M’Cheyne Bible Reading Plan
ଯିହୁଦାର ରାଜା ହିଜକିୟ
29 ହିଜକିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଯିଖରିୟଙ୍କ କନ୍ୟା ଥିଲେ। 2 ହିଜକିୟ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ କର୍ମ କଲେ।
3 ହିଜକିୟ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ମରାମତି କଲେ। ହିଜକିୟ ମନ୍ଦିରକୁ ପୁନର୍ବାର ଉନ୍ମୁକ୍ତ କଲେ। ସେ ରାଜା ହେବାର ପ୍ରଥମ ବର୍ଷର ପ୍ରଥମ ମାସରେ ହିଁ ଏହା କଲେ। 4 ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ଏକ ସଭାରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାର୍ଶ୍ୱସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣରେ ସେ ସେମାନଙ୍କ ସହିତ ଏକ ସଭା କଲେ। 5 ହିଜକିୟ ସେମାନଙ୍କୁ କହିଲେ, “ହେ ଲେବୀୟମାନେ, ମୋ’ କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ। 6 ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ। ସଦାପ୍ରଭୁ ପରମେଶ୍ୱର ମନ୍ଦ ବୋଲି ବିବେଚନା କରିଥିବା କାର୍ଯ୍ୟକୁ ସେମାନେ କଲେ। ସେମାନେ ସଦାପ୍ରଭୁଙ୍କୁ ଅବମାନନା କଲେ। ସେମାନେ ସଦାପ୍ରଭୁଙ୍କୁ ପଛ କଲେ। 7 ସେମାନେ ମନ୍ଦିର ଅଳିନ୍ଦର ଦ୍ୱାରସବୁ ବନ୍ଦ କରିଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସ୍ଥାନରେ ସୁଗନ୍ଧିଧୂପ ଜଳାଇବା ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ବନ୍ଦ କରିଦେଲେ। 8 ତେଣୁ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ସେମାନଙ୍କୁ ଦଣ୍ଡିତ କଲେ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତେବେଳେ ଅନ୍ୟ ଲୋକମାନେ ଦେଖିଲେ, ସେମାନେ ଅତ୍ୟନ୍ତ ଭୟଭୀତ ଓ ହତଚକିତ ହୋଇପଡ଼ିଲେ। ସେହି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜାରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭେମାନେ ତାହା ସ୍ୱଚକ୍ଷୁରେ ଦେଖୁଅଛ। 9 ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ଯୁଦ୍ଧରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ୟା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗଲେ। 10 ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ। 11 ତେଣୁ ହେ ମୋର ପୁତ୍ରଗଣ, ଆଉ ପରିଚର୍ଯ୍ୟା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିରରେ ସେବାକାର୍ଯ୍ୟ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।”
12-14 ଯେଉଁ ଲେବୀୟମାନେ କାର୍ଯ୍ୟ କରିବାକୁ ଆରମ୍ଭ କଲେ, ସେମାନଙ୍କର ତାଲିକା ଏହି:
କହାତ୍ ବଂଶର ଅମାସୟଙ୍କ ପୁତ୍ର ମାହତ୍ ଓ ଅସରିୟଙ୍କ ପୁତ୍ର ଯୋୟେଲ ଥିଲେ।
ମରାରି ବଂଶଧରର ଅବ୍ଦିଙ୍କ ପୁତ୍ର କୀଶ୍ ଓ ଯିହୋଲିଲେଲଙ୍କ ପୁତ୍ର ଅସରିୟ ଥିଲେ।
ଗେର୍ଶୋନ ବଂଶଧରରୁ ସିମ୍ମଙ୍କ ପୁତ୍ର ଯୋୟାହ ଓ ଯୋୟାହଙ୍କ ପୁତ୍ର ଏଦନ୍ ଥିଲେ।
ଇଲିଶାଫନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିଖରିୟ ଓ ମତ୍ତନିୟ ଥିଲେ।
ହେମନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲ୍ ଓ ଶିମିୟି ଥିଲେ।
ଯିଦୂଥୂନଙ୍କ ବଂଶଧରମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୂୟେଲ ଥିଲେ।
ଆସଫ୍ ବଂଶଧରମାନଙ୍କ ମଧ୍ୟରୁ ଶମୟିୟ ଓ ଉଷିୟେଲ ଥିଲେ।
15 ଏହା ପରେ ଏହି ଲେବୀୟମାନେ ସେମାନଙ୍କର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କଲେ। ସେମାନେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା। 16 ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧ୍ୟରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରିଦେଲେ। ସେମାନେ ସେହି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହା ପରେ ଲେବୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନେଇଗଲେ। 17 ପ୍ରଥମ ମାସର ପ୍ରଥମ ଦିନରେ ଲେବୀୟମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ମାସର ଅଷ୍ଟମ ଦିନରେ, ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ୟବହାର କରିବା ପାଇଁ ସେମାନେ ଆହୁରି ଆଠ ଦିନ ପର୍ଯ୍ୟନ୍ତ ତାହାକୁ ପରିଷ୍କାର କଲେ। ସେମାନେ ପ୍ରଥମ ମାସର ଷୋହଳତମ ଦିନରେ ତାହା ସମାପ୍ତ କଲେ।
18 ଏହା ପରେ ସେମାନେ ରାଜା ହିଜକିୟଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରାଜା ହିଜକିୟ, ଆମ୍ଭେମାନେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ୱଳାଇବାର ଯଜ୍ଞବେଦି ଓ ମନ୍ଦିରସ୍ଥ ସମସ୍ତ ବିଷୟକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀୟ ରୋଟୀ ରଖାଯିବାର ମେଜ ଓ ମେଜରେ ବ୍ୟବହୃତ ସାମଗ୍ରୀକୁ ଆମ୍ଭେମାନେ ପରିଷ୍କାର କରିଅଛୁ। 19 ଆହସ୍ ରାଜା ଥିବା ସମୟରେ ପରମେଶ୍ୱରଙ୍କର ବିରୁଦ୍ଧରେ ବିଦ୍ରୋହ କଲେ। ସେ ମନ୍ଦିର ମଧ୍ୟରେ ଥିବା ଅନେକ ସାମଗ୍ରୀକୁ ଫୋପାଡ଼ି ଦେଇଥିଲେ। କିନ୍ତୁ ଆମ୍ଭେମାନେ ସେହିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସେଗୁଡ଼ିକୁ ବିଶେଷ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସେଗୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଅଛି।”
20 ରାଜା ହିଜକିୟ ପରବର୍ତ୍ତୀ ଦିନ ପ୍ରତ୍ୟୁଷରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। 21 ସେମାନେ ସାତ ଗୋଟି ବଳଦ, ସାତୋଟି ମେଷ, ସାତୋଟି ମେଷଶାବକ ଓ ସାତୋଟି ବୋଦା ଆଣିଲେ। ଏହି ପଶୁଗୁଡ଼ିକ ପବିତ୍ର ସ୍ଥାନର ଓ ଯିହୁଦାର ଲୋକମାନଙ୍କ ନିମନ୍ତେ ପାପାର୍ଥକ ବଳିସ୍ୱରୂପେ ଉତ୍ସର୍ଗୀକୃତ ହେବାକୁ ଥିଲା। ରାଜା ହିଜକିୟ ହାରୋଣଙ୍କ ବଂଶଧର ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ପଶୁଗୁଡ଼କ ଉତ୍ସର୍ଗ କରିବାକୁ ଆଦେଶ ଦେଲେ। 22 ତେଣୁ ଯାଜକମାନେ ବଳଦମାନଙ୍କୁ ହତ୍ୟା କଲେ ଓ ରକ୍ତକୁ ରଖିଲେ। ଆଉ ସେମାନେ ସେହି ବଳଦର ରକ୍ତକୁ ବେଦି ଉପରେ ସିଞ୍ଚିଲେ। ଏହା ପରେ ଯାଜକମାନେ ମେଷମାନଙ୍କୁ ହତ୍ୟା କଲେ ଓ ମେଷମାନଙ୍କର ରକ୍ତ ଯଜ୍ଞବେଦି ଉପରେ ସିଞ୍ଚନ କଲେ। 