M’Cheyne Bible Reading Plan
ପରମେଶ୍ୱର ହାରୋଣଙ୍କୁ ମହାନ ଯାଜକ ରୂପେ ପ୍ରମାଣ କରନ୍ତି
17 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ଲୋକମାନଙ୍କୁ କୁହ, ପ୍ରତ୍ୟେକ ପରିବାର ପାଇଁ ସେମାନଙ୍କ ପରିବାରବର୍ଗର ନେତୃବର୍ଗଙ୍କଠାରୁ ଗୋଟିଏ ଗୋଟିଏ ଆଶାବାଡ଼ି ନିଅନ୍ତୁ। ସେହି ଆଶାବାଡ଼ି ଉପରେ ସେହି ବ୍ୟକ୍ତିର ନାମ ଲେଖ। 3 ପୁଣି ତୁମ୍ଭେ ଲେବୀର ଆଶାବାଡ଼ିରେ ହାରୋଣର ନାମ ଲେଖିବ। କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଆଶାବାଡ଼ି ହେବ। 4 ସମାଗମ-ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁଖରେ ଏହିସବୁ ଆଶାବାଡ଼ି ସେହିଠାରେ ରଖ, ଯେଉଁ ସ୍ଥାନରେ ମୁଁ ତୁମ୍ଭ ସହିତ ଦେଖା କରେ। 5 ଏହା କଲା ପରେ ଆମ୍ଭେ ଯେଉଁ ଲୋକଙ୍କୁ ଯାଜକରୂପେ ମନୋନୀତ କରିବା ତାହାର ଆଶାବାଡ଼ି ପଲ୍ଲବିତ ହେବ। ଆଉ ଇସ୍ରାଏଲ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରୁ ସେମାନେ ନିବୃତ୍ତ ରହିବେ।”
6 ଯେତେବେଳେ ମୋଶା ଇସ୍ରାଏଲର ଲୋକମାନଙ୍କୁ କହିଲେ, ସେମାନଙ୍କର ପିତୃଗୃହ ଅନୁସାରେ ସେମାନଙ୍କର ନେତୃବର୍ଗମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଆଶାବାଡ଼ି ନେଲେ। ଏହିରୂପେ ସେମାନେ ବାରଟି ଆଶାବାଡ଼ି ତାକୁ ଦେଲେ। ସେଥି ମଧ୍ୟରେ ହାରୋଣଙ୍କର ଏକ ଆଶାବାଡ଼ି ଥିଲା। 7 ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖର ନିୟମ ତମ୍ବୁରେ ସମସ୍ତ ସହଯୋଗୀମାନଙ୍କୁ ରଖିଲେ।
8 ଏହା ପରେ ଆରଦିନ ମୋଶା ସାକ୍ଷ୍ୟ ତମ୍ବୁରେ ପ୍ରବେଶ କରି ସାକ୍ଷ୍ୟ ସିନ୍ଦୁକ ଦେଖିଲେ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡ଼ି ଅଙ୍କୁରିତ ହୋଇଅଛି, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ୱ ବାଦାମ ଫଳିଲା। 9 ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହିସବୁ ଆଶାବାଡ଼ି ଆଣି ଇସ୍ରାଏଲର ସମସ୍ତ ଲୋକଙ୍କୁ ଦେଖାଇଲେ, ସେମାନେ ତାହା ଦେଖି ପ୍ରତ୍ୟେକେ ନିଜ ନିଜ ଆଶାବାଡ଼ି ନେଲେ।
10 ତା’ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣଙ୍କ ଆଶାବାଡ଼ିକୁ ନିୟମ ତମ୍ବୁ ସମ୍ମୁଖରେ ରଖ। ଏହା ଆମ୍ଭ ବିରୁଦ୍ଧରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ୱରୂପ ରଖାଯିବ। ସେମାନେ ମୋ’ ବିରୁଦ୍ଧରେ ଅଭିଯୋଗରୁ ନିବୃତ୍ତ ହେବେ ଓ ମୁଁ ସେମାନଙ୍କୁ ଆଉ ହତ୍ୟା କରିବି ନାହିଁ।” 11 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।
12 ଏହା ପରେ ଇସ୍ରାଏଲର ଲୋକମାନେ ମୋଶାଙ୍କୁ କହିଲେ, “ଆମ୍ଭେ ଜାଣୁ ଆମ୍ଭେମାନେ ମରିବୁ। ଆମ୍ଭେମାନେ ବିନଷ୍ଟ ହୋଇଅଛୁ, ଆମ୍ଭେମାନେ ବିନଷ୍ଟ ହେବୁ। 13 ଯେକେହି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ’ଣ ସତ୍ୟ ଆମ୍ଭେ ସମସ୍ତେ ପ୍ରାଣ ଛାଡ଼ି ବିନଷ୍ଟ ହେବା?”
