M’Cheyne Bible Reading Plan
ଶାଉଲଙ୍କ ପରିବାରକୁ ସମସ୍ୟା ଆସିଲା
4 ଶାଉଲର ପୁତ୍ର ଈଶ୍ବୋତ୍ ଶୁଣିବାକୁ ପାଇଲେ ଯେ ଅବ୍ନର ହିବ୍ରୋଣରେ ମୃତ୍ୟୁବରଣ କରିଛି। ଈଶ୍ବୋତ୍ ଓ ତାଙ୍କର ସମସ୍ତ ଲୋକ ଭୟଭୀତ ହୋଇପଡ଼ିଲେ। 2 ଦୁଇଜଣ ପୁରୁଷ ଶାଉଲଙ୍କର ପୁତ୍ର ଈଶ୍ବୋଶତ୍କୁ ଦେଖିବାକୁ ଗଲେ। ଏହି ଦୁଇଜଣ ପୁରୁଷ ସୈନ୍ୟମାନଙ୍କର ଅଧିନାୟକ ଥିଲେ। ସେମାନେ ରେଖବ୍ ଓ ବାନା, ବେରୋତୀୟ ରିମ୍ମୋଣର ପୁତ୍ର ଥିଲେ। ସେମାନେ ବେରୋତୀୟ ନଗରର ବିନ୍ୟାମୀନ ପରିବାରବର୍ଗରେ ଗଣିତ ଥିଲେ। 3 କିନ୍ତୁ ସମସ୍ତ ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ସେହି ସ୍ଥାନରେ ବାସ କରୁଛନ୍ତି।
4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଏକ ପୁତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତେବେଳେ ତାକୁ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା, ସେତେବେଳେ ଯିଷ୍ରିୟେଲରୁ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକୁ ହତ୍ୟା କରାଯାଇଛି। ଯେତେବେଳେ ମଫୀବୋଶତ୍ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକୁ ଉଠାଇଲା ଏବଂ ସେ ଭୟରେ ଦୌଡ଼ି ପଳାଇଲା। କିନ୍ତୁ ପିଲାଟି ତଳେ ପଡ଼ିଗଲା ଏବଂ ତା’ପରେ ତା’ର ଦୁଇ ଗୋଡ଼ ଛୋଟା ହୋଇଗଲା।
5 ରେଖବ୍ ଓ ବାନା, ଯିଏ କି ବେରୋତୀୟ ରିମ୍ମୋଣର ପୁତ୍ର। ସେମାନେ ମଧ୍ୟାହ୍ନ ସମୟରେ ଈଶ୍ବୋଶତ୍ଙ୍କ ଗୃହରେ ପ୍ରବେଶ କଲେ। ସେହି ସମୟରେ ଈଶ୍ବୋଶତ୍ ବିଶ୍ରାମ ନେଉଥିଲେ, କାରଣ ସେହି ଅପରାହ୍ନ ବହୁତ ଗରମ ଥିଲା। 6-7 ରେଖବ ଓ ବାନା ଈଶ୍ବୋଶତ୍ର ଗୃହରେ ପ୍ରବେଶ କଲେ, ସତେ ଯେପରି ସେମାନେ ଗହମ ନେବାକୁ ଆସିଛନ୍ତି। ଈଶ୍ବୋଶତ୍ ସେହି ସମୟରେ ତାଙ୍କର ଶୋଇବା ଘରେ ବିଛଣା ଉପରେ ବିଶ୍ରାମ ନେଉଥିଲେ। ସେହି ସମୟରେ ରେଖବ୍ ଓ ବାନା ତାଙ୍କର ପେଟରେ ଖଡ଼୍ଗ ଭୂଷି ହତ୍ୟା କଲେ ଓ ତାଙ୍କର ମୁଣ୍ଡ କାଟି ତାଙ୍କ ସହିତ ନେଇ ଆସିଲେ। ସେମାନେ ଯର୍ଦ୍ଦନ ଉପତ୍ୟକା ଦେଇ ରାତିସାରା ଗ୍ଭଲିଲେ। 8 ସେମାନେ ଆସି ହିବ୍ରୋଣରେ ପହଞ୍ଚିଲେ ଏବଂ ସେମାନେ ଦାଉଦଙ୍କୁ ଈଶ୍ବୋଶତ୍ର କଟାମୁଣ୍ଡ ଦେଲେ।
ରେଖବ୍ ଓ ବାନା ଦାଉଦଙ୍କୁ କହିଲେ, “ଏହିଠାରେ ଆପଣଙ୍କର ଶତ୍ରୁର ମୁଣ୍ଡ ପଡ଼ିଅଛି। ଶାଉଲଙ୍କର ପୁତ୍ର ଈଶ୍ବୋଶତ୍, ଯିଏ କି ଆପଣଙ୍କୁ ମାରିବାକୁ ଗ୍ଭହିଁଥିଲା। ସଦାପ୍ରଭୁ, ଆଜି ପ୍ରଭୁ ମୋର ରାଜା ଆପଣଙ୍କ ପାଇଁ ଶାଉଲ ଓ ତାଙ୍କର ପରିବାରକୁ ଦଣ୍ତିତ କରିଛନ୍ତି।”
9 ତଥାପି ଦାଉଦ ରିମ୍ମୋଣର ପୁତ୍ରଗଣ ରେଖବ୍ ଓ ବାନାକୁ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। 10 କିନ୍ତୁ ଯେତେବେଳେ ଜଣେ ନିଜକୁ ଶୁଭବାର୍ତ୍ତା ଆଣିଛି ବୋଲି ମନେ କରି ମୋତେ କହିଲା, ‘ଦେଖନ୍ତୁ ଶାଉଲ ମରିଅଛି।’ ମୁଁ ତାକୁ ପୁରଷ୍କାର ଦେବା ପରିବର୍ତ୍ତେ ଯାହା ସେ ଆଶା କରିଥିଲା, ତାକୁ ଖଡ଼୍ଗ ଦ୍ୱାରା ସିକ୍ଳଗ୍ରେ ହତ୍ୟା କଲି। 11 ତେଣୁ ମୁଁ ତୁମ୍ଭକୁ ହତ୍ୟା କରିବି ଓ ତୁମ୍ଭମାନଙ୍କୁ ଏହି ଭୂମିରୁ ଉଚ୍ଛିନ୍ନ କରିବି। କାରଣ ତୁମ୍ଭେ ଦୁଷ୍ଟ ପ୍ରକୃତିର ଲୋକ, ଏକ ଧର୍ମପରାୟଣ ଲୋକକୁ ହତ୍ୟା କରିଛ, ଯେତେବେଳେ ସେ ତା’ର ନିଜ ଗୃହରେ ତା’ର ଶଯ୍ୟାରେ ବିଶ୍ରାମ ନେଉଥିଲା।”
12 ତେଣୁ ରାଜା ଦାଉଦ ତାଙ୍କର ଯୁବା ସୈନିକମାନଙ୍କୁ ରେଖବ ଓ ବାନାକୁ ହତ୍ୟା କରିବା ପାଇଁ ଆଦେଶ ଦେଲେ। ସୈନ୍ୟମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝୁଲାଇ ଦେଲେ। ଏବଂ ଈଶ୍ବୋଶତ୍ର ମସ୍ତକ ନେଇ ହିବ୍ରୋଣରେ ଅବ୍ନର କବରରେ କବର ଦେଲେ।
