M’Cheyne Bible Reading Plan
25 ଅନନ୍ତର ସିଦିକିୟଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ୟ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ ଏବଂ ଯିରୁଶାଲମକୁ ଅବରୋଧ କଲେ ଓ ତା’ର ଗ୍ଭରିପାଖରେ ସୈନ୍ୟ କତ୍ତୃର୍କ ଅବରୋଧ ନିର୍ମାଣ କଲେ। 2 ସେମାନଙ୍କର ସୈନ୍ୟବାହିନୀ ସିଦିକିୟ ରାଜାଙ୍କ ଏକାଦଶ ବର୍ଷ ରାଜତ୍ୱ କାଳ ପର୍ଯ୍ୟନ୍ତ ଯିରୁଶାଲମକୁ ଅବରୋଧ କରି ଘେରି ରଖିଲେ। 3 ନଗରରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରାରେ ବଢ଼ିଗ୍ଭଲିଲା। ତେଣୁ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ୟ ମିଳିଲା ନାହିଁ।
4 ସର୍ବଶେଷରେ ନବୂଖଦ୍ନିତ୍ସରଙ୍କ ସୈନ୍ୟ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସେହି ରାତ୍ରିରେ ରାଜା ସିଦିକିୟ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ୟ ଫାଟକ ଦେଇ ପଳାଇଲେ। ଯେତେବେଳେ କଲ୍ଦୀୟମାନେ ନଗରର ଚତୁର୍ଦ୍ଦିଗରେ ବେଢ଼ି ରହିଥିଲେ। ପୁଣି ରାଜା ଆରବା ପଥ ଦେଇ ଗ୍ଭଲିଗଲେ। 5 ତହୁଁ କଲ୍ଦୀୟ ସୈନ୍ୟମାନେ ରାଜାଙ୍କ ପଶ୍ଚାତ୍ଧାବନ କରି ଯିରୀହୋ ପଦାରେ ତାଙ୍କୁ ଧରିଲେ। ଯେତେବେଳେ ତାଙ୍କର ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାୟନ କଲେ।
6 ତା’ପରେ ସେମାନେ ରାଜାଙ୍କୁ ଧରି ରିବ୍ଲାରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସେମାନେ ତାଙ୍କୁ ଦଣ୍ତ ଦେବାକୁ ସ୍ଥିର କଲେ। 7 ସେମାନେ ସିଦିକିୟଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖରେ ବଧ କଲେ। ତା’ପରେ ସେମାନେ ସିଦିକିୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ ଓ ତାଙ୍କୁ ଶୃଙ୍ଖଳରେ ବାନ୍ଧି ବାବିଲକୁ ନେଇ ଗଲେ।
ଯିରୁଶାଲମର ଧ୍ୱଂସ
8 ନବୂଖଦ୍ନିତ୍ସରଙ୍କ ରାଜତ୍ୱର ଉନବିଂଶ ବର୍ଷରେ ପଞ୍ଚମ ମାସର ସପ୍ତମ ଦିନରେ ବାବିଲ ରାଜାର ଦାସ ନବୂସର୍ଦନ୍ ଉତ୍ତମ ଯୋଦ୍ଧାବର୍ଗର ସେନାପତି ରୂପେ ଯିରୁଶାଲମକୁ ଆସିଲା। 9 ନବୂସର୍ଦନ୍ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ଯିରୁଶାଲମର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡ଼ିକୁ ଅଗ୍ନିରେ ଦଗ୍ଧ କଲା।
10 ନବୂସର୍ଦନଙ୍କ ସହିତ ଥିବା ସମସ୍ତ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ। 11 ତା’ପରେ ନବୂସର୍ଦନ୍ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନେଇ ଗଲେ। 12 ସେ କେବଳ ଦରିଦ୍ରତମ ଲୋକମାନଙ୍କୁ ଛାଡ଼ି ଗଲା କାରଣ ସେମାନେ ଦ୍ରାକ୍ଷାକ୍ଷେତ୍ର ଓ ଅନ୍ୟାନ୍ୟ ଶସ୍ୟର ଯତ୍ନ ନେବେ।
13 ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ୟ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ଦ୍ୱୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନେଇଗଲେ। 14 ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସେବା ପାଇଁ ବ୍ୟବହାର ହୋଇଥିଲା, ସେମାନେ ନେଇ ଗଲେ। 15 ପୁଣି ନବୂସର୍ଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନେଇଗଲା। 16-17 ନବୂସର୍ଦନ୍ ନେଇଥିବା ଦ୍ରବ୍ୟ ଗୁଡ଼ିକ ହେଲା, ଯଥା: ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା।
