M’Cheyne Bible Reading Plan
22 ଦାଉଦ କହିଲେ, “ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିର ଓ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ହୋମବଳି ଉତ୍ସର୍ଗ କରିବାର ବେଦି ଏହି ସ୍ଥାନରେ ହିଁ ନିର୍ମିତ ହେବ।”
ଦାଉଦ ମନ୍ଦିର ନିମନ୍ତେ ଯୋଜନା ପ୍ରସ୍ତୁତ କଲେ
2 ଇସ୍ରାଏଲ ମଧ୍ୟରେ ବାସ କରୁଥିବା ସମସ୍ତ ବିଦେଶୀୟମାନଙ୍କୁ ଏକତ୍ର ଠୁଳ ହେବା ନିମନ୍ତେ ଦାଉଦ ଆଦେଶ ଦେଲେ। ସେହି ବିଦେଶୀମାନଙ୍କ ମଧ୍ୟରୁ ଦାଉଦ ପଥରକଟାଳୀମାନଙ୍କୁ ମନୋନୀତ କଲେ। ପରମେଶ୍ୱରଙ୍କ ମନ୍ଦିର ନିର୍ମାଣରେ ବ୍ୟବହୃତ ହେବା ନିମନ୍ତେ ଉଦ୍ଧିଷ୍ଟ ପଥରକୁ କାଟି ପ୍ରସ୍ତୁତ କରି ରଖିବା ସେମାନଙ୍କର କାର୍ଯ୍ୟ ଥିଲା। 3 ପ୍ରବେଶ ଦ୍ୱାରର କବାଟ ନିମନ୍ତେ କଣ୍ଟା ଓ କବଜା ନିର୍ମାଣ କରିବା ନିମନ୍ତେ ଦାଉଦ ଲୁହା ସଂଗ୍ରହ କଲେ ଏବଂ ସେ ଏତେ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ ଯେ, ତାହାକୁ ମପାଯାଇ ପାରିଲା ନାହିଁ। 4 ଦାଉଦ ଏତେ ସଂଖ୍ୟକ ଦେବଦାରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାଯାଇ ନ ପାରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ୟ ଦେବଦାରୁ କାଠ ଆଣିଲେ।
5 ଦାଉଦ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମୋ’ ପୁଅ ଶଲୋମନ ଅଳ୍ପ ବୟସ୍କ ଅଟେ ଓ ଯେଉଁସବୁ ବିଷୟ ସେ ଜାଣିବା ଆବଶ୍ୟକ, ସେ ଏପର୍ଯ୍ୟନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହେବା ଆବଶ୍ୟକ। ତାହାର ବିଶାଳତା ଓ ସୌନ୍ଦର୍ଯ୍ୟ ସକାଶେ ତାହା ସମସ୍ତ ଦେଶରେ ବିଖ୍ୟାତ ହେବା ଆବଶ୍ୟକ, ସେଥିନିମନ୍ତେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି।” ତେଣୁ ଦାଉଦ ତାଙ୍କର ମୃତ୍ୟୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କଲେ।
6 ଏହା ପରେ ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଡକାଇ ପଠାଇଲେ। 7 ଦାଉଦ ଶଲୋମନଙ୍କୁ କହିଲେ, “ମୋର ପୁତ୍ର, ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି। 8 କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭେ ଅନେକ ଯୁଦ୍ଧ କରିଅଛ ଓ ଅନେକ ଲୋକଙ୍କୁ ହତ୍ୟା କରିଅଛ। ତେଣୁ ତୁମ୍ଭେ ଆମ୍ଭ ନାମରେ ମନ୍ଦିର ନିର୍ମାଣ କରି ପାରିବ ନାହିଁ। 9 କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିୟ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତିରେ ଏକ ସମୟ ପ୍ରଦାନ କରିବା। ତା’ପରେ ଚତୁର୍ଦ୍ଦିଗରେ ଥିବା ଶତ୍ରୁମାନେ ତାହାକୁ ବ୍ୟତିବ୍ୟସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହେବା ସମୟରେ ଆମ୍ଭେ ଇସ୍ରାଏଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା। 10 ଶଲୋମନ ଆମ୍ଭ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମୋର ପୁତ୍ର ହେବ ଏବଂ ଆମ୍ଭେ ତାହାର ପିତା ହେବା। ଏବଂ ଆମ୍ଭେ ଶଲୋମନର ରାଜ୍ୟକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇସ୍ରାଏଲ ଉପରେ ସଦାସର୍ବଦା ରାଜତ୍ୱ କରିବ।’”
11 ଦାଉଦ ଆହୁରି ମଧ୍ୟ କହିଲେ, “ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେପରି କହିଅଛନ୍ତି, ସେପରି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ। 12 ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଗ୍ଭଳିତ କରି ପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମର ବାଧ୍ୟ ହୋଇ ପାରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ। 13 ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେଉଁସବୁ ବ୍ୟବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ୟ ହେବା ନିମନ୍ତେ ଯତ୍ନ କରିବ, ତେବେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ।
