M’Cheyne Bible Reading Plan
ଗଲିୟାତ ଇସ୍ରାଏଲକୁ ଟକ୍କର ଦିଅନ୍ତି
17 ପଲେଷ୍ଟୀୟ ସୈନ୍ୟସାମନ୍ତମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ। ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍-ଦମ୍ମୀମରେ ଛାଉଣି ସ୍ଥାପନ କଲେ।
2 ଶାଉଲ ଓ ଇସ୍ରାଏଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରିତ ହୋଇ ଛାଉଣି ସ୍ଥାପନ କଲେ। ସେମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୈନ୍ୟ ସଜାଇଲେ। 3 ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା।
4 ଗାଥ୍ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ। 5 ତା’ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆଟି ପାଞ୍ଚ ସହସ୍ର ଶେକଲ ଓଜନ ପିତ୍ତଳର ଥିଲା। 6 ସେ ଗୋଡ଼ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲା ଓ ତା’ର ପଛରେ ପିତ୍ତଳର ବର୍ଚ୍ଛା ବନ୍ଧା ହୋଇଥିଲା। 7 ତା’ର ବର୍ଚ୍ଛାର ଦଣ୍ତ ବୁଣାକାରର କାଠ ତୁଲ୍ୟ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶେକଲ ଲୌହ ଢାଲର ସମ୍ମୁଖରେ ଥିଲା। ତା’ର ଆଗେ ଆଗେ ତା’ର ଢାଲବାହକ ଗ୍ଭଲିଥିଲା।
8 ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ। 9 ଯଦି ସେ ଲୋକଟି ମୋତେ ମାରିଦିଏ, ତେବେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହେବୁ। ଯଦି ମୁଁ ତାକୁ ବଧ କରେ ତେବେ ତୁମ୍ଭେମାନେ ଆମ୍ଭର ଦାସ ହେବ ଓ ଆମ୍ଭମାନଙ୍କର ଦାସ କାର୍ଯ୍ୟ କରିବ।”
10 ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।”
11 ଯେତେବେଳେ ଶାଉଲ ଓ ଇସ୍ରାଏଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ। ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।
ଦାଉଦ ଯୁଦ୍ଧ ସମ୍ମୁଖକୁ ଗଲେ
12 ଦାଉଦ ଯିଶୀଙ୍କର ପୁତ୍ର ଥିଲେ, ଯିଶୀ ଥିଲେ ଇଫ୍ରାଥିୟ ପରିବାରର, ଯିଏ ବୈଥ୍ଲେହମ ଓ ଯିହୁଦାରେ ବାସ କରୁଥିଲେ ଏବଂ ଯିଶୀଙ୍କର ଆଠ ପୁତ୍ର ଥିଲେ। ପୁଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ। 13 ଯିଶୀଙ୍କର ତିନି ବଡ଼ ପୁତ୍ର ଶାଉଲଙ୍କର ପଶ୍ଚାତ ଯୁଦ୍ଧକୁ ଯାଇଥିଲେ। ପ୍ରଥମ ପୁତ୍ର ଥିଲେ ଇଲୀୟାବ୍ ଓ ଦ୍ୱିତୀୟ ପୁତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ। 14 ଦାଉଦ ଥିଲେ ସବୁଠାରୁ କନିଷ୍ଠ। ତିନି ଜଣ ଜ୍ୟେଷ୍ଠ ପୁତ୍ର ଶାଉଲଙ୍କର ସୈନ୍ୟ ଛାଉଣିରେ ଥିଲେ। 15 କିନ୍ତୁ ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରୁ ବୈଥ୍ଲେହମକୁ ସମୟ ସମୟରେ ଯାଆ ଆସ କରୁଥା’ନ୍ତି।
16 ସେହି ପଲେଷ୍ଟୀୟ ରାକ୍ଷସଟି ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟା ସମୟରେ ଇସ୍ରାଏଲର ସୈନ୍ୟ ସମ୍ମୁଖକୁ ଆସୁଥାଏ।
17 ଦିନେ ଯିଶୀ ନିଜର ପୁତ୍ର ଦାଉଦଙ୍କୁ କହିଲେ, “ସୈନ୍ୟ ଛାଉଣିରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ୟରୁ ଏକ ଐଫା ଓ ଏହି ଦଶଟା ରୋଟୀ ନେଇ ଯାଅ। 18 ସେ ମଧ୍ୟ ତାଙ୍କୁ କହିଲେ, “ଏହି ଦଶଖଣ୍ତ ବଡ଼ ଛେନାପୋଡ଼ 1000 ସୈନ୍ୟମାନଙ୍କର କପ୍ତାନମାନଙ୍କ ପାଇଁ ନେଇ ଯାଅ ଏବଂ ତୁମ୍ଭର ଭାଇମାନଙ୍କର କୁଶଳତାର ଖବର ଆଣିବା ସହିତ, ସେମାନେ କିପରି ଅଛନ୍ତି ତାହା ଜାଣିବା ନିମନ୍ତେ କିଛି ଚିହ୍ନ ଆଣ।” 19 ତୁମ୍ଭର ଭାଇମାନେ ଶାଉଲଙ୍କ ସାଥୀରେ ଇସ୍ରାଏଲୀୟ ସୈନ୍ୟମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।”