ଯାଜକମାନଙ୍କର ଓ ଲେବୀମାନଙ୍କର କାର୍ଯ୍ୟ
18 ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ର ସ୍ଥାନ ପାଇଁ ଦାୟୀ ରହିବ। ପୁଣି ଯାଜକତ୍ୱର କର୍ତ୍ତବ୍ୟ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାୟୀ ରହିବେ। 2 ତୁମ୍ଭେ ଲେବୀୟମାନଙ୍କଠାରୁ ତୁମ୍ଭର ଅନ୍ୟ ଭ୍ରାତୃଗଣଙ୍କୁ ତୁମ୍ଭ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସାହାଯ୍ୟ କରିବେ। ଯେତେବେଳେ ତୁମ୍ଭେ ଓ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟ ତମ୍ବୁ ସମ୍ମୁଖରେ ରହିବ। 3 ସେମାନେ ତୁମ୍ଭକୁ ବିବରଣୀ ଦେବେ ଓ ପବିତ୍ର ତମ୍ବୁର ରକ୍ଷାର ଦାୟିତ୍ୱ ନେବେ। କିନ୍ତୁ ସେମାନେ ପବିତ୍ର ପାତ୍ର ନିକଟକୁ କିମ୍ବା ଯଜ୍ଞବେଦି ନିକଟକୁ ଯିବେ ନାହିଁ। ତେଣୁ ସେମାନେ ମରନ୍ତି ନାହିଁ, ତୁମ୍ଭେ ମଧ୍ୟ ନୁହଁ। 4 ସେମାନେ ତୁମ୍ଭ ସହିତ ଯୋଗ ଦେଇ ତୁମ୍ଭର ସମସ୍ତ ସେବାକର୍ମ ସହିତ ସମାଗମ-ତମ୍ବୁର ରକ୍ଷଣୀୟ ଦାୟିତ୍ୱ ନେବେ। ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ।
5 “ପୁଣି ଇସ୍ରାଏଲ ଲୋକମାନଙ୍କ ପ୍ରତି ଆମ୍ଭର କ୍ରୋଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ଓ ଯଜ୍ଞବେଦିର ସୁରକ୍ଷାର ଦାୟିତ୍ୱ ନେବ। 6 ଆଉ ଆମ୍ଭେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ତୁମ୍ଭ ଭ୍ରାତୃଗଣ ଲେବୀମାନଙ୍କୁ ଗ୍ରହଣ କରିଅଛୁ। ସେମାନେ ଯେପରି ସଦାପ୍ରଭୁଙ୍କର ଓ ସମାଗମ-ତମ୍ବୁର ସେବା କରି ପାରିବେ, ସେମାନେ ତୁମ୍ଭଙ୍କୁ ଉପହାର ସ୍ୱରୂପ ଦେଲେ। 7 କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଯଜ୍ଞବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ପବିତ୍ର ସ୍ଥାନରେ ଯାଜକତ୍ୱ ପାଳନ କରିବ ଓ ସେବା କରିବ, ଆମ୍ଭେ ଆମ୍ଭର ଦାନଜନିତ ସେବାରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ। ଯଦି କେହି ଅଜଣା ବ୍ୟକ୍ତି ମୋର ପବିତ୍ର ସ୍ଥାନ ନିକଟକୁ ଆସେ, ତାକୁ ହତ୍ୟା କରାଯିବ।”
8 ତା’ପରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ମୋତେ ଦିଆଯାଇଥିବା ଉପହାରର ଦାୟୀତ୍ୱ ମୁଁ ତୁମ୍ଭକୁ ଦେଲି। ତୁମ୍ଭକୁ ଓ ତୁମ୍ଭର ବଂଶଧରମାନଙ୍କୁ ମୁଁ ଦେଉଥିବା ପବିତ୍ର ଦ୍ରବ୍ୟ ସେମାନଙ୍କର ଚିରସ୍ଥାୟୀ ଅଂଶ ହେବ। 9 ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡ଼ିକ ତୁମ୍ଭର ହେବ। ଏହି ଅଂଶଗୁଡ଼ିକ ଦଗ୍ଧ ହେବା ଉଚିତ୍ ନୁହଁ ଯଥା: ସେମାନଙ୍କର ଶସ୍ୟ ନୈବେଦ୍ୟ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡ଼ିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ। 10 ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରତ୍ୟେକ ପୁରୁଷ ପବିତ୍ର ସ୍ଥାନରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହେବ।
11 “ଇସ୍ରାଏଲର ଲୋକମାନଙ୍କ ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ୟାମାନଙ୍କୁ ଅନନ୍ତକାଳୀନ ଅଧିକାରାର୍ଥେ ଦେଲୁ। ତୁମ୍ଭ ପରିବାରର ପ୍ରତ୍ୟେକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରି ପାରିବେ।
