Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 2

ମନ୍ଦିର ଓ ପ୍ରାସାଦ ନିର୍ମାଣ ନିମନ୍ତେ ଶଲୋମନଙ୍କ ଯୋଜନା

ସଦାପ୍ରଭୁଙ୍କ ନାମକୁ ସମ୍ମାନିତ କରିବା ନିମନ୍ତେ ଶଲୋମନ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କଲେ। ଆହୁରି ମଧ୍ୟ ନିଜ ନିମନ୍ତେ ଏକ ରାଜକୀୟ ଗୃହ ନିର୍ମାଣ କରିବାକୁ ଶଲୋମନ ଯୋଜନା କଲେ। ଶଲୋମନ ପର୍ବତଗୁଡ଼ିକରୁ ପଥର କାଟିବା ନିମନ୍ତେ 70,000 ଶ୍ରମିକ ଓ 80,000 ପଥରକଟାଳୀ ସଂଗ୍ରହ କଲେ। ଆଉ ତଦାରଖ କାର୍ଯ୍ୟ କରିବା ନିମନ୍ତେ 3600 ତଦାରଖକାରୀଙ୍କୁ ମନୋନୀତ କଲେ।

ଏହା ପରେ ଶଲୋମନ, ହୂରମ୍ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ।

ଶଲୋମନ କହିଲେ, “ମୋର ବାପା ଦାଉଦଙ୍କୁ ସାହାଯ୍ୟ କଲାପରି ମୋତେ ମଧ୍ୟ ସାହାଯ୍ୟ କର। ତୁମ୍ଭେ ଦେବଦାରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରି ପାରନ୍ତି। ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନାମକୁ ସମ୍ମାନ ଦେବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିରରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜଳାଇବୁ ଏବଂ ବିଶେଷ ମେଜ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭେମାନେ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ, ପ୍ରତ୍ୟେକ ବିଶ୍ରାମ ଦିନରେ, ପ୍ରତ୍ୟେକ ଅମାବାସ୍ୟା ଦିନରେ ଏବଂ ଅନ୍ୟାନ୍ୟ ପର୍ବ ଦିନରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ହୋମବଳି ଦେବୁ। ଇସ୍ରାଏଲ ଚିରଦିନ ଏହା କରିବ।

“ଆମ୍ଭର ପରମେଶ୍ୱର ଅନ୍ୟ ସମସ୍ତ ଦେବତାଗଣ ଅପେକ୍ଷା ମହାନ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି। ବାସ୍ତବରେ କୌଣସି ବ୍ୟକ୍ତି ଆମ୍ଭର ପରମେଶ୍ୱରଙ୍କୁ ଭିତରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରି ପାରିବ ନାହିଁ। ଏପରିକି ସ୍ୱର୍ଗ ବା ସର୍ବୋଚ୍ଚ ସ୍ୱର୍ଗ ମଧ୍ୟ ତାଙ୍କୁ ଧାରଣ କରି ପାରିବ ନାହିଁ। ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରି ପାରିବି ନାହିଁ। କେବଳ ତାଙ୍କଠାରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପାରେ।

