M’Cheyne Bible Reading Plan
24 “ଜଣେ ଲୋକ ଏକ ସ୍ତ୍ରୀକୁ ବିବାହ କରି ଗ୍ରହଣ କଲାପରେ ଯେବେ ସେ ତାହାଠାରେ କୌଣସି ଲଜ୍ଜାକର ବିଷୟ ପାଇବାରୁ ସେହି ସ୍ତ୍ରୀ ତାହାଠାରେ ଅନୁଗ୍ରହ ନ ପାଏ। ତେବେ ସେହି ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବାହାର କରିଦେବା ଉଚିତ୍। 2 ସେ ସ୍ତ୍ରୀ ତା’ର ଗୃହରୁ ବାହାରି ଗଲାପରେ ଅନ୍ୟ ପୁରୁଷର ସ୍ତ୍ରୀ ହୋଇ ପାରିବ। 3-4 ଧରାଯାଉ ତା’ ନୂତନ ସ୍ୱାମୀ ତାକୁ ଭଲ ପାଇଲା ନାହିଁ ଓ ତାକୁ ମଧ୍ୟ ଛାଡ଼ପତ୍ର ଦେଲା କିଅବା ନୂତନ ସ୍ୱାମୀର ମୃତ୍ୟୁ ହୁଏ, ତେବେ ମଧ୍ୟ ତା’ର ପ୍ରଥମ ସ୍ୱାମୀ ତାକୁ ଆଉ ପୁନଃ ବିବାହ କରିବା ଉଚିତ୍ ନୁହଁ। ସେ କଳୁଷିତ ହୋଇ ସାରିବା ପରେ, କାରଣ ଏହି କାର୍ଯ୍ୟ ସଦାପ୍ରଭୁଙ୍କ ଆଗରେ ଘୃଣ୍ୟ ଅଟେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରିବା ପାଇଁ ଦେଉଛନ୍ତି ତାକୁ ପାପରେ ଦୋଷୀ କରାଅ ନାହିଁ।
5 “ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହୋଇଥାଏ ତେବେ ସେ ସୈନ୍ୟଦଳରେ ଯୋଗ ଦେବ ନାହିଁ। କିଅବା ତାଙ୍କୁ କୌଣସି ଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟଭାର ଦିଆଯିବ ନାହିଁ। ଏକ ବର୍ଷ ପାଇଁ ତାକୁ ସ୍ୱାଧୀନଭାବେ ବୁଲି ଖୁସୀ କରିବାକୁ ଦିଆଯିବ ସେ ତା’ର ନୂତନ ସ୍ତ୍ରୀକୁ ଧରି ଗୃହରେ ମନୋରଞ୍ଜନ କରି, ବାସ କରିବ।
6 “କେହି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନୁଷ୍ୟର ପ୍ରାଣ ବନ୍ଧକ ରଖିବା ସହିତ ସମାନ।
7 “ଧରାଯାଉ କୌଣସି ମନୁଷ୍ୟ ଯେବେ ତାଙ୍କର ପଡ଼ୋଶୀକୁ ଅପହରଣ କରେ ଓ ସେ ତାକୁ ଯଦି ଦାସରୂପେ ବ୍ୟବହାର କରେ, ବା ତାହାକୁ ବିକ୍ରୟ କରେ, ତେବେ ସେହି ଅପହରଣକର୍ତ୍ତାକୁ ହତ୍ୟା କରାଯିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧ୍ୟରୁ ସେହି ଦୁଷ୍କର୍ମ ଦୂର କରିବା ଉଚିତ୍।
8 “ତୁମ୍ଭେମାନେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହେବା ଉଚିତ୍। ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନୁସାରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋଯୋଗ କର। ମୁଁ ସେମାନଙ୍କୁ ଯେପରି ଆଜ୍ଞା ଦେଇଅଛି ସେହିରୂପେ କରିବାକୁ ତୁମ୍ଭେମାନେ ମନୋଯୋଗ କରିବା ଉଚିତ୍। 9 ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରିୟମ ପ୍ରତି ଯାହା କରିଥିଲେ ସେସବୁକୁ ତୁମ୍ଭେମାନେ ସ୍ମରଣ କର।
10 “ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ପ୍ରକାରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ। 11 ତୁମ୍ଭେ ସର୍ବଦା ବାହାରେ ଛିଡ଼ା ହୋଇ ରହିବ। ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକ ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ। 12 ଧରାଯାଉ, ସେ ଜଣେ ଗରିବ ଲୋକ। ତେବେ ତୁମ୍ଭେ ତା’ର ବନ୍ଧକ ଦ୍ରବ୍ୟ ରଖିବା ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହଁ। 13 ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ। ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ।
14 “ତୁମ୍ଭେ କଦାପି ଦୁଃଖୀ ଓ ଦରିଦ୍ର ଲୋକମାନଙ୍କର ଉପଦ୍ରବ କରିବ ନାହିଁ। ସେ ଇସ୍ରାଏଲୀୟ ହେଉ ବା ବିଦେଶୀୟ ହେଉ। 15 ସନ୍ଧ୍ୟା ପୂର୍ବରୁ ତାହାକୁ ତାହାର ବେତନ ଦେବ। କାରଣ ସେ ଦୁଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।
16 “ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦେବ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପୁତ୍ରକୁ ମଧ୍ୟ ଦଣ୍ତ ଦେବ ନାହିଁ। ପ୍ରତ୍ୟେକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।
