M’Cheyne Bible Reading Plan
ସୁବର୍ଣ୍ଣ ବାଛୁରି
32 ଲୋକମାନେ ଅନୁଭବ କଲେ ଯେ, ମୋଶା ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡେରି କଲେ। ତେଣୁ ସେମାନେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସେମାନେ ତାଙ୍କୁ କହିଲେ, “ଦେଖ, ମୋଶା ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣି ପାରିଲୁ ନାହିଁ ତାଙ୍କର କ’ଣ ହୋଇଛି। ଆମ୍ଭମାନଙ୍କୁ ଆଗେଇ ନେବା ପାଇଁ କେତେକ ଦେବତାଗଣ ନିର୍ମାଣ କର।”
2 ହାରୋଣ ସେହି ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ୟାମାନଙ୍କର କର୍ଣ୍ଣ କୁଣ୍ଡଳ ମୋ’ ପାଖକୁ ଆଣ।”
3 ତେଣୁ ଲୋକମାନେ ସେହି କର୍ଣ୍ଣକୁଣ୍ଡଳ ଗୁଡ଼ିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ। 4 ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା’ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ସେଥିରେ ଢଳା ବାଛୁରି ନିର୍ମାଣ କଲେ।
ଏହା ପରେ ସେ କହିଲେ, “ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଥିଲେ, ସେଗୁଡ଼ିକ ଏହି।”
5 ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖରେ ଏକ ବେଦି ତିଆରି କଲେ। ଏହା ପରେ ହାରୋଣ ସେଠାରେ ଏକ ଘୋଷଣା କଲେ। ସେ କହିଲେ “ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହେବ।”
6 ତା’ ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସେମାନେ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ଏହା ପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହା ପରେ ଲୀଳା କରିବାକୁ ଉଠିଲେ।”
7 ସେହି ସମୟରେ, ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ଯାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସେମାନେ ଘୋର ପାପ କରିଛନ୍ତି। 8 ସେମାନେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦେଇଥିବା ପଥରୁ ବିମୁଖ ହେଲେ। ସେମାନେ ସୁବର୍ଣ୍ଣର ଏକ ବାଛୁରି ନିର୍ମାଣ କଲେ। ସେମାନେ ସେହି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା’ର ସମ୍ମୁଖରେ ବଳିଦାନ କରୁଛନ୍ତି। ସେମାନେ କହନ୍ତି, ‘ଇସ୍ରାଏଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦେବତା ବାହାର କରି ଆଣିଲେ, ସେଗୁଡ଼ିକ ଏହି।’”
9 ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜିଦ୍ଖୋର 10 ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”
11 କିନ୍ତୁ ମୋଶା ସଦାପ୍ରଭୁ ପରମେଶ୍ୱରଙ୍କୁ ଭିକ୍ଷା ମାଗିଲେ, “ହେ ସଦାପ୍ରଭୁ, ତୁମ୍ଭର କ୍ରୋଧରେ ତୁମ୍ଭର ଲୋକମାନଙ୍କୁ ଧ୍ୱଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲ। 12 କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ। 13 ମନେରଖ, ଅବ୍ରହାମ, ଇସ୍ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’
14 ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ୱଂସ କରିବାରୁ ମନ ପରିବର୍ତ୍ତନ କଲେ।
15 ଏହା ପରେ ମୋଶା ବୁଲି ପଡ଼ିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମୋଶାଙ୍କ ହାତରେ ଚୁକ୍ତି ଲେଖା ଯାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲେଖା ହୋଇଥିଲା। 16 ପରମେଶ୍ୱରଙ୍କ ଦ୍ୱାରା ସେହି ପ୍ରସ୍ତର ଫଳକ ନିର୍ମିତ ହୋଇଥିଲା ଏବଂ ପରମେଶ୍ୱର ସ୍ୱହସ୍ତରେ ଲେଖିଥିଲେ।
17 ଯିହୋଶୂୟ ସେହି ଭୋଜିର କୋଳାହଳ ଶୁଣିଲେ। ଯିହୋଶୂୟ ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧର ଶବ୍ଦପରି ଏହା ଶୁଭୁଛି।”
18 ମୋଶା ଉତ୍ତର ଦେଲେ, “ଏହା ସୈନ୍ୟମାନଙ୍କର ଜୟଧ୍ୱନିର ଶବ୍ଦ ନୁହେଁ। କିମ୍ବା ପରାଜୟର ଶବ୍ଦ ମଧ୍ୟ ନୁହେଁ। ମୁଁ ଗାୟନର ଶବ୍ଦ ଶୁଣି ପାରୁଛି।”
19 ମୋଶା ଛାଉଣିର ନିକଟକୁ ଆସିଲେ। ସେ ସେହି ସୁବର୍ଣ୍ଣର ବାଛୁରି ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମୋଶା ରାଗିଗଲେ। ସେ ରାଗରେ ସେହି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୂନା କରି ଦେଲେ। 20 ଏହା ପରେ ମୋଶା ସେମାନେ ତିଆରି କରିଥିବା ବାଛୁରିକୁ ନେଇଗଲେ ଏବଂ ସେ ଏହାକୁ ନିଆଁରେ ତରଳାଇ ଦେଲେ। ଏହା ପରେ ସେ ପେଷି ଦେଲେ ଏବଂ ତାକୁ ପାଣିରେ ମିଶାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ସେହି ପାଣି ପିଆଇଲେ।
21 ମୋଶା ହାରୋଣଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ପାଇଁ କ’ଣ କଲେ? କାହିଁକି ତୁମ୍ଭେ ସେମାନଙ୍କୁ ଏପରି ପାପ କରିବାକୁ ଆଗେଇ ନେଲ?”