“ବର୍ତ୍ତମାନ, ଆପଣ ମୋ’ ନିକଟକୁ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଓ ଲୌହ କର୍ମରେ ପାରଦର୍ଶୀ ଏକ ବ୍ୟକ୍ତିକୁ ପଠାଇବାକୁ ମୁଁ ଗ୍ଭହେଁ। ସେହି ବ୍ୟକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗାରେ କାର୍ଯ୍ୟ କରିପାରୁଥିବା ଆବଶ୍ୟକ। ମୋର ବାପାଙ୍କ ଦ୍ୱାରା ମନୋନୀତ କାରିଗରମାନଙ୍କ ସହ ସେହି ବ୍ୟକ୍ତି ଯିହୁଦା ଏବଂ ଯିରୁଶାଲମରେ କାର୍ଯ୍ୟ କରିବ। ଆହୁରି ମଧ୍ୟ ଲିବାନୋ‌ନ୍‌ରୁ ମୋ’ ନିକଟକୁ ଦେବଦାରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋ‌ନ୍‌ର କାଠଗଣ୍ଡି କାଟି ଆଣିବାରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମୋର ଦାସମାନେ, ତୁମ୍ଭର ଦାସମାନଙ୍କୁ ସାହାଯ୍ୟ କରିବେ। ମୁଁ ବହୁତ ପରିମାଣର କାଠ ଆବଶ୍ୟକ କରେ; କାରଣ ଯେଉଁ ମନ୍ଦିର ମୁଁ ନିର୍ମାଣ କରୁଛି, ତାହା ବହୁତ ବଡ଼ ଓ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ହେବ। 10 କାଠଗଣ୍ଡି ନିମନ୍ତେ ଗଛ କାଟିବା ପାଇଁ ମୁଁ ଏହିଭଳି ଭାବରେ ତୁମ୍ଭ ଦାସମାନଙ୍କୁ ମୂଲ୍ୟ ଦେଇପାରେ। ମୁଁ ସେମାନଙ୍କ ଖାଦ୍ୟ ନିମନ୍ତେ 20,000 ମହଣ ଗହମ, ଓ 20,000 ମହଣ ଦ୍ରାକ୍ଷାରସ ଏବଂ ତୈଳ 20,000 ମହଣ ପ୍ରଦାନ କରିବି।”

11 ତା’ପରେ ସୋରର ରାଜା ହୂରମ୍, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତା ଥିଲା:

“ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।” 12 ହୂରମ୍ ଆହୁରି ମଧ୍ୟ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କର। ସେ ସ୍ୱର୍ଗ ଓ ମର୍ତ୍ତ୍ୟ ସୃଷ୍ଟି କଲେ। ସେ ରାଜା ଦାଉଦଙ୍କୁ ଏକ ଜ୍ଞାନୀ ପୁତ୍ର ଦେଲେ, ଜଣେ ପୁତ୍ର ଯାହାର ଜ୍ଞାନ ଓ ବୁଝାମଣା ଶକ୍ତି ଅଛି। ସେହି ପୁତ୍ର ସଦାପ୍ରଭୁଙ୍କ ନିମନ୍ତେ ଏକ ମନ୍ଦିର ଏବଂ ନିଜ ନିମନ୍ତେ ଏକ ରାଜକୀୟ ପ୍ରାସାଦ ନିର୍ମାଣ କରୁଛନ୍ତି। 13 ମୁଁ ମୋର ବାପାଙ୍କ କାରିଗରମାନଙ୍କ ମଧ୍ୟରୁ ଜଣକୁ ତୁମ୍ଭ ନିକଟକୁ ପଠାଇବି। 14 ତାଙ୍କର ମା ଦାନ୍ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ଯ୍ୟ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ୟ କାର୍ଯ୍ୟ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରି ପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ଯ୍ୟ କରିବେ।

15 “ମହାଶୟ, ବର୍ତ୍ତମାନ ଆମକୁ ଗହମ, ବାର୍ଲି, ତୈଳ ଓ ଦ୍ରାକ୍ଷାରସ ଦିଅନ୍ତୁ, ଯାହା ଆପଣ ଦେବାକୁ ପ୍ରତିଜ୍ଞା କଲେ। ଏହି ଦ୍ରବ୍ୟସବୁ ମୋର ଦାସମାନଙ୍କୁ ଦିଅ। 16 ଆଉ ଆମ୍ଭେ ଲିବାନୋ‌ନ୍‌ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଗ୍ଭହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦେଇ କାଠ ଭେଳାରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା’ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ଯିରୁଶାଲମକୁ ନେଇଯିବ।”

