M’Cheyne Bible Reading Plan
ସଦାପ୍ରଭୁଙ୍କ ମନ୍ଦିରରେ ତାଙ୍କର ନିୟମ-ସିନ୍ଦୁକ
8 ତା’ପରେ ରାଜା ଶଲୋମନ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇସ୍ରାଏଲର ସମସ୍ତ ପରିବାରର ମୁଖ୍ୟଙ୍କୁ ଏକତ୍ର ଡକାଇଲେ ଓ ସେମାନଙ୍କୁ ଯିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମନ୍ଦିରକୁ ଆଣିବାରେ ସେମାନଙ୍କର ଯୋଗଦାନ ସେ ଗ୍ଭହୁଁଥିଲେ। 2 ଇସ୍ରାଏଲର ସମସ୍ତ ପୁତ୍ରଗଣ ବର୍ଷର ସପ୍ତମ ମାସରେ ଏଥାନୀମ ନାମକ ଏକ ବିଶେଷ ପର୍ବ ଦିନରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ରିତ ହେଲେ।
3 ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହେବାପରେ ଯାଜକମାନେ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଉଠାଇଲେ। 4 ସେମାନେ ସଦାପ୍ରଭୁଙ୍କ ଯୁକ୍ତି ପବିତ୍ର ସିନ୍ଦୁକ ସହିତ ସମାଗମ-ତମ୍ବୁ ଏବଂ ସମସ୍ତ ପବିତ୍ର ପାତ୍ରଗୁଡ଼ିକ ଏବଂ ତାଟିଆଗୁଡ଼ିକ ସମାଗମ-ତମ୍ବୁ ଭିତରକୁ ବହନ କରି ନେଲେ। ଏହିସବୁ ବହିଆଣିବାରେ ଯାଜକମାନଙ୍କୁ ଲେବୀୟମାନେ ସାହାଯ୍ୟ କଲେ। 5 ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକେ ନିୟମ-ସିନ୍ଦୁକ ସମ୍ମୁଖରେ ଏକତ୍ରିତ ହେଲେ ଓ ଅନେକ ଗାଈ ଓ ମେଷ, ବଳିଦାନ କଲେ। ସେମାନଙ୍କର ସଂଖ୍ୟା ଅଗଣନ ଥିଲା। 6 ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଯଥା ସ୍ଥାନରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ। 7 କିରୁବମାନଙ୍କର ପକ୍ଷ ସମଗ୍ର ନିୟମ-ସିନ୍ଦୁକକୁ ଓ ସାଙ୍ଗୀ ଉପରକୁ ଆଚ୍ଛାଦନ କରିଥିଲା। 8 ଆଉ ସେହି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ ତାହାର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖରେ ଥିବା ପବିତ୍ର ସ୍ଥାନରୁ ଦେଖା ଯାଉଥିଲା, ମାତ୍ର ବାହାରୁ ଦେଖା ଯାଉ ନ ଥିଲା। ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ସେଠାରେ ଅଛି। 9 ସେହି ପବିତ୍ର ସିନ୍ଦୁକରେ କେବଳ ଦୁଇଟି ପ୍ରସ୍ତର ଫଳକ ଥିଲା। ହୋରେବ ନିକଟରେ ମୋଶା ଏହି ଫଳକ ଦୁଇଟିକୁ ରଖିଥିଲେ ଯେତେବେଳେ ଇସ୍ରାଏଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିଥିଲେ। ସେତେବେଳେ ସଦାପ୍ରଭୁ ଏହି ହୋରେବରେ ଇସ୍ରାଏଲୀୟଙ୍କ ପାଇଁ ନିୟମ କରିଥିଲେ।
10 ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମହାପବିତ୍ର ସ୍ଥାନରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘରେ ପରିପୂର୍ଣ୍ଣ ଥିଲା। 11 ଯାଜକମାନେ ସଦାପ୍ରଭୁଙ୍କ ସେବା କରି ପାରିଲେ ନାହିଁ କାରଣ ମନ୍ଦିରଟି ମେଘରେ ପରିପୂର୍ଣ୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମାରେ ପୂର୍ଣ୍ଣ ହୋଇଥିଲା। 12 ତା’ପରେ ଶଲୋମନ କହିଲେ,
“ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ଯ୍ୟକୁ ସୃଷ୍ଟି କରିଅଛନ୍ତି।
ମାତ୍ର ସେ ଘୋର ଅନ୍ଧକାର ମେଘରେ ବାସ କରିବାକୁ ପସନ୍ଦ କରନ୍ତି। [a]
13 ଚିରଦିନ ପାଇଁ ବାସ କରିବାକୁ ତୁମ୍ଭ ପାଇଁ
ମୁଁ ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ନିର୍ମାଣ କରିଅଛି।”
14 ଇସ୍ରାଏଲର ସମସ୍ତ ପୁତ୍ରଗଣ ସେଠାରେ ଦଣ୍ଡାୟମାନ ହୋଇଥିଲେ। ରାଜା ଶଲୋମନ ତାଙ୍କର ମୁହଁ ବୁଲାଇଲେ ଓ ସେମାନଙ୍କୁ ଆଶୀର୍ବାଦ କଲେ। 15 ତା’ପରେ ଶଲୋମନ ସଦାପ୍ରଭୁଙ୍କୁ ଏକ ଦୀର୍ଘ ପ୍ରାର୍ଥନାରେ କହିଲେ,
“ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା କର, ଯାହା ସେ ମୋର ପିତା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ, ସଦାପ୍ରଭୁ ନିଜେ ପୂରଣ କରିଛନ୍ତି। ସଦାପ୍ରଭୁ ମୋର ପିତାଙ୍କୁ କହିଲେ। 16 ‘ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିବାଠାରୁ ଏପର୍ଯ୍ୟନ୍ତ କୌଣସି ସହରକୁ ଇସ୍ରାଏଲର ପରିବାରବର୍ଗରୁ ଆମ୍ଭର ନାମର ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବାକୁ ମନୋନୀତ କଲୁ ନାହିଁ, କି ଆମ୍ଭର ଲୋକମାନଙ୍କର ନେତା ପାଇଁ ମନୋନୀତ କଲୁ ନାହିଁ। କିନ୍ତୁ ବର୍ତ୍ତମାନ ଆମ୍ଭେ ଯିରୁଶାଲମକୁ ମନୋନୀତ କରିଅଛୁ ଯେଉଁଠାରେ ଆମ୍ଭେ ସମ୍ମାନିତ ହେବା ଓ ଆମ୍ଭର ଲୋକମାନଙ୍କ ଉପରେ ଶାସନ କରିବା ପାଇଁ ଦାଉଦଙ୍କୁ ମନୋନୀତ କରିଅଛୁ।’
