାନଙ୍କ ପରି ଜଣେ ସେବକ ଯିଏ, ଏହି ପୁସ୍ତକର ବାକ୍ୟଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କେବଳ ପରମେଶ୍ୱରଙ୍କୁ ପ୍ରଣାମ କର।”
10 ତା’ପରେ ସ୍ୱର୍ଗଦୂତ ମୋତେ କହିଲେ, “ଏହି ପୁସ୍ତକରେ ଥିବା ଭବିଷ୍ୟଦ୍ବାଣୀର ବାକ୍ୟଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖେଇ ଆସିଲାଣି। 11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହୋଇ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହୋଇ ରହିବାକୁ ଦିଅ।”
12 “ଶୁଣ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗରେ ପୁରସ୍କାର ନେଇ ଆସିବା। ଆମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ତା’ର କର୍ମ ଅନୁସାରେ ପ୍ରତିଦାନ ଦେବା। 13 ଆମ୍ଭେ ପ୍ରଥମ ଓ ଶେଷ; କ ଓ କ୍ଷ, ଆଦି ଓ ଅନ୍ତ।”
14 “ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସେମାନେ ଧନ୍ୟ ହେବେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସେମାନଙ୍କର ଅଧିକାର ରହିଛି। ସେମାନେ ନଗରୀ ଭିତରକୁ ନଗରୀ ଦ୍ୱାର ଦେଇ ପ୍ରବେଶ କରି ପାରିବେ। 15 କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ଯୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ୟାପ୍ରିୟ ଓ ମିଥ୍ୟାବାଦୀମାନେ ନଗରର ବାହାରେ ରହିବେ।”
16 “ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମୋର ଦୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜ୍ୱଳ ପ୍ରଭାତୀ ତାରା।”
17 ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ।
18 ଏହି ପୁସ୍ତକର ଭବିଷ୍ୟଦ୍ବାଣୀର ବାକ୍ୟଗୁଡ଼ିକୁ ଶୁଣୁଥିବା ପ୍ରତ୍ୟେକ ଲୋକକୁ ମୁଁ ସତର୍କ କରିଦିଏ। କେହି ଯଦି ଏହି ବାକ୍ୟଗୁଡ଼ିକ ସହିତ କିଛି ଯୋଗକରେ ତେବେ ପରମେଶ୍ୱର ତାହାକୁ ଏହି ପୁସ୍ତକରେ ଲେଖାଥିବା କ୍ଳେଶଗୁଡ଼ିକ ଦେବେ। 19 ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ୟଦ୍ବାଣୀର ବାକ୍ୟଗୁଡ଼ିକରୁ କିଛି କାଢ଼ି ଦିଏ, ତେବେ ପରମେଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନେବେ।
20 ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।”
ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।
21 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।
