M’Cheyne Bible Reading Plan
ଭିନ୍ନ ଭିନ୍ନ ଅଜାଣତ ପାପ
5 “ଯଦି କୌଣସି ବ୍ୟକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତେବେ ସେ ପାପ କରେ ଓ ଅପରାଧୀ ହୁଏ।
2 “କିମ୍ବା ଯଦି କୌଣସି ବ୍ୟକ୍ତି କିଛି ଅଶୁଚି ଦ୍ରବ୍ୟ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦି ଶବ କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତରେ କରିଥାଏ ତଥାପି ସେ ଅପରାଧୀ ହେବ।
3 “ଆହୁରି ଅନେକ ଜିନିଷ ଅଛି ଯାହାକି ମନୁଷ୍ୟକୁ ଅଶୁଚି କରେ। ଯଦି କେହି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତରେ କରିଥାଏ, ତେବେ ସେ ଯେତେବେଳେ ଜାଣେ ସେ ଦୋଷୀ ହେବ।
4 “କିମ୍ବା କେହି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବାଗ୍ଭଳତା ପୂର୍ବକ ଶପଥ କରେ ଏବଂ ସେ ଶପଥ ବିଷୟରେ ଭୂଲିଯାଏ, ସେ ଦୋଷୀ ବୋଲି ବିବେଚିତ ହେବ, ଯେତେବେଳେ ସେ ମନେ ପକାଇବ କାରଣ ସେ ତା’ର ଶପଥ ରକ୍ଷା କରି ପାରିଲା ନାହିଁ। 5 ତେଣୁ ଯଦି କେହି ଏହି ବିଷୟଗୁଡ଼ିକ ମଧ୍ୟରୁ କୌଣସି ଗୋଟିକରେ ଦୋଷୀ ହୁଏ, ତେବେ ସେ ନିଜର ସେ ପାପକର୍ମ ସ୍ୱୀକାର କରିବ। 6 ତହୁଁ ସେ ତା’ର କୃତ ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛେଳିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା’ପରେ ଯାଜକ ତା’ର କୃତ ପାପର ପ୍ରାୟଶ୍ଚିତ କରାଇବ।
7 “ଯଦି ସେ ମେଷ ଶାବକ ଦେବାକୁ ଅକ୍ଷମ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 8 ପୁଣି ସେ ସେଗୁଡ଼ିକୁ ଯାଜକ ନିକଟକୁ ଆଣିବ। ଯାଜକ ପ୍ରଥମେ ପାପାର୍ଥକ ନୈବେଦ୍ୟ ଉତ୍ସର୍ଗ କରି, ତା’ର ବେକରୁ ମୁଣ୍ଡ ମୋଡ଼ିବ ମାତ୍ର ତାକୁ ଦୁଇଭାଗ କରିବ ନାହିଁ। 9 ତା’ପରେ ସେ ଏହି ରକ୍ତରୁ କିଛି ନେଇ ଯଜ୍ଞବେଦି ପାଖରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନେଇ ଯଜ୍ଞବେଦି ମୂଳରେ ଢାଳିବ। ଏହା ପାପରୁ ମୁକ୍ତ ହେବା ପାଇଁ ଏକ ନୈବେଦ୍ୟ ବୋଲି ବିବେଚନା କରାଯିବ। 10 ତା’ପରେ ଯାଜକ ବିଧି ଅନୁସାରେ ଦ୍ୱିତୀୟ ପକ୍ଷୀକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା’ର କୃତ ପାପ ନିମନ୍ତେ ଯାଜକ ଦ୍ୱାରା ପ୍ରାୟଶ୍ଚିତ ପ୍ରାପ୍ତ ହେବ ଏବଂ ପରମେଶ୍ୱର ତାକୁ କ୍ଷମା କରିବେ।
11 “ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତେବେ ସେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥିରେ ତୈଳ ଦେବା ଉଚିତ୍ ନୁହେଁ କି ସୁଗନ୍ଧି ଦେବା ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନୈବେଦ୍ୟ । 12 ସେ ଯାଜକ ନିକଟକୁ ତାହା ଆଣିବ ଓ ଯାଜକ ସେଥିରୁ ସ୍ମରଣାର୍ଥକ ନୈବେଦ୍ୟ ରୂପେ ମୁଠାଏ ନେଇ ଯଜ୍ଞବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ନୈବେଦ୍ୟ ଉପରେ ଦଗ୍ଧ କରିବ। ପାପରୁ ମୁକ୍ତ ହେବା ପାଇଁ ଏହା ପାପାର୍ଥକ ବଳି। 13 ଏହିରୂପେ ଯାଜକ ନିଜକୁ ପ୍ରାୟଶ୍ଚିତ କରିବ, ଏହି ପାପଗୁଡ଼ିକର କୌଣସି ବିଷୟ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦେବେ। ଅବଶିଷ୍ଟ ନୈବେଦ୍ୟ ଶସ୍ୟ ନୈବେଦ୍ୟ ପରି ଯାଜକର ହେବ।”