23-24 ଏହା ପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସେମାନଙ୍କ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ। ଛାଗମାନଙ୍କର ରକ୍ତକୁ ଯଜ୍ଞବେଦି ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ୱର ଯେପରି ଇସ୍ରାଏଲର ଲୋକମାନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସେମାନେ ଏହିପରି କଲେ। ରାଜା କହିଲେ ଯେ, ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ହୋମବଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାଯିବା ଉଚିତ୍।
25 ଦାଉଦ, ରାଜାଙ୍କ ଭବିଷ୍ୟଦ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ୟଦ୍ବକ୍ତା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ରାଜା ହିଜକିୟ ସେହି ପ୍ରକାରେ ଲେବୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିରରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ୟଦ୍ବକ୍ତାମାନଙ୍କର ମାଧ୍ୟମରେ ଆସିଥିଲା। 26 ତେଣୁ ଲେବୀୟମାନେ ଦାଉଦଙ୍କ ବାଦ୍ୟଯନ୍ତ୍ରସବୁ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ ଓ ଯାଜକମାନେ ସେମାନଙ୍କର ତୂରୀ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ। 27 ଏହା ପରେ ହିଜକିୟ ବେଦି ଉପରେ ବଳିଦାନ ଉପହାର ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ହୋମବଳି ଉପହାରର ଉତ୍ସର୍ଗ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ ଆରମ୍ଭ ହେଲା। ତୂରୀ ବଜାଗଲା ଓ ଇସ୍ରାଏଲ ରାଜା ଦାଉଦଙ୍କ ବାଦ୍ୟଯନ୍ତ୍ର ସବୁ ବଜାଗଲା। 28 ହୋମବଳି ଉପହାରର ଉତ୍ସର୍ଗୀକରଣ ଶେଷ ନ ହେବା ପର୍ଯ୍ୟନ୍ତ ସମସ୍ତ ଜନତା ନତ ମସ୍ତକ ହେଲେ, ଗାୟକମାନେ ଗୀତ ଗାନ କଲେ ଓ ତୂରୀବାଦ୍ୟକାରୀମାନେ ତୂରୀ ବଜାଇଲେ।
29 ଉତ୍ସର୍ଗ କାର୍ଯ୍ୟ ଶେଷ ହେବାପରେ, ରାଜା ହିଜକିୟ ଓ ତାଙ୍କ ସହିତ ସମସ୍ତ ଜନତା ନତମସ୍ତକ ହେଲେ ଓ ଉପାସନା କଲେ। 30 ରାଜା ହିଜକିୟ ଓ ତାଙ୍କର ପଦାଧିକାରୀମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାକୁ ଆଦେଶ ଦେଲେ। ସେମାନେ ଦାଉଦ ଓ ଆସଫ ଭବିଷ୍ୟଦ୍ବକ୍ତାଙ୍କ ରଚିତ ସଙ୍ଗୀତମାନ ଗାନ କଲେ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସେମାନେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ୱରଙ୍କର ଉପାସନା କଲେ। 31 ହିଜକିୟ କହିଲେ, “ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭେମାନେ ନିଜକୁ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ୟବାଦର ଉପହାରସବୁ ଆଣ।” ଏହା ପରେ ଲୋକମାନେ ବଳିଦାନ ଓ ଧନ୍ୟବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଗ୍ଭହିଁଲା, ସେ ହୋମବଳି ଉପହାରସବୁ ଆଣିଲା। 