14 “ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଅଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ୱର୍ଣ୍ଣ ଦେଇଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦେଇଅଛି। ମୁଁ ଏତେ ପରିମାଣରେ ପିତ୍ତଳ ଓ ଲୁହା ଦେଇଅଛି ଯେ, ତାହା ତୌଲ କରାଯାଇ ନ ପାରେ। ମୁଁ କାଠ ଓ ପ୍ରସ୍ତର ମଧ୍ୟ ଦେଇଅଛି। ଶଲୋମନ, ତୁମ୍ଭେ ସେଥିରେ ଆହୁରି ଯୋଗ କରିପାର। 15 ତୁମ୍ଭର ଅନେକ ପଥରକଟାଳୀ ଓ ବଢ଼େଇ ଅଛନ୍ତି। ପ୍ରତ୍ୟେକ ପ୍ରକାର କାର୍ଯ୍ୟରେ ଦକ୍ଷ କାରିଗର ତୁମ୍ଭର ଅଛନ୍ତି। 16 ସେମାନେ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ ଓ ଲୁହା କାର୍ଯ୍ୟରେ ଦକ୍ଷ ଅଟନ୍ତି। ତୁମ୍ଭର ଅଗଣ୍ୟ ଦକ୍ଷ କାରିଗରମାନେ ଅଛନ୍ତି। ବର୍ତ୍ତମାନ ହିଁ କାର୍ଯ୍ୟ ଆରମ୍ଭ କର। ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ।”
17 ଏହା ପରେ ଦାଉଦ, ତାଙ୍କର ପୁତ୍ର ଶଲୋମନଙ୍କୁ ସାହାଯ୍ୟ କରିବା ପାଇଁ ଇସ୍ରାଏଲର ସମସ୍ତ ନେତାଙ୍କୁ ଆଦେଶ ଦେଲେ। 18 ଦାଉଦ ଏହି ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ସହିତରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହୋଇଅଛି। 19 ବର୍ତ୍ତମାନ, ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହା ପରେ, ନିୟମସିନ୍ଦୁକ ଓ ଅନ୍ୟାନ୍ୟ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ୟକୁ ଆଣ।”
ପତି ପତ୍ନୀ
3 ଠିକ୍ ସେହିଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା’ହେଲେ, ଯଦି ପତିମାନଙ୍କ ମଧ୍ୟରୁ କେତେଜଣ ପରମେଶ୍ୱରଙ୍କ ଶିକ୍ଷା ମାନୁ ନାହାନ୍ତି, ସେମାନଙ୍କୁ ବିଶ୍ୱାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହେବ ନାହିଁ। ସେମାନେ ସେମାନଙ୍କର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହେବେ। 2 ତୁମ୍ଭ ପତି ଦେଖିବେ ଯେ ତୁମ୍ଭେ ପବିତ୍ର ଜୀବନଯାପନ କରୁଛ, ପରମେଶ୍ୱରଙ୍କୁ ସମ୍ମାନ ଦେଉଛ। 3 ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ଯ୍ୟ ନିର୍ଭର କରେ ନାହିଁ। 4 ତୁମ୍ଭର ସୌନ୍ଦର୍ଯ୍ୟ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦେବା ଉଚିତ୍। ଏହି ସୌନ୍ଦର୍ଯ୍ୟ କେବେ ହେଲେ ସମାପ୍ତ ହେବ ନାହିଁ। ପରମେଶ୍ୱର ଏହାକୁ ସବୁଠାରୁ ମୂଲ୍ୟବାନ୍ ମନେ କରନ୍ତି।
5 ବହୁ ପୂର୍ବରୁ ପରମେଶ୍ୱରଙ୍କୁ ଅନୁସରଣ କରୁଥିବା ପବିତ୍ର ମହିଳାମାନଙ୍କ ପ୍ରତି ଏହା ହିଁ ଘଟିଥିଲା। ଏହିପରି ଭାବରେ ସେମାନେ ନିଜକୁ ସୁନ୍ଦର କରି ଗଢ଼ିଥିଲେ। ସେମାନେ ନିଜ ପତିମାନଙ୍କ ଅଧୀନରେ ଥିଲେ। 6 ମୁଁ ‘ସାରା’ ଭଳି ସ୍ତ୍ରୀଲୋକମାନଙ୍କ କଥା କହୁଛି। ସେ ନିଜ ପତି ଅବ୍ରହାମଙ୍କୁ ମାନିଲେ ଓ ତାହାଙ୍କୁ ମାଲିକ ବୋଲି ଡାକିଲେ। ତୁମ୍ଭେ ସମସ୍ତ ସ୍ତ୍ରୀଲୋକମାନେ, ଯଦି ଧାର୍ମିକ କାମ କର ଓ ନିର୍ଭୟ ରୁହ, ତା’ହେଲେ ସାରାର ପ୍ରକୃତ ସନ୍ତାନ ଅଟ।
7 ଠିକ୍ ସେହିଭଳି ତୁମ୍ଭେ ପତିମାନେ! ତୁମ୍ଭ ପତ୍ନୀମାନଙ୍କ ସହିତ ଭଲ ବୁଝାମଣାରେ ଜୀବନଯାପନ କର। ତୁମ୍ଭେମାନେ ନିଜ ପତ୍ନୀକୁ ସମ୍ମାନ ଦେଖାଇବା ଉଚିତ୍। ସେମାନେ ତୁମ୍ଭଠାରୁ ଦୁର୍ବଳ। କିନ୍ତୁ ପରମେଶ୍ୱର, ତୁମ୍ଭ ଭଳି ସେମାନଙ୍କୁ ମଧ୍ୟ ଆଶୀର୍ବାଦ ଦାନ କରନ୍ତି, ଯାହାକି ପ୍ରକୃତ ଜୀବନ ଦାନ କରେ। ତୁମ୍ଭ ପ୍ରାର୍ଥନାରେ କୌଣସି ଅସୁବିଧା ନ ଘଟିବା ଲାଗି ଏହାସବୁ କର।
ସତ୍କର୍ମ ପାଇଁ ଦୁଃଖ ଭୋଗ