17 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମାନାର୍ଥେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମୋର ପିତା ଦାଉଦ ବିଶେଷ ଭାବରେ ମନସ୍ଥ କରିଥିଲେ। 18 ମାତ୍ର ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ଆମ୍ଭର ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିବାକୁ ତୁମ୍ଭର ବହୁତ ଇଚ୍ଛା ଅଛି, ତୁମ୍ଭର ଏହି ଇଚ୍ଛା ଉତ୍ତମ ଅଟେ। 19 କିନ୍ତୁ ତୁମ୍ଭେ ସେହି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।’
20 “ସଦାପ୍ରଭୁଙ୍କର ସେହି ପ୍ରତିଜ୍ଞା ଆଜି ସଫଳ ହୋଇଛି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେଲି ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମର ସମ୍ମାନାର୍ଥେ ସେହି ମନ୍ଦିର ନିର୍ମାଣ କଲି। 21 ସଦାପ୍ରଭୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ ତାହା ଏହି ନିୟମ-ସିନ୍ଦୁକ ମଧ୍ୟରେ ଅଛି। ସେହି ନିୟମ-ସିନ୍ଦୁକକୁ ରଖିବା ନିମନ୍ତେ ମୁଁ ଏକ ସ୍ଥାନ ସଦାପ୍ରଭୁଙ୍କ ଗୃହରେ ନିରୂପଣ କରିଅଛି।”
22 ତା’ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଛିଡ଼ା ହେଲେ ଓ ଇସ୍ରାଏଲର ସମଗ୍ର ସମାଜ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ସେ ସ୍ୱର୍ଗଆଡ଼େ ଆପଣା ହସ୍ତ ବିସ୍ତାର କଲେ। 23 ଏବଂ କହିଲେ,
“ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗ କି ପୃଥିବୀରେ ତୁମ୍ଭ ତୁଲ୍ୟ ସଦାପ୍ରଭୁ କେହି ନାହାନ୍ତି। ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ସହିତ ଏକ ନିୟମ କରିଥିଲ କାରଣ ତୁମ୍ଭେ ସେମାନଙ୍କୁ ପ୍ରେମ କର। ତୁମ୍ଭେ ତୁମ୍ଭର ନିୟମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣରେ ଅନୁସରଣ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ଦୟାଳୁ ଓ ବିଶ୍ୱସ୍ତ ହୋଇଥାଅ। 24 ତୁମ୍ଭେ ଆପଣାର ସେବକ, ମୋର ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ। ଆଉ ତୁମ୍ଭେ ନିଜ ମୁଖରେ ଯାହା ପ୍ରତିଜ୍ଞା କରିଥିଲ, ଏହା ସତ୍ୟ କରିବା ପାଇଁ ତୁମ୍ଭେ ଆଜି ତୁମ୍ଭର ମହାନ ଶକ୍ତିବଳରେ ତାହା ପୂରଣ କରିଅଛ। 25 ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିୟମକୁ ଅନୁସରଣ କରୁଅଛ, ଯଦି ତୁମ୍ଭର ପୁତ୍ରମାନେ ସେହିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତେବେ ଇସ୍ରାଏଲ ସିଂହାସନରେ ତୁମ୍ଭ ବଂଶରୁ ହିଁ ସର୍ବଦା ଇସ୍ରାଏଲ ଉପରେ ରାଜ୍ୟ କରିବେ। ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ତୁମ୍ଭର ସେହି ବାକ୍ୟ ଏବେ ସଫଳ କର।’ 26 ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି ମୋ’ ପିତା ଦାଉଦଙ୍କ ପ୍ରତି ଯେଉଁ ପ୍ରତିଜ୍ଞା କରିଅଛ ତାହା ଗ୍ଭଲୁରଖ।
27 “କିନ୍ତୁ ହେ ପରମେଶ୍ୱର, ତୁମ୍ଭେ କ’ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ଯେତେବେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତେବେ ମୋ’ ଦ୍ୱାରା ନିର୍ମିତ ଏକ ଛୋଟ ଗୃହ କ’ଣ ତୁମ୍ଭକୁ ଧାରଣ କରି ପାରିବ? 28 ତଥାପି ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବେଦନ କରୁଅଛି, ଯେହେତୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର। 29 ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ‘ମୋର ନାମ ସେଠାରେ ସମ୍ମାନ୍ୱିତ ହେବ।’ ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିରରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି। 30 ହେ ସଦାପ୍ରଭୁ, ତୁମ୍ଭର ଦାସ ଓ ଇସ୍ରାଏଲର ଲୋକେ ଏହି ସ୍ଥାନକୁ ଆସିବେ ଓ ବିନତି କରିବେ, ସେମାନଙ୍କର ପ୍ରାର୍ଥନା ମନୋଯୋଗ ପୂର୍ବକ ଶୁଣ। ଆମ୍ଭେ ଜାଣୁ ଆପଣଙ୍କ ନିବାସଭୂମି ସ୍ୱର୍ଗ। ଆମ୍ଭେ ବିନତି କରୁଅଛୁ ସେହିଠାରେ ଥାଇ ଆମ୍ଭ ପ୍ରାର୍ଥନା ଶୁଣ ଓ ଆମ୍ଭମାନଙ୍କୁ କ୍ଷମା କର।
31 “ଯଦି କେହି ନିଜ ପ୍ରତିବାସୀ ବିରୁଦ୍ଧରେ କିଛି ପାପ କରେ ତେବେ ତାକୁ ଏହି ମନ୍ଦିରର ଯଜ୍ଞବେଦି ନିକଟକୁ ଅଣାଯିବ। ସଂପୃକ୍ତ ବ୍ୟକ୍ତି ଜଣକ ସେହି ଭୁଲ୍ କରିଥିବା ବ୍ୟକ୍ତି ଜଣକ ବିରୁଦ୍ଧରେ ଶାପ ଦେବ। 32 ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତେବେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସେଇ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଧୋଷ ତେବେ, ତା’ର ଧାର୍ମିକତା ଅନୁଯାୟୀ ତାକୁ ପୁରସ୍କୃତ କର।
