M’Cheyne Bible Reading Plan
ଇସ୍ରାଏଲ ପରମେଶ୍ୱରଙ୍କର ବିଶେଷ ଲୋକ
7 “ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ ହିତ୍ତୀୟ ଓ ଗିର୍ଗାସୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ତୁମ୍ଭଠାରୁ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ। 2 ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ତୁମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ। ତୁମ୍ଭେ ସେମାନଙ୍କ ସହିତ କୌଣସି ସନ୍ଧି କରିବ ନାହିଁ ଅଥବା ଦୟା ଦେଖାଇବ ନାହିଁ। ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବ। 3 ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ। 4 କାରଣ ସେମାନେ ତୁମ୍ଭମାନଙ୍କର ସନ୍ତାନଗଣଙ୍କୁ ମୋତେ ଅନୁସରଣ କରିବାରୁ ବିମୁଖ କରିବେ ଏବଂ ତା’ପରେ ତୁମ୍ଭମାନଙ୍କର ସନ୍ତାନଗଣ ଅନ୍ୟ ଦେବଗଣର ସେବା କରିବେ। ତାହାହେଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ତୁମ୍ଭମାନଙ୍କର ପରମେଶ୍ୱର କ୍ରୋଧ କରିବେ ଓ ସେ ତୁମ୍ଭକୁ ବହୁତ ଶୀଘ୍ର ବିନାଶ କରିବେ।
ମିଥ୍ୟା ଦେବତାଗଣଙ୍କୁ ଧ୍ୱଂସ
5 “ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ ବ୍ୟବହାର କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସଳକ ହାଣି ପକାଇବ। ପୁଣି ସେମାନଙ୍କ ଖୋଦିତ ପ୍ରତିମାସବୁ ଅଗ୍ନିରେ ଦଗ୍ଧ କରିବ। 6 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି। 7 କାରଣ ତୁମ୍ଭେମାନେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ୟକ, ତାହା ନୁହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କଲେ ଓ ମନୋନୀତ କଲେ। କାରଣ ତୁମ୍ଭେମାନେ ସମସ୍ତ ଲୋକ ଅପେକ୍ଷା ସବୁଠୁ କମ୍ ଥିଲ। 8 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ଦାସତ୍ୱରୁ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ରକ୍ଷା କଲେ।
9 “ତେଣୁ ମନେରଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର କେବଳ ଏକମାତ୍ର ପରମେଶ୍ୱର ଅଟନ୍ତି। ସେ ବିଶ୍ୱସ୍ତ ଅଟନ୍ତି। ସେ ତାଙ୍କର ନିୟମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସେମାନଙ୍କ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚୁକ୍ତି ପ୍ରତି ବିଶ୍ୱସନୀୟତା ସହସ୍ର ପୁରୁଷ ପର୍ଯ୍ୟନ୍ତ ଲାଗିରହେ। 10 କିନ୍ତୁ ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି। ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ। ସେ ତାହାର ସମ୍ମୁଖରେ ପରିଶୋଧ କରିବେ। 11 ଏଥିପାଇଁ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଓ ବିଧି ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କର।
12 “ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟସକଳ ଶାସନ ଶୁଣି, ମାନ ଓ ପାଳନ କର, ତେବେ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ। 13 ସେ ତୁମ୍ଭକୁ ସ୍ନେହ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ ଓ ତୁମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ୟ ଓ ତୁମ୍ଭ ଦ୍ରାକ୍ଷାରସ ଓ ତୁମ୍ଭ ତୈଳ ଓ ତୁମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କୁ ଆଶୀର୍ବାଦ କରିବେ।
