M’Cheyne Bible Reading Plan
ଶଲୋମନଙ୍କ ସାମ୍ରାଜ୍ୟ
4 ଏହିପରି ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। 2 ଏହିମାନେ ଥିଲେ ତାଙ୍କର ଅଧିପତି ଯେ କି ତାଙ୍କୁ ରାଜ୍ୟ ଶାସନରେ ସାହାଯ୍ୟ କରୁଥିଲେ। ସେମାନେ ସାଦୋକର ପୁତ୍ର ଯାଜକ ଅସରିୟ ପୁତ୍ରଗଣ ଥିଲେ।
ଯଥା: ସାଦୋକର ପୁତ୍ର ଅସରିୟ ଯାଜକ।
3 ଶୀଶାର ପୁତ୍ର ଇଲୀହୋରଫ ଓ ଅହିୟ ଉଭୟ ବିଗ୍ଭରାଳୟରେ ଯାହା ହେଉଥିଲା ସେମାନେ ଲେଖୁଥିଲେ।
ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲିପିକାର।
4 ଯିହୋୟାଦାର ପୁତ୍ର ବନାୟ ଥିଲା ସୈନ୍ୟବାହିନୀର ସେନାପତି
ସାଦୋକ ଓ ଅବିୟାଥର ଯାଜକ ଥିଲେ।
5 ନାଥନର ପୁତ୍ର ଅସରିୟ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ୟ ଥିଲା
ଓ ନାଥନର ପୁତ୍ର ସାବୁଦ୍ ଯାଜକ ଓ ରାଜା ଶଲୋମନଙ୍କର ଜଣେ ଉପଦେଶକ ଥିଲେ।
6 ଅହୀଶାର୍ ରାଜାଙ୍କର ପ୍ରାସାଦର ଦାୟିତ୍ୱରେ ଥିଲେ।
ଅବ୍ଦର ପୁତ୍ର ଅଦୋନୀରାମ୍ କ୍ରୀତଦାସମାନଙ୍କର ରାଜ୍ୟପାଳ ଥିଲେ।
7 ଶଲୋମନ ସମଗ୍ର ଇସ୍ରାଏଲକୁ ବାର ଭାଗରେ ବିଭକ୍ତ କରି ବାର ଜଣ ଦେଶାଧ୍ୟକ୍ଷଙ୍କୁ ନିଯୁକ୍ତ କଲେ। ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗାଇଲେ। ପ୍ରତ୍ୟେକ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। 8 ଏଗୁଡ଼ିକ ହେଉଛି ବାର ଜଣ ଦେଶାଧ୍ୟକ୍ଷଙ୍କ ନାମ:
ଇଫ୍ରୟିମର ପର୍ବତମୟ ଦେଶରେ ବିନ୍-ହୂର।
9 ମାକସ୍, ଶାଲବୀମ୍, ବୈଥ୍-ଶେମଶ, ଓ ଏଲୋନ-ବୈଥାନନର ଶାସନକର୍ତ୍ତା ଥିଲେ, ବିନ୍-ଦେକର।
10 ଅରୁବୋତରେ ବିନ୍-ହେଷଦ୍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ବିନ୍-ହେଷଦ୍ ଅଧୀନ ଥିଲା।
11 ସମୁଦାୟ ଦୋର ଉପପର୍ବତ ବିନ୍-ଅବୀନାଦବ୍ର ଅଧୀନ ଥିଲା। ସେ ଶଲୋମନଙ୍କର କନ୍ୟା ଟାଫତକୁ ବିବାହ କରିଥିଲା।
12 ତାନକ୍ ଓ ମଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ ମହୋଲା ଓ ଯଗୂମିୟାମ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମସ୍ତ ବୈଥ୍-ଶାନରେ ଅହୀଲୂଦର ପୁତ୍ର ବାନା ରାଜ୍ୟପାଳ ଥିଲେ।
13 ବିନ୍-ଗେବର ରାମୋତ୍-ଗିଲିୟଦର ଶାସକ ଥିଲେ। ମନଃଶିର ପୁତ୍ର ଯାୟୀରର ଗିଲିୟଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅର୍ଗୋବ ଅଞ୍ଚଳରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।
14 ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍।
15 ନପ୍ତାଲିରେ ଅହୀମାସ୍ ଶାସକ ଥିଲେ ଯିଏ କି ଶଲୋମନଙ୍କର କନ୍ୟା ବାସମତ୍କୁ ବିବାହ କରିଥିଲା।
16 ଆଶେର ଓ ବାଲୋରେ ହୂଶୟର ପୁତ୍ର ବାନା।
17 ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍ ଶାସକ ଥିଲେ।
18 ବିନ୍ୟାମୀନରେ ଏଲାର ପୁତ୍ର ଶିମିୟି ଶାସକ ଥିଲେ।
19 ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍ର ଗିଲିୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା।