33 “ସମୟ ସମୟରେ ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଓ ସେଥିପାଇଁ ଶତ୍ରୁଦ୍ୱାରା ପରାସ୍ତ ହେବେ। ଯଦି ତୁମ୍ଭ ନିକଟକୁ ଫେରି ଆସି ତୁମ୍ଭ ନାମର ପ୍ରଶଂସା ଉତ୍ସର୍ଗିକୃତ ଭାବରେ କରନ୍ତି ଓ ଏହି ମନ୍ଦିରରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି। 34 ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆପଣା ଇସ୍ରାଏଲ ଲୋକର ପାପସବୁ କ୍ଷମା କର ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେମାନଙ୍କୁ ସେଠାକୁ ପୁନର୍ବାର ଫେରାଇ ଆଣ।
35 “ସମୟ ସମୟରେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ହେତୁ ସେମାନଙ୍କର ଭୂମିରେ ବୃଷ୍ଟିପାତ ବନ୍ଦ କରିବ। ତା’ପରେ ସେମାନେ ମନ୍ଦିରରେ ପ୍ରାର୍ଥନା କରିବେ ଓ ତୁମ୍ଭ ନାମର ପ୍ରଶଂସା କରିବେ। ସେମାନେ ସେମାନଙ୍କର ପାପ ସ୍ୱୀକାର କରିବେ ଏବଂ ଏଥିରୁ ଫେରି ଆସିବେ କାରଣ ତୁମ୍ଭେ ସେମାନଙ୍କୁ କଷ୍ଟ ଦେଇଛ। 36 ତେଣୁ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସେବକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବାରେ ଶିକ୍ଷା ଦିଅ ଓ ତା’ପରେ ତୁମ୍ଭ ଦେଶରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଥିଲ।
37 “ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଶସ୍ୟ ସବୁ ନଷ୍ଟ ହୁଏ, ପଙ୍ଗପାଳ ଓ କୀଟ ଦ୍ୱାରା ନଷ୍ଟ ହୁଏ, ଶତ୍ରୁମାନଙ୍କଦ୍ୱାରା ନଗର ସମୂହ ଆକ୍ରମିତ ହୋଇ ଅବରୁଦ୍ଧ ହୁଏ ଓ ଯେବେ ତୁମ୍ଭର ଲୋକେ ରୋଗାକ୍ରାନ୍ତ ହୁଅନ୍ତି। 38 ଯେତେବେଳେ ଏହା ଭିତରୁ କୌଣସି ଘଟଣା ଘଟେ ଏବଂ ଇସ୍ରାଏଲୀୟ ତୁମ୍ଭର ଯେକୌଣସି ଲୋକ ତା’ର ନିଜର ପାପ ପାଇଁ ଦୁଃଖ କରେ ଏବଂ ସେମାନଙ୍କର ହାତ ଏହି ମନ୍ଦିର ଆଡ଼କୁ ବଢ଼େଇ ତୁମ୍ଭକୁ ପ୍ରାର୍ଥନା କରନ୍ତି। 39 ତୁମ୍ଭେ ଆପଣାର ବାସସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନଙ୍କୁ କ୍ଷମା କର ଏବଂ ସାହାଯ୍ୟ କର। କେବଳ ତୁମ୍ଭେ ଜାଣ ଲୋକମାନେ କ’ଣ ଚିନ୍ତା କରୁଛନ୍ତି। ତେଣୁ ସେଇ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ବିଗ୍ଭର କର ଏବଂ ତୁମ୍ଭ ବିଗ୍ଭରରେ ସାଧୁତା ଦେଖାଅ। 40 ତାହା କର ତାହାହେଲେ ଲୋକମାନେ ସର୍ବଦା ତୁମ୍ଭକୁ ଭୟ କରିବେ ଓ ଭକ୍ତି କରିବେ ଯେଉଁ ଭୂମିରେ ସେମାନେ ବାସ କରୁଛନ୍ତି, ଯେଉଁ ଭୂମିକୁ ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଙ୍କୁ ଦେଇଥିଲ।
41-42 “କେବଳ ଇସ୍ରାଏଲର ଲୋକେ ନୁହନ୍ତି, ଦୂର ଦେଶର ଲୋକମାନେ ତୁମ୍ଭର ମହିମା ଓ ଗୌରବ ବିଷୟରେ ଶୁଣିବେ। ସେମାନେ ଏହି ମନ୍ଦିରକୁ ବହୁ ଦୂରରୁ ଆସିବେ ଓ ପ୍ରାର୍ଥନା କରିବେ। 43 ତୁମ୍ଭେ ତୁମ୍ଭର ନିବାସଭୂମି ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ; ସେହି ବିଦେଶୀ ଲୋକମାନଙ୍କର ପ୍ରାର୍ଥନା ଅନୁସାରେ ସେମାନଙ୍କୁ ଫଳ ଦିଅ; ତାହାହେଲେ ସେମାନେ ଇସ୍ରାଏଲ ଲୋକପରି ତୁମ୍ଭକୁ ଭୟ ଓ ଭକ୍ତି କରିବେ। ଆଉ ମଧ୍ୟ ସବୁ ସ୍ଥାନରେ ସବୁଲୋକ ତୁମ୍ଭର ସମ୍ମାନ ଉଦ୍ଦେଶ୍ୟରେ ମୁଁ ଏହି ମନ୍ଦିର ନିର୍ମାଣ କରିଛି ବୋଲି ଜାଣିବେ।
44 “କେବେ କେବେ ତୁମ୍ଭର ଲୋକ ତୁମ୍ଭର ଆଦେଶରେ ଶତ୍ରୁ ବିପକ୍ଷରେ ଯୁଦ୍ଧ କରିବାକୁ ଗଲାବେଳେ ତୁମ୍ଭର ଏହି ମନୋନୀତ ସ୍ଥାନରେ ତୁମ୍ଭ ସମ୍ମାନାର୍ଥେ ମୋ’ ଦ୍ୱାରା ନିର୍ମିତ ମନ୍ଦିରରେ ପ୍ରାର୍ଥନା କରିବେ। 45 ସେତେବେଳେ ତୁମ୍ଭେ ତୁମ୍ଭ ନିବାସଭୂମି ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନଙ୍କୁ ଫଳ ଦିଅ।
46 “ତୁମ୍ଭର ଲୋକମାନେ ସମୟ ସମୟରେ ତୁମ୍ଭ ବିରୁଦ୍ଧରେ ପାପ କରିବେ। ମୁଁ ଏହା ଜାଣେ କାରଣ ପ୍ରତ୍ୟେକ ଲୋକ ପାପ କରନ୍ତି। ତୁମ୍ଭେ ସେମାନଙ୍କ ଉପରେ କ୍ରୋଧାନ୍ୱିତ ହେବ ଓ ସେମାନଙ୍କୁ ଶତ୍ରୁମାନଙ୍କ ଦ୍ୱାରା ପରାଜିତ କରାଇବ। ସେମାନଙ୍କର ଶତ୍ରୁ ସେମାନଙ୍କୁ ବନ୍ଦୀକରି ଦୂର ଦେଶକୁ ନେଇଯିବେ। 47 ସେହି ଦୂର ଦେଶରେ ବନ୍ଦୀରୂପେ ଥିବା ବେଳେ, ଯଦି ସେମାନେ ସେମାନଙ୍କର କୁକର୍ମ ପାଇଁ ସେଠାରେ ଅନୁତାପ କରନ୍ତି ଏବଂ ସ୍ୱୀକାର କରନ୍ତି, ‘ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।’ 48 ଯଦି ସେହି ବନ୍ଦୀମାନେ ସେହି ଦୂର ଦେଶରେ ସେମାନଙ୍କର ହୃଦୟ ସହକାରେ ତୁମ୍ଭ ପ୍ରତି ଫେରନ୍ତି। ପୁଣି ତୁମ୍ଭେ ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ଦେଇଥିବା ଦେଶକୁ, ତୁମ୍ଭର ମନୋନୀତ ନଗରକୁ ତୁମ୍ଭ ସମ୍ମାନାର୍ଥେ ମୁଁ କରିଥିବା ମନ୍ଦିରକୁ ଫେରି ଆସନ୍ତି। 49 ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କୁ ସମର୍ଥନ କର। 50 ତୁମ୍ଭ ବିରୁଦ୍ଧରେ ପାପ କରିଥିବା ତୁମ୍ଭର ସେହି ଲୋକମାନଙ୍କୁ ଓ ତୁମ୍ଭଠାରୁ ବିମୁଖ ହୋଇଥିବା ସେହି ଲୋକମାନଙ୍କୁ କ୍ଷମା କର। ସେମାନଙ୍କର ଶତ୍ରୁମାନଙ୍କୁ ସେମାନଙ୍କ ପ୍ରତି ଦୟାଳୁ ହେବାକୁ ଦିଅ। 51 ମନେରଖ ଯେ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭେ ସେମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ଏହା ଏପରି ସଦୃଶ୍ୟ ଯେ, ତୁମ୍ଭେ ସେମାନଙ୍କୁ ଗରମ ଚୁଲ୍ଲୀରୁ ଟାଣି ଆଣି ରକ୍ଷା କରିଅଛ।