17 ଏହା ପରେ ଇସ୍ରାଏଲ ଦେଶରେ ରହୁଥିବା ପ୍ରତ୍ୟେକ ବିଦେଶୀଙ୍କୁ ଶଲୋମନ ଗଣତି କଲେ। ଶଲୋମନଙ୍କର ପିତା ଦାଉଦ ଗଣନା କଲାପରେ ଏହା କରାଯାଇଥିଲା। ସେମାନେ ଦେଶରେ 153,600 ବିଦେଶୀଙ୍କୁ ପାଇଲେ। 18 ଶଲୋମନ 70,000 ବିଦେଶୀଙ୍କୁ ଜିନିଷ ବୋହିବା ନିମନ୍ତେ ବାଛିଲେ। ଶଲୋମନ 80,000 ବିଦେଶୀଙ୍କୁ ପର୍ବତରୁ ପଥର କାଟିବା ନିମନ୍ତେ ବାଛିଲେ। ଆଉ ଶଲୋମନ 3600 ବିଦେଶୀ ଲୋକଙ୍କୁ କାର୍ଯ୍ୟ କରାଇବା ନିମନ୍ତେ ପର୍ଯ୍ୟବେକ୍ଷକ ରୂପେ ବାଛିଲେ।

ଯୋହନଙ୍କ ପ୍ରଥମ ପତ୍ର 2

ଯୀଶୁ ଆମ୍ଭମାନଙ୍କର ସହାୟକ

ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।

ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ। ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା’ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା। ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍।

ସମସ୍ତଙ୍କୁ ଭଲ ପାଅ

ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।

ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। 10 ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା’ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। 11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ।

12 ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ
    ମୁଁ ତୁମ୍ଭମାନଙ୍କୁ ଲେଖୁଛି।
13 ପିତାମାନେ!
    ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
    ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
14 ପିଲାମାନେ!
    ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ପିତାମାନେ!
    ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
    ତୁମ୍ଭେମାନେ ବଳବାନ
ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି,
    ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

15 ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। 16 ସଂସାରର ଏହି ବିଷୟ ଗୁଡ଼ିକ ମନ୍ଦ ଅଟେ। ଯଥା: ଆମ୍ଭର ପାପ ପ୍ରକୃତିକୁ ତୁଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ବିଷୟ ପାଇବାର ଇଚ୍ଛା; ଯେଉଁସବୁ ମନ୍ଦ ବିଷୟ ଆମ୍ଭର ଦୃଷ୍ଟିଗୋଚର ହୁଏ, ତାହା ପାଇବାର ଇଚ୍ଛା; ତଥା ଆମ୍ଭର ଯାହା ଅଛି, ତହିଁ ପାଇଁ ଗର୍ବ କରିବା। ଏ ସମସ୍ତ ବିଷୟ ପରମପିତାଙ୍କଠାରୁ ନୁହେଁ, ମାତ୍ର ଏହି ସଂସାରରୁ ଆସିଅଛି। 17 ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟ କ୍ଷୟ ପାଉଅଛି। ମାତ୍ର ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ।

ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କର ପଥ ଅନୁସରଣ କର ନାହିଁ

18 ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି। 19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି।

20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ [a] ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ। 21 ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ’ଣ? ତୁମ୍ଭେ ସତ୍ୟକୁ ଜାଣି ନାହଁ ବୋଲି କ’ଣ ମୁଁ ଏହା ଲେଖୁଛି? ନା, ତୁମ୍ଭେ ଏହି ସତ୍ୟ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ୟ ଜାଣିଛ ସତ୍ୟରୁ କେବେ ହେଲେ କୌଣସି ମିଥ୍ୟା ଉତ୍ପନ୍ନ ହୁଏ ନାହିଁ।

22 ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। 23 ଯେଉଁ ବ୍ୟକ୍ତି ପୁତ୍ରକୁ ବିଶ୍ୱାସ କରେ ନାହିଁ, ପିତା ତାହାଙ୍କଠାରେ ବାସ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠାରେ ପିତା ମଧ୍ୟ ଅଛନ୍ତି।

