M’Cheyne Bible Reading Plan
ଯିହୋଶୂୟ ତୁମ୍ଭମାନଙ୍କର ନୂତନ ନେତା ହେବେ
31 ଏହା ପରେ ମୋଶା ଯାଇ ଏହିକଥା ସମସ୍ତ ଇସ୍ରାଏଲୀୟଙ୍କୁ କହିଲେ। 2 ମୋଶା ଇସ୍ରାଏଲକୁ କହିଲେ, “ମୋତେ 120 ବର୍ଷ ହେଲାଣି। ମୁଁ ଆଉ ତୁମ୍ଭମାନଙ୍କୁ ଆଗେଇ ନେଇ ପାରିବି ନାହିଁ। ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯର୍ଦ୍ଦନ ପାର ହୋଇଯିବ ନାହିଁ।’ 3 କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ସେହି ଦେଶକୁ ଆଗେଇ ନେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେମାନଙ୍କଠାରୁ ତାଙ୍କର ଦେଶ ଛଡ଼ାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହୋଶୂୟ ତୁମ୍ଭମାନଙ୍କୁ ଆଗେଇ ନେବେ।
4 “ସଦାପ୍ରଭୁ ଇମୋରୀୟ ରାଜା ସୀହୋନ ଓ ଓଗ୍କୁ ସେମାନଙ୍କର ଦେଶକୁ ବିନାଶ କଲାପରି, ସେ ସେମାନଙ୍କୁ ବିନାଶ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ପୁନ୍ନରାୟ ସେହିପରି କହିବେ। 5 ଅନ୍ୟ ଦେଶୀୟମାନଙ୍କୁ ପରାସ୍ତ କରିବା ପାଇଁ ସଦାପ୍ରଭୁ ତୁମ୍ଭର ସହାୟକ ହେବେ। କିନ୍ତୁ ମୁଁ ତୁମ୍ଭକୁ ଯାହାସବୁ କହିଛି ତୁମ୍ଭେ ସେଗୁଡ଼ିକ ନିଶ୍ଚୟ କରିବ। 6 ତୁମ୍ଭେ ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେମାନେ ସେହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ଯ୍ୟ କରିବେ ନାହିଁ କିଅବା ଛାଡ଼ିବେ ନାହିଁ।”
7 ଏହା ପରେ ମୋଶା ଯିହୋଶୂୟଙ୍କୁ ଡାକିଲେ। ସମସ୍ତ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ମୋଶା ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ସେହି ଦେଶକୁ ଆଗେଇ ନେବ ଯେଉଁ ଦେଶ ଦେବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚୁକ୍ତି କରିଥିଲେ। ସେହି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିବ। 8 ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗେଇ ନେବେ। ସେ ସ୍ୱୟଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦରେ ପକାଇବେ ନାହିଁ କି ତ୍ୟାଗ କରିବେ ନାହିଁ। ହତାଶ ହୁଅ ନାହିଁ, ଭୟ କର ନାହିଁ।”
ମୋଶା ବ୍ୟବସ୍ଥା ଲେଖିଲେ
9 ଏହା ପରେ ମୋଶା ବ୍ୟବସ୍ଥା ଲେଖି ଲେବୀ ବଂଶୀୟ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବାହକ ଥିଲେ। ମୋଶା ଇସ୍ରାଏଲ ପ୍ରାଚୀନବର୍ଗମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଦେଲେ। 10 ଏହା ପରେ ମୋଶା ପ୍ରାଚୀନବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ ଛାଡ଼ ବର୍ଷର ନିରୂପିତ ସମୟରେ ପତ୍ରକୁଟୀର ପର୍ବରେ। 11 ସେ ସମୟରେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ। 12 ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, ଛୋଟପିଲା ଏବଂ ବିଦେଶୀୟମାନେ ଯେଉଁମାନେ ତୁମ୍ଭ ନଗରରେ ବାସ କରୁଛନ୍ତି। ସେମାନେ ମଧ୍ୟ ଏହି ବ୍ୟବସ୍ଥା ଶୁଣିବେ। ସେମାନେ ମଧ୍ୟ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହା ପରେ ସେମାନେ ବ୍ୟବସ୍ଥା ଅନୁସାରେ କର୍ମ କରି ପାରିବେ। 13 ତହିଁରେ ସେମାନଙ୍କର ବଂଶଧରମାନେ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେକାଳ ପ୍ରାଣ ଧାରଣ କରିବ, ସେତେବେଳେ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବାକୁ ଶିକ୍ଷା କରିବେ।”