22 ହାରୋଣ ଉତ୍ତର ଦେଲେ, “କ୍ରୋଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୁଲ୍ କରନ୍ତି। 23 ଲୋକମାନେ ମୋତେ କହିଲେ, ‘ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। କିନ୍ତୁ ତାଙ୍କର କ’ଣ ହେଲା ତାହା ଆମ୍ଭେ ଜାଣୁ ନାହୁଁ। ତେଣୁ କିଛି ଦେବଗଣ ତିଆରି କର ଓ ଆମ୍ଭମାନଙ୍କୁ ଆଗେଇ ନିଅ।’ 24 ତେଣୁ ମୁଁ ଲୋକମାନଙ୍କୁ କହିଲି, ‘ଯଦି ତୁମ୍ଭମାନଙ୍କ ପାଖରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତେବେ ମୋ’ ପାଖକୁ ଆଣ, ତେଣୁ ସେମାନେ ମୋତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।’ ମୁଁ ସୁବର୍ଣ୍ଣକୁ ନିଆଁରେ ଫୋପାଡ଼ି ଦେଲି ଓ ଏହି ବାଛୁରି ତିଆରି କଲି।”
25 ମୋଶା ହୃଦ୍ବୋଧ କଲେ ଯେ, ହାରୋଣ ଲୋକମାନଙ୍କୁ ନିୟନ୍ତ୍ରଣ ବାହାର କରି ଦେଇଛନ୍ତି। ତେଣୁ ଶତ୍ରୁମାନଙ୍କ ଦ୍ୱାରା ହାସ୍ୟାସ୍ପଦ ହେବାକୁ ହେବ। 26 ତେଣୁ ମୋଶା ଛାଉଣି ଦ୍ୱାର ଦେଶରେ ଛିଡ଼ା ହୋଇ କହିଲେ, “ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଗ୍ଭହଁ ସେମାନେ ମୋ’ ପାଖକୁ ଆସ।” ଏବଂ ଏଥିରେ ଲେବୀ ବଂଶର ସମସ୍ତ ଲୋକ ମୋଶାଙ୍କ ନିକଟକୁ ଦୌଡ଼ିଲେ।
27 ମୋଶା ସେମାନଙ୍କୁ କହିଲେ, “ମୁଁ ତୁମ୍ଭକୁ କହିବି ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଯାହା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ଜଙ୍ଘରେ ଖଡ଼୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଗୋଟିଏ ଦ୍ୱାରରୁ ଅନ୍ୟଦ୍ୱାର ନିକଟକୁ ଯିବା ଆସିବା କର ଏବଂ ପ୍ରତ୍ୟେକ ଆପଣା ଭ୍ରାତା, ମିତ୍ର ଓ ପ୍ରତିବାସୀକୁ ବଧ କର।’”
28 ତେଣୁ ମୋଶା ଯେପରି କହିଲେ, ଲେବୀୟମାନେ ସେହିପରି କଲେ ଏବଂ ସେହି ଦିନ ଇସ୍ରାଏଲରେ 3000 ଲୋକଙ୍କୁ ହତ୍ୟା କରାଗଲା। 29 ଏହା ପରେ ମୋଶା କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପୁତ୍ର ଓ ଭାତୃଗଣର ବିପକ୍ଷ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜକୁ ନିଯୁକ୍ତି କର ତହିଁରେ ସଦାପ୍ରଭୁ ଆଜି ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।”
30 ପରଦିନ ସକାଳେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଭୟଙ୍କର ପାପ କରିଛ। କିନ୍ତୁ ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କ ନିକଟକୁ ଯିବି ଏବଂ ହୁଏତ ତୁମ୍ଭର ପାପ ପାଇଁ ମୁଁ ପ୍ରାୟଶ୍ଚିତ କରିବାକୁ ସକ୍ଷମ ହେବି।” 31 ତେଣୁ ମୋଶା ପରମେଶ୍ୱରଙ୍କ ନିକଟକୁ ଫେରିଗଲେ ଏବଂ କହିଲେ, “ହେ ସଦାପ୍ରଭୁ, ମୋର ଗୁହାରି ଶୁଣ। ଏହି ଲୋକମାନେ ସୁବର୍ଣ୍ଣରେ ଦେବତାଗଣ କରି ଭୟଙ୍କର ପାପ କରିଛନ୍ତି। 32 ବର୍ତ୍ତମାନ ସେମାନଙ୍କର ପାପକୁ କ୍ଷମା କରିଦିଅ, ଯଦି ତୁମ୍ଭେ ସେମାନଙ୍କୁ କ୍ଷମା ନ କର ତେବେ ତୁମ୍ଭେ ଲେଖିଥିବା ଜୀବନ୍ତ ପୁସ୍ତକରୁ ମୋର ନାମକୁ କାଟି ଦିଅ।”