8 ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ। 9 ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ କଥା କହିଥିବା ଯୋଗୁଁ କୌଣସି ଲୋକକୁ ତା’ ବଦଳରେ ମନ୍ଦ କଥା କୁହ ନାହିଁ। ତା’ ବଦଳରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ଯେ, ସେ ତାକୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ୱାନ ପାଇଥିବାରୁ ଏପରି କର। 10 ଶାସ୍ତ୍ର କୁହେ:
“ଯେଉଁ ଲୋକ ଜୀବନକୁ ଭଲ ପାଇବାକୁ ଗ୍ଭହେଁ
ଓ ଭଲ ଦିନଗୁଡ଼ିକୁ ଉପଭୋଗ କରିବାକୁ ଗ୍ଭହେଁ
ସେ ମନ୍ଦକଥା କହିବା
ଓ ମିଛ କଥା କହିବା ବନ୍ଦ କରିବା ଉଚିତ୍।
11 ସେ ମନ୍ଦ କାର୍ଯ୍ୟ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ।
ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ୟ ରଖି ଚେଷ୍ଟା କରିବା ଉଚିତ୍।
12 ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି,
ସେମାନଙ୍କର ପ୍ରାର୍ଥନା ସବୁ ସେ ଶୁଣନ୍ତି।
କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି।” (A)
13 ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା’ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ। 14 କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା’ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। “ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସେମାନଙ୍କୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।” [a] 15 କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟରେ କେହି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ। 16 କିନ୍ତୁ ତୁମ୍ଭେ ସେମାନଙ୍କୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ୍ ଯେ, ତୁମ୍ଭେ ଠିକ୍ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ମନ୍ଦ କଥା କହୁଛନ୍ତି, ସେମାନେ ଲଜ୍ଜିତ ହେବେ। ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସେମାନେ ମନ୍ଦ କଥାଗୁଡ଼ିକ କୁହନ୍ତି। ସେମାନେ ତୁମ୍ଭ ବିଷୟରେ ମନ୍ଦ କଥା କହିଥିବା ହେତୁ ଲଜ୍ଜିତ ହେବେ।
17 ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ।
18 ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ।
ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା।
ସେ ନିଜେ ଦୋଷୀ ନ ଥିଲେ
କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ।
ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ।
ତାହାଙ୍କର ଶରୀରକୁ ବଧ କରାଗଲା,
କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,
19 ଏବଂ ଆତ୍ମାରେ ସେ ଗଲେ ଓ ବନ୍ଦୀ ଆତ୍ମାମାନଙ୍କୁ ଉପଦେଶ ପ୍ରଦାନ କଲେ। 20 ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ। 21 ସେହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତିସ୍ମ ନୁହେଁ। ମାତ୍ର ବାପ୍ତିସ୍ମ ହେଉଛି, ପରମେଶ୍ୱରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ୟୁରୁ ଜୀବିତ ହୋଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି। 22 ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।
ଶମରିୟା ଓ ଇସ୍ରାଏଲ ଦଣ୍ତିତ ହେବେ
1 ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ୍, ଆହସ ଓ ହିଜକିୟ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମୋରେଷ୍ଟୀୟ। ସେ ଶମରିୟା ଓ ଯିରୁଶାଲମ ବିଷୟରେ ଏହି ଦର୍ଶନ ଲାଭ କଲେ।
2 ହେ ସମସ୍ତ ଲୋକେ, ଶୁଣ!
ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ ଶୁଣ।
ମୋର ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ।
ତୁମ୍ଭମାନଙ୍କ ବିରୁଦ୍ଧରେ ସେ ସାକ୍ଷ୍ୟ ସ୍ୱରୂପ ଆସିବେ।
3 ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି।
ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।
4 ତାଙ୍କର ଆଗମନରେ ପର୍ବତଗୁଡ଼ିକ ଅଗ୍ନି ନିକଟରେ
ମହମ ତରଳିଲା ପରି ତରଳି ଯିବ।
ଉପତ୍ୟକାଗୁଡ଼ିକ ବିଦୀର୍ଣ୍ଣ ହେବ
ଏବଂ ଜଳ ଗଡ଼ାଣିରେ ବହିଲା ପରି ନିମ୍ନକୁ ଗଡ଼ି ଆସିବ।
5 କାରଣ ଯାକୁବ ଓ ଇସ୍ରାଏଲ ବଂଶର ପାପ ଯୋଗୁଁ
ଏହା ଘଟିଅଛି।
ଶମରିୟା-ପାପର କାରଣ
ଶମରିୟା ଯାକୁବର
ପାପର କାରଣ ଥିଲା।
ଯିହୁଦାର ଉଚ୍ଚସ୍ଥଳୀ
ଯିରୁଶାଲମ ଥିଲା।
6 ତେଣୁ ଆମ୍ଭେ ଶମରିୟାକୁ ଧ୍ୱଂସ କରିବା
ଓ ଏହା ଦ୍ରାକ୍ଷାଲତା ରୋପଣର କ୍ଷେତ୍ରରେ ପରିଣତ କରିବା।
କେବଳ ତା’ର ମୂଳଦୁଆକୁ ଛାଡ଼ି
ଆମ୍ଭେ ଶମରିୟାର ସମସ୍ତ ପଥରଗୁଡ଼ିକୁ ଉପତ୍ୟକା ଭିତରକୁ ଫିଙ୍ଗିବା।
7 ଏହି, ତା’ର ସମସ୍ତ ମୂର୍ତ୍ତି ଖଣ୍ତ ବିଖଣ୍ତିତ ହେବ।
ଶମରିୟାର ସମସ୍ତ ଧନ ଅଗ୍ନିରେ ଦଗ୍ଧ କରାଯିବ।
ସେହି ଭଣ୍ତ ଦେବତାର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯିବ।
କାରଣ ଶମରିୟା ତା’ର ସମସ୍ତ ଧନ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇ ଅର୍ଜ୍ଜନ କରିଛି।
ସେଥିପାଇଁ ଶମରିୟାର ଧନସମ୍ପଦସବୁ ବାହାର କରି ନିଆଯିବ
ଏବଂ ପୁଣି ବେଶ୍ୟାମାନଙ୍କର ମଜୁରୀ ରୂପେ ତାହା ବ୍ୟବହାର କରାଯିବ।
ମୀଖାର ଘୋର ଦୁଃଖ
8 ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହେବି।
ମୁଁ ବିବସ୍ତ୍ର ହୋଇ ଖାଲି ପାଦରେ ବୁଲିବି।
ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି
ଓ ଓଟପକ୍ଷୀ ପରି ଶୋକ କରିବି।
9 ଶମରିୟାର କ୍ଷତ କେବେ ପୂରଣ ହେବ ନାହିଁ।
ତା’ର ପାପ ଯିହୁଦା ପର୍ଯ୍ୟନ୍ତ ବ୍ୟାପି ଅଛି।
ଆଉ ମଧ୍ୟ ତାହା ମୋ’ ଲୋକମାନଙ୍କର ନଗରଦ୍ୱାର
ଯିରୁଶାଲମ ପର୍ଯ୍ୟନ୍ତ ବ୍ୟାପିଅଛି।
10 ଗାଥ୍ ନଗରରେ ଏହା ଜଣାଅ ନାହିଁ।
ଆଦୌ ବିଳାପ କର ନାହିଁ।
ବୈଥ୍-ଲି-ଅଫ୍ରାରେ ନିଜେ ଧୂଳିରେ ଗଡ଼।
11 ହେ ଶାଫୀର ନିବାସୀଗଣ,
ଉଲଗ୍ନ ଓ ଲଜ୍ଜିତ ହୋଇ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର।
ହେ ସାନନ ନିବାସୀଗଣ, ତୁମ୍ଭେମାନେ ବାହାରକୁ ବାହାରିବ ନାହିଁ।
ହେ ବୈଥେତ୍ସଲର ନିବାସୀଗଣ,
ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା
କାଢ଼ି ନିଆ ହେବା ପରି ତୁମ୍ଭେମାନେ ଶୋକ କରିବ।
12 ମାରୋତ୍ ନିବାସୀ
ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି।
କାରଣ ଯିରୁଶାଲମର ଦ୍ୱାରଦେଶ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।
13 ହେ ଲାଖୀଶ୍ର ନିବାସୀଗଣ,
ଦ୍ରୁତଗାମୀ ଅଶ୍ୱକୁ ନେଇ ରଥରେ ବାନ୍ଧ।