14 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 15 “କେହି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଅଜାଣତରେ ପାପ କରେ, ସେ ତା’ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନ ଥିବା ଏକ ମେଷଛୁଆ ଆଣି ସଦାପ୍ରଭୁଙ୍କୁ ତା’ର ପାଇଁ କ୍ଷତି ପୂରଣ ଦେବା ଉଚିତ୍। ସେହି ମେଷ ଛୂଆର ମୂଲ୍ୟ କାର୍ଯ୍ୟାଳୟ ମାପ ଅନୁଯାୟୀ ନିରୂପିତ ହେବା ଉଚିତ୍। 16 ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେଉଁ ପାପ କରିଅଛି ତାହା ପରିଶୋଧ କରିବ। ଏହା ବ୍ୟତୀତ ଏକ ପଞ୍ଚମାଂଶ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ନୈବେଦ୍ୟ ଦ୍ୱାରା ତା’ ପାଇଁ ପ୍ରାୟଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହେବ।
17 “ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥା’ନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ୟରୁ କୌଣସି କର୍ମ କରି ପାପ କରେ। ଯଦ୍ୟପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା’ର ଅପରାଧ ବହନ କରିବ। 18 ସେହି ବ୍ୟକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତରେ କରିଛି ସେଥିପାଇଁ ଯାଜକ ପ୍ରାୟଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହେବ। 19 ଏପରିକି ଯେଉଁ ପ୍ରାଣୀ ପାପ କରିଛି ଓ ସେ ଜାଣି ନାହିଁ ତଥାପି ସେ ଦୋଷୀ, ତେଣୁ ସେ ସଦାପ୍ରଭୁଙ୍କ ଛାମୁରେ ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ।”
ଏହା ହେଉଛି ଦାଉଦଙ୍କର ନିଜ ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।
3 “ହେ ସଦାପ୍ରଭୁ, ମୋର ବହୁତ ଶତ୍ରୁ ଅଛନ୍ତି।
ବହୁତ ଲୋକ ମୋ’ ବିରୁଦ୍ଧରେ ଲାଗିଛନ୍ତି।
2 ବହୁତ ଲୋକ ମୋ’ ବିରୁଦ୍ଧରେ କଥା ହେଉଛନ୍ତି।
ସେହି ଲୋକମାନେ କହୁଛନ୍ତି, “ପରମେଶ୍ୱର ତାକୁ ରକ୍ଷା କରି ପାରିବେ ନାହିଁ।”
3 କିନ୍ତୁ ହେ ସଦାପ୍ରଭୁ,
ଏହା କେବଳ ତୁମ୍ଭେ ଯିଏକି ମୋର ଢାଲ ସ୍ୱରୂପ।
ତୁମ୍ଭେ ମୋର ମହିମା।
ତୁମ୍ଭେ ହିଁ ମୋତେ ପ୍ରାଧାନ୍ୟ ଦେଇଛ।
4 ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି
ଏବଂ ସେ ତାହଙ୍କର ପବିତ୍ର ପର୍ବତରୁ ମୋତେ ଉତ୍ତର ଦେବେ।
5 ମୁଁ ଶୋଇଲି ଓ ବିଶ୍ରାମ ନେଲି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହେବି,
କାରଣ ସଦାପ୍ରଭୁ ମୋତେ ସର୍ବଦା ରକ୍ଷା କରନ୍ତି।
6 ହଜାର ହଜାର ସୈନ୍ୟମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଲେ ସୁଦ୍ଧା
ମୁଁ ସେହି ଶତ୍ରୁମାନଙ୍କୁ କେବେ ଭୟ କରିବି ନାହିଁ।
7 ହେ ସଦାପ୍ରଭୁ, ତୁମ୍ଭେ ଉଠ!