52 “ହେ ସଦାପ୍ରଭୁ ପରମେଶ୍ୱର, ଦୟାକରି ମୋର ତଥା ଇସ୍ରାଏଲର ସମସ୍ତ ଲୋକଙ୍କର ପ୍ରାର୍ଥନା ଶୁଣ। ସେମାନେ ଯେତେବେଳେ ପ୍ରାର୍ଥନା କରନ୍ତି, ସେ ସମୟରେ ତାହା ଶୁଣ। 53 କାରଣ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କୁ କହିଥିଲ ଯେ, ଏହି ଲୋକମାନେ ତୁମ୍ଭର ବିଶେଷ ଲୋକ ବୋଲି ତୁମ୍ଭେ ଅନ୍ୟ ସମସ୍ତ ଦେଶଠାରୁ ପୃଥକ କରିଅଛ।”
54 ଏହି ପ୍ରାର୍ଥନା କଲାବେଳେ ରାଜା ଶଲୋମନ ଯଜ୍ଞବେଦି ସମ୍ମୁଖରେ ଆଣ୍ଠୁମାଡ଼ି ଓ ସ୍ୱର୍ଗଆଡ଼େ ହସ୍ତ ପ୍ରସାରଣ କଲେ। ତା’ପରେ ସେ ଛିଡ଼ା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ। 55 ତତ୍ପରେ ସେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ସମସ୍ତ ଇସ୍ରାଏଲ ଲୋକଙ୍କୁ ଆଶୀର୍ବାଦ କରିବାକୁ ପ୍ରାର୍ଥନା କରି ଏହା କହିଲେ,
56 “ସଦାପ୍ରଭୁ ଯିଏ ଆପଣାର ପ୍ରତିଜ୍ଞାନୁସାରେ ଇସ୍ରାଏଲକୁ ସମସ୍ତ ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି, ସେ ପ୍ରଶଂସିତ ହୁଅନ୍ତୁ; ସେ ମୋଶାଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ସମସ୍ତ ଉତ୍ତମ ପ୍ରତିଜ୍ଞାଗୁଡ଼ିକର ଗୋଟିଏ ହେଲେ ବିଫଳ ହୋଇ ନାହିଁ। 57 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କର ପିତୃ ଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସହିତ ରୁହନ୍ତୁ ସେ ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତୁ ନାହିଁ କି ଆମ୍ଭଠାରୁ ଦୂରେଇ ଯାଆନ୍ତୁ ନାହିଁ। 58 ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ପ୍ରତି ଆନୁଗତ୍ୟ ରହିବୁ। ବିଶ୍ୱସ୍ତଭାବରେ ସଦାପ୍ରଭୁଙ୍କର ନିୟମ, ଆଦେଶ ଓ ବ୍ୟବସ୍ଥା ଯାହା ଆମ୍ଭର ପୂର୍ବପୁରୁଷଗଣଙ୍କୁ ଦିଆଯାଇଥିଲା, ସେଗୁଡ଼ିକ ପାଳନ କରି ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରିବୁ। 59 ମୁଁ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ସମ୍ମୁଖରେ ମୋର ପ୍ରାର୍ଥନା ଓ ଅନୁରୋଧ ସର୍ବଦା ମନେ ରଖିବାକୁ, ଦିନ ଓ ରାତି ଆମ୍ଭ ପାଇଁ ଏହିସବୁ କରିବାକୁ ଓ ତାଙ୍କର ସେବକ ଓ ତାଙ୍କର ଇସ୍ରାଏଲ ଲୋକମାନଙ୍କର ଆବଶ୍ୟକତାର ଯତ୍ନ ନେବାକୁ ଆଗ୍ରହପୂର୍ଣ୍ଣ ସହିତ ପ୍ରାର୍ଥନା କରୁଅଛି। 60 ଏହା ଦ୍ୱାରା ସଦାପ୍ରଭୁ ଯେ ପରମେଶ୍ୱର ଓ ତାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀର ସମସ୍ତ ଗୋଷ୍ଠୀ ଜାଣିବେ। 61 ତୁମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଓ ସତ୍ ହୁଅ। ତାଙ୍କୁ ସର୍ବଦା ଅନୁସରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ବ୍ୟବସ୍ଥା ଓ ଆଜ୍ଞା ପାଳନ କର। ବର୍ତ୍ତମାନ ପରି ଭବିଷ୍ୟତରେ ପାଳନ କରିବାକୁ ସର୍ବାନ୍ତଃକରଣରେ ସ୍ଥିର କର।”
62 ଅନନ୍ତର ରାଜା ଓ ତାଙ୍କ ସହିତ ସମସ୍ତ ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ। 63 ରାଜା ଶଲୋମନ ଓ ଇସ୍ରାଏଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 120,000 ମେଷ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହିରୂପେ ରାଜା ଓ ସମଗ୍ର ଇସ୍ରାଏଲର ଲୋକେ ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗ କଲେ।
64 ଆଉ ମଧ୍ୟ ସେହି ଦିନ ରାଜା ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣ ପବିତ୍ର କଲେ; କାରଣ ସେଠାରେ ସେ ହୋମବଳି, ଶସ୍ୟ ନୈବେଦ୍ୟ ଓ ସହଭାଗିତାର ବଳିର ମେଦ ଉତ୍ସର୍ଗ କଲେ। ଯେହେତୁ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ଯଜ୍ଞବେଦି ଅତି ଛୋଟ ଥିଲା।
65 ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ୟଦେଇ ଦକ୍ଷିଣରେ ମିଶରର ସୀମା ପର୍ଯ୍ୟନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖରେ ଏହି ପର୍ବ ଚଉଦ ଦିନ ଯାଏ ପାଳନ କଲେ। 66 ଅଷ୍ଟମ ଦିନରେ ଶଲୋମନ ଲୋକମାନଙ୍କୁ ବିଦାୟ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ୟବାଦ ଦେଇ ସେମାନଙ୍କର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇସ୍ରାଏଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦୟଙ୍ଗମ କରି ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ପ୍ରତ୍ୟାବର୍ତ୍ତନ କଲେ।