20 ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳି ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞା ଅନୁସାରେ ସେସବୁ ଦ୍ରବ୍ୟ ନେଇଗଲେ। ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ ବନ୍ଦୀ ଜାଗାରେ ଉପସ୍ଥିତ ହେଲେ। 21 ଇସ୍ରାଏଲୀୟମାନେ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ମୁହାଁ ମୁହିଁ ହେଲେ।
22 ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ, ନିଜର ସାମଗ୍ରୀ ରଖି ସୈନ୍ୟମାନଙ୍କ ମଝିକୁ ଆସି ନିଜର ଭାଇମାନଙ୍କୁ କୁଶଳବାର୍ତ୍ତା ପଗ୍ଭରିଲେ। 23 ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ।
24 ଇସ୍ରାଏଲର ସମସ୍ତ ସୈନ୍ୟଗଣ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତି ଭୟଭୀତ ହେଲେ। 25 ଜଣେ ଇସ୍ରାଏଲର ଲୋକ କହିଲା, “ତୁମ୍ଭେମାନେ ସେହି ବ୍ୟକ୍ତିକୁ ଦେଖିଲକି ଯିଏ ଇସ୍ରାଏଲକୁ ଅବମାନନା କରିବାକୁ ଆସିଥିଲା? ଏହାକୁ ଯେଉଁ ଲୋକ ହତ୍ୟା କରିବ, ରାଜା ତାହାଙ୍କୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ। ଆଉ ଇସ୍ରାଏଲ ମଧ୍ୟରେ ତା’ର ପିତୃ ଗୃହକୁ ନିଷ୍କର କରିବେ।”
26 ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।”
27 ଲୋକମାନେ ପୂର୍ବପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହାକୁ ପୁରସ୍କୃତ କରାଯିବ। 28 ଦାଉଦ ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା’ର ଜ୍ୟେଷ୍ଠଭ୍ରାତା ଇଲୀୟାବ ଶୁଣିଲା। ଇଲୀୟାବର କ୍ରୋଧ ଦାଉଦ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, “ତୁ ଏଠାକୁ କାହିଁକି ଆସିଲୁ? ପ୍ରାନ୍ତରରେ ମେଣ୍ଢାମାନଙ୍କୁ କାହା ପାଖରେ ଛାଡ଼ିଲୁ? ମୁଁ ତୋ’ ଗର୍ବ ଓ ମନର ଦୁଷ୍ଟତା ଜାଣେ। କାରଣ ତୁ କେବଳ ଯୁଦ୍ଧ ଦେଖିବା ପାଇଁ ଆସିଛୁ।”
29 ଦାଉଦ ଉତ୍ତର ଦେଲେ, “ମୁଁ ଏବେ କ’ଣ କଲି, ଏମିତି ମୁଁ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି।” 30 ଦାଉଦ ଅନ୍ୟ ଲୋକମାନଙ୍କ ପାଖକୁ ଗଲେ ଓ ପୂର୍ବପରି କହିଲେ, ତହିଁରେ ଲୋକମାନେ ପୁନର୍ବାର ପୂର୍ବପରି ଉତ୍ତର ଦେଲେ।
31 ଦାଉଦଙ୍କ ଏହିପରି କଥା ଯେତେବେଳେ ଲୋକମାନେ ଶୁଣିଲେ, ସେମାନେ ତାକୁ ଶାଉଲଙ୍କ ନିକଟକୁ ନେଇଗଲେ ଏବଂ ଦାଉଦ ଯାହା କହିଥିଲେ ତାହା କହିଲେ। 32 ଦାଉଦ ଶାଉଲଙ୍କୁ କହିଲେ, “ଗଲିୟାତ ଯୋଗୁଁ ଲୋକମାନେ ହତାଶ ହେବା ଉଚିତ୍ ନୁହେଁ। ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସହିତ ଯୁଦ୍ଧ କରିବ।”
33 ଶାଉଲ ଉତ୍ତର ଦେଲେ, “ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯୁଦ୍ଧ କରି ପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନୁହଁ ଏବଂ ଗଲିୟାତ ବାଳକ ଅବସ୍ଥାରୁ ଯୁଦ୍ଧ କରି ଆସୁଅଛି।”
34 କିନ୍ତୁ ଦାଉଦ ଶାଉଲଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭର ଦାସ, ଆପଣା ପିତାର ମେଷ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଗୋଟିଏ ମେଷକୁ ନେଇଗଲା। 35 ମୁଁ ତା’ ପଛରେ ଗୋଡ଼ାଇଲି ଏବଂ ତାକୁ ଆଘାତ କରି, ତା’ ପାଟିରୁ ମେଷକୁ ଛଡ଼ାଇ ଆଣିଲି। ବନ୍ୟ ପଶୁଟି ମୋ’ ଉପରକୁ କୁଦା ମାରିଲା ମୁଁ ତା’ର ଦାଢ଼ି ଧରି ତାହାକୁ ମାରି ଦେଲି। 36 ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି। 37 ସଦାପ୍ରଭୁ ମୋତେ ସିଂହ ଓ ଭାଲୁ ନିକଟରୁ ରକ୍ଷା କରିଛନ୍ତି। ସଦାପ୍ରଭୁ ମୋତେ ପଲେଷ୍ଟୀୟଠାରୁ ରକ୍ଷା କରିବେ।”
ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାଅ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।” 38 ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତ୍ତଳ ଟୋପର ଦେଇ ତାହାଙ୍କୁ ସାଞ୍ଜୁଆ ପିନ୍ଧାଇଲେ। 39 ଦାଉଦ ଆପଣା ବସ୍ତ୍ର ଉପରେ ଖଡ଼୍ଗ ବାନ୍ଧି ଗ୍ଭଲିବାକୁ ଚେଷ୍ଟା କଲେ, ସେ ଅକୃତକାର୍ଯ୍ୟ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରୀ ପିନ୍ଧିବାର ଅଭ୍ୟାସ ନ ଥିଲା।
ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ସାମଗ୍ରୀ ନେଇ ଯୁଦ୍ଧ କରି ନ ପାରେ, ମୁଁ ସେଗୁଡ଼ିକ ସହିତ ଅଭ୍ୟସ୍ତ ନୁହେଁ।” ତେଣୁ ତାକୁ ସେ କାଢ଼ି ରଖିଲେ। 40 ଦାଉଦ ଆପଣା ଯଷ୍ଟି ହାତରେ ଧରି ନଦୀରୁ ପାଞ୍ଚ ଗୋଟି ଚିକ୍କଣ ପଥର ବାଛିଲେ ଓ ସେଗୁଡ଼ିକୁ ନିଜର ମେଷପାଳକ ଥଳି ମଧ୍ୟରେ ରଖିଲେ। ନିଜ ହାତରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକୁ ଗଲେ।
ଦାଉଦ ଗଲିୟାତକୁ ବଧ କଲେ
41 ପଲେଷ୍ଟୀୟ ଧୀରେ ଧୀରେ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତା’ର ଢାଲବାହକ ତା’ର ଆଗେ ଆଗେ ଗ୍ଭଲିଲା। 42 ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କୁ ଦେଖିଲେ ଓ ତାକୁ ତୁଚ୍ଛ ଜ୍ଞାନ କଲେ କାରଣ ଦାଉଦ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। 43 ଗଲିୟାତ ଦାଉଦଙ୍କୁ କହିଲେ, “ମୁଁ କ’ଣ ଗୋଟିଏ କୁକୁର ତୁମ୍ଭେ ମୋ’ ପାଖକୁ ବାଡ଼ି ନେଇ ଆସିଛ।” ତା’ପରେ ଗଲିୟାତ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା। 44 ଗଲିୟାତ ଦାଉଦଙ୍କୁ କହିଲା, “ଏହିଠାକୁ ଆସ ମୁଁ ତୁମ୍ଭର ମାଂସକୁ ହିଂସ୍ର ପଶୁ-ପକ୍ଷୀମାନଙ୍କୁ ଖୁଆଇବି।”
45 ଦାଉଦ ଗଲିୟାତକୁ କହିଲେ, “ତୁମ୍ଭେ ଖଡ଼୍ଗ ବର୍ଚ୍ଛା ଓ ଶଲ୍ୟ ଘେନି ମୋ’ ପାଖକୁ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲର ସୈନ୍ୟବାହିନୀର ପରମେଶ୍ୱର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। 46 ଆଜି ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ସମର୍ପି ଦେବେ। ଏବଂ ମୁଁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛେଦନ କରିବି। ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶରୀର ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ୍ୟପଶୁମାନଙ୍କୁ ଦେବି, ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। 47 ଏଠାରେ ରୁଣ୍ଡ ହୋଇଥିବା ସବୁ ଲୋକମାନେ ଜାଣିବେ ଯେ, ସଦାପ୍ରଭୁ ଖଡ଼୍ଗ ଓ ବର୍ଚ୍ଛାଦ୍ୱାରା ରକ୍ଷା କରନ୍ତି ନାହିଁ, କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।”
48 ଏହା ପରେ ସେହି ପଲେଷ୍ଟୀୟ ଦାଉଦକୁ ଆକ୍ରମଣ କରିବାକୁ ଉଠି ପଡ଼ିଲା ଏବଂ ଦାଉଦର ନିକଟରୁ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭେଟିବାକୁ ସୈନ୍ୟବାହିନୀ ଆଡ଼େ ଦୌଡ଼ିଲେ।
49 ଦାଉଦ ଆପଣା ଥଳିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତା’ର କପାଳରେ ପଶିଯା’ନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା।
