M’Cheyne Bible Reading Plan
ଶାମୁୟେଲକୁ ପରମେଶ୍ୱରଙ୍କ ଡାକରା
3 ବାଳକ ଶାମୁୟେଲ ଏଲିଙ୍କ ଅଧୀନରେ ସଦାପ୍ରଭୁଙ୍କର ସେବା କଲେ। ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ଓ ଦର୍ଶନ ଦୁର୍ଲଭ ଥିଲା।
2 ଏହି ସମୟରେ ଏଲିଙ୍କର ଚକ୍ଷୁ ଧୁନ୍ଦୁଳା ହେବାକୁ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ। 3 ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରୁ ଯେତେବେଳେ ଶାମୁୟେଲ ଶୋଇଥିଲେ, 4 ସେତେବେଳେ ସଦାପ୍ରଭୁ ଶାମୁୟେଲକୁ ଡାକିଲେ ଓ ଶାମୁୟେଲ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।” 5 ଶାମୁୟେଲ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?”
ସେ କହିଲେ, “ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।”
ଏବଂ ସେ ଶୋଇଲେ। 6 ଏହା ପରେ ସଦାପ୍ରଭୁ “ଶାମୁୟେଲ” ବୋଲି ଆଉ ଥରେ ଡାକିଲେ, ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କିହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?”
ସେ ଉତ୍ତର ଦେଲେ, “ହେ ମୋର ପୁତ୍ର, ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।”
7 ସେ ସମୟରେ ଶାମୁୟେଲ ସଦାପ୍ରଭୁଙ୍କୁ ଜାଣି ନ ଥିଲା, କାରଣ ସଦାପ୍ରଭୁ ତାଙ୍କଠାରେ ତାଙ୍କର ବାକ୍ୟ କଥା ପ୍ରକାଶ କରି ନ ଥିଲେ।
8 ଏହା ପରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି ଆପଣ ମୋତେ ଡାକିଲେ ପରା,”
ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି ଏହା ଏଲି ବୁଝିଲେ। 9 ତେଣୁ ଏଲି ଶାମୁୟେଲକୁ କହିଲେ, “ଯାଇ ଶୁଅ, ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ‘ହେ ସଦାପ୍ରଭୁ, କହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।’”
ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ। 10 ଏହା ପରେ ସଦାପ୍ରଭୁ ଆସିଲେ ଏବଂ ସେଠାରେ ଛିଡ଼ା ହେଲେ, ଆଗ ଥର ପରି ସେ “ଶାମୁୟେଲ, ଶାମୁୟେଲ” ବୋଲି ଡାକିଲେ।
ତା’ପରେ ଶାମୁୟେଲ ଉତ୍ତର ଦେଲେ, “ମୋତେ କୁହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।”
11 ତା’ପରେ ସଦାପ୍ରଭୁ ଶାମୁୟେଲକୁ କହିଲେ, “ଦେଖ, ମୁଁ ଇସ୍ରାଏଲରେ କିଛି ଗୋଟେ କରିବି, ସେହି ସମସ୍ତେ ଯେଉଁମାନେ ଏବିଷୟରେ ଶୁଣିବେ, ମନ ଦୁଃଖ କରିବେ। 12 ମୁଁ ଏଲିର ପରିବାରକୁ ଯାହା ଯାହା କହୁଅଛି ସେ ସମସ୍ତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରଣ କରିବ। 13 ମୁଁ ତାକୁ କହିଅଛି ଯେ, ମୁଁ ଚିରଦିନ ତା’ର ବଂଶକୁ ଦଣ୍ତ ଦେବି, ଯେହେତୁ ତା’ର ଅପରାଧ ତାକୁ ଜଣା ଅଛି। ସେ ଜାଣିଲା ଯେ, ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କରୁଛନ୍ତି ଓ କହୁଛନ୍ତି। ତଥାପି ଏଲି ତା’ର ପୁତ୍ରମାନଙ୍କୁ ନିୟନ୍ତ୍ରଣ କଲା ନାହିଁ। 14 ମୁଁ ପ୍ରତିଜ୍ଞା କରୁଅଛି ଯେ, ଏଲିର ପରିବାର ପାପ ବଳିଦାନ ଉତ୍ସର୍ଗ ଦ୍ୱାରା ଶସ୍ୟ ନୈବେଦ୍ୟ ଉତ୍ସର୍ଗ ଦ୍ୱାରା କେବେ ପ୍ରାୟଶ୍ଚିତ ହେବ ନାହିଁ।”
15 ତହୁଁ ଶାମୁୟେଲ ଶୋଇବାକୁ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ୱାର ଫିଟାଇବାକୁ ଶୀଘ୍ର ଉଠିଲେ। ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟକଲେ।
