M’Cheyne Bible Reading Plan
ଯୁଦ୍ଧର ନିୟମ
20 “ଯେତେବେଳେ ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭେମାନେ ତାଙ୍କର ଅନେକ ଅଶ୍ୱାରୋହୀ, ରଥାରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ୟକ ସୈନ୍ୟ ଥା’ନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଭୟ କରିବାର କିଛି ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସେହି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ୟରୁ ବାହାରକରି ଆଣିଛନ୍ତି।
2 “ଯେତେବେଳେ ତୁମ୍ଭେମାନେ ଯୁଦ୍ଧକୁ ଯିବ, ସେ ସମୟରେ ଯାଜକମାନେ ସୈନ୍ୟମାନଙ୍କ ପାଖକୁ ଯାଇ କହିବେ, 3 ‘ହେ ଇସ୍ରାଏଲବାସୀ, ମୋର କଥା ଶୁଣ। ଆଜି ତୁମ୍ଭେମାନେ ତୁମ୍ଭର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବ। ତୁମ୍ଭେମାନେ କେବେ ଭୟ କରିବ ନାହିଁ, ତୁମ୍ଭମାନଙ୍କର ହୃଦୟ ଦୁର୍ବଳ କର ନାହିଁ। 4 କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧରେ ସାହାଯ୍ୟ କରିବେ ଓ ସେ ତୁମ୍ଭକୁ ଯୁଦ୍ଧରେ ଜୟ ଯୁକ୍ତ କରାଇବେ।’
5 “ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, ‘ଯେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା’ର ଆପଣା ଗୃହକୁ ଯାଉ। ନଚେତ୍ ସେ ଯେବେ ମରିଯାଏ, ତେବେ ଅନ୍ୟ ଲୋକ ସେ ଗୃହରେ ପ୍ରବେଶ କରିବ। 6 ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ କାରଣ ଯଦି ସେ ଯୁଦ୍ଧରେ ମରିଯାଏ, ତେବେ ଅନ୍ୟ କେହି ସେହି ଜମିକୁ ଭୋଗ କରିବ। 7 ଆଉ କୌଣସି ଲୋକର ଏକ ସ୍ତ୍ରୀ ଲୋକକୁ ବିବାହ ପାଇଁ ସ୍ୱୀକୃତି ହୋଇଛି କିନ୍ତୁ ତାକୁ ଏପର୍ଯ୍ୟନ୍ତ ବିବାହ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ। ଯଦି ସେ ଯୁଦ୍ଧରେ ମରିଯାଏ, ଅନ୍ୟ କେହି ତାକୁ ବିବାହ କରିବ।’
8 “ଅଧିକାରୀଗଣ ଲୋକମାନଙ୍କୁ କହିବେ, ‘ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି କି? ସେ ଫେରି ଆପଣା ଗୃହକୁ ଯାଉ, ଯେମିତି ସେ ତା’ର ଭାଇର ହୃଦୟକୁ ଭୟରେ ତରଳାଇ ନ ଦେଉ।’ 9 ଅଧ୍ୟକ୍ଷଗଣ ସୈନ୍ୟମାନଙ୍କ ସହିତ କଥା ସମାପ୍ତ କରିବା ପରେ, ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ।
10 “ଯେତେବେଳେ ତୁମ୍ଭେମାନେ ଗୋଟିଏ ନଗରକୁ ଆକ୍ରମଣ କରିବାକୁ ଯିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘୋଷଣା କର। 11 ଯଦି ସେମାନେ ତୁମ୍ଭମାନଙ୍କ ସନ୍ଧିରେ ରାଜି ହୋଇ ତୁମ୍ଭମାନଙ୍କ ନଗର ଗୁଡ଼ିକ ପାଇଁ ଦ୍ୱାର ଉନ୍ମୁକ୍ତ କରନ୍ତି, ତେବେ ସେହି ସହରର ସମସ୍ତ ଲୋକମାନେ ତୁମ୍ଭ ପାଇଁ କାମ କରିବାକୁ ବାଧ୍ୟ ଏବଂ ତୁମ୍ଭମାନଙ୍କର ଦାସ ହେବେ। 12 ଯଦି ସେହି ନଗରର ଲୋକମାନେ ତୁମ୍ଭର ସନ୍ଧିରେ ରାଜି ନ ହୁଅନ୍ତି। ତୁମ୍ଭମାନଙ୍କ ସହିତ ଯୁଦ୍ଧ କରନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଘେରି ଯିବ। 13 ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବ। 14 କିନ୍ତୁ ସ୍ତ୍ରୀ, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ୟ ତୁମ୍ଭ ନିଜ ପାଇଁ ନେଇଯାଅ। ତୁମ୍ଭେ ଯାହା ବ୍ୟବହାର କରିବାକୁ ଗ୍ଭହଁ ତୁମ୍ଭର ନେବା ଓ ବ୍ୟବହାର କରିବା ଉଚିତ୍। ଏହିସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ୟ ଦ୍ରବ୍ୟ ରୂପେ ଦେଇଛନ୍ତି। 15 ଯେଉଁସବୁ ନଗର ଏହି ପାଖାପାଖି ଗୋଷ୍ଠୀୟମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ସମସ୍ତ ନଗର ପ୍ରତି ଏହା କର।