32 ସମ୍ମିଳିତ ଜନତା ଏହିପରି ଭାବରେ ହୋମବଳି ଉପହାର ସବୁ ଆଣିଲେ: ସତୁରି ବଳଦ, 100 ଗୋଟି ମେଷ ଓ 200 ଗୋଟି ମେଷଶାବକ। ଏହିସବୁ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରାଗଲା। 33 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ନୈବେଦ୍ୟ ଥିଲା 600ଟି ଷଣ୍ଢ ଓ 3000 ମେଷ ଓ ଛାଗ। 34 କିନ୍ତୁ ଏହି ସମସ୍ତ ପଶୁଙ୍କୁ କାଟି ଓ ଚମଡ଼ା ପରିଷ୍କାର କରି ହୋମବଳି ନୈବେଦ୍ୟ ସ୍ୱରୂପେ ଉତ୍ସର୍ଗ କରିବା ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନ ଥିଲେ। ତେଣୁ ସେମାନଙ୍କର ଆତ୍ମୀୟମାନେ ଓ ଲେବୀୟମାନେ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସାହାଯ୍ୟ କଲେ। ଲେବୀୟମାନେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ସଚେତନ ଥିଲେ। ସେମାନେ ଯାଜକମାନଙ୍କଠାରୁ ମଧ୍ୟ ଅଧିକ ସଚେତନ ଥିଲେ। 35 ସେଠାରେ ଅନେକ ହୋମବଳି ନୈବେଦ୍ୟ ଓ ମଙ୍ଗଳାର୍ଥକ ନୈବେଦ୍ୟ ସ୍ୱରୂପ ଚର୍ବ୍ବୀର ଉତ୍ସର୍ଗ ଓ ପେୟନୈବେଦ୍ୟ ଉତ୍ସର୍ଗ କରାଗଲା। ଏହିପରି ଭାବରେ, ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ ଆଉଥରେ ଆରମ୍ଭ ହେଲା। 36 ପରମେଶ୍ୱର ତାଙ୍କର ଲୋକମାନଙ୍କ ନିମନ୍ତେ ଯେଉଁସବୁ ବିଷୟ ପ୍ରସ୍ତୁତ କରିଥିଲେ, ସେଥିନିମନ୍ତେ ହିଜକିୟ ଓ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଆଉ ସେ ତାହା ଏତେ ଶୀଘ୍ର କଲେ, ଯେ ସେଥିନିମନ୍ତେ ସେମାନେ ଆନନ୍ଦିତ ଥିଲେ।
ଦୂତଙ୍କର ଶେଷ ମହାମାରୀ
15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।
2 ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। 3 ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:
“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”
5 ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। 6 ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। 7 ତା’ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। 8 ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।
ପରମେଶ୍ୱର ଅନ୍ୟରାଷ୍ଟ୍ରକୁ ଦଣ୍ତ ଦେବେ
11 ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ୱାର ଖୋଲିଦିଅ
ଯେପରି ଅଗ୍ନି ତୁମ୍ଭର ସମସ୍ତ ଦେବଦାରୁ ବୃକ୍ଷଗୁଡ଼ିକୁ ପୋଡ଼ି ପକାଇବେ।
2 ତୁମ୍ଭେ ଦେବଦାରୁ ଜାତୀୟ ବୃକ୍ଷ ଶୋକ କର କାରଣ ଦେବଦାରୁ ପଡ଼ିଯାଇଛି।
ଶକ୍ତିଶାଳୀମାନେ ଧ୍ୱଂସ ହୋଇଛନ୍ତି।
ଶୋକ କର, ହେ ବାଶନର ଅଲୋନବୃକ୍ଷ
ସେହି ଦୁର୍ଗମ ବନ କଟାଗଲା।
3 ମେଷପାଳକମାନଙ୍କର ବିଳାପ ଶୁଣ।
କାରଣ ସେମାନଙ୍କର ଶକ୍ତିଶାଳୀ ନେତାମାନେ ଧ୍ୱଂସ ହେଲେ।
ଯୁବା ସିଂହମାନଙ୍କର ରବ ଶୁଣ।
କାରଣ ଯିହୁଦାର ଗର୍ବ ଧ୍ୱଂସ ହୋଇଛି।