24 ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ। 25 ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି।

26 ଯେଉଁମାନେ ତୁମ୍ଭମାନଙ୍କୁ ଭୁଲ୍ ପଥରେ କଢ଼ାଇ ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି। 27 ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ ଦେଇଛନ୍ତି, ତାହା ତୁମ୍ଭଠାରେ ଏପର୍ଯ୍ୟନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ୟକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସେହି ଦାନ ତୁମ୍ଭକୁ ସମସ୍ତ ବିଷୟରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦେଇଥିବା ସେହି ଦାନ ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ତାହାଙ୍କର ସେହି ଦାନର ଶିକ୍ଷାନୁସାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଆଉ ଜୀବନଯାପନ କର।

28 ପ୍ରିୟ ପିଲାମାନେ, ତାହାଙ୍କଠାରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭେମାନେ ଭରସାଯୁକ୍ତ ହୋଇ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସେହି ଦିନ ଆମ୍ଭକୁ ଲଜ୍ଜିତ ହେବାକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ। 29 ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ୟ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ୟକ୍ତି ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି।

ନାହୂମ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1

ଏହି ପୁସ୍ତକ ଇଲକୋଶୀୟ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧରେ ଏକ ଦୁଃଖବାର୍ତ୍ତା ଅଟେ।

ନୀନିବୀ ଉପରେ ସଦାପ୍ରଭୁ କ୍ରୋଧାନ୍ୱିତ

ସଦାପ୍ରଭୁ ଈର୍ଷାପରାୟଣ
    ଏବଂ ପ୍ରତିଶୋଧ ପରାୟଣ।
    ସେ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନିଅନ୍ତି।
ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପରେ ସେ ପ୍ରତିଶୋଧ ନିଅନ୍ତି।
    ସେ ତାଙ୍କର ଶତ୍ରୁମାନଙ୍କ ଉପରେ ରାଗନ୍ତି।
ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ।
    ସଦାପ୍ରଭୁ ଅତି ଶକ୍ତିଶାଳୀ।
ସେ ଦୋଷୀକୁ ଦଣ୍ତ ନ ଦେଇ
    କେବେ ଛାଡ଼ିବେ ନାହିଁ।
ସେ ଯେଉଁଠାକୁ ଯାଆନ୍ତି ସେଠାରେ ଘୂର୍ଣ୍ଣିବାତ୍ୟା ଓ ଝଡ଼ ସୃଷ୍ଟି ହୁଏ।
    ସଦାପ୍ରଭୁ ଗତି କଲାବେଳେ ତାଙ୍କ ପାଦରେ ମେଘଗୁଡ଼ିକ ଧୂଳି ସ୍ୱରୂପ ଉଠେ।
ସଦାପ୍ରଭୁ ଅତି କର୍କଶ ଭାବରେ ସମୁଦ୍ରକୁ ଗାଳି ଦେବେ
    ଏବଂ ସମୁଦ୍ର ଶୁଖିଯିବ।
ସେ ନଦୀଗୁଡ଼ିକୁ ମଧ୍ୟ ଶୁଖାଇ ଦିଅନ୍ତି।
    ବାଶନ୍ ଓ କର୍ମିଲ ଶୁଷ୍କ ପଡ଼ିବ।
    ଏବଂ ଲିବାନୋ‌ନ୍‌ର ଫୁଲଗୁଡ଼ିକ ମଉଳି ଯିବେ।
ସଦାପ୍ରଭୁ ଆସିବେ
    ଏବଂ ପର୍ବତଗୁଡ଼ିକ ଭୟରେ ଥରିବେ
    ଏବଂ ପାହାଡ଼ଗୁଡ଼ିକ ତରଳି ଯିବେ।
ସଦାପ୍ରଭୁଙ୍କ ଆଗମନରେ
    ପୃଥିବୀ ମଧ୍ୟ ଭୟରେ ଥରିବ।
ବିଶ୍ୱର ସମସ୍ତ ବ୍ୟକ୍ତି
    ଭୟରେ ଥରିବେ।
ସଦାପ୍ରଭୁଙ୍କ କ୍ରୋଧ ବିରୁଦ୍ଧରେ କେହି ତିଷ୍ଠି ପାରିବେ ନାହିଁ।
    ତାଙ୍କର ଭୟଙ୍କର କ୍ରୋଧକୁ କେହି ସହ୍ୟ କରି ପାରିବେ ନାହିଁ।
ତାଙ୍କର କ୍ରୋଧ ଅଗ୍ନି ସଦୃଶ ଜଳି ଉଠିବ।
    ତାଙ୍କର ଆଗମନରେ ପଥରଗୁଡ଼ିକ ଖଣ୍ତ ଖଣ୍ତ ହୋଇଯିବ।
ସଦାପ୍ରଭୁ ସର୍ବମଙ୍ଗଳମୟ।
    ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ।
    ଯିଏ ତାଙ୍କଠାରେ ଆଶ୍ରୟ ନିଏ, ସେ ତା’ର ଯତ୍ନ ନିଅନ୍ତି।
କିନ୍ତୁ, ସେ ତାଙ୍କର ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ।
    ବନ୍ୟାଜଳ ପରି ସେମାନେ ଧୋଇ ହୋଇଯିବେ।
    ସେ ଅନ୍ଧକାରରେ ଶତ୍ରୁମାନଙ୍କୁ ଗୋଡ଼ାଇବେ।
ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ କାହିଁକି ଷଡ଼ଯନ୍ତ୍ର କରୁଛ?
    ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ୱଂସ କରିବେ,
    ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ।
10 ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯିବ,
    ଏକ ଛନ୍ଦାଛନ୍ଦି ହୋଇଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡ଼ିଯାଏ।
ତୁମ୍ଭେମାନେ ମଦ୍ୟପମାନଙ୍କ ପରି ହେବ।
    ତୁମ୍ଭେମାନେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ୟ ଗ୍ରାସିତ ହେବ।

