M’Cheyne Bible Reading Plan
ରୂପାର ତୂରୀସମୂହ
10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପାରେ ନିର୍ମିତ ହେବ। ତୁମ୍ଭେ ଲୋକମାନଙ୍କୁ ଏକତ୍ରିତ କରିବା ପାଇଁ ଓ ସେଗୁଡ଼ିକୁ ଯାତ୍ରାଆରମ୍ଭରେ ବ୍ୟବହାର କରିବ। 3 ସେମାନେ ଯେତେବେଳେ ଦୁଇଟି ତୂରୀ ବଜାଇବେ ସମସ୍ତ ଲୋକମାନେ ସମାଗମ-ତମ୍ବୁରେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍। 4 ଯଦି ସେମାନେ ଏକ ତୂରୀ ବଜାଇବେ ତେବେ ପରିବାରବର୍ଗର ଅଧିପତିମାନେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍।
5 “ଯଦି ତୁମ୍ଭେମାନେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ଯାତ୍ରା କରିବା ଉଚିତ୍। 6 ପୁଣି ତୁମ୍ଭେମାନେ ଦ୍ୱିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ଏହି କ୍ରମରେ ସେମାନେ ଲୋକମାନଙ୍କର ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ। 7 ଲୋକମାନଙ୍କୁ ଏକତ୍ରିତ କରିବା ସମୟରେ ତୁମ୍ଭେମାନେ ଲଗାତର ଅଧା ସ୍ୱର ନୁହଁ, ଦୀର୍ଘସ୍ୱର କରି ତୂରୀ ବଜାଇବ। 8 କେବଳ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହେବ।
9 “ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଯାଉଛ, ତୁମ୍ଭେମାନେ ତୂରୀରେ ରଣବାଦ୍ୟ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତ୍ରୁଗଣଠାରୁ ରକ୍ଷା କରିବେ। 10 ଆଉ ମଧ୍ୟ ତୁମ୍ଭମାନଙ୍କ ଆନନ୍ଦ ଦିନରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ୱରଙ୍କ ସମ୍ମୁଖରେ ସ୍ମରଣାର୍ଥେ କରାଯିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”
ଇସ୍ରାଏଲ ଲୋକମାନଙ୍କର ସେମାନଙ୍କର ଛାଉଣିକୁ ଯାତ୍ରା
11 ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ବିଂଶତମ ଦିନରେ ସେହି ମେଘ ସାକ୍ଷ୍ୟରୂପ ପବିତ୍ର ତମ୍ବୁ ଉପରୁ ନିଆଗଲା। 12 ତହୁଁ ଇସ୍ରାଏଲର ଲୋକମାନେ ସୀନୟ ମରୁଭୂମିରୁ ଯାତ୍ରା ଆରମ୍ଭ କଲେ, ପୁଣି ସେହି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା। 13 ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।
14 ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ୱଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କର ଅଧିନାୟକ ଥିଲେ। 15 ଆଉ ସୂୟାରର ପୁତ୍ର ନଥନେଲ ଇଷାଖର ଗୋଷ୍ଠୀର ସେନାଧ୍ୟକ୍ଷ ଥିଲେ। 16 ତା’ପରେ ସବୂଲୂନ ସନ୍ତାନଗଣର ବଂଶ ଯାତ୍ରାକଲେ ଓ ହେଲୋନ୍ର ପୁତ୍ର ଇଲୀୟାବ୍ ତାଙ୍କର ଅଧ୍ୟକ୍ଷ ଥିଲେ।
17 ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ।
18 ତା’ପରେ ରୁବେନ୍ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ପୁଣି ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କର ଅଧିନାୟକ ଥିଲେ। 19 ତା’ପରେ ଆସିଲେ ଶିମିୟୋନ ସନ୍ତାନଗଣର ବଂଶ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ସେମାନଙ୍କର ଅଧିନାୟକ ଥିଲେ। 20 ତା’ପରେ ଗାଦ୍ର ଗୋଷ୍ଠୀ ଆସିଲେ ଓ ଦ୍ୟୂୟେଲର ପୁତ୍ର ଇଲୀୟାସଫ୍ ସେମାନଙ୍କର ଅଧିନାୟକ ଥିଲେ। 21 ତା’ପରେ କହାତୀୟଙ୍କ ପରିବାର ପବିତ୍ର ସ୍ଥାନର ଭାର ବହନକରି ସେହି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀୟ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।
22 ଏଥିଉତ୍ତାରେ ଇଫ୍ରୟିମ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟର ଅଧିନାୟକ ଥିଲେ। 23 ତା’ପରେ ଆସିଲେ ମନଃଶି ଲୋକମାନଙ୍କର ବଂଶ ଓ ସେମାନଙ୍କର ଅଧିନାୟକ ଥିଲେ ପଦାହସୂରର ପୁତ୍ର ଗମଲିୟେଲ। 24 ତତ୍ପରେ ବିନ୍ୟାମୀନ ଗୋଷ୍ଠୀ ଆସିଲେ ଓ ଗିଦିୟୋନିର ପୁତ୍ର ଅବୀଦାନ ସେମାନଙ୍କର ଅଧିନାୟକ ଥିଲେ।