ହେ ପରମେଶ୍ୱର ତୁମ୍ଭେ ଆସ ଓ ମୋତେ ରକ୍ଷା କର।
ତୁମ୍ଭେ ଅତି ବଳଶାଳୀ ଅଟ।
ଯଦି ତୁମ୍ଭେ ମୋର ଶତ୍ରୁମାନଙ୍କ ଗାଲରେ ମାରିଥା’ନ୍ତ,
ତୁମ୍ଭେ ସେହି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦେଇଥା’ନ୍ତ।
8 ହେ ସଦାପ୍ରଭୁ ଶେଷରେ ତୁମ୍ଭର ହିଁ ବିଜୟ ହେବ।
ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।
ତାରଯୁକ୍ତ ବାଦ୍ୟଯନ୍ତ୍ର ଦ୍ୱାରା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
4 ହେ ମୋର ଧର୍ମସ୍ୱରୂପ ପରମେଶ୍ୱର,
ମୋତେ ଉତ୍ତର ଦିଅ।
ମୁଁ ଯେତେବେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମୋର ଗୁହାରି ଶୁଣ।
ମୋ’ ପ୍ରତି ସଦୟ ହୁଅ।
ମୋତେ ମୋର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।
2 ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ?
ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ?
କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ?
3 ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ୟକ୍ତିମାନଙ୍କ କଥା ଶୁଣନ୍ତି।
ତେଣୁ ସେ ମୋ’ କଥା ମଧ୍ୟ ଶୁଣନ୍ତି, ମୁଁ ଯେତେବେଳେ ତାଙ୍କୁ ପ୍ରାର୍ଥନା କରେ।
4 ଯଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି,
ତୁମ୍ଭେ ବିଛଣାକୁ ଶୋଇବାକୁ ଯିବା ପୂର୍ବରୁ ସେହି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର।
5 ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧର୍ମ ବଳିଦାନ ଉତ୍ସର୍ଗ କର।
6 ଅନେକ ଲୋକ କହନ୍ତି, “କିଏ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉତ୍ତମତା ଦେଖାଇ ପାରିବ?
ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତେଜ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦେଖାଅ।”
7 ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ।
ମୁଁ ବର୍ତ୍ତମାନ ବହୁତ ଖୁସୀ।
ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ,
ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।
8 ମୁଁ ବିଛଣାରେ ଶାନ୍ତିରେ ଶୟନ କରେ,
କାରଣ ହେ ସଦାପ୍ରଭୁ ତୁମ୍ଭେ ମୋତେ ରକ୍ଷାକରି ନିରାପଦରେ ଶୋଇବାକୁ ସୁଯୋଗ ଦେଇଛ।
20 ଦ୍ରାକ୍ଷାରସ ଓ ମଦ୍ୟ, ଲୋକମାନଙ୍କୁ ନିୟନ୍ତ୍ରଣ କରି ବାହାରକୁ ନେଇଯାଏ। ଯେକେହି ସେଥିରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହୋଇ ପାରିବ ନାହିଁ।
2 ରାଜାଙ୍କର ରାଗ ସିଂହର ଗର୍ଜନ ପରି, ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ନିଜେ ତା’ର ଜୀବନ ପ୍ରତି ବିପଦ ଆଣେ।
3 ଯେକୌଣସି ନିର୍ବୋଧ ସର୍ବଦା ଯୁକ୍ତି କରେ। ତେଣୁ ତୁମ୍ଭେ ସର୍ବଦା ସେହି ଲୋକକୁ ସମ୍ମାନ କର ଯେ ଯୁକ୍ତି କରିବାକୁ ବାରଣ କରେ।