11 ଜଣେ ଯିଏ କି ସଦାପ୍ରଭୁଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦେବ,
    ସେପରି ଲୋକ ତୁମ୍ଭମାନଙ୍କ ମଧ୍ୟରୁ ବାହାରି ଯାଇଛି।
12 ସଦାପ୍ରଭୁ ଯିହୁଦାକୁ ଏହିସବୁ କଥା କହିଲେ,
“ଅଶୂରୀୟର ଲୋକମାନେ ଅତି ବଳଶାଳୀ,
ସେମାନଙ୍କର ବହୁ ସୈନ୍ୟ ଅଛନ୍ତି।
    କିନ୍ତୁ ସେମାନେ ସମସ୍ତେ
    ନିହତ ହୋଇ ଶେଷ ହେବେ।
ହେ ମୋର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଦୁଃଖ ଦେଲୁ
    କିନ୍ତୁ ଆଉ ଅଧିକ ଦୁଃଖ ଦେବା ନାହିଁ।
13 ଆମ୍ଭେ ତୁମ୍ଭମାନଙ୍କର ବେକରେ ଥିବା ଅଶୂରୀୟର ଯୁଆଳୀକୁ କାଢ଼ିନେବା,
    ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦେବା।”

14 ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି ଆଦେଶ ଦେଲେ।
    “ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କେହି ବଂଶଧର ରହିବେ ନାହିଁ।
ତୁମ୍ଭମାନଙ୍କ କାରୁକାର୍ଯ୍ୟ ପିତୁଳାଗୁଡ଼ିକ
    ଓ ଧାତୁର ମୂର୍ତ୍ତିଗୁଡ଼ିକ ଯାହାକି ତୁମ୍ଭ ଦେବତାଙ୍କ ମନ୍ଦିରରେ ଅଛି ସେହିସବୁକୁ ଆମ୍ଭେ ଧ୍ୱଂସ କରିବା।
ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ
    କାରଣ ତୁମ୍ଭେମାନେ ଭ୍ରଷ୍ଟ ହୋଇଛ।”