33 କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେଉଁମାନେ ମୋ’ ବିରୁଦ୍ଧରେ ପାପ କରିଅଛନ୍ତି, ମୁଁ ମୋର ଜୀବନ୍ତ ପୁସ୍ତକରୁ ସେମାନଙ୍କର ନାମ କାଟି ଦେବି। 34 ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହୁଅଛି ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ। ଦେଖ, ମୋର ସ୍ୱର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହେବେ।” 35 ତେଣୁ ସଦାପ୍ରଭୁ ଲୋକମାନଙ୍କ ଉପରେ ଭୟଙ୍କର ଅସୁସ୍ଥତା ଆଣିଲେ, ସେ ଏପରି କଲେ କାରଣ ଲୋକମାନେ ହାରୋଣଙ୍କୁ ଏହି ସୁବର୍ଣ୍ଣ ବାଛୁରି ତିଆରି କରିବାକୁ କହିଥିଲେ।
ଲାଜାରଙ୍କ ମୃତ୍ୟୁ
11 ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନୀୟା ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ୟ କରୁଥିଲେ। 2 ସେହି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦରେ ଅତି ମୂଲ୍ୟବାନ ଅତର ଢାଳି ନିଜ କେଶରେ ପାଦ ପୋଛି ଦେଇଥିଲେ। ସେମାନଙ୍କର ଭାଇ ଲାଜାର ଅସୁସ୍ଥ ଥିଲେ। 3 ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସେମାନେ କହି ପଠାଇଲେ, “ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡ଼ିତ ଅଛନ୍ତି।”
4 ଯୀଶୁ ଏହି କଥା ଶୁଣି କହିଲେ, “ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ। କିନ୍ତୁ ତା’ର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହା ଦ୍ୱାରା ଗୌରବାନ୍ୱିତ ହେବେ।” 5 ଯୀଶୁ ମାର୍ଥା, ତା’ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ। 6 ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସେଠାରେ ଆହୁରି ଦୁଇ ଦିନ ରହିଗଲେ। 7 ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆମ୍ଭେ ଯିହୂଦା ପ୍ରଦେଶକୁ ଫେରିଯିବା।”
8 ଶିଷ୍ୟମାନେ କହିଲେ, “ଗୁରୁ, ଯିହୂଦାରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥରରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହୋଇଥିଲା। ଆପଣ ପୁଣି ସେଠାକୁ ଫେରିଯିବାକୁ ଗ୍ଭହାନ୍ତି?”
9 ଯୀଶୁ ଉତ୍ତର ଦେଲେ, “ଦିନ ମଧ୍ୟରେ ବାରଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନବେଳେ ଗ୍ଭଲିଲେ ସେ ଝୁଣ୍ଟେ ନାହିଁ କି ପଡ଼େ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖି ପାରେ। 10 କିନ୍ତୁ ରାତିରେ ଜଣେ ଲୋକ ଝୁଣ୍ଟେ, କାରଣ ରାତିବେଳେ ତାକୁ ଦେଖିବାରେ ସାହାଯ୍ୟ କରିବା ପାଇଁ ଆଲୋକ ନ ଥାଏ।”
11 ଯୀଶୁ ଏ କଥା କହିବା ସାରିବା ପରେ, କହିଲେ, “ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି। ମୁଁ ତାହାଙ୍କୁ ଉଠେଇବା ପାଇଁ ସେଠାକୁ ଯାଉଛି।”
12 ଶିଷ୍ୟମାନେ ଉତ୍ତର ଦେଲେ, “କିନ୍ତୁ ପ୍ରଭୁ, ଯଦି ସେ ଶୋଇଛନ୍ତି, ତେବେ ସେ ସୁସ୍ଥ ହୋଇଯିବେ।” 13 ଯୀଶୁଙ୍କର କହିବା ଅର୍ଥ ଥିଲା, ଯେ ଲାଜାର ମୃତ। କିନ୍ତୁ ତାହାଙ୍କର ଶିଷ୍ୟମାନେ ବୁଝିଲେ ଯେ ସେ ସାଧାରଣ ଶୋଇବା ବିଷୟରେ କହୁଛନ୍ତି।
14 ତେଣୁ ଯୀଶୁ ସ୍ପଷ୍ଟରୂପେ କହିଲେ, “ଲାଜାର ମରିଯାଇଛନ୍ତି, 15 ମୁଁ ଖୁସୀ ଯେ ମୁଁ ସେଠାରେ ନ ଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି କାରଣ ବର୍ତ୍ତମାନ ତୁମ୍ଭେମାନେ ମୋ’ଠାରେ ବିଶ୍ୱାସ କରିବ। ଗ୍ଭଲ, ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ଯିବା।”