14 “ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ, ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିମ୍ବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ। 15 ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀୟ ଯେଉଁସବୁ ମନ୍ଦ ବ୍ୟାଧି ଜ୍ଞାତ ଅଟ, ତାହା ସେ ତୁମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନଙ୍କ ଉପରେ ତାହା କରିବେ। 16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ। ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ୱରୂପ ହେବ।
ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କଲେ
17 “ଯଦି ତୁମ୍ଭେମାନେ ‘ସେହି ଦେଶକୁ ତୁମ୍ଭମାନଙ୍କଠାରୁ ବଳଶାଳି ବୋଲି ବିବେଚନା କର, ତେବେ ତୁମ୍ଭେମାନେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସେମାନଙ୍କୁ ତଡ଼ି ଦେବା? ତଥାପି ତୁମ୍ଭେ ସେମାନଙ୍କୁ ଭୟ କରିବ ନାହିଁ।’ 18 ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି। 19 ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କ ପାଇଁ କି ଭୟଙ୍କର କାର୍ଯ୍ୟମାନ କରିଛନ୍ତି। ସେ କି ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ସେହିପରି କାର୍ଯ୍ୟମାନ ସେମାନଙ୍କ ପ୍ରତି କରିବେ।
20 “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କ ପାଇଁ ବିରୁଡ଼ି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରୁ ରକ୍ଷା ପାଇବେ। ସେ ସେହି ଲୋକମାନଙ୍କୁ ଧ୍ୱଂସ କରିବେ। 21 ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟଯୁକ୍ତ। 22 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ିବେ। ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ। 23 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବାଯାଏ ସେମାନଙ୍କୁ ମହାବ୍ୟାକୁଳରେ ବ୍ୟାକୁଳ କରିବେ। 24 ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।
25 “ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମା ସକଳ ଅଗ୍ନିରେ ଦଗ୍ଧ କରିବ। ତୁମ୍ଭେ ଯେମନ୍ତ ଫାନ୍ଦରେ ନ ପଡ଼ିବ ସେଥିପାଇଁ ସେ ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ ଅଟେ। 26 ତୁମ୍ଭେ ସେହି ଘୃଣିତ ବସ୍ତୁଗୁଡ଼ିକ ନିଜ ଗୃହ ଭିତରକୁ ଆଣିବ ନାହିଁ। କାଳେ ତୁମ୍ଭେମାନେ ତାହା ତୁଲ୍ୟ ଅଭିଶପ୍ତ ହୋଇପାର। ତୁମ୍ଭେମାନେ ସେଗୁଡ଼ିକୁ ଅତିଶୟ ଘୃଣା କରିବା ଉଚିତ୍ ଓ ସେମାନେ ଅଭିଶପ୍ତ ହୁଅନ୍ତୁ ବୋଲି ବିବେଚନା କରିବ କାରଣ ସେମାନେ ବିଧ୍ୱଂସିତ ହେବାର ବସ୍ତୁ ଅଟନ୍ତି।
ଚତୁର୍ଥ ପୁସ୍ତକ
(ଗୀତସଂହିତା 90-106)
ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।
90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
2 ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।
3 ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