15 ହେ ଯିହୁଦା ଗ୍ଭହଁ!
    ପର୍ବତ ଆଡ଼କୁ ଗ୍ଭହଁ।
    ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି।
    ସେ କୁହନ୍ତି, ଶାନ୍ତି ଆସିଛି।
ହେ ଯିହୁଦା, ତୁମ୍ଭର ଉତ୍ସବ ପାଳନ କର।
    ତୁମ୍ଭର ଶପଥ ପୂର୍ଣ୍ଣ କର।
ସେହି ମନ୍ଦ ଲୋକ ଆଉ ଆସିବେ ନାହିଁ।
ସେମାନେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରି ପାରିବେ ନାହିଁ।
    କାହିଁକି ସେମାନେ ଆକ୍ରମଣ କରି ପାରିବେ ନାହିଁ?
    କାରଣ ସେହି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଇଛନ୍ତି।

ଲୂକ ଲିଖିତ ସୁସମାଗ୍ଭର 17

ପାପ କର ନାହିଁ ଏବଂ କ୍ଷମା ଦେବା ପାଇଁ ପ୍ରସ୍ତୁତ ହୁଅ(A)

17 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ, ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ। ଯେଉଁ ଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ୟରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହେବ। ବେକରେ ପଥର ବାନ୍ଧି ସମୁଦ୍ରରେ ବୁଡ଼ି ମରିବା ତା ପକ୍ଷରେ ଭଲ ହେବ। ତେଣୁ ସାବଧାନ ରୁହ।

“ଯଦି ତୁମ୍ଭର ଭାଇ ପାପ କରେ, ତେବେ ତାକୁ କୁହ ଯେ ଭୁଲ୍ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରେ ନାହିଁ, ତେବେ ତାକୁ କ୍ଷମା ଦିଅ। ଯଦି ତୁମ୍ଭର ଭାଇ ଦିନ ଭିତରେ ତୁମ୍ଭ ପ୍ରତି ସାତଥର ଅନ୍ୟାୟ କରେ ଓ ପ୍ରତିଥର ଆସି କହେ ଯେ, ସେ ଏଥିପାଇଁ ଦୁଃଖିତ, ତେବେ ତାକୁ କ୍ଷମା କରି ଦିଅ।”

ତୁମ୍ଭର ବିଶ୍ୱାସ କେତେ ଦୃଢ଼

ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭକୁ ଅଧିକ ବିଶ୍ୱାସ ପ୍ରଦାନ କର।”

ପ୍ରଭୁ କହିଲେ, “ଯଦି ତୁମ୍ଭମାନଙ୍କର ବିଶ୍ୱାସ ଗୋଟିଏ ସୋରିଷଦାନା ପରିମାଣର ହୋଇଥାଏ, ତେବେ ତୁମ୍ଭେମାନେ ଏହି ତୁତ ଗଛକୁ କହି ପାରିବ, ନିଜକୁ ଉପାଡ଼ି ନେଇ ସମୁଦ୍ରରେ ରୋପଣ କର, ତେବେ ଗଛଟି ତୁମ୍ଭମାନଙ୍କ କଥା ମାନିବ।