4 “ସେହି ଦିନ ଆସୁଅଛି ଯାହାକି ଉହ୍ମେଇ ପରି ଜଳିବ। ସେହି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦକାର୍ଯ୍ୟ କରୁଥିବା ଲୋକମାନେ ନଡ଼ାପରି ଜଳିଯିବେ। ସେହି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ୟ ଛାଡ଼ିବ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।
2 “ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦୟକାଳୀନ ସୂର୍ଯ୍ୟର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପରେ ଝକ୍ମକ୍ କରିବ। ଏହା ସୂର୍ଯ୍ୟକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭେମାନେ ବାଛୁରି ସଦୃଶ ଗୁହାଳରୁ ବାହାରି ସ୍ୱାଧୀନ ଓ ସୁଖୀ ହେବ। 3 ତା’ପରେ ତୁମ୍ଭେମାନେ ସେହି ଦୁଷ୍ଟାଗ୍ଭରୀଙ୍କ ଉପରେ ବିଚରଣ କରିବ। ସେମାନେ ତୁମ୍ଭ ପାଦତଳେ ଭସ୍ମ ସଦୃଶ ହେବେ। ଏହିସବୁ ସେହି ଦିନ ଘଟିବ ଯେଉଁ ଦିନ ଆମ୍ଭେ ସୃଷ୍ଟି କରିଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।
4 “ମୋଶାଙ୍କର ବ୍ୟବସ୍ଥାକୁ ମନେ ପକାଅ ଓ ପାଳନ କର। ସେ ଆମ୍ଭର ଅନୁଚର। ଆମ୍ଭେ ହୋରେବ ପର୍ବତରେ ଏହି ବ୍ୟବସ୍ଥା ଓ ନିୟମମାନ ତାଙ୍କୁ ଦେଇଥିଲୁ। ସେହି ବ୍ୟବସ୍ଥା ଇସ୍ରାଏଲର ସମସ୍ତ ଲୋକଙ୍କ ପାଇଁ ଥିଲା।”
5 ସଦାପ୍ରଭୁ କହିଲେ, “ଦେଖ, ଭବିଷ୍ୟଦ୍ବକ୍ତା ଏଲିୟଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ। 6 ସେ ପିତାମାତାଙ୍କୁ ପିଲାମାନଙ୍କ ସହିତ ଓ ପିଲାମାନଙ୍କୁ ସେମାନଙ୍କର ପିତା-ମାତା ସହିତ ପୁନର୍ମିଳନ କରାଇବେ। ଏହା ନିଶ୍ଚିତ ଘଟିବ। ନଚେତ୍ ଆମ୍ଭେ ପରମେଶ୍ୱର ଆସିବା ଓ ସମ୍ପୂର୍ଣ୍ଣ ଦେଶକୁ ଧ୍ୱଂସ କରିବା।”
ସାତ ଜଣ ଶିଷ୍ୟଙ୍କୁ ଯୀଶୁ ଦେଖା ଦେଲେ
21 ତା’ପରେ ଯୀଶୁ ନିଜକୁ ଶିଷ୍ୟମାନଙ୍କ ଆଗରେ ଦେଖା ଦେଲେ। ସେ ତିବିରିଆ ହ୍ରଦ ଗାଲିଲୀ କୂଳରେ ସେମାନଙ୍କୁ ଦେଖାଦେଇଥିଲେ। ସେ ଏହିପରି ଭାବରେ ଦର୍ଶନ ଦେଇଥିଲେ: 2 ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ, ସେମାନେ ହେଲେ ଶିମୋନ ପିତର, ଥୋମା, (ଡାକନାମ ଦିଦୁମ)। ଗାଲିଲୀର କାନ୍ନା ନିବାସୀ ନିଥନିୟେଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ। 3 ଶିମୋନ ପିତର କହିଲେ, “ମୁଁ ମାଛ ଧରିବାକୁ ଯାଉଛି।”
ଅନ୍ୟ ଶିଷ୍ୟମାନେ କହିଲେ, “ଆମ୍ଭେ ତୁମ୍ଭ ସହିତ ଯିବୁ।” ତେଣୁ ସବୁ ଶିଷ୍ୟମାନେ ଯାଇ ନୌକାରେ ବସିଲେ। ସେମାନେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରି ପାରିଲେ ନାହିଁ.
4 ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳରେ ଠିଆ ହୋଇଥିଲେ। କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନ ଥିଲେ। 5 ତା’ପରେ ଶିଷ୍ୟମାନଙ୍କୁ କହିଲେ, “ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?”