17 “ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭରରେ ଅନ୍ୟାୟ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ। 18 ମାତ୍ର ତୁମ୍ଭେ ମିଶରରେ ସ୍ଥାୟୀଭାବେ ଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି। ଏକଥାକୁ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇ ଅଛୁ।
19 “ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫେରିଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ। 20 “ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ପାରିଲା ପରେ ଆଉ ଥରେ ଡାଳକୁ ଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। 21 “ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ ଆପଣା ଉତ୍ତାରେ ପୁନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। 22 ଆଉ ତୁମ୍ଭେମାନେ ମିଶର ଦେଶରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇଅଛୁ।
114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
2 ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
3 ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
ଯର୍ଦ୍ଦନ ନଦୀ ଉଜାଣି ବହିଲା।
4 ପର୍ବତଗଣ ମେଷପରି ଡେଇଁଲେ।
ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।
5 ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
6 ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?
7 ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
ସମ୍ମୁଖରେ କମ୍ପିତ ହୁଅ।
8 ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
ଓ ପରମେଶ୍ୱର ଚକ୍ମକି ପଥରରୁ ନିର୍ଝର ବୁହାଇଲେ।
115 ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ।
ମହିମା ତ ତୁମ୍ଭର।
ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
2 କାହିଁକି ଅନ୍ୟ ଦେଶୀୟମାନେ କହିବେ
ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ?
3 ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି।
ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି।
4 ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି।
ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ।
5 ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ।
ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
6 ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ।
ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ।
7 ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ।
ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ।
ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ।
8 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ
ସେହିପରି ହେବେ!
9 ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ।
12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି।
ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ।
13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ
ଆଶୀର୍ବାଦ କରିବେ।
14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ
ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
15 ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ
ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
16 ସ୍ୱର୍ଗ ସଦାପ୍ରଭୁଙ୍କର
କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।
17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ।
ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି।