ସଦାପ୍ରଭୁ ମୋଶା ଓ ଯିହୋଶୂୟଙ୍କୁ ଡାକିଲେ
14 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ମୃତ୍ୟୁର ସମୟ ଆସିଗଲା। ଯିହୋଶୂୟଙ୍କୁ ଡାକ, ତୁମ୍ଭେ ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ। ଆମ୍ଭେ ତାହାକୁ ଆଜ୍ଞା ଦେବା।” ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ।
15 ସଦାପ୍ରଭୁ ସେହି ତମ୍ବୁରେ ମେଘସ୍ତମ୍ଭ ମଧ୍ୟରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ବୁ ଦ୍ୱାର ଉପରେ ସ୍ଥିର ହୋଇ ରହିଲା। 16 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ। ଏହା ପରେ ଏହି ଲୋକମାନେ ଉଠିବେ। ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନରେ ବିଦେଶୀୟ ଦେବଗଣର ଅନୁଗାମୀ ହୋଇ ବ୍ୟଭିଗ୍ଭର କରିବେ ଓ ଆମ୍ଭକୁ ତ୍ୟାଗ କରିବେ। ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ। 17 ସେହି ସମୟରେ, ସେମାନଙ୍କ ଉପରେ ଆମ୍ଭର କ୍ରୋଧ ହେବ। ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁହଁ ବନ୍ଦ କରିବା। ତହିଁରେ ସେମାନଙ୍କ ପାଇଁ ଭୟଙ୍କର ଅବସ୍ଥାମାନ ହେବ, ଏବଂ ସେମାନେ ବହୁ ସମସ୍ୟାରେ ପଡ଼ିବେ। ତା’ପରେ ସେମାନେ କହିବେ, ‘ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ନାହାନ୍ତି।’ 18 ଆମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ନାହିଁ, କାରଣ ସେମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରୁଛନ୍ତି।
19 “ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇସ୍ରାଏଲ ଲୋକମାନଙ୍କୁ ଶିକ୍ଷା ଦିଅ। ତେବେ ଏହି ସଙ୍ଗୀତ ମୋ’ ପାଇଁ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ସାକ୍ଷୀ ହେବ। 20 ଆମ୍ଭେ ସେମାନଙ୍କୁ ସେହି ଦେଶକୁ ନେଇଯିବା, ଯେଉଁ ଦେଶ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଅଛୁ। ସେହି ଦୁଗ୍ଧମଧୁପ୍ରବାହୀ ଦେଶକୁ ସେମାନେ ଗଲା ପରେ ଯେତେବେଳେ ସେମାନେ ଭୋଜନ କରି ତୃପ୍ତି ଓ ହୃଷ୍ଟପୁଷ୍ଟ ହେବେ। ସେତେବେଳେ ସେମାନେ ଅନ୍ୟ ଦେବତାମାନଙ୍କ ପ୍ରତି ଫେରି ସେମାନଙ୍କ ସେବା କରିବେ ସେମାନେ ମୋର ନିୟମକୁ ପ୍ରତ୍ୟାଖାନ କରିବେ ଓ ଲଙ୍ଘନ କରିବେ। 21 ତା’ପରେ ସେହିସବୁ କ୍ଳେଶ ଓ ଅମଙ୍ଗଳର କାର୍ଯ୍ୟମାନ ସେମାନଙ୍କ ପାଇଁ ଘଟିବ। ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ସେହି ସମୟରେ ସେହି ଲୋକମାନେ ସେହି ଗୀତ ସ୍ମରଣ କରିବେ। ଏହି ଗୀତ ସେମାନଙ୍କ ବିରୁଦ୍ଧରେ ସାକ୍ଷୀରୂପେ କାର୍ଯ୍ୟ କରିବ। ମୁଁ ସେମାନଙ୍କୁ ପ୍ରତିଜ୍ଞା କରିଥିବା ଦେଶକୁ ଆଣିବା ପୂର୍ବରୁ ସେମାନଙ୍କର ପ୍ରକୃତି ଜାଣିଥିଲି।”
22 ତେଣୁ ସେହି ଦିନ ମୋଶା ସେହି ସଙ୍ଗୀତ ଲେଖିଲେ ଏବଂ ସେ ଇସ୍ରାଏଲକୁ ସେହି ସଙ୍ଗୀତ ଶିକ୍ଷା ଦେଲେ।