16 ତା’ପରେ ଥୋମା ଯାହାଙ୍କୁ ଦିଦୁମ [a] କୁହାଯାଉଥିଲା ସେ ଅନ୍ୟ ଶିଷ୍ୟଙ୍କୁ କହିଲେ, “ଗ୍ଭଲ ଆମ୍ଭେମାନେ ମଧ୍ୟ ଯିବା ଓ ଯୀଶୁଙ୍କ ସହିତ ଯିହୂଦାରେ ମରିବା।”
ବେଥନୀୟାରେ ଯୀଶୁ
17 ଯୀଶୁ ବେଥନୀୟାରେ ପହଞ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ୟୁ ହୋଇ କବରସ୍ଥ ହେବାର ଗ୍ଭରି ଦିନ ହୋଇଗଲାଣି। 18 ବେଥନୀୟା ଯିରୁଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର। 19 ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ।
20 ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘରେ ରହିଲେ। 21 ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଯଦି ଆପଣ ଏଠାରେ ଥାଆନ୍ତେ, ତେବେ ମୋର ଭାଇ ମରି ନ ଥା’ନ୍ତା। 22 କିନ୍ତୁ ଏବେ ମଧ୍ୟ ମୁଁ ଜାଣେ ଯେ ଆପଣ ଯାହାକିଛି ମାଗିବେ, ପରମେଶ୍ୱର ତାହା ଦେବେ।”
23 ଯୀଶୁ କହିଲେ, “ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।”
24 ମାର୍ଥା ଉତ୍ତର ଦେଲେ, “ମୁଁ ଜାଣେ, ପୁନରୁତ୍ଥାନ ଦିନରେ ଯେତେବେଳେ ସମସ୍ତେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ ସେ ମଧ୍ୟ ମୃତ୍ୟୁରୁ ବଞ୍ଚି ଉଠିବ।”
25 ଯୀଶୁ ତାକୁ କହିଲେ, “ମୁଁ ସେହି ପୁନରୁତ୍ଥାନ ଓ ଜୀବନ, ମୋ’ଠାରେ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ। 26 ମୋ’ଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ’ଣ ଏହା ବିଶ୍ୱାସ କର?”
27 ମାର୍ଥା ଉତ୍ତର ଦେଲେ, “ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ। ଆପଣ ପରମେଶ୍ୱରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସେହି ବ୍ୟକ୍ତି ଅଟନ୍ତି।”
ଯୀଶୁ କାନ୍ଦିଲେ
28 ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, “ଏଠାରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖୋଜୁଛନ୍ତି।” 29 ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ। 30 ଯୀଶୁ ସେହି ସମୟ ପର୍ଯ୍ୟନ୍ତ ଗ୍ରାମକୁ ଆସି ନ ଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଦେଖିଥିଲେ, ସେ ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ। 31 ଯିହୂଦୀମାନେ ମରିୟମଙ୍କ ସହିତ ଘରେ ଥିଲେ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ। ସେମାନେ ମରିୟମଙ୍କୁ ହଠାତ୍ ଠିଆ ହୋଇ ତରବରରେ ବାହାରକୁ ଯିବା ଦେଖିଲେ। ସେମାନେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସେମାନେ ତାହାଙ୍କ ପଛେ ପଛେ ଗଲେ। 32 ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ, “ପ୍ରଭୁ, ଆପଣ ଯଦି ଏଠାରେ ଥାଆନ୍ତେ ତେବେ ମୋ’ ଭାଇ ମରି ନ ଥା’ନ୍ତା।”
33 ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସେମାନେ ମଧ୍ୟ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତରରେ ଅତ୍ୟଧିକ ବ୍ୟଥା ଅନୁଭବ କଲେ। 34 ଯୀଶୁ କହିଲେ, “ତୁମ୍ଭେ ଲାଜାରଙ୍କୁ କେଉଁଠାରେ ରଖିଛ?”