25 ଦାନ ଗୋଷ୍ଠୀର ବିଭାଗର ଧ୍ୱଜା ପରେ ଗ୍ଭଳିତ ହେଲା। ସେମାନେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷ ସେମାନଙ୍କର ଅଧିନାୟକ ଥିଲେ। 26 ତା’ପରେ ଆସିଲେ ଆଶେର ଲୋକମାନଙ୍କର ବଂଶ ଓ ଅକ୍ରଣର ପୁତ୍ର ପଗୀୟେଲ ତାଙ୍କର ସେନାଧ୍ୟକ୍ଷ ଥିଲେ। 27 ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସେମାନଙ୍କର ଅଗ୍ରଭାଗରେ ଥିଲେ। 28 ଏହି କ୍ରମରେ ଇସ୍ରାଏଲ ଲୋକମାନଙ୍କର ଯାତ୍ରା ସେମାନଙ୍କର ବର୍ଗ ଅନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ।
29 ତା’ପରେ ମୋଶା ଆପଣା ଶ୍ୱଶୁର ମିଦିୟନୀୟ ରୂୟେଲର ପୁତ୍ର ହୋବବକୁ କହିଲେ, “ଆମ୍ଭେମାନେ ସେହି ସ୍ଥାନକୁ ଯାଉଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦେବେ, ଆମ୍ଭମାନଙ୍କ ସାଙ୍ଗରେ ଆସ। ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା। କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।”
30 କିନ୍ତୁ ହୋବବ କହିଲା, “ମୁଁ ତୁମ୍ଭମାନଙ୍କ ସହିତ ଯାଉ ନାହିଁ। ମୁଁ ମୋର ନିଜ ଦେଶକୁ ଓ ଆପଣା ଲୋକମାନଙ୍କ ନିକଟକୁ ଫେରିଯିବି।”
31 ତା’ପରେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ଼ ନାହିଁ, ମରୁଭୂମି ମଧ୍ୟରେ ଆମ୍ଭର ଛାଉଣି ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହେବ। 32 ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ଯିବ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ଉତ୍ତମ ଜିନିଷ ଦେବେ, ତାହା ଆମ୍ଭେମାନେ ତୁମ୍ଭ ସହିତ ବାଣ୍ଟ କରିବୁ।”
33 ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା। 34 ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସେମାନଙ୍କୁ ବାଟ କଢ଼ାଇଲେ, ଯେତେବେଳେ ସେମାନେ ସେମାନଙ୍କର ଛାଉଣିରୁ ଯାତ୍ରାରମ୍ଭ କଲେ।
35 ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହେବା ବେଳେ ମୋଶା କହନ୍ତି,
“ସଦାପ୍ରଭୁ ଉଠ,
ପୁଣି ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହୁଅନ୍ତୁ,
ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ।”
36 ଆଉ ପବିତ୍ର ସିନ୍ଦୁକ ଅଟକି ଗଲାବେଳେ ମୋଶା କହନ୍ତି,
“ହେ ସଦାପ୍ରଭୁ ତୁମ୍ଭେ ଇସ୍ରାଏଲର
ହଜାର ହଜାର ଲୋକଙ୍କ ପ୍ରତି ଫେର।”
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।
47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
3 ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4 ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ।
5 ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
6 ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
ତାଙ୍କର ମହିମା ଗାନ କର।
7 ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
ତେଣୁ ତାଙ୍କର ମହିମା ଗାନ କର।
8 ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
9 ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।
8 ଯଦି ତୁମ୍ଭେ ଏକ ପିଲା ହୋଇଥା’ନ୍ତ, ମୋର ଛୋଟ ଭାଇପରି ଯେ କି ମୋ’ ମା’ର କ୍ଷୀର ଖାଉଛି
ଏବଂ ଯଦି ମୁଁ ତୁମ୍ଭକୁ ବାହାରେ ଦେଖେ
ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ
କେହି ମୋତେ ଖରାପ ଭାବିବେ ନାହିଁ।
2 ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ନେଇଯା’ନ୍ତି।
ସେ ମୋତେ ଶିକ୍ଷା ଦିଅନ୍ତେ।
ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ,
ମୋହର ଡାଳିମ୍ବ ରସ ପାନ କରାନ୍ତି।
ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ
3 ତାହାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ରହିବ
ଓ ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରିବ।
4 ହେ ଯିରୁଶାଲମର ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, [a] ମୋ’ ନିକଟରେ ଶପଥ କର ଯେ,
ଉଚିତ୍ ସମୟ ନ ହେବା ପର୍ଯ୍ୟନ୍ତ
ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।
ଯିରୁଶାଲମର ସ୍ତ୍ରୀଲୋକମାନେ କହିଲେ
5 ଆପଣାର ପ୍ରେମିକର ଉପରେ ଆଉଜି ପଡ଼ି
ପ୍ରାନ୍ତରରୁ ଯିଏ ଆସୁଅଛି ସେ କିଏ?