50 ଏହିପରି ଭାବରେ ଦାଉଦ ବାଟୁଳି ଓ ପଥର ଦ୍ୱାରା ସେହି ପଲେଷ୍ଟୀୟକୁ ପରାସ୍ତ କଲେ ଓ ଆଘାତ କରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତରେ ଖଡ଼୍ଗ ନ ଥିଲା। 51 ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ଗଲିୟାତର ଖଡ଼୍ଗ ଖାପରୁ କାଢ଼ି ତାହାର ମସ୍ତକ ଛେଦନ କଲେ।
ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ। 52 ଇସ୍ରାଏଲର ଓ ଯିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ସନ୍ନିକଟ ଇକ୍ରୋଣ ଫାଟକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତା’ପରେ ସେମାନେ ପଲେଷ୍ଟୀୟମାନଙ୍କୁ ହତ୍ୟା କରି ଶାରୟିମ ପଥରେ ଗାଥ୍ ଓ ଇକ୍ରୋଣ ପର୍ଯ୍ୟନ୍ତ ପକାଇଲେ। 53 ଇସ୍ରାଏଲର ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ଲେଉଟି ଆସି ସେମାନଙ୍କ ଛାଉଣି ଲୁଟ୍ କଲେ।
54 ଦାଉଦ ସେହି ପଲେଷ୍ଟୀୟର ମସ୍ତକ ନେଇ ଯିରୁଶାଲମକୁ ଆଣିଲେ କିନ୍ତୁ ତା’ର ଅସ୍ତ୍ର ଆପଣା ଗୃହରେ ରଖିଲେ।
ଶାଉଲ ଦାଉଦଙ୍କୁ ଭୟ କରିବାକୁ ଆରମ୍ଭ କଲେ
55 ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅବ୍ନରକୁ କହିଲେ, “ଅବ୍ନର ଏ ଯୁବକ କାହାର ପୁତ୍ର?”
ଅବ୍ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।”
56 ରାଜା କହିଲେ, “ପଗ୍ଭର ଏ ଯୁବକ କାହାର ପୁଅ?”
57 ଦାଉଦ ପଲେଷ୍ଟୀୟକୁ ହତ୍ୟା କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବ୍ନର ତାଙ୍କୁ ନେଇ ଶାଉଲଙ୍କ ନିକଟକୁ ଆସିଲା।
58 ଶାଉଲ ତାଙ୍କୁ ପଗ୍ଭରିଲେ, “ହେ ଯୁବକ ତୁମ୍ଭେ କାହାର ପୁଅ?”
ଦାଉଦ କହିଲେ, “ମୁଁ ଆପଣଙ୍କ ଦାସ ବୈଥ୍ଲେହମୀୟ ଯିଶୀର ପୁତ୍ର।”
15 ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ। 2 ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢ଼ାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ’ଣ ଭଲ ତାହା ଭାବିବା ଉଚିତ୍। 3 ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରି ନ ଥିଲେ। ତାହାଙ୍କ ବିଷୟରେ ଶାସ୍ତ୍ର କୁହେ: “ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି।” [a] 4 ଶାସ୍ତ୍ରରେ ଯେଉଁ କଥା ମାନ ଲେଖା ଅଛି, ସେଗୁଡ଼ିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢ଼େ ଓ ଆମ୍ଭେ ଭରସା ଲାଭ କରୁ। 5 ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ମିଳିମିଶି ରୁହ। 6 ତା’ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ୱରଙ୍କୁ ମହିମା ପ୍ରଦାନ କରି ପାରିବ। 7 ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର। 8 ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ। 9 ଅଣଯିହୂଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ର କୁହେ:
“ସେଥିପାଇଁ ମୁଁ ଅଣଯିହୂଦୀ ଲୋକଙ୍କ ଭିତରେ ତୁମ୍ଭକୁ ଧନ୍ୟବାଦ ଜଣାଇବି,
ଓ ତୁମ୍ଭ ନାମର ମହିମା ଗାନ କରିବି।” (A)
10 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,
“ତୁମ୍ଭେ ଅଣଯିହୂଦୀମାନେ, ପରମେଶ୍ୱରଙ୍କର ବଛା ହୋଇଥିବା ଲୋକଙ୍କ ସହିତ ପ୍ରସନ୍ନ ରହିବା ଉଚିତ୍।” (B)
11 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,
“ତୁମ୍ଭେ ଅଣଯିହୂଦୀମାନେ ପ୍ରଭୁଙ୍କର ପ୍ରଶଂସା ଗାନ କର,