4 ଜଣେ ଅଳସୁଆ ତା’ର ଅଳସୁଆପଣ ଯୋଗୁଁ ଶସ୍ୟ ବୁଣେ ନାହିଁ। କିନ୍ତୁ ଫସଲ କଟା ସମୟରେ ସେ ଫସଲ ଖୋଜିଲେ ପାଏ ନାହିଁ।
5 ମନୁଷ୍ୟ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସେହି ଗଭୀର ଜଳକୁ କାଢ଼ି ପାରିବ।
6 ବହୁତ ଲୋକମାନଙ୍କ ମଧ୍ୟରେ ଜଣେ ପ୍ରଭୁଭକ୍ତ ଖୋଜ, କିନ୍ତୁ କିଏ ଖୋଜି ପାରିବ ଜଣେ ଲୋକ ଯିଏ କି ପ୍ରକୃତରେ ବିଶ୍ୱାସନୀୟ।
7 ଯେଉଁ ଧାର୍ମିକ ଲୋକ ସରଳତାରେ ବାସ କରେ, ତା’ ଉତ୍ତାରେ ତା’ର ପୁତ୍ରଗଣ, ସନ୍ତାନଗଣ ଧନ୍ୟ ହୁଅନ୍ତି।
8 ଯେଉଁ ରାଜା ବିଗ୍ଭର ସ୍ଥାନରେ ବସେ, ସେ ନିଜର ସ୍ୱଚକ୍ଷୁରେ ଅସତ୍ୟ ବିଷୟସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।
9 “ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ,” ଏହା କେହି କହିପାରିବେ ନାହିଁ।
10 ନାନା ପ୍ରକାର ମାପ ଓଜନରେ ଯେଉଁମାନେ ଠକନ୍ତି, ସେମାନେ ସଦାପ୍ରଭୁଙ୍କଠାରେ ଘୃଣିତ।
11 ଏପରିକି ଜଣେ ଛୋଟ ପିଲା କରୁଥିବା କର୍ମରୁ ଜଣାଯାଏ, ଯଦିବା ସେ ଯାହା କରେ ତାହା ନିର୍ମଳ ଏବଂ ସରଳ।
12 କାନରେ ଶୁଣିବା ଆଖିରେ ଦେଖିବା ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଛନ୍ତି।
13 ନିଦ୍ରାକୁ ଭଲ ପାଅ ନାହିଁ। ନ ହେଲେ ତୁମ୍ଭେ ଦରିଦ୍ର ହେବ। ତୁମ୍ଭେ କର୍ମଦକ୍ଷ ହୁଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ।
14 କିଣିବା ଲୋକ କହେ, “ଭଲ ନୁହେଁ, ଭଲ ନୁହେଁ, ଏହାର ମୂଲ୍ୟ ବହୁତ ଅଧିକ।” ମାତ୍ର ଆପଣା ବାଟରେ ଗଲାବେଳେ ଦର୍ପ କରେ।
15 ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁ ଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ୟବାନ୍ ଅଟେ।
16 ଅପରିଚିତ ଲୋକ ପାଇଁ ଯେ ଲଗାହୁଏ, ତାହାର ବସ୍ତ୍ର ନିଅ। ପୁଣି ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ।
17 ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଠା ଲାଗେ। ମାତ୍ର ପଛରେ ତା’ର ପାଟି ଗୋଡ଼ିରେ ପୂର୍ଣ୍ଣ ହେବ।
18 ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହେବ। ମାତ୍ର ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଯାଅ ଭଲ ପରାମର୍ଶ ଗ୍ରହଣ କର।
19 ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା’ ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ, ଯେ ଗପିବାକୁ ଭଲ ପାଏ।
20 ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘୋର ଅନ୍ଧକାରରେ ତା’ର ପ୍ରଦୀପ ଲିଭିଯିବ।
21 ଧନ ସମ୍ପତ୍ତି ହଠାତ୍ ମିଳିପାରେ ଓ ସହଜରେ ଲାଭ ହୁଏ, ପୁଣି ଶେଷରେ ଆଶୀର୍ବାଦଯୁକ୍ତ ହେବ ନାହିଁ।
22 “ମୁଁ ତାଙ୍କୁ ଫେରାଇ ଦେବି ଏହିପରି ଚିନ୍ତା କର ନାହିଁ,” ଯଦି କେହି କିଛି ତୁମ୍ଭ ବିରୁଦ୍ଧରେ କରେ, ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କର, ସେ ତୁମ୍ଭକୁ ଉଦ୍ଧାର କରିବେ।
23 ଲୋକମାନଙ୍କୁ ଓଜନ ଓ ମାପରେ ଠକି ସଦାପ୍ରଭୁଙ୍କ ଘୃଣାର ବିଷୟ, ଅର୍ଥାତ ଦଣ୍ଡିରେ ଠକିବା ନିତାନ୍ତ ଖରାପ।