ଇସ୍ରାଏଲୀୟମାନେ ଦାଉଦଙ୍କୁ ରାଜା କଲେ
5 ତା’ପରେ ଇସ୍ରାଏଲର ସମସ୍ତ ପରିବାରବର୍ଗ ହିବ୍ରୋଣଠାରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ପରିବାର। 2 ଏପରିକି ଯେତେବେଳେ ଶାଉଲ ରାଜା ଥିଲେ ସେତେବେଳେ ଆପଣ ଆମ୍ଭମାନଙ୍କୁ ଯୁଦ୍ଧରେ ଆଗେଇ ନେଇଥିଲେ। ଆଉ ଆପଣ ହେଉଛନ୍ତି ସେହି ଲୋକ ଯେ କି ଯୁଦ୍ଧରୁ ଇସ୍ରାଏଲକୁ ନିରାପଦରେ ଫେରାଇ ଆଣିଥିଲେ ଏବଂ ସଦାପ୍ରଭୁ ଆପଣଙ୍କୁ କହିଛନ୍ତି, ‘ତୁମ୍ଭେ ମୋର ଲୋକମାନଙ୍କର ମେଷପାଳକ ହେବ। ଇସ୍ରାଏଲ ଓ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କ ଉପରେ ଶାସନ କରିବ।’”
3 ତେଣୁ ଇସ୍ରାଏଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକୁ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣରେ ସଦାପ୍ରଭୁ ସମ୍ମୁଖରେ ସେମାନଙ୍କ ସହିତ ଚୁକ୍ତି କଲେ ଓ ସେମାନେ ଇସ୍ରାଏଲର ରାଜା ରୂପେ ଦାଉଦଙ୍କୁ ଅଭିଷିକ୍ତ କଲେ।
4 ଯେତେବେଳେ ଦାଉଦଙ୍କୁ ତିରିଶ୍ ବର୍ଷ ବୟସ ହୋଇଥିଲା, ସେ ରାଜତ୍ୱ କରିବା ଆରମ୍ଭ କଲେ। ସେ ଗ୍ଭଳିଶ୍ ବର୍ଷ ଧରି ରାଜତ୍ୱ କଲେ। 5 ହିବ୍ରୋଣରେ ସେ ଯିହୁଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୁଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।
ଦାଉଦ ଯିରୁଶାଲମ ନଗରକୁ ଜୟ କଲେ
6 ଏହା ପରେ ରାଜା ଓ ତାଙ୍କର ଲୋକମାନେ ଯିରୁଶାଲମରେ ବାସ କରୁଥିବା ଯିବୂଷୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଏହି ଯିବୂଷୀୟମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ।” ସେମାନେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସେମାନଙ୍କର ନଗରରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହେବେ। 7 ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ଅଧିକାର କଲେ। ତାହା ହେଲା ଦାଉଦ ନଗର।
8 ସେହି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ଯେଉଁମାନେ ଯିବୂଷୀୟମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସେମାନେ ପାଣିନଳ [a] ମଧ୍ୟଦେଇ ଯିବା ଉଚିତ୍ ଓ ସେହିସବୁ ଛୋଟା ଓ ଅନ୍ଧ ଲୋକମାନଙ୍କ ପାଖକୁ ପହଞ୍ଚିବା ଉଚିତ୍।” ସେଥିପାଇଁ ଲୋକମାନେ କହନ୍ତି, “ଅନ୍ଧ ଓ ଛୋଟାମାନେ ଗୃହ ଭିତରକୁ ଆସି ପାରିବେ ନାହିଁ।”
9 ଦାଉଦ ସେହି ଦୁର୍ଗରେ ବାସ କଲେ, ଏବଂ ସେହି ସହରକୁ, “ଦାଉଦ ସହର ନାମରେ ନାମିତ କଲେ।” ଦାଉଦ ମିଲ୍ଲୋ ସ୍ଥାନକୁ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ୟ ନଗର ଭିତରେ ବହୁତ ପକ୍କାଘର ନିର୍ମାଣ କଲେ। 10 ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହେବାରୁ ଦାଉଦ ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ।
11 ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ। ହୀରମ୍ ମଧ୍ୟ ଏରସ କାଠ, ବଢ଼ାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସେମାନେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ। 12 ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜା କଲେ ଓ ତାଙ୍କର ଇସ୍ରାଏଲର ଲୋକମାନଙ୍କ ପାଇଁ ରାଜ୍ୟକୁ ଅତ୍ୟଧିକ କ୍ଷମତା ଦେଲେ। ଏହା ଦାଉଦ ବୁଝି ପାରିଲେ।