20 ଇସ୍ରାଏଲ ଓ ଯିହୁଦାରେ ବହୁ ଲୋକ ଥିଲେ। ସେମାନେ ସମୁଦ୍ର ତୀରସ୍ଥ ବାଲୁକା ସଦୃଶ ଅସଂଖ୍ୟ ଥିଲେ। ମାତ୍ର ସେମାନେ ଯଥେଷ୍ଟ ଖାଦ୍ୟ ପାନୀୟ ସହିତ ସୁଖରେ କାଳାତିପାତ କରୁଥିଲେ।
21 ଶଲୋମନ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ଶାସନ କଲେ। ଏହି ଦେଶଗୁଡ଼ିକ ଶଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହୋଇ ରହିଲେ।
22-23 ଶଲୋମନ ତାଙ୍କ ପାଇଁ ଓ ତାଙ୍କ ସହିତ ଯେଉଁମାନେ ମେଜରେ ଖାଉଥିଲେ ସେମାନଙ୍କ ପାଇଁ ଏହି ପରିମାଣର ଖାଦ୍ୟଦ୍ରବ୍ୟ ଦରକାର କରୁଥିଲେ: 30 ମହଣ ସରୁ ମଇଦା, 60 ମହଣ ସୁଜୀ, 10 ଗୋଟି ପୁଷ୍ଟ ଗୋରୁ, 20 ଗୋଟି ଗୋରୁ ଚରାସ୍ଥାନରୁ, 100 ମେଷ, ଏହାଛଡ଼ା ଅନେକ ହରିଣ, କୃଷ୍ଣସାର, ବନ ଗୋରୁ ଓ ପୁଷ୍ଟ ପକ୍ଷୀ ଥିଲେ।
24 ଶଲୋମନ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ ଫରାତ୍ ନଦୀର ପଶ୍ଚିମ ପାରିସ୍ଥିତ ସମସ୍ତ ଦେଶଗୁଡ଼ିକ ଉପରେ ଶାସନ କଲେ। ତାଙ୍କ ରାଜ୍ୟର ଚତୁର୍ଦ୍ଦିଗର ସୀମାରେ ଶାନ୍ତି ଥିଲା। 25 ଶଲୋମନଙ୍କ ରାଜତ୍ୱ କାଳରେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ସମସ୍ତ ଲୋକ ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷମୂଳରେ ନିରାପଦରେ ଅବସ୍ଥାନ କରୁଥିଲେ।
26 ଶଲୋମନଙ୍କର ରଥଗୁଡ଼ିକ ନିମନ୍ତେ 4000 [a] ଅଶ୍ୱଶାଳା ଓ 12,000 ଅଶ୍ୱାରୋହୀ ଥିଲେ। 27 ପ୍ରତି ମାସ ସେହି ବାର ଜଣ ରାଜ୍ୟପାଳମାନଙ୍କ ମଧ୍ୟରୁ ଜଣେ ଶଲୋମନ ରାଜା ଦ୍ୱାରା ନିଯୁକ୍ତି ହେଲେ। ରାଜାଙ୍କର ସେହିମାନଙ୍କ ପାଇଁ ଯେଉଁମାନେ ଖାଇବା ଟେବୁଲ୍ରେ ଅଂଶ ନେଲେ, ସେମାନଙ୍କ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ସେମାନେ କିଛି ଊଣା ନ କରି ନିର୍ଦ୍ଧିଷ୍ଟ ମାସ ପାଇଁ ଖାଦ୍ୟ ଯୋଗାଇଲେ। 28 ସେହି ଶାସକଗଣ ସେମାନଙ୍କର କର୍ତ୍ତବ୍ୟ ଅନୁସାରେ ଦ୍ରୁତଗାମୀ ଅଶ୍ୱଗୁଡ଼ିକୁ ବାର୍ଲି ଓ କୁଟା ଯୋଗାଇଲେ। ଆଉ ମଧ୍ୟ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜ ନିରୂପିତ କର୍ମାନୁସାରେ ଅଶ୍ୱ ଦ୍ରୁତଗାମୀ ବାହନଗୁଡ଼ିକ ପାଇଁ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଆଣିଲେ।
ଶଲୋମନଙ୍କର ଜ୍ଞାନ
29 ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା। 30 ପୂର୍ବ ଦେଶୀୟ ଓ ମିଶରୀୟ ଲୋକମାନଙ୍କ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ଥିଲା। 31 ସେ ପୃଥିବୀର ସମସ୍ତ ଲୋକଙ୍କଠାରୁ ଅଧିକ ଜ୍ଞାନୀ ହେଲେ। ସେ ଇଶ୍ରାୟୀୟ ଏଥନ୍ ଓ ମାହୋଲର ପୁତ୍ର ହେମନ୍ ଓ କଲ୍କୋଲ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନୀ ଥିଲେ। ତାଙ୍କର ଯଶ ସମସ୍ତ ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। 32 ତାଙ୍କ ଜୀବନ କାଳ ମଧ୍ୟରେ ସେ 3000 ନୀତିକଥା ଓ 1005 ଗୀତ ରଚନା କଲେ।