ଉତ୍ତମ ସେବକ ହୁଅ

“ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଗ୍ଭକରଟିଏ ଅଛି। ସେହି ଗ୍ଭକର ତୁମ୍ଭ ବିଲରେ କାମ କରିଆସେ। ସେ ତୁମ୍ଭ ବିଲରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନେଇ ଆସେ। ସେ କାମରୁ ଫେରିବା ପରେ ତୁମ୍ଭେ ତାକୁ କ’ଣ କହିବ? ତୁମ୍ଭେ କ’ଣ କହିବ ଯେ, ‘ଭିତରକୁ ଆସ ଓ ଖାଇବାକୁ ବସ?’ ନା, ତୁମ୍ଭେ ତୁମ୍ଭର ଗ୍ଭକରକୁ କହିବ, ‘ମୋ’ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମୋ’ ଖିଆପିଆ ସରିଲେ ତୁମ୍ଭେମାନେ ଖାଇବ ଓ ପିଇବ।’ ଗ୍ଭକର ବିଶେଷ ଧନ୍ୟବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କେବଳ ତାହା ହିଁ କରେ। 10 ତୁମ୍ଭମାନଙ୍କ କ୍ଷେତ୍ରରେ ସେହି ଏକା କଥା ହେବ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦେବା ପରେ ତୁମ୍ଭମାନଙ୍କର କହିବା ଉଚିତ୍ ଯେ, ‘ଆମ୍ଭେମାନେ କୌଣସି ବିଶେଷ ଧନ୍ୟବାଦ ପାଇବାକୁ ଯୋଗ୍ୟ ନୋହୁଁ। କାରଣ ଆମ୍ଭେ ଅଯୋଗ୍ୟ ଗ୍ଭକର ଓ ଆମ୍ଭର ଯାହା କରିବା ଉଚିତ୍, ଆମ୍ଭେ କେବଳ ତାହା ହିଁ କରିଛୁ।’”

କୃତଜ୍ଞ ହୁଅ

11 ଯୀଶୁ ଯିରୁଶାଲମ ଯାତ୍ରା କରୁଥିଲେ। ସେ ଗାଲିଲୀରୁ ଶମିରୋଣକୁ ଗଲେ। 12 ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ ଦଶ ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ। 13 କିନ୍ତୁ ସେମାନେ ଯୀଶୁଙ୍କୁ ପାଟି କରି ଡାକିଲେ, “ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାଯ୍ୟ କର।”

14 ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।”

ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ। 15 ଜଣେ ଲୋକ ନିଜକୁ ସୁସ୍ଥ ହୋଇ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫେରି ଆସିଲା। ସେ ବଡ଼ ପାଟିକରି ନଇଁପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା 16 ସେ ଯୀଶୁଙ୍କ ପାଦତଳେ ନଇଁପଡ଼ି ପ୍ରମାଣ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନ ଥିଲା, 17 ଯୀଶୁ ଉତ୍ତର ଦେଲେ, “ଦଶ ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ ନଅ ଜଣ କାହାନ୍ତି? 18 ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?” 19 ତା’ପରେ ଯୀଶୁ ତାହାକୁ କହିଲେ, “ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଭଲ ହୋଇଗଲ।”

ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିଜ ଭିତରେ ଅଛି(B)

20 କେତେକ ଫାରୂଶୀ ଯୀଶୁଙ୍କୁ ପଗ୍ଭରିଲେ, “ପରମେଶ୍ୱରଙ୍କ ରାଜ୍ୟ କେବେ ଆସିବ?”

ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ରାଜ୍ୟ ଆସୁଛି। କିନ୍ତୁ ଯେଉଁଭଳି ଭାବରେ ଆସିବ, ତାହାକୁ ତୁମ୍ଭେମାନେ ଆଖିରେ ଦେଖି ପାରିବ ନାହିଁ। 21 ଲୋକମାନେ କହିବେ ନାହିଁ ଯେ, ‘ହେଇ ଦେଖ, ପରମେଶ୍ୱରଙ୍କ ରାଜ୍ୟ ଏଠାରେ ଅଛି କିମ୍ବା ସେଠାରେ ଅଛି। ନା, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିଜ ଭିତରେ ଅଛି।’”

