Print Page Options
Previous Prev Day Next DayNext

Historical

Read the books of the Bible as they were written historically, according to the estimated date of their writing.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 18-20

ଯାଜକମାନଙ୍କର ଓ ଲେବୀମାନଙ୍କର କାର୍ଯ୍ୟ

18 ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ର ସ୍ଥାନ ପାଇଁ ଦାୟୀ ରହିବ। ପୁଣି ଯାଜକତ୍ୱର କର୍ତ୍ତବ୍ୟ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାୟୀ ରହିବେ। ତୁମ୍ଭେ ଲେବୀୟମାନଙ୍କଠାରୁ ତୁମ୍ଭର ଅନ୍ୟ ଭ୍ରାତୃଗଣଙ୍କୁ ତୁମ୍ଭ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସାହାଯ୍ୟ କରିବେ। ଯେତେବେଳେ ତୁମ୍ଭେ ଓ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟ ତମ୍ବୁ ସମ୍ମୁଖରେ ରହିବ। ସେମାନେ ତୁମ୍ଭକୁ ବିବରଣୀ ଦେବେ ଓ ପବିତ୍ର ତମ୍ବୁର ରକ୍ଷାର ଦାୟିତ୍ୱ ନେବେ। କିନ୍ତୁ ସେମାନେ ପବିତ୍ର ପାତ୍ର ନିକଟକୁ କିମ୍ବା ଯଜ୍ଞବେଦି ନିକଟକୁ ଯିବେ ନାହିଁ। ତେଣୁ ସେମାନେ ମରନ୍ତି ନାହିଁ, ତୁମ୍ଭେ ମଧ୍ୟ ନୁହଁ। ସେମାନେ ତୁମ୍ଭ ସହିତ ଯୋଗ ଦେଇ ତୁମ୍ଭର ସମସ୍ତ ସେବାକର୍ମ ସହିତ ସମାଗମ-ତମ୍ବୁର ରକ୍ଷଣୀୟ ଦାୟିତ୍ୱ ନେବେ। ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ।

“ପୁଣି ଇସ୍ରାଏଲ ଲୋକମାନଙ୍କ ପ୍ରତି ଆମ୍ଭର କ୍ରୋଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ଓ ଯଜ୍ଞବେଦିର ସୁରକ୍ଷାର ଦାୟିତ୍ୱ ନେବ। ଆଉ ଆମ୍ଭେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ତୁମ୍ଭ ଭ୍ରାତୃଗଣ ଲେବୀମାନଙ୍କୁ ଗ୍ରହଣ କରିଅଛୁ। ସେମାନେ ଯେପରି ସଦାପ୍ରଭୁଙ୍କର ଓ ସମାଗମ-ତମ୍ବୁର ସେବା କରି ପାରିବେ, ସେମାନେ ତୁମ୍ଭଙ୍କୁ ଉପହାର ସ୍ୱରୂପ ଦେଲେ। କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଯଜ୍ଞବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ପବିତ୍ର ସ୍ଥାନରେ ଯାଜକତ୍ୱ ପାଳନ କରିବ ଓ ସେବା କରିବ, ଆମ୍ଭେ ଆମ୍ଭର ଦାନଜନିତ ସେବାରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ। ଯଦି କେହି ଅଜଣା ବ୍ୟକ୍ତି ମୋର ପବିତ୍ର ସ୍ଥାନ ନିକଟକୁ ଆସେ, ତାକୁ ହତ୍ୟା କରାଯିବ।”