ଜ୍ୟୋତିଃର୍ମୟ ଜୀବନ
5 ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର। 2 ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।
3 ତୁମ୍ଭ ଭିତରେ କୌଣସି ଯୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ନୁହେଁ। 4 ତୁମ୍ଭ ଭିତରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ୍। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଥିବା ଉଚିତ୍। 5 ଗୋଟିଏ ବିଷୟ ତୁମ୍ଭେ ନିଶ୍ଚିତ ଭାବରେ ଜାଣିଥାଅ ଯେ, ଯେଉଁ ଲୋକ ଯୌନ ପାପଗୁଡ଼ିକରେ ଲିପ୍ତ ରୁହେ, ମନ୍ଦ କର୍ମ କରେ ବା ଅତିଶୟ ଲୋଭ କରେ, ସେ ଲୋକ ପାଇଁ ପରମେଶ୍ୱର ଓ ଖ୍ରୀଷ୍ଟଙ୍କ ରାଜ୍ୟରେ କୌଣସି ସ୍ଥାନ ନାହିଁ। କାରଣ ଯେଉଁ ଲୋକ ସର୍ବଦା ନିଜ ନିମନ୍ତେ କେବଳ ସମସ୍ତ ବିଷୟ ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରେ, ସେ ଭଣ୍ଡ ଦେବତାମାନଙ୍କର ପୂଜା କରେ।
6 ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି। 7 ଅତଏବ ତୁମ୍ଭେ ମଧ୍ୟ ଏଭଳି ମନ୍ଦ କର୍ମ ସେହି ଅବଜ୍ଞାକାରୀଙ୍କ ସହିତ କର ନାହିଁ। 8 ଅତୀତରେ ତୁମ୍ଭେ ଅନ୍ଧକାରରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠାରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର। 9 ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ। 10 କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ। 11 ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର। 12 ଅନ୍ଧକାରରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସେଗୁଡ଼ିକ କହିବା ପାଇଁ ମଧ୍ୟ ଲଜ୍ଜା ଲାଗେ। 13 କିନ୍ତୁ ଆଲୋକ ସମ୍ମୁଖରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ। 14 ଯାହା ସହଜରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ:
“ହେ! ଶୋଇଥିବା ଲୋକ, ଜାଗି ଉଠ
ମୃତ୍ୟୁରୁ ଉଠି ଆସ,
ଏବଂ ଖ୍ରୀଷ୍ଟ ତୁମ୍ଭକୁ ଆଲୋକିତ କରିବେ।”
15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।
ପତି ଓ ପତ୍ନୀ
21 ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।
22 ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ। 23 ଖ୍ରୀଷ୍ଟ ଯେପରି ମଣ୍ଡଳୀର [a] ମସ୍ତକ, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟିୟ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ସେହି ଶରୀରର ଉଦ୍ଧାରକର୍ତ୍ତା ହେଉଛନ୍ତି ଖ୍ରୀଷ୍ଟ। 24 ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସେହିପରି ହେ ପତ୍ନୀମାନେ, ତୁମ୍ଭେମାନେ ପ୍ରତ୍ୟେକ କଥାରେ ନିଜ ପତିଙ୍କର ବଶୀଭୂତା ହେବା ଉଚିତ୍।
25 ହେ ପତିଗଣ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି ତା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ରେମ କର। 26 ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରିଥିଲେ। ଯେପରି ସୁସାମାଗ୍ଭରର ବାକ୍ୟ ଓ ଜଳ ଦ୍ୱାରା ଧୌତ କରି ସଫା କରିବା ପରେ ସେ ପରମେଶ୍ୱରଙ୍କ କାର୍ଯ୍ୟ ମାଧ୍ୟମରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରି ପାରନ୍ତି। 27 ଯେପରି ସମ୍ପୂର୍ଣ୍ଣ ମହିମା (ସୌନ୍ଦର୍ଯ୍ୟ)ର ସହିତ ମଣ୍ଡଳୀକୁ ନିଜଠାରେ ତାହାଙ୍କ କନ୍ୟା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ମଣ୍ଡଳୀ ମଧ୍ୟରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ୍ କାର୍ଯ୍ୟ ଦେଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ୟ ହୋଇପାରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।
28 ଠିକ୍ ସେହିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ରେମ କରିବା କଥା। ନିଜ ଶରୀରକୁ ପ୍ରେମ କରିଲା ଭଳି ପ୍ରେମ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ରେମ କରେ, ସେ ନିଜ ଶରୀରକୁ ପ୍ରେମ କରେ। 29 କୌଣସି ଲୋକ ନିଜ ଶରୀରକୁ କେବେ ହେଲେ ଘୃଣା କରେ ନାହିଁ। ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ୟ କରନ୍ତି। 30 କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ। 31 ଶାସ୍ତ୍ର କୁହେ: “ଅତଏବ ଜଣେ ମନୁଷ୍ୟ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହୋଇ ଯାଆନ୍ତି।” [b] 32 ଏହି ସତ୍ୟଟି ଅତି ମହତ୍ତ୍ୱପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟରେ ମୁଁ ଏହା କହୁଅଛି। 33 ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍।