22 ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଦିନ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ଦିନ ଗୁଡ଼ିକ ମାନଙ୍କ ଭିତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ। 23 ଲୋକମାନେ ତୁମ୍ଭମାନଙ୍କୁ କହିବେ, ‘ଦେଖ ତାହା ସେଠାରେ!’ ‘ଦେଖ, ତାହା ଏଠାରେ! କିନ୍ତୁ ତୁମ୍ଭେମାନେ ଯେଉଁଠି ଅଛ ସେହିଠାରେ ରୁହ। ବାହାରକୁ ଯାଇ ଖୋଜ ନାହିଁ। 24 “ମନୁଷ୍ୟପୁତ୍ରଙ୍କର ଫେରି ଆସିବା ସମୟ ତୁମ୍ଭେମାନେ ଜାଣି ପାରିବ। ଯେଉଁ ଦିନ ସେ ଫେରି ଆସିବେ, ସେ ଆକାଶରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ ଉଜ୍ଜ୍ୱଳ ବିଜୁଳି ଝଲକିଲା ଭଳି ଦେଖାଯିବେ। 25 କିନ୍ତୁ ମନୁଷ୍ୟପୁତ୍ର ପ୍ରଥମେ ଅନେକ ଯନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ୱାରା ହତ ହେବେ।

26 “ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ୟପୁତ୍ର ଫେରି ଆସିବା ସମୟରେ ସେହି ଏକା କଥା ଘଟିବ। 27 ନୋହଙ୍କ ସମୟରେ, ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା’ପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରି ଦେଲା।

28 “ପରମେଶ୍ୱର ଲୋଟଙ୍କ ସମୟରେ ସଦୋମ ନଗର ଧ୍ୱଂସ କଲାବେଳେ ଯାହା ଘଟିଥିଲା, ଏବେ ମଧ୍ୟ ସେହି କଥା ଘଟିବ। ସେହି ଲୋକମାନେ ସେତେବେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ। 29 ଲୋଟ ନଗର ଛାଡ଼ି ଗ୍ଭଲିଯିବା ସମୟ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏସବୁ କାମ କରୁଥିଲେ। ତା’ପରେ ସେଠାରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦେଲା। 30 ଯେତେବେଳେ ମନୁଷ୍ୟପୁତ୍ର ଫେରି ଆସିବେ, ସେତେବେଳେ ଠିକ୍ ସେହିଭଳି ଘଟଣା ଘଟିବ।

31 “ସେ ଦିନ ଯଦି କୌଣସି ଲୋକ ତା’ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହେବ ନାହିଁ। ଯଦି କୌଣସି ଲୋକ ବିଲରେ ଥିବ, ତେବେ ସେ ଘରକୁ ଫେରି ପାରିବ ନାହିଁ। 32 ଲୋଟଙ୍କ ସ୍ତ୍ରୀଙ୍କର କ’ଣ ହୋଇଥିଲା, ମନେ ପକାଅ।

33 “ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହରେଇ ବସିବ। କିନ୍ତୁ ଯେଉଁ ଲୋକ ତା’ ଜୀବନ ପରିତ୍ୟାଗ କରିବ, ସେ ତାହା ରକ୍ଷା କରିବ। 34 ମୁଁ ଫେରି ଆସିବା ସମୟରେ ଗୋଟିଏ କୋଠରିରେ ହୁଏତ ସେହି ରାତିରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନିଆ ହେବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ। 35 ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକିରେ ଶସ୍ୟ ଦାନା ପେଶୁ ଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନେଇ ନିଆଯିବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।” 36 [a]

37 ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ଘଟଣା କେଉଁଠାରେ ଘଟିବ ପ୍ରଭୁ?”

ଯୀଶୁ ଉତ୍ତର ଦେଲେ, “ଶାଗୁଣାମାନେ ଉଡ଼ିବା ଦ୍ୱାରା ଲୋକମାନେ ଜାଣି ପାରନ୍ତି କୌଣସି ଏକ ଶବ ପଡ଼ିଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center