ସେମାନେ କହିଲେ, “ପ୍ରଭୁ ଆସି ଦେଖନ୍ତୁ।”
35 ଯୀଶୁ କାନ୍ଦିଲେ।
36 ଯିହୂଦୀମାନେ କହିଲେ, “ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।”
37 କିନ୍ତୁ କେତେକ ଯିହୂଦୀ କହିଲେ, “ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରିଦେଇଥିଲେ। ତେବେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚେଇ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।”
ଯୀଶୁ ମୃତ ଲାଜାରଙ୍କୁ ଜୀବନ ଦେଲେ
38 ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା। 39 ଯୀଶୁ କହିଲେ, “ଏ ପଥରକୁ ଘୁଞ୍ଚାଇ ଦିଅ।”
ମାର୍ଥା କହିଲେ, “ପ୍ରଭୁ ସେ ମରିବାର ଗ୍ଭରି ଦିନ ହୋଇଗଲାଣି। ତେଣୁ ବଡ଼ ଦୁର୍ଗନ୍ଧ ହେଉଥିବ।” ମାର୍ଥା ମୃତ ଲୋକର ଭଉଣୀ ଥିଲେ।
40 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖି ପାରିବ।”
41 ତେଣୁ ସେମାନେ ପଥର ବାହାର କଲେ। ତା’ପରେ ଯୀଶୁ ଊର୍ଦ୍ଧ୍ୱକୁ ଗ୍ଭହିଁ କହିଲେ, “ହେ ପରମପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ’ କଥା ଶୁଣିଛ। 42 ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମୋ’ କଥା ଶୁଣ। ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ, ସେଥିପାଇଁ ମୁଁ ଏହା କହିଲି।” 43 ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।” 44 ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା। ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା।
ଯୀଶୁ ଲୋକମାନଙ୍କୁ କହିଲେ, “କନାଗୁଡ଼ିକ କାଢ଼ି ନିଅ ଓ ତାହାଙ୍କୁ ଯିବାକୁ ଦିଅ।”
ଯୀଶୁଙ୍କୁ ମାରିବା ପାଇଁ ଯିହୂଦୀ ନେତାମାନଙ୍କର ଯୋଜନା(A)
45 ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ। 46 କିନ୍ତୁ କେତେକ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ। 47 ତା’ପରେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ, “ଆମ୍ଭର କ’ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି। 48 ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା’ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।”
49 ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ। ସେ ସେହି ବର୍ଷପାଇଁ ମହାଯାଜକ ଥିଲେ। କୟାଫା କହିଲେ, “ତୁମ୍ଭେ ସବୁକିଛି ଜାଣି ନାହଁ। 50 ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁ ନାହଁ।”
51 କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ। 52 ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ। କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ।
53 ସେହି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 54 ତେଣୁ ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଯିରୁଶାଲମ ଛାଡ଼ି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଗ୍ଭଲିଗଲେ। ସେହି ସହରର ନାମ ଏଫ୍ରୟିମ । ସେ ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ।
55 ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ଯିରୁଶାଲମରେ ଆସି ପହଞ୍ଚିଲେ, ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ। 56 ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଗ୍ଭରିଲେ, “ସେ କ’ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ’ଣ ଭାବୁଛ?” 57 କିନ୍ତୁ ମହାଯାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ, ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ। ତେବେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରି ପାରିବେ।