23 ତା’ପରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛୁ, ସେହି ଦେଶକୁ ନେଇ ଯିବ ଏବଂ ଆମ୍ଭେ ତୁମ୍ଭ ସହିତ ସର୍ବଦା ରହିବା।”
ଇସ୍ରାଏଲୀୟମାନଙ୍କୁ ମୋଶାଙ୍କର ସତର୍କ
24 ମୋଶା ଯତ୍ନପୂର୍ବକ ସେହି ବ୍ୟବସ୍ଥା ପୁସ୍ତକରେ ସମସ୍ତ ଲେଖିଲେ। 25 ସେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବାହାକମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, 26 “ଏହି ବ୍ୟବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ଭିତରେ ରଖ। ତାହା ସେଠାରେ ତୁମ୍ଭ ବିରୁଦ୍ଧରେ ସାକ୍ଷୀରୂପେ ରହିବ। 27 ମୁଁ ଜାଣେ ତୁମ୍ଭେମାନେ ଶକ୍ତଗ୍ରୀବ ଅଟ। ମୁଁ ଜାଣେ ତୁମ୍ଭେ ତୁମ୍ଭ ବାଟରେ ଚଳିବାକୁ ଗ୍ଭହଁ। ଦେଖ ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମୋର ମରଣ ପରେ ତୁମ୍ଭେମାନେ କେତେ ଅଧିକ ନ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ମାନିବ ନାହିଁ। 28 ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମୋ’ ନିକଟରେ ଏକତ୍ର କର। ମୁଁ ସେମାନଙ୍କୁ ଏହି କଥାମାନ କହିବି। ସ୍ୱର୍ଗ ଓ ପୃଥିବୀ ମୋର ସାକ୍ଷୀ ହେବେ। 29 ମୁଁ ଜାଣେ ମୋର ମୃତ୍ୟୁ ପରେ ତୁମ୍ଭେମାନେ ଅତିଶୟ ଦୁର୍ନୀତିଗ୍ରସ୍ତ ହେବ। ତୁମ୍ଭେମାନେ ମୋର ନିର୍ଦ୍ଦେଶିତ ପଥରୁ ବିଚ୍ୟୁତ ହେବ। ଭବିଷ୍ୟତରେ ତୁମ୍ଭମାନଙ୍କ ପାଇଁ ବହୁତ ଅମଙ୍ଗଳ ହେବ। କାରଣ ତୁମ୍ଭେମାନେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟିରେ ମନ୍ଦ। ତୁମ୍ଭେମାନେ ଦୁଷ୍କର୍ମ କରି ତାଙ୍କୁ କ୍ରୋଧାନ୍ୱିତ କରିବ।”
ମୋଶାଙ୍କ ସଙ୍ଗୀତ
30 ତହିଁରେ ଇସ୍ରାଏଲ ଲୋକମାନେ ସମସ୍ତେ ଏକତ୍ରିତ ହେଲେ ଏବଂ ମୋଶା ସେମାନଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ।
ମେମ୍
97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।
ନୂନ୍
105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
ତାହା ମୋର ପୁରସ୍କାର ହେବ।
ସାମକ୍
113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।
ପରମେଶ୍ୱରଙ୍କ ଅନୁଗାମୀ ହେବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯିବ
58 ଉଚ୍ଚସ୍ୱରରେ ଘୋଷଣା କର, ସ୍ୱର କ୍ଷୀଣ କର ନାହିଁ।
ତୂରୀପରି ଚିତ୍କାର କର।
ଆମ୍ଭ ଲୋକମାନଙ୍କୁ ସେମାନଙ୍କର ଅଧର୍ମ ବିଷୟରେ
ଓ ଯାକୁବ ବଂଶକୁ ସେମାନଙ୍କ ପାପ ସମ୍ବନ୍ଧରେ ଜଣାଅ।
2 ତାହାହେଲେ ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରିବେ
ଓ ମୋର ପଥ ବିଷୟରେ ଜାଣିବାକୁ ଚେଷ୍ଟା କରିବେ।
ଯେଉଁ ଗୋଷ୍ଠୀୟ ଲୋକେ ପୂଜା କର୍ମ କରିଛନ୍ତି
ଓ ନିଜର ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି,
ସେମାନଙ୍କ ପରି ସେମାନେ ପୂଜାବିଧାନ ବିଷୟ ଆମ୍ଭକୁ ପଗ୍ଭରନ୍ତି
ଓ ପରମେଶ୍ୱରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
3 ସେମାନେ କୁହନ୍ତି, “ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ? ଆମ୍ଭେମାନେ କାହିଁକି ଆପଣା ପ୍ରାଣକୁ କ୍ଳେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ?”