ଯିହୁଦାର ଲୋକମାନେ ବନ୍ଦୀରୂପେ ନୀତ
18 ପୁଣି ନବୂସର୍ଦନ୍ ପ୍ରଧାନ ଯାଜକ ସରାୟ ଦ୍ୱିତୀୟ ଯାଜକ ସିଫନିୟ ଓ ତିନି ଜଣ ଦ୍ୱାରପାଳଙ୍କୁ ନେଇ ଗଲା।
19 ସେ ମଧ୍ୟ ବନ୍ଦୀପରି ନିଆଗଲେ। ଏକ ନପୁଂସକକୁ ସୈନ୍ୟମାନଙ୍କର ଦେଖାଶୁଣା, ରାଜାଙ୍କର ଉପଦେଶଗଣ, ସେନାର ସେନାପତିର ସଚିବ, ଯିଏ ଲୋକମାନଙ୍କୁ ଗଣିବାର ଦାୟିତ୍ୱରେ ଥିଲେ ଏବଂ ସେମାନଙ୍କରୁ ସୈନ୍ୟମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହରରେ ମଣିଲେ।
20-21 ତା’ପରେ ନବୂସର୍ଦନ୍ ସେମାନଙ୍କୁ ଧରି ହମାତର ରିବ୍ଲାରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନେଇଗଲା। ବାବିଲର ରାଜା ସେମାନଙ୍କୁ ସେହି ରିବ୍ଲାରେ ବଧ କଲେ। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହୋଲା।
ଯିହୁଦାର ରାଜ୍ୟପାଳ ଗଦଲିୟ
22 ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦାରେ ଛାଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ଥିଲା, ବାବିଲର ରାଜା ଗଦଲିୟକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କଲେ।
23 ଏହା ପରେ ବାବିଲର ରାଜା ଗଦଲିୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଯଥା: ନଥନିୟର ପୁତ୍ର ଇଶ୍ମାୟେଲ, କାରେହର ପୁତ୍ର ଯୋହାନନ୍, ନାଟୋଫାତୀୟଠାରୁ ତନ୍ହୂମତର ପୁତ୍ର ସରାୟ, ମାଖାତୀୟର ପୁତ୍ର ଯାସନିୟ ଓ ସେମାନଙ୍କର ଲୋକମାନେ ମିସ୍ପାର ଗଦଲିୟ ନିକଟକୁ ଆସିଲେ। 24 ତହୁଁ ଗଦଲିୟ ଅଧିକାରୀମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରନ୍ତି, “ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠାରେ ରହି ବାବିଲ ରାଜାର ସେବା କର। ତା’ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହେବ।”
25 ମାତ୍ର ସପ୍ତମ ମାସରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇଶ୍ମାୟେଲ, ଯିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶ ଜଣ ସଙ୍ଗୀ ଗଦଲୀୟକୁ, ଯିହୁଦୀୟମାନଙ୍କୁ ଓ ମିସ୍ପାରେ ଥିବା କଲ୍ଦୀୟମାନଙ୍କୁ ବଧ କଲେ। 26 ତା’ପରେ ସମସ୍ତ ସେନାପତିଗଣ ଓ ଛୋଟ ବଡ଼ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସେମାନେ କଲ୍ଦୀୟମାନଙ୍କୁ ଭୟ କରୁଥିଲେ।
27 ଅନନ୍ତର ଯିହୁଦାର ରାଜା ଯିହୋୟାଖୀନଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷର ଦ୍ୱାଦଶ ମାସରେ, ମାସର ସତାଇଶ୍ ଦିନରେ ବାବିଲ ରାଜା ଇବିଲ-ମରୋଦକ୍। ସେ ରାଜତ୍ୱ ଆରମ୍ଭ କରିବା ବର୍ଷରେ ବନ୍ଦୀରୁ ଯିହୁଦାର ରାଜା ଯିହୋୟାଖୀନଙ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ବସିବାକୁ ଦେଲେ। ତାହା ବାବିଲୋନରେ ତାଙ୍କ ସହିତ ଏପରି ଥିଲା। 28 ଇବିଲ-ମରୋଦକ୍ ଯିହୋୟାଖୀନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ। ସେ ବାବିଲରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ଯିହୋୟାଖୀନଙ୍କୁ ଉଚ୍ଚସ୍ଥାନ ଦେଇଥିଲେ। 29 ଇବିଲ-ମରୋଦକ୍ ଯିହୋୟାଖୀନଙ୍କ କାରାଗାର ପୋଷାକ ବଦଳାଇ ଦେଇଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମେଜରେ ଯାବଜ୍ଜୀବନ ଭୋଜନ କଲେ। 30 ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ୍ ରାଜାଙ୍କ ଦ୍ୱାରା ଯିହୋୟାଖୀନଙ୍କୁ ଦିଆଗଲା।