18 ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ଧନ୍ୟବାଦ କରିବା।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ଇସ୍ରାଏଲ ଅବ୍ରହାମ ସଦୃଶ ହେବା ଉଚିତ୍
51 “ହେ ଧର୍ମାଗ୍ଭରୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ। ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଚ୍ଛେଦରୁ ଖୋଳା ହୋଇଥିଲା, ତାହା ପ୍ରତି ଦୃଷ୍ଟିପାତ କର। 2 ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତେବେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ୱାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।”
3 ସେହିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହେବେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହେବେ ଏବଂ ସଙ୍ଗୀତ ଧ୍ୱନି କରି ଧନ୍ୟବାଦ ଦେବେ।
4 “ହେ ଆମ୍ଭର ଲୋକମାନେ, ଆମ୍ଭ ବାକ୍ୟରେ ଅବଧାନ କର;
ହେ ଆମ୍ଭର ଦେଶୀୟ ଲୋକମାନେ, ଆମ୍ଭ କଥାରେ କର୍ଣ୍ଣପାତ କର।
ଆମ୍ଭଠାରୁ ଏକ ବ୍ୟବସ୍ଥା ନିର୍ଗତ ହେବ ଓ ଆମ୍ଭେ ଗୋଷ୍ଠୀବର୍ଗର ଦୀପ୍ତି ନିମନ୍ତେ ଆମ୍ଭର ବିଗ୍ଭର ସ୍ଥାପନ କରିବା।
5 ଆମ୍ଭର ଧର୍ମ ନିକଟବର୍ତ୍ତୀ, ଆମ୍ଭର ପରିତ୍ରାଣ ନିର୍ଗତ ହୋଇଅଛି
ଓ ଆମ୍ଭର ବାହୁ ଗୋଷ୍ଠୀବର୍ଗର ବିଗ୍ଭର କରିବ।
ଦ୍ୱୀପଗଣ ଆମ୍ଭ ଅପେକ୍ଷାରେ ରହିବେ
ଓ ଆମ୍ଭର ପରାକ୍ରମରେ ଆଶା ରଖିବେ।
6 ତୁମ୍ଭେମାନେ ସ୍ୱର୍ଗମଣ୍ଡଳ ପ୍ରତି ଊର୍ଦ୍ଧ୍ୱଦୃଷ୍ଟି କର
ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର।
କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ୟ ଅନ୍ତର୍ହିତ ହେବ
ଓ ଭୂମଣ୍ଡଳ ବସ୍ତୁ ତୁଲ୍ୟ ଜୀର୍ଣ୍ଣ ହେବ।
ଆଉ ମଧ୍ୟ ପୃଥିବୀବାସୀ ସେହିପରି ମୃତ୍ୟୁବରଣ କରିବେ।
ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାୟୀ ହେବ
ଓ ଆମ୍ଭର ଧର୍ମାଗ୍ଭର ଲୁପ୍ତ ହେବ ନାହିଁ।
7 ତୁମ୍ଭେ ଯେଉଁମାନଙ୍କୁ ଯଥାର୍ଥ ଜାଣ।
ଯେଉଁ ଲୋକମାନେ ମୋର ଶିକ୍ଷା ହୃଦୟରେ ଧରି ରଖନ୍ତି, ଦୟାକରି ମୋ’ କଥା ଶୁଣ,
ତୁମ୍ଭେମାନେ ଦୁଷ୍ଟ ଲୋକଙ୍କ ଅପମାନରେ
ଭୟଭୀତ ହୁଅ ନାହିଁ।
8 କାରଣ ସେମାନେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସେମାନଙ୍କୁ ଖାଇ ପକାଇବ
ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସେମାନଙ୍କୁ ଖାଇ ପକାଇବ।
ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ହେବ
ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହେବ।”
ପରମେଶ୍ୱରଙ୍କ ସ୍ୱପରାକ୍ରମ ତାଙ୍କର ସନ୍ତାନମାନଙ୍କୁ ରକ୍ଷା କରିବ
9 ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ।
ବଳ ଧାରଣ କର।
ଯେପରି ପୂର୍ବକାଳରେ ଓ ପ୍ରାଚୀନକାଳର
ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସେହିପରି ଜାଗ।
ରାହାବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ
ଓ ନାଗକୁ ଯେ ବିଦ୍ଧ କରିଥିଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?
10 ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ,
ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ପାଇଁ
ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?
11 ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ,
ଆନନ୍ଦ ଗାନ କରି ସିୟୋନରେ ଉପସ୍ଥିତ ହେବେ।
ଚିର ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ।
ସେମାନେ ଆନନ୍ଦ
ଓ ଉଲ୍ଲାସ ପ୍ରାପ୍ତ ହେବେ
ଏବଂ ଦୁଃଖ ଶୋକ ସୁଦୂରଗାମୀ ହେବ।
12 ସଦାପ୍ରଭୁ କୁହନ୍ତି, “ଆମ୍ଭେ ହେଉଛୁ ସେହି ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଅନ୍ତି,
ତେବେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ୟ
ଏପରି ମାନବର ସନ୍ତାନକୁ ଭୟ କରୁଅଛ?”