16 “ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଶ୍ୱାସଧାରୀ କାହାରିକି ସଜୀବ ରଖିବ ନାହଁ। 17 ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବ। 18 କାରଣ ସେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବା ପାଇଁ। ସେମାନେ ତାଙ୍କ ଦେବଗଣଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଭୟଙ୍କର କର୍ମମାନ କରିଛନ୍ତି, ତୁମ୍ଭମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ।
19 “ଯେତେବେଳେ ତୁମ୍ଭେମାନେ ବାହୁବଳଦ୍ୱାରା ଅବରୋଧ କରିବ। ସେତେବେଳେ ତୁମ୍ଭେମାନେ ନଗରମାନଙ୍କରେ ଥିବା ଗଛମାନଙ୍କୁ କାଟିବ ନାହିଁ। ତୁମ୍ଭେମାନେ ତାହାର ଫଳ ଖାଇ ପାରିବ। ସେହି ବୃକ୍ଷମାନେ ତୁମ୍ଭର ଶତ୍ରୁ ନୁହନ୍ତି ତେଣୁ ସେମାନଙ୍କୁ ତୁମ୍ଭେ କାଟିବ ନାହିଁ। 20 କିନ୍ତୁ ତୁମ୍ଭେମାନେ ଫଳ ନ ଫଳୁଥିବା ବୃକ୍ଷମାନକୁ କାଟି ପାରିବ। ସେଥିରେ ତୁମ୍ଭେମାନେ ଯୁଦ୍ଧାସ୍ତ୍ର ନିର୍ମାଣ କରି ସେହି ନଗର ବିରୁଦ୍ଧରେ ଯୁଦ୍ଧ କରିବ। ସେହି ନଗର ପତନ ପର୍ଯ୍ୟନ୍ତ ତୁମ୍ଭେ ଏହିପରି କରିବ।
ପଞ୍ଚମ ପୁସ୍ତକ
(ଗୀତସଂହିତା 107-150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
4 ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
କିନ୍ତୁ ସେମାନେ ପାଇଲେ ନାହିଁ।
5 ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
6 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
7 ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
8 ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
9 କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।
10 ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ
ଅନ୍ଧକାରରେ ଥିଲେ।
11 କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ
ଅସୁବିଧାର ସମ୍ମୁଖୀନ କଲେ।
ସେମାନେ ପତିତ ହେଲେ
ଓ ସାହାଯ୍ୟ କରିବାକୁ କେହି ନ ଥିଲେ।
13 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ।
14 ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ
ଓ ସେମାନଙ୍କ ବନ୍ଧନ ଛେଦନ କଲେ।
15 ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ।
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ।
ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।
17 କେତେକ ମୂର୍ଖ ହୋଇଗଲେ କାରଣ ସେମାନଙ୍କର ନିଜର ପାପ ଯୋଗୁଁ
ଏବଂ ସେମାନେ ଅଧର୍ମାଚରଣ କଲେ।
18 ସେହି ଲୋକମାନେ ବହୁତ ରୁଗ୍ଣ ଥିଲେ।
ଖାଦ୍ୟ ପରିତ୍ୟାଗ କରିଥିଲେ।
ସେମାନେ ପ୍ରାୟ ମୃତବତ୍ ରହିଥିଲେ।
19 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ
ଏବଂ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କଲେ।
20 ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ।
ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ।
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଧନ୍ୟବାଦ କର
କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
22 ସେମାନେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ
ଓ ଗାନ କରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
23 କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ
ନୌକାରେ ସମୁଦ୍ର ପାର ହୁଅନ୍ତି।
24 ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ
ଓ ସମୁଦ୍ର ଜଳରେ ତାଙ୍କର ଅଦ୍ଭୂତ କାର୍ଯ୍ୟ ଦେଖନ୍ତି।
25 ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା।
ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସେମାନେ ସେହି ଢେଉରେ ଆକାଶକୁ ଉଠିଲେ
ଓ ଏହା ପରେ ଜଳଗର୍ଭକୁ ଖସିଲେ।
ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ।
27 ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି।
ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ।
28 ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ
ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ୱର ବତାସକୁ ସ୍ଥିର କଲେ
ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ,
କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ।
31 ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର,
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍
ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।
33 ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ
ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି।
34 ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି।
କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।
35 କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି।
ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି।
ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ
ଏବଂ ଭଲ ଫସଲ ଅମଳ କରି ପାରନ୍ତି।
38 ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି।
ତହିଁରେ ସେମାନେ ଅତିଶୟ ବୃଦ୍ଧି ପା’ନ୍ତି।
ଏବଂ ସେମାନଙ୍କର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
39 ଯେତେବେଳେ ପରମେଶ୍ୱରଙ୍କର ଲୋକମାନେ ଛୋଟ ହୋଇଗଲେ
ଏବଂ ଅତ୍ୟାଗ୍ଭର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
40 ପରମେଶ୍ୱର ସେମାନଙ୍କର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ୟାଗ୍ଭର କରିଥିଲେ।
ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
41 କିନ୍ତୁ ପରମେଶ୍ୱର ସେହି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ।
ସେ ସେମାନଙ୍କର ପରିବାରକୁ ମେଷପଲ ତୁଲ୍ୟ ପାଳନ କରନ୍ତି।
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ
ଏବଂ ଦୁଷ୍ଟ ଲୋକମାନେ କ’ଣ କହିବା କଥା ତାହା ଜାଣନ୍ତି ନାହିଁ।
43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।
ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
47 “ଆଗୋ ବାବିଲର ଅନୁଢ଼ା କନ୍ୟା, ତଳକୁ ଓହ୍ଲାଇ ଆସି ଧୂଳିରେ ବସ;
ଆଗୋ କଲ୍ଦୀୟର କନ୍ୟା, ସିଂହାସନ ଛାଡ଼ି ଭୂମିରେ ବସ।
କାରଣ ତୁମ୍ଭେମାନେ ଆଉ କୋମଳ
ଓ କୁଆଁରୀକନ୍ୟା ବୋଲି ଖ୍ୟାତ ହେବ ନାହିଁ।
2 ପେଷଣା ପଥରରେ ଶସ୍ୟ ପେଷ,
ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ,
ପାଦ ଅନାବୃତ କର।
ନଦୀ ଓ ଛୋଟ ନଦୀରେ ଗ୍ଭଲିକରି ଯାଅ।
3 ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ
ଓ ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ;
ଆମ୍ଭେ ପ୍ରତିଶୋଧ ନେଲା ବେଳେ
କେହି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।