ଗୋଗ ବିପକ୍ଷରେ ବାର୍ତ୍ତା
38 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ୟ ଅଧିପତି ମାଗୋଗ ଦେଶୀୟ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ, 3 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ହେ ଗେଶର, ମେଶକର ଓ ତୁବଲର ମୁଖ୍ୟ ଅଧିପତି ରାଜା ଗୋଗ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ। 4 ମୁଁ ତୁମ୍ଭକୁ ବନ୍ଦୀ କରିବି, ତୁମ୍ଭ କଳପାଟିରେ ଅଙ୍କୁଶ ଦେବି। ଆଉ ମୁଁ ତୁମ୍ଭକୁ, ତୁମ୍ଭର ସୈନ୍ୟମାନଙ୍କୁ ଓ ଅଶ୍ୱ ଏବଂ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବି। ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ବେଶରେ ସୁସଜ୍ଜିତ ଥିବେ ଏବଂ ସେମାନେ ସମସ୍ତ ଫଳକ, ଢାଲ ଓ ଖଡ଼୍ଗ ଧାରଣ କରିଥିବେ। 5 ସେମାନଙ୍କ ସହିତ ପାରସ୍ୟ, କୂଶ ଓ ପୂଟ ଦେଶର ସୈନ୍ୟମାନେ ଥିବେ ଓ ସେମାନେ ଢାଲ ଓ ଟୋପର ଧାରଣ କରିଥିବେ। 6 ଗୋମରା ଓ ତା’ର ସମସ୍ତ ସୈନ୍ୟବାହିନୀ ଉତ୍ତର ଦିଗର ପ୍ରାନ୍ତ ସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଦଳ, ଏହି ଅନେକ ଜାତି ସେମାନଙ୍କର ସହିତ ଥିବେ।
7 “‘ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ନିଜକୁ ଓ ତୁମ୍ଭ ସହିତ ଯୋଗ ଦେଇଥିବା ସୈନ୍ୟଦଳକୁ ପ୍ରସ୍ତୁତ କର। ଆଉ ଗୋଗ ତୁମ୍ଭେ ସେମାନଙ୍କର ଦାୟିତ୍ୱ ନିଅ। 8 ଅନେକ ଦିନ ପରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବେଦନ କରାଯିବ। ପରବର୍ତ୍ତୀ ବର୍ଷମାନଙ୍କରେ ଯୁଦ୍ଧରୁ ପୂର୍ବାବସ୍ଥାକୁ ଫେରୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପରେ ଏକତ୍ରିତ ହୋଇଛନ୍ତି। ଯେଉଁମାନେ ଅତୀତରେ ବାରମ୍ବାର ବିଧ୍ୱସ୍ତ ହୋଇଥିଲେ କିନ୍ତୁ ଦେଶଗୁଡ଼ିକରୁ ସେମାନଙ୍କୁ ଅଣାଯାଇଛି ଏବଂ ସେମାନେ ସମସ୍ତେ ସେଠାରେ ନିରାପଦରେ ବାସ କରୁଛନ୍ତି। 9 ତୁମ୍ଭେ ତୁମ୍ଭର ସୈନ୍ୟଦଳ ଓ ତୁମ୍ଭ ସହିତ ବହୁତ ଦେଶ ଝଡ଼ି ସଦୃଶ ଉଠିବ। ତୁମ୍ଭେ ଓ ତୁମ୍ଭର ସୈନ୍ୟଦଳ ଦେଶକୁ ମେଘତୁଲ୍ୟ ଆଚ୍ଛନ୍ନ କରି ଆସିବ।’”
10 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେ ସମୟରେ ନାନା ଭାବନା ତୁମ୍ଭ ମନରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ। 11 ତୁମ୍ଭେ କହିବ, ‘ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି; ସେମାନେ ଶାନ୍ତିରେ ଅଛନ୍ତି, ସେମାନେ ଭାବନ୍ତି ସେମାନେ ନିରାପଦରେ ଅଛନ୍ତି, ସେମାନଙ୍କର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗରେ ପ୍ରାଚୀର ନାହିଁ କିମ୍ବା ସେମାନଙ୍କର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସେମାନଙ୍କ ଦେଶ ବିପକ୍ଷରେ ଖଡ଼୍ଗ ଆଣିବା। 12 ଲୁଣ୍ଠନ ଓ ଦ୍ରବ୍ୟ ଅପହରଣ ଉଦ୍ଦେଶ୍ୟରେ ମୁଁ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବି। ଯେଉଁ ସମସ୍ତ ଧ୍ୱଂସପ୍ରାପ୍ତ ସ୍ଥାନ ଏବେ ବସତି ବିଶିଷ୍ଟ ହୋଇଅଛି ତାହା ବିରୁଦ୍ଧରେ ଓ ଯେଉଁ ଲୋକମାନେ ନାନା ଦେଶୀୟ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି ସେମାନଙ୍କ ବିରୁଦ୍ଧରେ ଯିବି ଏବଂ ସେମାନେ ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ଦେଶର ମଧ୍ୟଭାଗରେ ବାସ କରୁଅଛନ୍ତି।’
13 “ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସେଠାସ୍ଥିତ ଯୁବା ସିଂହାସକଳ ତୁମ୍ଭକୁ ପଗ୍ଭରିବେ, ‘ତୁମ୍ଭେ କ’ଣ ଲୁଟିବାକୁ ଆସିଅଛ? ତୁମ୍ଭେ କ’ଣ ଦ୍ରବ୍ୟ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରିତ କରିଅଛ? ରୂପା ସୁନା ବହି ନେବାର, ପଶୁ ଓ ଦ୍ରବ୍ୟାଦି ଲୁଟି ନେଇଯିବାର ଅଭିପ୍ରାୟ କ’ଣ ରଖିଅଛ?’”
14 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି ଗୋଗକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଯେତେବେଳେ ମୋର ଲୋକମାନେ ଶାନ୍ତିରେ ଓ ନିରାପଦରେ ବାସ କରୁଛନ୍ତି, ତୁମ୍ଭେ ସେମାନଙ୍କୁ ଆକ୍ରମଣ କରିବାକୁ ଆସିବ। 15 ଏବଂ ତୁମ୍ଭେ ନିଜ ବାସସ୍ଥାନ ସୁଦୂର ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସହିତ ଅନେକ ଜାତିମାନେ ଆସିବେ। ସେମାନେ ସମସ୍ତେ ଅଶ୍ୱାରୋହଣ କରିଥିବା ମହାସମାଜ ଓ ପରାକ୍ରମଶାଳୀ ସୈନ୍ୟସାମନ୍ତ ଥିବେ। 16 ତୁମ୍ଭେ ଇସ୍ରାଏଲ ବିରୁଦ୍ଧରେ ମୋର ଲୋକ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ୟ ଆଚ୍ଛାଦନ କରିବ। ସେହି ଭବିଷ୍ୟତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମୋ’ ଦେଶ ବିରୁଦ୍ଧରେ ଆଣିବି, ଯାହା ଫଳରେ ଦେଶଗୁଡ଼ିକ ମୋତେ ଜାଣି ପାରିବେ। ଯେତେବେଳେ ମୋର ପବିତ୍ରତା ତୁମ୍ଭ ମାଧ୍ୟମରେ ସେମାନଙ୍କୁ ଉପସ୍ଥିତିରେ ଦେଖାଇବି।’”