13 ସଦାପ୍ରଭୁ ଯେ ଏହି ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି,
ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି
ଓ ତୁମ୍ଭର ନିର୍ମାଣକର୍ତ୍ତା, ତୁମ୍ଭେ ତାଙ୍କୁ ଭୁଲିଅଛ।
ତେଣୁ ତୁମ୍ଭେ ଦିନଯାକ ନିରନ୍ତର ସେମାନଙ୍କୁ ଭୟ କରୁଅଛ
ଯେ ତୁମ୍ଭକୁ ବିନାଶ କରିବାକୁ ଉଦ୍ୟତ ହୋଇ କୋପ କରିଛନ୍ତି।
ମାତ୍ର ସେହି ଉପଦ୍ରବକାରୀ ଏବେ କାହାନ୍ତି
ଓ ତାଙ୍କର କୋପ କାହିଁ?
14 ନିର୍ବାସିତ ବନ୍ଦୀ ଶୀଘ୍ର ମୁକ୍ତ ହେବ।
ପୁଣି ସେ ମରି ଗର୍ତ୍ତକୁ ଯିବ ନାହିଁ।
କିମ୍ବା ତାହାର ଖାଦ୍ୟର ଅଭାବ ହେବ ନାହିଁ।
15 “ତରଙ୍ଗଗୁଡ଼ିକୁ ଗର୍ଜନ କରିବାକୁ ଯେ ସମୁଦ୍ରକୁ ଆଲୋଡ଼ିତ କରନ୍ତି।
ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ।”
ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।
16 “ହେ ମୋର ସେବକ ଇସ୍ରାଏଲ, ଆମ୍ଭେ ତୁମ୍ଭ ମୁଖରେ ଆମ୍ଭର ବାକ୍ୟ ରଖିଅଛୁ ଓ ଆମ୍ଭର ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ, ଆମ୍ଭେ ସ୍ୱର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ‘ତୁମ୍ଭେମାନେ ମୋର ସନ୍ତାନ।’”
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ
17 ହେ ଯିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ!
କାରଣ ସଦାପ୍ରଭୁ ତୁମ୍ଭ ଉପରେ କୋପ କରିଛନ୍ତି।
ତେଣୁ ସେ ତୁମ୍ଭକୁ ଦଣ୍ଡ ଦେଇଛନ୍ତି।
ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛ।
ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନେଇ ତାହାକୁ ଶେଷ କରିଅଛ।
18 ଯିରୁଶାଲମ ଅନେକ ସନ୍ତାନ ଜନ୍ମ ଦେଇଛି, ମାତ୍ର ସେମାନଙ୍କ ମଧ୍ୟରେ ତାକୁ ବାଟ କଢ଼ାଇ ନେବାକୁ କେହି ନାହାନ୍ତି। ପୁଣି ସେ ଯେଉଁ ସନ୍ତାନଗଣଙ୍କୁ ପାଳନ କରିଅଛି, ସେମାନଙ୍କ ମଧ୍ୟରେ କେହି ତାହା ହାତଧରି ନେବା ପାଇଁ ନାହାନ୍ତି। 19 ଦୁଇଟି ବିଷୟ ତୁମ୍ଭ ପ୍ରତି ଘଟିଅଛି, ଶୂନ୍ୟତା ଓ ବିନାଶ ଏବଂ ଦୁର୍ଭିକ୍ଷ ଓ ଖଡ଼୍ଗ।
ତେଣୁ କିଏ ତୁମ୍ଭ ପାଇଁ ବିଳାପ କରିବ? କିଏ ତୁମ୍ଭକୁ ସାନ୍ତ୍ୱନା ଦେବ? 20 ତୁମ୍ଭର ସନ୍ତାନଗଣ ମୂର୍ଚ୍ଛିତ ହୋଇଅଛନ୍ତି। ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ ପଡ଼ିଛନ୍ତି ଯେପରି ହରିଣ ଜାଲ ପାଶରେ ଆବଦ୍ଧ ହୁଏ। ସେମାନେ ସଦାପ୍ରଭୁଙ୍କ କୋପରେ ଓ ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ।
21 ଏଣୁ ଦୟାକରି ଏହା ଶୁଣ, ହେ ଯିରୁଶାଲମ, ତୁମ୍ଭେ ଦ୍ରାକ୍ଷାରସର କୁହୁକରେ ମତ୍ତ ନୁହଁ, କିନ୍ତୁ ତୁମ୍ଭେ ମତ୍ତୁଆଲା ଅଟ।
22 ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷରେ ସେହି ପରମେଶ୍ୱର ଏହି କଥା କୁହନ୍ତି, “ଦେଖ, ଆମ୍ଭେ ‘କୋପରୂପକ ପାନପାତ୍ର’ ତୁମ୍ଭ ହସ୍ତରୁ କାଢ଼ି ନେଇ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦେବୁ ନାହିଁ। 23 ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନାଗମନ କରିଛନ୍ତି।”