ଯାଜକ ମଲ୍କୀଷେଦକ
7 ମଲ୍କୀଷେଦକ ଶାଲେମର ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫେରିଲା ବେଳେ ମଲ୍କୀଷେଦକ ଅବ୍ରହାମଙ୍କୁ ଦେଖାକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। 2 ଯୁଦ୍ଧରେ ଜିତି ଅବ୍ରହାମ ଯାହା ପାଇଥିଲେ ତା’ର ଏକ ଦଶମାଂସ ସେ ମଲ୍କୀଷେଦକଙ୍କୁ ଦେଲେ।
ମଲ୍କୀଷେଦକ ନାମର ଅର୍ଥ: ପ୍ରଥମଟି ହେଉଛି “ଧର୍ମରାଜା” ଓ ଦ୍ୱିତୀୟଟି ହେଲା “ଶାଲେମର ରାଜା” ଅର୍ଥାତ୍ “ଶାନ୍ତିର ରାଜା”। 3 କେହିହେଲେ ମଲ୍କୀଷେଦକଙ୍କ ପିତା କି ମାତାଙ୍କ ବିଷୟରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କେବେ ଜନ୍ମଗ୍ରହଣ କଲେ, ଓ କେବେ ମଲେ ତା’ମଧ୍ୟ କେହି ଜାଣନ୍ତି ନାହିଁ। ମଲ୍କୀଷେଦକ ପରମେଶ୍ୱରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହୋଇ ରହିଛନ୍ତି।
4 ମଲ୍କୀଷେଦକ କେତେ ମହାନ୍ ବ୍ୟକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ଯୁଦ୍ଧରେ ଯାହାକିଛି ଜିତି ଥିଲେ ତା’ର ଏକ ଦଶମାଂଶ ମଲ୍କୀଷେଦକଙ୍କୁ ଦେଲେ। 5 ବ୍ୟବସ୍ଥା ଅନୁସାରେ ଲେବୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜଲୋକ ଯିହୂଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି। 6 ମଲ୍କୀଷେଦକ ଲେବୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। 7 ସମସ୍ତେ ଜାଣନ୍ତି ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
8 ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସେମାନେ ସାଧାରଣ ମନୁଷ୍ୟ ପରି ବଞ୍ଚି ପରିଶେଷରେ ମୃତ୍ୟୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମଲ୍କୀଷେଦକ ଶାସ୍ତ୍ର ଅନୁସାରେ ଏବେ ମଧ୍ୟ ଜୀବିତ। 9 ଲେବୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତେବେଳେ ଅବ୍ରହାମ ମଲ୍କୀଷେଦକଙ୍କୁ ଦଶମାଂଶ ଦେଲେ, ତା’ର ଅର୍ଥ ଲେବୀ ମଧ୍ୟ ତାହା ଦେଲେ। 10 ଲେବୀ ସେ ପର୍ଯ୍ୟନ୍ତ ଜନ୍ମ ନ ହୋଇଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷେଦକଙ୍କୁ ଭେଟିବା ସମୟରେ ଲେବୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀରରେ ଥିଲେ।
11 ଲେବୀ ପରିବାରବର୍ଗଙ୍କ [a] ଯାଜକମାନଙ୍କର ପଦ୍ଧତି ଅନୁଯାୟୀ ଲୋକଙ୍କୁ ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ୱାରା ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ୟକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷେଦକଙ୍କ ଭଳି ଆଉ ଜଣେ ଯାଜକର ଆବଶ୍ୟକ ଥିଲା। 12 ଯେତେବେଳେ ଯାଜକର ପରିବର୍ତ୍ତନ ହୁଏ ସେତେବେଳେ ବ୍ୟବସ୍ଥାର ମଧ୍ୟ ପରିବର୍ତ୍ତନ ଆବଶ୍ୟକ ହୋଇଥାଏ। 13 ଆମ୍ଭେ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ବିଷୟରେ କହୁଛୁ। ସେ ଅନ୍ୟ ଏକ ଗୋଷ୍ଠୀର ଲୋକ ଥିଲେ। ସେହି ଗୋଷ୍ଠୀର କେହି କେବେ ହେଲେ ଆଗରୁ ଯାଜକ ଭାବେ ବେଦୀ [b]ରେ ସେବା କରି ନ ଥିଲେ। 14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରେ ଜାତ। ମାତ୍ର ସେହି ଗୋଷ୍ଠୀର ଯାଜକମାନଙ୍କ ବିଷୟରେ ମୋଶା କହିନାହାନ୍ତି।