ଜ୍ଞାନ ଓ ଉତ୍ତମ ସ୍ତ୍ରୀ
8 ଶୁଣ, ଜ୍ଞାନ ତାଙ୍କଠାରୁ
ଶୁଣିବାକୁ ଡାକୁଛନ୍ତି।
2 ମୋ’ ପଥ ପାର୍ଶ୍ୱସ୍ଥ ଉଚ୍ଚସ୍ଥାନରେ ଠିଆ ହୁଏ।
ସେ ପ୍ରତ୍ୟେକ ସଂଯୋଗ ରାସ୍ତାରେ ଠିଆ ହୁଏ।
3 ସେ ନଗରଦ୍ୱାର ନିକଟରେ
ଠିଆ ହୁଏ ଏବଂ ଡାକେ।
4 ଜ୍ଞାନୀ କହେ, “ହେ ମନୁଷ୍ୟଗଣ ମୁଁ ତୁମ୍ଭମାନଙ୍କୁ ଡାକୁଅଛି।
ମୁଁ ପ୍ରତ୍ୟେକ ଲୋକଙ୍କୁ ଡାକେ।
5 ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ।
ହେ ନିର୍ବୋଧମାନେ, ତୁମ୍ଭେମାନେ ସୁବିବେଚନା କର।
6 ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷୟ କହିବି।
ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି।
ଯାହା ମୋ’ ପାଟିରୁ ବାହାରିବ।
7 ମୋର ବାକ୍ୟସବୁ ସତ୍ୟ ଅଟେ।
ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।
8 ମୁଁ ଯାହା କହେ, ତାହା ସତ୍ୟ ଓ ଯଥାର୍ଥ।
ମୋର ବାକ୍ୟରେ ମିଥ୍ୟା କିମ୍ବା କୁଟିଳତା ନ ଥାଏ।
9 ଯେ ତାହା ସବୁ ବୁଝେ ସେସବୁ ତା’ ପାଇଁ ସ୍ପଷ୍ଟ।
ଯେଉଁ ବ୍ୟକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।
10 ମୋର ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ୟବାନ୍।
ଏହା ମଧ୍ୟ ଗିନି ସୁନାଠାରୁ ମୂଲ୍ୟବାନ୍।
11 ଜ୍ଞାନ ମୁକ୍ତାଠାରୁ ମୂଲ୍ୟବାନ,
ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ୟବାନ।
ଜ୍ଞାନ କ’ଣ କରିପାରେ
12 “ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି।
ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।
13 ଯଦି କେହି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ,
ତେବେ ସେ ଲୋକ କୁକର୍ମକୁ ଘୃଣା କରିବ।
ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।
14 ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋ’ଠାରେ ଥାଏ।
ମୁଁ ହିଁ ‘ସୁବିବେଚନା’ ମୋ’ଠାରେ ବଳ ଅଛି।
15 ମୋ’ ମାଧ୍ୟମରେ ରାଜାମାନେ ରାଜତ୍ୱ କରନ୍ତି।
ଶାସନକର୍ତ୍ତାମାନେ ମୋ’ ଦ୍ୱାରା ଯଥାର୍ଥ ବିଗ୍ଭର କରନ୍ତି।
16 ମୋ’ ଦ୍ୱାରା ରାଜକୁମାରୀ ଏବଂ ଶ୍ରେଷ୍ଠଗଣ ଶାସନ କରନ୍ତି,
ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।
17 ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ।
ଯେଉଁମାନେ ଚେଷ୍ଟା କରନ୍ତି, ମୋର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଆନ୍ତି।
18 ମୋ’ ସହିତ ଧନସମ୍ପଦ ଓ ସମ୍ମାନ ଅଛି।
ମୁଁ ସତ୍ୟର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
19 ମୋର ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ।
ମୋର ଆୟୁ ରୂପା ଅପେକ୍ଷା ଉତ୍ତମ ଅଟେ।
20 ମୁଁ ଧାର୍ମିକତାର ମାର୍ଗରେ,
ବିଗ୍ଭରର ପଥ ମଧ୍ୟରେ ଗମନ କରେ।
21 ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସବୁ ସମ୍ପତ୍ତିର ଅଧିକାରୀ କରେ।
ସେମାନଙ୍କ ଭଣ୍ଡାର ପୂର୍ଣ୍ଣ କରେ।
22 “ସଦାପ୍ରଭୁ ନିଜ ଗତିର ଆରମ୍ଭରେ,
ତାଙ୍କ କର୍ମ ସକଳର ପୂର୍ବରେ ମୋତେ ଅଧିକାର କରିଥିଲେ।
23 ଅନାଦିକାଳରୁ ଅବା ଆଦ୍ୟ କାଳାବଧି,
ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି।
24 ଯେତେବେଳେ ଗଭୀର ସମୁଦ୍ର ନ ଥିଲା,
ଏବଂ ଯେତେବେଳେ ନିର୍ଝର ସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମ ହୋଇଥିଲି।
25 ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରୁ,
ମୁଁ ଜନ୍ମ ହୋଇଥିଲି।
26 ସେସମୟରେ ଭୂମି କି ପ୍ରାନ୍ତର,
କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ।
27 ଯେଉଁ ସମୟରେ ସେ ସ୍ୱର୍ଗ ସ୍ଥାପନ କଲେ, ସମୁଦ୍ରର ସୀମା ସ୍ଥିର କଲେ।