4 ସଦାପ୍ରଭୁ ମୋର ପରମେଶ୍ୱର କହନ୍ତି, “ଏହି ବଧ ହେବାକୁ ଥିବା ମେଷପଲର ଯତ୍ନ ନିଅ। 5 ଯେଉଁମାନେ ସେଗୁଡ଼ିକୁ କିଣନ୍ତି ସେମାନେ ସେଗୁଡ଼ିକୁ ହତ୍ୟା କଲେ, ଆଉ ସେମାନେ ଦୋଷୀ ସାବ୍ୟସ୍ତ ହେବେ ନାହିଁ। ଯେଉଁମାନେ ସେଗୁଡ଼ିକୁ ବିକ୍ରୀ କରନ୍ତି, କହିବେ, ‘ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହୋଇଅଛି।’ ଏବଂ ସେମାନଙ୍କର ମେଷପାଳକମାନଙ୍କର ସେମାନଙ୍କର ମେଷ ଦଳର ଉପରେ ଦୟା ନ ଥିବ।” 6 ସଦାପ୍ରଭୁ ଏହିକଥା କହିଲେ, “ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦେଖାଇବା ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପ୍ରତିବାସୀ ଓ ତାଙ୍କ ରାଜାଙ୍କ ହସ୍ତରେ ହସ୍ତାନ୍ତର କରିବା। ସେମାନେ ତାଙ୍କର ଦେଶକୁ ଧ୍ୱଂସ କରିବେ। ଆମ୍ଭେ ସେମାନଙ୍କୁ ସେମାନଙ୍କ ଶକ୍ତିରୁ ରକ୍ଷା କରିବା ନାହିଁ।”
7 ତେଣୁ ବଧର ଯୋଗ୍ୟ ସେହି ମେଷପଲର ଆମ୍ଭେ ଯତ୍ନ ନେଲୁ, ଯେଉଁ ନିରୀହ ମେଷ ମରା ହେବାକୁ ଯାଉଥିଲେ, ଆମ୍ଭେ ଦୁଇଟି ଯଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍ଭେ ମେଷପଲର ଯତ୍ନ ନେଲୁ। 8 ଆମ୍ଭେ ଏକ ମାସ ମଧ୍ୟରେ ତିନି ଜଣ ମେଷପାଳକଙ୍କୁ ଧ୍ୱଂସ କଲୁ। ଆମ୍ଭେ ସେମାନଙ୍କ ଉପରେ ଅଧୈର୍ଯ୍ୟ ଥିଲୁ ଏବଂ ସେମାନେ ଆମ୍ଭକୁ ଘୃଣା କଲେ। 9 ତା’ପରେ ଆମ୍ଭେ କହିଲୁ, “ଆମ୍ଭେ ତୁମ୍ଭର ମେଷପାଳକ ହେବା ନାହିଁ। ଯେଉଁମାନଙ୍କର ମରିବାର ଅଛି ସେମାନେ ମରନ୍ତୁ ଓ ଯେଉଁମାନଙ୍କର ଉଚ୍ଛିନ୍ନ ହେବାର ଅଛି ସେମାନେ ଉଚ୍ଛିନ୍ନ ହୁଅନ୍ତୁ। ଯେଉଁ ଅବଶିଷ୍ଟ ରହିବେ ସେମାନେ ପରସ୍ପରକୁ ଧ୍ୱସ୍ତ ବିଧ୍ୱସ୍ତ କରନ୍ତୁ।” 10 ତା’ପରେ ଆମ୍ଭେ ଶୋଭା ନାମକ ଯଷ୍ଟିକୁ ନେଲୁ ଏବଂ ତାକୁ ଭାଙ୍ଗି ଦେଲୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ୱଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ। 11 ସେହି ଦିନ ସେହି ଚୁକ୍ତି ଭଗ୍ନ ହେଲା। ତା’ପରେ ସେହି ନିରୀହ ମେଷଗୁଡ଼ିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ୟ ଥିଲା।
12 ତା’ପରେ ମୁଁ କହିଲି, “ଯଦି ତୁମ୍ଭେମାନେ ମୋତେ ମୋର ବେତନ ଦେବାକୁ ଇଚ୍ଛା କରୁଛ ତେବେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ।” ତେଣୁ ସେମାନେ ମୋର ମଜୁରୀ ତିରିଶ୍ ରୌପ୍ୟ ମୁଦ୍ରା ଦେଲେ। 13 ତା’ପରେ ସଦାପ୍ରଭୁ ମୋତେ କହିଲେ, “ସେହି ମହତ ମୂଲ୍ୟକୁ ଫୋପାଡ଼ି ଦିଅ, କାରଣ ସେମାନେ ଆମ୍ଭର ମୂଲ୍ୟ ରାଜକୋଷ ମଧ୍ୟରୁ ନିରୂପଣ କଲେ।” ତେଣୁ ମୁଁ ସେହି ତିରିଶ୍ଟି ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ପକାଇ ଦେଲି। 14 ତା’ପରେ ମୁଁ ବନ୍ଧନୀ ନାମକ ଯଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇସ୍ରାଏଲର ଏକତା ନଷ୍ଟ କରିବା ପାଇଁ।
15 ତା’ପରେ ସଦାପ୍ରଭୁ ମୋତେ କହିଲେ, “ପୁନର୍ବାର ସେହି ନିର୍ବୋଧ ମେଷପାଳକର ସାଜ ଦିଅ। 16 କାରଣ ଏହି ଦେଶରେ ଆମ୍ଭେ ଏକ ମେଷପାଳକ ଉତ୍ଥାପିତ କରୁଛୁ। ସେ ହଜିଯାଇଥିବା ମେଷଗୁଡ଼ିକ ନିମନ୍ତେ ଯତ୍ନ ନେବ ନାହିଁ। ବିପଥଗାମୀମାନଙ୍କୁ ସେ ଖୋଜିବ ନାହିଁ। ସେ କ୍ଷତିଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସେମାନଙ୍କୁ ସେ ଖୁଆଇବ ନାହିଁ। ସେ ସେଗୁଡ଼ିକର ଖୁରାକୁ ଛିଣ୍ତାଇ ହୃଷ୍ଟପୁଷ୍ଟ ମେଷମାନଙ୍କୁ ଭକ୍ଷ୍ୟଣ କରିବ।”
17 ଯେ ଅଯୋଗ୍ୟ ମେଷପାଳକ,
ସେ ପଲକୁ ତ୍ୟାଗ କରେ।
ତାକୁ ଧିକ୍!