ମାତ୍ର ସଦାପ୍ରଭୁ କୁହନ୍ତି, “ଦେଖ, ତୁମ୍ଭେମାନେ ନିଜର ସୁଖପାଇଁ ଉପବାସ ଦିନ ଉପବାସ କରିଅଛ ଓ ବଳପୂର୍ବକ ନିଜର ଦାସମାନଙ୍କୁ କଷ୍ଟ ଦେଇଅଛ। 4 ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ ଏବଂ ଦୁଷ୍ଟତାରୂପକ ସୃଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ଆମ୍ଭର ପ୍ରଶଂସା ଗାନ ଯେପରି ଊର୍ଦ୍ଧ୍ୱରେ ଶୁଣାଯିବ, ସେଥିପାଇଁ ତୁମ୍ଭେମାନେ ଉପବାସ କରୁ ନାହଁ। 5 ମନୁଷ୍ୟ ଏହି ପ୍ରକାର ଉପବାସଦ୍ୱାରା ନିଜର ପ୍ରାଣକୁ କ୍ଳେଶ ଦେଉ, ଆମ୍ଭେ କ’ଣ ଏହି ପ୍ରକାର ଦିନ ମନୋନୀତ କରିଅଛୁ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ତଳେ ବିଛାଇ ତା’ଉପରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ?
6 “ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ଯୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦେବାର ଓ ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ? 7 ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦେବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ନିଜକୁ ନ ଲୁଗ୍ଭଇବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ?”
8 ଏହାକଲେ ଅରୁଣସଦୃଶ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ। ପୁଣି ତୁମ୍ଭର ‘ଧର୍ମ’ ତୁମ୍ଭର ସମ୍ମୁଖବର୍ତ୍ତୀ ହେବ ଓ ସଦାପ୍ରଭୁଙ୍କର ମହିମା ତୁମ୍ଭର ପଶ୍ଚାତ୍ବର୍ତ୍ତୀ ହେବ। 9 ସେତେବେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡାକିବ ଓ ସେ ଉତ୍ତର ଦେବେ। ତୁମ୍ଭେ ଆର୍ତ୍ତସ୍ୱରରେ କହିବ, ଆଉ ସେ ଉତ୍ତର ଦେବେ, “ଆମ୍ଭେ ଏଠାରେ ଉପସ୍ଥିତ ଅଛୁ।”
ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜନ ଓ ଅଧର୍ମ ବାକ୍ୟ ଦୂର କର 10 ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦେଇଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତେବେ ତୁମ୍ଭେ ଅନ୍ଧକାରରେ ଦୀପ୍ତିମାନ ହେବ ଏବଂ ତୁମ୍ଭ ଗ୍ଭରିଦିଗରେ ଥିବା ଗାଢ଼ ଅନ୍ଧକାର ଦ୍ୱିପହରର ସୂର୍ଯ୍ୟ ପରି ଦେଖାଯିବ।
11 ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନେବେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ୟ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହେବ।
12 ପୁଣି ତୁମ୍ଭ ବଂଶୀୟ ଲୋକେ ପୁରାତନ ଧ୍ୱଂସ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପରେ ନିର୍ମାଣ କରିବ। “ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।”
13 ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ନିଜ ପାଦ ଫେରାଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ, ଆଉ ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ; 14 ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; “ପୁଣି ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥାନମାନଙ୍କରେ ଆରୋହଣ କରାଇବା ଆଉ ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା।” କାରଣ ସଦାପ୍ରଭୁଙ୍କ ମୁଖରୁ ଏହା ନିଃସୃତ ହୋଇଅଛି।
ଦାନ ବିଷୟରେ ଯୀଶୁଙ୍କ ଉପଦେଶ
6 “ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ।