ତା'ପରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ମୋତେ ଦିଆଯାଇଥିବା ଉପହାରର ଦାୟୀତ୍ୱ ମୁଁ ତୁମ୍ଭକୁ ଦେଲି। ତୁମ୍ଭକୁ ଓ ତୁମ୍ଭର ବଂଶଧରମାନଙ୍କୁ ମୁଁ ଦେଉଥିବା ପବିତ୍ର ଦ୍ରବ୍ୟ ସେମାନଙ୍କର ଚିରସ୍ଥାୟୀ ଅଂଶ ହେବ। ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡ଼ିକ ତୁମ୍ଭର ହେବ। ଏହି ଅଂଶଗୁଡ଼ିକ ଦ‌ଗ୍‌ଧ ହେବା ଉଚିତ୍ ନୁହଁ ଯଥା: ସେମାନଙ୍କର ଶସ୍ୟ ନୈବେଦ୍ୟ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡ଼ିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ। 10 ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରତ୍ୟେକ ପୁରୁଷ ପବିତ୍ର ସ୍ଥାନରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହେବ।

11 “ଇସ୍ରାଏଲର ଲୋକମାନଙ୍କ ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ୟାମାନଙ୍କୁ ଅନନ୍ତକାଳୀନ ଅଧିକାରାର୍ଥେ ଦେଲୁ। ତୁମ୍ଭ ପରିବାରର ପ୍ରତ୍ୟେକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରି ପାରିବେ।

12 “ଇସ୍ରାଏଲ ଲୋକମାନେ ମୋ’ ଉଦ୍ଦେଶ୍ୟରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦେଲୁ। 13 ସେମାନେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ୱଫଳ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହେବ, ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ବିଧିସମ୍ମତ ଶୁଚି ବ୍ୟକ୍ତି ତାହା ଭୋଜନ କରିବ।

14 “ଇସ୍ରାଏଲରେ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ସମସ୍ତ ଦ୍ରବ୍ୟ ତୁମ୍ଭର ହେବ।

15 ସେମାନେ ମନୁଷ୍ୟ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ। ସେମାନେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍। 16 ଯେତେବେଳେ ତୁମ୍ଭେ ଏକ ମାସର ଶିଶୁକୁ ମୁକ୍ତ କର, ତା'ର ନିରୂପିତ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ।

17 “ମାତ୍ର ତୁମ୍ଭେ ଗୋରୁ କିମ୍ବା ମେଷ କିମ୍ବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ। ସେମାନେ ପବିତ୍ର, ତୁମ୍ଭେ ଯଜ୍ଞବେଦି ଉପରେ ସେମାନଙ୍କର ରକ୍ତ ଛିଞ୍ଚିବ ଏବଂ ସେମାନଙ୍କର ମେଦକୁ ଦ‌ଗ୍‌ଧ କରିବ। ଏହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ହେବ। 18 ଆଉ ସେମାନଙ୍କର ମାଂସ, ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ଏ ସମସ୍ତ ତୁମ୍ଭର ହେବ। 19 ଇସ୍ରାଏଲ ଲୋକମାନେ ଯେଉଁସବୁ ଦ୍ରବ୍ୟ ପବିତ୍ର କରି ଉତ୍ତୋଳନୀୟ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ନିୟମ।”

20 ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।

21 “ପୁଣି ଇସ୍ରାଏଲର ଲୋକମାନେ ଯେଉଁ ଏକ ଦଶମାଂଶ ଦେବେ, ଲେବୀ ଗୋଷ୍ଠୀର ଲୋକମାନେ ଏହା ଉପଭୋଗ କରିବେ, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେବାକାର୍ଯ୍ୟ ପାଇଁ ପରିଶୋଧରେ ମୁଁ ଏହା ଲେବୀୟମାନଙ୍କୁ ଦେଲି। 22 ମାତ୍ର ଇସ୍ରାଏଲର ଅନ୍ୟମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ। ସେମାନେ ଆସିଲେ ମରିବେ। 23 ମାତ୍ର ଲେବୀମାନେ ସମାଗମ-ତମ୍ବୁର ସେବା କରିବେ ଓ ସେମାନେ ଏଥିପାଇଁ ଦାୟୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହେବ। କିନ୍ତୁ ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଦେଶ ଅଧିକାର ପାଇବେ ନାହିଁ। 24 କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀୟ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲି। ଏଣୁ ମୁଁ କହିଲି, ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।”