ସମସ୍ତ ଲୋକେ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିବା ଉଚିତ୍।” (C)
12 ଯିଶାଇୟ ମଧ୍ୟ କୁହନ୍ତି,
“ଯିଶୟ [b]ଙ୍କ ବଂଶରୁ ଜଣେ ପ୍ରକାଶିତ ହେବ।
ସେହି ଲୋକ ଅଣଯିହୂଦୀମାନଙ୍କ ଉପରେ ଶାସନ କରିବେ,
ଓ ଅଣଯିହୂଦୀମାନେ ସେହି ଲୋକ ପାଇଁ ଭରସା ଲାଭ କରିବେ।” (D)
13 ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା’ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।
ପାଉଲ ନିଜ କାର୍ଯ୍ୟ ବିଷୟରେ କହୁଛନ୍ତି
14 ମୋ’ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେମାନେ ଭଲ ଗୁଣରେ ପରିପୂର୍ଣ୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେମାନେ ପରସ୍ପରକୁ ଶିକ୍ଷା ଦେଇ ପାରିବ। 15 କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲାଖୋଲି ଭାବେ କେତେକ ବିଷୟରେ ଲେଖିଥିଲି। ପରମେଶ୍ୱରଙ୍କଠାରୁ ବିଶେଷ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି। 16 ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତି କଲେ। ସେ ମୋତେ ସୁସମାଗ୍ଭର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି କଲେ। ଏପରି କରିବା ଉଦ୍ଦେଶ୍ୟ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ୱରୂପ ହେବେ ଯାହାକି ପରମେଶ୍ୱର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ରଆତ୍ମା ଦ୍ୱାରା ପବିତ୍ର କରାଗଲା।
17 ମୁଁ ଗର୍ବ କରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ରହି ମୁଁ ପରମେଶ୍ୱରଙ୍କ ସେବା କରିଛି। 18 ମୁଁ ନିଜେ କରିଥିବା କାର୍ଯ୍ୟ ବିଷୟରେ କିଛି କହିବି ନାହିଁ। ମୁଁ କେବଳ ସେହି କଥା ଗୁଡ଼ିକ କହିବି, ଯାହା ଖ୍ରୀଷ୍ଟ ଯୀଶୁ ମୋ’ ଦ୍ୱାରା କରିଛନ୍ତି ଯଦ୍ଦ୍ୱାରା ଅଣଯିହୂଦୀମାନେ ପରମେଶ୍ୱରଙ୍କ ବାଧ୍ୟ ହେବେ। ସେମାନେ ମୋ’ କଥା ଓ କାର୍ଯ୍ୟ ପାଇଁ ପରମେଶ୍ୱରଙ୍କୁ ମାନିଛନ୍ତି। 19 ସେମାନେ ଆଶ୍ଚର୍ଯ୍ୟକର୍ମ ଓ ଅଦ୍ଦ୍ଭୂତ ଘଟଣା ମାଧ୍ୟମରେ ପବିତ୍ରଆତ୍ମାଙ୍କର ଶକ୍ତିରେ ପରମେଶ୍ୱରଙ୍କୁ ମାନିଛନ୍ତି। ମୁଁ ଯିରୁଶାଲମଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମୋର ସେହି କାର୍ଯ୍ୟ ସମାପ୍ତ କଲି। 20 ମୁଁ ସେହି ଜାଗାମାନଙ୍କରେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବାକୁ ଇଚ୍ଛା କରେ, ଯେଉଁଠାରେ ଖ୍ରୀଷ୍ଟଙ୍କର ନାମ ମଧ୍ୟ ଲୋକମାନେ ଶୁଣି ନାହାନ୍ତି। ଏପରି କରିବା ଉଲେଖ୍ୟ ଯେ, ଅନ୍ୟ ଲୋକ ଦ୍ୱାରା ଆରମ୍ଭ କରା ଯାଇଥିବା ମୂଳଦୁଆ ଉପରେ କାର୍ଯ୍ୟକୁ ଯେପରି ମୁଁ ଆଉଥରେ ନ କରେ। 21 କିନ୍ତୁ ଶାସ୍ତ୍ରରେ ଏହିପରି ଲେଖା ହୋଇଛି:
“ଯେଉଁ ଲୋକମାନଙ୍କୁ ତାହାଙ୍କ ବିଷୟରେ କୁହାଯାଇ ନାହିଁ, ସେମାନେ ତାହାଙ୍କୁ ଦେଖିବେ
ଓ ଯେଉଁମାନେ ତାହାଙ୍କ ବିଷୟରେ ଶୁଣି ନାହାନ୍ତି, ସେମାନେ ବୁଝିବେ।” (E)
ପାଉଲଙ୍କର ରୋମ ଯିବା ଯୋଜନା
22 ସେଥିପାଇଁ ଅନେକ ଥର ମୋତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆଯାଇଛି।
23 ଏବେ ଏହି ଅଞ୍ଚଳରେ ମୁଁ ମୋର କାର୍ଯ୍ୟ ସମାପ୍ତ କରି ସାରିଛି। ବିଗତ ଅନେକ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି। 24 ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି। ଆଶାକରେ ଯେ ସ୍ପେନକୁ ଯିବାବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି। ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରି ପାରିବ।