2 “ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା’ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି। 3 ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। 4 ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
ପ୍ରାର୍ଥନା ବିଷୟରେ ଯୀଶୁଙ୍କ ଶିକ୍ଷା(A)
5 “ତୁମ୍ଭେ ପ୍ରାର୍ଥନା କଲାବେଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସେମାନେ ଯିହୂଦୀ ସମାଜଗୃହ ଓ ଗଳି-ମୁଣ୍ଡରେ ଠିଆହୋଇ ବଡ଼ ପାଟିରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ତା’ର ପୁରା ପ୍ରତିଫଳ ଦିଆଯାଇ ସାରିଲାଣି। 6 କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
7 “ତୁମ୍ଭେ ପ୍ରାର୍ଥନା କଲାବେଳେ ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନଙ୍କ ଭଳି ନିରର୍ଥକ କଥା ବାରମ୍ବାର କୁହ ନାହିଁ। ସେମାନେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ୱର ଶୁଣିବେ। 8 ଏଣୁ ତୁମ୍ଭେ ସେମାନଙ୍କ ଭଳି ହୁଅ ନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି। 9 ଏଣୁ ଏହିଭଳି ପ୍ରାର୍ଥନା କର:
‘ହେ ସ୍ୱର୍ଗରେ ଥିବା ଆମ୍ଭର ପରମପିତା,
ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
10 ତୁମ୍ଭର ରାଜ୍ୟ ଆସୁ।
ସ୍ୱର୍ଗରେ ତୁମ୍ଭ ଇଚ୍ଛା ସଫଳ ହେବାଭଳି ଏ ପୃଥିବୀରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।
11 ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
12 ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ,
ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
13 ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ।
ମାତ୍ର ମନ୍ଦଠାରୁ ରକ୍ଷା କର।’ [a]
14 ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦେବ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ୟ କ୍ଷମା କରିଦେବେ। 15 କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦେବ ନାହିଁ, ତେବେ ତୁମ୍ଭର ପରମପିତା ମଧ୍ୟ ତୁମ୍ଭ ଅପରାଧ ଗୁଡ଼ିକ ପାଇଁ ତୁମ୍ଭକୁ କ୍ଷମା ଦେବେ ନାହିଁ।
ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ
16 “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି। 17 ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ। 18 ତା’ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
ପରମେଶ୍ୱର ସେବା ଧନ ଅପେକ୍ଷା ମହାନ୍(B)
19 “ନିଜ ପାଇଁ ଏ ସଂସାରରେ ଧନ ସଞ୍ଚୟ କର ନାହିଁ। ଏଠାରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରିଦେବେ। ଗ୍ଭେର ପଶି ସିନ୍ଧି କାଟି ଗ୍ଭେରି କରିନେବ। 20 ବରଂ ନିଜ ପାଇଁ ସ୍ୱର୍ଗରେ ଧନ ସଞ୍ଚୟ କର, ସେଠାରେ ତାକୁ ପୋକ କି କଳଙ୍କ ମଧ୍ୟ ନଷ୍ଟ କରି ପାରିବ ନାହିଁ। ସେଠାରେ ଗ୍ଭେର ବି ସିନ୍ଧି କାଟି ସେହିଧନ ଗ୍ଭେରାଇ କରି ନେଇ ପାରିବ ନାହିଁ। 21 କାରଣ ଯେଉଁଠାରେ ତୁମ୍ଭର ଧନ, ସେଠାରେ ତୁମ୍ଭର ମନ।
22 “ଆଖି ଶରୀର ପାଇଁ ଆଲୋକ ସ୍ୱରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହେବ। 23 କିନ୍ତୁ ତୁମ୍ଭର ଆଖି ଯଦି ଖରାପ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଅନ୍ଧକାରମୟ ହୋଇଯିବ। ତୁମ୍ଭ ଭିତରର ସେହି ଏକମାତ୍ର ଆଲୋକ ଯଦି ଅନ୍ଧକାରମୟ ହୋଇଯାଏ ତେବେ ସେ ଅନ୍ଧକାର କେତେ ଘନୀଭୂତ ନ ହେବ!