25 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 26 “ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ମୋଟରୁ ପାଇଥିବା ଏକ ଦଶମାଂଶ ଉତ୍ସର୍ଗ କରିବ। 27 ଠିକ୍ ଶସ୍ୟ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହେବ। 28 ଏହିରୂପେ ତୁମ୍ଭେମାନେ ଇସ୍ରାଏଲ ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। ସଦାପ୍ରଭୁଙ୍କୁ ଦେଉଥିବା ଉପହାର ଯାଜକ ହାରୋଣକୁ ଦେବ। 29 ଇସ୍ରାଏଲର ଲୋକମାନେ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେବେ, ତୁମ୍ଭେମାନେ ତହିଁରୁ ସର୍ବୋତ୍ତମ ଓ ପବିତ୍ରତମ ଅଂଶ ମନୋନୀତ କରି ଦଶମାଂଶ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ।

30 “ମୋଶା ଲେବୀୟମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇସ୍ରାଏଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ୟ ଓ ଦ୍ରାକ୍ଷାରସ ତୁଲ୍ୟ ଗ୍ରହଣ କରାଯିବା ଉଚିତ୍। 31 ପୁଣି ତୁମ୍ଭେମାନେ ଓ ତୁମ୍ଭ ପରିବାର ଲୋକମାନେ ସବୁ ସ୍ଥାନରେ ତାହା ଭୋଜନ କରିବ। କାରଣ ତାହା ସମାଗମ-ତମ୍ବୁରେ କରିଥିବା ସେବାକାର୍ଯ୍ୟର ପୁରସ୍କାର ଅଟେ। 32 ଆଉ ସେହି ଉତ୍ତମ ଦ୍ରବ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ ତୁମ୍ଭେମାନେ କୌଣସି ପାପ ବହନ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ନ ମରିବ ସେଥିପାଇଁ ଇସ୍ରାଏଲ ଲୋକମାନଙ୍କର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ।”

ଲାଲରଙ୍ଗ ଗାଭୀର ଭସ୍ମ

19 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି ଆଜ୍ଞା ବିଧି ଦେଇ ଅଛନ୍ତି। ଇସ୍ରାଏଲର ଲୋକମାନଙ୍କୁ କୁହ, ଯାହାଠାରେ ଖୁଣ ନାହିଁ ଓ ଯାହା ଉପରେ କେବେ ଯୁଆଳି ଦିଆଯାଇ ନାହିଁ, ଏପରି ଏକ ଲାଲ ରଙ୍ଗର ଗାଈ ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ। ତହୁଁ ତୁମ୍ଭେମାନେ ସେହି ଗାଈକୁ ଇଲିୟାସର ଯାଜକକୁ ଦେବ। ସେ ତାହାକୁ ଛାଉଣି ବାହାରକୁ ଆଣି ବଧ କରିବ। ଯାଜକ ଇଲିୟାସର ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତକୁ ନେଇ ପବିତ୍ର ତମ୍ବୁ ସମ୍ମୁଖରେ ସାତଥର ଛିଞ୍ଚିବ। ଆଉ ଜଣେ ତାହାର ଦୃଷ୍ଟି ଗୋଚରରେ ସେହି ଗାଈକି ଦ‌ଗ୍‌ଧ କରିବ, ସେ ତାହାର ଗୋମୟ ସହିତ ଚର୍ମ, ମାଂସ ଓ ରକ୍ତ ଦ‌ଗ୍‌ଧ କରିବ। ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ରଙ୍ଗର ସୂତା ନେଇ ସେହି ଗାଈ ଦାହର ଅଗ୍ନି ମଧ୍ୟରେ ପକାଇବ। ତା'ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ତା'ପରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଯେଉଁ ଲୋକ ସେହି ଗାଈକି ଦ‌ଗ୍‌ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