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ
ନାରଙ୍ଗ ବୃକ୍ଷତଳେ ମୁଁ ତୁମ୍ଭକୁ ଜଗାଇଲି।
ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ।
ସେଠାରେ ସେ ପ୍ରସବ ବେଦନା ଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
6 ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ,
ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର।
କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ।
ହୃଦୟର ଦହନ କବର ପରି ଦୃଢ଼ ଅଟେ।
ଏହାର ଶିଖା ଏକ ଜଳନ୍ତା ନିଆଁ ପରି
ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ।
7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ।
କିଅବା ବନ୍ୟା ତାହା ବୁଡ଼ାଇ ନ ପାରେ।
ଯେବେ କେହି ଆପଣାର ସର୍ବସ୍ୱ ବଦଳରେ ପ୍ରେମ କିଣିବା ପାଇଁ ଚେଷ୍ଟା କରେ,
ତେବେ ସେ ଲୋକ ସମସ୍ତଙ୍କ ଦ୍ୱାରା ତୁଚ୍ଛୀକୃତ ହେବ।
ତାଙ୍କର (ସ୍ତ୍ରୀ) ଭାଇମାନଙ୍କ କଥା
8 ଆମ୍ଭମାନଙ୍କର ଗୋଟିଏ ସାନ ଭଉଣୀ ଅଛି।
ଏପର୍ଯ୍ୟନ୍ତ ତା’ର ସ୍ତନ ବୃଦ୍ଧି ହୋଇ ନାହିଁ।
ଯଦି ଜଣେ ଲୋକ ଆସେ ଏବଂ ତାକୁ ବିବାହ କରିବାକୁ ପଗ୍ଭରେ,
ତେବେ ଆମ୍ଭେମାନେ କ’ଣ କରିବା?
9 ଯେବେ ସେ ପ୍ରାଚୀର ସ୍ୱରୂପା ହୁଏ।
ତେବେ ଆମ୍ଭେମାନେ ତାକୁ ରୂପା ଗହଣାରେ ଢାଙ୍କି ଦେବୁ।
ଯଦି ସେ ଏକ ଦ୍ୱାର ପରି ହୁଏ,
ତେବେ ଆମ୍ଭେମାନେ ତାକୁ ଏରସ ପଟାରେ ଆବରଣ କରିଦେବୁ।
ସେ (ସ୍ତ୍ରୀ) ତା’ର ଭାଇମାନଙ୍କୁ ଉତ୍ତର ଦେଲେ
10 ମୁଁ ପ୍ରାଚୀର ସ୍ୱରୂପା
ଓ ମୋହର ସ୍ତନ ତହିଁରେ ଦୁର୍ଗସ୍ୱରୂପ।
ସେହି ସମୟରେ ସେ ମୋତେ ଜଣକ ପରି ବିବେଚନା କଲା, ଯିଏ ତୃପ୍ତି ଆଣେ।
ସେ (ପୁ) କହିଲେ
11 ବାଲ୍-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା।
ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତରେ ନ୍ୟସ୍ତ କଲେ।
ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ
1000 ରୂପାମୁଦ୍ରା ଦେବାକୁ ପଡ଼ିଲା।
12 ମୋହର ଦ୍ରାକ୍ଷାକ୍ଷେତ୍ର ମୋର ନିଜର।
ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ
ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରୌପ୍ୟ ମୁଦ୍ରା ପାଇବେ।
ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ
13 ହେ ଉପବନ ବାସିନୀ,
ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି।
ତୁମ୍ଭ ସ୍ୱର ମୋତେ ମଧ୍ୟ ଶୁଣିବାକୁ ଦିଅ।
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ
14 ହେ ମୋର ପ୍ରିୟତମ, ଚଞ୍ଚଳ ହୁଅ।
ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ୟ ହୁଅ।
ଯୀଶୁ ଆମ୍ଭର ମହାଯାଜକ
8 ଆମ୍ଭେ ଯାହାକିଛି କହୁଛୁ, ତା’ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି। 2 ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନ [a]ରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି।