12 “ଇସ୍ରାଏଲ ଲୋକମାନେ ମୋ’ ଉଦ୍ଦେଶ୍ୟରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦେଲୁ। 13 ସେମାନେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ୱଫଳ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହେବ, ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ବିଧିସମ୍ମତ ଶୁଚି ବ୍ୟକ୍ତି ତାହା ଭୋଜନ କରିବ।
14 “ଇସ୍ରାଏଲରେ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ସମସ୍ତ ଦ୍ରବ୍ୟ ତୁମ୍ଭର ହେବ।
15 ସେମାନେ ମନୁଷ୍ୟ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ। ସେମାନେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍। 16 ଯେତେବେଳେ ତୁମ୍ଭେ ଏକ ମାସର ଶିଶୁକୁ ମୁକ୍ତ କର, ତା’ର ନିରୂପିତ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ।
17 “ମାତ୍ର ତୁମ୍ଭେ ଗୋରୁ କିମ୍ବା ମେଷ କିମ୍ବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ। ସେମାନେ ପବିତ୍ର, ତୁମ୍ଭେ ଯଜ୍ଞବେଦି ଉପରେ ସେମାନଙ୍କର ରକ୍ତ ଛିଞ୍ଚିବ ଏବଂ ସେମାନଙ୍କର ମେଦକୁ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ହେବ। 18 ଆଉ ସେମାନଙ୍କର ମାଂସ, ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ଏ ସମସ୍ତ ତୁମ୍ଭର ହେବ। 19 ଇସ୍ରାଏଲ ଲୋକମାନେ ଯେଉଁସବୁ ଦ୍ରବ୍ୟ ପବିତ୍ର କରି ଉତ୍ତୋଳନୀୟ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ନିୟମ।”
20 ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।
21 “ପୁଣି ଇସ୍ରାଏଲର ଲୋକମାନେ ଯେଉଁ ଏକ ଦଶମାଂଶ ଦେବେ, ଲେବୀ ଗୋଷ୍ଠୀର ଲୋକମାନେ ଏହା ଉପଭୋଗ କରିବେ, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେବାକାର୍ଯ୍ୟ ପାଇଁ ପରିଶୋଧରେ ମୁଁ ଏହା ଲେବୀୟମାନଙ୍କୁ ଦେଲି। 22 ମାତ୍ର ଇସ୍ରାଏଲର ଅନ୍ୟମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ। ସେମାନେ ଆସିଲେ ମରିବେ। 23 ମାତ୍ର ଲେବୀମାନେ ସମାଗମ-ତମ୍ବୁର ସେବା କରିବେ ଓ ସେମାନେ ଏଥିପାଇଁ ଦାୟୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହେବ। କିନ୍ତୁ ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଦେଶ ଅଧିକାର ପାଇବେ ନାହିଁ। 24 କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀୟ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲି। ଏଣୁ ମୁଁ କହିଲି, ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।”
25 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 26 “ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ମୋଟରୁ ପାଇଥିବା ଏକ ଦଶମାଂଶ ଉତ୍ସର୍ଗ କରିବ। 27 ଠିକ୍ ଶସ୍ୟ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହେବ। 28 ଏହିରୂପେ ତୁମ୍ଭେମାନେ ଇସ୍ରାଏଲ ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। ସଦାପ୍ରଭୁଙ୍କୁ ଦେଉଥିବା ଉପହାର ଯାଜକ ହାରୋଣକୁ ଦେବ। 29 ଇସ୍ରାଏଲର ଲୋକମାନେ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେବେ, ତୁମ୍ଭେମାନେ ତହିଁରୁ ସର୍ବୋତ୍ତମ ଓ ପବିତ୍ରତମ ଅଂଶ ମନୋନୀତ କରି ଦଶମାଂଶ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ।