“ଏହା ପରେ କୌଣସି ଶୁଚିଲୋକ ସେହି ଗାଈର ଭସ୍ମ ସଂଗ୍ରହ କରି ଛାଉଣି ବାହାରେ କୌଣସି ଶୁଚି ସ୍ଥାନରେ ରଖିବ। ସେହି ଭସ୍ମ ଇସ୍ରାଏଲ ଲୋକମାନଙ୍କର ପାଣିକୁ ଶୁଚି କରିବା ନିମନ୍ତେ ରଖାଯିବ। ତାହା ଶୁଚି କରଣାର୍ଥେ ଉତ୍ସର୍ଗ ଅଟେ।

10 “ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

“ଏହି ବିଧି ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶରେ ଜନ୍ମିତ ଅଧିବାସୀମାନଙ୍କ ନିମନ୍ତେ ଲାଗୁ ହେବ। ଏହି ନିୟମ ଚିରସ୍ଥାୟୀ। 11 ଯଦି କେହି କୌଣସି ମନୁଷ୍ୟର ଶବ ଛୁଏଁ, ତେବେ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। 12 ସେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନରେ ନିଜକୁ ଶୁଚି ନ କରେ ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ। 13 ଯଦି କେହି ଶବ ଛୁଇଁ ନିଜକୁ ଶୁଚି ନ କରେ ତେବେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସେହି ମନୁଷ୍ୟ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ। ତା'ର ଅଶୌଚ ତାହାଠାରେ ରହିବ।

14 “କୌଣସି ମନୁଷ୍ୟ ତୁମ୍ବୁ ଭିତରେ ମଲେ ତହିଁର ବ୍ୟବସ୍ଥା ଏହି। ଯେକେହି ସେହି ତମ୍ବୁରେ ଥାଏ ଓ ଯେକେହି ସେହି ତମ୍ବୁକୁ ଆସେ ସେ ସାତ ଦିନ ପାଇଁ ଅଶୁଚି ହୋଇ ରହିବ। 15 ଢାଙ୍କୁଣି ନ ଥିବା ପ୍ରତ୍ୟେକ ମେଲାପାତ୍ର ଅଶୁଚି ହେବ। 16 ପୁଣି କେହି ଯଦି ଖୋଲା କ୍ଷେତ୍ରରେ ଯୁଦ୍ଧରେ ନିହତ ମୃତ ଦେହ, ମନୁଷ୍ୟ ଅସ୍ଥି କିମ୍ବା କବର ଛୁଏଁ, ତେବେ ସେ ସାତ ଦିନ ଯାଏ ଅଶୁଚି ରହିବ।

17 “ପୁଣି ଲୋକମାନେ ସେହି ଅଶୁଚି ଲୋକକୁ ଶୁଚି କରିବା ପାଇଁ ପାପାର୍ଥକ ବଳିର ଦ‌ଗ୍‌ଧ ଭସ୍ମ ନେବେ ଓ ତାକୁ ଏକ ପାତ୍ରରେ ରଖି ପ୍ରବାହଜଳ ସେଥିରେ ଢାଳିବେ। 18 ତା'ପରେ ଜଣେ ଶୁଚିମନ୍ତ ବ୍ୟକ୍ତି ଏକ ଏସୋବ୍ ଶାଖା ନେଇ ସେହି ଜଳରେ ବୁଡ଼ାଇବା ଉଚିତ୍। ସେ ସେହି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସେଠାରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।

19 “ତତ୍ପରେ ସେହି ଶୁଚିମନ୍ତ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ସେହି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ସେହି ବ୍ୟକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ୟା ସମୟରେ ସେ ଶୁଚି ହେବ।

20 “ମାତ୍ର ଯେଉଁ ଲୋକ ଅଶୁଚି ହୋଇ ନିଜକୁ ପରିଷ୍କାର ନ କରିବ ସେହି ପ୍ରାଣୀ ସମାଜ ମଧ୍ୟରୁ ପୃଥକ୍ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅଶୌଗ୍ଭର୍ଥକ ଜଳ ସେଚିତ ହେଲା ନାହିଁ। ତେଣୁ ସେ ଅଶୁଚି। 21 ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେକେହି ସେହି ଅଶୌଗ୍ଭର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେକେହି ସେହି ଅଶୌଗ୍ଭର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 22 ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”