25 ପରମେଶ୍ୱରଙ୍କ ଲୋକଙ୍କ ସେବାରେ ଏବେ ମୁଁ ଯିରୁଶାଲମ ଯାଉଛି। 26 ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ। 27 ସେମାନେ ଖୁସୀରେ ଏହା କରିଛନ୍ତି। ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍। 28 ଅତଏବ, ମୁଁ ଏହି ସେବାମୂଳକ କର୍ମ ଏକାଠି ଶେଷ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ଯିରୁଶାଲମର ଗରିବମାନଙ୍କୁ ଦେଲା ପରେ ତୁମ୍ଭମାନଙ୍କ ନଗର ବାଟ ଦେଇ ସ୍ପେନ ଯିବି।
ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ଓ ସେଠାରେ ରହିବି। 29 ମୁଁ ଜାଣେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତେବେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ନେଇ ଆସିବି।
30 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ’ ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର। ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର। 31 ପ୍ରାର୍ଥନା କର ଯେ, ମୁଁ ଯିହୂଦାଠାରେ ଅବିଶ୍ୱାସୀଲୋକମାନଙ୍କ କବଳରୁ ରକ୍ଷା ପାଇବି। ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବେ। 32 ତା’ପରେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ତା’ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନେବି। 33 ଶାନ୍ତିଦାତା ପରମେଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍।
ସଦାପ୍ରଭୁ ଯିରୁଶାଲମ ଧ୍ୱଂସ କଲେ
2 ଦେଖ, ସଦାପ୍ରଭୁ କିପରି ଆପଣା କ୍ରୋଧରେ
ସିୟୋନ କନ୍ୟାକୁ ମେଘାଚ୍ଛନ୍ନ କରିଛନ୍ତି।
ସେ ଇସ୍ରାଏଲର ଗୌରବକୁ
ସ୍ୱର୍ଗରୁ ପୃଥିବୀକୁ ନିକ୍ଷେପ କରିଛନ୍ତି।
ପୁଣି ତାଙ୍କର କ୍ରୋଧର ଦିନରେ
ତାଙ୍କର ପାଦପୀଠ ଇସ୍ରାଏଲକୁ ସ୍ମରଣ କରି ନାହାନ୍ତି।
2 ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ୱଂସ କରିଛନ୍ତି।
ସେ ତାହା ପ୍ରତି ଦୟା କରି ନାହାନ୍ତି।
ସେ ଆପଣା କ୍ରୋଧରେ ଯିହୁଦା କନ୍ୟାର
ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି।
ସଦାପ୍ରଭୁ ତାହାର ରାଜ୍ୟ ଓ ତା’ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି।
3 ସଦାପ୍ରଭୁ ପ୍ରଚଣ୍ଡ କ୍ରୋଧରେ
ଇସ୍ରାଏଲର ସମସ୍ତ ଶକ୍ତି କାଟି ପକାଇଛନ୍ତି।
ସେ ଶତ୍ରୁ ସମ୍ମୁଖରୁ
ତାଙ୍କର ଦକ୍ଷିଣ ହସ୍ତ ପଛକୁ ଟାଣି ନେଇଛନ୍ତି।
ସେ ଅଗ୍ନିଶିଖା ପରି ଯାକୁବକୁ ଜ୍ୱଳାଇଛନ୍ତି
ଓ ତାହା ଚତୁର୍ଦ୍ଦିଗରେ ଥିବା ସବୁକିଛି ଗ୍ରାସ କରିଛନ୍ତି।
4 ଆଉ ସଦାପ୍ରଭୁ ଶତ୍ରୁ ପରି ଧନୁରେ ସୂତା ବାନ୍ଧିଥିଲେ
ଓ ତାଙ୍କର ଦକ୍ଷିଣ ହସ୍ତକୁ ଶତ୍ରୁପକ୍ଷ ପରି ସୁଶୋଭିତ କରିଛନ୍ତି।
ଯିହୁଦାର ସମସ୍ତ ସୁନ୍ଦର ଲୋକଙ୍କୁ
ଶତ୍ରୁପରି ବଧ କରିଅଛନ୍ତି।
ପୁଣି ତାଙ୍କର କ୍ରୋଧାଗ୍ନିକୁ
ସିୟୋନ କନ୍ୟାର ତମ୍ବୁ ଉପରେ ଢାଳି ଦେଇଅଛନ୍ତି।
5 ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି।
ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି।
ସେ ତା’ର ସମସ୍ତ ଅଟ୍ଟାଳିକା
ଓ ସମସ୍ତ ଦୁର୍ଗକୁ ଧ୍ୱଂସ କରିଅଛନ୍ତି।
ଆଉ ସେ ଯିହୁଦା କନ୍ୟା ମଧ୍ୟରେ
ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।
6 ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି
ସେମାନଙ୍କର ଆବାସ କୁଡ଼ିଆକୁ ନଷ୍ଟ କରି ଦେଇଛନ୍ତି।