ନୂତନ ଯିରୁଶାଲମ
21 ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା। 2 ତା’ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।
3 ମୁଁ ସିଂହାସନରୁ ଏକ ଉଚ୍ଚ ସ୍ୱର ଶୁଣିଲି। ସେହି ସ୍ୱର କହିଲା, “ବର୍ତ୍ତମାନ ପରମେଶ୍ୱରଙ୍କର ବାସସ୍ଥାନ ଲୋକମାନଙ୍କ ପାଖରେ ଅଛି। ସେ ସେମାନଙ୍କ ସହିତ ରହିବେ। ସେମାନେ ତାହାଙ୍କର ଲୋକ ହେବେ। ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ ଓ ସେମାନଙ୍କର ପରମେଶ୍ୱର ହେବେ। 4 ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।”
5 ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା’ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।”
6 ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। [a] ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି। 7 ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ। 8 କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ୱାସୀ, ଘୃଣାକାର୍ଯ୍ୟ, ନରହତ୍ୟା, ଯୌନଗତ ପାପ, ମନ୍ଦ କୁହୁକ କରନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ୟାବାଦୀ ସେମାନେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦରେ ସ୍ଥାନ ପାଇବେ। ଏହା ଦ୍ୱିତୀୟ ମୃତ୍ୟୁ।’’
9 ତା’ପରେ ସାତ ଜଣ ସ୍ୱର୍ଗଦୂତଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ସାତୋଟି ଶେଷ କ୍ଳେଶର ସାତ ପାତ୍ର ଥିଲା, ସେହିମାନଙ୍କ ମଧ୍ୟରୁ ଜଣେ ମୋ’ ପାଖକୁ ଆସିଲେ। ସେହି ସ୍ୱର୍ଗଦୂତ ମୋତେ କହିଲେ, “ମୋ’ ସହିତ ଆସ। ମୁଁ ତୁମ୍ଭକୁ ବଧୂକୁ ଦେଖାଇବି। ସେ ମେଷଶାବକଙ୍କର ସ୍ତ୍ରୀ। 10 ସେ ଦୂତ ମୋତେ ଆତ୍ମା ଦ୍ୱାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନେଇଗଲେ। ସେ ମୋତେ ପବିତ୍ର ନଗରୀ ଯିରୁଶାଲମ ଦେଖାଇଲେ। ମୁଁ ସେହି ନଗରୀକୁ ପରମେଶ୍ୱରଙ୍କ ପାଖରୁ ସ୍ୱର୍ଗରୁ ଆସିବାର ଦେଖିଲି।
11 ସେହି ନଗରୀ ପରମେଶ୍ୱରଙ୍କ ଗୌରବରେ ଉଜ୍ଜ୍ୱଳମୟ ଦେଖାଯାଉଥିଲା। ଏହା ମୂଲ୍ୟବାନ ମଣି, ସୂର୍ଯ୍ୟକାନ୍ତ ପରି ଉଜ୍ଜ୍ୱଳ ହୋଇ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ୱଚ୍ଛ ଥିଲା। 12 ନଗରୀର ଗୋଟିଏ ବଡ଼ ଉଚ୍ଚ କାନ୍ଥ ଥିଲା। ଏହାର ବାରଟି ପ୍ରବେଶଦ୍ୱାର ଥିଲା। ସେହି ଦ୍ୱାରମାନଙ୍କରେ ବାରଟି ସ୍ୱର୍ଗଦୂତ ଥିଲେ। ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଇସ୍ରାଏଲର ବାରଟି ପରିବାରର ଗୋଟିଏ ଗୋଟିଏ ଦଳର ନାମ ଖୋଦିତ ଥିଲା। 13 ସେଠାରେ ପୂର୍ବ ଦିଗରେ ତିନୋଟି ପ୍ରବେଶ ଦ୍ୱାରା, ଉତ୍ତରରେ ତିନୋଟି ପ୍ରବେଶ ଦ୍ୱାର, ଦକ୍ଷିଣରେ ତିନୋଟି ପ୍ରବେଶ ଦ୍ୱାର ଏବଂ ପଶ୍ଚିମ ଦିଗରେ ତିନୋଟି ଦ୍ୱାର ଥିଲା। 14 ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସେହି ପଥର ଉପରେ ମେଷଶାବକଙ୍କର ବାରଜଣ ପ୍ରେରିତଙ୍କର ନାମ ଲେଖାଯାଇଥିଲା।