ସିୟୋନର ପାପ ଲାଖୀଶ୍ରେ ଆରମ୍ଭ ହେଲା,
କାରଣ ତୁମ୍ଭେମାନେ ଇସ୍ରାଏଲର ପାପକୁ ଅନୁସରଣ କଲ।
14 ତେଣୁ ତୁମ୍ଭେ ଗାଥ୍ରେ ମୋରେଷତ୍କୁ
ବିଦାୟକାଳୀନ ଦାନ ଦେବ।
ଅକ୍ଷୀବର ଗୃହଗୁଡ଼ିକ ଇସ୍ରାଏଲର ରାଜାମାନଙ୍କ ପ୍ରତି
ପ୍ରବଞ୍ଚନା ତୁଲ୍ୟ ହେବ।
15 ହେ ମାରେଶା ନିବାସୀ,
ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ବ୍ୟକ୍ତିକୁ ଆଣିବି,
ଯିଏ କି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ।
ଇସ୍ରାଏଲର ଗୌରବ ଅଦୁଲ୍ଲମକୁ ଆସିବ।
16 ଏଥିପାଇଁ ତୁମ୍ଭେମାନେ ତୁମ୍ଭର ମସ୍ତକକୁ ଲଣ୍ତା କର।
ତୁମ୍ଭର ପ୍ରିୟ ସନ୍ତାନମାନଙ୍କ ପାଇଁ ବିଳାପ କର,
ଶାଗୁଣା ପକ୍ଷୀ ପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦେଖାଅ
କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢ଼ି ନିଆଯିବ।
ଯୀଶୁ ବାସ୍ତରି ଜଣକୁ ପଠାଇଲେ
10 ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ଯିବାର ଯୋଜନା ଥିଲା, ସେହି ନଗର ଓ ସ୍ଥାନମାନଙ୍କୁ ସେ ସେମାନଙ୍କୁ ଦୁଇ ଦୁଇଜଣ ହିସାବରେ ନିଜେ ଯିବା ଆଗରୁ ପଠାଇଦେଲେ। 2 ଯୀଶୁ ସେମାନଙ୍କୁ କହିଲେ, “ଅମଳ ହେବାକୁ ପ୍ରଚୁର ଫସଲ ପଡ଼ି ରହିଛି। କିନ୍ତୁ ମୂଲିଆ ଖୁବ୍ କମ୍। ତେଣୁ ଫସଲର ମାଲିକଙ୍କୁ ପ୍ରାର୍ଥନା କର ଯେ, ସେ ଯେପରି ତାହାଙ୍କର ଫସଲ କାଟିବା ପାଇଁ କାମ କରିବାକୁ ଅଧିକ ମୂଲିଆ ପଠାଇବେ।
3 “ଯାଅ, କିନ୍ତୁ ମନେରଖ, ମୁଁ ତୁମ୍ଭମାନଙ୍କୁ ଗଧିଆମାନଙ୍କ ମଧ୍ୟରେ ମେଣ୍ଢାଛୁଆ ଭାବରେ ପଠାଉଛି। 4 ସାଙ୍ଗରେ ଟଙ୍କା, ଥଳି, ଜୋତା କିଛି ହେଲେ ନିଅ ନାହିଁ। ରାସ୍ତାରେ କାହାରି ସହିତ କଥାବାର୍ତ୍ତା ହେବା ପାଇଁ ଅଟକି ଯିବ ନାହିଁ। 5 ଯେକୌଣସି ଘରେ ପ୍ରବେଶ କରିବା ମାତ୍ରେ ପ୍ରଥମେ କୁହ, ‘ଏ ଘରକୁ ଶାନ୍ତି ମିଳୁ।’ 6 ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ଥିବ, ତେବେ ତୁମ୍ଭମାନଙ୍କର ଶାନ୍ତି ଆଶୀର୍ବାଦ ତାହାକୁ ମିଳିବ। ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ନ ଥିବ, ତେବେ ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତୁମ୍ଭମାନଙ୍କ ପାଖକୁ ଫେରି ଆସିବ। 7 ତୁମ୍ଭେମାନେ ଶାନ୍ତି ଥିବା ଘରେ ରୁହ। ସେ ଲୋକମାନେ ତୁମ୍ଭମାନଙ୍କୁ ଯାହାଦେବେ ତାହା ଖାଅ ଓ ପିଅ। କାରଣ କାମ କରିବା ଲୋକର ତା’ ବେତନ ଉପରେ ଅଧିକାର ଅଛି। ଅନ୍ୟ ଘରେ ରହିବା ପାଇଁ ସେହି ଘର ଛାଡ଼ି ଯାଅ ନାହିଁ।
8 “ଯଦି ତୁମ୍ଭେମାନେ ଗୋଟିଏ ନଗରକୁ ଯାଅ ଓ ସେଠାରେ ଯଦି ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ କରନ୍ତି, ତେବେ ତୁମ୍ଭେମାନଙ୍କୁ ସେମାନେ ଯାହା ଖାଦ୍ୟ ଦିଅନ୍ତି, ତାହା ଖାଅ। 9 ସେଠାରେ ରହୁଥିବା ଲୋଗୀଙ୍କୁ ସୁସ୍ଥ କର। ତା’ପରେ ସେମାନଙ୍କୁ କୁହ, ‘ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଖୁବ୍ ଶୀଘ୍ର ଆସି ପହଞ୍ଚିଯାଉଛି।’