ସେ ଆପଣା ସାମାଜିକ ଉପାସନା ସ୍ଥାନକୁ
ନଷ୍ଟ କରିଦେଇଅଛନ୍ତି।
ସଦାପ୍ରଭୁ ସିୟୋନରେ ମହାସଭା
ଓ ବିଶ୍ରାମ ଦିନ ବିସ୍ତୃତ କରାଇ ଅଛନ୍ତି।
ଆଉ ଆପଣା ପ୍ରଚଣ୍ଡ କ୍ରୋଧରେ ରାଜା
ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।
7 ସଦାପ୍ରଭୁ ଆପଣା ଯଜ୍ଞବେଦି
ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି।
ସେ ତା’ର ମନ୍ଦିରର ପ୍ରାଚୀରକୁ
ନିଜର ଶତ୍ରୁମାନଙ୍କୁ ଦେଇଛନ୍ତି।
ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦରେ
ସଦାପ୍ରଭୁଙ୍କ ମନ୍ଦିରରେ ଧ୍ୱନି କରୁଛନ୍ତି।
8 ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର
ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି।
ସେ ମାପସୂତା ଧରିଛନ୍ତି
ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାନ୍ତି।
ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି।
ସେମାନେ ଏକାବେଳକେ ନିସ୍ତେଜ ହୋଇଛନ୍ତି।
9 ତାହାର ନଗରଦ୍ୱାର ସବୁ ଭୂମିସାତ୍ ହୋଇଅଛି,
ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ ହୋଇଗଲା।
ତା’ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅଛନ୍ତି,
ତା’ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ।
ତା’ର ଭବିଷ୍ୟଦ୍ବକ୍ତାଗଣ କୌଣସି ଦର୍ଶନ।
ସଦାପ୍ରଭୁଙ୍କଠାରୁ ପାଇ ନାହାନ୍ତି।
10 ସିୟୋନ କନ୍ୟା,
ବୟସ୍କାମାନେ ନୀରବରେ ଭୂମିରେ ବସିଛନ୍ତି।
ସେମାନେ ଆପଣା ମସ୍ତକରେ ଧୂଳି ବୋଳି ହୋଇଛନ୍ତି
ଓ କଟି ଦେଶରେ ଶୋକ ବସ୍ତ୍ର ବାନ୍ଧିଛନ୍ତି।
ଯିରୁଶାଲମର କୁମାରୀମାନେ ଭୂମିକୁ
ସେମାନଙ୍କର ମସ୍ତକରେ ଅବନତ କରିଛନ୍ତି।
11 ମୋର ଚକ୍ଷୁଯୁଗଳ ଲୋତକରେ ପୂର୍ଣ୍ଣ ହୁଏ
ଓ ଅନ୍ତର ବ୍ୟଥିତ ହୁଏ।
ମୋର ଲୋକମାନଙ୍କର ବିନାଶ ହେତୁ
ମୋର ହୃଦୟ ଭୂମିରେ ଢଳା ହେଲାପରି ଅନୁଭବ କରେ,
କାରଣ ନଗରର ପଥ ସମୂହରେ ବାଳକ ବାଳିକା
ଓ ଦୁଗ୍ଧପୋଷ୍ୟ ଶିଶୁମାନେ ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି।
12 ସେମାନେ ନିଜ ନିଜ ମାତାକୁ “ଶସ୍ୟ ଓ ଦ୍ରାକ୍ଷାରସ କାହିଁ?”
ଏହି କଥା ପଗ୍ଭରୁଛନ୍ତି, ଯେତେବେଳେ ସେମାନେ ମୂର୍ଚ୍ଛା ଯାଆନ୍ତି।
ନଗର ଛକରେ ଘାଇଲା ଲୋକମାନଙ୍କ ପରି ଏବଂ ନିଜ ନିଜ ମା କୋଳରେ ପ୍ରାଣତ୍ୟାଗ କରନ୍ତି।
13 ଆଗୋ ସିୟୋନ କନ୍ୟା, ମୁଁ ତୁମ୍ଭ ଆଗରେ କି ସାକ୍ଷ୍ୟ ଦେବି?
ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି?
ଆଗୋ ସିୟୋନ କୁମାରୀ କନ୍ୟା,
ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି?
କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ,
ତୁମ୍ଭକୁ କିଏ ସୁସ୍ଥ କରି ପାରିବା ପାଇଁ ସକ୍ଷମ ହେବ?
14 ତୁମ୍ଭର ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି।
ମାତ୍ର ତାହା ଅସାର ଓ ମିଥ୍ୟାରେ ପରିପୂର୍ଣ୍ଣ।
ସେମାନେ ତୁମ୍ଭର ଭଲ ପାଇଁ
ଓ ତୁମ୍ଭର ଅଧର୍ମ ମୋଚନ ପାଇଁ ପ୍ରଗ୍ଭର କରି ନାହାନ୍ତି।
ମାତ୍ର ଅସାର ଭାରୋକ୍ତି
ଓ ତୁମ୍ଭ ନିର୍ବାସିତ ହେବାର ଦେଖି ପ୍ରଗ୍ଭର କରିଅଛନ୍ତି।
15 ପଥିକମାନେ ତୁମ୍ଭର ଦୁରାବସ୍ଥାରେ
ହାତତାଳି ଦିଅନ୍ତି।
ସେମାନେ “ଶୀସ୍” ଶବ୍ଦ କରି
ଯିରୁଶାଲମର କନ୍ୟା ପ୍ରତି ମସ୍ତକ ହଲାଇ କହନ୍ତି,
“ଏ କ’ଣ ସେହି ନଗରୀ
ଯାହାକୁ ଲୋକମାନେ ‘ସୌନ୍ଦର୍ଯ୍ୟମୟୀ ନଗରୀ’
ଓ ‘ସମଗ୍ର ପୃଥିବୀର ଆନନ୍ଦ ସ୍ୱରୂପ’ ବୋଲି କହୁଥିଲେ?”