13 ଦାଉଦ ହିବ୍ରୋଣରୁ ଯିରୁଶାଲମକୁ ଗଲେ। ସେଠାରେ ସେ ଅନେକ ସ୍ତ୍ରୀମାନଙ୍କୁ ଓ ଅନେକ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସେଠାରେ ତାଙ୍କଠାରୁ ଅନେକ ପିଲା ଜନ୍ମ ହେଲେ। 14 ଏହିସବୁ ପୁତ୍ର ଯେଉଁମାନେ ଯିରୁଶାଲମରେ ଦାଉଦଙ୍କ ଔରସରୁ ଜନ୍ମ ହେଲେ। ସେମାନେ ହେଲେ, ଶମ୍ମୂୟ, ଶୋବବ୍, ନାଥନ୍ ଓ ଶଲୋମନ୍। 15 ୟିଭର, ଇଲୀଶୂୟ, ନେଫଗ୍ ଓ ଯାଫିୟ, 16 ଇଲୀଶାମା, ଇଲୀୟାଦା ଓ ଇଲୀଫେଲଟ ନାମରେ ଜଣା।
ଦାଉଦ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ
17 ପଲେଷ୍ଟୀୟମାନେ ଜାଣିବାକୁ ପାଇଲେ ଯେ, ସମଗ୍ର ଇସ୍ରାଏଲୀୟମାନଙ୍କ ରାଜା ଭାବରେ ଦାଉଦଙ୍କୁ ବଚ୍ଛା ଯାଇଛି। ତେଣୁ ଦାଉଦଙ୍କୁ ମାରିବା ପାଇଁ ସମସ୍ତ ପଲେଷ୍ଟୀୟ ଦାଉଦଙ୍କୁ ଖୋଜିଲେ। ତେଣୁ ଦାଉଦ ଏହା ଜାଣି ପାରି ଯିରୁଶାଲମରେ ଥିବା ଗଡ଼ ଭିତରେ ଯାଇ ଲୁଚିଲେ। 18 ପଲେଷ୍ଟୀୟମାନେ ଫେରି ରଫାୟିମ୍ ଉପତ୍ୟକାରେ ସେନାଛାଉଣି ପକାଇଲେ।
19 ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ପଗ୍ଭରିଲେ, “ମୋର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମୋତେ ସାହାଯ୍ୟ କରିବେ କି?”
ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନିଶ୍ଚିତ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିବି।”
20 ତା’ପରେ ଦାଉଦ ବାଲ୍-ପରାସୀମକୁ ଗଲେ, ଏବଂ ସେଠାରେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ଛିନ୍ନ ବିଛିନ୍ନ କଲେ, ଯେପରି ନଦୀ ଭଙ୍ଗାବନ୍ଧକୁ ଭାଙ୍ଗି ବହି ନେଇଯାଏ।” ଯେଉଁଥିପାଇଁ ଦାଉଦ ଉକ୍ତ ସ୍ଥାନର ନାମ “ବାଲ୍-ପରାସୀମ [b] ରଖିଥିଲେ। 21 ସେହି ସ୍ଥାନରେ ପଲେଷ୍ଟୀୟମାନେ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଛାଡ଼ି ଗ୍ଭଲିଗଲେ। ଦାଉଦ ଓ ତାଙ୍କର ପୁରୁଷମାନେ ସେହିସବୁ ମୂର୍ତ୍ତିଗୁଡ଼ିକୁ ଦୂରେଇ ଦେଲେ।
22 ଆଉଥରେ ପଲେଷ୍ଟୀୟମାନେ ରଫାୟିମ ଉପତ୍ୟକାରେ ଛାଉଣି ପକାଇଲେ।
23 ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା’ପରେ ସଦାପ୍ରଭୁ ତାଙ୍କୁ କହିଲେ, “ସେଠାରେ ଆଗକୁ ଯାଅ ନାହିଁ। ତୁମ୍ଭେମାନେ ସେମାନଙ୍କ ପଛରେ ଯାଅ ଏବଂ ତୂତ୍ବୃକ୍ଷ ଆର ପାର୍ଶ୍ୱରେ ସେମାନଙ୍କୁ ପଛପଟୁ ଆକ୍ରମଣ କର। 24 ତୁମ୍ଭେମାନେ ସେହି ତୂତ୍ବୃକ୍ଷ ତୋଟା ଉପରେ ସୈନ୍ୟମାନଙ୍କର ପଦାଗ୍ଭରଣର ଶବ୍ଦ ପରି ଶବ୍ଦ ଶୁଣି ପାରିବ। ତେବେ ତୁମ୍ଭେମାନେ ସେମାନଙ୍କୁ ଶୀଘ୍ର ଆକ୍ରମଣ କରିବ, କାରଣ ସେହି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଯିବେ ଏବଂ ତୁମ୍ଭମାନଙ୍କ ସକାଶେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବେ।”
25 ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେହିପରି କଲେ ଓ ଗେବାଠାରୁ ଗେଷର୍ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।
ଖ୍ରୀଷ୍ଟଙ୍କର ସୁସମାଗ୍ଭର
15 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦେବାକୁ ଇଚ୍ଛା କରେ। ତୁମ୍ଭେମାନେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ। 2 ତୁମ୍ଭେମାନେ ଏହି ସୁସମାଗ୍ଭର ଦ୍ୱାରା ପରିତ୍ରାଣ ପାଇଛ। କିନ୍ତୁ ମୋ’ କହିଥିବା କଥାଗୁଡ଼ିକୁ ତୁମ୍ଭେମାନେ ବିଶ୍ୱାସ କରି ଗ୍ଭଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।