ଖଡ଼୍ଗ ତା’ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ।
ତାହାର ବାହୁ ନିଶ୍ଚୟ ଶୁଷ୍କ ହେବ
ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚୟ ଅନ୍ଧ ହୋଇଯିବ।
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସାନ୍ତ୍ୱନା ଦେଲ
14 ଯୀଶୁ କହିଲେ, “ତୁମ୍ଭେମାନଙ୍କର ହୃଦୟ ଦୁଃଖିତ ନ ହେଉ। ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥାଅ। ମୋ’ଠାରେ ମଧ୍ୟ ବିଶ୍ୱାସ ରଖ, 2 ମୋର ପରମପିତାଙ୍କ ଘରେ ଅନେକଗୁଡ଼ିଏ ବଖରା ଅଛି। ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହି ନ ଥା’ନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି। 3 ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲା ପରେ ଫେରି ଆସିବି। ତା’ପରେ ତୁମ୍ଭକୁ ମୋ’ ସହିତ ନେଇଯିବି। ମୁଁ ଯେଉଁଠାରେ ରହିବି ତୁମେମାନେ ମଧ୍ୟ ସେଠାରେ ମୋ’ ସହିତ ରହିପାରିବ। 4 ମୁଁ ଯେଉଁଠାକୁ ଯାଉଛି, ତୁମ୍ଭେମାନେ ସେଠାକୁ ଯିବାର ପଥ ଜାଣ।”
5 ଥୋମା କହିଲେ, “ପ୍ରଭୁ, ଆପଣ କେଉଁଆଡ଼େ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସେଠାକୁ ଯିବାର ପଥ ଆମ୍ଭେ ଜାଣିବୁ କିପରି?”
6 ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ମୁଁ ସତ୍ୟ ଓ ଜୀବନ। ପରମପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ। 7 ତୁମ୍ଭେ ଯଦି ମୋତେ ପ୍ରକୃତରେ ଜାଣିଥା’ନ୍ତ, ତେବେ ପରମପିତାଙ୍କୁ ମଧ୍ୟ ଜାଣିଥାଆନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।”
8 ଫିଲିପ୍ପ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦେଖାନ୍ତୁ। ଆମ୍ଭର ସେତିକି ଦରକାର।”
9 ଯୀଶୁ ଉତ୍ତର ଦେଲେ, “ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ୍। ମୋତେ ଯିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ୟ ଦେଖିଛି। ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, ‘ଆମ୍ଭକୁ ପରମପିତାଙ୍କୁ ଦେଖାଅ?’ 10 ତୁମ୍ଭେ କ’ଣ ପ୍ରକୃତରେ ବିଶ୍ୱାସ କର ଯେ, ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ’ଠାରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମୋ’ଠାରୁ ଆସି ନାହିଁ। ପରମପିତେ ମୋ’ ଭିତରେ ଅଛନ୍ତି ଓ ସେ ତାହାଙ୍କ କାର୍ଯ୍ୟ କରୁଛନ୍ତି। 11 ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ’ଠାରେ ଅଛନ୍ତି। ତୁମ୍ଭେ ମୋର ଏହି କଥା ବିଶ୍ୱାସ କର। କିମ୍ବା ମୁଁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି ସେଥିପାଇଁ ବିଶ୍ୱାସ କର।
12 “ମୁଁ ତୁମ୍ଭକୁ ସତ୍ୟ କହୁଛି। ମୋ’ଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ୟ ଅଧିକ ବଡ଼ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି। 13 ତୁମ୍ଭେ ମୋ’ ନାମରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ୱାରା ପୁତ୍ରଙ୍କ ମାଧ୍ୟମରେ ପରମପିତାଙ୍କ ଗୌରବ ପ୍ରକାଶିତ ହେବ। 14 ମୋ’ ନାମରେ ତୁମ୍ଭେ ଯାହା ମାଗିବ, ମୁଁ ତାହା କରିବି।