17 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ସେହି ଜଣକ ନୁହଁ କି, ଯାହାକୁ ମୁଁ ମୋ’ ସେବକ ମାଧ୍ୟମରେ ବହୁ ସମୟ ଆଗରୁ କହିଥିଲି, ଇସ୍ରାଏଲର ଯାଜକଗଣ ଯେଉଁମାନେ ଆସିବାକୁ ଥିବା ଏଇ ବର୍ଷ ବିଷୟରେ ଭବିଷ୍ୟଦ୍ବାଣୀ କହିଥିଲେ ଯେ, ମୁଁ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବି।”
18 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ଯେଉଁ ଦିନ ଗୋଗ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ। ସେ ସମୟରେ ମୁଁ ମୋର କୋପ ପ୍ରଦର୍ଶନ କରିବି। 19 ଆଉ ମୁଁ ମୋର ଅନ୍ତର୍ଜ୍ୱାଳା ଓ କ୍ରୋଧାଗ୍ନିରେ ପ୍ରତିଜ୍ଞା କରେ, ଇସ୍ରାଏଲରେ ଭୟଙ୍କର ଭୂମିକମ୍ପ ହେବ। 20 ସେ ସମୟରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରସ୍ଥ ପଶୁଗଣ ଓ ଭୂମିରେ ଗୁରୁଣ୍ଡୁଥିବା ସରୀସୃପଗଣ ଆଉ ପୃଥିବୀସ୍ଥ ସମସ୍ତ ଲୋକମାନେ ଆମ୍ଭ ସାକ୍ଷାତରେ ଭୟରେ କମ୍ପିତ ହେବେ। ପର୍ବତସବୁ ଉତ୍ପାଟିତ ହେବେ ଓ ଶୃଙ୍ଗଗୁଡ଼ିକ ଭାଙ୍ଗି ପଡ଼ିବ। ଆଉ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍ ହେବ।”
21 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ମୋର ସମସ୍ତ ପର୍ବତରେ ଖଡ଼୍ଗକୁ ଗୋଗ ବିରୁଦ୍ଧରେ ଆଣିବି। ତାହାର ସୈନ୍ୟସାମନ୍ତମାନେ ଏପରି ବିହ୍ୱଳ ହେବେ ସେମାନେ ପରସ୍ପର ବିରୁଦ୍ଧରେ ଖଡ଼୍ଗ ଆଣିବେ। 22 ପୁଣି ମୁଁ ଗୋଗ ବିପକ୍ଷରେ ମହାମାରୀ ଓ ମୃତ୍ୟୁ ଆଣି ଦଣ୍ଡିତ କରିବି। ମୁଁ ତାହା ଉପରେ, ତାହାର ସୈନ୍ୟଦଳ ଉପରେ ଓ ତା’ର ସଙ୍ଗୀ ଅନେକ ଜାତିମାନଙ୍କ ଉପରେ ପ୍ଳାବନକାରୀ ବୃଷ୍ଟି, ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବୃଷ୍ଟି କରାଇବି। 23 ଏବଂ ଏହି ପ୍ରକାରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦେଖାଇ ଦେବି ଯେ, ମୁଁ ମହାନ ଓ ପବିତ୍ର ଅଟେ। ତାହାହେଲେ ସେମାନେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
ଇଷ୍ରାହୀୟ ଏଥନର ମସ୍କୀଲ୍।
89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
2 ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”
3 ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
4 ‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’”
5 ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
6 ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
“ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
7 ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
8 ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
9 ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
ତୁମ୍ଭେ ତା’ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
ସେ ଏକ ଶବପରି ଥିଲା।
ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।
11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
ତୁମ୍ଭର ଶକ୍ତି ମହାନ।
ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।
15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅଦ୍ଭୂତ ଶକ୍ତି।
ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।
19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ,
“ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ।
ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ।
ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା
ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ।
ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା
ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା
ଏବଂ ତାଙ୍କୁ ବିଜୟୀ କରିବା।
25 ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ
ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା।