30 “ମୋଶା ଲେବୀୟମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇସ୍ରାଏଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ୟ ଓ ଦ୍ରାକ୍ଷାରସ ତୁଲ୍ୟ ଗ୍ରହଣ କରାଯିବା ଉଚିତ୍। 31 ପୁଣି ତୁମ୍ଭେମାନେ ଓ ତୁମ୍ଭ ପରିବାର ଲୋକମାନେ ସବୁ ସ୍ଥାନରେ ତାହା ଭୋଜନ କରିବ। କାରଣ ତାହା ସମାଗମ-ତମ୍ବୁରେ କରିଥିବା ସେବାକାର୍ଯ୍ୟର ପୁରସ୍କାର ଅଟେ। 32 ଆଉ ସେହି ଉତ୍ତମ ଦ୍ରବ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ ତୁମ୍ଭେମାନେ କୌଣସି ପାପ ବହନ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ନ ମରିବ ସେଥିପାଇଁ ଇସ୍ରାଏଲ ଲୋକମାନଙ୍କର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ।”
ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।
55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
2 ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
3 ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
4 ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
6 ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
7 ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।
8 ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
9 ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।
12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।
15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ।
17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ।
ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି!
18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି,
ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ।
19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି,
ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ।
20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ।
ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
21 ମୋର ଶତ୍ରୁ ତା’ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା’ର ପ୍ରତିଜ୍ଞା ଭଙ୍ଗ କରେ।
ତା’ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚିକ୍କଣ।
କିନ୍ତୁ ତା ହୃଦୟରେ ଘୃଣା ଅଛି।
ତା’ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖଡ଼୍ଗ ତୁଲ୍ୟ କାଟନ୍ତି।
22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ,
ତହିଁରେ ସେ ତୁମ୍ଭର ଯତ୍ନ ନେବେ।
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ।
23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ
ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି!
ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।
ଆରାମର ଦୁଃଖ
7 ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ।
2 ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା। ସେହି ବାର୍ତ୍ତାଟି ହେଲା, “ଅରାମ ଓ ଇସ୍ରାଏଲ ସୈନ୍ୟମାନେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ଏକତ୍ର ଶିବିର ସ୍ଥାପନ କରିଛନ୍ତି।” ଯେତେବେଳେ ରାଜା ଆହସ ଏହି କଥା ଶୁଣିଲେ ସେ ଏବଂ ତାଙ୍କର ଲୋକମାନେ ଭୟଭୀତ ହୋଇପଡ଼ିଲେ। ପବନରେ ବୃକ୍ଷଗୁଡ଼ିକ ଦୋହଲିଲା ପରି ସେମାନେ ଭୟରେ କମ୍ପିତ ହେଲେ।
3 ତା’ପରେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭର ପୁତ୍ର ଶାର-ଯାଶୂବ ଯିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀରେ ନାଳ ମୁଣ୍ଡରେ ଆହସଙ୍କୁ ଭେଟିବ।
4 “ଆହସଙ୍କୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ। ସେହି ଦୁଇବ୍ୟକ୍ତି ରତ୍ସୀନ ଓ ରମଲିୟର ପୁତ୍ରକୁ ଭୟ କର ନାହିଁ। ସେ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତରେ ସେମାନେ ଜ୍ୱଳନ୍ତ ଅଗ୍ନି ସଦୃଶ ଥିଲେ। ମାତ୍ର ବର୍ତ୍ତମାନ ସେମାନେ କେବଳ ଧୂମ ସଦୃଶ। ରତ୍ସୀନ, ଅରାମ ଓ ରମଲିୟର ପୁତ୍ରର କ୍ରୋଧକୁ ଭୟ କର ନାହିଁ। 5 ଅରାମ, ଇଫ୍ରୟିମ ଏବଂ ରମଲିୟଙ୍କର ପୁତ୍ର ଏକତ୍ର ହୋଇ ତୁମ୍ଭ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ କହିଲେ, 6 “ଆମ୍ଭେମାନେ ଯାଇ ଯିହୁଦା ବିରୁଦ୍ଧରେ ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଭେମାନେ ଟାବେଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂପେ ସ୍ଥାପନ କରିବା।”’”
7 ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ତାଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ। 8 ଯେତେବେଳେ ରତ୍ସୀନ ଦମ୍ମେଶକର ରାଜା ହେବେ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଇସ୍ରାଏଲ ଏପରି ଖଣ୍ଡ ବିଖଣ୍ଡିତ ହେବ ଯେ ତାହା ଏକ ଗୋଷ୍ଠୀ ହୋଇ ରହିବ ନାହିଁ। 9 ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”
ଇମ୍ମାନୁୟେଲ-ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି
10 ତା’ପରେ ସଦାପ୍ରଭୁ ଆହସଙ୍କୁ କହି ଗ୍ଭଲିଲେ। 11 ସେ କହିଲେ, “ଏ ଗୁଡ଼ିକ ସତ୍ୟ ବୋଲି ତୁମ୍ଭେ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ। ସେହି ଚିହ୍ନ ଅଧୋଲୋକରୁ ହେଉ କିମ୍ବା ଉର୍ଦ୍ଧଲୋକରୁ ହେଉ ସଦାପ୍ରଭୁଙ୍କୁ ସେହି ଚିହ୍ନ ମାଗ।”
12 ମାତ୍ର ଆହସ କହିଲେ, “ମୁଁ ପ୍ରମାଣ ସ୍ୱରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଗ୍ଭହେଁ ନାହିଁ।”
13 ତା’ପରେ ଯିଶାଇୟ କହିଲେ, “ହେ ଦାଉଦଙ୍କର ବଂଶ! ସାବଧାନ ହୋଇ ଶୁଣ। ତୁମ୍ଭେମାନେ ତୁଚ୍ଛମାନବର ଧୈର୍ଯ୍ୟକୁ ପରୀକ୍ଷା କରିଛ ବୋଲି ମୋର ପ୍ରଭୁ ପରମେଶ୍ୱରଙ୍କ ଧୈର୍ଯ୍ୟକୁ ପରୀକ୍ଷା କରି ପାରିବ ନାହିଁ। 14 ମାତ୍ର ମୋର ପ୍ରଭୁ ପରମେଶ୍ୱର ଏକ ଚିହ୍ନ ଦେଖାଇବେ।
ଦେଖ, ଏକ ଯୁବତୀ ଗର୍ଭବତୀ ହୋଇ
ଏକ ପୁତ୍ର ସନ୍ତାନ ଜନ୍ମ ଦେବ।
ତା’ର ନାମ ସେ ଇମ୍ମାନୁୟେଲ ଦେବ।
15 ଇମ୍ମାନୁୟେଲ ଲହୁଣୀ ଓ ମହୁ ଖାଇବ।
ତେଣୁ ସେ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ୟାଗ କରିବା ଜାଣିବ।
16 ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ୟ କରିବା ଜାଣିବା ପୂର୍ବରୁ ତୁମ୍ଭେମାନେ ଇଫ୍ରୟିମକୁ