ପବିତ୍ରଆତ୍ମାଙ୍କର ପ୍ରତିଜ୍ଞା
15 “ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। 16 ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। 17 ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେହେତୁ ଜଗତ ତାହାଙ୍କୁ ଦେଖୁ ନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ।
18 “ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ। ମୁଁ ତୁମ୍ଭ ପାଖକୁ ଫେରି ଆସିବି। 19 ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ। 20 ତୁମ୍ଭେ ସେଦିନ ଜାଣିବ ଯେ, ମୁଁ ପରମପିତାଙ୍କଠାରେ ରହିଛି। ତୁମ୍ଭେ ଜାଣିବ ଯେ, ତୁମ୍ଭେ ମୋ’ଠାରେ ଓ ମୁଁ ତୁମ୍ଭଠାରେ ଅଛି। 21 ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ’ ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା’ ନିକଟରେ ପ୍ରକାଶ କରିବି।”
22 ତା’ପରେ ଯିହୂଦା (ଇଷ୍କାରିୟୋତ ନୁହନ୍ତି) ତାହାଙ୍କୁ ପଗ୍ଭରିଲେ, “କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦେଖାଉ ନାହାନ୍ତି।”
23 ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ। 24 କିନ୍ତୁ ଯେଉଁ ଲୋକ ମୋତେ ପ୍ରେମ କରେ ନାହିଁ, ସେ ମୋର ଉପଦେଶ ମାନେ ନାହିଁ। ମୋ’ଠାରୁ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତରେ ମୋର ନୁହେଁ। ଏହା ମୋତେ ପଠାଇ ଥିବା ପରମପିତାଙ୍କର।
25 “ମୁଁ ତୁମ୍ଭ ସହିତ ଥିବା ସମୟରେ ଏହିସବୁ କଥା ତୁମ୍ଭମାନଙ୍କୁ କହିଛି। 26 କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ।
27 “ମୁଁ ତୁମ୍ଭକୁ ଶାନ୍ତି ଦେଇ ଯାଉଛି। ଏହି ଶାନ୍ତି ମୋ’ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା’ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ। ଭୟ ମଧ୍ୟ କର ନାହିଁ। 28 ତୁମ୍ଭେ ମୋର କଥା ଶୁଣିଛ ଯେ ‘ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫେରିବି।’ ଯଦି ତୁମ୍ଭେ ମୋତେ ପ୍ରକୃତରେ ପ୍ରେମ କରୁଥାଅ, ତେବେ ମୋ’ ପାଇଁ ତୁମ୍ଭେ ଖୁସୀ ହେବ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମୋ’ଠାରୁ ମହାନ୍। 29 ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡ଼ିକ ବର୍ତ୍ତମାନ ଜଣାଇଦେଲି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ୱାସ କରିବ।
30 “ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହେବି ନାହିଁ। ଏ ଜଗତର ଶାସକ ଆସୁଛି। ମୋ’ ଉପରେ ତା’ର କୌଣସି କ୍ଷମତା ନାହିଁ। 31 କିନ୍ତୁ ଏହି ଜଗତ ଜାଣିବା ଉଚିତ୍ ଯେ, ମୁଁ ପରମପିତାଙ୍କୁ ପ୍ରେମ କରେ। ତେଣୁ ପରମପିତା ମୋତେ ଯେପରି କହିଛନ୍ତି, ମୁଁ ଠିକ୍ ସେହିପରି କରିବି। ଗ୍ଭଲ ଯିବା।
“ଆମ୍ଭେ ଏ ସ୍ଥାନ ତ୍ୟାଗ କରିବା।”
2010 by World Bible Translation Center