4 “ମୋର ସନ୍ତାନଗଣ କୁହନ୍ତି, ‘ଆମ୍ଭମାନଙ୍କର ମୁକ୍ତିଦାତା
ଇସ୍ରାଏଲର ଧର୍ମସ୍ୱରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।’”
5 “ଆଗୋ କଲ୍ଦୀୟ କନ୍ୟାଗଣ,
ତୁମ୍ଭେମାନେ ଅନ୍ଧାରକୁ ଯାଇ ନୀରବରେ ବସ।
କାରଣ ତୁମ୍ଭେମାନେ ‘ରାଜ୍ୟର ଆଉ ରାଣୀ’ ବୋଲି କଥିତ ହେବ ନାହିଁ।
6 “ଆମ୍ଭେ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେଲୁ।
ଆପଣା ଅଧିକାରକୁ ଅପବିତ୍ର କଲୁ
ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପର କଲୁ।
ତୁମ୍ଭେ ସେମାନଙ୍କ ପ୍ରତି ଦୟା ପ୍ରକାଶ କଲ ନାହିଁ।
ତୁମ୍ଭେ ବୃଦ୍ଧଲୋକ ଉପରେ ଯୁଆଳି
ବଡ଼ ଭାରି କରି ଥୋଇଲ।
7 ତୁମ୍ଭେ କହିଲ, ‘ଆମ୍ଭେ ଚିରଦିନ ବଞ୍ଚିଲୁ
ଓ ସଦାକାଳ ସାଆନ୍ତାଣୀ ହୋଇ ରହିବୁ।’
ଏଣୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ
କିମ୍ବା ତା’ର ଶେଷଫଳ କ’ଣ ହେବ ସ୍ମରଣ କଲ ନାହିଁ।
8 ହେ ସୁଖଭୋଗିନୀ! ଏବେ ଏହା ଶୁଣ,
ତୁମ୍ଭେମାନେ ନିରାପଦରେ ବାସ କରି ନିଜେ ନିଜେ କହୁଅଛ,
‘ଆମ୍ଭେ ମହାନ, ଆମ୍ଭ ଛଡ଼ା ଆଉ କେହି ନାହିଁ।
ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛେଦ ଜାଣିବା ନାହିଁ।’
9 ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତରେ ଘଟିବ।
ପ୍ରଥମେ ସନ୍ତାନ ବିରହ ଓ ପରେ ବୈଧବ୍ୟ ତୁମ୍ଭ ପ୍ରତି ଘଟିବ।
ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାୟାବୀତ୍ୱ କିଛି ସାହାଯ୍ୟ କରିବ ନାହିଁ।
ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
10 ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପରେ ନିର୍ଭର କରି ନିଜକୁ ନିରାପଦ ମଣୁଅଛ;
ତୁମ୍ଭେ ଭାବୁଛ, ‘କେହି ତୁମ୍ଭକୁ ଦେଖୁ ନାହିଁ।’
ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି;
ତୁମ୍ଭେ ନିଜକୁ ‘ମହାନ ବୋଲି ଭାବୁଛ,
ଆମ୍ଭ ଛଡ଼ା କେହି ନାହିଁ ବୋଲି କହୁଅଛ।’
11 “ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ;
ତୁମ୍ଭେ ଜାଣିବ ନାହିଁ ଏହା କେତେବେଳେ ଘଟିବ।
ତୁମ୍ଭ ଉପରେ ବିପଦ ପଡ଼ିବ ମାତ୍ର ତୁମ୍ଭେ ତାହା ଦୂର କରି ପାରିବ ନାହିଁ।
ତୁମ୍ଭେ ଏତେ ଶୀଘ୍ର ବିନାଶ ହେବ, ତାହା ତୁମ୍ଭେ ଜାଣିବ ନାହିଁ।
12 ବର୍ତ୍ତମାନ ତୁମ୍ଭେମାନେ ମାୟାବୀ ଯାଦୁବିଦ୍ୟା ଉପରେ ନିର୍ଭର କର,
ଯାହା ତୁମ୍ଭେମାନେ ଶିଖିବାକୁ ବହୁତ ପରିଶ୍ରମ କର।
ତୁମ୍ଭେମାନେ ସେଗୁଡ଼ିକୁ ବ୍ୟବହାରରେ ଲଗାଇପାର
କିମ୍ବା ସେଥିପାଇଁ ତୁମ୍ଭେମାନେ ଜିତିପାର।
13 ତୁମ୍ଭର ତ ବହୁ ଉପଦେଷ୍ଟା ଅଛନ୍ତି।
ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ।
ଏବେ ସେହି ଜ୍ୟୋତିଷମାନେ,
ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ
ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
14 “ସେମାନେ ତ ନିଜକୁ ରକ୍ଷା କରି ପାରିବେ ନାହିଁ,
ସେମାନେ କୁଟାପରି ଅଗ୍ନିରେ ଦଗ୍ଧିଭୂତ ହେବେ।
ସେମାନେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରି ପାରିବେ ନାହିଁ।
ତାହା ଏପରି ଦଗ୍ଧିଭୂତ ହେବ ଯେକୌଣସି ଅଙ୍ଗାର ରହିବ ନାହିଁ, ଫଳରେ ଉଷ୍ଣ ହେବାକୁ ତାହା ରହିବ ନାହିଁ।
15 ଯେଉଁ ବିଷୟ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭ ପ୍ରତି ଏହିପରି ଘଟିବ।
ଯେଉଁମାନେ ଯୌବନରୁ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି,
ସେମାନେ ପ୍ରତ୍ୟେକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ,
ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।”
ପଶୁ ଉପରେ ନାରୀ
17 ସାତଦୂତଙ୍କ ମଧ୍ୟରୁ ଯେଉଁମାନେ ସାତୋଟି ପାତ୍ର ଧାରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି ମୋତେ କହିଲେ, “ଆସ ପ୍ରସିଦ୍ଧ ବେଶ୍ୟାକୁ କ’ଣ ଦଣ୍ଡ ଦିଆଯିବ, ତାହା ମୁଁ ତୁମ୍ଭକୁ ଦେଖାଇବି। ସେ ବହୁତ ଜଳରାଶି ଉପରେ ବସିଛି। 2 ପୃଥିବୀର ରାଜାମାନେ ତା’ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା’ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।”
3 ତା’ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା। 4 ସେହି ସ୍ତ୍ରୀଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ଯୋଗୁଁ ଝଲକୁଥିଲା। ତା’ ହାତରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସେହି ପାତ୍ରଟି ଘୃଣ୍ୟ ବିଷୟ ଗୁଡ଼ିକରେ ଓ ତା’ର ନିଜର ଯୌନଗତ ପାପର ଆବର୍ଜନାରେ ପୂର୍ଣ୍ଣ ଥିଲା। 5 ତା’ର କପାଳରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲେଖା ହେଲା:
ମହାନ୍ ବାବିଲ, ବେଶ୍ୟାମାନଙ୍କର
ଓ ପୃଥିବୀର ସବୁ ଘୃଣ୍ୟ
ବିଷୟସକଳର ମାତା।
6 ମୁଁ ସେହି ସ୍ତ୍ରୀଲୋକକୁ ପରମେଶ୍ୱରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟ ଦେଇଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।
ମୁଁ ସେହି ସ୍ତ୍ରୀଲୋକକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି। 7 ତା’ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା’ର ବାହନ ପଶୁ ବିଷୟରେ ମଧ୍ୟ କହିବି। 8 ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ୱରରୁ ଉଠି ଆସି ଧ୍ୱଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲେଖା ହୋଇ ନାହିଁ, ସେହି ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେବେ, କାରଣ ସେ ଅତୀତରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।
9 “ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ। 10 ଏହା ଭିତରୁ ପାଞ୍ଚ ଜଣ ରାଜା ମରିସାରିଲେଣି। ଜଣେ ରାଜା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ଶେଷ ରାଜା ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଅଳ୍ପ ସମୟ ପାଇଁ ରହିବେ। 11 ଯେଉଁ ପଶୁ କେବେ ଜୀବିତ ଥିଲା, ବର୍ତ୍ତମାନ ନାହିଁ, ସେ ଅଷ୍ଟମ ରାଜା। ସେ ପ୍ରଥମ ସାତ ଜଣ ରାଜାଙ୍କ ମଧ୍ୟରୁ ଜଣେ। ସେ ମଧ୍ୟ ଧ୍ୱଂସ ପାଇବ।
12 “ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶ ଜଣ ରାଜା। ଏହି ଦଶ ଜଣ ରାଜା ଏ ପର୍ଯ୍ୟନ୍ତ ରାଜ ଭଳି ରାଜ୍ୟ ପାଇ ନାହାନ୍ତି। କିନ୍ତୁ ସେମାନେ ସେହି ପଶୁ ସହିତ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ। 13 ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ସମାନ। ସେମାନେ ସେମାନଙ୍କର କ୍ଷମତା ଓ ଅଧିକାର ସେହି ପଶୁକୁ ଦେବେ। 14 ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”
15 ତା’ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ। 16 ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା’ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ। 17 ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ। 18 ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।”
2010 by World Bible Translation Center