24 ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ, ତେଣୁ ମନୁଷ୍ୟ ଆପଣା ବାଟ ଠିକ୍ ରୂପେ ବୁଝିପାରେ ନାହିଁ।
25 ବିନା ଚିନ୍ତା କରି ପ୍ରତିଜ୍ଞା କଲେ ଏହା ଭୟଜନକ ଅଟେ, ମୁଁ ଏହି ଉପହାର ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି। ଏବଂ ତା’ପରେ ସେହି ପ୍ରତିଜ୍ଞା ପୁନଃବିଗ୍ଭର କରାଯାଏ।
26 ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ଅଲଗା କରେ, ଶସ୍ୟରୁ ଅଗାଡ଼ି ଅଲଗା କଲାପରି ତା’ ଉପରେ ସେ ଚକ୍ର ବୁଲାଏ।
27 ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କ ପାଇଁ ପ୍ରଦୀପପରି ଏହା ଆତ୍ମାର ସମସ୍ତ ଅନ୍ତରାଳ ବିଷୟ ପରିପ୍ରକାଶ କରେ।
28 ଦୟା ଓ ସତ୍ୟତା ରାଜାଙ୍କୁ ରକ୍ଷା କରେ। ପୁଣି ଦୟାଦ୍ୱାରା ତାହାର ସିଂହାସନ ସ୍ଥିର ହୁଏ।
29 ଯୁବକମାନଙ୍କ ବଳ ସେମାନଙ୍କର ଭୂଷଣ। ବୃଦ୍ଧମାନଙ୍କର ପକ୍ୱ କେଶ ସେମାନଙ୍କର ଶୋଭା।
30 ଅସତ ମାର୍ଗ କ୍ଷତିଜନକ ପ୍ରହାରରେ ପରିଷ୍କାର କରେ, ଆଘାତ ନିଜ ଅନ୍ତରାଳୟକୁ ପ୍ରଭାବିତ କରେ।
ଯୀଶୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ
3 ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଜୀବିତ ହୋଇଛ। ଅତଏବ ସ୍ୱର୍ଗରେ ଥିବା ବିଷୟ ଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠାରେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ଡାହାଣରେ ବସିଛନ୍ତି। 2 ସବୁବେଳେ ସେହି ସ୍ୱର୍ଗର ବିଷୟ ଗୁଡ଼ିକ ଅନ୍ୱେଷଣ କର, ମର୍ତ୍ତ୍ୟର ବିଷୟ ଗୁଡ଼ିକ ପାଇଁ ନୁହେଁ। 3 ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ୱଭାବର ମୃତ୍ୟୁ ହୋଇଯାଇଛି ଓ ପରମେଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି। 4 ଖ୍ରୀଷ୍ଟ ହେଉଛନ୍ତି ତୁମ୍ଭମାନଙ୍କର ଜୀବନ। ତେଣୁ ଯେତେବେଳେ ସେ ଆଉ ଥରେ ଆସିବେ, ତାହାଙ୍କ ମହିମାରେ ତୁମ୍ଭେମାନେ ଅଂଶ ପାଇବ।
5 ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି। 6 ଏହି ବିଷୟ ଗୁଡ଼ିକ ପରମେଶ୍ୱରଙ୍କୁ କ୍ରୋଧିତ କରେ। 7 ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନରେ ମଧ୍ୟ ତୁମ୍ଭେମାନେ ଏହି କାମଗୁଡ଼ିକ କରିଥିଲ।
8 କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା। 9 ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ। 10 ତୁମ୍ଭେମାନେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନରେ ତୁମ୍ଭେମାନେ ନୂଆ ହେଉଅଛ। ତୁମ୍ଭେମାନେ ତୁମ୍ଭମାନଙ୍କର ସେହି ସୃଷ୍ଟିକର୍ତ୍ତାଙ୍କ ଭଳି ହୋଇଯାଉଛ। ଏହି ନୂତନ ଜୀବନ ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ। 11 ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।
ଅନ୍ୟ ଲୋକଙ୍କ ସହିତ ତୁମ୍ଭର ନୂତନ ଜୀବନ