33 ସେ ପ୍ରକୃତି ସମ୍ବନ୍ଧରେ ମଧ୍ୟ ବହୁକଥା ଜାଣିଲେ। ସେ ଲିବାନୋନ୍ର ଏରସ ବୃକ୍ଷ ବିଷୟରେ ଓ ପ୍ରାଚୀରରେ ଜନ୍ମିଥିବା ଏସୋବ ତୃଣ ବିଷୟରେ ଶିକ୍ଷା ଦେଲେ। ସେ ପଶୁ, ପକ୍ଷୀ, ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ବିଷୟରେ ଶିକ୍ଷା ଦେଲେ। 34 ସମଗ୍ର ପୃଥିବୀସ୍ଥ ଲୋକମାନେ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଲେ। ସମସ୍ତ ଦେଶର ରାଜାଗଣ ଯେଉଁମାନେ ରାଜା ଶଲୋମନଙ୍କ ଜ୍ଞାନ ବିଷୟରେ ଶୁଣିଲେ, ସେମାନଙ୍କର ଜ୍ଞାନୀ ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନ କଥା ଶୁଣିବାକୁ ଆସିଲେ।
ଶଲୋମନ ଓ ହୀରମ୍
5 ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦଙ୍କ ପରେ ଶଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହୋଇଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। 2 ଶଲୋମନ ହୀରମ୍ ନିକଟକୁ ଏହିକଥା କହି ପଠାଇଲେ,
3 “ଆପଣ ଜାଣନ୍ତି ମୋର ପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରି ପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗରେ ଘେରି ରହିଥିବା ଶତ୍ରୁମାନଙ୍କ ସହିତ ସେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ଓ ସଦାପ୍ରଭୁ ଶତ୍ରୁଗଣଙ୍କୁ ତାଙ୍କ ହସ୍ତରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ। 4 ମାତ୍ର ଏବେ ସଦାପ୍ରଭୁ ମୋର ପରମେଶ୍ୱର ଚତୁର୍ଦ୍ଦିଗରେ ଶାନ୍ତି ଦେଇ ଅଛନ୍ତି। ବର୍ତ୍ତମାନ ମୋର ଶତ୍ରୁ କେହି ନାହାନ୍ତି କି ବିପଦର ଆଶଙ୍କା ନାହିଁ।
5 “ସଦାପ୍ରଭୁ ମୋର ପିତା ଦାଉଦଙ୍କୁ ଶପଥ କରିଥିଲେ, ‘ଆମ୍ଭେ ତୁମ୍ଭ ବଦଳରେ ତୁମ୍ଭ ପୁତ୍ରକୁ ସିଂହାସନରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।’ ମୁଁ ବର୍ତ୍ତମାନ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଅଛି। 6 ତେଣୁ ଏବେ ମୋ’ ପାଇଁ ଲିବାନୋନ୍ରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମୋର ଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗରେ ଥିବେ; ପୁଣି ଆପଣଙ୍କ କହିବାନୁସାରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦେବି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ଯ୍ୟରେ ସୀଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।”
7 ଯେତେବେଳେ ହୀରମ୍ ଏହିକଥା ଶୁଣିଲେ ସେ ଅତ୍ୟନ୍ତ ଆନନ୍ଦିତ ହେଲେ ଓ କହିଲେ, “ମୁଁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି ଯେ, ସେ ମହାନ ଦେଶ ଉପରେ ଶାସନ କରିବାକୁ ଦାଉଦଙ୍କୁ ଏକ ଜ୍ଞାନବାନ୍ ପୁତ୍ର ଦେଇଛନ୍ତି।” 8 ତା’ପରେ ହୀରମ୍ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ।
ରାଜା ଶଲୋମନ ଯାହା ଆଶା କରନ୍ତି, “ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦେବଦାରୁ କାଠ ଦେବା ପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।” 9 ମୋର ଲୋକମାନେ ଲିବାନୋନ୍ଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ; ପୁଣି ଆପଣଙ୍କ ନିରୂପିତ ସ୍ଥାନରେ ମୁଁ ସମୁଦ୍ର ପଥରେ ଭେଳାବାନ୍ଧି ପଠାଇ ସେଠାରେ ଫିଟାଇ ଦେବି, ସେଠାରୁ ଆପଣ ନେଇଯିବେ। ଏବଂ ମୋର ରାଜକୀୟ ପ୍ରାସାଦକୁ ଖାଦ୍ୟ ପଠାଇ ମୋ’ ପ୍ରତି ଅନୁକମ୍ପା କରିବେ।”