15 ମୋ’ ସହିତ କଥାବାର୍ତ୍ତା ହେଉଥିବା ସ୍ୱର୍ଗଦୂତଙ୍କ ହାତରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ୱାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତରେ ରଖିଥିଲେ। 16 ସେହି ନଗରୀଟି ଗ୍ଭରି କୋଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସେହି ଦୂତ ମାପଦଣ୍ଡରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ୟ 12,000 ଷ୍ଟାଡ଼ିଆ [b] ଥିଲା। 17 ସେ ଦୂତ କାନ୍ଥର ଉଚ୍ଚତା ମଧ୍ୟ ମାପିଲେ ଏହା 144 ହାତ ହେଲା। ଦୂତ ମନୁଷ୍ୟମାନଙ୍କ ଦ୍ୱାରା ବ୍ୟବହୃତ ମାନଦଣ୍ଡରେ ମାପିଥିଲେ। 18 ସେହି ନଗରୀର କାନ୍ଥ ସୂର୍ଯ୍ୟକାନ୍ତମଣିରେ ତିଆରି ହୋଇଥିଲା। ସେହି ନଗରୀ ସ୍ୱଚ୍ଛକାଚ ପରି ଉଜ୍ଜ୍ୱଳ ଖାଣ୍ଟି ସୁନାରେ ତିଆରି ହୋଇଥିଲା।
19 ନଗରୀ କାନ୍ଥର ମୂଳଦୁଆ ପଥରରେ ବହୁମୂଲ୍ୟ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ୱିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ଯ୍ୟମଣି, ଚତୁର୍ଥଟି ମରକତମଣି ଥିଲା। 20 ପଞ୍ଚମରେ ପୁଲକମଣି, ଷଷ୍ଠ ମାଣିକ୍ୟମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମରେ ଫିରୋଜମଣି, ନବମରେ ଗୋମେଦକମଣି, ଦଶମରେ ଲଶୁନୀୟମଣି, ଏକାଦଶରେ ଇନ୍ଦ୍ରନୀଳମଣି, ଓ ଦ୍ୱାଦଶରେ ସୁଗନ୍ଧମଣି ଖଚିତ ଥିଲା। 21 ବାରଟି ପ୍ରବେଶ ଦ୍ୱାର ହେଉଛି ବାର ଗୋଟି ମୁକ୍ତା। ପ୍ରତ୍ୟେକ ପ୍ରବେଶ ଦ୍ୱାର ଗୋଟିଏ ଲେଖା ମୁକ୍ତାରେ ତିଆରି ହୋଇଥିଲା। ନଗରର ରାଜପଥ ନିର୍ମିତ କାଚପରି, ଖାଣ୍ଟି ସୁନାରେ ତିଆରି ହୋଇଥିଲା।
22 ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର। 23 ସେହି ନଗରୀକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମେଷଶାବକ ସେହି ନଗରୀର ପ୍ରଦୀପ ସ୍ୱରୂପ।
24 ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଗ୍ଭଲିବେ। ପୃଥିବୀର ରାଜାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଏହି ନଗରୀକୁ ଦେବେ। 25 ସେହି ନଗରୀର ଦ୍ୱାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସେଠାରେ କେବେ ହେଲେ ରାତି ହେବ ନାହିଁ। 26 ସେହି ନଗରକୁ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ଅଣାଯିବ। 27 କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ।
2010 by World Bible Translation Center