12 ପରମେଶ୍ୱର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ଅତଏବ ତୁମ୍ଭେମାନେ ସର୍ବଦା ନିମ୍ନୋକ୍ତ କାର୍ଯ୍ୟମାନ କର: ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ଧୈର୍ଯ୍ୟବାନ ହୁଅ। 13 ପରସ୍ପର ପ୍ରତି କ୍ରୋଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ୍ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭେମାନେ ମଧ୍ୟ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ। 14 ଏହିସବୁ କର, କିନ୍ତୁ ସବୁଠାରୁ ମୁଖ୍ୟ ବିଷୟ ହେଲା, ପରସ୍ପରକୁ ପ୍ରେମ କରିବା। ପ୍ରେମ ତୁମ୍ଭମାନଙ୍କୁ ଏକତାରେ ଏକାଠି ବାନ୍ଧି ରଖେ। 15 ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଗ୍ଭରକୁ ସଂଯମ କରିବ। ତୁମ୍ଭେମାନେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀରରେ ଡକା ହୋଇଛ। ସବୁବେଳେ ଧନ୍ୟବାଦୀ ରୁହ।
16 ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ। 17 ତୁମ୍ଭେମାନେ ଯାହା କହୁଛ, ଯାହାକିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ଯ୍ୟ ମଧ୍ୟରେ ପରମପିତା ପରମେଶ୍ୱରଙ୍କୁ ଯୀଶୁଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଅ।
ଆପଣଙ୍କ ନୂତନ ଜୀବନ ଆପଣଙ୍କ ଗୃହରେ
18 ପତ୍ନୀଗଣ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ୍ ଅଟେ।
19 ପତିଗଣ! ତୁମ୍ଭମାନଙ୍କ ପତ୍ନୀଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ଭଦ୍ର ବ୍ୟବହାର କର।
20 ସନ୍ତାନଗଣ! ପ୍ରତ୍ୟେକ କଥାରେ ପିତା-ମାତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।
21 ପିତାଗଣ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍ଭେ ଅଧିକ ଆଶା କର, ତା’ହେଲେ ସେମାନେ ହତାଶ ହୋଇଯିବେ।
22 ସେବକଗଣ! ଏହି ପୃଥିବୀରେ ପ୍ରତ୍ୟେକ କଥାରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତେବେଳେ ମାଲିକ ଦେଖୁ ନାହାନ୍ତି, ସେତେବେଳେ ମଧ୍ୟ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ୱାରା ତୁମ୍ଭେମାନେ ପ୍ରକୃତରେ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭେମାନେ ନିଷ୍ଠାପର ସହିତ ଆଜ୍ଞା ପାଳନ କର। 23 ସମସ୍ତ କାମଗୁଡ଼ିକ କଲାବେଳେ ସବୁଠାରୁ ଭଲ କରିବ ପାଇଁ ଚେଷ୍ଟା କର। ପ୍ରଭୁଙ୍କର ସେବା କରୁଛ, ଲୋକମାନଙ୍କର ନୁହେଁ ବୋଲି ଭାବି କାମ କର। 24 ମନେରଖ! ତୁମ୍ଭେମାନେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦେଇଛନ୍ତି, ତାହା ତୁମ୍ଭମାନଙ୍କୁ ଦେବେ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କରୁଛ। 25 ମନେରଖ! ଭୁଲ୍ କର୍ମ ପାଇଁ, ପ୍ରତ୍ୟେକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରତ୍ୟେକ ଲୋକକୁ ସମାନ ଭାବରେ ଦେଖନ୍ତି।
2010 by World Bible Translation Center