ଯୀଶୁ ମଲ୍କୀଷେଦକଙ୍କ ଭଳି ଜଣେ ଯାଜକ
15 ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ ଯେ, ମଲ୍କୀଷେଦକଙ୍କ ଭଳି ଆଉ ଜଣେ ଯାଜକ ଅଛନ୍ତି। 16 ସେ କୌଣସି ଗୋଷ୍ଠୀର ବ୍ୟବସ୍ଥା ଦ୍ୱାରା ଯାଜକ ହୋଇ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ। 17 ଶାସ୍ତ୍ରରେ ତାଙ୍କ ବିଷୟରେ କୁହାଯାଇଛି: “ତୁମ୍ଭେ ମଲ୍କୀଷେଦକଙ୍କ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।” [c]
18 ପୂର୍ବ ବ୍ୟବସ୍ଥା ଦୁର୍ବଳ ଓ ବ୍ୟର୍ଥ ହୋଇଥିବାରୁ ଲୋପ କରି ଦିଆ ହେଲା। 19 ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ରେଷ୍ଠତର ଭରସାରେ ଆମ୍ଭେ ପରମେଶ୍ୱରଙ୍କ ପାଖକୁ ଆସି ପାରିବା।
20 ଯୀଶୁ ଖ୍ରୀଷ୍ଟଙ୍କୁ ମହାଯାଜକ କଲାବେଳେ, ପରମେଶ୍ୱର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ଅନ୍ୟମାନେ ଯାଜକ ହୋଇଥିଲେ, ସେତେବେଳେ କୌଣସି ଶପଥ ହୋଇ ନ ଥିଲା। 21 କିନ୍ତୁ ପରମେଶ୍ୱରଙ୍କ ଶପଥ କରିଥିବା ହେତୁରୁ ଯୀଶୁ ଯାଜକ ହୋଇଥିଲେ। ପରମେଶ୍ୱର କହିଥିଲେ:
“ପ୍ରଭୁ ଶପଥ କରିଛନ୍ତି
ଓ ସେ ନିଜ ନିର୍ଣ୍ଣୟ ପରିବର୍ତ୍ତନ କରିବେ ନାହିଁ,
‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।’” (A)
22 ଏହାର ଅର୍ଥ ହେଲା ଯେ ସେହି ପ୍ରକାରେ ପରମେଶ୍ୱରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମିନ୍ଦାର।
23 ଆହୁରି ମଧ୍ୟ ଯେତେବେଳେ ସେହି ଅନ୍ୟ ଯାଜକମାନେ ମରିଗଲେ, ସେମାନେ ଆଉ ଯାଜକ ହୋଇ ରହି ପାରିଲେ ନାହିଁ। ଏଥିପାଇଁ ସେହି ଯାଜକମାନଙ୍କ ଭିତରୁ ଅନେକ ସେଠାରେ ଥିଲେ। 24 କିନ୍ତୁ ଯୀଶୁ ଅମର। ସେ କେବେ ହେଲେ ଯାଜକ ସେବାରୁ ଅବ୍ୟାହିତ ହେବେ ନାହିଁ। 25 ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଆସନ୍ତି, ସେମାନଙ୍କୁ ଯୀଶୁ ପରିତ୍ରାଣ ଦେଇ ପାରିବେ। ସେ ନିତ୍ୟ ଜୀବିତ ହେବାରୁ, ଲୋକେ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଆସିବେ, ଯୀଶୁ ସେମାନଙ୍କୁ ସର୍ବଦା ସାହାଯ୍ୟ କରି ପାରିବେ।
26 ଅତଏବ, ଯୀଶୁ ଖ୍ରୀଷ୍ଟଙ୍କ ଭଳି ମହାଯାଜକ ଆମ୍ଭର ଆବଶ୍ୟକ ଥିଲା। ସେ ପବିତ୍ର, ତାହାଙ୍କଠାରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚସ୍ଥାନକୁ ନିଆ ଯାଇଛି। 27 ସେ ଅନ୍ୟ ଯାଜକମାନଙ୍କ ଭଳି ନୁହନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସେମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ। 28 ବ୍ୟବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ। ପରମେଶ୍ୱର ଯେଉଁ ଶପଥ ବ୍ୟବସ୍ଥା ପରେ କରିଥିଲେ, ତଦ୍ଦ୍ୱାରା ପରମେଶ୍ୱରଙ୍କ ପୁତ୍ର ଅନନ୍ତକାଳ ପର୍ଯ୍ୟନ୍ତ ମହାଯାଜକ ପଦରେ ନିଯୁକ୍ତି ପାଇଲେ।