ଶିଷ୍ୟମାନେ ଉତ୍ତର ଦେଲେ, “ନା।”
6 ଯୀଶୁ କହିଲେ, “ତୁମ୍ଭର ଜାଲ ନୌକାର ଡାହାଣ ପଟ ପାଣିରେ ପକାଅ। ତୁମ୍ଭେ ସେଠାରେ ମାଛ ପାଇବ।” ଶିଷ୍ୟମାନେ ସେହିପରି କଲେ। ସେମାନେ ଏତେ ମାଛ ଧରିଲେ ଯେ, ସେମାନେ ଜାଲକୁ ନୌକା ପର୍ଯ୍ୟନ୍ତ ଟାଣି ପାରିଲେ ନାହିଁ।
7 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, “ଏ ତ ପ୍ରଭୁ।” ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କ ପୋଷାକ ପିନ୍ଧିଲେ। କାରଣ ସେ କାର୍ଯ୍ୟ କରିବା ପାଇଁ ସବୁ ବସ୍ତ୍ର ଖୋଲି ଦେଇଥିଲେ। ତା’ପରେ ସେ ପାଣିକୁ ଡେଇଁ ପଡ଼ିଲେ। 8 ଅନ୍ୟ ଶିଷ୍ୟମାନେ ନୌକାରେ କୂଳକୁ ଗଲେ। ସେମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଭିଡ଼ିଲେ। ସେମାନେ କୂଳରୁ ବେଶୀ ଦୂରରେ ନ ଥିଲେ, ଦୂରତ୍ୱ ପ୍ରାୟ ନବେ ମିଟର ଥିଲା। 9 ଶିଷ୍ୟମାନେ ଯେତେବେଳେ ନୌକାରୁ ବାହାରି କୂଳରେ ପହଞ୍ଚିଲେ, ସେମାନେ ସେତେବେଳେ ରଡ଼ନିଆଁ ଜଳୁଥିବାର ଦେଖିଲେ। ସେଠାରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ୟ ଥିଲା। 10 ତା’ପରେ ଯୀଶୁ କହିଲେ, “ତୁମ୍ଭେମାନେ ଧରିଥିବା କିଛି ମାଛ ଆଣ।”
11 ଶିମୋନ ପିତର ନୌକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ଼ ବଡ଼ ମାଛରେ ପୂର୍ଣ୍ଣ ଥିଲା। ସେଥିରେ 153ଟି ମାଛ ଥିଲା। ମାଛଗୁଡ଼ିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନ ଥିଲା। 12 ଯୀଶୁ ସେମାନଙ୍କୁ କହିଲେ, “ଆସ ଓ ଖାଅ।” ଶିଷ୍ୟମାନଙ୍କ ଭିତରେ କେହି ଜଣେ ହେଲେ ପଗ୍ଭରିବା ପାଇଁ ସାହସ କଲେ ନାହିଁ, ‘‘ତୁମ୍ଭେ କିଏ?” କାରଣ ସେମାନେ ଜାଣିଥିଲେ ଯେ, ସେ ପ୍ରଭୁ। 13 ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘେନି ସେମାନଙ୍କୁ ଦେଲେ। ସେ ସେମାନଙ୍କୁ ମାଛ ମଧ୍ୟ ଦେଲେ।
14 ଯୀଶୁ ମୃତ୍ୟୁରୁ ବଞ୍ଚି ଉଠିବା ପରେ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ।
ପିତରଙ୍କ ସହିତ ଯୀଶୁ କଥା ହେଲେ
15 ସେମାନେ ଖାଇବା ପରେ ଯୀଶୁ ଶିମୋନ ପିତରଙ୍କୁ କହିଲେ, “ଯୋହନଙ୍କର ପୁତ୍ର ଶିମୋନ। ତୁମ୍ଭେ କ’ଣ ମୋତେ ଏମାନଙ୍କ ଅପେକ୍ଷା ଅଧିକ ପ୍ରେମ କର?”
ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି ଯେ, ମୁଁ ଆପଣଙ୍କୁ ପ୍ରେମ କରେ।’’
ଯୀଶୁ ତାହାଙ୍କୁ କହିଲେ, “ମୋର ମେଷମାନଙ୍କୁ ଚରାଅ।”
16 ତା’ପରେ ଯୀଶୁ ପୁଣି ତାହାଙ୍କୁ କହିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ପ୍ରେମ କର?”
ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।”
ତା’ପରେ ଯୀଶୁ କହିଲେ, “ମୋର ମେଷମାନଙ୍କୁ ପ୍ରତିପାଳନ କର।”
17 ପୁଣି ତୃତୀୟ ଥର ସେ ତାହାଙ୍କୁ ପଗ୍ଭରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ ମୋତେ ପ୍ରେମ କର କି?”