10 “କିନ୍ତୁ ତୁମ୍ଭେମାନେ ଯଦି ଏଭଳି ଏକ ନଗରକୁ ଯାଅ ଓ ସେଠାରେ ଲୋକେ ତୁମ୍ଭମାନଙ୍କର ସ୍ୱାଗତ ନ କରନ୍ତି, ତେବେ ସେହି ନଗରର ଗଳିମାନଙ୍କରେ ଯାଅ ଏବଂ କୁହ, 11 ଆମ୍ଭର ପାଦରେ ଲାଗିଥିବା ଏହି ଧୂଳିତକ ମଧ୍ୟ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏହିଠାରେ ଝାଡ଼ି ଦେଇ ଯାଉଛୁ।’ ତଥାପି ମନେରଖ, ‘ପରମେଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ଆସୁଛି।’ 12 ମୁଁ ତୁମ୍ଭମାନଙ୍କୁ କହୁଛି ଯେ ବିଗ୍ଭର ହେବା ଦିନ ସେହି ନଗରର ଲୋକମାନଙ୍କର ଦଶା ସଦୋମର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହେବ।
ଅବିଶ୍ୱାସୀମାନଙ୍କୁ ଯୀଶୁଙ୍କ ଚେତାବନୀ(A)
13 “ହାୟ କୋରାଜୀନ୍! ହାୟ ବେଥ୍ସାଇଦା! [a] ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟକର୍ମ ଦେଖାଇଛି। ଯଦି ଏଗୁଡ଼ିକ ସୋର ଓ ସୀଦୋନରେ ଲୋକମାନଙ୍କୁ କରା ଯାଇଥା’ନ୍ତା, ତେବେ କେବେଠାରୁ ସେମାନେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡ଼ି ଦେଇଥାଆନ୍ତେ। ସେମାନେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦେଖାଇବା ପାଇଁ ତା’ର ପ୍ରତୀକ ସ୍ୱରୁପ ଅଖାରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡରେ ପାଉଁଶ ବୋଳି ହୋଇଥାଆନ୍ତେ। 14 ବିଗ୍ଭର ଦିନ ତୁମ୍ଭମାନଙ୍କ ଦଶା ସୋର ଓ ସୀଦୋନର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହେବ। 15 ଏବଂ ହେ କଫର୍ନାହୂମ! ତୁମ୍ଭକୁ କ’ଣ ସ୍ୱର୍ଗ ଯେତେ ଉଚ୍ଚ, ସେତେ ଉଚ୍ଚକୁ ଉଠାଯିବ? ନା, ତୁମ୍ଭକୁ ନର୍କ ଯେତେ ନୀଚ୍ଚ ସେହିପରି ନୀଚ୍ଚ ସ୍ଥାନକୁ ଅଣାଯିବ।
16 “ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”
ଶୟତାନର ପତନ
17 ଯେତେବେଳେ ବାସ୍ତରି [b] ଜଣ ସେମାନଙ୍କ ଭ୍ରମଣରୁ ଫେରି ଆସିଲେ, ସେମାନେ ବହୁତ ଖୁସୀ ଥିଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭେମାନେ ଯେତେବେଳେ ଆପଣଙ୍କ ନାମ ନେଇ ଆଜ୍ଞା ଦେଲୁ, ସେତେବେଳେ ଏପରିକି ଭୂତମାନେ ମଧ୍ୟ ଆମ୍ଭମାନଙ୍କ କଥା ମାନିଲେ।”
18 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି। 19 ଶୁଣ! ସାପ ଓ କଙ୍କଡ଼ାବିଛାମାନଙ୍କୁ ପାଦତଳେ ଦଳି ଦେବାକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦେଇଛି। ମୁଁ ତୁମ୍ଭମାନଙ୍କ ଶତ୍ରୁ ପାଖରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦେଇଛି। ତୁମ୍ଭମାନଙ୍କର କେହି କିଛି କ୍ଷତି କରି ପାରିବ ନାହିଁ। 20 ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମାନୁଛନ୍ତି। ତୁମ୍ଭେମାନେ ଖୁସୀ ହୁଅ, କାରଣ ତୁମ୍ଭମାନଙ୍କ ପାଖରେ ଏ ଶକ୍ତି ଥିବା ଯୋଗୁଁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ୱର୍ଗରେ ଲେଖା ହୋଇଥିବା ଯୋଗୁଁ ଖୁସୀ ହୁଅ।”