3 ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ। 4 ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନରେ ସେ ମୃତ୍ୟୁରୁ ଉଠିଲେ। 5 ସେ କେଫାଙ୍କୁ ଓ ତା’ପରେ ବାରଜଣ ପ୍ରେରିତଙ୍କୁ ଦେଖା ଦେଲେ। 6 ତା’ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦେଖାଦେଇଥିଲେ। ତାହାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଜି ମଧ୍ୟ ଜୀବିତ। କିନ୍ତୁ କେତେକ ମରି ଯାଇଛନ୍ତି। 7 ତା’ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ରେରିତମାନଙ୍କୁ ଆଉଥରେ ଦେଖା ଦେଲେ। 8 ଯଥା ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମୋତେ ସର୍ବ ଶେଷରେ ଦେଖା ଦେଲେ।
9 ମୁଁ ସମସ୍ତ ପ୍ରେରିତମାନଙ୍କ ମଧ୍ୟରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମୋର ପ୍ରେରିତ ବୋଲି ଡକା ଯିବାର ଯୋଗ୍ୟତା ମଧ୍ୟ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଛି। 10 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ମୁଁ ଆଜି ଏହା ହୋଇପାରିଛି। ମୋ’ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହୋଇ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ରେରିତଙ୍କ ତୁଳନାରେ କଠୋର ପରିଶ୍ରମ କରିଛି। ମୁଁ ପ୍ରକୃତରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଏହା କରିପାରିଛି। 11 ମୁଁ ତୁମ୍ଭକୁ ପ୍ରଗ୍ଭର କରେ ବା ଅନ୍ୟମାନେ ପ୍ରଗ୍ଭର କରନ୍ତି, ସେଥିରେ କିଛି ଯାଏ ଆସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଗ୍ଭର କରିଥାଉ। ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଅଛ।
ଆମ୍ଭେ ମୃତ୍ୟୁରୁ ପୁନର୍ଜୀବିତ ହେବା
12 ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇଥିଲେ, ଏହା ପ୍ରଗ୍ଭରିତ ହୋଇଛି, ତା’ହେଲେ ତୁମ୍ଭମାନଙ୍କ ମଧ୍ୟରୁ କେତେଜଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ୟୁରୁ ଉତ୍ଥିତ ହୋଇପାରିବେ ନାହିଁ। 13 ଯଦି ଲୋକମାନେ ମୃତ୍ୟୁରୁ ଉତ୍ଥିତ ହେବେ ନାହିଁ, ତା’ହେଲେ ଖ୍ରୀଷ୍ଟ ମଧ୍ୟ ମୃତ୍ୟୁରୁ ଉତ୍ଥିତ ହୋଇ ନାହାନ୍ତି, 14 ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇ ନାହାନ୍ତି, ତା’ହେଲେ ଆମ୍ଭର ଶିକ୍ଷାଦାନ ଓ ତୁମ୍ଭମାନଙ୍କର ବିଶ୍ୱାସର କିଛି ମୂଲ୍ୟ ନାହିଁ। 15 ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ମିଛ କହିଥିବା ଅପରାଧରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ୱରଙ୍କ ବିଷୟରେ ପ୍ରଗ୍ଭର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତା’ହେଲେ ପରମେଶ୍ୱର ମଧ୍ୟ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ନାହାନ୍ତି। 16 ଯଦି ମୃତମାନେ ଉତ୍ଥିତ ହୁଅନ୍ତି ନାହିଁ, ତା’ହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି। 17 ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉଠି ନାହାନ୍ତି, ତା’ହେଲେ ତୁମ୍ଭ ବିଶ୍ୱାସର କିଛି ମୂଲ୍ୟ ନାହିଁ। ତୁମ୍ଭେମାନେ ଏ ପର୍ଯ୍ୟନ୍ତ ନିଜ ନିଜ ପାପରେ ଅଛ। 18 ପୁଣି ଖ୍ରୀଷ୍ଟଙ୍କଠାରେ ଥାଉ ଯେଉଁମାନେ ମରିଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇ ଯାଇ ଅଛନ୍ତି। 19 ଯଦି ଖ୍ରୀଷ୍ଟଙ୍କଠାରେ ଆମ୍ଭର ଭରସା କେବଳ ଏହି ସଂସାରର ଜୀବନ ପାଇଁ, ତା’ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ ଆମ୍ଭେ ଅଧିକ ହତଭାଗ୍ୟ।