10-11 ତେଣୁ ହୀରମ୍ ଶଲୋମନଙ୍କୁ ସମସ୍ତ ଏରସକାଠ ଓ ଶିଟୀମ୍ କାଠ ଦେଲେ। ଯାହା ସେ ଦରକାର କଲେ। ଶଲୋମନ ଏହି ସେବା ବଦଳରେ 20,000 ମହଣ ଗହମ ଓ 20,000 ମହଣ ଅଲିଭ ତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ୟରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ।
12 ପୁଣି ସଦାପ୍ରଭୁ ପ୍ରତିଜ୍ଞାନୁସାରେ ଶଲୋମନକୁ ଜ୍ଞାନ ଦେଲେ ଆଉ ହୀରମ୍ ଓ ଶଲୋମନଙ୍କ ମଧ୍ୟରେ ସନ୍ଧି ହେଲା ଓ ସେ ଦୁହେଁ ପରସ୍ପର ଚୁକ୍ତି କଲେ।
13 ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ୟ କଲେ। 14 ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗରେ ବିଭକ୍ତ କଲେ। ପ୍ରତି ଦଳରେ 10,000 ଲୋକ ରହିଲେ। ଏହି ଲୋକମାନେ ମାସେ ଲେଖାଏଁ ଲିବାନୋନ୍ରେ ଓ ଦୁଇମାସ ଲେଖାଏଁ ଘରେ ରହିଲେ। 15 ପଥର କାଟିବାରେ 80,000 ଲୋକ ନିଯୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବାରେ ନିଯୁକ୍ତି ହେଲେ। 16 ଏହା ଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ 3300 ଲୋକ ପ୍ରଧାନ କାର୍ଯ୍ୟଧ୍ୟକ୍ଷ ନିଯୁକ୍ତି ହେଲେ। 17 ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ଼ ପଥର କାଟିବା ପାଇଁ ସେମାନଙ୍କୁ ଆଦେଶ ଦେଲେ। 18 ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀୟ ଲୋକମାନେ ପଥର ଗୁଡ଼ିକୁ ଖୋଦନ କଲେ। ଏହିରୂପେ ସେମାନେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।
ମୃତ୍ୟୁରୁ ଜୀବନ ଆଡ଼କୁ
2 ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା। 2 ଅତୀତରେ ତୁମ୍ଭେ ସେହି ପାପ କାର୍ଯ୍ୟ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସେହି ମନ୍ଦ ଶକ୍ତି ଏବେ ମଧ୍ୟ ପରମେଶ୍ୱରଙ୍କୁ ଅମାନ୍ୟ କରୁଥିବା ଲୋକଙ୍କ ଭିତରେ କାମ କରୁଛି। 3 ଅତୀତରେ ଆମ୍ଭେ ସମସ୍ତେ ସେହିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବାରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଗ୍ଭହୁଁଥିଲା ଓ ମନ ଭାବୁଥିଲା, ସେହି କାର୍ଯ୍ୟ କରୁଥିଲୁ। ଆମ୍ଭେ ମନ୍ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭେମାନେ ଅନ୍ୟମାନଙ୍କ ପରି ପରମେଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଦଣ୍ଡ ଭୋଗ କରିଥା’ନ୍ତୁ।
4 କିନ୍ତୁ ପରମେଶ୍ୱର ଆମ୍ଭକୁ ଅତିଶୟ ପ୍ରେମ କଲେ କାରଣ ତାହାଙ୍କ ଦୟା ଅତି ମହାନ୍। 5 ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ। 6 ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବାରୁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁତ୍ଥିତ କଲେ ଓ ତାହାଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ବସାଇ ଅଛନ୍ତି। 7 ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।