16 ଏଥୁ, “ହେ ମୋହର ପୁତ୍ର ଶାମୁୟେଲ,” ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ।
ତହିଁରେ ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”
17 ତା’ପରେ ସେ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁଁ ତୁମ୍ଭକୁ ବିନୟ କରୁଅଛି, କିଛି ନ ଲୁଗ୍ଭଇ ମୋତେ କୁହ, “ପରମେଶ୍ୱରଙ୍କ ବାର୍ତ୍ତା ଯଦି କିଛି ମୋ’ଠାରେ ଲୁଗ୍ଭଅ ପରମେଶ୍ୱର ତୁମ୍ଭଙ୍କୁ ଦଣ୍ତ ଦେବେ।”
18 ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାହାଙ୍କୁ ସବୁକଥା ଜଣାଇଲେ।
ତା’ପରେ ଏଲି କହିଲେ, “ସେ ସଦାପ୍ରଭୁ, ଯାହା ସଦାପ୍ରଭୁ ଭାବନ୍ତି ତାହା ଯଥାର୍ଥ, ତାହା ସେ କରନ୍ତୁ।”
19 ତା’ପରେ ଶାମୁୟେଲ ବଡ଼ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ୟ ମିଛ ହେବାକୁ ଦେଲେ ନାହିଁ। 20 ତା’ପରେ ଶାମୁୟେଲ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ୟଦ୍ବକ୍ତା ବୋଲି ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲୀୟ ଜ୍ଞାତ ହେଲେ। 21 ଆହୁରି ସଦାପ୍ରଭୁ ଶୀଲୋରେ ପୁନର୍ବାର ଶାମୁୟେଲକୁ ଦର୍ଶନ ଦେଲେ। ସଦାପ୍ରଭୁ ଶୀଲୋରେ ଶାମୁୟେଲ ନିକଟରେ ତାଙ୍କ ବାକ୍ୟ ଦ୍ୱାରା ଆପଣାକୁ ପ୍ରକାଶ କଲେ।
3 ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି? 2 ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ। 3 ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ? 4 କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ:
“ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ
ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।” (A)
5 ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି। 6 ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା’ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ।
7 ଜଣେ ଲୋକ କହିପାରେ, “ଯେତେବେଳେ ମୁଁ ମିଛ କହେ ତାହା ପ୍ରକୃତରେ ପରମେଶ୍ୱରଙ୍କୁ ଅଧିକତର ମହିମା ପ୍ରଦାନକରେ, କାରଣ ମୋ’ ମିଛ, ପରମେଶ୍ୱରଙ୍କ ସତ୍ୟକୁ ପ୍ରକାଶ କରେ।” ସେଥିପାଇଁ ମୋତେ ପାପୀ ବୋଲି କାହିଁକି ବିଗ୍ଭର କରାଗଲା? 8 ଏହି ସମାନ କଥା କହିବା ହେଲା, “ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା’ ଦ୍ୱାରା ଭଲ ଆସିବ।” ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମ୍ଭେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନେ ଠିକ୍ ନୁହନ୍ତି ଓ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍।
ସମସ୍ତେ ଦୋଷୀ
9 ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କ’ଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସେମାନେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ। 10 ଶାସ୍ତ୍ରରେ ଏହିପରି ଲେଖା ଅଛି,
“କେହିହେଲେ ଧାର୍ମିକ ନାହିଁ,
ଜଣେ ମଧ୍ୟ ନୁହେଁ!