20 କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉତ୍ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉତ୍ଥିତ ପ୍ରଥମ ଫଳ ସ୍ୱରୂପ। 21 ଜଣେ ମନୁଷ୍ୟ ହେତୁ ଲୋକମାନଙ୍କ ପାଖକୁ ମୃତ୍ୟୁ ଆସିଲା। କିନ୍ତୁ ଜଣେ ମନୁଷ୍ୟ ଦ୍ୱାରା ମଧ୍ୟ ମୃତ୍ୟୁର ପୁନରୁତ୍ଥାନ ହେଲା। 22 ଆଦମ ଯୋଗୁଁ ସମସ୍ତ ଲୋକ ମୃତ୍ୟୁ ଭୋଗ କରନ୍ତି, ସେହିଭଳି ଖ୍ରୀଷ୍ଟଙ୍କ ଯୋଗୁଁ ସମସ୍ତ ଲୋକଙ୍କୁ ପୁନର୍ଜୀବିତ ହେବେ। 23 କିନ୍ତୁ ପ୍ରତ୍ୟେକ ଲୋକ କ୍ରମାନୁସାରେ ପୁନଃ ଜୀବିତ ହେବେ। ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ ତା’ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ପୁନରୁତ୍ଥିତ ହେବେ। 24 ତା’ପରେ ଯୁଗାନ୍ତ ହେବ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ୱରଙ୍କ ରାଜତ୍ୱ ସମର୍ପଣ କରିବେ।
25 କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ରାଜତ୍ୱ କରିବେ। 26 ଶେଷ ଶତ୍ରୁ ଭାବରେ ମୃତ୍ୟୁକୁ ଲୋପ କରାଯିବ। 27 ଶାସ୍ତ୍ର କୁହେ: “ପରମେଶ୍ୱର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି।” [a] ଯେତେବେଳେ ଏହା କୁହେ ଯେ, ସେ “ସମସ୍ତ ବିଷୟ” ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ୱର ନିଜେ ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସେହିସବୁରେ ପରମେଶ୍ୱର ଅନ୍ତର୍ଗତ ନୁହନ୍ତି। 28 ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତାରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ୟ ପରମେଶ୍ୱରଙ୍କ ବଶୀଭୂତ ହେବେ। ଯେଉଁ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସେହି ଖ୍ରୀଷ୍ଟ ପରମେଶ୍ୱରଙ୍କ ବଶୀଭୂତ ହେବେ ଓ ଏହିଭଳି ପ୍ରତ୍ୟେକ ବିଷୟ ଉପରେ ପରମେଶ୍ୱର ଶାସନ ପ୍ରତିଷ୍ଠିତ କରିବେ।
29 ଯଦି ଲୋକମାନେ ମୃତ୍ୟୁରୁ ଆଦୌ ଉତ୍ଥିତ ହେବେ ନାହିଁ, ତା’ହେଲେ ଯେଉଁମାନେ ମୃତମାନଙ୍କ ପାଇଁ ବାପ୍ତିଜିତ ହୋଇଛନ୍ତି, ସେମାନେ କ’ଣ କରିବେ? ଯଦି ମୃତମାନେ ଆଦୌ ଉତ୍ଥିତ ହେବେ ନାହିଁ, ତା’ହେଲେ କାହିଁକି ସେମାନଙ୍କ ପାଇଁ ଲୋକମାନଙ୍କୁ ବାପ୍ତିଜିତ କରାଯାଇଥାଏ?
30 ଆମ୍ଭେ ପ୍ରତି ମୁହୂର୍ତ୍ତରେ କ’ଣ ପାଇଁ ବିପଦର ସମ୍ମୁଖୀନ ହେଉ? 31 ଭାଇମାନେ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ ଗର୍ବ କରିଥାଏ, ସେଥିର ଶପଥ କରି କହୁଛି, ମୁଁ ପ୍ରତିଦିନ ମରେ। 32 ଯଦି ମୁଁ ଏଫିସଠାରେ ମୋର ଗର୍ବ ରକ୍ଷାର୍ଥେ ବନ୍ୟପଶୁମାନଙ୍କ ସହ ଯୁଦ୍ଧ କରିଛି, ତା’ହେଲେ ମୁଁ କ’ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ୟୁରୁ ଉତ୍ଥିତ ହେବ ନାହିଁ, ତା’ହେଲେ “ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହେବ।” [b]
33 ମୂର୍ଖଙ୍କ ଭଳି ଆଚରଣ କର ନାହିଁ। “ମନ୍ଦ ସଙ୍ଗୀମାନେ ଭଲ ଅଭ୍ୟାସଗୁଡ଼ିକୁ ନଷ୍ଟ କରିଦେବେ।” 34 ଅତଏବ, ତୁମ୍ଭେ ଜାଗ୍ରତ ହୁଅ, ଓ ପାପ କରିବା ବନ୍ଦ କର। ତୁମ୍ଭମାନଙ୍କ ମଧ୍ୟରୁ କେତେକ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ଲଜ୍ଜା ଦେବା ପାଇଁ ଏ କଥା ମୁଁ କହୁଛି।
ଆମ୍ଭେ କେଉଁ ପ୍ରକାର ଶରୀର ପାଇବା?