ମରିୟମର ମୃତ୍ୟୁ

20 ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସେମାନେ କାଦେଶରେ ବାସ କଲେ। ମରିୟମ ସେହି ସ୍ଥାନରେ ମୃତ୍ୟୁବରଣ କଲେ ଓ ତାଙ୍କୁ ସେଠାରେ କବର ଦିଆଗଲା।

ମୋଶାଙ୍କର ଭ୍ରମ

ସେହି ସ୍ଥାନରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ରିତ ହେଲେ। ସେହି ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ! ଆମ୍ଭେମାନେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ପଛେ ମରିଥା’ନ୍ତୁ। ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଗ୍ଭହୁଁଛ ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏଠାରେ ମରିବୁ? ତୁମ୍ଭେମାନେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ଯ୍ୟ ସ୍ଥାନକୁ ଆଣିଲ? ଏଠାରେ ଶସ୍ୟ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ୟ ପାଣି ନାହିଁ।”

ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁର ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସେମାନଙ୍କ ପ୍ରତି ପ୍ରକାଶିତ ହେଲା।

ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆଶାବାଡ଼ି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭେମାନେ ସେମାନଙ୍କ ସମ୍ମୁଖରେ ସେହି ଶୈଳକୁ ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ସେହି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସେମାନଙ୍କର ପଶୁଗଣଙ୍କୁ ଜଳ ପାନ କରାଇବ।”

ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ସମ୍ମୁଖରେ ପଡ଼ିଥିବା ଆଶାବାଡ଼ି ନେଲେ। 10 ପୁଣି ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଦେଖ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।” 11 ଏହା ପରେ ମୋଶା ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡ଼ିରେ ସେହି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସେମାନଙ୍କର ପଶୁଗଣ ଜଳପାନ କଲେ।

12 ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଲୋକମାନଙ୍କ ସମ୍ମୁଖରେ ମୋ'ଠାରେ ବିଶ୍ୱାସ କଲ ନାହିଁ ଏବଂ ଲୋକମାନଙ୍କ ଆଗରେ ମୋତେ ପବିତ୍ର ରୂପେ ସମ୍ମାନ ଦେଲ ନାହିଁ। ଏଣୁ ତୁମ୍ଭେମାନେ ଏହି ଲୋକମାନଙ୍କୁ ସେହି ଦେଶ ଭିତରକୁ ନେବ ନାହିଁ, ଯାହା ମୁଁ ସେମାନଙ୍କୁ ଦେଇଛି।”

13 ଏହି ସ୍ଥାନକୁ ମିରୀବାଃ-ଜଳ ବୋଲି କୁହାଗଲା, କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେଲେ।

ଇଦୋମ ଇସ୍ରାଏଲକୁ ଯିବାକୁ ନ ଦେବା

14 ଅନନ୍ତର ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ,

“ତୁମ୍ଭର ଭ୍ରାତା ଇସ୍ରାଏଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଳେଶ ଘଟି ଅଛି ଜାଣ। 15 ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ ଓ ମିଶରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ। 16 ସେତେବେଳେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାହାଯ୍ୟ ପାଇଁ ବିଳାପ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ।

“ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗରରେ ଅଛୁ। 17 ଆମ୍ଭେ ବିନୟ କରୁଅଛୁ, ଦୟାକରି ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଦେଇ ଯିବୁ ନାହିଁ, କିମ୍ବା ତୁମ୍ଭର କୂଅରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ କେବଳ ରାଜପଥ ଦେଇ ଗମନ କରିବୁ। ତୁମ୍ଭ ଦେଶର ସୀମା ଅତିକ୍ରମ କରିବା ପର୍ଯ୍ୟନ୍ତ ଦକ୍ଷିଣ କିମ୍ବା ବାମକୁ ଯିବୁ ନାହିଁ।”