11 ବୁଝିବା ଲୋକ ଜଣେ ମଧ୍ୟ ନାହିଁ,
ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ନାହିଁ।
12 ସମସ୍ତେ ସତ୍ୟ ମାର୍ଗ ଭୁଲି ଯାଇଛନ୍ତି
ଓ ସମସ୍ତେ ମୂଲ୍ୟହୀନ ହୋଇ ଯାଇଛନ୍ତି।
ସେଠାରେ କେହି ନାହିଁ ଯିଏ ଭଲ କରେ।
ଏପରିକି ଜଣେ ମଧ୍ୟ ନୁହେଁ।” (B)
13 “ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଅଟେ,
ସେମାନେ ମିଛ ପାଇଁ ତାଙ୍କ ଜିହ୍ୱାକୁ ବ୍ୟବହାର କରନ୍ତି।” (C)
“ସେମାନଙ୍କର କଥା ସର୍ପର ବିଷ ଭଳି ଅଟେ।” (D)
14 “ଅଭିଶାପ ଓ କଟୁତାରେ ସେମାନଙ୍କର କଥା ପୂର୍ଣ୍ଣ ହୋଇଥାଏ।” (E)
15 “ଲୋକେ ଅନ୍ୟକୁ ଆଘାତ ଓ ହତ୍ୟା କରିବା ପାଇଁ ସର୍ବଦା ପ୍ରସ୍ତୁତ
16 ସେମାନେ ବିନାଶ କରିବା ଓ କ୍ଳେଶ ଦେବା ପାଇଁ ସର୍ବତ୍ର ଯାଆନ୍ତି।
17 ଲୋକେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ।” (F)
18 “ସେମାନଙ୍କର ଆଖିରେ ପରମେଶ୍ୱରଙ୍କ ପ୍ରତି ଭୟ ବା ସମ୍ମାନ ଭାବ ନାହିଁ।” (G)
19 ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ୱରଙ୍କ ନ୍ୟାୟବିଗ୍ଭରକୁ ଆଣେ। 20 ଏହାର କାରଣ ହେଲା, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସାବଧାନ କରାଏ।
ପରମେଶ୍ୱର ମଣିଷମାନଙ୍କୁ ଧାର୍ମିକ କିପରି କରନ୍ତି?
21 କିନ୍ତୁ ବିନା ବ୍ୟବସ୍ଥାରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ୱରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସେହି ନୂତନ ପଥ ଦେଖାଇ ଦେଇଛନ୍ତି। ଏହି ନୂତନ ପଥ ବିଷୟରେ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତା ଆମ୍ଭକୁ କହୁଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପରମେଶ୍ୱର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ। 23 ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି। 24 ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଲୋକେ ତାହାଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ୟର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପାପରୁ ମୁକ୍ତ ହୋଇ ଲୋକେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। 25 ଲୋକମାନଙ୍କୁ ବିଶ୍ୱାସ ଜରିଆରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ୟରେ ପରମେଶ୍ୱର ଯୀଶୁଙ୍କୁ ପଥ ଭାବରେ ଦେଇଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ୟୁ ଦ୍ୱାରା ପରମେଶ୍ୱର କ୍ଷମା କରନ୍ତି। ଯୀଶୁଙ୍କୁ ଦେବା ଦ୍ୱାରା ଏହା ପ୍ରମାଣିତ କରେ ଯେ ପରମେଶ୍ୱର ସର୍ବଦା ନ୍ୟାୟ କରନ୍ତି। 26 ପୂର୍ବରୁ ପରମେଶ୍ୱର ଧୈର୍ଯ୍ୟ ଧରି ରହିଥିବା ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ନ ଦେଇ ଉଚିତ୍ କାର୍ଯ୍ୟ କରିଥିଲେ। ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ଏବେ ଯୀଶୁଙ୍କୁ ପଠାଇଲେ। ପରମେଶ୍ୱର ଯେ, ନିଜେ ନ୍ୟାୟବାନ ତାହା ଦେଖାଇବା ପାଇଁ ଯୀଶୁଙ୍କଠାରେ ବିଶ୍ୱାସ ରଖି ଥିବା ଯେକୌଣସି ଲୋକକୁ ଧାର୍ମିକ କଲେ।
27 ତା’ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ୱାସର ମାର୍ଗ ଦ୍ୱାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରାଯାଇଛି। 28 ଏହାର କାରଣ ହେଲା ଜଣେ ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ ବରଂ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ। ଏ କଥାରେ ଆମ୍ଭେ ବିଶ୍ୱାସ କରୁ। 29 ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି। 30 ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ, ସେ ଯିହୂଦୀମାନଙ୍କୁ ସେମାନଙ୍କ ବିଶ୍ୱାସ ଆଧାରରେ ତାହାଙ୍କ ସହିତ ଧାର୍ମିକ କରିବେ। ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ସେ ଧାର୍ମିକ କରିବେ। 31 ଏଠାରେ ପ୍ରଶ୍ନ ଉଠେ ଯେ ଆମ୍ଭେ କ’ଣ ବିଶ୍ୱାସର ମାର୍ଗ ଅନୁସରଣ କରିବା ଦ୍ୱାରା ବ୍ୟବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ୟ ନୁହେଁ। ବରଂ ବ୍ୟବସ୍ଥା ଆମ୍ଭଠାରୁ ଯାହା ଆଶାକରେ, ତାହା ହେବା ପାଇଁ ବିଶ୍ୱାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।