16 ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି।
ସେମାନେ “ଶୀସ୍” ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି,
“ଆମ୍ଭେମାନେ ତାକୁ ଗ୍ରାସ କରିଅଛୁ,
ଆମ୍ଭେମାନେ ଏହି ଦିନକୁ ଅପେକ୍ଷା କରିଥିଲୁ,
ଏହି ଦିନକୁ ଆମ୍ଭେମାନେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।”
17 ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି।
ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ,
ସେହି ବାକ୍ୟ ସଫଳ କରିଅଛନ୍ତି।
ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି।
ଆଉ ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି
ଓ ସେ ତୁମ୍ଭ ବିପକ୍ଷରେ ସେମାନଙ୍କୁ ଉନ୍ନତ କରିଅଛନ୍ତି।
18 ତୁମ୍ଭମାନଙ୍କର ହୃଦୟ ସଦାପ୍ରଭୁଙ୍କ ସମ୍ମୁଖରେ ଚିତ୍କାର କରିବା ଉଚିତ୍।
ହେ ସିୟୋନ କନ୍ୟାର ପ୍ରାଚୀର,
ଦିବାରାତ୍ରି ଅଶ୍ରୁଧାରା ସ୍ରୋତ ପରି ଝରାଅ।
ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ
ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ।
19 ଉଠ, ରାତ୍ରିର ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର;
ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳପରି ଢାଳି ଦିଅ;
ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ
ତାଙ୍କ ସମ୍ମୁଖରେ ହାତଯୋଡ଼ି ପ୍ରାର୍ଥନା କର।
କାରଣ ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ କ୍ଷୁଧାରେ ଛଟପଟ ହେଉଛନ୍ତି।
20 ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର,
ତୁମ୍ଭେ ତାହା ପ୍ରତି ଏ ପ୍ରକାର ବ୍ୟବହାର କରିଅଛ!
ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଗ୍ଭରୁଛି, କୌଣସି ମା କ’ଣ ତା’ର ଗର୍ଭସ୍ଥ ସନ୍ତାନକୁ
ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷ୍ୟଣ କରିବ?
ଯାଜକଗଣ ଓ ଭବିଷ୍ୟଦ୍ବକ୍ତା କ’ଣ
ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ନିହତ ହେବେ କି?
21 ଯୁବକ ଓ ବୃଦ୍ଧ ନଗରର ରାସ୍ତାରେ
ପତିତ ହୋଇଛନ୍ତି।
ଯୁବକ, ଯୁବତୀ ଖଡ଼୍ଗରେ
ହତ ହୋଇ ପଡ଼ିଛନ୍ତି।
ସଦାପ୍ରଭୁ ସେମାନଙ୍କୁ ଆପଣା କ୍ରୋଧ ଦିନରେ ବଧ କରିଛନ୍ତି
ଓ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୋଇଛନ୍ତି।
22 ତୁମ୍ଭେ ମୋର ଚତୁର୍ଦ୍ଦିଗରୁ ଭୟକୁ ଆହ୍ୱାନ କରୁଅଛି,
ସତେ ଯେପରି ସେମାନଙ୍କୁ କୌଣସି ଉତ୍ସବକୁ ନିମନ୍ତ୍ରଣ କରାଯାଇଛି।
ସଦାପ୍ରଭୁଙ୍କ କ୍ରୋଧର ଦିନରେ କେହି ରକ୍ଷା ପାଇଲେ ନାହିଁ କି କେହି ଅବଶିଷ୍ଟ ରହିଲେ ନାହିଁ।
ଯେଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ ସେମାନଙ୍କୁ ସଂହାର କରିଅଛି।
33 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ପରମେଶ୍ୱରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
2 ବୀଣା ବାଦ୍ୟ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ଦଶ-ତାର ବାଦ୍ୟରେ ତାଙ୍କର ପ୍ରଶଂସା ଗାନ କର।
3 ତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଶୁଣାଅ।
ସୁନ୍ଦର ସ୍ୱରରେ ମନୋହର ବାଦ୍ୟରେ ଏକ ଗୀତ ରଚନା କର।
4 ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ।
ତାଙ୍କର ସମସ୍ତ କାର୍ଯ୍ୟକୁ ତୁମ୍ଭେ ବିଶ୍ୱାସ କରିପାର।
5 ପରମେଶ୍ୱର ସବୁ ପ୍ରକାର ନ୍ୟାୟ ବିଗ୍ଭର ଓ ଉତ୍ତମ କାର୍ଯ୍ୟକୁ ଭଲ ପାଆନ୍ତି।
ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ।
6 ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା।
ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
7 ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ।
ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
8 ଏ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍।
ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
9 କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା
ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ।
10 ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି।
ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି।
11 କିନ୍ତୁ ସଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମୟ
ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
ଜଣେ ଶକ୍ତିଶାଳୀ ସୈନିକ କେବଳ ତା’ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।
2010 by World Bible Translation Center