18 କିନ୍ତୁ ଇଦୋମ କହିଲେ, “ତୁମ୍ଭେମାନେ ଆମ୍ଭ ଦେଶ ମଧ୍ୟଦେଇଯିବ ନାହିଁ, ଗଲେ ଆମ୍ଭେ ଖ‌ଡ଼୍‌ଗ ନେଇ ତୁମ୍ଭ ବିରୁଦ୍ଧରେ ଲଢ଼ିବା।”

19 ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭେମାନେ କେବଳ ତୁମ୍ଭ ସଡ଼କ ଦେଇ ଯିବୁ। ଯଦି ଆମ୍ଭେମାନେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ, ଆମ୍ଭେମାନେ କେବଳ ତୁମ୍ଭ ଦେଶ ଦେଇ ପାଦରେ ଯିବୁ। ଆମ୍ଭେମାନେ ଆଉକିଛି କରିବୁ ନାହିଁ।”

20 ମାତ୍ର ଇଦୋମ ପୁନର୍ବାର ଉତ୍ତର ଦେଲେ, “ନା!”

ତା'ପରେ ଇଦୋମ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ନେଇ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ବାହାରିଲେ। 21 ଏହିପରି ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେଲେ ନାହିଁ। ତେଣୁ ଇସ୍ରାଏଲ ତାଙ୍କ ନିକଟରୁ ଫେରିଯାଇ ଅନ୍ୟ ବାଟରେ ଗଲେ।

ହାରୋଣଙ୍କ ମୃତ୍ୟୁ

22 ସମସ୍ତ ଇସ୍ରାଏଲର ଲୋକମାନେ କାଦେଶରୁ ହୋର ପର୍ବତକୁ ଯାତ୍ରା କଲେ। 23 ହୋର ପର୍ବତ ଇଦୋମ ଦେଶର ସୀମା ନିକଟରେ ଅବସ୍ଥିତ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 24 “ହାରୋଣର ଏହା ମୃତ୍ୟୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ଯିବ। ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମୋ’ ବିରୁଦ୍ଧରେ ବିଦ୍ରୋହ କଲ।

25 “ତୁମ୍ଭେ ହାରୋଣଙ୍କୁ ଓ ତାହାର ପୁତ୍ର ଇଲିୟାସରକୁ ହୋର ପର୍ବତ ଉପରକୁ ନେଇଯାଅ। 26 ତୁମ୍ଭେ ହାରୋଣଠାରୁ ବସ୍ତ୍ର କାଢ଼ିନେବା ଉଚିତ୍ ଓ ତା'ର ପୁତ୍ର ଇଲିୟାସରକୁ ସେଗୁଡ଼ିକ ପିନ୍ଧାଇ ଦେବା ଉଚିତ୍। ସେ ପର୍ବତ ଉପରେ ମରିବ ଓ ତାଙ୍କର ପୂର୍ବପୁରୁଷଙ୍କ ନିକଟକୁ ଯିବ।”

27 ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶା, ହାରୋଣ ଓ ଇଲିୟାସର ଇସ୍ରାଏଲର ସମସ୍ତ ମଣ୍ତଳୀଙ୍କ ସମ୍ମୁଖରେ ହୋର ପର୍ବତକୁ ଉଠିଲେ। 28 ମୋଶା ହାରୋଣଙ୍କ ପବିତ୍ର ବସ୍ତ୍ର କାଢ଼ିଲେ ଓ ସେଗୁଡ଼ିକ ଇଲିୟାସରକୁ ପିନ୍ଧାଇଲେ। ତା'ପରେ ହାରୋଣ ପର୍ବତ ଉପରେ ମଲେ। ମୋଶା ଓ ଇଲିୟାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ। 29 ଇସ୍ରାଏଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ୟୁ ଜାଣିଲେ। ତେଣୁ ପ୍ରତ୍ୟେକ ଇସ୍ରାଏଲୀୟ ତିରିଶ୍ ଦିନ ପର୍ଯ୍ୟନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center