ଉପକ୍ରମ
1 ଆମୋଷଙ୍କ ବାର୍ତ୍ତା: ତକୋୟ ନଗରର ମେଷପାଳକମାନଙ୍କ ମଧ୍ୟରୁ ଆମୋଷ ଥିଲେ ଅନ୍ୟତମ। ଯେତେବେଳେ ଯିହୁଦାର ରାଜା ଉଷିୟ ଥିଲେ, ଯୋୟାଶଙ୍କ ପୁତ୍ର ଯାରବିୟାମ୍ ଇସ୍ରାଏଲ ରାଜା ଥିଲେ। ସେହି ସମୟରେ ଆମୋଷଙ୍କର ଇସ୍ରାଏଲ ବିଷୟରେ ଏକ ଦର୍ଶନ ଥିଲା। ଏହା ଥିଲା ଭୂମିକମ୍ପ ଦୁଇ ବର୍ଷର ପୂର୍ବ ଘଟଣା।
ଅରାମ ପାଇଁ ଦଣ୍ତ
2 ଆମୋଷ କହିଲେ:
“ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ।
ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ।
ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ।
ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”
3 ସଦାପ୍ରଭୁ ଏହି କଥା କହନ୍ତି: “ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ଯ୍ୟ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ଶସ୍ୟ ଦଳନ ଲୌହ ଯନ୍ତ୍ରରେ ଗିଲିୟଦର ଲୋକମାନଙ୍କୁ ଦଳନ କରିଥିଲେ। 4 ତେଣୁ ଆମ୍ଭେ ହସାୟେଲଙ୍କ ଗୃହ ନିକଟକୁ ଅଗ୍ନି ପ୍ରେରଣ କରିବା। ଏବଂ ସେହି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ୱଂସ କରିବ।
5 “ଆମ୍ଭେ ମଧ୍ୟ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦେବା। ଆବନର ଉପତ୍ୟକାର ସିଂହାସନ ଉପରେ ବସିଥିବା ବ୍ୟକ୍ତିକୁ ବିତାଡ଼ିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କେତକୁ ମଧ୍ୟ ନିଶ୍ଚିହ୍ନ କରି ଦେବି। ଆଉ ମଧ୍ୟ ଅରାମର ଲୋକମାନେ ପରାଜିତ ହେବେ ଓ କୀରକୁ ଯିବେ।” ସଦାପ୍ରଭୁ ଏହା ହିଁ କହନ୍ତି।
ଫିଲିଷ୍ଟାଇନ୍ ପାଇଁ ଦଣ୍ତ
6 ସଦାପ୍ରଭୁ ଏହା ହିଁ କହନ୍ତି: “ଘସାର ଲୋକମାନଙ୍କୁ ଆମ୍ଭେ ସେମାନଙ୍କର ବହୁ ଅପରାଧ ପାଇଁ ନିଶ୍ଚୟ ଦଣ୍ତ ଦେବା, କାରଣ ସେମାନେ ସମଗ୍ର ଜାତିମାନଙ୍କୁ ନେଇଯାଇ ଇଦୋମକୁ କ୍ରୀତଦାସରୂପେ ଦେଇଥିଲେ। 7 ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସ କରିବ। 8 ଆଉ ମଧ୍ୟ ଅସ୍ଦୋଦର ସିଂହାସନରେ ବସିଥିବା ଲୋକଟିକୁ ଧ୍ୱଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ୟ ବିନାଶ କରିବା। ଇକ୍ରୋଣର ଲୋକମାନଙ୍କୁ ମଧ୍ୟ ଆମ୍ଭେ ଦଣ୍ତ ଦେବା। ତା’ପରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସେମାନେ ମଧ୍ୟ ମୃତ୍ୟୁବରଣ କରିବେ।” ସଦାପ୍ରଭୁ ପରମେଶ୍ୱର ଏହିସବୁ କହିଥିଲେ।
ଫୋୟେନସିଆ ପାଇଁ ଶାସ୍ତି
9 ସଦାପ୍ରଭୁ ଏହିକଥା କହନ୍ତି: “ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଜାତିକୁ ନେଇଗଲେଏବଂ ସେମାନଙ୍କୁ କ୍ରୀତଦାସ ରୂପେ ଇଦୋମକୁ ପ୍ରେରଣ କରିଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ସହିତ ବନ୍ଧୁତ୍ୱ ଚୁକ୍ତିକୁ ମନେ ପକାଇ ନ ଥିଲେ। 10 ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ଧ୍ୱଂସ କରିଦେବ।”
ଇଦୋମର ଲୋକମାନଙ୍କ ପାଇଁ ଶାସ୍ତି