35 କିନ୍ତୁ ଜଣେ ପଗ୍ଭରି ପାରେ: “ମୃତଗୁଡ଼ିକ କିପରି ଉତ୍ଥିତ ହୁଅନ୍ତି? 36 ସେମାନେ କେଉଁ ଭଳି ଦେହ ଧାରଣ କରିବେ?” ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ଯ୍ୟନ୍ତ ସଜୀବ ହୁଏ ନାହିଁ। 37 ବୁଣିଲା ବେଳେ ତୁମ୍ଭେମାନେ ଯାହା ବୁଣ, ବିକଶିତ ହେଲା ପରେ ତାହା ସେହି “ଶରୀର” ଧାରଣ କରେ ନାହିଁ। ତୁମ୍ଭେମାନେ ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ, କେବଳ ବୀଜଟି ବୁଣ। 38 ତା’ପରେ ପରମେଶ୍ୱର ଯେପରି ଇଚ୍ଛା କରନ୍ତି, ସେହିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ୱର ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି। 39 ଶରୀରରୁ ଜାତ ସମସ୍ତ ବିଷୟରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼େଇମାନଙ୍କର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର। 40 ସ୍ୱର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି। କିନ୍ତୁ ସ୍ୱର୍ଗୀୟ ଶରୀରରୁ ଏକ ପ୍ରକାରର ହେବ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହେବ। 41 ସୂର୍ଯ୍ୟର ଜ୍ୟୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ୟୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ୟୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ୟୋତିଃ, ଅନ୍ୟ ତାରାମାନଙ୍କଠାରୁ ଅଲଗା।
42 ମୃତମାନଙ୍କର ଉତ୍ଥାନ ବିଷୟରେ ମଧ୍ୟ ଏହି କଥାଟି ପ୍ରଜୁଯ୍ୟ। ଯେଉଁ ଶରୀରଟି ପୋତି ଦିଆ ହେଲା, ତାହା ନଷ୍ଟ ହୋଇଯିବ। କିନ୍ତୁ ସେହି ଶରୀରଟି ଯେଉଁ ନୂତନ ଦେହ ଧାରଣ କରିବ, ତାହା ନଷ୍ଟ ହେବ ନାହିଁ। 43 ଶରୀରଟି ଅନାଦରରେ “ବୁଣାଯାଏ”, କିନ୍ତୁ ମହିମାରେ ତାହା ଉତ୍ଥିତ ହୁଏ। ଯେତେବେଳେ ଦୁର୍ବଳତାରେ ଶରୀରଟି “ବୁଣାଯାଏ” ଏହା ଶକ୍ତିର ସହିତ ଉତ୍ଥିତ ହୁଏ। 44 ପ୍ରାକୃତିକ ଶରୀରଟି “ବୁଣାଯାଏ”, ଆତ୍ମିକ ଶରୀର ଉତ୍ଥିତ ହୁଏ।
ଯଦି ପ୍ରାକୃତିକ ଶରୀର ଅଛି, ତା’ହେଲେ ଆଧ୍ୟାତ୍ମିକ ଶରୀର ମଧ୍ୟ ଅଛି। 45 ଶାସ୍ତ୍ରରେ ଲେଖା ଅଛି: “ପ୍ରଥମ ମନୁଷ୍ୟ (ଆଦମ) ସଜୀବ ପ୍ରାଣୀ,” [c] କିନ୍ତୁ ଶେଷ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା। 46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ। ମାତ୍ର ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ ଆସେ। 47 ପ୍ରଥମ ମନୁଷ୍ୟଟି ପୃଥିବୀର ମାଟିରୁ ନିର୍ମିତ ହୋଇଥିଲା; କିନ୍ତୁ ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆସିଥିଲେ। 48 ଜଗତର ପ୍ରଥମ ମନୁଷ୍ୟ ଭଳି ପ୍ରତ୍ୟେକ ମନୁଷ୍ୟ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ୱର୍ଗର, ସେମାନେ ସ୍ୱର୍ଗରୁ ଆଗତ ସେହି ମନୁଷ୍ୟ ତୁଲ୍ୟ। 49 ଆମ୍ଭେମାନେ ଜଗତରୁ ସେହି ମନୁଷ୍ୟ ତୁଲ୍ୟ ନିର୍ମିତ ହୋଇଅଛୁ। ଅତଏବ, ଆମ୍ଭେ ମଧ୍ୟ ସ୍ୱର୍ଗର ସେହି ବ୍ୟକ୍ତି ତୁଲ୍ୟ ଶରୀର ଧାରଣ କରିବା।
50 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏ କଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ। 51 କିନ୍ତୁ ଶୁଣ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି: ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହେବା। 52 ଏହା କେବଳ ମୁହୂର୍ତ୍ତକ ମଧ୍ୟରେ ଆଖି ପିଛୁଳାକେ, ଘଟି ଯିବ। ଯେତେବେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ୱାସୀ ମରିଯାଇଛନ୍ତି ସେମାନେ ମୃତ୍ୟୁରୁ ଅନନ୍ତକାଳ ପାଇଁ ଉତ୍ଥିତ ହେବେ ଓ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ପରିବର୍ତ୍ତିତ ହେବେ। 53 ଏହି ବିନାଶ ଦେହ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହେବ ଓ ଏହି ମର୍ତ୍ତ୍ୟ ଦେହ ଅମରରୂପ ବସ୍ତ୍ର ଧାରଣ କରିବାକୁ ହେବ। 54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ୟ ଦେହ ଅମରତ୍ୱ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହେବ।
“ଜୟ ମୃତ୍ୟୁକୁ ଗ୍ରାସ କରି ଦେଲା” (A)
55 ମୃତ୍ୟୁ ତୁମ୍ଭର ବିଜୟ କେଉଁଠାରେ ଅଛି?
କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠାରେ ଅଛି” (B)
56 ମୃତ୍ୟୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ୟବସ୍ଥା। 57 କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି।
58 ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।
Warnings Against False Prophets
13 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁମାନେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କରନ୍ତି। ସେମାନଙ୍କୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ। 3 ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଯେଉଁ ନିର୍ବୋଧ ଭବିଷ୍ୟଦ୍ବକ୍ତାମାନେ ପ୍ରକୃତ ଦର୍ଶନ ପ୍ରାପ୍ତ ନ ହୋଇ ନିଜ ନିଜ ଇଚ୍ଛାର ଅନୁସରଣ କରନ୍ତି, କିନ୍ତୁ ପ୍ରକୃତ ଦର୍ଶନ ଦେଖନ୍ତି ନାହିଁ।
4 “‘ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟଦ୍ବକ୍ତାଗଣ ଉଜଡ଼ା ସ୍ଥାନର କୋକିଶିଆଳୀ ତୁଲ୍ୟ ହୋଇଅଛନ୍ତି। 5 ତୁମ୍ଭେମାନେ ଗଲ ନାହିଁ ଓ ଇସ୍ରାଏଲର ଚତୁର୍ପାର୍ଶ୍ୱର ଭଗ୍ନ ପ୍ରାଚୀର ତିଆରି କଲ ନାହିଁ, ଯାହା ଫଳରେ ସଦାପ୍ରଭୁଙ୍କର ସଂଗ୍ରାମରେ ଏହା ନିଜକୁ ନିଜେ ସୁରକ୍ଷା ଦେଇଥା’ନ୍ତ।
6 “‘ଏହି ଭଣ୍ଡ ଭବିଷ୍ୟଦ୍ବକ୍ତାଗଣ ମିଥ୍ୟା ଦର୍ଶନ ପାଆନ୍ତି ଓ ସେମାନଙ୍କର ଅଲୌକିକ ଶକ୍ତି ମିଥ୍ୟା ଅଟେ। ସେମାନେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସେମାନଙ୍କୁ ପଠାଇ ନ ଥିଲେ ଏବଂ ସେମାନଙ୍କ ବାକ୍ୟ ସତ୍ୟ ହେବ ବୋଲି ଲୋକମାନେ ଆଶା କରନ୍ତି।
7 “‘ଏହା କ’ଣ ସତ୍ୟ ନୁହେଁ, ତାହା ତୁମ୍ଭେ ମିଥ୍ୟା ଦର୍ଶନ ଓ ତୁମ୍ଭର ଅଲୌକିକ ଶକ୍ତି, ଯାହା ପ୍ରଗ୍ଭର କର, ତାହା ମିଥ୍ୟା ଅଟେ? ଏବଂ ଏପରି ତୁମ୍ଭେ କହିଛ, ସଦାପ୍ରଭୁ ଏହା କହନ୍ତି, ଯେପରି ଆମ୍ଭେ ତୁମ୍ଭକୁ ପଠାଇ ନ ଥିଲୁ?’”
8 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଯେହେତୁ ତୁମ୍ଭେମାନେ ମିଥ୍ୟା କଥା କହିଅଛ ଓ ମିଥ୍ୟା ଦର୍ଶନ ପାଇଅଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ବିରୁଦ୍ଧରେ ଯିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହନ୍ତି। 9 “ଯେଉଁ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ୟା ଅଲୌକିକ ଶକ୍ତି ଘୋଷଣା କରନ୍ତି, ମୋର ହସ୍ତ ସେମାନଙ୍କ ବିରୁଦ୍ଧରେ ଯିବ, ସେମାନେ ମୋ’ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ। ଇସ୍ରାଏଲର ପରିବାର ତାଲିକାରେ ସେମାନଙ୍କର ନାମଗୁଡ଼ିକ ତାଲିକାଭୁକ୍ତ ହେବ ନାହିଁ। ଏବଂ ଇସ୍ରାଏଲ ଦେଶରେ ସେମାନେ ପ୍ରବେଶ କରିବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
10 “ସେଠାରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ୟଦ୍ବକ୍ତାମାନେ ଆମ୍ଭର ଲୋକମାନଙ୍କୁ ଭୁଲବାଟରେ ନେଇଛନ୍ତି, ଯେତେବେଳେ ସେଠାରେ ଶାନ୍ତି ନ ଥାଏ। ଯିଏ କି ପ୍ରାଚୀର ନିର୍ମାଣକାରୀ, ଯିଏ କି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲେପ ଦେଇ ଆଚ୍ଛାଦନ କରିବା ପାଇଁ କେବଳ ଚେଷ୍ଟା କରନ୍ତି। 11 ଏବଂ ସେହି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲେପନ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାୟୁ ସେହି ପ୍ରାଚୀରକୁ ଧ୍ୱଂସ କରିଦେବା ପାଇଁ ପଠାଇବି। 12 ଏବଂ କାନ୍ଥ ଯେତେବେଳେ ତଳକୁ ପଡ଼ିଯିବ, ସେତେବେଳେ ଲୋକମାନେ ଏହି ଭଣ୍ଡ ଯାଜକମାନଙ୍କୁ ପଗ୍ଭରିବେ ନାହିଁ କି, ‘ତୁମ୍ଭେମାନେ ଯାହା ଦେଇ ଲେପନ କରିଥିଲ, ସେହି ପ୍ରଲେପ କାହିଁ?’” 13 ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ପ୍ରଚଣ୍ଡ କୋପରେ ବାୟୁ ପ୍ରବାହିତ କରାଇବି। ସେଠାରେ ପ୍ରବଳ ବୃଷ୍ଟି ହେବ ଓ ବୃହତ୍ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ ହେବ। 14 ତୁମ୍ଭେ ଯେଉଁ ଅମିଶ୍ରିତ ମସଲାରେ କାନ୍ଥକୁ ଲେପନ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହାକୁ ଭୂମିସ୍ତର ସହିତ ସମତଳ କରି ଦେବି, ମୁଁ ଏହାର ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପରେ ପଡ଼ିବ, ତହିଁରେ ତୁମ୍ଭେମାନେ ବିନଷ୍ଟ ହେବ। ଏଣୁ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। 15 ଏହିରୂପେ ମୁଁ ସେହି କାନ୍ଥ ଉପରେ ଓ ଯେଉଁମାନେ ମିଶ୍ରିତ ମସଲାରେ ତାହା ପତଳା ଲେପନ କରିଅଛନ୍ତି, ସେମାନଙ୍କ ଉପରେ ଆପଣା କୋପ ପ୍ରକାଶ କରିବା ସମାପ୍ତ କରିବି। ତା’ପରେ ମୁଁ ତୁମ୍ଭମାନଙ୍କୁ କହିବି, ‘ସେହି କାନ୍ଥ ଓ ତାହାର ଲେପନକାରୀମାନେ ନାହାନ୍ତି।’
16 “ଇସ୍ରାଏଲର ଭବିଷ୍ୟଦ୍ବକ୍ତା ଯେଉଁମାନେ ଯିରୁଶାଲମ ବିଷୟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହିଛନ୍ତି।