ପିତର ଦୁଃଖିତ ହେଲେ, ଯେହେତୁ ଯୀଶୁ ତାହାଙ୍କୁ ତିନିଥର ସେହି କଥା ପଗ୍ଭରିଲେ, “ମୋତେ ପ୍ରେମ କର କି?” ପିତର କହିଲେ, “ପ୍ରଭୁ, ଆପଣ ସବୁ ଜାଣିଛନ୍ତି। ମୁଁ ଆପଣଙ୍କୁ ପ୍ରେମ କରେ ବୋଲି ଆପଣ ଜାଣନ୍ତି।”
ଯୀଶୁ ପିତରଙ୍କୁ କହିଲେ, “ମୋ’ ମେଷମାନଙ୍କୁ ଚରାଅ। 18 ମୁଁ ତୁମ୍ଭକୁ ସତ୍ୟ କହୁଛି ତୁମ୍ଭେ ଯେତେବେଳେ ଯୁବକ ଥିଲ, ସେତେବେଳେ ତୁମ୍ଭେ ଅଣ୍ଟାରେ ନିଜଲୁଗା ଭିଡ଼ି ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସରେ ତୁମ୍ଭେ ହାତ ବଢ଼ାଇବ ଓ ଯେଉଁଆଡ଼େ ତୁମ୍ଭର ଯିବାକୁ ଇଚ୍ଛା ନ ଥିବ, ସେହିଠାକୁ ଅନ୍ୟମାନେ ତୁମ୍ଭକୁ ନେଇଯିବେ।” 19 ପରମେଶ୍ୱରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ୟୁ ବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ୟରେ ଯୀଶୁ ସେହିପରି କହିଥିଲେ। ଏହା ପରେ ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁଗମନ କର।”
20 ପିତର ବୁଲି ପଡ଼ି ଦେଖିଲେ ଯେ ଯେଉଁ ଶିଷ୍ୟଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେ ସେମାନଙ୍କ ଅନୁଗମନ କରୁଛନ୍ତି। (ସେହି ରାତ୍ରି ଭୋଜନ ବେଳେ, ସେହି ଶିଷ୍ୟ ଯୀଶୁଙ୍କ ଶରୀରରେ ଆଉଜି ପଡ଼ି, ପଗ୍ଭରି ଥିଲେ, “ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧରେ ଯିବ?”) 21 ସେହି ଶିଷ୍ୟଙ୍କୁ ପଛରେ ଆସୁଥିବା ଦେଖି ପିତର ପଗ୍ଭରିଲେ, “ପ୍ରଭୁ, ତାହାଙ୍କ ବିଷୟରେ କ’ଣ ହେବ?”
22 ଯୀଶୁ ଉତ୍ତର ଦେଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ’ଣ ଅଛି? ତୁମ୍ଭେ ମୋର ଅନୁଗମନ କର।”
23 ତେଣୁ ଭାଇମାନଙ୍କ ମଧ୍ୟରେ ଗୋଟିଏ କଥା ପ୍ରଗ୍ଭରିତ ହେଲା। ସେମାନେ କହୁଥିଲେ ଯେ, ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଛନ୍ତି, ସେହି ଶିଷ୍ୟ ମରିବେ ନାହିଁ। କିନ୍ତୁ ଯୀଶୁ ଏ କଥା କହି ନ ଥିଲେ ଯେ, ସେ ମରିବ ନାହିଁ। ସେ କେବଳ କହିଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ’ଣ ଅଛି?”
24 ସେହି ଶିଷ୍ୟ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ୟ।
25 ଯୀଶୁ ଆହୁରି ଅନେକ କାର୍ଯ୍ୟ କରିଥିଲେ। ମୁଁ ମନେ କରେ ଯେ, ଯୀଶୁଙ୍କ ବିଷୟରେ ସମସ୍ତ ବିଷୟ ଯଦି ଲେଖା ହୋଇ ଥା’ନ୍ତା, ତେବେ ସେହି ପୁସ୍ତକଗୁଡ଼ିକ ରଖିବା ପାଇଁ ସାରା ଜଗତରେ ସ୍ଥାନ ହୁଅନ୍ତା ନାହିଁ।
2010 by World Bible Translation Center