ସେ ସମୟରେ ମୁଁ ସେଠାରେ ଥିଲି।
28 ସେ ମେଘକୁ ଆକାଶରେ ଝୁଲାଇଲେ,
ଯେତେବେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।
29 ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ
ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପାରେ,
ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।
30 ସେହି ସମୟରେ ମୁଁ ତାଙ୍କ ନିକଟରେ କର୍ମକର୍ତ୍ତା ଥିଲି।
ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ ପ୍ରଦାନ କରୁଥିଲି।
31 ସେ ସୃଷ୍ଟି କରିଥିବା ପୃଥିବୀରେ ମୁଁ ଉପଭୋଗ କଲି।
ମୋର ଆନନ୍ଦ ଲୋକମାନଙ୍କ ସହିତ ଥିଲା।
32 “ଏଥିପାଇଁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ।
ଯଦି ତୁମ୍ଭେମାନେ ମୋର ପଥ ଧରିବ, ତୁମ୍ଭେ ଧନ୍ୟ ହେବ।
33 ମୋର ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ।
ତାହାକୁ ଅଗ୍ରାହ୍ୟ କର ନାହିଁ।
34 ଯେକେହି ମୋର କଥା ଶୁଣେ, ସେ ଖୁସୀ ହେବ।
ସେ ମୋ’ ଦ୍ୱାର ନିକଟକୁ ସବୁଦିନ ଶୀଘ୍ର ଆସେ ଏବଂ ମୋର ଦ୍ୱାର ବାହାରେ ଅପେକ୍ଷା କରେ।
35 ଯେଉଁ ଲୋକ ମୋତେ ପାଏ, ସେ ଜୀବନ ପାଏ।
ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ।
36 କିନ୍ତୁ ଯେ ମୋର ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ।
ଯେଉଁସବୁ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭୟ କରନ୍ତି।”
1 ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ପାଉଲଙ୍କଠାରୁ ପତ୍ର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଏଫିସୀୟଠାରେ ରହୁଥିବା ପରମେଶ୍ୱରଙ୍କ ପବିତ୍ର ଲୋକ
ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସୀ ଲୋକଙ୍କ ପ୍ରତି ମୁଁ ପ୍ରେରିତ ହୋଇଛି।
2 ତୁମ୍ଭମାନଙ୍କୁ ଆମ୍ଭର ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ମିଳୁ।
ଯୀଶୁଙ୍କଠାରେ ଥିବା ଲୋକଙ୍କ ପାଇଁ ଆଧ୍ୟାତ୍ମିକ ଆଶୀର୍ବାଦ
3 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି। 4 ଖ୍ରୀଷ୍ଟଙ୍କଠାରେ, ଜଗତର ସୃଷ୍ଟି ପୂର୍ବରୁ ପରମେଶ୍ୱର ଆମ୍ଭକୁ ତାହାଙ୍କ ସମ୍ମୁଖରେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଆଦରରେ ବାଛି ଥିଲେ। 5 ସେ ଆମ୍ଭମାନଙ୍କ ସୃଷ୍ଟି ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ନିଜର ସନ୍ତାନ କରିବାକୁ ସ୍ଥିର କରିଥିଲେ। ଏହା ତାହାଙ୍କର ଇଚ୍ଛା ଓ ଆନନ୍ଦ ଥିଲା। 6 ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ସକାଶେ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ୱର ପ୍ରେମ କରନ୍ତି, ସେହି ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆମ୍ଭକୁ ସେହି ଅନୁଗ୍ରହ ମୁକ୍ତ ଭାବରେ ଦେଇଥା’ନ୍ତି।
7 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ଆମ୍ଭେ ତାହାଙ୍କର ରକ୍ତ ମାଧ୍ୟମରେ ମୁକ୍ତ ହୋଇଛୁ। ପରମେଶ୍ୱରଙ୍କ ବହୁମୂଲ୍ୟ ଅନୁଗ୍ରହ ଦ୍ୱାରା ଆମ୍ଭର ପାପରୁ ଆମ୍ଭେ କ୍ଷମା ପାଇପାରୁ। 8 ପରମେଶ୍ୱର ଏହି ଅନୁଗ୍ରହ ପୂର୍ଣ୍ଣ ଭାବରେ ଓ ମୁକ୍ତ ଭାବରେ ଦେଇଛନ୍ତି। 9 ପରମେଶ୍ୱର ନିଜର ପୂର୍ଣ୍ଣ ଜ୍ଞାନ ଓ ବୋଧ ଶକ୍ତି ଦ୍ୱାରା ତାହାଙ୍କର ନିଗୂଢ଼ତତ୍ତ୍ୱ ଆମ୍ଭକୁ ଜଣାଇଛନ୍ତି। ପରମେଶ୍ୱର ଏହା ଗ୍ଭହୁଁଥିଲେ ଏବଂ ସେ ଏହା ଖ୍ରୀଷ୍ଟଙ୍କ ଦ୍ୱାରା କରିବା ପାଇଁ ଯୋଜନା କରିଥିଲେ। 10 ପରମେଶ୍ୱରଙ୍କର ଯୋଜନା ଥିଲା ଯେ ଉଚିତ୍ ସମୟ ଉପସ୍ଥିତ ହେଲେ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସ୍ୱର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡ଼ିକୁ ଏକତ୍ର କରିବେ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ୱରୂପ ହେବେ।