ଓ ଅରାମକୁ ତ୍ୟାଗ କରିବା। କାରଣ “ତୁମ୍ଭେମାନେ ସେହି ଦୁଇ ରାଜାଙ୍କୁ ଘୃଣା କରିଅଛ।
17 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିବେ। ସେହି ଦୁଃସମୟ ତୁମ୍ଭ ଲୋକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରମେଶ୍ୱର କ’ଣ କରିବେ? ସେ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆଣିବେ।
18 “ସେହି ସମୟରେ ସଦାପ୍ରଭୁ ‘ମକ୍ଷିକା’କୁ ଆହ୍ୱାନ ଦେବେ। ସେହି ମକ୍ଷିକା ମିଶରରେ ନଦୀ ନିକଟରେ ଅଛି। ବର୍ତ୍ତମାନ ‘ମଧୁମକ୍ଷିକା’ ଅଶୂର ଦେଶରେ ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ୟକୁ ଆସିବେ। 19 ସେହି ଶତ୍ରୁଗଣ ଗହ୍ୱରମାନଙ୍କର, ପର୍ବତର ଗୁମ୍ଫାମାନଙ୍କରେ କଣ୍ଟାବୁଦାମାନଙ୍କରେ ଓ ଚରାଭୂମି ମାନଙ୍କରେ ବାସ କରିବେ। 20 ସଦାପ୍ରଭୁ ଯିହୁଦାକୁ ଦଣ୍ଡ ଦେବାକୁ ଅଶୂରକୁ ବ୍ୟବହାର କରିବେ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ୟବହୃତ ହେବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ୱାରା ହେବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିବେ।
21 “ସେହି ସମୟରେ କେହି ଜଣେ ବ୍ୟକ୍ତି ଗୋଟିଏ ଗାଈ ଓ ଦୁଇ ଗୋଟି ମେଷ ପାଳିବେ। 22 ସେହି ଗାଈର ପ୍ରଚୁର ଦୁଗ୍ଧରେ ସେ ଦଧି ଖାଇବେ ଓ ସେ ଦେଶର ପ୍ରତ୍ୟେକ ଲୋକ ଦଧି ଓ ମଧୁ ଭକ୍ଷ୍ୟଣ କରିବେ। 23 ସେହି ଭୂମିରେ କ୍ଷେତମାନଙ୍କରେ ଏକ ହଜାର ଦ୍ରାକ୍ଷାଲତା ହେବ। ପ୍ରତ୍ୟେକ ଦ୍ରାକ୍ଷାଲତାର ମୂଲ୍ୟ 1000 ରୌପ୍ୟ ମୁଦ୍ରା ହେବ। ମାତ୍ର ସେହି କ୍ଷେତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣ ହେବ। 24 ସେହି ଭୂମି ବଣ ହୋଇଯିବ ଏବଂ ତାହା କେବଳ ଶିକାର ଯୋଗ୍ୟ ହେବ। 25 ଦିନ ଥିଲା ଲୋକମାନେ ସେଠାରେ କାର୍ଯ୍ୟରତ ରହୁଥିଲେ ଓ ପାହାଡ଼ ଉପରେ ଖାଦ୍ୟ ଉତ୍ପାଦନ କରୁଥିଲେ। ମାତ୍ର ସେଦିନ ଲୋକମାନେ ଆଉ ସେଠାକୁ ଯିବେ ନାହିଁ। ସେହି ସ୍ଥାନ ଅନାବନା ଘାସ ଓ କଣ୍ଟକରେ ପୂର୍ଣ୍ଣ ହେବ। କେବଳ ମେଣ୍ଢା ଓ ଗୋରୁପଲମାନଙ୍କର ସେ ଚରାଭୂଇଁ ହେବ।”
1 ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ,
ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।
ବିଶ୍ୱାସ ଓ ଜ୍ଞାନ
2 ମୋ’ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ ଏପରି ହେଲାବେଳେ ତୁମ୍ଭେମାନେ ଅଧିକ ଖୁସୀ ହେବା ଉଚିତ୍। 3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରିକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ। 4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।
5 କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା’ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ। 6 କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି। 7-8 ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ।
ପ୍ରକୃତ ଧନ
9 ଯଦି ଜଣେ ବିଶ୍ୱାସୀ ଗରିବ ହୋଇଥାଏ, ତେବେ ପରମେଶ୍ୱର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ୍। 10 ସେହିପରି ଜଣେ ଧନୀ ବିଶ୍ୱାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ୱର ତାହାକୁ ଦେଖାଇ ଦେଇଥିବାରୁ, ସେ ଗର୍ବ କରିବା ଉଚିତ୍। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିଯିବ। 11 ସୂର୍ଯ୍ୟ ଉଦୟ ହୋଇ ଅଧିକ ଉତ୍ତପ୍ତ କରେ। ସୂର୍ଯ୍ୟର ଉତ୍ତାପ ଗ୍ଭରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। ସେହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ୟ ଠିକ୍ ସେହିଭଳି। ସେ ତାହାର ବ୍ୟବସାୟ ଲାଗି ଯୋଜନା କରୁଥିବା ବେଳେ ମରିଯିବ।