26 ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା,
ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’
27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା।
ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।
28 ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା।
ଆମ୍ଭର ଚୁକ୍ତି ସର୍ବଦା ତା’ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।
29 ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା
ଓ ତା’ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ।
30 ଯଦି ବଂଶଧରଗଣ ଆମ୍ଭ ବ୍ୟବସ୍ଥା ପରିତ୍ୟାଗ କରନ୍ତି
ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସେମାନଙ୍କୁ ଦଣ୍ଡ ଦେବା।
31 ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି
ଏବଂ ମୋ’ ଆଜ୍ଞା ନ ପାଳନ୍ତି,
32 ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ
ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା।
33 ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ।
ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା।
34 ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ
କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।
35 ଆମ୍ଭେ ଆପଣା ପ୍ରବିତ୍ରତା ଦ୍ୱାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶେଷ ପ୍ରତିଜ୍ଞା କରିଥିଲୁ।
ତେଣୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ।
36 ଦାଉଦର ବଂଶ ସଦାକାଳ ରହିବ।
ଦାଉଦର ସିଂହାସନ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ।
37 ଏହା ଚନ୍ଦ୍ରପରି ଚିରଦିନ ଗ୍ଭଲୁ ରହିବ।
ଏହା ଆକାଶପରି ଚିରଦିନ ପାଇଁ ରହିବ।”
38 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୋଧ ହୋଇଅଛି,
ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ୟାଗ କରିଅଛ।
39 ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଙ୍ଗ କରିଅଛ।
ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛ।
40 ତୁମ୍ଭେ ତା’ର ସମସ୍ତ ପ୍ରାଚୀର ଭାଙ୍ଗିଅଛ।
ତୁମ୍ଭେ ତା’ର ଦୃଢ଼ ଗଡ଼ସବୁ ଧ୍ୱଂସ କରିଅଛ।
41 ପଥ ଦେଇ ଯିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି।
ଆପଣା ପ୍ରତିବାସୀମାନେ ତାଙ୍କୁ ପରିହାସ କରନ୍ତି।
42 ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛ।
ତୁମ୍ଭେ ତା’ର ସମସ୍ତ ଶତ୍ରୁଙ୍କୁ ଖୁସୀ କରାଇଅଛ।
43 ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ନିଜକୁ ରକ୍ଷା କରିବାରେ ସାହାଯ୍ୟ କରିଅଛ।
ତୁମ୍ଭେ ନିଜ ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରି ନାହଁ।
44 ତୁମ୍ଭେ ତାଙ୍କୁ ଜିତିବାକୁ ଦେଇ ନାହଁ।
ତୁମ୍ଭେ ତା’ର ସିଂହାସନକୁ ଭୂମିରେ ଫିଙ୍ଗିଅଛ।
45 ତୁମ୍ଭେ ତା’ର ଜୀବନକୁ କ୍ଷୀଣ କଲ।
ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ।
46 ହେ ସଦାପ୍ରଭୁ, ଏହିପରି କେତେ ଦିନ ଗ୍ଭଲିବ?
ତୁମ୍ଭେ କ’ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚେଇ ରହିବ?
ତୁମ୍ଭର କ୍ରୋଧ କ’ଣ ଚିରକାଳ ଅଗ୍ନି ତୁଲ୍ୟ ଜଳିବ?
47 ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ।
ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ।
48 ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି କେବେବି ନ ମରି ବଞ୍ଚି ରହିବ।
ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି ସମାଧିରୁ ରକ୍ଷା ପାଇ ପାରିବ।
49 ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା।
ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।
50 ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମୋତେ ଅପମାନିତ ଦେଉଛନ୍ତି।
51 ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି,
ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ଯାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।
52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ।
ଆମେନ୍! ଆମେନ୍!
2010 by World Bible Translation Center