ଯୀଶୁ ପରମପିତାଙ୍କୁ ପ୍ରାର୍ଥନା କଲେ(B)
21 ତ’ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ୟନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, “ହେ ପରମପିତା! ହେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଶଂସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡ଼ିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚେଇ ରଖିଥିଲେ ମଧ୍ୟ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦେଖାଇଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତରେ କରିବାକୁ ଗ୍ଭହୁଁଥିଲ ବୋଲି ତୁମ୍ଭେ ଏହା କଲ।
22 “ମୋର ପରମପିତା ମୋତେ ସବୁକିଛି ଦେଇଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡ଼ା କେହି ଜାଣନ୍ତି ନାହିଁ। କେବଳ ସେହିମାନେ ପରମପିତାଙ୍କ ବିଷୟରେ ଜାଣି ପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ୱୟଂ ବାଛିବେ।”
23 ତା’ପରେ ଯୀଶୁ ଶିଷ୍ୟମାନଙ୍କ ଆଡ଼କୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସେଠାରେ କେବଳ ତାହାଙ୍କ ଶିଷ୍ୟମାନେ ରହିଥିଲେ। ଯୀଶୁ କହିଲେ, “ତୁମ୍ଭେମାନେ ଧନ୍ୟ, ଯେହେତୁ ତୁମ୍ଭେମାନେ ଏହିସବୁ ବିଷୟ ଦେଖିଲ। 24 ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭେମାନେ ଏବେ ଯାହା ଦେଖୁଛ, ତାହା ଦେଖିବା ପାଇଁ ଅନେକ ଭବିଷ୍ୟଦ୍ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଦେଖି ପାରି ନ ଥିଲେ। ତୁମ୍ଭେମାନେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ଅନେକ ଭବିଷ୍ୟଦ୍ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଶୁଣି ପାରି ନ ଥିଲେ।”
ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତ
25 ତା’ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବି?”
26 ଏହା ଶୁଣି ଯୀଶୁ ତାହାଙ୍କୁ କହିଲେ, “ବ୍ୟବସ୍ଥାଶାସ୍ତ୍ରରେ କ’ଣ ଲେଖାଅଛି? ସେଥିରେ ତୁମ୍ଭେ କ’ଣ ପଢ଼ୁଛ?”
27 ସେ ଉତ୍ତର ଦେଲେ, “‘ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର’ [c] ଏବଂ, ‘ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି ଅନ୍ୟମାନଙ୍କୁ ପ୍ରେମ କର।’” [d]
28 ତା’ପରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଇଛ। ଏହା ହିଁ କର। ଏହା ଫଳରେ ତୁମ୍ଭେ ଅନନ୍ତ ଜୀବନ ଲାଭ କରିବ।”
29 ନିଜେ ଠିକ୍ ଜୀବନଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଗ୍ଭହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “ତେବେ ଯେଉଁମାନଙ୍କୁ ପ୍ରେମ କରିବି, ସେମାନେ କିଏ?”