11 ପରମେଶ୍ୱର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କର ଲୋକ ହେବା ପାଇଁ ବାଛିଲେ। ଏ କଥା ସେ ନିଜ ଇଚ୍ଛାନୁସାରେ ଅନାଦି କାଳରୁ ଠିକ୍ କରି ରଖିଥିଲେ। 12 ଆମ୍ଭେ ହେଉଛୁ ପ୍ରଥମ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଭରସା ପ୍ରତିଷ୍ଠିତ କରିଥିଲୁ, ଏବଂ ପରମେଶ୍ୱରଙ୍କ ମହିମାର ପ୍ରଶଂସା କରିବା ଲାଗି ଆମ୍ଭକୁ ବଛା ଯାଇଥିଲା। 13 ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଗ୍ଭରର ସତ୍ଶିକ୍ଷା ତୁମ୍ଭେ ଶୁଣିଲ। ସୁସମାଗ୍ଭର ଶୁଣିଲା ପରେ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲ। ପରମେଶ୍ୱର ପବିତ୍ରଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପରେ ତାହାଙ୍କର ବିଶେଷ ଚିହ୍ନ ଦେଇ ଚିହ୍ନିତ କଲେ। ଏହା କରିବା ଦ୍ୱାରା ସେ ଆଗରୁ ଦେଇଥିବା ପ୍ରତିଶୃତି ରକ୍ଷା କରିଥିଲେ। 14 ପରମେଶ୍ୱର ନିଜ ଲୋକଙ୍କୁ ଯେସମସ୍ତ ବିଷୟ ଦେବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି, ତାହା ଯେ ଆମ୍ଭେମାନେ ନିଶ୍ଚିତ ରୂପେ ପାଇବା, ଏଥିପାଇଁ ପବିତ୍ରଆତ୍ମା ହେଉଛନ୍ତି ପରମେଶ୍ୱରଙ୍କ ନିର୍ଭରଯୁକ୍ତ ପ୍ରତିଶୃତି। ଯେଉଁମାନେ ପରମେଶ୍ୱରଙ୍କର ଲୋକ ଅଟନ୍ତି, ସେମାନଙ୍କ ନିମନ୍ତେ ଏହା ପୂର୍ଣ୍ଣ ସ୍ୱାଧୀନତା ଆଣିଦେବ। ଏହାର ଉଦ୍ଦେଶ୍ୟ ପରମେଶ୍ୱରଙ୍କ ମହିମାର ପ୍ରଶଂସା ହେବ।
ପାଉଲଙ୍କ ପ୍ରାର୍ଥନା
15 ସେଥିପାଇଁ ମୁଁ ଯେତେବେଳେ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଶୁଣିଲି, ମୁଁ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ନିରନ୍ତର ଧନ୍ୟବାଦ ଅର୍ପଣ କଲି। 16 ନିଜର ପ୍ରାର୍ଥନାରେ ମୁଁ ତୁମ୍ଭମାନଙ୍କୁ ମନେ ପକାଉଛି। 17 ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ୱରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସେହି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ୱର ବିଷୟକ ସମସ୍ତ ତଥ୍ୟକୁ ସ୍ପଷ୍ଟ କରିଦେବ, ଯାହା ଫଳରେ ତୁମ୍ଭେମାନେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।
18 ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ସମସ୍ତ ସତ୍ୟର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖୋଲି ଦିଅନ୍ତୁ। ତା’ପରେ ତୁମ୍ଭେମାନେ ବୁଝି ପାରିବ ଯେ, କେଉଁ ବିଷୟରେ ଭରସା ରଖିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭେମାନେ ବୁଝି ପାରିବ ଯେ ପରମେଶ୍ୱର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଅଟେ। 19 ତୁମ୍ଭେମାନେ ଏହା ମଧ୍ୟ ବୁଝି ପାରିବ ଯେ, ଆମ୍ଭେ ଯେଉଁମାନେ ବିଶ୍ୱାସ କରୁଛୁ, ଆମ୍ଭମାନଙ୍କ ନିମନ୍ତେ କାମ କରୁଥିବା ପରମେଶ୍ୱରଙ୍କ ଶକ୍ତି କେତେ ମହାନ୍। 20 ଏହି ଶକ୍ତି ହେଉଛି ସେହି ଶକ୍ତି, ଯେଉଁ ଶକ୍ତି ବଳରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିଲେ। ସ୍ୱର୍ଗ ରାଜ୍ୟରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ତାହାଙ୍କ ଡାହାଣ ପଟରେ ବସାଇ ଅଛନ୍ତି। 21 ପରମେଶ୍ୱର ଖ୍ରୀଷ୍ଟଙ୍କୁ ସମସ୍ତ ଶାସକ, ଅଧିକାରୀ, ଶକ୍ତି ଓ ରାଜାମାନଙ୍କଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପଦ ଦେଇଅଛନ୍ତି। ଏହି ସଂସାର କି ପରବର୍ତ୍ତୀ ସଂସାରରେ ଥିବା ଯେକୌଣସି କ୍ଷମତା ପୂର୍ଣ୍ଣ ଶକ୍ତି ଅପେକ୍ଷା ଖ୍ରୀଷ୍ଟଙ୍କର ଶକ୍ତି ଅତି ଅଧିକ ଅଟେ। 22 ପରମେଶ୍ୱର ସବୁକିଛି ଖ୍ରୀଷ୍ଟଙ୍କ ଅଧୀନରେ ରଖିଅଛନ୍ତି ଓ ତାହାଙ୍କୁ ମଣ୍ଡଳୀର ମୁଖ୍ୟ ରୂପେ ସ୍ଥାପିତ କରିଛନ୍ତି। 23 ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର। ମଣ୍ଡଳୀ ଖ୍ରୀଷ୍ଟଙ୍କ ଦାରା ପୂର୍ଣ୍ଣ ହୋଇଅଛି। ସେ ସମସ୍ତ ବିଷୟ ପ୍ରତ୍ୟେକ ଉପାୟରେ ସମ୍ପୂର୍ଣ୍ଣ କରନ୍ତି।
2010 by World Bible Translation Center