24 “ଜଣେ କେବେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସେବକ ହୋଇ ପାରିବ ନାହିଁ। କାରଣ ସେ ଜଣକୁ ଘୃଣା କରିବ, ଓ ଅନ୍ୟ ଜଣକୁ ପ୍ରେମ କରିବ, କିଅବା ଜଣେ ମାଲିକ ପ୍ରତି ଅନୁରକ୍ତ ରହିବ ଓ ଅନ୍ୟ ଜଣକୁ ହେୟ ଜ୍ଞାନ କରିବ। ତୁମ୍ଭେ ଏକାସାଙ୍ଗରେ ପରମେଶ୍ୱର ଓ ଧନ ଉଭୟଙ୍କ ସେବା କରି ପାରିବ ନାହିଁ।
ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦିଅ(C)
25 “ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟରେ ଚିନ୍ତା କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ୱପୂର୍ଣ୍ଣ। 26 ଆକାଶର ପକ୍ଷୀମାନଙ୍କୁ ଦେଖ ସେମାନେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ, ଅମାରରେ ଖାଦ୍ୟଶସ୍ୟ ବି ଜମେଇ ରଖନ୍ତି ନାହିଁ, ତଥାପି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ସେମାନଙ୍କୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣିଛ ଯେ, ତୁମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଅଟ। 27 ତୁମ୍ଭ ଭିତରେ ଏପରି କେହି ନାହିଁ, ଯେକି ଚିନ୍ତାଗ୍ରସ୍ତ ହୋଇ ନିଜ ଜୀବନକାଳ ସହିତ ଘଡ଼ିଏ ହେଲେ ସମୟ ଯୋଗ କରି ପାରିବ।
28 “ତୁମ୍ଭେ ପୋଷାକ ବିଷୟରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଦେଖ! ଦେଖ, ସେମାନେ କିପରି ଫୁଟୁଛନ୍ତି। ସେମାନେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ। 29 କିନ୍ତୁ ମୁଁ ତୁମ୍ଭକୁ କହୁଛି, ମହାନ ଓ ଧନୀରାଜା ଶଲୋମନ ନିଜର ସମସ୍ତ ବୈଭବ ଥାଇ ମଧ୍ୟ ସେ ନିଜକୁ ସୁସଜ୍ଜିତ କରିପାରି ନ ଥିଲେ। 30 ପଡ଼ିଆର ସେହି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲିରେ ପକେଇ ଦିଆଯିବ। ତଥାପି ଯଦି ପରମେଶ୍ୱର ତାକୁ ଏଭଳି ସୁନ୍ଦର ବେଶ ଦେଇଛନ୍ତି, ତେବେ ସେ କ’ଣ ତୁମ୍ଭକୁ ପିନ୍ଧିବା ପାଇଁ ଅଧିକ ଦେବେ ନାହିଁ? ତେବେ ତୁମ୍ଭେମାନେ କାହିଁକି ଏତେ ଅଳ୍ପ ବିଶ୍ୱାସ ରଖୁଛ?
31 “ଏଣୁ ଚିନ୍ତାଗ୍ରସ୍ତ ହୋଇ କୁହ ନାହିଁ ଯେ, ଆମ୍ଭେ କ’ଣ ଖାଇବା, କ’ଣ ପିଇବା ବା କ’ଣ ପିନ୍ଧିବା? 32 ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ଏସବୁ ପଛରେ ଦୌଡ଼ନ୍ତି। କିନ୍ତୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର। 33 ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା’ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ। 34 ଆସନ୍ତାକାଲି ପାଇଁ ଚିନ୍ତା କର ନାହିଁ, କାରଣ ପ୍ରତ୍ୟେକ ଦିନର କୌଣସି ନା କୌଣସି ସମସ୍ୟା ଥାଏ। କାଲିର ଚିନ୍ତା କାଲି ପାଇଁ ଯଥେଷ୍ଟ।
2010 by World Bible Translation Center