8 ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ। 9 ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ। 10 ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା।
ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକ ହେବା
11 ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ” [a] ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି। 12 ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। 13 ସେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଦୂରରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଥିବା ହେତୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହୋଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ତୁମ୍ଭେ ପରମେଶ୍ୱରଙ୍କର ନିକଟତର ହୋଇଛ।
14 ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। 15 ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି। 16 କ୍ରୁଶ ଉପରେ ମୃତ୍ୟୁବରଣ କରି ସେ ଦୁଇ ଦଳ ଭିତରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସେହି ଦୁଇଟି ଦଳକୁ ଗୋଟିଏ ଶରୀରରେ ପରିଣତ କରିବା ପରେ ଖ୍ରୀଷ୍ଟ ସେମାନଙ୍କୁ ପରମେଶ୍ୱରଙ୍କ ସହିତ ମିଳିତ କରାଇବା ପାଇଁ ଗ୍ଭହିଁଲେ। 17 ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ। 18 କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।
19 ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। 20 ପ୍ରେରିତ ଓ ଭବିଷ୍ୟଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା’ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି। 21 ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।
ଇଦୋମ ବିପକ୍ଷରେ ବାର୍ତ୍ତା
35 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା: 2 ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେୟୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରି ଏହା କୁହ, 3 ‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି,
“‘ହେ ସେୟୀର ପର୍ବତ, ମୁଁ ତୁମ୍ଭର ପ୍ରତିକୂଳ ଅଟେ
ଓ ମୁଁ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବି।
ମୁଁ ତୁମ୍ଭକୁ ଶୂନ୍ୟ ଓ ଧ୍ୱଂସ ସ୍ଥାନରେ ପରିଣତ କରିବି।
4 ମୁଁ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିବି
ଓ ତୁମ୍ଭେ ଏକ ଶୂନ୍ୟ ଭୂମି ହେବ।
ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେ ଜାଣିବ।