4 ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
ଓ ରାତ୍ରିର ଅଳ୍ପ ସମୟପରି।
5 ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
6 ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
7 ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
8 ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
9 ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।
ପରମେଶ୍ୱର ତାଙ୍କର ସନ୍ତାନଗଣଙ୍କୁ ସୁଖ ପ୍ରଦାନ କରନ୍ତି
35 ଶୁଷ୍କ ମରୁଭୂମି ଆନନ୍ଦିତ ହେବ। ପୁଣି ମରୁଭୂମି ଉଲ୍ଲାସିତ ହୋଇ ପୁଷ୍ପତୁଲ୍ୟ ପ୍ରଫୁଲିତ ହେବ। 2 ତା’ର ଅପାର ଆନନ୍ଦ ଉଲ୍ଲାସ ନୃତ୍ୟ ଓ ଗାନ ମାଧ୍ୟମରେ ପ୍ରଦର୍ଶନ କରିବ। ଲିବାନୋନ୍ର ପରାକ୍ରମ, କର୍ମିଲ ଓ ଶାରୋଣର ଶୋଭା ସେ ପ୍ରାପ୍ତ ହେବ। ଏସବୁ ଘଟିବ, କାରଣ ସେମାନେ ସଦାପ୍ରଭୁଙ୍କର ମହିମା ଏବଂ ସେମାନେ ପରମେଶ୍ୱରଙ୍କ ଶୋଭା ଦେଖିବେ।
3 ତୁମ୍ଭେମାନେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର। 4 ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦେଇ କୁହ, “ସାହସୀ ହୁଅ, ଭୟ କର ନାହିଁ।” ଦେଖ, ତୁମ୍ଭର ପରମେଶ୍ୱର ବିପକ୍ଷମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ। 5 ସେତେବେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହୋଇ ଦେଖି ପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣରେ ଶ୍ରବଣ କରିବେ। 6 ଖଞ୍ଜଲୋକ ହରିଣ ତୁଲ୍ୟ ନିଆଁ ମାରିବ ଓ ମୂକ ଆନନ୍ଦରେ ଗାନ କରିବ। କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ଝରଣାର ସ୍ରୋତ ବାହାରିବ। 7 ମରିଚିକା ଜଳାଶୟ ହେବ। ଶୁଷ୍କ ମରୁଭୂମି ନିର୍ଝରମୟ ହେବ। ଶୃଗାଳମାନଙ୍କ ବାସ ସ୍ଥାନରେ ନଳ ଓ ତଣ୍ଡିବଣ ଜନ୍ମିବ।
8 ପୁଣି ସେତେବେଳେ ସେଠାରେ ରାଜଦଣ୍ଡ ଓ ପଥ ହେବ ଯାହାକି “ପବିତ୍ରତାର ପଥ” ବୋଲି ବିଖ୍ୟାତ ହେବ। ତାହା ଉପରେ କେବଳ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଗ୍ଭରୀ ଓ ଅଜ୍ଞାନୀମାନେ ସେ ପଥରେ ଯିବେ ନାହିଁ। 9 ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦେବାକୁ ସେଠାରେ ନ ଥିବେ। ସେମାନେ ସେଠାରେ ଦେଖାଯିବେ ନାହିଁ। କେବଳ ମୁକ୍ତିପ୍ରାପ୍ତ ଲୋକମାନେ ତା’ଉପରେ ବିଚରଣ କରିବେ।
10 ପୁଣି ପରମେଶ୍ୱରଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ। ସେମାନେ ଆନନ୍ଦରେ ଗାନ କରି କରି ସିୟୋନରେ ଉପସ୍ଥିତ ହେବେ। ଚିରନ୍ତନ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।
5 ତା’ପରେ ମୁଁ ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରେ ଗୋଟିଏ ଚର୍ମପତ୍ର [a] ଥିବାର ଦେଖିଲି। ସେହି ଚର୍ମପତ୍ରଟିର ଉଭୟ ପଟେ ଲେଖା ହୋଇଥିଲା। ସେହି ଚର୍ମପତ୍ରଟି ସାତୋଟି ମୁଦ୍ରାରେ ବନ୍ଦ କରାଯାଇଥିଲା। 2 ମୁଁ ଜଣେ ମହାଶକ୍ତିଶାଳୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ୱରରେ କହିଲେ, “ଏହି ଚର୍ମପତ୍ରର ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ କିଏ ଯୋଗ୍ୟ ଅଟନ୍ତି?” 