41 ଅନନ୍ତର ସପ୍ତମ ମାସରେ ରାଜବଂଶୀ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇଶ୍ମାୟେଲ ଦଶ ଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିୟ ନିକଟକୁ ମିସ୍ପାକୁ ଆସିଲେ। ସେମାନେ ସେଠାରେ ଗଦଲିୟ ସହିତ ଏକତ୍ର ଭୋଜନ କଲେ। 2 ସେମାନେ ଏକତ୍ର ଭୋଜନ କରୁଥିବା ବେଳେ ଇଶ୍ମାୟେଲ ଓ ତାର ଦଶ ଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିୟକୁ ହତ୍ୟା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାଯ୍ୟରେ ନିଯୁକ୍ତ କରିଥିଲେ। 3 ଆଉ ମଧ୍ୟ ଇଶ୍ମାୟେଲ ମିସ୍ପାରେ ଗଦଲିୟ ସହିତ ଥିବା ସମସ୍ତ ଯିହୁଦୀୟମାନଙ୍କୁ ଓ ବାବିଲର ସୈନ୍ୟମାନଙ୍କୁ ବଧ କଲେ।
4-5 ଗଦଲିୟକୁ ବଧ କରିବାର ଦିନକ ପରେ ଶିଖିମ, ଶୀଲୋ ଓ ଶମରିୟାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହୋଇ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରି ହସ୍ତରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ନେଇ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ। ସେମାନେ ଗଦଲିୟଙ୍କ ହତ୍ୟା ଖବର ଜାଣି ନ ଥିଲେ। 6 ଇଶ୍ମାୟେଲ ମିସ୍ପାକୁ ସେହି ଅଶୀଜଣ ପୁରୁଷଙ୍କୁ ଭେଟିବା ପାଇଁ ଗଲା ଓ ଗଲାବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସେମାନଙ୍କୁ ସାକ୍ଷାତ କରି କହିଲା, “ଅହୀକାମର ପୁତ୍ର ଗଦଲିୟକୁ ଦେଖିବାକୁ ଆସ।” 7 ଯେତେବେଳେ ସେମାନେ ନଗରର ମଧ୍ୟସ୍ଥାନକୁ ଆସିଲେ, ଇଶ୍ମାୟେଲ ଓ ତା’ର ସଙ୍ଗୀମାନେ ସେମାନଙ୍କୁ ବଧ କଲେ ଏବଂ ସେମାନଙ୍କୁ ଏକ ଗାତ ମଧ୍ୟରେ ଫୋପାଡ଼ି ଦେଲେ। 8 ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ଯବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷେତରେ ଲୁଗ୍ଭଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦେବୁ।” ତେଣୁ ଇଶ୍ମାୟେଲ ସେମାନଙ୍କୁ ମାରିବାରୁ ବିରତ ହେଲେ। 9 ଇଶ୍ମାୟେଲ ସେହି କୂପକୁ ନିହତମାନଙ୍କ ଶବରେ ଗଦଲିୟର ଶବ ସହିତ ପରିପୂର୍ଣ୍ଣ କଲା। ସେହି କୂପକୁ ଆସାର ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲା, ଯୁଦ୍ଧ ସମୟରେ ପାଣି ଯୋଗାଇବାକୁ ସେହି କୂପ ଖୋଳା ଯାଇଥିଲା।
10 ଏହା ପରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣଙ୍କୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀକରି ନେଇଗଲା। ସେ ସେମାନଙ୍କୁ ବନ୍ଦୀକରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।
11 କାରେହର ପୁତ୍ର ଯୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସେନାପତିଗଣ ଇଶ୍ମାୟେଲର ଦୁଷ୍କର୍ମସବୁ ଜାଣିଲେ। 12 ତେଣୁ ଯୋହାନନ୍ ତାହାର ସମସ୍ତ ସେନାପତିମାନଙ୍କୁ ନେଇ ନଥନିୟର ପୁତ୍ର ଇଶ୍ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବିୟୋନସ୍ଥିତ ଏକ ବିରାଟ ଜଳାଶୟ ନିକଟରେ ତାହାକୁ ଭେଟିଲେ। 13 ସେତେବେଳେ ଇଶ୍ମାୟେଲ ସଙ୍ଗରେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ। 14 ତା’ପରେ ଇଶ୍ମାୟେଲ ଯେଉଁ ଲୋକମାନଙ୍କୁ ମିସ୍ପାକୁ ବନ୍ଦୀ କରି ନେଇଯାଇଥିଲା, ସେମାନେ ସମସ୍ତେ କାରେହର ପୁତ୍ର ଯୋହାନନ୍ ନିକଟକୁ ଫେରି ଆସିଲେ। 15 ମାତ୍ର ନଥନିୟର ପୁତ୍ର ଇଶ୍ମାୟେଲ ଆଠଜଣ ଲୋକ ସହିତ ଯୋହାନନ୍ ନିକଟରୁ ପଳାଇ ଅମ୍ମୋନ ସନ୍ତାନଗଣର ନିକଟକୁ ଗଲା।