11 ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧରେ ଲିପ୍ତ ଥିଲେ। ସେମାନେ ମଧ୍ୟ ସେମାନଙ୍କର ଭାଇମାନଙ୍କୁ ଖଡ଼୍ଗଧରି ଗୋଡ଼ାଇଲେ। ଏବଂ ଟିକିଏ ହେଲେ ଦୟା ଦେଖାଇ ନ ଥିଲେ। ଇଦୋମ ନିଜର କ୍ରୋଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କ୍ରୋଧ ବନ୍ଦ କଲେ ନାହିଁ। ଇସ୍ରାଏଲୀୟମାନଙ୍କୁ ସେମାନେ ବନ୍ୟପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ। 12 ତେଣୁ ଆମ୍ଭେ ତୈମନ୍ ଉପରେ ଅଗ୍ନି ବୃଷ୍ଟି କରିବା। ସେହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରି ପକାଇବ।”
ଅମୋନର ଅଧିବାସୀଙ୍କ ପାଇଁ ଦଣ୍ତ
13 ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଅମ୍ମୋନର ଲୋକମାନଙ୍କୁ ଦଣ୍ତ ଦେବା, ଯେଉଁମାନେ ଅନେକ ଅପରାଧ କରିଛନ୍ତି, କାରଣ ସେମାନେ ଗିଲିୟଦରେ ଗର୍ଭବତୀ ନାରୀମାନଙ୍କୁ ହତ୍ୟା କରିଅଛନ୍ତି। ଅମ୍ମୋନର ଲୋକମାନେ ଏହିପରି କାର୍ଯ୍ୟ କଲେ, ଯେଟରୁ ସେମାନଙ୍କର ସୀମା ଅଧିକ ଜାଗା ବଢ଼ାଇବାକୁ। 14 କିନ୍ତୁ ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ପକାଇବା ଏବଂ ଏହା ସେଠାକାର ସମସ୍ତ ପ୍ରାସାଦ ଓ ସେହି ଅଗ୍ନି ଦେଶକୁ ଧ୍ୱଂସ କରିଦେବ ଏବଂ ସେଠାରେ ଯୁଦ୍ଧ ବିଭୀଷିକା ଘୂର୍ଣ୍ଣିବାୟୁ ଆସିବ। 15 ତା’ପରେ ସେମାନଙ୍କର ରାଜା ଓ ପ୍ରାଚୀନମାନେ ଏବଂ ସେମାନେ ସମସ୍ତେ ନିର୍ବାସିତ ହେବେ।” ସଦାପ୍ରଭୁ ଏହି ବାକ୍ୟ କହିଥିଲେ।
ଦାଉଦଙ୍କ ଗୀତ
144 ସଦାପ୍ରଭୁ ମୋର ଶୈଳ,
ତାହଙ୍କର ପ୍ରଶଂସା ହେଉ।
ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
2 ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି।
ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ।
ସେ ମୋତେ ଉଦ୍ଧାର କରନ୍ତି।
ସେ ମୋର ଢାଲ,
ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ।
ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।
3 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି?
ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?
4 ମନୁଷ୍ୟ ଜୀବନ ପବନର ଫୁତ୍କାର।
ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।
5 ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ।
ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ।
6 ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ।
ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।
7 ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର।
ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ।
ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।
8 ସେହି ଶତ୍ରୁଗଣ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
9 ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖଡ଼୍ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
ସେହି ଶତ୍ରୁମାନେ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14 ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।
2010 by World Bible Translation Center