5 “‘କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ଦୁର୍ଦ୍ଦିନ, ସମୟରେ ଖଡ଼୍ଗରେ ହତ୍ୟା କର, ଯେତେବେଳେ ସେମାନଙ୍କର ଦୋଷ ସର୍ବୋଚ୍ଚ ହେଲା।’” 6 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ୟୁ ତୁମ୍ଭର ଅନୁଧାବନ କରିବ। ଯେହେତୁ ତୁମ୍ଭେ ମୃତ୍ୟୁକୁ ଘୃଣା କରି ନାହଁ, ତେଣୁ ମୃତ୍ୟୁ ତୁମ୍ଭ ପଛେ ପଛେ ଗୋଡ଼ାଇବ। 7 ଏହିରୂପେ ମୁଁ ସେୟୀର ପର୍ବତକୁ ଧ୍ୱଂସ ଓ ଶୂନ୍ୟସ୍ଥାନରେ ପରିଣତ କରିବି ଏବଂ ଯେଉଁମାନେ ସେଠାରେ ବାସ କରିବେ ଓ ଯିବା ଆସିବା କରିବେ ମୁଁ ସେମାନଙ୍କୁ ବିନାଶ କରିବି। 8 ମୁଁ ନିହତ ଲୋକମାନଙ୍କ ଶବରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହେବ। 9 ମୁଁ ଚିରକାଳ ଶୂନ୍ୟସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ୟ ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”
10 କାରଣ ତୁମ୍ଭେ କହିଲ, “ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇସ୍ରାଏଲ ଓ ଯିହୁଦା ମୋର ହେବେ, ମୁଁ ସେମାନଙ୍କୁ ଅଧିକାର ଦେବି,”
ଏପରିକି ଯଦିଓ ସେଠାରେ ସଦାପ୍ରଭୁ ବାସ କରନ୍ତି। 11 ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭର ସନ୍ତାନଗଣଙ୍କୁ ଈର୍ଷା କରିଅଛ ଓ ସେମାନଙ୍କ ପ୍ରତି ଘୃଣାଭାବ ରଖିଅଛ। ତେଣୁ ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଯେଉଁପରି କ୍ରୋଧ ଓ ଈର୍ଷା ସେମାନଙ୍କ ପ୍ରତି କରିଅଛ ମୁଁ ସେହି ଅନୁସାରେ ତୁମ୍ଭର ବିଗ୍ଭର କରିବି। ସେତେବେଳେ ସେମାନଙ୍କ ମଧ୍ୟରେ ମୁଁ ଅଛି ବୋଲି ସେମାନେ ଜାଣିବେ। 12 ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ସେସବୁ ଧ୍ୱଂସସ୍ଥାନ ହେବ ଓ ଆମ୍ଭେମାନେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ।
“ମୁଁ ସଦାପ୍ରଭୁ ଶୁଣିଅଛି। 13 ତୁମ୍ଭେମାନେ ଗର୍ବିତ ହୋଇ ମୋ’ ବିରୁଦ୍ଧରେ କହିଅଛ। ତୁମ୍ଭେମାନେ ତାହା ବାରମ୍ବାର କହିଛ, ଆଚ୍ଛା! ମୁଁ ତାହା ଶୁଣିଅଛି।”
14 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭମାନଙ୍କୁ ବିନାଶ କରିବି ଓ ଏହା ସମଗ୍ର ପୃଥିବୀର ଆନନ୍ଦର ଦିନ ହେବ। 15 ଇସ୍ରାଏଲ ପରିବାର ଧ୍ୱଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସେହି ଭାବରେ ସେବା କରିବି। ସେୟୀର ପର୍ବତ ଓ ପ୍ରକୃତରେ ସମଗ୍ର ଇଦୋମ, ଧ୍ୱଂସ ହେବ। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।
85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
2 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ।
3 ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
4 ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
5 ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
କ୍ରୋଧିତ ହୋଇ ରହିବ?
6 ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
7 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।
8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
9 ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।
2010 by World Bible Translation Center