3 କିନ୍ତୁ ସେହି ଚର୍ମପତ୍ରକୁ ଫିଟାଇବାକୁ ଓ ତା’ଭିତର ଦେଖିବାକୁ ସ୍ୱର୍ଗ, ମର୍ତ୍ତ୍ୟ ବା ପାତାଳରେ କାହାରି ସାଧ୍ୟ ନ ଥିଲା। 4 ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସେହି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସେଠାରେ କେହି ସକ୍ଷମ ନ ଥିଲେ। 5 କିନ୍ତୁ ସେହି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, “କାନ୍ଦ ନାହିଁ! ଯିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ଯ୍ୟ କରିବାକୁ ବିଜୟୀ ହୋଇଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତୋଟି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।”
6 ସେତେବେଳେ ମୁଁ ସିଂହାସନର ମଝିରେ ଜଣେ ମେଷଶାବକଙ୍କୁ ଦେଖିଲି। ତାହାଙ୍କ ଗ୍ଭରିପାଖେ ଗ୍ଭରୋଟି ଜୀବିତ ପ୍ରାଣୀ ଓ ପ୍ରାଚୀନମାନେ ଘେରି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦେଖା ଯାଉଥିଲେ। ତାହାଙ୍କର ସାତୋଟି ଶିଙ୍ଗ ଓ ସାତୋଟି ଚକ୍ଷୁ ଥିଲା, ଏହି ସାତୋଟି ଚକ୍ଷୁ ପରମେଶ୍ୱରଙ୍କର ସାତୋଟି ଆତ୍ମା, ଯାହାଙ୍କୁ ପୃଥିବୀର ଗ୍ଭରିଆଡ଼େ ପ୍ରେରିତ କରାଯାଇଥିଲା।
7 ସେହି ମେଷଶାବକ ସିଂହାସନରେ ବସିଥିବା ବ୍ୟକ୍ତିଙ୍କ ପାଖକୁ ଯାଇ ତାହାଙ୍କ ଦକ୍ଷିଣହସ୍ତରୁ ଚର୍ମପତ୍ର ନେଲେ। 8 ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଗ୍ଭରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖରେ ନଇଁପଡ଼ି ପ୍ରଣାମ କଲେ। ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସେମାନେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ୟ ଧରିଥିଲେ। ସେହି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା। 9 ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ:
“ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ
ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ,
କାରଣ ତୁମ୍ଭେ ହତ ହୋଇଥିଲ;
ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ
10 ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ୟ ସ୍ୱରୂପ, ଓ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯାଜକଗଣ କରିଅଛ।
ସେମାନେ ଏ ପୃଥିବୀ ଉପରେ ରାଜତ୍ୱ କରିବେ।”
11 ତା’ପରେ ମୁଁ ଦେଖିଲି ଓ ଅନେକ ସ୍ୱର୍ଗଦୂତଙ୍କର ସ୍ୱର ଶୁଣିଲି। ସ୍ୱର୍ଗଦୂତମାନେ ସିଂହାସନ, ଜୀବିତ ପ୍ରାଣୀ ଓ ପ୍ରାଚୀନମାନଙ୍କ ଗ୍ଭରିପାଖରେ ଥିଲେ। ମୁଁ ହଜାର ହଜାର ସ୍ୱର୍ଗଦୂତଙ୍କୁ ଦେଖିଲି। ସେଠାରେ 10,000ର 10,000 ଗୁଣ ସ୍ୱର୍ଗଦୂତ ଥିଲେ। 12 ସେମାନେ ଉଚ୍ଚ ସ୍ୱରରେ ଏହା କହୁଥିଲେ:
“ମେଷଶାବକ
ଯେ ବଳିକୃତ ଥିଲେ,
ସେ କ୍ଷମତା, ଧନ, ପ୍ରଜ୍ଞା, ଶକ୍ତି, ସମ୍ମାନ, ମହିମା
ଓ ପ୍ରଶଂସା ପାଇବାକୁ ଯୋଗ୍ୟ।”
13 ତା’ପରେ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି:
“ଯେ ସିଂହାସନରେ ବସିଛନ୍ତି,
ତାହାଙ୍କର ଓ ମେଷଶାବକଙ୍କର ପ୍ରଶଂସା, ଗୌରବ, ସମ୍ମାନ ଓ କ୍ଷମତା ଯୁଗେ ଯୁଗେ ହେଉ।”
14 ଗ୍ଭରି ଜଣ ଜୀବିତ ପ୍ରାଣୀ କହିଲେ, “ଆମେନ୍!” ଏବଂ ଚବିଶ ଜଣ ପ୍ରାଚୀନ ବ୍ୟକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।
2010 by World Bible Translation Center