ପରମେଶ୍ୱରଙ୍କଠାରୁ ପରୀକ୍ଷା ଆସେ ନାହିଁ
12 ଯେଉଁ ବ୍ୟକ୍ତି ପରୀକ୍ଷିତ ହୋଇ ଦୃଢ଼ ରହି ପାରେ, ସେ ଖୁସୀ ହେବା କଥା। କାରଣ, ସେ ତାହାର ବିଶ୍ୱାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ୱର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦେବେ। ପରମେଶ୍ୱରଙ୍କୁ ପ୍ରେମ କରୁଥିବା ସବୁ ଲୋକଙ୍କୁ ପରମେଶ୍ୱର ଏହି ପ୍ରତିଜ୍ଞା ଦେଇଛନ୍ତି। 13 ଯେତେବେଳେ ଜଣେ ବ୍ୟକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ୍ ନୁହେଁ ଯେ, “ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି।” କାରଣ ମନ୍ଦତା ପରମେଶ୍ୱରଙ୍କୁ ପରୀକ୍ଷା କରିପାରେ ନାହିଁ। ଏବଂ ପରମେଶ୍ୱର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। 14 ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁଁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରଖେ। 15 ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ୟୁକୁ ଜନ୍ମ ଦିଏ।
16 ମୋ’ ଭାଇ ଓ ଭଉଣୀମାନେ! ଏହି ବିଷୟରେ କୌଣସି ପ୍ରକାର ମୂର୍ଖାମୀରେ ପଡ଼ ନାହିଁ। 17 ପ୍ରତ୍ୟେକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ୱରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ୟୋତିଃର୍ଗଣ ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆସେ। ପରମେଶ୍ୱର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି। 18 ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।
ଶୁଣିବା ଓ ପାଳନ କରିବା
19 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ। 20 କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ। 21 ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରତ୍ୟେକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟରେ ବୁଣା ଯାଇଥିବା ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରି ପାରିବ।
22 ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ। 23 ଯଦି ଜଣେ ପରମେଶ୍ୱରଙ୍କ ଶିକ୍ଷାକୁ କେବଳ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣରେ ନିଜ ମୁହଁ ଦେଖିଲା ଭଳି ଅଟେ। 24 ସେ ଦର୍ପଣରେ ନିଜକୁ ଦେଖେ ଓ ଦୂରେଇ ଗ୍ଭଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା। 25 କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା’ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ।
ପରମେଶ୍ୱରଙ୍କୁ ଉପାସନା କରିବାର ପ୍ରକୃତ ମାର୍ଗ
26 ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା’ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ। 27 ପରମେଶ୍ୱର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା: ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ୱର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।
2010 by World Bible Translation Center