17 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି, ସେମାନଙ୍କ ବିରୁଦ୍ଧରେ ତୁମ୍ଭ ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ, 18 ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ଯାଦୁ ଓଢ଼ଣୀ ମୁଣ୍ଡରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। 19 ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭେମାନେ ମୋ’ ଲୋକମାନଙ୍କ ମଧ୍ୟରେ ମୋତେ ଅପମାନିତ କଲ। ତୁମ୍ଭର ମିଥ୍ୟା ପାଇଁ ମୋର ଲୋକମାନେ ଯେଉଁମାନେ ମିଥ୍ୟା ଶୁଣିଲେ, ତୁମ୍ଭେମାନେ ଲୋକମାନଙ୍କୁ ହତ୍ୟା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସେହି ଲୋକମାନଙ୍କୁ ଛାଡ଼ି ଦେଇଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା। 20 ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି, ଦେଖ ତୁମ୍ଭେମାନେ ଯେଉଁ କଙ୍କଣ ଦ୍ୱାରା ଲୋକମାନଙ୍କୁ ପକ୍ଷୀଗଣ ପରି ଫାଶରେ ପକାଉଛ, ମୁଁ ତା’ର ବିରୋଧୀ ଅଟେ। ଏବଂ ମୁଁ ତୁମ୍ଭମାନଙ୍କ ହସ୍ତରୁ ସେହି କଙ୍କଣକୁ ଚିରି ପକାଇବି। ଏବଂ ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଫାଶରେ ପକାଉଛ ମୁଁ ସେମାନଙ୍କୁ ମୁକ୍ତ କରିବି ଓ ସେମାନେ ମୁକ୍ତ ପକ୍ଷୀ ପରି ଉଡ଼ିଯିବେ। 21 ଏବଂ ମଧ୍ୟ ମୁଁ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବି ଓ ମୋ’ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ଏବଂ ସେମାନେ ତୁମ୍ଭମାନଙ୍କ ଫାଶରେ ପଡ଼ି ଆଉ ତୁମ୍ଭମାନଙ୍କର ହସ୍ତଗତ ହେବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।
22 “‘କାରଣ ଯେତେବେଳେ ମୁଁ ଧାର୍ମିକମାନଙ୍କୁ ଦୟନୀୟ କରି ନାହିଁ, କିନ୍ତୁ ତୁମ୍ଭର ଭବିଷ୍ୟଦ୍ବକ୍ତାଗଣ ମିଥ୍ୟା ଦ୍ୱାରା ସେମାନଙ୍କୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସେମାନଙ୍କର କୁପଥରୁ ନ ଫେରନ୍ତି ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଉତ୍ସାହିତ କରିଛ। 23 ତେଣୁ ତୁମ୍ଭେମାନେ ଆଉ ମିଥ୍ୟା ଦର୍ଶନ ପାଇବ ନାହିଁ। କିମ୍ବା ମନ୍ତ୍ର ପଢ଼ିବ ନାହିଁ। ଏବଂ ମୁଁ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ତେଣୁ ତୁମ୍ଭେମାନେ ତାହା ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।
52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
2 ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀକ୍ଷ୍ଣ।
ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ।
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
5 ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
7 “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”
8 କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
9 ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।
53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
2 ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
3 ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
ନାଁ, ଜଣେ କେହି ନାହିଁ!
4 ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”
5 କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
6 ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
ସେତେବେଳେ ଯାକୁବ ଆନନ୍ଦିତ ହେବେ
ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଯେତେବେଳେ ସୀଫୀୟମାନେ ଶାଉଲଠାକୁ ଗଲେ ଓ ଏହି କଥା କହିଲେ, “ଆମ୍ଭେମାନେ ଭାବୁଛୁ ଦାଉଦ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।” ସେହି ସମୟରେ ଏହା ରଚିତ।
54 ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର।
ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ।
2 ହେ ପରମେଶ୍ୱର, ମୋର ପ୍ରାର୍ଥନା ଶୁଣ।
ମୋହର ଗୁହାରି ଶୁଣ।
3 ଅପରିଚିତ ଲୋକମାନେ କେହି ପରମେଶ୍ୱରଙ୍କୁ ଉପାସନା କରନ୍ତି ନାହିଁ।
ପରାକ୍ରମଶାଳୀ ଲୋକମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି।
4 ଦେଖ, ପରମେଶ୍ୱର ମୋତେ ସାହାଯ୍ୟ କରିବେ,
ମୋର ପ୍ରଭୁ ମୋର ସମର୍ଥନ କରିବେ।
5 ପରମେଶ୍ୱର, ମୋର ଶତ୍ରୁମାନଙ୍କୁ ସେମାନଙ୍କର କୁକର୍ମ ପାଇଁ ପ୍ରତିରୋଧ କର।
ପରମେଶ୍ୱର, ଦେଖାଇ ଦିଅ ଯେ, ତୁମ୍ଭେ ମୋ’ ପାଇଁ ସତ୍ୟ ଅଟ ଏବଂ ସେମାନଙ୍କୁ ଧ୍ୱଂସ କର।
6 ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି।
ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
7 ତୁମ୍ଭେ ମୋତେ ମୋର ସବୁ ବିପଦରୁ ରକ୍ଷା କଲ।
ମୋ’ ଶତ୍ରୁଗଣ ପରାଜିତ ହେବାର ମୁଁ ଦେଖିଛି।
2010 by World Bible Translation Center