3 ପରମେଶ୍ୱରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରତ୍ୟେକ ମହାଯାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାଯାଜକ ମଧ୍ୟ ପରମେଶ୍ୱରଙ୍କୁ କିଛି ଉତ୍ସର୍ଗ କରିବା କଥା। 4 ଯଦି ଆମ୍ଭର ମହାଯାଜକ ପୃଥିବୀରେ ଏବେ ଜୀବିତ ଥାଆନ୍ତେ, ତା’ହେଲେ ସେ ଯାଜକ ହୋଇ ପାରି ନ ଥା’ନ୍ତେ। ମୋର କହିବାର କାରଣ ବ୍ୟବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି। 5 ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ [b] ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।” [c] 6 କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହୋଇଛି ତାହା ସେହି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକାରେ, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
7 ଯଦି ପ୍ରଥମ ନିୟମରେ କୌଣସି ଦୋଷ ନ ଥା’ନ୍ତା ତା’ହେଲେ ସେଠାରେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥା’ନ୍ତା। 8 କିନ୍ତୁ ପରମେଶ୍ୱର ଲୋକମାନଙ୍କଠାରେ ତୃଟି ଦେଖିଲେ। ପରମେଶ୍ୱର କହିଲେ:
“ପ୍ରଭୁ କହନ୍ତି, ସମୟ ଆସୁଛି,
ଯେତେବେଳେ ମୁଁ ଇସ୍ରାଏଲ ଲୋକମାନଙ୍କ ଓ ଯିହୂଦୀୟ ଲୋକମାନଙ୍କ ସହିତ ନୂତନ ଚୁକ୍ତି କରିବି।
9 ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ
ସେ ଅନୁସାରେ ହେବ ନାହିଁ।
ସେହି ନିୟମ ମୁଁ ସେମାନଙ୍କର ହାତ ଧରିଲା ବେଳେ
ଓ ମିଶର ଦେଶରୁ ଆଣିଥିଲାବେଳେ କରିଥିଲି।
ପ୍ରଭୁ କୁହନ୍ତି: ମୁଁ ଦେଇଥିବା ଚୁକ୍ତି ସେମାନେ ପାଳନ କରିବା ବନ୍ଦ କରିଦେଲେ,
ଓ ମୁଁ ନିଜକୁ ସେମାନଙ୍କଠାରୁ ଦୂରେଇ ଆଣିଲି।
10 ଏହି ନୂତନ ନିୟମଟି ମୁଁ ଇସ୍ରାଏଲର ଲୋକଙ୍କ ସହତ କରିବି,
ଏହି ନିୟମଟି ମୁଁ ଭବିଷ୍ୟତରେ କରିବି ପ୍ରଭୁ କୁହନ୍ତି:
ମୁଁ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବି
ସେମାନଙ୍କ ହୃଦୟରେ ସେହିସବୁ ଲେଖିବି।
ମୁଁ ସେମାନଙ୍କ ପରମେଶ୍ୱର ହେବି,
ଓ ସେମାନେ ମୋର ଲୋକ ହେବେ।
11 ଏହା ପରେ ପୁନର୍ବାର କେହି ନିଜ ଭାଇ ବା ପରମେଶ୍ୱରଙ୍କ ଅନ୍ୟଲୋକମାନଙ୍କୁ ଶିକ୍ଷା ଦେବେ ନାହିଁ
କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍ତେ କିଛି କହିବା ଆବଶ୍ୟକ ହେବ ନାହିଁ, କାହିଁକି?
କାରଣ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ମୋତେ ଜାଣିବେ।
12 ଓ ମୋ’ ବିରୁଦ୍ଧରେ କରିଥିବା ଦୋଷ ସବୁ ମୁଁ କ୍ଷମା କରିଦେବି,
ଏବଂ ମୁଁ ସେମାନଙ୍କ ପାପଗୁଡ଼ିକୁ ଆଉ ଅଧିକ ମନେ ରଖିବି ନାହିଁ।” (A)
13 ପରମେଶ୍ୱର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହୋଇଯାଇଛି, ତାହା ଅତିଶୀଘ୍ର ଲୋପ ପାଇଯିବ।
2010 by World Bible Translation Center