30 ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୀଶୁ କହିଲେ, “ଜଣେ ଲୋକ ଯିରୁଶାଲମରୁ ଯିରୀହୋକୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତା’ ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ଼ ମାରି ଅର୍ଦ୍ଧମୃତ ଅବସ୍ଥାରେ ପକାଇଦେଇ ଗ୍ଭଲିଗଲେ।
31 “ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ। ସେହି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଗ୍ଭଲିଗଲେ। 32 ତା’ପରେ ଜଣେ ଲେବୀୟ [e] ସେହି ବାଟରେ ଆସିଲେ। ସେ ସେହି ଲୋକଟିକୁ ଦେଖିବା ସତ୍ତ୍ୱେ ତାକୁ ସାହାଯ୍ୟ କରିବାକୁ ନ ଅଟକି ଗ୍ଭଲିଗଲେ।
33 “ତା’ପରେ ଶମିରୋଣୀୟ ଦେଶର ଜଣେ ଲୋକ ସେହି ବାଟେ ଆସିଲେ। ଆହତ ଲୋକଟି ଯେଉଁଠାରେ ପଡ଼ିଥିଲା, ସେ ସେହି ସ୍ଥାନକୁ ଆସିଲେ। ସେ ସେହି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ। 34 ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତରେ ତେଲ ଓ ଅଙ୍ଗୁରରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନେଇଗଲେ। ଚଟିଘରେ ସେ ଆହତ ଲୋକଟିର ଯତ୍ନ ନେଲେ। 35 ତା’ ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପାନ୍ଥଶାଳାର ଦାୟିତ୍ୱରେ ଥିବା ଲୋକଟିକୁ ଦେଇ କହିଲେ, ‘ଏହି ଆହତ ଲୋକଟିର ଯତ୍ନ ନେବ। ତା’ ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫେରିଲା ବେଳେ ତୁମ୍ଭକୁ ସେତକ ପରିଶୋଧ କରିଦେବି।”
36 ଏହା ପରେ ଯୀଶୁ କହିଲେ, “ଏବେ କୁହ, ଡକାୟତମାନଙ୍କ ହାବୁଡ଼ରେ ପଡ଼ି ଆହତ ହୋଇଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ୟରୁ କିଏ ପ୍ରେମଭାବ ଦେଖାଇଲେ ବୋଲି ତୁମ୍ଭେ ଭାବୁଛ?”
37 ଶାସ୍ତ୍ରୀ ଜଣକ କହିଲେ, “ଯେଉଁ ଲୋକ ଆହତ ଲୋକଟିକୁ ସାହାଯ୍ୟ କଲା।”
ତା’ପରେ ଯୀଶୁ ତାହାଙ୍କୁ କହିଲେ, “ତେବେ ତୁମ୍ଭେ ଯାଅ, ଏବଂ ଲୋକମାନଙ୍କ ନିମନ୍ତେ ସେହିଭଳି କାମ କର।”
ମରିୟମ ଓ ମାର୍ଥା
38 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାତ୍ରା କରୁଥିବା ଅବସରରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ୱାଗତ କଲା। 39 ମାର୍ଥାର ମରିୟମ ନାମରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା। 40 ମାର୍ଥାକୁ ବହୁତ ଗୁଡ଼ାଏ କାମ କରିବାକୁ ପଡ଼ୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, “ପ୍ରଭୁ! ମୋ’ ଭଉଣୀ ଘରର ଯେ ସବୁ କାମ ମୋ’ ଉପରେ ଛାଡ଼ି ଦେଇଛି, ଏ ବିଷୟରେ କ’ଣ ଆପଣଙ୍କର ମନୋଯୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମୋତେ ସାହାଯ୍ୟ କରୁ।”
41 ଯୀଶୁ ଉତ୍ତର ଦେଲେ, “ମାର୍ଥା, ହେ ମାର୍ଥା, ବହୁତ ଗୁଡ଼ାଏ କଥା ପାଇଁ ତୁମ୍ଭେ ବ୍ୟସ୍ତ ଓ ଚିନ୍ତିତ ଅଛ। 42 କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛି ଏବଂ ଏହା ତା’ଠାରୁ ଛଡ଼େଇ ନିଆଯିବ ନାହିଁ।”
2010 by World Bible Translation Center