16 ଯୋହାନନ୍ ଏବଂ ତାଙ୍କର ସୈନ୍ୟବାହିନୀର ସେନାପତିଗଣ ଗିବିୟୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନିୟର ପୁତ୍ର ଇଶ୍ମାୟେଲ, ଗଲିୟଦକୁ ହତ୍ୟା କଲା ପରେ, ମିସ୍ପାକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରେ ଯୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।
ମିଶରକୁ ପଳାୟନ
17-18 ଯୋହାନନ୍ ଓ ଅନ୍ୟ ସେନାପତିଗଣ କଲ୍ଦୀୟମାନଙ୍କୁ ଭୟ କଲେ। କାରଣ ଇଶ୍ମାୟେଲ ବାବିଲ ରାଜାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ଗଦଲିୟକୁ ହତ୍ୟା କରିଥିଲେ। ତେଣୁ ଯୋହାନନ୍ କଲ୍ଦୀୟମାନେ ରାଗିଥିବେ ବୋଲି ଭୟ କଲେ। ତେଣୁ ସେ ମିଶରକୁ ପଳାଇ ଯିବା ପୂର୍ବରୁ ବୈଥ୍ଲେହମ୍ ସହର ନିକଟସ୍ଥ ଗେରୁତ୍ତ୍ୱକିମହମରେ କିଛି ସମୟ ଅଟକି ଥିଲେ।
ଦାଉଦଙ୍କର ପ୍ରାର୍ଥନା
17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
2 ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
3 ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ’ଠାରେ କିଛି ଭୁଲ ଦେଖି ନାହଁ।
ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
4 ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
ତୁମ୍ଭର ଆଦେଶ ମାନିବାକୁ।
5 ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
6 ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
ତେଣୁ ବର୍ତ୍ତମାନ ମୋର କଥା ଶୁଣ।
7 ପରମେଶ୍ୱର ତୁମ୍ଭର ଅଦ୍ଭୂତ କରୁଣା ଦେଖାଅ
ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
8 ମୋତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର,
ଓ ତୁମ୍ଭର ବାହୁଛାୟା ତଳେ ଲୁଗ୍ଭଇ ରଖ।
9 ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ।
ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି।
ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର।
ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି।
10 ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାର ବଶତଃ ପରମେଶ୍ୱରଙ୍କ କଥା ଶୁଣନ୍ତି ନାହିଁ।
ସେମାନେ କେବଳ ନିଜ ବିଷୟ ଚିନ୍ତା କରନ୍ତି।
11 ସେହି ଦୁଷ୍ଟ ଲୋକମାନେ ମୋତେ ଅନୁସରଣ କରୁଛନ୍ତି।
ସେମାନେ ମୋର ଚତୁର୍ଦ୍ଦିଗରେ ଘେରି ଗଲେଣି
ଓ ସେମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ।
12 ସେହି ଦୁଷ୍ଟ ଲୋକମାନେ ସିଂହ ସଦୃଶ ଯିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ।
ସେମାନେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି।
13 ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ଯାଇ
ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ୟ କର।
ତୁମ୍ଭେ ଆପଣା ଖଡ଼୍ଗ ପ୍ରୟୋଗ କରି ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ଉଦ୍ଧାର କର।
14 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି
ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର।
ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି।
ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ।
ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର।
ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର।
ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ।
15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।
2010 by World Bible Translation Center